Unknown

 

 

 

 

 

 

 

 

 

 

 

ଦୁଇ-ସୀମାନ୍ତ

ଶ୍ରୀ ସୁରେନ୍ଦ୍ର ମହାନ୍ତି

 

ସୂଚୀପତ୍ର

 

୧.

ଖ୍ରୀ: ଅ: ୨୦୬୬

୨.

କ୍ଳାନ୍ତ-ଚୈତାଳୀ

୩.

ଡା-ଡା

୪.

କାଠ-ଘୋଡ଼ା

୫.

ସୁନା-ମାହରୀ

୬.

ସାପ

୭.

ବିଷମ-ପାଠଶାଳା

୮.

ଶୂନ୍ୟ-ପଞ୍ଜୁରୀ

୯.

ମୃତ୍ତିକାର ଆତ୍ମା

୧୦.

ଜହ୍ନିଲଟା

୧୧.

ବିସର୍ଜନ

୧୨.

ଗଣଦେବତା

୧୩.

ଶେଷରାତିର ଏକ୍‌ସପ୍ରେସ୍‌

Image

 

ଖ୍ରୀ: ଅ: ୨୦୬୬

 

ସକାଳ....ରାତି ଶେଷ ହୋଇଥିବା ଅର୍ଥରେ, କେବଳ ।

 

ତା’ ନ ହେଲେ କୁହୁଡ଼ି, ଧୂଆଁ, ଧୂଳି ଆଉ କୋଇଲାଗୁଣ୍ଡର ‘ସ୍ମଗ୍‌’ ଫ୍ଳାଟ୍‌ ବାହାରେ ଦ୍ୱିତୀୟ ରାତ୍ରିର ଭ୍ରମ ସୃଷ୍ଟି କରିଥିଲା ।

 

ସାମ୍‌ନା ସ୍କାଇସ୍କ୍ରାପ୍‌ର ଉପରେ ଗୋଟିଏ ପ୍ରକାଣ୍ଡ ଆଡ୍‌ଭଟାଇଜମେଣ୍ଟ ହୋଡିଙ୍ଗଗଙ୍ଗ....ସ୍ପେସ୍‌-ଟ୍ରାଭଲିଙ୍ଗ୍‌ ଏଜେନ୍‌ସୀର ବିଜ୍ଞାପନ....ଚନ୍ଦ୍ରମଣ୍ଡଳ ମୋଟେ ଏକୋଇଶ ଘଣ୍ଟାର ରାସ୍ତା ! ....ଆଉ ଗୋଟିଏ ହୋର୍ଡିଙ୍ଗରେ.....‘‘ବାଇଓଲଜିକାଲ୍‌ ଲାବୋରେଟରୀ-ପ୍ଳାଷ୍ଟିକ୍‌ ତିଆରି ମଣିଷ ଲଙ୍ଗ୍‍ସ୍‌ ଓ ହାର୍ଟସ୍‌ ମିଳେ’’ ପରୀକ୍ଷା ପାର୍ଥନୀୟ.....

 

ଏ ହାର୍ଟ୍‌ଟା ପୁରୁଣା ହୋଇଗଲାଣି ।

 

ବଦଳାଇବା ପାଇଁ ପଡ଼ିବ । ସୁବ୍ରତ ବିଛଣାରେ ଶୋଇ ଶୋଇ ଭାବୁଥିଲା । ଶୀଘ୍ର ଗୋଟାଏ ପ୍ଳାଷ୍ଟିକ୍‌ ହାର୍ଟର ମାପ ଦେଇ ଆସିବାର ଆବଶ୍ୟକତା ପଡ଼ିଲାଣି ।

 

ଟେରାସ୍‌ ଉପରେ ଦୁଇଟା ହୋଭର୍‌-କ୍ରାଫ୍‌ଟ ଉଡ଼ିଗଲା । ଏ ସବୁ ଏ ଶତାବ୍ଦୀର ଉଡ଼ନ୍ତା ମୋଟରଗାଡ଼ି ।

 

ହୋଭର୍‌-କ୍ରାଫ୍‌ଟର କିଳିକିଳା ରଡ଼ିରେ ସୁବ୍ରତର ଅଧାଚିଆଁ-ଅଧାଶୁଆ ତନ୍ଦ୍ରାଚ୍ଛନ୍ନତା କଟିଗଲା ।

 

ତା ପରେ ମନେପଡ଼ିଲା, ସୁତପାର ଚିଠି କଥା ।

 

ଘର ଭିତରେ ଯେତେ ସବୁ ଡ୍ରୟର ଚେଷ୍ଟ୍‌, ବହି ସେଲଫ୍‌, କବ୍‌ବୋର୍ଡ, ବିଛଣାଗଦି, ଏପରିକି ତକିଆ ତଳ ଖୋଜି, ଓଲଟପାଲଟ କରି ସେଇ ଚିଠି ଖଣ୍ଡକ ଖୋଜିଲେ ସୁଦ୍ଧା, ତାହାର କୌଣସି ସନ୍ଧାନ ମିଳୁ ନଥିଲା ।

 

ଚନ୍ଦ୍ରମଣ୍ଡଳରେ ସୁତପାର ଠିକଣା ସେଇ ଚିଠିରେ ଥିଲା । ମନେପଡ଼େ କେବଳ ‘‘କ୍ରୋଟାର୍‌ ଅଫ୍‌ ନାଇଟ୍‌’’ର କୌଣସି ଶିଳାକୀର୍ଣ୍ଣ ଅଞ୍ଚଳରେ କୌଣସି ଏକ ହୋଟେଲ, ‘‘ଓସନ୍‌ ଅଫ୍‌ ଷ୍ଟର୍ମ୍‌’’ ଝଞ୍ଜା ମହାସାଗରର ଉପକୂଳରେ । ମାତ୍ର ସୁତପାର ନିର୍ଦ୍ଦିଷ୍ଟ ଠିକଣା, ରାସ୍ତା, ଗଳି ଓ ମୋଡ଼ ସେଇ ଚିଠିରେ ଲେଖାଥିଲା ସବୁ ।

 

ମାତ୍ର ସେ ଚିଠିଖଣ୍ଡ କେଉଁଠି ଏ ଜଞ୍ଜାଳ ମଧ୍ୟରେ ହଜି ଯାଇଅଛି । ସୁବ୍ରତ ହିଂସ୍ର ଭାବରେ ଓଠର ଅଧାଜଳା ସିଗ୍ରେଟ୍‌ ଖଣ୍ଡେ ଗୋଟାଏ ଟ୍ରେ ଭିତରେ ଦଳି, ଚଟାଣରେ ଅଧାମେଲା ପଡ଼ିଥିବା ଗୋଟାଏ ଆଟାଚୀକୁ ଫୁଟବଲ୍‌ରେ କିକ୍‌ ମାରିବା ପରି ଗୋଟାଏ ଗୋଇଠା ମାରିଲା । ଆଟାଚୀଟା ଖୋଲା ଦରଜା ବାଟେ ବାହାରାକୁ ଉଡ଼ି ଯାଉଁ ତଳ ରାସ୍ତାରେ ଖସିପଡ଼ିଲା ।

 

ତିରିଶ ମହଲା ସ୍କାଇସ୍କ୍ରାପର୍‌ର ଏକବିଂଶ ଫ୍ଳୋର୍‌ ବାଲ୍‌କନିରୁ ଆଟାଚୀଟା କେଉଁ ରସାତଳେ ପଡ଼ିଲା ଯାଇଁ କେଜାଣି ?

ସେଥିରେ ଥିଲା, ସୁବ୍ରତର ଗୋଟିଏ ସ୍ପେସ୍‌—ସୁଟ୍‌, ଦୁଇଟି ମର୍ତ୍ତ୍ୟଲୋକର ସୁଟ୍‌, ଆଉ ଦୁଇଟା ରଙ୍ଗିନ୍‌ ଟାଇ....ଚନ୍ଦ୍ରମଣ୍ଡଳକୁ ଜଳବାୟୁ ପରିବର୍ତ୍ତନରେ ଯିବାପାଇଁ ସୁବ୍ରତ ସେଦିନ ଏ ପରିଚ୍ଛଦ ସବୁ କିଣିଥିଲା ଗୋଟାଏ ଦର୍ଜୀ ଦୋକାନରୁ । ସେସବୁ ପୁଣି ଥରେ ନୂଆ କିଣିଲେ ପ୍ରଚଳିତ ମୂଲ୍ୟରେ ଅନ୍ୟୂନ ପଚିଶହଜାର ଟଙ୍କାର ପାଖାପାଖି ।

ସୁବ୍ରତ ହିସାବ କରି ଦେଖିଲା, ତିନିଟି ମାସର ବେତନ !

ଏହାପରେ କେବଳ ଅର୍ଥହୀନ ଅନୁଶୋଚନା, ସିଗାରେଟ୍‌ ପରେ ସିଗାରେଟ୍‌ ପୋଡ଼ା !

କାନ୍‌ସରର ଆତଙ୍କ ଆଉ ନାଇଁ । ଅପରାଜେୟ ମୃତ୍ୟୁର ସଙ୍କେତ କାନ୍‌ସରକୁ ମନୁଷ୍ୟ ଜୟ କରି ସାରିଲାଣି । ତେଣୁ ମନୁଷ୍ୟର ଆୟୁ ଆଜି ଦୁଇଶହ ବର୍ଷକୁ ବୃଦ୍ଧି ପାଇଅଛି । ଡିକ୍‌ଟେଟର ଜୁଲୁମ୍‌ବାଜ୍‌ ସିଂହ ସେଇ କଥା ଟେଲିଭିଜନ୍‌ ଭାଷଣରେ ବାରମ୍ୱାର ଘୋଷଣା କରି ବିଗତ ଶତାବ୍ଦୀର ପାର୍ଲିମେଣ୍ଟାରୀ ଗଣତନ୍ତ୍ର ତୁଳନାରେ ଚଳିତ ଶତାବ୍ଦୀର ପାର୍ଲିମେଣ୍ଟାରୀ ଗଣତନ୍ତ୍ର ତୁଳନାରେ ଚଳିତ ଶତାବ୍ଦୀର ସାମରିକତନ୍ତ୍ରରେ ଦେଶବାସୀ ଯେଉଁ ଅଭୂତପୂର୍ବ ପ୍ରଗତି ସାଧନ କରିପାରିଅଛନ୍ତି, ତାହା ଚେତାଇ ଦେଉଅଛନ୍ତି ।

ଆଃ....ଜୀବନର ଦୈର୍ଘ୍ୟ ବଢ଼ିଛି; ମାତ୍ର ଶୂନ୍ୟଗର୍ଭ ଜୀବନ ! ବଞ୍ଚିବାର ଐଶ୍ୱର୍ଯ୍ୟ କମିଚି !

ସୁବ୍ରତ ଆଉ ଖଣ୍ଡେ ସିଗାରେଟ୍‌ ଓଠରେ ଚାପି ସେଥିରେ ନିଆଁ ଲଗାଇଲା । ମାତ୍ର ଅନ୍ୟମାନଙ୍କ ପରି ଉପରକୁ ଧୂଆଁ କୁଣ୍ଡଳୀ ଛାଡ଼ି ଅଳସଭାବରେ ତାହାର କୁଣ୍ଡଳୀର ଘୁର୍ଣୀ ସବୁ ଲକ୍ଷ୍ୟ କରିବା ପାଇଁ ଆଜି ତାର ମାନସିକ ପ୍ରବୃତ୍ତି ନଥିଲା ।

 

ଆଃ....କେବଳ ଏଇ ଅପଜାତ, କ୍ଳାନ୍ତ ଶତାବ୍ଦୀରେ ନୁହେଁ; ଅତୀତରେ ଅଗଣିତ ଶତାବ୍ଦୀରେ ମଧ୍ୟ, ଏହି ଧୂମ ହିଁ ରହି ଆସିଚି, ଶ୍ରାନ୍ତ କ୍ଳାନ୍ତ, ଦିଗ୍‌ଭ୍ରାନ୍ତର ଶେଷ ଅବଲମ୍ୱନ ।

 

କିନ୍ତୁ ସମାଜର ନୀତିବାଗୀଶମାନେ ସିଗାରେଟ ଟାଣିବା ପରି କ୍ଷୁଦ୍ର କ୍ଷୁଦ୍ର ନିରୀହ ଅପରାଧ ଅଥବା ହତ୍ୟାର ଉପାୟରେ ବିଶ୍ୱାସ କରନ୍ତି ନାଇଁ । ବୋମା ପକାଇ ଜାଳିବା ପରି ଭୀଷଣତମ ଅପରାଧମାନଙ୍କୁ ସେମାନେ ଭକ୍ତି ଓ ବିଶ୍ୱାସ କରନ୍ତି ! ସେଥିପାଇଁ ବିଗତ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଏହି ସୁନୀଳ, ସୁସ୍ନିଗ୍‌ଧ, ଅବାସ୍ତବ ଧୂମ ସହିତ କାନ୍‌ସରର ଆତଙ୍କକୁ ଯୋଡ଼ି, ବହୁ କାକଭୂଷଣ୍ଡ କାନ୍‌ସରରେ ଅକାଳମୃତ୍ୟୁର ବହୁ କରାଳଛାୟା ସୃଷ୍ଟି କରିଛନ୍ତି ! ସାଡ଼ିଷ୍ଟ୍‌ ଅର୍ଥମନ୍ତ୍ରୀମାନେ ସିଗାରେଟ୍‌ ଉପରେ ଏକ୍‌ସାଇଜ୍‌ ଡ୍ୟୁଟୀ ନାନା ଭାବରେ ବସାଇ ଧୂମର ମୂଲ୍ୟକୁ ଅଗ୍ନିମୂଲ୍ୟ କରି ଦେଇଅଛନ୍ତି !

 

ବିଗତ ଶତାବ୍ଦୀରେ ପୃଥିବୀର ମାଧ୍ୟାକର୍ଷଣ ଘୂର୍ଣୀ ଅତିକ୍ରମ କରି, ମନୁଷ୍ୟ ମହାଶୂନ୍ୟରେ ବିଚରଣ କରି ପାରିଥିଲା ସତ୍ୟ; କିନ୍ତୁ କାନ୍‌ସର ତା’ପକ୍ଷରେ ତଥାପି ରହିଥିଲା ଦୁରାରୋଗ୍ୟ ହୋଇ । କାନ୍‌ସରର ଚିକିତ୍ସା ଓ ନିରାକରଣ ପାଇଁ ବିଭିନ୍ନ ରାଷ୍ଟ୍ର ଯେତିକି ଅର୍ଥ ଓ ବୈଜ୍ଞାନିକ ଶକ୍ତି ବ୍ୟୟ କରୁଥିଲେ, ଆଣବିକ ଅସ୍ତ୍ରପରୀକ୍ଷା ପାଇଁ ବିସ୍ଫୋରଣ ଦ୍ୱାରା ବାୟୁମଣ୍ଡଳରେ ତେଜଷ୍କ୍ରିୟ ଭସ୍ମରାଶିରୁ ସେତିକି ରେଡ଼ିଓ ଷ୍ଟ୍ରଣ୍ଟିୟମ୍‌ ବିକୀରଣ କରି, କାନ୍‌ସରର ପ୍ରସାରଣରେ ସେମାନେ ମଧ୍ୟ ସେତିକି ସହାୟକ ହେଉଥିଲେ ! କିନ୍ତୁ ଜନପଦକଲ୍ୟାଣୀ ସୁତପା କୁଆଡ଼େ ଯେଉଁ ବର୍ଷ ଜରତୀ ପୃଥିବୀର ଜନସଂଖ୍ୟା ଆଉରି ଗୋଟିଏ ବୃଦ୍ଧି କରି ଜନ୍ମଲାଭ କରିଥିଲା; ସେହି ବର୍ଷ କାନ୍‌ସରର ପ୍ରତିଷେଧକ ଉଦ୍ଭାବନ କରିଥିଲେ, ହିମାଳୟର ତରାଇ ଜଙ୍ଗଲ ଭିତରୁ ଜଣେ ସନ୍ନ୍ୟାସୀ !

 

ସେଇ ସୁତପାର ଚିଠି ହଜିଯାଇଚି; ଚନ୍ଦ୍ରମଣ୍ଡଳରେ ତାର ଠିକଣା ହଜିଯାଇଚି ।

 

ଖ୍ରୀ: ଅ: ୨୦୬୬......

 

ସହରର ନାମ ସୁପରସିଟୀ, ନମ୍ୱର ୧୦୧....ତାହାର ଅନ୍ୟ କୌଣସି ସ୍ୱତନ୍ତ୍ର, ବିଶିଷ୍ଟ ନାମ ନାଇଁ ! ମାତ୍ର ପ୍ରତ୍ନତାତ୍ତ୍ୱିକ ଗବେଷକମାନେ କହନ୍ତି ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହା କାଳେ ଗୋଟିଏ ଗୁଳ୍ମାକୀର୍ଣ୍ଣ ପ୍ରାନ୍ତର ଥିଲା । ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ସରକାର ନିଶାନିବାରଣ ଯୋଜନା ଆରମ୍ଭ କରି, ଚୋରା-ନିଶା-ବ୍ୟବସାୟୀ ବା ବୁଟ୍‌ଲେଗର୍‌ ନାମରେ ଗୋଟିଏ ଗୋଷ୍ଠୀ ଯେପରି ସୃଷ୍ଟି କରିଥିଲେ ଓ କୃଷି ନାମରେ ବିଦେଶରୁ ଯେତିକି ଅଧିକ ଆମୋନିଆ ସଲଫେଟ୍‌ ଆମଦାନୀ କରାଯାଉଥିଲା, ସେସବୁ ଯେପରି ବସ୍ତିମାତାଲମାନଙ୍କ କଣ୍ଠନାଳିବାଟ ଦେଇ ଚୋରା ମଦ-ବ୍ୟବସାୟୀମାନଙ୍କର ଗୁପ୍ତ ଅର୍ଥପାଣ୍ଠି ବର୍ଦ୍ଧନ କରୁଥିଲା; ପୁଣି ସେହି ଅର୍ଥରେ ଯେପରି କୌଣସି କୌଣସି ରାଜନୈତିକ ଗୋଷ୍ଠୀ, ପୁଲିସ, ବିଚାରକମଣ୍ଡଳୀ ପୋଷା ଯାଉଥିଲେ, ସେ ସବୁର ବିଡ଼ମ୍ୱିତ କାହାଣୀ ବିଗତ ଶତାବ୍ଦୀର ସାମାଜିକ ଇତିହାସମାନଙ୍କରୁ ଯଥେଷ୍ଟ ମିଳିବ । ସେହି ଚୋରା ମଦବ୍ୟବସାୟକୁ କେନ୍ଦ୍ର କରି କାଳକ୍ରମେ ଏହି ଗୁଳ୍ମାକୀର୍ଣ ଭୂମିରେ ଗୋଟିଏ ଛୋଟିଆ ସହର ଗଢ଼ିଉଠି କ୍ରମେ ତାହା ଏହି ସୁପରସିଟୀରେ ପରିଣତ ହୋଇଥିଲା ।

 

ବସ୍ତୁତଃ ଭୂଭାଗର ପ୍ରତ୍ୟେକ ଇଞ୍ଚ ପରିମିତ ଆବାସଯୋଗ୍ୟ ଭୂମି ଉପରେ ଏବେ ଲମ୍ୱିଯାଇଚି ସହର ପରେ ସହର ଆଉ ସ୍କାଇସ୍କ୍ରାପର, କାନ୍‌ସର କ୍ଷତର ‘ଟିସୁ’ ପରି ।

 

କିନ୍ତୁ କିଏ ବିଶ୍ୱାସ କରିବ, ଶୃଗାଳ ନାମକ ଗୋଟିଏ ଚତୁଷ୍ପଦ ଜୀବର କିଳିକିଳା ରଡ଼ି, ବସ୍ତି-ମାତାଲ୍‌ମାନଙ୍କର ମାତ୍‌ଲାମୀ, ଶିମିଳୀ ନାମକ ଏକ ଫୁଲର ଲାଲିମା, କେତକୀ ନାମକ ଏକ କଣ୍ଟକକୀର୍ଣ୍ଣ ଗୁଳ୍ମର ସୁବାସ ଓ କୋଇଲି, କାଳିକା, କଜଳପାତୀ ପ୍ରଭୃତି ପକ୍ଷୀମାନଙ୍କର କାକଳୀରେ ଏହି ବନଭୂମି ଏକଦା ମୁଖରିତ ଥିଲା ! ଏ ପକ୍ଷୀମାନଙ୍କର ଚିତ୍ର ଏବେ ପକ୍ଷୀ-ବିଜ୍ଞାନସମ୍ୱଳିତ ଗ୍ରନ୍ଥମାନଙ୍କରେ କେବଳ ଦେଖାଯାଇଥାଏ । ସେହିପରି ସେ ବୃକ୍ଷ ଓ ଗୁଳ୍ମମାନଙ୍କର ନାମ ମଧ୍ୟ ଉଦ୍ଭିଦବିଦ୍ୟାର ଶାସ୍ତ୍ରମାନଙ୍କରେ ଖୋଜିଲେ ମିଳିଥାଏ । ମାତ୍ର ସେ ପକ୍ଷିକୁଳ ମନୁଷ୍ୟର କ୍ଷୁଧାରେ କେଉଁକାଳୁ ଯେପରି ନିଶ୍ଚିହ୍ନ ହେଲେଣି, ସେ ବୃକ୍ଷ ଓ ଗୁଳ୍ମରାଜି ମଧ୍ୟ ସ୍କାଇସ୍କ୍ରାପରମାନଙ୍କ ତଳେ ସେହିପରି ନିଶୂନ ହୋଇଗଲେଣି !

 

ଏକ ସ୍ୱପ୍ନହୀନ, ନିରୁଦ୍ଧ ରାତ୍ରି ପରେ କ୍ଳାନ୍ତ ପ୍ରଭାତ ଆସିଥିଲ । ନପୁଂସକର କାମବିକାର ପରି ! ସେଥିରେ ଉତ୍ତେଜନା ଥିଲା; ମାତ୍ର ପରିତୃପ୍ତି ନ ଥିଲା ।

 

ସେଇ ସକାଳୁ ସୁବ୍ରତ ସୁତପାର ଚିଠିଖଣ୍ଡ ଖୋଜୁଚି । ଘର ଚଟାଣ ପୋଡ଼ା ସିଗାରେଟ ଗୁଣ୍ଡ ଓ ଇତସ୍ତତଃ ବିକ୍ଷିପ୍ତ କାଗଜପତ୍ରରେ ଭର୍ତି ।

 

ସୁବ୍ରତ ଗୋଟାଏ କମ୍ପ୍ୟୁଟର ମେସିନର କେତେଟା ସୁଇଚ୍‌ ଟିପି ଦେବା ମାତ୍ରେ ରୋବର୍ଟର ହାତ ପରି ଦୁଇଟା ଯାନ୍ତ୍ରିକ ହାତରେ ଗୋଟାଏ ଚା’ ଟ୍ରେ ଖୋଲା ଦରଜାବାଟେ ଶୂନ୍ୟରେ ଭାସି ଆସି ଟି’ପୟ ଉପରେ ରହିଗଲା । ଟି’ପୟ ଉପରେ; ଚା’ ଟ୍ରେ ଶୂନ୍ୟେ ଶୂନ୍ୟେ ଆସି ରହିବାପରେ, ସେହି ଯାନ୍ତ୍ରିକ ହାତ ଦୁଇଟା ଗୋଟାଏ ଟାଉଲ ଧରି ଘରର ଆସବାବ୍‌ ସବୁ ପୋଛିବା ପାଇଁ ଲାଗିଲା । ତାର ଅଳ୍ପକ୍ଷଣ ପରେ ଆଉ ଗୋଟିଏ ଯାନ୍ତ୍ରିକ ହାତ ପ୍ଳାଷ୍ଟିକ୍‌ରେ ତିଆରି ଗୁଡ଼ିଏ ରଙ୍ଗୀନ ଫୁଲର ସ୍ତବକ ଆଣି ଗୋଟିଏ ଫୁଲଦାନୀରେ ସଜାଇ ତା ଉପରେ ଅତର ଛିଞ୍ଚି ଦେଇଗଲା ।

 

ଅସ୍ତ୍ର ବା ଯନ୍ତ୍ର ନିର୍ମାଣକାରୀ ମନୁଷ୍ୟ ବା ବୈଜ୍ଞାନିକ ପରିଭାଷାରେ ‘‘ହୋମୋ ଫାବର’’ (Homo Fabre) ର ବିବର୍ତ୍ତନ ପଥରେ, ଆଜି ଯନ୍ତ୍ରନିର୍ମାଣକାରୀ ମଣିଷ, ଆଉ ଗୋଟିଏ ଯନ୍ତ୍ରର ମଣିଷ ନିର୍ମାଣ କରିପାରିଛି ସତ୍ୟ; ମାତ୍ର ହୋମୋସାପିୟେନ୍‌ ବା ଦାର୍ଶନିକ ଓ ଚିନ୍ତକ ମନୁଷ୍ୟର ଅଭ୍ୟୁଦୟ ପାଇଁ ତଥାପି ବିଳମ୍ୱ ଅଛି ! ଆଜି ତେଣୁ ନିର୍ଗନ୍ଧ ପ୍ଳାଷ୍ଟିକ୍‌ ଫୁଲରେ ଅତର ଛିଞ୍ଚି ତାର ସୌରଭତୃଷା ପ୍ରଶମିତ ହେଉଅଛି ।

 

ଆଜକୁ କିନ୍ତୁ ଦୁଇ ଶତାବ୍ଦୀ ପୂର୍ବେ ସନ୍ଧ୍ୟାସବୁ କୁଆଡ଼େ ମାଳତୀର ଚୋରା ସୌରଭରେ ସ୍ନିଗ୍‌ଧ ହେଉଥିଲା । ରାତ୍ରିସବୁ ସୁରଭିତ ହେଉଥିଲା । ମଲ୍ଲୀର ମାଦକତାରେ, ଆଉ ସକାଳର ସୂର୍ଯ୍ୟକୁ ଅଭିବାଦନ କରୁଥିଲା ପ୍ରଫୁଲ୍ଲ ଶତଦଳ ।

 

ବ୍ରେକ୍‌ଫାଷ୍ଟ ବା ପ୍ରାତଃଭୋଜନ ଆଜି ଦୁଇଟି କ୍ଷୁଦ୍ର ବଟିକା । ସବୁ ଜୀବନୀସାର ସେଥିରେ ଭାଗମାପ ଅନୁସାରେ ଖଞ୍ଜାଯାଇଅଛି । ସୁବ୍ରତ ଟ୍ରେ ଉପରେ ରଖାଯାଇଥିବା ବ୍ରେକ୍‌ଫାଷ୍ଟ ବଟିକା ଦୁଇଟି ଗିଳିଦେଇ ଚା’କପ୍‌ରେ ଚୁମୁକ ଦେବା ଆରମ୍ଭ କଲା । ଏ ଚା’ ମଧ୍ୟ ଆଜିର ଜୀବନ ପରି ସିନ୍ଥେଟିକ୍‌; ଚା’ ପତ୍ର ସବୁ କାରଖାନାରେ ତିଆରି । ସେଥିରେ ଚା’ର ଆଘ୍ରାଣ ଅଛି; ମାତ୍ର ସ୍ୱାଦ ନାଇଁ !

 

ସୁବ୍ରତ ଚା’ କପ୍‌ ଛାଡ଼ି ଲେଖାଟେବୁଲ ପାଖକୁ ଉଠି ଆସିଲା । ସୁତପା ପାଖକୁ ଚିଠିଖଣ୍ଡେ, ତଥାପି ଅଧାଲେଖା ହୋଇ ପଡ଼ିଥିଲା ।

 

ଆକାଶୀ ରଙ୍ଗର ଖଣ୍ଡେ ଚିଠିଲେଖା କାଗଜ ଆସ୍‌-ଟ୍ରେ ଚାପାତଳେ ରହିଥିଲା । ଚିଠି କିପରି ଆରମ୍ଭ କରାଯିବ, ସୁବ୍ରତ ପକ୍ଷରେ ତାହାହିଁ ପ୍ରଥମେ ଏକ ଉତ୍କଟ ସମସ୍ୟା ହୋଇପଡ଼ିଥିଲା-

 

‘‘ପ୍ରିୟତମା ସୁତପା’’.....କିନ୍ତୁ ଏପରି ଉଲଗ୍ନ ଭାବରେ ନିଜର ପ୍ରଣୟାସକ୍ତି ଘୋଷଣା କରିବା ପାଇଁ ସୁବ୍ରତକୁ ଅତ୍ୟନ୍ତ କୁଣ୍ଠିତ ଲାଗୁଥିଲା ।

 

ବିଗତ ଶତାବ୍ଦୀରୁ ମନୁଷ୍ୟ ନିଜର ସବୁ କୋମଳ ଓ ସୁକୁମାର ଆବେଗଗୁଡ଼ିକୁ ଧାରାବାହିକ ଭାବରେ ଦମନ କରି କମ୍ପ୍ୟୁଟର୍‌ସୁଲଭ ଯାନ୍ତ୍ରିକ ଶୀତଳ ବିଚାରକୁ କେବଳ ପ୍ରୋତ୍ସାହିତ କରି ଆସିଥିବାରୁ ଏକବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର ମନୁଷ୍ୟମାନଙ୍କ ପରି, ସୁବ୍ରତ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ୱପ୍ନ, ଆବେଗ ଓ ସୌକୁମାର୍ଯ୍ୟବର୍ଜିତ ହୋଇ ଅନ୍ୟ ଏକ କମ୍ପ୍ୟୁଟର ଯନ୍ତ୍ରରେ ପରିଣତ ହୋଇପଡ଼ିଥିଲା ।

 

ସ୍ୱପ୍ନ ତା’ ପକ୍ଷରେ ଏକ ଅବାନ୍ତର....କ୍ଷୁଧା ତାର କେବଳ ‘ଡାଟା’ ପାଇଁ, ଖାଦ୍ୟ ପାଇଁ ! ଆନ୍ତ୍ରିକ ଓ ଔଦରିକ !

 

ଚିଠି ଆରମ୍ଭରେ ‘‘ପ୍ରିୟତମା ସୁତପା’’ ଉପରେ ଗୋଟିଏ ଛକଚିହ୍ନ ଦେଇ ସୁବ୍ରତ ଅନ୍ୟ କୌଣସି ସମୀଚୀନ ସମ୍ୱୋଧନ ଚିନ୍ତା କରୁ କରୁ, ତାର ହଠାତ୍‌ ମନେ ପଡ଼ିଥିଲା, ସୁତପାର ଠିକଣା ହଜିଯାଇଚି ! ସୁତପାର ଚିଠିରେ ତାର ଚନ୍ଦ୍ରମଣ୍ଡଳର ଠିକଣା ଲେଖାଥିଲା....ମାତ୍ର ସେ ଚିଠି ତଥାପି ଖୋଜି ଖୋଜି ମିଳୁ ନଥିଲା । ପବନରେ ଚିଠିକାଗଜ ଉଡ଼ିଯିବ ବୋଲି, ସୁବ୍ରତ ଚିଠି ଉପରେ ଯେଉଁ ଆସ୍‌-ଟ୍ରେ ଚାପି ରଖି ଯାଇଥିଲା, ତା’ ଭିତରୁ କେତେବେଳେ ଜଳନ୍ତା ସିଗାରେଟ୍‌ର ନିଆଁଗୁଳା ପଡ଼ି ଚିଠିକାଗଜରେ ବୃତ୍ତାକାରରେ ଗୋଟିଏ ଅଂଶ ଜଳିଯାଇଥିଲା ।

 

‘‘ପ୍ରିୟତମା ସୁତପା’’ କ୍ରୁଶବିଦ୍ଧ ପରି ପୋଡ଼ା ଚିଠିକାଗଜ ଉପରେ ଯେପରି ଝୁଲି ରହିଥିଲା ।

 

ବିଂଶ ଶତାବ୍ଦୀର ସାହିତ୍ୟରୁ ନରନାରୀ ମଧ୍ୟରେ ପ୍ରେମ ନାମକ ଏକ ଆବେଗମୟ ସମ୍ପର୍କର ଅସ୍ତିତ୍ୱ ସୁବ୍ରତ ଜାଣିଥିଲା । ମାତ୍ର ଇତିମଧ୍ୟରେ ମହର୍ଷି ଫ୍ରେୟେଡ୍‍ ପ୍ରେମ ଉପରେ ପ୍ରଥମ ଆକ୍ରମଣ ଆରମ୍ଭ କରି ତାହାକୁ କେବଳ ‘‘ଲିବିଡ଼ୋ’’ ବା ଯୌନପ୍ରବୃତ୍ତିର ରୂପାନ୍ତର ବୋଲି ବହୁ ଅଧ୍ୟବସାୟ ସହିତ ପ୍ରମାଣ କରିବା ପରେ, ପ୍ରେମ ହୃଦୟ ନାମକ ଅଂଶଟିରୁ କଟୀ ତଳକୁ ଓହ୍ଲାଇ ଆସିଥିଲା । ହୃଦୟ ଅବଶ୍ୟ ଆଜି ନୁହେଁ, ବିଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ସୁଦ୍ଧା ଏକ ବାଇଓଲଜିକାଲ୍‌ ଇନଷ୍ଟ୍ରୁମେଣ୍ଟ ବା ଜୈବିକ ଯନ୍ତ୍ର ରୂପେ ବୁଝାଇ ଆସୁଅଛି । ମାତ୍ର ତାହା ପୂର୍ବରୁ ହୃଦୟ ଓ ହୃତ୍‌ପିଣ୍ଡ ମଧ୍ୟରେ ଯେଉଁ ପାର୍ଥକ୍ୟଟି ରହିଥିଲା, ତାହା ଇତିମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇ ସାରିଥିଲା ।

 

ଫ୍ରୟେଡ, ଜଂଗ୍‌, ଆଡଲର୍‌ ଓ ପାଭ୍‌ଲଭ ପ୍ରମୁଖ ମହର୍ଷିମାନେ ସିଦ୍ଧାନ୍ତ ଦେଇ ଯାଇଛନ୍ତି, ହୃଦୟ ବା ମନ କେବଳ ଏକ କନ୍‌ଡିସନ୍‌ଡ୍‍ରିଫ୍ଳେକ୍‌ସ ବା ଅଭ୍ୟାସବଦ୍ଧ ପ୍ରତିକ୍ରିୟା ମାତ୍ର ! ମନୁଷ୍ୟର ସବୁ କୋମଳ ପ୍ରବୃତ୍ତି ଓ ସୌକୁମାର୍ଯ୍ୟ ଏକ ଜାନ୍ତବ ବିକୃତି ।

 

ମାର୍କସ୍‌ ନାମରେ ଅନ୍ୟ ଜଣେ ମହର୍ଷି, ମନୁଷ୍ୟକୁ ପରିଣତ କରିଥିଲେ ପୁଣି ଉତ୍ପାଦନ-ଯନ୍ତ୍ରର ଗୋଟିଏ ନଟ୍‌ ବୋଲ୍‌ଟ୍‌ରେ । ତାର କୌଣସି ସ୍ୱାତନ୍ତ୍ର୍ୟ ପାଇଁ ଅଥବା ବୈଶିଷ୍ଟ୍ୟ ନାଇଁ, ଜନତା ବା ‘‘ମାସ୍‌’’ର ସେ ଏକ ଭଗ୍ନାଂଶ ମାତ୍ର ! ବିଗତ ଶତାବ୍ଦୀର ଗଣତାନ୍ତ୍ରିକ ରାଷ୍ଟ୍ରନେତାମାନେ ସେହି ରୁଚି ଓ ସୌକୁମାର୍ଯ୍ୟବର୍ଜିତ, ଉତ୍ପାଦନ ଯନ୍ତ୍ରର ନିଷ୍ପ୍ରାଣ ନଟ୍‌ବୋଲଟ୍‌ ମନୁଷ୍ୟକୁ ରୂପାନ୍ତରିତ କରିଥିଲେ ଭୋଟଦାନର ଏକ ସୁଲଭ ଯନ୍ତ୍ରରେ । ଏବେ ଡିକ୍‌ଟେଟର୍‌ମାନେ ସେ ମନୁଷ୍ୟକୁ ଅବଶ୍ୟ ବ୍ୟବହାର କଲେଣି ନେତାମାନଙ୍କ ନାମରେ ଜୟଧ୍ୱନି ଦେବା ପାଇଁ ଲାଉଡସ୍ପିକର୍‌ ରୂପେ ।

 

ବିଗତ ଶତାବ୍ଦୀରୁ ଲଜ୍ଜା ନାମକ ଏକ ଭୂଷଣ ନାରୀମାନେ ଯେପରି ପରିହାର କରିଥିଲେ, ପୁଣି ପୁରୁଷମାନେ ଆତ୍ମସମ୍ମାନବୋଧ ଓ ପୌରୁଷ ପ୍ରଭୃତି ଗୁଣ ଯେପରି ଭୁଲିସାରିଥିଲେ, ଏହି ଶତାବ୍ଦୀରେ ନରନାରୀମାନେ କାବ୍ୟିକ-ପ୍ରେମ ନାମକ ଆବେଗଟିକୁ ସେହିପରି ସଂପୂର୍ଣ୍ଣ ବର୍ଜନ କରିଅଛନ୍ତି । ଏବେ ଜରାୟୁ ବାହାରେ, ଲାବୋରେଟରୀରେ ସନ୍ତାନ ଉତ୍ପାଦନ ସମ୍ଭବ ହୋଇ ପାରୁଥିବାରୁ, ନାରୀ ପକ୍ଷରେ ମାତୃତ୍ୱର ଆଉ ଯେପରି କୌଣସି ଆବଶ୍ୟକତା ନାଇଁ, ପୁରୁଷ ପକ୍ଷରେ ପିତୃତ୍ୱ ମଧ୍ୟ ସେହିପରି ଏକ ଅବାନ୍ତର ଦାୟିତ୍ୱରେ ପରିଣତ ହେଲାଣି । ତଥାପି ଯେଉଁମାନେ ଆକସ୍ମିକ ଭାବରେ ରାତ୍ରିର ଅନ୍ଧ-ଉତ୍ତେଜନା ମଧ୍ୟରେ ପ୍ରତ୍ୟହ କୋଟି କୋଟି ସଂଖ୍ୟାରେ ରାସ୍ତାଧାରରେ, ଡଷ୍ଟବିନ୍‌ ଉହାଡ଼ରେ, ନର୍ଦମାକଡ଼ରେ କୀଟ, କୃମି ପରି ଜନ୍ମ ନେଉଛନ୍ତି, ସେମାନେ ସବୁ ଗୋଟିଏ ଗୋଟିଏ ଆକସ୍ମିକ ଦୁର୍ଘଟଣା ମାତ୍ର ! ସେମାନଙ୍କ ସୃଷ୍ଟି ଡିକ୍‌ଟେଟର୍‌ମାନଙ୍କ ଦେଶ ପ୍ରେମୀ କମାଣର ଖୋରାକ ହେବା ପାଇଁ; ଅଥବା ରେସ୍ତୁରାଁମାନଙ୍କରେ ସୁଲଭ ଖାଦ୍ୟ ରୂପେ ପରିବେଷିତ ହେବା ଉଦ୍ଦେଶ୍ୟରେ । ଏ ଶତାବ୍ଦୀରେ ମନୁଷ୍ୟ ମାଂସ ମନୁଷ୍ୟର ଖାଦ୍ୟ ରୂପେ ବ୍ୟବହୃତ ହେଉଥିବାରୁ; ଜନବୃଦ୍ଧି ଖାଦ୍ୟସମସ୍ୟା ସମାଧାନରେ ମଧ୍ୟ ବହୁ ସହାୟକ ହୋଇଅଛି । ଚିକ୍‌ନ୍‌ ଏପରିକି ମଟ୍‌ନ୍‌ଠାରୁ ମଣିଷର ମାଂସ ଆଜି ଶସ୍ତା ଓ ସୁଲଭ !

 

ଏ ଶତାବ୍ଦୀରେ ତେଣୁ ନରନାରୀଙ୍କ ମଧ୍ୟରେ କାବ୍ୟପ୍ରସିଦ୍ଧ ପ୍ରେମ, ସ୍ୱପ୍ନସିଞ୍ଚିତ ପ୍ରେମ, ପ୍ରୋଟିନ ଉତ୍ପାଦନ ବୃଦ୍ଧି ପାଇଁ କେବଳ ଏକ ‘ଇନ୍‌ସେନ୍‌ଟିଭ୍‌’ ବା ପ୍ରୋତ୍ସାହନରେ ପରିଣତ ହୋଇଅଛି ।

 

ମାତ୍ର ସୁତପା ସୁବ୍ରତର ସମ୍ପର୍କ, ଏ ନିୟମରୁ ସମ୍ଭବତଃ ବହିର୍ଭୂତ ଥିଲା । ସୁତପାର ସ୍ପୁତିରେ ସୁବ୍ରତ ଛାତିତଳେ ବେଶ୍‌ ଏକ ସ୍ପର୍ଶାତୁର ବେଦନା ଅନୁଭବ କରିପାରୁଥିଲା । ଅପରେସନ୍‌ର ଶାଣିତ ଛୁରୀ ପରି ତାହା ସୁବ୍ରତର ହୃତ୍‌ପିଣ୍ଡର ପ୍ରତ୍ୟେକ ସ୍ନାୟୁକୁ ଯେକରି ତିଳେ ତିଳେ କତୁରାଇ ଯାଉଥିଲା ।

 

ସୁବ୍ରତର ମନେପଡ଼ିଲା, ଏ ହୃଦୟ ଯନ୍ତ୍ରଟିକୁ ମଧ୍ୟ ବଦଳାଇବା ପାଇଁ ପଡ଼ିବ । ତାହାର ସଙ୍କୋଚନ ପ୍ରସାରଣ କ୍ରମେ ଧୀରେ ଧୀରେ ମନ୍ଥରିତ ହୋଇଆସୁଚି । ପ୍ଳାଷ୍ଟିକ୍‌ ହୃଦୟ ଯନ୍ତ୍ରଟି ମଧ୍ୟ ଆଜି ବିଗତ ଶତାବ୍ଦୀର ଡେଞ୍ଚର୍‌ ବା ଦାନ୍ତ ପରି ସୁଲଭ । ମନୁଷ୍ୟ ତାରି ସାହାଯ୍ୟରେ ମାରାତ୍ମକ କରୋନାରୀ ଥ୍ରଂବୋସିସ୍‌ ଜୟ କରିପାରିଚି !

 

ଆଃ....ଏ ହୃଦୟ ଯନ୍ତ୍ରଟାକୁ ଯଥାଶୀଘ୍ର ନ ବଦଳାଇଲେ ଆଉ ସ୍ୱସ୍ତି ନାଇଁ । ଆକାଶ ପରି ଏ ହୃଦୟଟା ଖାଲି ଖାଲି । ବଡ଼ ବେଦନାଦାୟକ ।

 

ସକାଳ ଆଠଟା......

 

ଗୋଟିଏ ନଭଶ୍ଚୁମ୍ୱୀ ସ୍କାଇ-ସ୍କ୍ରାପର୍‌ର ଏକବିଂଶ ମହଲାର ଗୋଟିଏ ଫ୍ଲାଟ୍‌ରେ ପାଞ୍ଚବର୍ଗଫୁଟ ବିଶିଷ୍ଟ ସୁବ୍ରତର ଶୋଇବାଘର । ସେଇ ନିରୁଦ୍ଧ ସଂକୀର୍ଣ୍ଣତା ଭିତରେ ସୁବ୍ରତର ନିଶ୍ୱାସ ରୁନ୍ଧି ହୋଇ ଆସୁଥିଲା । ଅଣନିଶ୍ୱାସୀ ହୋଇ ସେ ବାହାରର ସଂକୀର୍ଣ୍ଣ ବାରଣ୍ଡାକୁ ଛୁଟି ଆସିଲା ।

 

ଦୁଇଫୁଟ ଚଉଡ଼ା ସାତଫୁଟ ଲମ୍ୱର ଖଣ୍ଡେ ସାନ ବାରଣ୍ଡା । ତାହାର ଗୋଟିଏ କୋଣରେ ସୁବ୍ରତର ଉଡ଼ନ୍ତା ମୋଟର ବା ହୋଭର୍‌-କ୍ରାଫ୍‌ଟ୍‌ଟା ଅକାମୀ ହୋଇ ପଡ଼ିଥିଲା, ଗୋଟିଏ ଆହତ ଇଗଲପକ୍ଷୀ ପରି । ଗୋଟାଏ ଡେଣା ତା’ର ଜଖମ୍‌ ହୋଇଥିଲା । ବାରଣ୍ଡାର ରେଲିଙ୍ଗ୍‌ ଉପରେ ଝୁଙ୍କି ସୁବ୍ରତ ତଳରାସ୍ତାର ଜନସ୍ରୋତ ଆଡ଼େ ଶୂନ୍ୟଦୃଷ୍ଟିରେ ଚାହିଁଲା ।

ଏକ ପ୍ରାଗୈତିହାସିକ ବନ୍ୟାସ୍ରୋତରେ ଆବର୍ଜନା ପରି ତଳରାସ୍ତାରେ ବହି ଚାଲିଚି ଟ୍ରାଫିକ୍‌ର ନିରବଚ୍ଛିନ୍ନ ସ୍ରୋତ । ଫୁଟ୍‌ପାଥ୍‌ରେ ମଧ୍ୟ ମଣିଷ ସବୁ ଚାଲିଛନ୍ତି ପିମ୍ପୁଡ଼ିଧାର ପରି । ମଣିଷ ମୁଣ୍ଡ ଓ ଟ୍ରାଫିକ୍‌ରେ ତଳର ପିଚୁରାସ୍ତା ଆଖିରେ ପଡ଼ୁ ନାଇଁ । ହୋଭରକ୍ରାଫ୍‌ଟ୍‌ ସବୁ ଧୂଆଁଳିଆ କୁହୁଡ଼ିଢଙ୍କା ଆକାଶରେ ଏଣେ ତେଣେ ଉଡ଼ିଯାଉଛନ୍ତି, ବାଦୁଡ଼ି ପରି ।

 

ରାସ୍ତାକଡ଼ର ଇଲେକ୍‌ଟ୍ରିକ୍‌ ତାରରେ ସେଇ ଆଟାଚୀ ଭିତରୁ ସୁବ୍ରତର ପ୍ୟାଣ୍ଟ୍‌ କୋଟ ସବୁ ଉପର ତଳ ହୋଇ ଝୁଲୁଚି, ଫାଶୀଖୁଣ୍ଟରେ ଆସାମୀର ବିବର୍ଣ୍ଣ ମୁର୍‌ଦାର ପରି ! କେବଳ ରଙ୍ଗୀନ ଛିଟ କାମିଜ ଆଉ ଗୋଟାଏ ଲାଲ ରଙ୍ଗର ‘ଟାଇ’ ପବନରେ ଉଡ଼ୁଚି ବେପରୁଆ ହୃଦୟ ପରି !

 

ତାହାକୁ ସଂଗ୍ରହ କରିବା ପାଇଁ ତଳେ ଫୁଟ୍‌ପାଥ ଉପରେ ସହସ୍ରାଧିକ ପଥଚାରୀ ଜନତା ପରସ୍ପର ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ କରି ଦେଇଥିଲେ । ସେମାନଙ୍କ ହଂସ୍ର କୋଳାହଳ ଓ ଗର୍ଜନରେ ଟ୍ରାଫିକ୍‌ର କିଳିକିଳା ରଡ଼ି ସୁଦ୍ଧା ନୀରବ ହୋଇ ପଡ଼ିଥିଲା ।

 

ତଳର ଫୁଟ୍‌ପାଥ୍‌ ଏକ ଆଦିମ ମହାରଣ୍ୟ । ସାମ୍ପ୍ରତିକ ପରିସଂଖ୍ୟା ଅନୁସାରେ ସେଠାରେ ପ୍ରତି ପାଞ୍ଚ ମିନିଟରେ ଶହେ ଗୋଟି ରାହାଜାନି, ଦୁଇଶହ ଖୁଣ ଓ ଏକହଜାର ଯୌନ ଅପରାଧ ଘଟୁଅଛି ।

 

ଡିକ୍‌ଟେଟର୍‌ ଜବରଦସ୍ତ ସିଂହଙ୍କ ଶାନ୍ତିରକ୍ଷାକାରୀ ପୋଲିସ ବାହିନୀ ପ୍ରତି ଏକଘଣ୍ଟା ଅନ୍ତରରେ ହେଲିକାପ୍‌ଟରରେ ଉଡ଼ି ତଳର ଜନତା ଉପରେ ମେସିନ୍‌ଗନ ଚଳାଇ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିଥାନ୍ତି; ଅର୍ଥାତ୍‌ ପଛରେ ପକାଇ ଯାଇଥାନ୍ତି ଶହ ଶହ ମୁର୍‌ଦାର । ଏ ମହାରଣ୍ୟରେ ଆଦିମ କାଳର ‘‘ଜୋର ଯାର ମୁଲକ ତାର’’ ସମାଜନୀତି ପୁଣି ଥରେ ପ୍ରବର୍ତ୍ତିତ ହୋଇଅଛି । ଅତି ସାମାନ୍ୟ ସାମାନ୍ୟ ଘଟଣା ଦୁର୍ଘଟଣାରେ ସେଥିପାଇଁ ଗୋଟିଏ ଗୋଟିଏ ଭୟଙ୍କର ଖଣ୍ଡଯୁଦ୍ଧ ଲାଗି ଯାଉଅଛି !

 

ଏବେ ସେହିପରି ଏକ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ଅଳ୍ପକ୍ଷଣ ପରେ ଦୁଇଟା ହେଲିକପ୍‌ଟର ହିଂସ୍ର ଗର୍ଜନ କରି ଫୁଟ୍‌ପାଥ ଉପରକୁ ଓହ୍ଲାଇ ଆସିଲା । ହେଲିକପ୍‌ଟରରୁ ମେସିନ୍‌ଗନ ଷ୍ଟ୍ରାଫିଙ୍ଗରେ ଗୁଡ଼ାଏ ଲୋକ ଜନ୍ଦା ପିମ୍ପୁଡ଼ି ଦଳିହେବା ପରି ତଳେ ଲୋଟି ପଡ଼ିଲେ । ତା’ପରେ ସୁପରିସିଟୀର ଅନ୍ୟ କୌଣସି ଅଞ୍ଚଳରେ ଶାନ୍ତିରକ୍ଷା ପାଇଁ ହେଲିକପ୍‌ଟର ଦୁଇଟା ଉଡ଼ି ଚାଲିଗଲେ । ଫୁଟ୍‌ପାଥ ଉପରେ ପୁଣି ଶାନ୍ତି ଫେରିଆସିଲା । ଶ୍ମଶାନର ଶାନ୍ତି !

 

ଲାଲରଙ୍ଗର ଟାଇଟା ଇଲେକ୍‌ଟ୍ରିକ ତାରରେ ପବନରେ ତଥାପି ଉଡ଼ୁଥିଲା, ଗୋଟାଏ ମଲା ଗୁଡ଼ିର କଙ୍କାଳ ପରି !

 

ସୁବ୍ରତ ତଥାପି ଭାବୁଥିଲା, ସୁତପାର ଠିକଣା ଆଉ ତାର ଚିଠି କଥା । ଚନ୍ଦ୍ରମଣ୍ଡଳରୁ ସୁତପା ଚିଠିରେ ଲେଖିଥିଲା.....ଲ୍ୟୁନା ସହରର ସେହି ହୋଟେଲ ଲଂଜ୍‌ରୁ ଟେଲିସ୍‌କୋପରେ ପୃଥିବୀକୁ ଚାହିଁ ଦେଖିଲେ, ଏହାର ଅତ୍ୟାଚାରିତ ଭୂପୃଷ୍ଠ କୁଆଡ଼େ ଆଦୌ ଦେଖାଯାଏ ନାଇଁ । ଦେଖାଯାଏ କେବଳ ମାଇକ୍ରାସ୍‌କୋପ-ଲେନ୍‌ସରେ ଯକ୍ଷ୍ମା ରୋଗୀର ଖଙ୍କାରରେ ପହଁରିବା ପରି ଅସୁମାରି ଜୀବାଣୁ । ମତ୍ସ୍ୟନ୍ୟାୟରେ ସବଳ ଦୁର୍ବଳକୁ ଗ୍ରାସ କରିବାରେ ଲାଗିଛି । ସେ ସବୁ କିନ୍ତୁ ପୃଥିବୀର ଅଗଣିତ କୋଟି ମଣିଷ, ସ୍ୱପ୍ନହୀନ, ଆଦର୍ଶହୀନ, ହୃଦୟହୀନ ଗୁଡ଼ିଏ ଯନ୍ତ୍ର-ପୁତ୍ତଳି, ‘ଅଟୋମାଟନ୍‌ ।’

 

ସୁବ୍ରତ ଆଉ ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇଲା ।

 

ସୁତପା ଚିଠିରେ ପଚାରିଲା.....‘‘କହି ପାରିବ, ତୁମର ପୃଥିବୀରେ ଏତେ ଇତସ୍ତତଃତା, ଏତେ ଚଞ୍ଚଳତା କାହିଁକି ? କୁଆଡ଼େ ଚାଲିଛନ୍ତି ଏହି ହିଂସ୍ର ଆତ୍ମଘାତୀ ଜୀବାଣୁର ଦଳ ?’’

 

ସୁବ୍ରତ ଉତ୍ତର ଚିନ୍ତା କରୁଥିଲା....ସେମାନେ ସନ୍ଧାନ କରି ବୁଲୁଛନ୍ତି ସେହି ଭଗବାନକୁ, ଯାହାକୁ ପାଞ୍ଚଲକ୍ଷ ବର୍ଷ ପୂର୍ବେ କିମ୍ୱା ତା ପୂର୍ବରୁ ନିଜ ହାତରେ ସୃଷ୍ଟି କରି, ପୁଣି ତାହାକୁ ସେମାନେ ହତ୍ୟା କରିଥିଲେ !

 

ମାତ୍ର ସୁତପାକୁ ସେ ଚିଠି ଲେଖାହେବାର ଆଉ ସମ୍ଭାବନା ନାଇଁ....ସୁତପାର ଚିଠି ହଜିଯାଇଚି....ଚନ୍ଦ୍ରମଣ୍ଡଳରେ ସୁତପା ନିରୁଦ୍ଦିଷ୍ଟ ।

 

ସାମନା ସ୍କାଇସ୍କ୍ରାପର ଛାତ ଉପରେ ସ୍ପେସ୍‌-ଟ୍ରାଭ୍‌ଲିଂ ଏଜେନ୍‌ସିର ବିଜ୍ଞାପନ ହୋଡଙ୍ଗ୍‌.....ସେଥିରେ ଚନ୍ଦ୍ରମଣ୍ଡଳକୁ ଯିବା ପାଇଁ ସାଳଙ୍କାର ଆମନ୍ତ୍ରଣ....ଏଇ ସପ୍ତାହ ଶେଷରେ ଦୁଇଟା ରକେଟ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ଼ ଟାଇମ୍‌ ୧୬ ଘଣ୍ଟା ୨୭ ମିନିଟ ୧୨ ସେକେଣ୍ଡରେ ଛାଡ଼ିବ....ଚନ୍ଦ୍ରମଣ୍ଡଳର ରକେଟ୍‌ ଘାଟୀ ମୋଟେ ୨୧ ଘଣ୍ଟାର ବାଟ....ଯାତ୍ରୀବାହୀ ରକେଟ୍‌ ସବୁ ଭୂପୃଷ୍ଠରୁ ଫାୟାର ହେବା ମାତ୍ରେ ମାଧ୍ୟାକର୍ଷଣଘୂର୍ଣ୍ଣି ଡେଇଁ ମହାଶୂନ୍ୟକୁ ଉଠିଯିବେ ! କିନ୍ତୁ ସେଠାରୁ ଝଞ୍ଜା ମହାସାଗର ଉପକୂଳରେ ଲ୍ୟୁନା ସହର କେତେ ବାଟ ? ସେ ସହରର କେଉଁ ଗଳି, କେଉଁ ରାସ୍ତା, କେଉଁ ମୋଡ଼ରେ ପୁଣି ସୁତପାର ହୋଟେଲ ? ....ସବୁ ଠିକଣା ନିରୁଦ୍ଦିଷ୍ଟ !

 

ଆକାଶରେ, ସୁପରସିଟୀର ଦିଗ୍‌ବଳୟ ରେଖାର ଅଳ୍ପ ଊର୍ଦ୍ଧ୍ୱରେ ଖଣ୍ଡେ ପାଉଁଶିଆ ମେଘର ପୃଷ୍ଠଭୂମିରେ, କାଲି ରାତିର ବିକଳାଙ୍ଗ ମଲା ଜହ୍ନଟା ଝୁଲୁଥିଲା ବିମର୍ଷ ବେଲୁନ ପରି ।

 

ପୃଥିବୀରୁ ମୋଟେ ୨୧ ଘଣ୍ଟାର ରାସ୍ତା...ତଥାପି ଚନ୍ଦ୍ରମଣ୍ଡଳରେ ସୁତପାର ହୋଟେଲ ପାଇବାର ସୀମା ବାହାରେ, ବହୁ ଦୂରରେ ! ସେ ଠିକଣା ହଜିଯାଇଚି ।

 

ବିଗତ ଶତାବ୍ଦୀର କାବ୍ୟ କବିତାମାନଙ୍କରେ ବର୍ଣ୍ଣିତ, ଗୋଟାଏ ଅବର୍ଣ୍ଣନୀୟ ଭାବାବେଗ, ଗୋଟାଏ ଅତୃପ୍ତି, ଗୋଟାଏ ଅନ୍ତର୍ଦାହ ସୁବ୍ରତର ଅନ୍ତଃସ୍ଥଳକୁ ମଥିତ କରି ଦେଉଥିଲା ।

 

ସୁତପା....ତାର ସ୍ମୃତି, ମଲାହୃଦୟର ଶେତା ଆକାଶରେ ଝୁଲି ରହିଥିଲା, କାଲି ରାତିର ପୋଡ଼ାଜହ୍ନ ପରି !

 

ସୁବ୍ରତର ମନେପଡ଼ୁଥିଲା.....

 

ସେଦିନ ଗୋଟିଏ ମମତା-ନିବିଡ଼ ସଂଧ୍ୟା ।

 

ସୁତପା ହଠାତ୍‌ ଆକାରଣରେ ସୁବ୍ରତର ହାତଟା ନିଜ ହାତ ପାପୁଲି ମଧ୍ୟରେ ଚାପି ଧରି କହିଥିଲା.....‘‘ଏଥର ଆମେ ବିବାହ କରିବା ସୁବ୍ରତ, ତା’ପରେ ଚାଲିଯିବା ଚନ୍ଦ୍ରମଣ୍ଡଳକୁ, ଏ ପୃଥିବୀ ଆମପାଇଁ ନୁହେଁ !’’

 

ବିବାହ ଶବ୍ଦଟାର ଅର୍ଥ ସୁବ୍ରତ ପ୍ରଥମେ ହଠାତ୍‌ ବୁଝିପାରି ନଥିଲା । ଅତୀତରେ ଏହିପରି ଏକ ସାମାଜିକ ବିଧାନ ପ୍ରଚଳିତ ଥିଲେ ହେଁ, ବିଗତ ଶତାବ୍ଦୀରୁ ସମାଜରେ ବିବାହ-ବନ୍ଧନ ଲୋପ କରିବା ପାଇଁ ଏକ ଧାରାବାହିକ ଆକ୍ରମଣ ଆରମ୍ଭ ହୋଇଥିଲା । ପୁରୁଷ ଓ ନାରୀ, ପ୍ରତ୍ୟେକେ ପ୍ରତ୍ୟେକଠାରେ କୌଣସି ଏକ ରହସ୍ୟର ସନ୍ଧାନରେ ବିବାହ ବନ୍ଧନରେ ଆବଦ୍ଧ ହେଉଥିଲେ ! ମାତ୍ର ସହବାସିନୀ ହେବାପାଇଁ ନାରୀ ସେଦିନ ପୁରୁଷର ଯେତେ ଆକାଂକ୍ଷିତା ନ ଥିଲା; ସେତେ ବେଶୀ ତାର ଆବଶ୍ୟକ ଥିଲା ଜନନୀ ହେବାପାଇଁ । ସ୍ତ୍ରୀଠାରୁ ସେ ଆଶା କରୁଥିଲା ଜନନୀର ଅନାପେକ୍ଷିକ ପ୍ରେମ । ସେହିପରି ନାରୀ ପକ୍ଷରେ ପୁରୁଷର ଆବଶ୍ୟକତା ସ୍ୱାମୀତ୍ୱ ପାଇଁ ଯେତେ ନଥିଲା, ସେତେ ଥିଲା ଗୃହପୋଷ୍ୟ ଏକ ଅନୁଗତ ସହଚର ପାଇଁ ! ଏହି ଉଦ୍ଦେଶ୍ୟ ସଙ୍କଟ ମଧ୍ୟରେ ବିବାହ ଅପେକ୍ଷା, ବିବାହ-ବିଚ୍ଛେଦ କ୍ରମେ ଏକ ସାମାଜିକ ବିଧାନରେ ପରିଣତ ହୋଇପଡ଼ିଥିଲା ।

 

ସେଥିପାଇଁ ସୁତପାର ଏ ବିଚିତ୍ର ପ୍ରସ୍ତାବ ଶୁଣି, ସୁବ୍ରତ ପଚାରିଲା....‘‘ଆମେ ବିବାହ କଲେ, ସମାଜ ଆମକୁ ଏ ଦୁଃସାହସିକ ଅନାଚାର ପାଇଁ କ୍ଷମା ଦେବ ତ ? ଆମର ମୁକ୍ତ ସମାଜ ଆଜି ବିବାହ-ବନ୍ଧନକୁ ବରଦାସ୍ତ କରିବ କିପରି ?’’

ସୁତପା ଅକାରଣରେ ଆଙ୍ଗୁଠିରେ ନଖ ସବୁ ଚୋବାଇ ଚୋବାଇ ସେ ଜଟିଳ ପ୍ରଶ୍ନର ଉତ୍ତର ଚିନ୍ତା କରୁଥିଲା ।

ସେତେବେଳେ ଯାଇଁ ସୁବ୍ରତ ଲକ୍ଷ କରି ଦେଖିଲା, ସାମ୍ପ୍ରତିକ ପରିଚ୍ଛଦାରୁଚି ଅନୁସାରେ, ସୁତପା ଅଣ୍ଟାତଳେ ଖଣ୍ଡେ ନାଇଲନ ଜଙ୍ଘିଆ ଗୁଡ଼ାଇ ଅନ୍ୟ ନାରୀମାନଙ୍କ ପରି ଅନାବୃତା ନଥିଲା । ତାର ମେଦୁଳ ସ୍ତନ ଦୁଇଟି ରବର ତିଆରି ସ୍ତନକୋଷ ମଧ୍ୟରେ ସୁତୀକ୍ଷ୍‌ଣ ଦିଶୁ ନଥିଲା । ଉଲ୍ଲଙ୍ଗତା ମଧ୍ୟରେ ସେ ଏକ ଯୌନଯନ୍ତ୍ର ପରି ଦିଶୁ ନଥିଲା ।

ଅତୀତ ଶତାବ୍ଦୀରେ ନାରୀମାନେ ଯେପରି ଶାଢ଼ି ଓ କାଞ୍ଚଲା ପ୍ରଭୃତି ପରିଧେୟ ପିନ୍ଧୁଥିଲେ ଓ ଯେଉଁ ପ୍ରସାଧନରୁଚି ପାଇଁ ଭାରତୀୟା ନାରୀ ଏକଦା ପ୍ରସିଦ୍ଧ ଥିଲା, ସୁତପା ସେହିପରି ଶାଢ଼ି ଓ କାଞ୍ଚଲା ପ୍ରଭୃତି ଏବେ ପିନ୍ଧିଥିଲା । ସେପରି ପରିଚ୍ଛଦ-ପରିପାଟୀ ସମ୍ପର୍କରେ ଏବେ ବିଶ୍ୱବିଦ୍ୟାଳୟ ଓ ପ୍ରସାଧନ-ବ୍ୟବସାୟ-ପ୍ରତିଷ୍ଠାନମାନଙ୍କରେ ଗବେଷଣା ଚାଲିଥିଲେ ହେଁ ସାଧାରଣ ଚଳଣିରେ ତାହା ଆଉ ପ୍ରଚଳିତ ନଥିଲା । ମାତ୍ର ସେହି ପ୍ରସାଧନ ପରିପାଟୀ ସୁତପାକୁ ଏପରି ଲୋଭନୀୟା ଓ ମନୋହାରିଣୀ କରିଦେଇଥିଲା ଯେ, ସେଦିନ ସୁତପାକୁ ଦେଖିବାପାଇଁ ଏକ କୌତୁହଳୀ ଜନତା ଭିଡ଼ ବାନ୍ଧିବାରୁ ଟ୍ରାଫିକ୍‌ ସବୁ ବନ୍ଦ ହୋଇଯିବା ଉପରେ ହୋଇଥିଲା । ଟେଲିଭିଜନ୍‌ ଓ ସମ୍ୱାଦପତ୍ରର କାମେରାମାନ୍‌ମାନେ ସୁତପାର ଫଟୋଉଠାଇବା ପାଇଁ ସେହି ଭିଡ଼ ଭିତରେ ପ୍ରାଣାନ୍ତକ ସଂଗ୍ରାମ ଆରମ୍ଭ କରି ଦେଇଥିଲେ ।

ସୁବ୍ରତ ଅବସ୍ଥାର ଗତି ଲକ୍ଷ୍ୟ କରି ସୁତପାକୁ ହଠାତ୍‌ ହୋଭରକ୍ରାଫ୍‌ଟ୍‌ ଭିତରକୁ ଟାଣିନେଇ, ଭିଡ଼ ଭିତରୁ ନିଜ ଫ୍ଳାଟ୍‌ ଭିତରକୁ ଉଡ଼ିଗଲା । ତା ନହେଲେ ସେ ଭିଡ଼ ଓ ଠେଲାପେଲା ଭିତରେ ସୁତପା ସେଦିନ ଅକ୍ଷତ ଦେହରେ ଫେରିବାର ସମ୍ଭାବନା ନଥିଲା ।

 

ନାରୀ, ଅନାବୃତା ଓ ଅକୁଣ୍ଠିତା ହୋଇ, ଏକ ନିଷ୍ପ୍ରାଣ ଯୌନ ଯନ୍ତ୍ରରେ ପରିଣତ ହେବା ପୂର୍ବରୁ ଅବଗୁଣ୍ଠନ, ଲଜ୍ଜା ଓ ସୌକୁମାର୍ଯ୍ୟ ମଧ୍ୟରେ ଜ୍ୱାଳାମୟୀ ସ୍ୱପ୍ନ-ନାୟିକା ପରି ଏକଦା ଶତଶତ ପୁରୁଷକୁ ପତଙ୍ଗ ପରି ଲମ୍ଫ ଦେବାପାଇଁ ଆମନ୍ତ୍ରଣ କରୁଥିଲା; ଏ ଯେପରି ଅନାଦି କାଳର ସେହି ରହସ୍ୟମୟୀ.....ଅର୍ଧେକ ମାନବୀ, ଅର୍ଧେକ କଳ୍ପନା !

 

ସୁବ୍ରତ କିନ୍ତୁ ବହୁଦିନୁ ସମସ୍ତ ଯୌନକ୍ଷୁଧା ହରାଇ ହଠାତ୍‌ ଏକ ନପୁଂସକ ହୋଇପଡ଼ିଥିଲା । ତାର ପୌରୁଷକୁ ଉଜ୍ଜୀବୀତ କରିବାପାଇଁ ନାରୀଠାରେ ଆଉ କୌଣସି ଉପାଦାନ ନଥିଲା । ମାତ୍ର ସୁତପା ସେଦିନ କିପରି ଯେ ତାର ଲୁପ୍ତ ଯୌନ କ୍ଷୁଧାକୁ ପୁନରୁଜ୍ଜୀବିତ କରିଥିଲା, ସୁବ୍ରତ ତାହା ବୁଝିପାରି ନଥିଲା । ପୁଣି ସୁବ୍ରତ ଯେ ଏପରି ହିଂସ୍ର ହୋଇପାରେ, ସେପରି ଅନୁଭୂତି ସୁତପାର ମଧ୍ୟ ଇତିପୂର୍ବରୁ କେବେ ନ ଥିଲାତ—ଥାପି ଏ ସବୁ ସତ୍ତ୍ୱେ ସୁତପାକୁ ବିବାହ କରିବା ପାଇଁ ସୁବ୍ରତ ନିଜ ଭିତରେ କୌଣସି ଶକ୍ତି ବା ସାହସ ଖୋଜି ପାଉ ନଥିଲା ।

 

ତାପରେ ସୁତପା ଚାଲିଯାଇଥିଲା ଚନ୍ଦ୍ରମଣ୍ଡଳକୁ, ବାପା ତାର ସେଠି ଏକ ସୁନାଖଣିରେ ଠିକାଦାର !

 

ସୁବ୍ରତ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇଲା ।

 

ସାମ୍ନାରେ ଆଉ ଗୋଟାଏ ଶୂନ୍ୟଗର୍ଭ ଦିନ ଖୋଲାହୋଇ ପଡ଼ିଥିଲା ଖଣ୍ଡେ ସାଦା କାଗଜ ପରି । ସ୍ୱପ୍ନ ନାଇଁ, ସମ୍ଭାବନା ନାଇଁ, କର୍ମପ୍ରେରଣା ମଧ୍ୟ ନାଇଁ, ଡିଉଟି ଆରମ୍ଭ ହେବ ରାତି ସିଫ୍‌ଟ୍‌ରେ.....ସେ ମଧ୍ୟ ଘଣ୍ଟାକର କାର୍ଯ୍ୟ । ‘ଇନ୍‌ପୁଟ’, ‘ଆଉଟପୁଟ’, ‘ମାଟ୍ରିକ୍‌ସ୍‌’, ‘ଫିଡ୍‌ବାକ୍‌’ ପ୍ରଭୃତି କେତେଟା ‘ଡାଟା’ ଠିକଣା କରି ସେ ସବୁ କମ୍ପ୍ୟୁଟର ଯନ୍ତ୍ର ଭିତରକୁ ମୁହାଁଇଦେଲେ କାର୍ଯ୍ୟ ଖତମ୍‌ ।

 

ସୁବ୍ରତ ଗୋଟିଏ ସାହିତ୍ୟ-କାରଖାନାର ମେଣ୍ଟେନାନ୍‌ସ ଇଞ୍ଜିନିୟର ! ସେ କାରଖାନାରେ କମ୍ପ୍ୟୁଟର ଯନ୍ତ୍ରମାନଙ୍କରେ କବିତା, ଗପ, ଉପନ୍ୟାସ ଓ ରମ୍ୟରଚନା ସବୁ ଉତ୍ପାଦିତ ହୁଏ ।

 

ଲେଖା-ଟେବୁଲ ଉପରେ ସୁତପାକୁ ଲେଖା ଚିଠିଖଣ୍ଡ ଆରମ୍ଭ ନ ହେଉଣୁ ଅସମାପ୍ତ ହୋଇ ପଡ଼ିଥିଲା । ସକାଳ ପବନରେ ନେଳି କାଗଜଖଣ୍ଡ ଅଶାନ୍ତ ହୃଦୟ ପରି ଚଞ୍ଚଳ ହୋଇଉଠୁଥିଲା । ମାତ୍ର ତା’ ଉପରେ ସିଗାରେଟ୍‌ ଆସ୍‌-ଟ୍ରେର ଚାପା ।

 

ସୁବ୍ରତ ପଞ୍ଜୁରୀ ପରି ଲାଗୁଥିବା ତାର ଫ୍ଲାଟ କୋଠରୀ ଭିତରୁ ବାହାରି ଲିଫ୍‌ଟରେ ତଳକୁ ଓହ୍ଲାଇ ଆସିଲା ।

 

ରେସ୍ତୁରାଁର ନାମ....ଗୁଫା ।

 

ପ୍ରାଗୈତିହାସିକ, ପୁରାତନ ପ୍ରସ୍ତର-ଯୁଗର ହୋମୋ-ଫାବ୍‌ର୍‌ର ଆବାସସ୍ଥଳୀ, ଗୁମ୍ଫାର ରୂପାନ୍ତର ! ସେହିପରି ବନ୍ୟ, ଆଦିମ ଶୈଳୀରେ ତାହାର ମଧ୍ୟ ବିନ୍ୟାସ ହୋଇଅଛି । ଗରାଖମାନଙ୍କ ଯିବା ଆସିବା, ଭିଡ଼ ଓ କୋଳାହଳରେ ରେସ୍ତୁରାଁଟି କ୍ରୁଦ୍ଧ ମହୁଫେଣାର ଭ୍ରମ ସୃଷ୍ଟି କରିଥାଏ ।

 

ସିଗାରେଟ୍‌ ଧୂଆଁ କୁହୁଡ଼ିପରି ରେସ୍ତୁରାଁ ଭିତରେ ମାଡ଼ି ଯାଇଅଛି । ପଙ୍ଖା ପବନରେ ଧୂଆଁର କୁହୁଡ଼ି, ଗୋଟିଏ ପ୍ରାଗୈତିହାସିକ ସରୀସୃପ କେତେବେଳେ ଉପରକୁ ଉଠିବା ପୁଣି ତଳକୁ ଖସିବା ପରି ଦିଶୁଛି ! ରୋବୋଟ୍‌-ଚାଳିତ ଗୋଟାଏ ଜ୍ୟୁକ୍‌ବକ୍‌ସରେ ଯନ୍ତ୍ରସଙ୍ଗୀତ ଅର୍କେଷ୍ଟ୍ରା ବାଜୁଚି....ମାତ୍ର ସେଥିରେ ସ୍ୱରସଙ୍ଗତି ନାଇଁ, ଅଛି କେବଳ ଗୁଡ଼ାଏ କାନଫଟା ଚିତ୍କାର; ଏକବିଂଶ ଶତାବ୍ଦୀର ସର୍ବାଧୁନିକ ପପ୍‌ ସଙ୍ଗୀତ ।

 

ରେସ୍ତୁରାଁ ମଝିରେ ଗୋଟିଏ ଅନୁଚ୍ଚ ପ୍ଲାଟଫର୍ମ ଉପରେ ଦୁଇଟି ଲଙ୍ଗୁଳୀ ନର୍ତ୍ତକୀ ସେହି ସଙ୍ଗୀତ ସହିତ ତାଳରଖି ନାଚିବା ଆରମ୍ଭ କରିଥିଲେ । ସେମାନଙ୍କ କ୍ଷୀଣକଟୀ ତଳେ ଲଜ୍ଜାବରଣର ସଂକ୍ଷିପ୍ତତମ ଆବ୍ରୁ ଟିକିକ ସୁଦ୍ଧା ନଥିଲା । ବିଂଶ ଶତାବ୍ଦୀକାଳରୁ ସବୁ ଆବରଣ ଫିଙ୍ଗି ଅନାବୃତା ହେବାପାଇଁ ସଭ୍ୟତା ଓ ମୁକ୍ତି ନାମରେ ଯେଉଁ ଯବନିକା ଉତ୍ତୋଳିତ ହୋଇଥିଲା, ଆଜିକୁ ତାହା ଚରମ ଉଲ୍ଲଙ୍ଗତାରେ ପହଞ୍ଚିଥିଲା ।

 

ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପୁରୁଷମାନେ ହୀନବୀର୍ଯ୍ୟ ହୋଇ ପଡ଼ିଥିବାରୁ ସେମାନଙ୍କ ଯୌନମାନ୍ଦ୍ୟ ଉଦ୍ଦୀପିତ କରିବାପାଇଁ, ସାହିତ୍ୟ, କଳା, ନୃତ୍ୟ ଓ ଅଭିନୟଠାରୁ ପରିଚ୍ଛଦ ପ୍ରସାଧନ ପର୍ଯ୍ୟନ୍ତ ସବୁଥିରେ ଯୌନ ବିକୃତି ଓ ଉଲ୍ଲଙ୍ଗତାକୁ ପ୍ରୋତ୍ସାହିତ କରାଯାଇ ଆସୁଥିଲା । ମାତ୍ର ଏ ଶତାବ୍ଦୀରେ ତାହା ପୁରୁଷର ଲୁପ୍ତ ପୌରୁଷକୁ ଉଜ୍ଜୀବିତ କରିବା ପରିବର୍ତ୍ତେ କ୍ରମେ ତାହାକୁ ଆହୁରି ହୀନବୀର୍ଯ୍ୟ କରି ଦେଇଥିଲା । ଅନାବୃତ ପୂର୍ଣ୍ଣ ଉଲ୍ଲଙ୍ଗତା ମଧ୍ୟରେ କେବଳ ପୁରୁଷର କାମୋଦ୍ରେକ ହୋଇପାରୁଥିଲା । ତା ନହେଲେ ମଧ୍ୟଯୁଗୀୟ ପୁରୁଷମାନଙ୍କର କାମପ୍ରବଣତା ତୁଳନାରେ ଏ ଶତାବ୍ଦୀର ପୁରୁଷକୁଳ ଯଥେଷ୍ଟ ନିଷ୍କାମ ଥିଲେ !

 

ଏ ଶତାବ୍ଦୀରେ ପୁରୁଷର ପ୍ରୟାସ ଥିଲା ତେଣୁ ନାରୀ ହେବା ପାଇଁ । ଏ ଆଭିମୁଖ୍ୟ ଅବଶ୍ୟ ଗତ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ମାତ୍ର ଚଳିତ ଶତାବ୍ଦୀରେ ତାହା ଚୂଡ଼ାନ୍ତ ସୀମା ସ୍ପର୍ଶ କରିଥିଲା । ଯୁବକମାନଙ୍କର ପରିଚ୍ଛଦ ବିନ୍ୟାସରେ ତାହା ସୁସ୍ପଷ୍ଟ । ନାରୀମାନଙ୍କ ପରି ସେମାନଙ୍କ ମୁଣ୍ଡର ବାଳ ସବୁ ‘ବବ୍‌ଡ଼୍‌’ ହୋଇ ଛଣ୍ଟା । ପାଣ୍ଟ୍‌ ସବୁ ଏପରି ସିଲେଇ ଯେ, ଜାନୁ ଓ ନିତମ୍ୱର ରେଖା ସବୁ, ନାରୀର ଅଙ୍ଗରେଖା ପରି ସେଥିରେ ବର୍ତ୍ତୁଳ ଦେଖାଯାଏ । ସାର୍ଟ ଓ ଜାକେଟ୍‌ ସବୁ ଛିଟକନାରେ ତିଆରି । ଦୂରରୁ ସେମାନଙ୍କୁ ଦେଖିଲେ ଅନେକ ସମୟରେ ଅତ୍ୟାଧୁନିକା ନାରୀର ଭ୍ରମ ସୃଷ୍ଟି ହୋଇଥାଏ ।

 

ରେସ୍ତୁରାଁ ଭିତରେ ସେହିପରି ବେଶବାସରେ ସୁବେଶିତ ଶହ ଶହ ଯୁବକ ଓ ପ୍ରାୟୋଲ୍ଲଙ୍ଗା ଯୁବତୀ ରେସ୍ତୁରାଁର ପ୍ରତ୍ୟେକ ଇଞ୍ଚ ପରିମିତ ସ୍ଥାନ ଦଖଲ କରି ବସିଥିଲେ । ଯୁବକମାନେ କେବଳ ଯୁବକମାନଙ୍କ ସହିତ ଓ ଯୁବତୀମାନେ ଯୁବତୀମାନଙ୍କ ସହିତ ଅତ୍ୟନ୍ତ ଆବିଷ୍ଟ ଭାବରେ ଆଳାପରତଥିବାରୁ ନର୍ତ୍ତକୀ ଦୁଇଜଣଙ୍କର ଉଲ୍ଲଙ୍ଗ ତାଣ୍ଡବ ପ୍ରତି ଦୃଷ୍ଟି ଦେବାପାଇଁ କାହାରି ଅବକାଶ ନଥିଲା । ଯନ୍ତ୍ରଚାଳିତ ରୋବୋଟ୍‌ମାନେ ରେସ୍ତୁରାଁ ଭିତରେ ବିଭିନ୍ନ ଟେବୁଲରେ ଖାଦ୍ୟ ପରିବେଷଣ କରୁଥିଲେ । ‘ଗୁଫା’ର ପଥୁରିଆ କାନ୍ଥରେ ନିଅନ୍‌ ଆଲୋକିତ ଗୋଟିଏ ବିଜ୍ଞାପନ ଝୁଲୁଥିଲା । ସେଥିରେ ଲେଖାଥିଲା :

 

‘‘ଆମର ବିଶେଷତ୍ୱ–‘ବ୍ରେଷ୍ଟ’ କଅଁଳ ଛାତି କଟଲେଟ୍‌ ‘‘ଲିପ୍‌ସ୍‌ରଫ୍ରାଇ’’ ! ଏ ସବୁ ମଣିଷ-ମାଂସରେ ପ୍ରସ୍ତୁତ !

 

ରେସ୍ତୁରାଁ ଭିତରେ ସିଗାରେଟ୍‌ ଧୂଆଁର କୁହୁଡ଼ିରେ ଭାସି ଭାସି ସୁବ୍ରତ, ବହୁ ଅନ୍ୱେଷଣ ପରେ ଗୋଟିଏ ନିରୋଳା ସ୍ଥାନ ପାଇ ସେଠାକୁ ଆସିଲା । ତାହାଠାରୁ ଅଦୂରରେ ଦୁଇଟି ଲଙ୍ଗୁଳୀ ନିତମ୍ୱିନୀ ପ୍ରୌଢ଼ା ଓଠରେ ଗୋଟିଏ ଗୋଟିଏ ‘ଷ୍ଟ୍ର’ ଚାପି କୋଲଡ଼ ଡ୍ରିଙ୍କ ପିଉଥିଲେ, ଆଉ ସୁବ୍ରତ ଆଡ଼େ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ନିଜ ମଧ୍ୟରେ କ’ଣ କଥାବାର୍ତ୍ତା ହେଉଥିଲେ । ସେମାନଙ୍କ ଦୃଷ୍ଟିରୁ ଆତ୍ମରକ୍ଷା ପାଇଁ ସୁବ୍ରତ ମୁହଁ ଉପରେ ଖଣ୍ଡେ ଖବରକାଗଜ ମେଲାଇ ଧରିଲା ।

 

ଟେବୁଲ୍‌ରେ ବସି ସୁଇଚ୍‌ ଟିପିବା ମାତ୍ରେ ଗୋଟିଏ ରୋବୋଟ୍‌ ସୁବ୍ରତ ଆଖି ଆଗରେ ମେନୁ-କାର୍ଡ଼ ଖଣ୍ଡେ ମେଲାଇ ଧରିଲା ।

 

 

ସୁବ୍ରତର ଇଚ୍ଛା ଥିଲା, କୋଲଡ ରାଇସ (ପଖାଳ), କିଛି ସ୍ପିନାଚ କକ୍‌ଟେଲ୍‌ (ଶାଗଭଜା) ଚିଲିସସ୍‌ (ଲଙ୍କାମରିଚ) ଦେଇ ଖାଇବାପାଇଁ । ମାତ୍ର ଚାଉଳ ଏବେ ଅତ୍ୟନ୍ତ ଦୁଷ୍ପ୍ରାପ୍ୟ ଥିବାରୁ ଏ ସବୁ ମଧ୍ୟ ଅତ୍ୟନ୍ତ ଦୁର୍ମୂଲ୍ୟ ଥିଲା । ତା’ ଅପେକ୍ଷା ମଣିଷର ବ୍ରେଷ୍ଟ-ପାଇ ଯଥେଷ୍ଟ ସୁଲଭ– !

 

ସଭ୍ୟତାର ଆଦିକାଳରେ ଶିଶୁହତ୍ୟା, କୁମାରୀହତ୍ୟା କାଳେ ସମାଜରେ ଏକ ପ୍ରତିଷ୍ଠିତ ଧର୍ମାଚାର ଥିଲା । ମାତ୍ର ଜନସଂଖ୍ୟା ଏବେ ପୂର୍ବ ଶତାବ୍ଦୀ ତୁଳନାରେ ତିନିଗୁଣ ବଢ଼ିବା ପରେ, ପୁଣି ସେହି ଆଦିମ ସମାଜବିଧାନ ଫେରି ଆସିଅଛି । ଶିଶୁ ଓ ବାଳିକାମାନେ ବଜାରରେ ମାଛ, କୁକୁଡ଼ା ପରି ଏବେ ବିକ୍ରି ହେଉଛନ୍ତି ପ୍ରଚୁର !

 

ସୁବ୍ରତ ବ୍ରେଷ୍ଟ-କଟ୍‌ଲେଟ ଆଉ ଲିପ୍‌ସ-ପାଇ ଅର୍ଡ଼ର ଦେଇ ଖଣ୍ଡେ ସିଗାରେଟରେ ନିଆଁ ଲଗାଇ ସେଥିରୁ କେଇ କଳ ଧୂଆଁ ଛାଡ଼ି ଜୁକ୍‌ବକ୍‌ସ ପାଖ ମଞ୍ଚ ଉପରେ ଲଙ୍ଗୁଳୀ ନର୍ତ୍ତକୀମାନଙ୍କର କାଳିଶୀ ନାଚ ଆଡ଼େ ଚାହିଁଲା ।

 

ନର୍ତ୍ତକୀମାନେ ସେମାନଙ୍କ ନୃତ୍ୟର ଶେଷ ଅଂଶରେ ପହଞ୍ଚିଥିଲେ । ଏହି ନୃତ୍ୟଟିର ନାମ ‘‘ବ୍ଳୁନାଇଟ’’ ବା ‘‘ନୀଳରାତ୍ରି !’’ ଏହାର ଶୈଳୀ ହେଉଚି ଲଙ୍ଗୁଳୀ ନର୍ତ୍ତକୀମାନେ ଅନାବୃତ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଥମେ ବିଭିନ୍ନ କୋଣରୁ ପ୍ରଦର୍ଶିତ କରିବା ପରେ, ଅର୍କେଷ୍ଟ୍ରାର ଉଦ୍ଦଣ୍ଡ-ମୂର୍ଚ୍ଛନା ଧୀରେ ଧୀରେ ମୃଦୁ ଓ କୋମଳ ହୋଇଆସିବ । ତା’ପରେ ଲଙ୍ଗୁଳୀ ନର୍ତ୍ତକୀମାନେ ଅଣ୍ଟା ତଳେ କୌପୁନୀଠାରୁ ଆରମ୍ଭ କରି, ଅଣ୍ଡରଓୟାର, ଫ୍ରକ୍‌, ବଡ଼ିଜ୍‌, ବ୍ଳାଉସ୍‌ ପ୍ରଭୃତି ପରିଚ୍ଛଦ ଗୋଟିଏ ଗୋଟିଏ କରି ପୁଣି ପିନ୍ଧି, ପାଦଠାରୁ ବେକ ପର୍ଯ୍ୟନ୍ତ ପ୍ରତ୍ୟେକ ଅନାବୃତ ଅଙ୍ଗ ପ୍ରତ୍ୟଙ୍ଗକୁ ଆବୃତ କରିଦେବେ । ଅବଶେଷରେ ସେମାନେ ଯେତେବେଳେ ମୁଣ୍ଡ ଉପରେ କୁହୁଡ଼ି ରଙ୍ଗର ଖଣ୍ଡେ ଖଣ୍ଡେ ଦୋପଟ୍ଟା ପକାଇ, ଅବଗୁଣ୍ଠନଟିକୁ କପାଳ ଉପରକୁ ଟାଣି ଆଣିବେ, ସେତେବେଳେ ଏ ନୃତ୍ୟ ଚରମ ପରିଣତି ବା କ୍ଳାଇମାକ୍‌ସରେ ପହଞ୍ଚିବ । କ୍ଳାଇମାକ୍‌ସ ଆଡ଼େ ନୃତ୍ୟ ଯେତିକି ଗତି କରୁଥିବ, ଦର୍ଶକମାନେ କ୍ରମେ ସେତିକି ପ୍ରମତ୍ତ ହୋଇ ଉଠୁଥିବେ । ଏହା ଏକ ବିଶେଷ ଲୋକପ୍ରିୟ ନୃତ୍ୟ । ମାତ୍ର ଏ ନୃତ୍ୟଟି ଦେଖିଲେ ସୁବ୍ରତ କେଜାଣି କାହିଁକି ଅତ୍ୟନ୍ତ ବିଷଣ୍ଣ ହୋଇଉଠେ । ଏକ ଅହେତୁକ ଶୂନ୍ୟତା ତାର ସମସ୍ତ ଚେତନା ଉପରେ କୁହୁଡ଼ି ଛାଇ ପରି ଓହ୍ଲାଇଆସେ ।

 

ରେସ୍ତୁରାଁ ଭିତରେ ନୃତ୍ୟ ଏବେ ସେହି କ୍ଳାଇମାକ୍‌ସ ଆଡ଼କୁ ଗତି କରୁଥିଲା ।

 

ଗୋଟିଏ ରୋବୋଟ୍‌ ସୁବ୍ରତ ସାମନାରେ ଟେବୁଲ ଉପରେ ରଖି ଦେଇଗଲା, ବ୍ରେଷ୍ଟ୍‌-କଟ୍‌ଲେଟ ଆଉ ଲିପସ୍‌-ପାଇର ଗୋଟାଏ ପ୍ଳେଟ୍‌ ।

 

ସ୍ତନ ଦୁଇଟି ସମ୍ଭବତଃ କୌଣସି ଉଦ୍ଭିନ୍ନଯୌବନା ବାଳିକାର; ଆଉ ଓଠ ଦୁଇଟି କୌଣସି ନବଜାତ ଶିଶୁର ।

 

ସୁବ୍ରତ ଦୁଇ ଓଠରେ ସିଗାରେଟ୍‌ ଚାପି ବ୍ରେଷ୍ଟ-କଟ୍‌ଲେଟ୍‌ ଉପରେ ଛୁରୀ ଚଳାଇଲା ।

 

ମାତ୍ର ସେତେବେଳେ ‘‘ନୀଳ-ରାତ୍ରି’’-ନୃତ୍ୟ କ୍ଳାଇମାକ୍‌ସରେ ପହଞ୍ଚି ଥିବାରୁ ଅର୍କେଷ୍ଟ୍ରା ହଠାତ୍‌ ବନ୍ଦ ହୋଇଥିଲା । ଲଙ୍ଗୁଳୀ ନର୍ତ୍ତକୀ ଦୁଇଜଣ ପାଦଠାରୁ ବେକ ପର୍ଯ୍ୟନ୍ତ ଦେହ ଆବୃତ କରି ମୁଣ୍ଡ ଉପରେ ପତଳା କୁହୁଡ଼ି ରଙ୍ଗର ଝିଲିମିଲି ଓଢ଼ଣା ଟାଣି ଆଣୁଥିଲେ । ଅବଗୁଣ୍ଠନ ତଳୁ ସେମାନଙ୍କ ଆଖିର ଦୃଷ୍ଟି ଓ ଭ୍ରୂଲତା ପ୍ରଭୃତି ଅବଶ୍ୟ ଦେଖା ଯାଉ ନଥିଲା । ମାତ୍ର ପ୍ରତ୍ୟେକ ନିଜ ନିଜର ସ୍ୱପ୍ନ ଓ କଳ୍ପନାରେ ତା’ଭିତରେ ଦେଖି ପାରୁଥିଲେ ଦୀପଶିଖାର ସୁତୀବ୍ର ଆମନ୍ତ୍ରଣ....ପତଙ୍ଗମାନଙ୍କୁ ଝାସ ଦେବା ପାଇଁ ।

 

ଉଲ୍ଲଙ୍ଗ ପ୍ରମତ୍ତତାରେ ରେସ୍ତୁରାଁର ଜନତା ହଠାତ୍‌ ଚୈତାଳୀ ପବନରେ ଶାଳଜଙ୍ଗଲ ପରି ନାଚିଉଠିଲା । ଖାଇବା ପ୍ଳେଟ, ଛୁରୀ, କଣ୍ଟା, ଚାମୁଚ, କ୍ଳାସ ଓ ନାପକିନ୍‌ ସବୁ ପରସ୍ପର ଆଡ଼େ ପ୍ରତ୍ୟେକେ ଏପରି ହିଂସ୍ର ଭାବରେ ଫିଙ୍ଗାଫିଙ୍ଗି କରିବା ଆରମ୍ଭ କରିଦେଲେ ଯେ, ସାବଧାନ ନରହିଲେ ସେତେବେଳେ ପ୍ରାଣନାଶର ଆଶଙ୍କା ସୁଦ୍ଧା ରହିଥିଲା ।

 

ଏ କିନ୍ତୁ ଏକବିଂଶ ଶତାବ୍ଦୀର ବୈଦଗ୍‌ଧ୍ୟ.....

 

ଅନ୍ୟ ଦିନମାନଙ୍କରେ ସୁବ୍ରତ ମଧ୍ୟ କେତେଟା ପ୍ଳେଟ୍‌ ଭାଙ୍ଗି କାହାର କେତେଟା ମୁଣ୍ଡ ଫଟାଇ ଅଥବା ଭଙ୍ଗା କାଚ ଆଘାତରେ ନିଜ ଦେହରୁ ରକ୍ତ ଝରାଇ, ନିଜର ବୈଦଗ୍‌ଧ୍ୟ ପ୍ରକାଶ କରିଥାଏ । ମାତ୍ର ଆଜି ସେଥିପାଇଁ ତାର କୌଣସି ରୁଚି ଅଥବା ପ୍ରବୃତ୍ତି ନଥିଲା !

 

ସେ ତଥାପି ମନେ ମନେ ଖୋଜି ହେଉଥିଲା, ସୁତପାର ହଜିଲା ଚିଠି, ଆଉ ସେଥିରେ ତାର ଚନ୍ଦ୍ରମଣ୍ଡଳର ଠିକଣା ।

 

ରେସ୍ତୁରାଁ ଭିତରେ ହିଂସ୍ର କୋଳାହଳ ଓ ପ୍ରମତ୍ତ ବୈଦଗ୍‌ଧ୍ୟର ଭିଡ଼ ଠେଲି ବାହାରକୁ ପଳାଇ ଆସି ସୁବ୍ରତ ସ୍ୱସ୍ତିର ଦୀର୍ଘନିଃଶ୍ୱାସ ଛାଡ଼ିଲା ।

 

ସୁପରସିଟୀର ଉପକଣ୍ଠରେ ଗୋଟିଏ ତୃଣଛାୟାବିହୀନ ପାର୍କ ! ସାହିତ୍ୟ-କାରଖାନାରେ ସନ୍ଧ୍ୟା ସିଫ୍‌ଟ ଆରମ୍ଭ ହେବାପାଇଁ ତଥାପି ଘଣ୍ଟାଏ ଡେରି ଥିଲା । କାରଖାନାରେ କ୍ଷୁଦ୍ରଗଳ୍ପର ଉତ୍ପାଦନ ଶତାଂଶ ୩୫.୩ ହ୍ରାସ ପାଇଚି ବୋଲି ଅଭିଯୋଗ ଉଠିଚି । ଏଥିପାଇଁ ସୁବ୍ରତ ଉପରେ ଦାୟିତ୍ୱ ମଧ୍ୟ ଆରୋପ କରାଯାଇଅଛି ।

 

କିନ୍ତୁ କମ୍ପ୍ୟୁଟର କବି ଗାଳ୍ପିକ ଓ ଔପନ୍ୟାସିକମାନେ କ୍ରମେ ଯେପରି ୟୁନିଅନ ଗଠନ କରି ସ୍ୱେଚ୍ଛାକୃତ ଭାବରେ ଉତ୍ପାଦନ ହ୍ରାସ କରିବାରେ ଲାଗିଛନ୍ତି, କର୍ତ୍ତୃପକ୍ଷ ତାହା ତ ଆଦୌ ବୁଝୁ ନାହାନ୍ତି !!

 

ସୁବ୍ରତ ସେହି ସବୁ ସମସ୍ୟା ଚିନ୍ତା କରୁ କରୁ ସୁତପାର ଚିଠି କଥା ପ୍ରାୟ ଭୁଲି ଯାଇଥିଲା-

 

ତୃଣହୀନ, ଛାୟାହୀନ ପାର୍କ ଉପରେ କ୍ରମେ ସନ୍ଧ୍ୟା ଓହ୍ଲାଇ ଆସୁଥିଲା ।

 

ବହୁ ବ୍ୟୟ ଓ ପରିଶ୍ରମରେ ‘‘ଘାସ-ଉତ୍ପାଦନ ଡିରେକ୍‌ଟରେଟ୍‌’’ ପାର୍କରେ ଯେତେ କଅଁଳ ଦୁବଘାସ ଜନ୍ମାଉଥିଲେ; ଭୋକିଲା ଲୋକେ, ଯେଉଁମାନେ ମଣିଷ ମାଂସ ସୁଦ୍ଧା ବଜାରରେ କିଣି ପାରୁ ନଥିଲେ, ସେମାନେ ରାତିରେ ପାର୍କରୁ ସେହି କଅଁଳ ଦୁବସବୁ ତାଞ୍ଛି ନେଇ ପଳାଉଥିଲେ-। ପାର୍କର ଡେଙ୍ଗା ଡେଙ୍ଗା ଗଛ ଗୁଡ଼ାକରେ ମଧ୍ୟ ଗୋଟାଏ ହେଲେ ପତ୍ର ନଥିଲା । ତାହାର ଡାଳମାନଙ୍କରେ ପଲ୍ଲବଟିଏ କଅଁଳିବା ମାତ୍ରେ ସେମାନେ ତାହାକୁ ମଧ୍ୟ ଖୁଣ୍ଟି ନେଉଥିଲେ ପଙ୍ଗପାଳ ପରି । ଗଛ ସବୁ ଥୁଣ୍ଟାଡାଳ ମେଲି ପ୍ରେତର କଙ୍କାଳ ପରି ଠିଆ ହୋଇଥିଲେ । ପକ୍ଷୀକୂଳ ମଧ୍ୟ ଭୂପୃଷ୍ଠରୁ କେବେଠାରୁ ନିଶ୍ଚିହ୍ନ ହୋଇ ସାରିଥିଲେ । ସେମାନଙ୍କ ଦିନାନ୍ତର କାକଳି କେବେଠାରୁ ସର୍ବଗ୍ରାସୀ ମଣିଷର ଜଠରରେ ନୀରବ ହୋଇସାରିଥିଲା ।

 

ଦିନଶେଷରେ କାଉଟିଏ କୁଆଡ଼ୁ ଉଡ଼ିଆସି ଗୋଟିଏ କୃଷ୍ଣଚୂଡ଼ା ଗଛର ଥୁଣ୍ଟା, ପତ୍ରହୀନ ଡାଳ ଉପରେ ବସି, କାହାର ପ୍ରତୀକ୍ଷାରେ ରାବି ଉଠୁଥିଲା କେଜାଣି ! ପାର୍କ ଭିତରେ ହଠାତ୍‌ କେଉଁଠି ଗୋଟାଏ ବନ୍ଧୁକ ଫୁଟି ଉଠିଲା । ଗୁଳିମାଡ଼ରେ କୃଷ୍ଣଚୂଡ଼ାର ଥୁଣ୍ଟା ଡାଳରୁ କାଉଟା ତଳେ ଖସିପଡ଼ିଲା । ପୋଡ଼ା ବାରୁଦ ଗନ୍ଧରେ ସନ୍ଧ୍ୟାର ପବନ ଭାରୀ ହୋଇ ଉଠିଲା ।

 

ହଠାତ୍‌ କାହାର ଉଷ୍ଣ ଦୀର୍ଘନିଃଶ୍ୱାସରେ ସୁବ୍ରତ ଚମକି ପଡ଼ି ଚାରି ଆଡ଼କୁ ଚାହିଁଲା ।

 

ସନ୍ଧ୍ୟାର ଛାୟାଘନ ମଳିନ ଆଲୋକରେ ସୁବ୍ରତ ଯାହାକୁ ଦେଖିଲା, ସେ ସୁବ୍ରତର ସହକର୍ମିଣୀ ଜେନୀ; ସାହିତ୍ୟ କାରଖାନାରେ ସେ ମଧ୍ୟ ଜଣେ ଇଞ୍ଜିନିଅର ।

 

ଜେନୀ ଅଣ୍ଟାତଳେ ଗୁଡ଼ାଇଥିଲା ଖଣ୍ଡେ ଅଣ୍ଡରଓୟାର୍‌, ଛାତିରେ ଖଣ୍ଡେ ସଂକ୍ଷିପ୍ତ ବଡ଼ିସ୍‌, ନାଭିଗର୍ତ୍ତ ଓ ଉଦର ତଳେ ମସୃଣ ମାଂସର ବଳୟ ଯେପରି ସମସ୍ତଙ୍କ ଦୃଷ୍ଟିରେ ପଡ଼ିପାରିବ, ସେଥିପାଇଁ ସେହି ଅଂଶଗୁଡ଼ିକୁ ସେ ସୁଚିନ୍ତିତ ଭାବରେ ଅନାବୃତ ରଖିଥିଲା ।

 

ସୁବ୍ରତ କିଛି କହିବା ପୂର୍ବରୁ ଜେନୀ ସୁବ୍ରତର କୋଳଉପରେ ବସି, ସୁବ୍ରତ ଓଠରୁ ସିଗାରେଟ୍‌ଟା ଟାଣି ନେଇ ନିଜ ଓଠ ଭିତରେ ଚାପି ଧରିଲା ।

 

ସୁବ୍ରତର ସାରାଦେହ ଘୃଣାରେ ହଠାତ୍‌ ଝିମଝିମ କରିଉଠିଲା । ଏଠାରେ ସେ ଏପରି ଭାବରେ ଧର୍ଷିତ ହେବ ବୋଲି ଜାଣିଥିଲେ, ଏଆଡ଼େ କଦାପି ଆସି ନଥାନ୍ତା !

 

ଜେନୀ କିନ୍ତୁ ଆଦରରେ ସୁବ୍ରତର ବେକ ଚାରିପଟେ ସରୀସୃପ ପରି ତାର ମସୃଣ ବାହୁ ବେଢ଼ାଇ ସୁବ୍ରତ କାନରେ କହୁଥିଲା.....

 

‘ଉଠ’ !

 

ଜେନୀର ସର୍ପିଳ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ସୁବ୍ରତ ତଳେ ଠିଆ ହୋଇପଡ଼ିଲା । ତାର ଦେହ ଓ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠିଥିଲା । ଏକ ଅକଥନୀୟ କ୍ଳୀବତ୍ୱରେ ତାର ଅଙ୍ଗପ୍ରତ୍ୟଙ୍ଗ ହଠାତ୍‌ ଶୀତଳ ଓ ଅଥର୍ବ ହୋଇପଡ଼ିଥିଲା ।

 

ସୁବ୍ରତର ଶୀତଳ ବୈରାଗ୍ୟରେ ଜେନୀ କ୍ଷୁଧିତା ସର୍ପିଣୀ ପରି ଫୁତ୍କାର କରି, ସୁବ୍ରତର ଦୁଇ ଗାଲ ଓ ମୁହଁ ଉପରେ ଦୁଇ ହାତରେ ଆଘାତ କରି କରି ଚିତ୍କାର କରି ଉଠିଲା....‘‘ୟୁ ସେକ୍‌ସ୍‌ଲେସ୍‌ କଂପ୍ୟୁଟର !’’

 

ଜେନି ଚାଲିଗଲା ।

 

ସୁବ୍ରତ ସେତେବେଳେ ଯାଇଁ ବୁଝିଲା, ଇତିମଧ୍ୟରେ ସେ ମଧ୍ୟ କେଉଁଦିନ ପରିଣତ ହୋଇ ସାରିଥିଲା, ଆବେଗ ସ୍ପନ୍ଦନହୀନ ଯାନ୍ତ୍ରିକ ଶତାବ୍ଦୀର ଆଉ ଏକ କଂପ୍ୟୁଟର ଯନ୍ତ୍ରରେ !

 

ଆକାଶରେ ଚନ୍ଦ୍ର ତଥାପି ଉଇଁ ନଥିଲା, କିମ୍ୱା ତାର ସମ୍ଭାବନା ମଧ୍ୟ ନଥିଲା । ତାରା ଓ ନକ୍ଷତ୍ର ସବୁ କୁହୁଡ଼ି ଧୂଆଁ, ଧୂଳି ଓ କୋଇଲାଗୁଣ୍ଡର ଆସ୍ତରଣ ଭେଦି ଆଉ ଆଖିରେ ପଡ଼ୁ ନଥିଲେ-

 

ସେହି ସ୍ତବ୍‌ଧତା ମଧ୍ୟରେ ପାର୍କର ଆଉ ଏକ କୋଣରୁ ଜେନୀର ପାଗଳ ଅଟ୍ଟହାସ, ଟ୍ରାଫିକ୍‌ର କୋଳାହଳ ମଧ୍ୟରେ ସୁଦ୍ଧା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା !

Image

 

କ୍ଳାନ୍ତ-ଚୈତାଳୀ

 

ରମଣୀକାନ୍ତ ସ୍ୱାସ୍ଥ୍ୟରକ୍ଷାର ନିୟମ ଅନୁସାରେ ନଦୀବନ୍ଧରେ ବୁଲି ବାହାରିଥିଲେ....ଡାକ୍ତରଙ୍କ ପରାମର୍ଶ ।

 

ଡାକ୍ତରମାନେ ‘ହାର୍ଟସ୍‌’ ଚିହ୍ନିପାରନ୍ତି ଠିକ୍‌; କିନ୍ତୁ ହୃଦୟଟି କି ବସ୍ତୁ, ତାର ଆନାଟମୀ ସେମାନେ ବୁଝନ୍ତି କି ? ଲଙ୍ଗ୍‍ସ୍‌ରେ କଞ୍ଜେସନ୍‌ଟା କିନ୍ତୁ ଏବେ ବରାବର ରହୁଛି !

 

ଆଃ.....ଅତୀତରେ ପଇଁଚାଳିଶଟା ଚୈତ୍ର-ଗୋଧୂଳି କେଉଁଦିନ ଚୈତପତ୍ର ପରି, କାଳର ଚଇତାଳୀ ଘୂର୍ଣ୍ଣୀରେ ଝରିଗଲାଣି.....ଏ’ଟା ନିଓ-କ୍ଳାସିସିଜମ୍‌ ନା ରୋମାଣ୍ଟିସିଜିମ୍‌, କ’ଣ ହେଲା ? ....ମଡର୍ଣ୍ଣିଜିମ୍‌ ତ ଆଦୌ ନୁହେଁ । .....ଦୁତ୍‌ତେରୀ ! ତମ ମଡର୍ଣ୍ଣରେ ଅଛି ଖାଲି ସ୍ୱପ୍ନଭଙ୍ଗ, ସ୍ୱପ୍ନ ନୁହେଁ ! .....ହଁ କ’ଣ ହେଲାଟି ? କାଳର ଚଇତାଳୀରେ ଝରିପଡ଼ିଲା ! ....ପତ୍ରହୀନ ଶାଖା ପ୍ରଶାଖା ମେଲି ଅସ୍ଥିକଙ୍କାଳ ପରି ଏ କି ଗଛଟା ଦିଶୁଛି ସିଲୋଟରେ ? .....କେଉଁ ସବୁଜ ସ୍ମୃତିର ଧୂସର କଙ୍କାଳ କେଜାଣି? ହଁ, କ’ଣ ହେଲାଟି, ପଇଁଚାଳିଶିଟା ଚୈତ୍ର ଗୋଧୂଳି ? .....ନନ୍‌ସେନସ୍‌ । ଏହାକୁ ଯେ କହନ୍ତି ପୋଏଟିକ୍‌ ଇନ୍‌ସାନିଟୀ, କାବ୍ୟିକ ବାତୁଳତା ! ମୁଁ କଣ ତା’ହେଲେ ଜନ୍ମ ନେଇଥିଲି ମୋଟେ ପଇଁଚାଳିଶଟି ସନ୍ଧ୍ୟା ପୂର୍ବେ ? ସେ ପୁଣି ଏଇ ଚଇତରେ ? .....କହିବା ଉଚିତ୍‌ ଅତୀତରେ ପଇଁଚାଳିଶଟି ଚୈତ୍ରଋତୁ କେଉଁ ଦିନ ଜୀବନର ଧୂଳିଶଯ୍ୟା ଉପରେ ଅଲକ୍ଷିତରେ ଝରି ପଡ଼ିଲେଣି ! .....କିନ୍ତୁ ଏହାକୁ ଯେ କହନ୍ତି କାଠୁଆ ଗୁରୁଗିରୀ !

 

ଋତୁ ଝରିବ କଣ ହେ ?

 

ସେଥିପାଇଁ ପଇଁଚାଳିଶଟି ଚୈତ୍ର-ଗୋଧୂଳି ‘‘ମୋର୍‌ ସଜେଷ୍ଟିଭ୍‌’’ !

 

କିନ୍ତୁ ଏହାକୁ ଯେ କହନ୍ତି ଶିଶୁସୁଲଭ ଇନୋସେନ୍‌ସ୍‌....ଋତୁ ଝରେ ନାହିଁ ? ....ହୁଃ.....ରମଣୀକାନ୍ତ ଖଣ୍ଡିକାଶ ମାରିଲେ !

 

କିନ୍ତୁ ଖଣ୍ଡିକାଶଟା ହଠାତ୍‌ କାଶର ଗୋଟାଏ ଲହରିଆ ଆର୍ତ୍ତନାଦରେ ପରିଣତ ହୋଇଉଠିଲା ! ....ଲଙ୍ଗ୍‍ସ୍‌ରୁ କଞ୍ଜେସନ୍‌ଟା ଜମା ଯାଉନାହିଁ ! ରମଣୀକାନ୍ତି ବେକ ଚାରିପଟେ ମଫଲରଟା ଗୁଡ଼ାଇନେଲେ !

 

ଚୈତ୍ର-ପବନରେ ଝରା ପତ୍ରର ସଙ୍ଗୀତ ! ଜନବିରଳ ନଦୀବନ୍ଧ ! ଢିଲା, ଲୋଚାକୋଚା ପୋଷାକ ପିନ୍ଧା, ସ୍ୱାସ୍ଥ୍ୟଲାଳସୀ ଅବସରପ୍ରାପ୍ତ ଜଣେ ଜଣେ କ୍ଳାନ୍ତ ବୃଦ୍ଧ ଜୀବନବୃକ୍ଷରୁ ସବୁ ପତ୍ର ଏଇ ଚଇତାଳୀରେ ଝାଡ଼ିଝୁଡ଼ି ଦେଇ ଚାଲିଛନ୍ତି ପଶ୍ଚିମ ଦିଗ୍‌ବଳୟରେ ଅସ୍ତଗାମୀ ସୂର୍ଯ୍ୟଆଡ଼େ..... ସୂର୍ଯ୍ୟାସ୍ତର ତୀର୍ଥଯାତ୍ରୀ ସେମାନେ !

 

ସେମାନେ ଭାସି ଚାଲିଛନ୍ତି ମୌନ ଛାୟା ପରି । ଯେଉଁମାନେ ଚିହ୍ନା (ଯଥା ରାଜେନ୍ଦ୍ରବାବୁ, ଝିଅଘରେ ଆଶ୍ରୟ ନେଇ ଅବସରପ୍ରାପ୍ତ ଜୀବନର ହା ହୁତାଶ ମେଣ୍ଟାଇବା ସଙ୍ଗେ ସଙ୍ଗେ ବ୍ଲଡ଼-ପ୍ରେସର୍‌ର ଚିକିତ୍ସା ମଧ୍ୟ କରାଉଛନ୍ତି); ସେମାନେ ଉପଚରିତ ରୀତିରେ ସଂକ୍ଷିପ୍ତ ନମସ୍କାର ବିନିମୟ କରି ନିଜ ବାଟରେ ଚାଲିଯାଉଛନ୍ତି ତଳକୁ ମୁଣ୍ଡ ନୁଆଇଁ.....ଅତୀତର ହଜିଲା ବର୍ଷ ଓ ମୁହୂର୍ତ୍ତ ଗୁଡ଼ିକୁ ସେମାନେ ମୁଣ୍ଡ ନୁଆଇଁ ଅଣ୍ଡାଳୁଛନ୍ତି ପରା ! .....

 

କ୍ଳାନ୍ତ ରାଜେନ୍ଦ୍ରବାବୁ ଅଣ୍ଡାଳୁ ଅଣ୍ଡାଳୁ ଏଇ ଆଗ ସିମେଣ୍ଟ ବେଞ୍ଚଟା ପାଖରେ, ବାଡ଼ି ଦେହରେ ଭରା ଦେଇ, ଦଣ୍ଡେ ଅଟକି ଯାଇଛନ୍ତି ପରା ! ....ନାଁ, ବୋଧହୁଏ ରସିକାନନ୍ଦ ମଠରେ ସନ୍ଧ୍ୟାଆଳତି ଘଣ୍ଟା ପାଇଁ ତାଙ୍କର ଅପେକ୍ଷା ! ରାଜେନ୍ଦ୍ରବାବୁ ଭକ୍ତ ଲୋକ ! ସେ କିନ୍ତୁ ଦେଖାଯାଉଛନ୍ତି କେଉଁ ବିଧ୍ୱସ୍ତ ରଣସୀମାନ୍ତରେ ପରାଜିତ ସେନାଜିତ ସେନାପତି ପରି !

 

ବନ୍ଧ କଡ଼ରେ ଚିନାବାଦାମ ଚାନାଚୁର ବୁଲା-ଦୋକାନୀମାନଙ୍କର ପଣ୍ୟ ଶେଷ ହେଲାଣି-। ସେମାନେ ଏବେ ପଇସା ଗଣୁଛନ୍ତି । ହିସାବ-ନିକାଶର ବେଳ ଆସିଗଲା । ଲାଭକ୍ଷତିର ହିସାବ; ମହାଜନର ଦେଣା ପାଉଣା ହିସାବ ଛିଣ୍ଡାଇଦେଲେ ଛୁଟୀ । ତାପରେ କ୍ଳାନ୍ତ ଦିନ ଶେଷରେ ଓଠରେ ଜଳିଉଠିବ ଖଣ୍ଡେ ବିଡ଼ି, ବିବର୍ଣ୍ଣ ଶ୍ମଶାନରେ ଚିତାନଳ ପରି ! ରମଣୀକାନ୍ତ ଦୁଇ ଆଖି ଉପରକୁ ଉଡ଼ି ଆସିଥିବା ଅମାନିଆଁ ବାଳଗୁଡ଼ାକୁ ଦୁଇ ହାତରେ ଉପରକୁ ଛାଟି ବାଗ ମନାଉ ମନାଉ ବନ୍ଧ ଉପରେ ଠିଆ ହୋଇ ଦଣ୍ଡେ ରହିଗଲେ । ନୀଳ ମେଘ ଖଣ୍ଡେ ଅସ୍ତଗାମୀ ସୂର୍ଯ୍ୟ ତଳକୁ କେତେବେଳେ ଭାସି ଆସିଥିଲା....ଶେଷଶଯ୍ୟାରେ କେଉଁ ଏକ ଚପଳ ଚୈତ୍ରର ନୀଳ ସ୍ମୃତି ପରି । ରମଣୀକାନ୍ତ ମନେ ମନେ ଜୀବନର ହିସାବ ଯୋଡ଼ିଲେ । ମିଶାଣ ଫେଡ଼ାଣ ହରଣ ଗୁଣନ ସବୁ କରି ଦେଖାଯାଉଛି, ଲାଭଘର ଶୂନ, ମୂଳଧନରୁ ବାଜିଗଲାଣି ! .....ଏଇ ଯେମିତି ଆକାଶରୁ ସେ ନୀଳମେଘ ଖଣ୍ଡେ କିଏ ପୋଛି ଦେଇ, ସେଠାରେ ଆଙ୍କି ଦେଲାଣି କସରା ମାଛକାତିଆ ଖଣ୍ଡେ ଖଣ୍ଡେ ବଉଦ । ରମଣୀକାନ୍ତ ଯଦି ଦେବାଳିଆର ହିସାବଖାତାରୁ ଏ ଫର୍ଦ୍ଦଟି ଛିଣ୍ଡାଇ ଦେଇ, ଆଉ ଥରେ ନୂଆଖାତା ଆରମ୍ଭ କରିପାରନ୍ତେ ! ଖଣ୍ଡ ଖଣ୍ଡ ମାଛକାତିଆ ବଉଦ ଆକାଶରେ ବିଞ୍ଚିହୋଇ ପଡ଼ିଥିବା ପରି ବେପରୁଆ ଭାବରେ ଜୀବନର ଐଶ୍ୱର୍ଯ୍ୟସମ୍ପନ୍ନ ମୁହୂର୍ତ୍ତ ଗୁଡ଼ିକୁ ମୁଠା ମୁଠା କରି ପୁଣି ମହାକାଳର ମୁହଁ ଉପରକୁ ଏଇପରି ଛାଟିଦେଇ ପାରନ୍ତେ.....ତା’ ହେଲେ ସେ ସବୁ ହୋଇଉଠନ୍ତା କବିତା !

 

କିନ୍ତୁ ସେଥିପାଇଁ ଆଉବେଳ ନାହିଁ ପରା ! ଲଙ୍ଗ୍‍ସ୍‌ କଞ୍ଜେସନ୍‌ଟା ଆଉ ସଫା ହେବାପରି ଦିଶୁନାହିଁ । .....ଏ ଚୈତ୍ର-ଗୋଧୂଳିକୁ ଆଉ କିପରି ବା ଅଭିନନ୍ଦନ ଜଣାଇ ହେବ କୁହ ! ....ରାଜେନ୍ଦ୍ର ବାବୁଙ୍କ ସଙ୍ଗରେ ରସିକାନନ୍ଦ ମଠକୁ ଗଲେ ବି ଚଳନ୍ତା । ....ସନ୍ଧ୍ୟାର ଆକାଶ ପରି ଝୁଲି ରହିଥିବା ଏଇ ବିଷର୍ଣ୍ଣ ସମୟକୁ ହତ୍ୟା କରିବା ପାଇଁ ମଠ ଠାରୁ ରେସ୍ତୁରାଁ, ବାର୍‌, କ୍ଳବ୍‌, ଯାହାହେଲେ ବି ଚଳିବ !

 

ସିଏ ଆଜି ସନ୍ଧ୍ୟାରେ ବୁରୁଜ ପାଖରେ ସେଇ ନିରୋଳା ବେଞ୍ଚ ପାଖକୁ ଆସିଥିବେ ତ-? ....ରମଣୀକାନ୍ତ ବହୁ ଗବେଷଣା ପରେ ତାଙ୍କ ନାମ ଓ ଠିକଣା ସଂଗ୍ରହ କରି ପାରିଛନ୍ତି......ମିସ୍‌ ମାଳିକା ଦେବୀ, ଏକ ଗାର୍ଲସ୍‌-ସ୍କୁଲର ହେଡ୍‍ମିଷ୍ଟ୍ରେସ୍‌ । ମଉଳା ଫୁଲର ସବୁଜ ବୃନ୍ତପରି ତାଙ୍କର କ୍ଳାନ୍ତ କୁମାରୀତ୍ୱ....ମନରେ କରୁଣା ଆଣେ । ନାଃ.....ଭଜନ ଗାଇବା ଉଚିତ । ....ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ !

 

ବାସ୍ତବିକ୍‌ ପ୍ରବଳ ମତ୍ତବାରଣ ଏକା ! ....ବନ୍ଧତଳେ ଫିଆଟ୍‌ ଗାଡ଼ିଟାଏ ହଠାତ୍‌ ବ୍ରେକ୍‌ କଷି ରହିଗଲା । ....ଭିତରୁ ମତ୍ତବାରଣ ପରି ଲମ୍ଫ ଦେଇ ବାହାରି ଆସିଲେ ଦିବ୍ୟ ମିଥୁନ ମୂର୍ତ୍ତି.....କିନ୍ନରଙ୍କ ବୟସ ନିଶ୍ଚୟ ପଚାଶ ଟପିବଣି, ଅନ୍ତତଃ ଦୁଇପାଖର କାନମୁଣ୍ଡା ଉପରକୁ ପାଚିଲା ବାଳ ସବୁ ତାଙ୍କ ତାରୁଣ୍ୟ ବିରୁଦ୍ଧରେ ଘରଶତ୍ରୁ ବିଭୀଷଣ ପରି ଷଡ଼ଯନ୍ତ୍ର ଆରମ୍ଭ କରିଦେଲେଣି ! ସେଥିରେ ପୁଣି ଚିପା ପାଇଜାମା, ପ୍ରଜାପତି ଡେଣା ପରି ଟେରେଲିନ୍‌ ଟି’ ସାର୍ଟ ! ଛାତି ପକେଟ୍‌ରେ ଲାଲ୍‌ ରୁମାଲର ଔଦ୍ଧତ୍ୟ । ଲାସ୍ୟମୟୀ କିନ୍ନରୀଙ୍କୁ ଦେଖି ଅଜଗର ସାପ ପରି ଗୁଡ଼ାଇ ହୋଇଥିବା ମଫଲରଟିକୁ ରମଣୀକାନ୍ତ ଏକ ଅକଥନୀୟ ଆତଙ୍କରେ ବେକରୁ କାଢ଼ି ପକାଇଲେ ! ....ମଫଲରଟାକୁ ହାତରେ ଗୋଟିଏ ପିଣ୍ଡୁଳାପରି ବଳି ରମଣୀକାନ୍ତ ବନ୍ଧତଳକୁ ଫିଙ୍ଗି ଦେବାଲାଗି ସ୍ଥିର କଲେ; କିନ୍ତୁ ଡାକ୍ତରଙ୍କ ପରାମର୍ଶ ମନେ ପଡ଼ିଲା; ଗଳାର ଗ୍ଳାଣ୍ଡସ୍‌ ଗୁଡ଼ା କୁଆଡ଼େ ଭାରୀ ସ୍ପର୍ଶପ୍ରବଣ । ଥଣ୍ଡା ଲାଗିଲେ ସାଇନୋ ସାଇଟିସ୍‌ ଫେରାନ୍‌ଜାଇଟିସ୍‌ ପ୍ରଭୃତି ଗ୍ରୀକ୍‌ ଶବ୍ଦ ସବୁ କୁଆଡ଼ୁ କୁଆଡ଼ୁ ହଠାତ୍‌ ମାଡ଼ିଆସିବ ! ହୃଦୟଟା କିନ୍ତୁ ନିତାନ୍ତ ଅନାସକ୍ତ, ‘ଗୀତା’ରା ଭାଷାରେ ଯାହାକୁ କୁହାଯାଏ ଗୁଣାତୀତ ! ଗ୍ରୀଷ୍ମ, ବର୍ଷା, ଶୀତ, ବସନ୍ତ ହୃଦୟକୁ ଲାଗେ ନାହିଁ ! ରମଣୀକାନ୍ତ ବେକରେ ମଫଲରଟାକୁ ପୁଣି ବହଳ ଭାବରେ ଗୁଡ଼ାଇନେଲେ ।

 

‘‘ଏଇ ଯେ ରମଣୀବାବୁ !’’ ରମଣୀ ତ ସ୍ତ୍ରୀଲିଙ୍ଗ ବାଚିକା ‘‘ବାବୁଟି’’ ମଧ୍ୟ ତା’ହେଲେ କଣ ସ୍ତ୍ରୀଲିଙ୍ଗବାଚିକା ? ବାବୁମାନେ ଯେପରି ନିରୀହ ଗୋବିଚାରୀ, ହଲିଲା ପାଣିକୁ ପାଦ ବଢ଼ାନ୍ତି ନାହିଁ; କ୍ଳୀବଲିଙ୍ଗ ହେଲେ ବି କ୍ଷତି କଣ ? .....ଚୈତ୍ରପବନର ରେସମୀ ଆକ୍ରମଣରୁ ଆତ୍ମରକ୍ଷା କରିବା ପାଇଁ ଅବସରପ୍ରାପ୍ତ ଡେପୁଟି ନଳିନାକ୍ଷ ବାବୁ ଦେହରେ ଗୋଟାଏ ଉଲେନ ଓଭରକୋଟ ଓହଳାଇ, ଫସଲକଟା ଶୂନ୍ୟକ୍ଷେତରେ ଗତବର୍ଷର ପାଳଭୂତ ପରି, ସାନ୍ଧ୍ୟଭ୍ରମଣରେ ବାହାରିଥିଲେ-। ଚାହୁଁ ଚାହୁଁ ପୋକକଟା ଗନ୍ଧକଗନ୍ଧିତ ସ୍ତୂପୀକୃତ ଉଲ୍‌ ଭିତରୁ ଗୋଟାଏ ଶିରାଳ ହାତ ବାହାରି ଆସିଲା ରମଣୀକାନ୍ତଙ୍କ କରପୀଡ଼ନ ପାଇଁ । ରମଣୀକାନ୍ତ ସେତେବେଳେ ଅସ୍ତୋନ୍ମୁଖ ସୂର୍ଯ୍ୟର ଲୋହିତ ସାଗରରେ ହାବୁଡ଼ୁବୁ ଖାଇ ରୁଦ୍ଧଶ୍ୱାସ ହୋଇ ସେଥିରୁ ଉଦ୍ଧାର ପାଇଁ ଗୋଟିଏ ହାତର ଅବଲମ୍ୱନ ପ୍ରତୀକ୍ଷା କରୁଥିଲେ ନିଶ୍ଚୟ । ମାତ୍ର ତାହା ଏପରି ଗ୍ରନ୍ଥିଳ, ଶିରାଳ ନୁହେଁ । ସୁଗୋଲ-। ସେଥିରେ ପଦ୍ମପଳାଶର କୋମଳତା । ମଣିବନ୍ଧ ଉପରେ ପଟେ ପଟେ ସରୁ ଚୂଡ଼ୀ । ‘‘ଚୂଡ଼ୀୟା ବାର ବାର କର କାଇରେ !’’ ଖେଆଲ୍‌ ଗାୟିକା ଫିରୋଜା ବାଈ ଆଜି ବୁଢ଼ୀ ହେବଣି ! ଏଇ ଚୈତ୍ର ସନ୍ଧ୍ୟାରେ ତାର ନୀରବ ତାନପୁରା ଉପରେ କେତେ ପରସ୍ତ ଧୂଳି ଜମି ଉଠିବଣି କେଜାଣି-? ଫିରୋଜା ଏବେ ବୋଧହୁଏ ତାନପୁରା ଛାଡ଼ି, ଗୁଆକାତିରେ ଗୁଆକାଟିବାର ଖଟ୍‌ କଟ୍‌ ଝଙ୍କାର ଉଠାଉଥିବ । ଜୀବନର ଇଏ ଗୋଟିଏ ସାଙ୍କେତିକ ପ୍ରତୀକ....ଧୂଳିବସା ନୀରବ ତାନପୁରା ପାଖରେ ଶାଣଦିଆ ଗୁଆକାତି; ଡୁବିତାବଲା ପାଖରେ ପାନବାକ୍‌ସ; କୃଶାଙ୍ଗୀ ଫିରୋଜା ପାଖରେ ସ୍ଥୂଳଙ୍ଗିନୀ ଫିରୋଜା ବାଈ, କଣ୍ଠରେ ଘଡ଼ଗଡ଼ିଆ କାଶ ଭିଡରେ ଖେଆଲର ଆଳାପ ନୀରବ ହୋଇସାରିଛି । .....ଲୋହିତ ସମୁଦ୍ରରେ ଟାଇଫୁନ୍‌ ଉଠିଛି ! ରମଣୀକାନ୍ତ ଅନ୍ୟମନସ୍କ ଭାବରେ ନଳିନାକ୍ଷ ବାବୁଙ୍କ କରମର୍ଦ୍ଦନ କରି ପୁଣି ସେହି ଲୋହିତ ସମୁଦ୍ରରେ ହାବୁଡ଼ୁବୁ ଖାଇବା ଆରମ୍ଭ କଲେ ।

 

ନଳିନାକ୍ଷ ବାବୁ କହିଲେ....‘‘ଆଜିର କ୍ରନିକଲ କାଗଜରେ ମୋର ଲେଟର ଟୁ ଦି ଏଡ଼ିଟର୍‌ଟା ପଢ଼ିଛନ୍ତି ? ମୁଁ ସେଥିରେ ଲେଖିଛି, ଆମ ସହରର ବାଜେ ହାଲତ୍‌ କଥା । ଦେଖନ୍ତୁ ନାଁ କି ଅତ୍ୟାଚାର ! (ରମଣୀକାନ୍ତ ସେଥିପ୍ରତି କର୍ଣ୍ଣପାତ ନକରି କିନ୍ତୁ ଚାହିଁ ଦେଖୁଥିଲେ ଅସ୍ତସୂର୍ଯ୍ୟର ଅତ୍ୟାଚାର !) ମୁଁ କିନ୍ତୁ ମ୍ୟୁନିସିପାଲିଟି ନିର୍ବାଚନରେ ଏଥର ଆପଣଙ୍କ ୱାର୍ଡ଼ରୁ ଠିଆ ହେଉଛି ନିଶ୍ଚୟ ! ଦେଖାଯାଉ ସିଟୀ-କମିଟୀ ମୋତେ ଟିକେଟ୍‌ ଦେଉଛନ୍ତି କି ନାହିଁ ! ....ଶୁଣୁଛନ୍ତି ? ହୋ ରମଣୀ ବାବୁ ! ନୋହିଲେ ମୁଁ ହେବି ସ୍ୱାଧୀନ ! ଆପଣଙ୍କ ମତ କଣ ?’’

 

ନଳିନାକ୍ଷ ବାବୁ ପଥର ବନ୍ଧ ଉପରେ ହଠାତ୍‌ ତାଙ୍କର କେଉଁ ଭାବୀ ଭୋଟରଙ୍କୁ ଦେଖିପକାଇଲେ ପରା ! ରମଣୀକାନ୍ତଙ୍କ ଉତ୍ତର ପାଇଁ ଅପେକ୍ଷା ନ କରି ସେଆଡ଼େ ସେ ପଲାଶି ଗଲେ ! କଣ୍ଠରେ ତାଙ୍କର ଗୋଟାଏ ସରବ ସ୍ୱଗତୋକ୍ତି....ବୋଧହୁଏ ରମଣୀକାନ୍ତଙ୍କ ପ୍ରତି ଆକ୍ଷେପ-! ‘‘ହୁଃ, ଆମ ଲୋକଙ୍କର ତ ଗୋଟାଏ ସିଭିକ୍‌ ସେନ୍‌ସ ହେଲାନାହିଁ !’’

 

ସିକ୍‌ସ୍‌ଥ୍‌ ସେନ୍‌ସ ପରେ ଆଉ ଗୋଟାଏ ନୂଆ ସେଭେନ୍‌ଥ ସେନ୍‌ସ ବୋଧହୁଏ ! ରମଣୀକାନ୍ତ ଉନ୍ମନା ଭାବରେ ଚିନ୍ତା କରୁଥିଲେ ! ପଛଆଡ଼ୁ କୁହାଟ ଶୁଭିଲା ‘‘ଏ କିଏ ରମଣୀବାବୁ ନା ?’’ ....ରମଣୀକାନ୍ତ ଫେରିପଡ଼ି ଚାହିଁଲେ । ସମ୍ମୁଖରେ ହାଇକୋର୍ଟର ବାଘା ଓକିଲ ହରିଭଜନ ବାବୁ ସ୍ୱୟଂ ସଶରୀରେ ! ‘‘ଆପଣ କିପରି ଲୋକ କହନ୍ତୁ ତ ? ସ୍ୱରୂପାନନ୍ଦ ଠାକୁରଙ୍କ ଉତ୍ସବକୁ ଗଲେ ନାହିଁ ! ସ୍ୱରୂପାନନ୍ଦ ଠାକୁର ସ୍ୱୟଂ କଳ୍‌କୀଅବତାର ହେ ! ତାଙ୍କ ଆଶୀର୍ବାଦ ଥିଲେ, ମହାପ୍ରଳୟର ବାଧା ଲାଗିବ ନାହିଁ !’’ ଏହା ପରେ ନିଶ୍ଚୟ ଆରମ୍ଭ ହୋଇଯିବ ଭୂତ, ପ୍ରେତ, ପରଜନ୍ମ, ପୂର୍ବଜନ୍ମ କଥା ! ....ସେଥିରୁ ଆତ୍ମରକ୍ଷା ପାଇଁ ରମଣୀକାନ୍ତ ଊର୍ଦ୍ଧ୍ୱଶ୍ୱାସ ହୋଇ ଆଗକୁ ପ୍ରାୟ ଦଉଡ଼ି ପଳାଇଲେ !

 

ଆଃ....ଏଇ ଗୋଟାଏ ଇହକାଳକୁ ତ ସମ୍ଭାଳି ହେଲାନାହିଁ ! ସେଥିରେ ପୁଣି ଆଉ ଗୋଟାଏ ପରକାଳର ଚିନ୍ତା ! ଆଗରେ ପଥରବନ୍ଧର ବୁଲାଣି ମୋଡ଼ଟା ବାଙ୍କିଗଲେ, ବୁରୁଜ ଉପରେ ସେହି ସିମେଣ୍ଟ-ବେଞ୍ଚଟା ଦିଶିବ । ଆଉ ତା’ ପାଖକୁ ଲାଗି ସେଇ ଥୁଣ୍ଟା କାଠଚମ୍ପା ଗଛ ! ....ମିସ୍‌ ମାଳିକା ଦେବୀ ଆଜି ମଧ୍ୟ ସେଠାରେ ସେଇ ସିମେଣ୍ଟ ବେଞ୍ଚ ଉପରେ ବସି ଅଡ଼ୁଆ ହୋଇପଡ଼ିଥିବା ଜୀବନର ଉଲ ପିଣ୍ଡୁଳାଟା ବୁଣୁଥିବେ କି ?

 

ଦୁଇ

 

ଆଜି ମଧ୍ୟ ଥୁଣ୍ଟା କାଠଚମ୍ପାର ଗୋଟାଏ ପୁଷ୍ପିତ ଡାଳରେ ସେଇ ଅସଭ୍ୟ ଏଣ୍ଡୁଅଟା ଦଣ୍ଡ ଭଙ୍ଗିବା ପରି ଉଠ୍‌ପଡ଼୍‌ ହେଉଥିଲା । ମିସ୍‌ ମାଳିକା ଦେବୀ ହେଡମିଷ୍ଟ୍ରେସ ସୂର୍ଯ୍ୟାସ୍ତର ଲୋହିତ ସ୍ୱୈରାଚାର ଭିତରକୁ ଚାହିଁ ସେହି ଭୟଙ୍କର ସମସ୍ୟାର ସମାଧାନ ପାଇଁ ଯେତିକି ଚେଷ୍ଟା କରୁଥିଲେ, କୋଳରେ ପଡ଼ିଥିବା ଉଲପିଣ୍ଡୁଳା ପରି ତାହା ସେତିକି ଅଡ଼ୁଆ ହୋଇ ପଡ଼ୁଥିଲା ।

 

ବିପରୀତ ଆଡ଼ୁ ବୁରୁଜ ଉପରକୁ କିଏ ଜଣେ ସାନ୍ଧ୍ୟାଭ୍ରମଣକାରୀ ଓଠରେ ପାଇପ ଧୂଆଁ ଛାଡ଼ି ଛାଡ଼ି ଉଠି ଆସୁଥିଲେ । ମିସ୍‌ ମାଳିକା ଦେବୀ ଶାଢ଼ିର ଜଞ୍ଜାଳ ଭିତରୁ ନିଜର ବାମ ବାହୁଟିକୁ ଅକାରଣରେ ଉନ୍ମୋଚିତ କରି ରକ୍ତିମ ଗୋଧୂଳିର ପ୍ରାୟାନ୍ଧକାର ମଧ୍ୟରେ ଆଗନ୍ତୁକଙ୍କ ଆଡ଼େ ନ ଚାହିଁବା-ପରି ଚାହିଁବା ଆଖିରେ କଣେଇଁ ଚାହିଁଲେ ! ଛାତି ଉପରେ ସ୍କାର୍ଫଟା ସମ୍ପୂର୍ଣ୍ଣ ସଂଯତ ଅବସ୍ଥାରେ ରହିଥିଲା । ଚୈତାଳୀ-ଘୂର୍ଣ୍ଣୀ ସେ ନିଷିଦ୍ଧ ଅଞ୍ଚଳରେ ଅନୁପ୍ରବେଶ କରିବାର ଦୁଃସାହସ କରୁ ନଥିଲା । ହୁଏତ ତାର ସେପରି ଅଭିପ୍ରାୟ ନ ଥିଲା । ପଲ୍ଲୀପଥରେ ଗ୍ରାମବଧୂର ଅଞ୍ଚଳ ଉଡ଼ାଇବାରେ ଯେଉଁ ଉତ୍ତେଜନା, ଏ ପଥରବନ୍ଧରେ, ଉଲେନ ସ୍କାର୍ଫ ତଳେ, ବ୍ରେସରୀର ସ୍ତନ-କବର ତଳେ ତାହା ଥାଏ କାହିଁ ?

 

ଆଗନ୍ତୁକ ଜଣକ ମିସ୍‌ ମାଳିକା ଦେବୀଙ୍କ ଆଡ଼େ ଥରେ ନିତାନ୍ତ ଅନାସକ୍ତ, ବ୍ୟଞ୍ଜନାହୀନ ଆଖିରେ କଣେଇ ଚାହିଁ, ରାତିଅଧରେ ମାର୍ଶାଲିଙ୍ଗ୍‌-ୟାର୍ଡ଼ରୁ ଗୋଟାଏ ନିଃସଙ୍ଗ ରେଳ-ଇଞ୍ଜିନ ପରି ପାଇପରୁ ଧୂଆଁ ଛାଡ଼ିଛାଡ଼ି ଚାଲିଗଲେ । କାଠଚମ୍ପା ଗଛର ଥୁଣ୍ଟା ଡାଳରେ ଏଣ୍ଡୁଅଟା ତଥାପି ଦଣ୍ଡପ୍ରଣାମ କରିବା ପରି ଉଠପଡ଼ ହେଉଥିଲା ।

 

ମାଳିକା ଦେବୀ ଘୋର ବିରକ୍ତିରେ ଷ୍ଟିଚର ଦୁଇଟାକୁ ଉଲ୍‌-ପାଟର୍ଣ୍ଣ୍‌ ଭିତରକୁ ବିଦ୍ଧ କରିଦେଇ ହଠାତ୍‌ ଯେପରି ବହୁବେଳୁ ଅଣ୍ଡାଳି ହେଉଥିବା ସେହି ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିଗଲେ....କରୁଣା ମହାପାତ୍ରକୁ ଏଥର ହଷ୍ଟେଲରୁ ନିଶ୍ଚୟ ବିତାଡ଼ିତ କରିବାପାଇଁ ପଡ଼ିବ । ଅକଥନୀୟ ହିଂସ୍ରତାରେ ମାଳିକା ଦେବୀଙ୍କ ମନ ବିଷାକ୍ତ ହୋଇଉଠିଲା । ଥରେ ନୁହେଁ, ଇତିମଧ୍ୟରେ ତିନି ତିନିଥର ସେ ଦେଖି ସାରିଲେଣି; ହଷ୍ଟେଲପଛପଟ ବଗିଚାରେ ସେହି ଲୋକଟା ସହିତ କରୁଣାର ଅଶ୍ଳୀଳ ପ୍ରେମାଳାପ, ମିଳନ ! ସେଇ ଯୁବକ ଜଣକ ପ୍ରତି ସନ୍ଧ୍ୟାରେ ଠିଆହୁଏ ଆସି ହଷ୍ଟେଲ ପାଚେରୀ ସେପାଖେ । କରୁଣା ଯେପରି ତାର ଆସିବା ମୁହୂର୍ତ୍ତକୁ ଉତ୍କଣ୍ଠିତ ଭାବରେ ପ୍ରତୀକ୍ଷା କରି ବସିଥାଏ, କେଉଁଠି ଲୁଚି ଛପି ! ତା’ପରେ ଚାଲେ ସେ ଦୁହିଁଙ୍କ ମଧ୍ୟରେ ଆଳାପ ! ଅଶ୍ଳୀଳ ପ୍ରେମାଳାପ ନିଶ୍ଚୟ ! ମାଳିକା ଦେବୀଙ୍କ ଭାବନାର ସ୍ରୋତ ହଠାତ୍‌ ଗୋଟାଏ ସ୍ମୃତିର ବାଲିବନ୍ଧରେ ବାଧା ପାଇ ବନ୍ଦ ହୋଇଗଲା ।

 

ଜୟଦୀପ କିନ୍ତୁ ଗାର୍ଲସ୍‌ ହଷ୍ଟେଲ ପାଚେରୀ ସେପାଖେ ମାଳିକା ପାଇଁ ଅପେକ୍ଷା କରୁ ନଥିଲା । ପାଚେରୀ ଡେଇଁ ଯେପରି ଗୋଟାଏ ରେନ୍‌ ୱାଟର-ପାଇପ୍‌ ଧରି, ଜୟଦୀପ ଉପରମହଲାରେ ମାଳିକା ଦେବୀଙ୍କ ସିଙ୍ଗଲ-ସିଟେଡ୍‌ ରୁମ୍‌ରେ ଥରେ ନିଶାର୍ଦ୍ଧରେ ପହଞ୍ଚିଥିଲା; ସେ ଦୁର୍ବାର ପ୍ରେମର ଦୁଃସାହସିକତା ଆଜି ସୁଦ୍ଧା ତାଙ୍କ ଦେହରେ ରୋମାଞ୍ଚ ଆଣେ । ଜୟଦୀପ୍‌ ଶେଷରେ କିନ୍ତୁ ଶଠତା କଲା । ରାଜୀବ ବର୍ତ୍ତମାନ ଜଣେ ପଦସ୍ଥ ପ୍ରଫେସର ! ମାଳିକା ତାକୁ ବିବାହ କରିବାରେ କଣ ବା ଆପତ୍ତି ଥିଲା ? ସେ ତ ଥିଲା ମାଳିକାର ନିତାନ୍ତ ବଶମ୍ୱଦ ମାଳାକାର-! କିନ୍ତୁ ରାଜୀବ ଥିଲା ଗୋବିଚାରୀ; ଆଘାତ ଦେବାର ଶକ୍ତି ତାଠାରେ ନ ଥିଲା-। ସେ ତିଆରି ହୋଇଥିଲା କେବଳ ଯେପରି ସର ଲବଣିରେ । ତାକୁ ବିବାହ କରି ଘର ସଂସାର ବାନ୍ଧିବା ଚଳେ; କିନ୍ତୁ ଦେହ ଓ ମନ ସେତେବେଳେ ଖୋଜୁଥିଲା ଦୁର୍ବାର ପ୍ରେମର ରୋମାଞ୍ଚ !

 

ଏଣ୍ଡୁଅଟା ତଥାପି କାଠଚମ୍ପା ଡାଳରେ ଦଣ୍ଡପ୍ରଣାମ କରୁଛି । କ୍ରମେ ତାହାର ଆକାର ଅସ୍ପଷ୍ଟ ହୋଇ ଆସିଲାଣି । ମାଳିକା ଦେବୀ ମନେ ମନେ ସେହି ବୀଭତ୍ସ ବସ୍ତୁଟାର ଆକାର କଳନା କଲେ....ଛଅଇଞ୍ଚ ଲମ୍ୱ ଏକଇଞ୍ଚ ଗୋଲେଇର ଖଣ୍ଡେ ଯନ୍ତ୍ରଣା ।

 

ରାଜୀବ ଥିଲା ବିଦଗ୍‌ଧ ପ୍ରେମିକ; କିନ୍ତୁ ନାରୀ କ’ଣ ଚାହେଁ କେବଳ କାବ୍ୟମୟ ପ୍ରେମ-? ସେ କ’ଣ ଚାହେଁ ନାହିଁ ଉତ୍ତେଜନା ଓ ବୈଚିତ୍ର୍ୟ ? କରୁଣା ଓ ସେଇ ଯୁବକଟା ମଧ୍ୟରେ କି ଆଳାପ ହେଉଥିବ ? ମାଳିକା ଦେବୀ ନିଜ କଳ୍ପନାରେ ତାହାର ଗୋଟାଏ ଖସଡ଼ା ତିଆରି କଲାବେଳେ, ତାହା ଅଶ୍ଳୀଳତାରେ ଅପାଠ୍ୟ ହୋଇଉଠିଲା । ମାଳିକା ଦେବୀ ଏହାର ପରବର୍ତ୍ତୀ ସିଦ୍ଧାନ୍ତରେ ଉପନୀତ ହେଲେ, କରୁଣାକୁ ସେ କେବଳ ହଷ୍ଟେଲରୁ ବାହାର କରି ଦେବେନାହିଁ; ସ୍କୁଲରୁ ମଧ୍ୟ ରଷ୍ଟିକେଟ୍‌ କରିଦେବେ । ଅପରାଧ ତୁଳନାରେ ଶାସ୍ତିଟା ଗୁରୁତର ହେଲା କି ? ହେଉ ପଛେ, କରୁଣାର ଇହକାଳ ପରକାଳ ସେ ନଷ୍ଟ କରିଦେବେ ! ତାହେଲେ ଯାଇଁ ତାଙ୍କ ଶିକ୍ଷାୟତନରେ, ପୁଣି ସମାଜରେ, ଡିସିପ୍ଳିନ୍‌ ଆଉ ମୋରାଲ-ହାଇଜିନ୍‌ର ମର୍ଯ୍ୟାଦା ସୁରକ୍ଷିତ ହୋଇପାରିବ ।

 

ଚୈତାଳୀର ଦୁଷ୍ଟ ଚପଳତାରୁ ବାମ ବାହୁ ଆଉ ସ୍ତନୋଦ୍ଧତ ବକ୍ଷ ରକ୍ଷା କରିବା ପାଇଁ ମାଳିକା ଦେବୀ ଉଲେନ ସ୍କାର୍ଫରେ ପୁଣି ସେସବୁ ବହଳ ଭାବରେ ଆବୃତ କରିଦେଲେ ।

 

ତିନି

 

ବନ୍ଧ ଉପରେ ଅଳ୍ପଦୂରରେ ବତୀ-ଖୁଣ୍ଟରେ ଆଲୁଅ ଜଳିଉଠିଲା । ରମଣୀକାନ୍ତ ମାଳିକାଦେବୀଙ୍କ ଠାରୁ ଅଦୂରରେ, ବୁରୁଜ-ପାଚେରୀ ବାଡ଼ାରେ ଅଳସ ଭାବରେ ଦେହ ଭାଙ୍ଗି ଠିଆ ହୋଇ, ଆଉ ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇଲେ । ଥର ଥର କରି କେତେଥର ସେ ଦିଆସିଲି କାଠି ଜାଳିଲେ ଓ ନିଜେ ଫୁଙ୍କି ତାହା ପୁଣି ନିଭାଇଦେଲେ । ମାଳିକା ଦେବୀ ତାଙ୍କ ଆଡ଼େ ଚାହିଁ ଦିଆସିଲି କାଠିର ଆଲୋକରେ ରମଣୀକାନ୍ତଙ୍କ ମୁହଁକୁ ଲକ୍ଷ୍ୟ କରୁଥିଲେ ଓ ରମଣୀକାନ୍ତଙ୍କ ଅସହାୟତାରେ ମନେମନେ ସମବେଦନା ପ୍ରକାଶ କରୁଥିଲେ । ଏଇ ଅପରିଚିତ ଜଣକ, ଏମିତି ଖାଲି ବୁଲି ବୁଲି, ଗତ କେତେ ସନ୍ଧ୍ୟାରେ ମାଳିକା ଦେବୀଙ୍କ ବେଞ୍ଚପାଖକୁ ଆସୁଛି; ନାଁ ତା’ ପଛରେ ଅଛି କୌଣସି ସୁପରିକଳ୍ପିତ ଉଦ୍ଦେଶ୍ୟ ?

 

ଇଲେକ୍‌ଟ୍ରିକ ବତୀଖୁଣ୍ଟର ମଳିନ ଆଲୋକ ମାଳିକା ଦେବୀଙ୍କର ବଳୀରେଖାଙ୍କିତ ଅଠତିରିଶ ବର୍ଷ ବୟସ ଉପରେ ଲାବଣ୍ୟର ଗୋଟାଏ ପ୍ରଲେପ ବୋଳିଦେଇଥିଲା । ସନ୍ଧ୍ୟାର ତରଳ ଅନ୍ଧକାର ମଧ୍ୟରେ ସେ ଦିଶୁଥିଲେ ଶିଶିରସ୍ନାତା ଗୋଟିଏ କିଶୋରୀ ପରି ।

 

ସିଗାରେଟ୍‌ ଧୂଆଁ ତଣ୍ଟିରେ ଲାଗି ବୀଭତ୍ସ କାଶର ଅଶ୍ଳୀଳ ଚିତ୍କାରରେ ସନ୍ଧ୍ୟାର ସେହି ଶାନ୍ତ, ନିଭୃତ ପରିବେଶ ହଠାତ ଯେପରି ମରଣାନ୍ତକ ଆର୍ତ୍ତନାଦ କରି ଉଠିଲା ।

 

ମାଳିକା ଦେବୀ ନିଜର ଅଜ୍ଞାତରେ କେତେବେଳେ ବାମବାହୁ ପୁଣି ଅନାବୃତ କରି ଦେଇଥିଲେ । ଦେହ ଉପରେ ସ୍କାର୍ଫ ସଜାଡ଼ୁ ସଜାଡ଼ୁ ସ୍କାର୍ଫଟା କେତେବେଳେ କୋଳ ଉପରେ ଖସି ପଡ଼ିଥିଲା । ଚୈତାଳୀ ପବନର ଗୋଟାଏ ଚପଳ ଘୂର୍ଣ୍ଣୀ ମାଳିକା ଦେବୀଙ୍କ ଛାତି ଉପରୁ ଶାଢ଼ିର ଅଞ୍ଚଳଟା ହଠାତ୍‌ ଉଡ଼ାଇ ନେଇଥିଲା । ମାଳିକା ଦେବୀ ଛାତି ଉପରେ ଶାଢ଼ିର ଅସଂବୃତ ଅଞ୍ଚଳ ସଜାଡ଼ୁ ସଜାଡ଼ୁ, ମନେ ମନେ ଆଶଙ୍କା କରୁଥିଲେ, ଏ ଅଜଣା ଲୋକଟା ହଠାତ୍‌ ଯଦି ଏଇ ନିଛାଟିଆ ସନ୍ଧ୍ୟାରେ ଅନାହୂତ ଭାବରେ ତାଙ୍କ ପାଖକୁ ଆସି ଏଇ ସିମେଣ୍ଟ ବେଞ୍ଚ ଉପରେ ବସିଯାଏ ? ନାଃ.....ସେପରି ଆଶଙ୍କା ବୃଥା । ମାଳିକା ଦେବୀ ପ୍ରୌଢ଼, ମୁହଁରେ ତାଙ୍କର ବଳୀରେଖା ସବୁ କ୍ରମେ ଗଭୀର ହୋଇ ଆସିଲାଣି; କାନମୁଣ୍ଡା ଉପରେ କେଇକେରା ବାଳ ଧଳା ପଡ଼ିଆସିଲାଣି, ଏ ସବୁ ଲକ୍ଷ୍ୟ କରି ଦେଖିବା ପାଇଁ, ଲୋକଟାକୁ ବିଶେଷ ବିଳମ୍ୱ ଲାଗି ନଥିବ ।

 

କିନ୍ତୁ ମାଳିକା ଦେବୀ ସେପରି ଚିନ୍ତାରେ ଆଶ୍ୱସ୍ତା ହେଲେ ନାହିଁ । ତାଙ୍କର ବାନ୍ଧବୀ, ତାଙ୍କଠାରୁ ଅଳ୍ପ ବର୍ଷିୟସୀ କଲ୍ୟାଣୀ ଦେବୀଙ୍କ ଦୁର୍ଦ୍ଦଶା ମନେପଡ଼ିଲା । କଲ୍ୟାଣୀ ଦେବୀଙ୍କୁ ଏମିତି ପରିସ୍ଥିତିରେ ଗତବର୍ଷ ବଡ଼ଦିନ ଛୁଟୀରେ ଗୋପାଳପୁର ସମୁଦ୍ରବେଳାରେ ଗୋଟିଏ ନିଭୃତ ସ୍ଥାନରେ କିଏ ଜଣେ କୁଆଡ଼େ ରେପ୍‌ କରିବା ପାଇଁ ଚେଷ୍ଟା କରିଥିଲା ! କିନ୍ତୁ କଲ୍ୟାଣୀ ଦେବୀ ଚିତ୍କାର କରି ସେ ଲୋକଟାର ମୁହଁକୁ ଆମ୍ପୁଡ଼ି ଦେବାରୁ ସେଠାରୁ ସେ ପଳାଇଥିଲା । ସେକଥା ତାଙ୍କର ବହୁ ବାନ୍ଧବୀଙ୍କଠାରେ ପ୍ରକାଶ କରି, ପୁରୁଷଠାରୁ ଆତ୍ମରକ୍ଷା କରିବାରେ ନାରୀ କିପରି ନିତାନ୍ତ ଅବଳା ନୁହେଁ; ତାହା କଲ୍ୟାଣୀ ବର୍ଣ୍ଣନା କରିଥାଆନ୍ତି । କଳ୍ୟାଣୀଅପା କଥାରେ ଅବଶ୍ୟ ଶତକଡ଼ା ନବେ ଡିସକାଉଣ୍ଟ୍‌ ! ନିତାନ୍ତ ଉଦ୍ଭଟ୍ଟ କଳ୍ପନାରୁ ସେ ମନଗଢ଼ା କଥା ସବୁ କହେ, ଅଙ୍ଗେନିଭା କଥା ପରି । ତଥାପି ଏବେ ଏ ଲୋକଟା ଯଦି ସେହିପରି ଆସି, ତାଙ୍କ ନାରୀତ୍ୱ ହରଣ ପାଇଁ ଚେଷ୍ଟାକରେ ? ଚୈତାଳୀ ପବନରେ ତାଙ୍କର ଆର୍ତ୍ତନାଦ ଏ ଜନବିରଳ ନିଭୃତ ସନ୍ଧ୍ୟାରେ ଏଠି କିଏ ବା ଶୁଣିବ ? .....ଲୋକଟାର ଚେହେରାରେ ଅଛି ଜୟଦୀପ୍‌ର ଅନେକ ସାମଞ୍ଜସ୍ୟ । ତାର କପାଳ ଉପରେ ଲମ୍ୱ ବାଳସବୁ ଯେପରି ଅସଂଯତ ଭାବରେ ଉଡ଼ୁଛି, ନାକଟା ଯେପରି ଖଣ୍ଡାଧାରିଆ, ଚିପା ଓଠ ଦୁଇଟା ଯେପରି ଅନନ୍ତ ଯୁଗର କ୍ଷୁଧାରେ ବୁଭୁକ୍ଷୁ, ଓଠଟା ଯେପରି ସ୍ପର୍ଶାତୁର, ସବୁ ମିଶି ଜୟଦୀପ୍‌ର ଚେହେରାଟା ଅସ୍ପଷ୍ଟ ଭାବରେ ମନେ ପକାଇଦିଏ । ....ସେ ଲୋକଟା ଏଇ ଅଳ୍ପକ୍ଷଣ ପୂର୍ବେ କାଶୁଥିଲା; କିନ୍ତୁ ସେ କାଶଟା ହୁଏତ ତାହାର ଭୟଙ୍କର ଉପସ୍ଥିତି ଘୋଷଣା କରିବାପାଇଁ ! ମାଳିକା ଦେବୀ ସ୍ପଷ୍ଟ ଲକ୍ଷ୍ୟ କରି ପାରୁଥିଲେ, ସେ ଯେପରି ତାଙ୍କ ଆଡ଼େ କ୍ଷୁଧିତ ଆଖିରେ କେବଳ ସୁଯୋଗର ଅପେକ୍ଷାରେ ଅନାଇ ରହିଥିଲା ! ମାଳିକା ଦେବୀ ଅନୁମାନ କଲେ ସେ ଲୋକଟା ନିଶ୍ଚୟ ତାଙ୍କର ଅନୁଧାବନ କରିବ । ସେମାନେ ସେପରି କରିଥାନ୍ତି । ମାଳିକା ଦେବୀ ରମଣୀକାନ୍ତର ଉପସ୍ଥିତି ଆଦୌ ଲକ୍ଷ୍ୟ କରିନଥିବା ପରି ତା’ ପାଖ ଦେଇ ପାହାଚରେ ଧୀରେ ଧୀରେ ଓହ୍ଲାଇଗଲେ ! ଓହ୍ଲାଇବାବେଳେ, ଅନିଚ୍ଛାସତ୍ତ୍ୱେ ମାଳିକା ଦେବୀଙ୍କ ଦେହ ଓ ନିତମ୍ୱ ଚଇତାଳୀର ସ୍ପର୍ଶରେ ଯେପରି ଦୋଳାୟିତ ହୋଇଉଠିଲା । .....ରମଣୀକାନ୍ତ ସେତେବେଳେ କ୍ଳାନ୍ତ ଭାବରେ ବାଁ ହାତଟା ଛାତି ଉପରେ ରଖି ଆଉ ଗୋଟାଏ କାଶର ଲହର ଚାପି ଧରିବା ପାଇଁ ଚେଷ୍ଟା କରୁଥିଲେ । ସୂର୍ଯ୍ୟାସ୍ତର ଶେଷ ଦୀପ୍ତି ବହୁବେଳୁ ନିଭି ସାରିଥିଲା ।

 

ସମ୍ମୁଖରେ ଅସରନ୍ତି ବାଲିର ଶୂନ୍ୟ ରଙ୍ଗମଞ୍ଚ ଉପରେ କୁହୁଡ଼ିମିଶା ଅନ୍ଧାରର ଗୋଟାଏ ଯବନିକା ଓହ୍ଲାଇ ଆସିଥିଲା ।

Image

 

ଡା-ଡା

 

ଡିସେମ୍ୱରର ଶିଶିରଭିଜା ଗୋଧୂଳି, ଝରକାବାଟେ ଖଣ୍ଡେ ରଙ୍ଗଛଡ଼ା ପର୍ଦ୍ଦା ଉହାଡ଼ରେ ଭିତରକୁ ଉଙ୍କି ମାରି ଆସୁଥିଲା । କରୁଣାନିଧି ନିଃଶେଷିତ ସିଗ୍ରେଟ ଖଣ୍ଡକରେ ଗୋଟାଏ ଶେଷଟାଣ ଦେଇ, ତାହାକୁ ବିଡ଼ି, ଚୁରୁଟ୍‌ ଓ ସିଗ୍ରେଟ୍‌ର ଦଗ୍‍ଧ୍ୟାଂଶରେ ଭର୍ତ୍ତି ଆସ୍‌ଟ୍ରେ ରୂପେ ବ୍ୟବହୃତ ଗୋଟାଏ ଚା’ କପ୍‌ ଭିତରକୁ ମାଡ଼ିଦେଇ, ଟେବୁଲ ଉପରେ ମୁଣ୍ଡପୋତି ଲେଖୁଥିବା ‘‘ସମ୍ପାଦକଙ୍କୁ ଚିଠି’’ର ଚିଠା ଶେଷ କରୁଥିଲେ ।

 

ଚିଠିଟା ଥିଲା ‘‘ଘେରାଓ’’ର ଯଥାର୍ଥତା ଓ ଭାରତୀୟ ସଂସ୍କୃତିରେ ତାହାର ସପିଣ୍ଡତା ସମ୍ପର୍କରେ ! ଘେରାଓ ହିଁ ଆଜି ଜୀବନ-ପରିତ୍ରାଣର ଅବ୍ୟର୍ଥ ଉପାୟ ! ବୀଟ୍‌ନିକ୍‌-ତନ୍ତ୍ର ବା ହିପୀ-ତନ୍ତ୍ର ସମ୍ପର୍କରେ ଆଉ ଗୋଟିଏ ନିବନ୍ଧ ଲେଖିବା ପାଇଁ ମଧ୍ୟ ବାକି ଅଛି ! ରାମକୃଷ୍ଣ ବିବେକାନନ୍ଦ ଅଥବା ଗାନ୍ଧୀ ଜବାହାର୍‌ଲାଲ୍‌ ଭାରତର ବାଣୀ ଯେତେ ସଫଳ ଭାବରେ ବିଶ୍ୱରେ ପ୍ରଚାର କରିନଥିଲେ, ଭାରତୀୟ ଗଞ୍ଜେଇ ଓ ରବୀଶଙ୍କରଙ୍କ ସୀତାର ତାହା କରିବାରେ ଅଧିକ ସଫଳ ହୋଇଛି ! .....ମାତ୍ର ଏପରି ସବୁ ଚଟୁଳ, ଚମକପ୍ରଦ କଥାରେ କାହିଁକି, କୌଣସି କଥାରେ ସୁଦ୍ଧା, କରୁଣାନିଧିଙ୍କର ବଳିଷ୍ଠ ବିଶ୍ୱାସ ବା କନ୍‌ଭିକ୍‌ସନ ନଥାଏ । ତଥାପି ସେ ସେହିପରି କଥା ସବୁ କହନ୍ତି । କରୁଣାନିଧି କହନ୍ତି, କେବଳ ଡିକ୍‌ଟେଟ୍‌ର୍‌ମାନଙ୍କଠାରେ ହିଁ କନ୍‌ଭିକ୍‌ସନ୍‌ ଥାଏ; କାରଣ ସେମାନେ ଭାବନ୍ତି, ସେଇମାନେଇ ଠିକ୍‌, ଆଉ ଦୁନିଆସାରା ସମସ୍ତେ ଭୁଲ୍‌ । ଇଣ୍ଟଲେକ୍‌ଚୁଆଲ୍‌ ମାନେ ହାମ୍‌ଲେଟ୍‌.....ଟୁ ବି ଅର୍‌ ନଟ୍‌ ଟୁବି....ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତି ! ....କିନ୍ତୁ ଏପରି ସବୁ ଉଦ୍ଭଟ ତତ୍ତ୍ୱ ଓ ତଥ୍ୟକୁ କୋଟେସନ୍‌-କଣ୍ଟକିତ କରି ଲେଖିବା ଓ ଅନ୍ୟମାନଙ୍କୁ ମତାମତ ପ୍ରକାଶର ଅବକାଶ ନଦେଇ, ଏକତରଫା ଭାବରେ ବଡ଼ ପାଟିରେ ତାହାକୁ ଶୁଣାଇଯିବା, କରୁଣାନିଧିଙ୍କର ଗୋଟାଏ ଅଭ୍ୟାସ ବା ବିକୃତି ସେ ଯେ ଏ ପରିଣତ ବାର୍ଦ୍ଧକ୍ୟରେ ସୁଦ୍ଧା ତଥାପି ସବୁଜ ଓ ସତେଜ ରହିଛନ୍ତି; ଏସବୁ ତାହାର ମଧ୍ୟ ଏକ ବିଜ୍ଞାପନୀ ଘୋଷଣା !

 

ଆଃ.....ସୁନୟନା ଚିଠିର ଜବାବ ସମ୍ପାଦକଙ୍କୁ ଚିଠି ଲେଖାର ଏ ଜଞ୍ଜାଳ ଭିତରେ ଆଜି ଆଉ ଲେଖା ହୋଇପାରିଲା ନାହିଁ ତ !

 

ସୁନୟନା ରାଗିଛି ! ତା ଚିଠିରେ ସେ ରାଗର ରକ୍ତିମା କିଛି କିଛି ସୁସ୍ପଷ୍ଟ ! ରାଗର ହେତୁ, କରୁଣାନିଧି ଅବଶ୍ୟ ବୁଝନ୍ତି ନାହିଁ; ମାତ୍ର ତାହା ହେଉଛି, କରୁଣାନିଧିଙ୍କ ସ୍ପର୍ଶତୁରତାହୀନ ବାର୍ଦ୍ଧକ୍ୟ । କିନ୍ତୁ କରୁଣାନିଧି ତାହା ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି ! ....କରୁଣାନିଧି ଭାବୁଥିଲେ, ସୁନୟନାକୁ ଉତ୍ତର ଲେଖିଲାବେଳେ ‘‘ଗୀତଗୋବିନ୍ଦ’’ରୁ କବି ଜୟଦେବଙ୍କର ଗୋଟିଏ ପଦ ଉଦ୍ଧାର କରିଦେଲେ କିପରି ହୁଅନ୍ତା ? ସତ୍ୟମେବାସୀ ଯଦି ସୁଦତିମୟି କୋପି...କିନ୍ତୁ ତା’ପରେ ଆଉ କଣ ?

 

ଆଃ.....‘‘ଗୀତଗୋବିନ୍ଦ’’ ଗଲେ କୁଆଡ଼େ ? କରୁଣାନିଧି ସମ୍ପ୍ରତି ବୈଷ୍ଣବତତ୍ତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି । ସେହି ଆଲୋଚନାରୁ ତ ସେଦିନ ସେ ଆବିଷ୍କାର କଲେ, ଭାରତୀୟ ସଂସ୍କୃତିରେ ‘‘ଘେରାଓ’’ର ଐତିହ୍ୟ ! ଗୋପୀଜନମାନେ କେବଳ ପ୍ରୀତି-କଣିକା ପାଇଁ କୃଷ୍ଣଙ୍କୁ ଘେରାଓ କରିନଥିଲେ, ଗୌଡର ଦର୍ପିତ ନବାବ୍‌ ହୁସେନ୍‌ ସାହାଙ୍କ ଅମାତ୍ୟ ଚାନ୍ଦ୍‌ କାଜୀଙ୍କୁ ମଧ୍ୟ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଘେରାଓ କରିଥିଲେ ସଂକୀର୍ତ୍ତନର ଅଧିକାର ପାଇଁ ! .....ରସଟା ଆଳଙ୍କାରିକ ଅର୍ଥରେ ସମସ୍ତେ ଗ୍ରହଣ କରି ସାରିଛନ୍ତି; କିନ୍ତୁ ବିଷୟଟି ସାହଜିକ ! ଗବେଷକ ଉଇଲିଙ୍ଗଡନ୍‌ ସାହେବ ଏବେ ଗୋଟାଏ ଥିସିସ୍‌ରେ ଲେଖିଛନ୍ତି, ଯାହାର ସାମାନ୍ୟ ‘‘ରିଭ୍ୟୁ’’ କେବଳ କରୁଣାନିଧି ପଢ଼ିଥିଲେ କୌଣସି ଏକ ପତ୍ରିକାରେ ! ବୈଷ୍ଣବ ରସତତ୍ତ୍ୱର ଗ୍ରନ୍ଥସବୁ ଯୌନ-ସାହିତ୍ୟ ଯୋଜନାକମିଶନ୍‌ ରିପୋର୍ଟ ଓ କ୍ରିମିନାଲ୍‌ ଫିକ୍‌ସନ୍‌ ଗହଳି ଭିତରେ ସ୍ତୂପୀକୃତ ହୋଇ କେଉଁଠି ପଡ଼ିଛି ! ....ଆଃ, ତାଙ୍କର ବହି ସବୁ ଯିଏ ସଜାଡ଼ି ରଖୁଥିଲେ, ସେତ ବର୍ତ୍ତମାନ ସ୍ୱର୍ଗରେ ! .....କୋକିଳାଦେବୀ, କରୁଣାନିଧିଙ୍କ ପରଲୋକଗତା ପତ୍ନୀ !

 

ଡିସେମ୍ୱରର ହେମାଳିଆ ଗୋଧୂଳି, ଗୋଟିଏ ଦୀର୍ଘଶ୍ୱାସରେ ମୁହୂର୍ତ୍ତକ ପାଇଁ ବିଧୁର ହୋଇଉଠିଲା ।

 

କୋକିଳା ଦେବୀ କରୁଣାନିଧିଙ୍କ ପଳାତକ ବହିପତ୍ର ସବୁକୁ ଯେପରି ଶୃଙ୍ଖଳାବଦ୍ଧ କରି ରଖିଥିଲେ; କରୁଣାନିଧିଙ୍କ ପରି ଲଗାମଛଡ଼ା ଅଶ୍ୱଟିକୁ ମଧ୍ୟ ଠିକଣା ରାସ୍ତାରେ ସେହିପରି ସଂଯତ କରି ରଖୁଥିଲେ । ମାତ୍ର ସେ ଯିବାଦିନୁ ସବୁ ବିପର୍ଯ୍ୟସ୍ତ, ବଲଗାମୁକ୍ତ ଅଶ୍ୱ ପରି ସବୁ ଅମାନିଆଁ ! .....କୋକିଳା ଦେବୀ, ଆଜି କାନ୍ଥରେ ଝୁଲୁଥିବା ଖଣ୍ଡେ ଫଟୋଫ୍ରେମ ଭିତରେ ଚେନାଏ ହଳଦିଆ ସ୍ମୃତି ମାତ୍ର !

 

ଆଃ.....ଏଇଠି ଯେ କବି ଜୟଦେବ ଇସ୍ତ୍ରୀକରା ଲୁଗା ଆଉ ପୁରୁଣା ଖବରକାଗଜର ଗହଳି ଭିତରେ ‘‘ଦେହ ପଦପଲ୍ଲବମୁଦାରଂ’’ କରିଛନ୍ତି ! ଆହା—ହା ! କି ଅମୃତନିସ୍ୟନ୍ଦିନୀ ପଦ ! ‘‘ସତ୍ୟମେବାମି ଯଦି ସୁଦତିଂମୟୀ କୋପିନୀ ଦେହି ଖରନୟନଶରାଘାତମ୍‌!’’ ଚିଠିରେ ସୁନୟନାକୁ ଏ ପଦଟା ଲେଖି ପଠାଇ ଦେବାପାଇଁ ପଡ଼ିବ । ସୁନୟନା କିନ୍ତୁ ସୁଦନ୍ତୀକୁ ଯଦି ଦାନ୍ତୁଡ଼ୀ ବୋଲି ବୁଝେ ବା ଅବୁଝେ ତା ହେଲେ ମୁଷ୍କିଲ୍‌ ! ସୁନୟନା ଇଷତ୍‌ ଦାନ୍ତୁଡ଼ୀ ! ସେଥିପାଇଁ ଦାନ୍ତ ବିଷୟରେ ସେ ଭାରୀ ସେନ୍‌ସିଟିଭ୍‌ ! ସୁନୟନା ଗୋଟିଏ ବାଳିକା ବିଦ୍ୟାଳୟରେ ପ୍ରାଥମିକ ଯୌନ-ବିଜ୍ଞାନର ଶିକ୍ଷୟତ୍ରୀ !

 

କରୁଣାନିଧି ଲୁଗାଥାକ ଭିତରେ ଗୋଟାଏ ସାର୍ଜ୍‌ସ୍କୀନ ଜାକେଟ୍‌ ଖୋଜୁଥିଲେ ।

 

ଫୁଲଦାନୀରେ ତିନିଦିନ ତଳର ରଜନୀଗନ୍ଧା ସବୁ ସେଦିନର ସ୍ମୃତି ପରି ହଳଦିଆ ପଡ଼ିଲାଣି । ଫୁଲ ମଉଳେ, ତା’ପରେ ଫିଙ୍ଗାଯାଏ; କିନ୍ତୁ ଏ ସ୍ତବକଟିକୁ ଫିଙ୍ଗିଦେବା ପାଇଁ, କରୁଣାନିଧିଙ୍କର ଇଚ୍ଛା ନଥିଲା । ଏହାକୁ ଫିଙ୍ଗିଦେବା ଅର୍ଥ, ଯାହା ନିଃଶେଷିତ ହୋଇଗଲା, ତାହାକୁ ଜୀବନର ପରିସର ଭିତରୁ ଫିଙ୍ଗି ଦେବା । କାଞ୍ଚନବାଳା ଯଦି ସୁନୟନା ପରି କରୁଣାନିଧିଙ୍କୁ ଏବେ ନିଃଶେଷିତ ଭାବି ତାର ହୃଦୟ ମନ୍ଦିରରୁ ଫିଙ୍ଗିଦିଏ ? ....ପ୍ରେମର ଗଭୀରତା ମାପିବା ଅପେକ୍ଷା କରୁଣାନିଧିଙ୍କ ବ୍ୟାଙ୍କ୍‌ବାଲାନ୍‌ସ୍‌ର ଦୈର୍ଘ୍ୟପ୍ରସ୍ଥ କଳିବା ପ୍ରତି କାଞ୍ଚନବାଳା ଅଧିକ ସଚେତନ !

 

ମାତ୍ର କାଞ୍ଚନ, ସେ ଯୁବକଟି ସମ୍ପର୍କରେ ତ ବେଶ୍‌ ଅକୁଣ୍ଠିତା ! କାଞ୍ଚନ ଅବଶ୍ୟ ଦେବାଦେବୀଙ୍କ ନାଁରେ ଅନେକ ହଲପ ନେଇ କହୁଛି; ଅତନୁ ସହିତ ତାହାର ସମ୍ପର୍କ ନିତାନ୍ତ ବିଦେହୀ; ଦେହଜନିତ ବ୍ୟାପାର ସେଥିରେ କିଛି ନାହିଁ ! ମାତ୍ର ଲୋଫର୍‌ ଅତନୁ ନର୍ସ୍‌ କାଞ୍ଚନର ଅର୍ଥରେ ଯେପରି ବେହିସାବୀ ତାରୁଣ୍ୟର ଖୋରାକ୍‌ ମେଣ୍ଟାଉଛି, ସହରରେ ତାହାତ ଜଣାକଥା ! ଅତନୁ ସହିତ କାଞ୍ଚନବାଳାର ମିଳାମିଶାଟା କିନ୍ତୁ ଅତ୍ୟନ୍ତ ଦୃଷ୍ଟିକଟୁ ! ପରିପୁଷ୍ଟ ଯୌବନରେ ଅତନୁର ନିଟୋଳ ଦେହ, ଭସାଭସା ଆଖି ଓ କପାଳ ଉପରେ ଅବିନ୍ୟସ୍ତ କେଶରାଶିର ଏକାଧିକ କୁଣ୍ଡଳୀ; କରୁଣାନିଧି ବିଗତ ପୌରୁଷ ପ୍ରତି ଏ ସବୁକୁ ଏକ ‘‘ଚାଲେଞ୍ଜ୍‌’’ ରୂପେ ଗ୍ରହଣ କରିଥାନ୍ତି ! କରୁଣାନିଧି ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ଏବେ ସେ ଜରାଜୀର୍ଣ୍ଣ ବୃଦ୍ଧ, ଜୀବନଯାତ୍ରାର ପଥଶେଷରେ କ୍ଳାନ୍ତ ପଥୁକୀ.....ଅତନୁ କିନ୍ତୁ ନବଯୌବନରେ ପ୍ରମତ୍ତ; ତଥାପି ପଡ଼ି ରହିଥିବା ଦୂର-ପଥର ଆହ୍ୱାନରେ ଚଞ୍ଚଳ ! ଅତନୁ ସହିତ ପ୍ରତିଯୋଗିତା ପାଇଁ ତେଣୁ ହୃଦୟର ଆବେଗ କେବଳ ଯଥେଷ୍ଟ ନୁହେଁ, ଛାତି ପକେଟରେ ମଧ୍ୟ ବେଶ୍‌ ଆବଶ୍ୟକତା ରହିଛି । କାଞ୍ଚନବାଳା ବୋଧହୁଏ କରୁଣାନିଧିଙ୍କର ସେହି ଛାତିପକେଟଟା ଉଣ୍ଡାଳେ, କିଶଳୟ ପରି ତାର ସ୍ପର୍ଶାତୁର ଅଙ୍ଗୁଳିଗୁଡ଼ିକରେ, କରୁଣାନିଧିଙ୍କ ଛାତି ଉପରେ ମୁଣ୍ଡ ରଖି ହୃତ୍‌ପିଣ୍ଡର ସ୍ପନ୍ଦନ ଶୁଣିଲାବେଳେ !

 

ସେପରି ଦିନମାନଙ୍କରେ ଅତନୁ ସହିତ ରାତ୍ରିବିହାରର ପ୍ରୋଗ୍ରାମ୍‌ ଥାଏ, ରେସ୍ତୁରାଁଠାରୁ ସିନେମା ପର୍ଯ୍ୟନ୍ତ ନାନା ସ୍ଥାନରେ ।

 

ମାତ୍ର କରୁଣାନିଧି ସେ ଖବର ରଖିଥାନ୍ତେ କିପରି ? କରୁଣାନିଧି କିନ୍ତୁ ମନେ ମନେ ସେତେବେଳେ ଯଥେଷ୍ଟ ଆଶ୍ୱସ୍ତ ହୁଅନ୍ତି । ସେ ତଥାପି ମଧ୍ୟ ବହୁବାଞ୍ଛିତ, ବହୁ ପ୍ରତୀକ୍ଷିତ, ବହୁ ପ୍ରତ୍ୟାଶିତ ରହିଛନ୍ତି ବୋଲି ତାଙ୍କ ମନରେ ଗୋଟାଏ ସୁନେଲୀ ପ୍ରତ୍ୟୟ ଜନ୍ମେ ।

 

ସେପରି ମୁହୂର୍ତ୍ତ ମାନଙ୍କରେ ତାଙ୍କର ମନେପଡ଼େ, ବିଂଶ ଶତାବ୍ଦୀଠାରୁ ବୟସରେ ସେ ତ ମୋଟେ ଦୁଇବର୍ଷ ସାନ ! ଜନ୍ମ ୧୯୦୨ ସାଲ । ବୁୟେର୍‌ ଯୁଦ୍ଧ ପରେ ଏହିବର୍ଷ ଶାନ୍ତି ସ୍ୱାକ୍ଷରିତ ହୋଇଥିଲା । ଶାନ୍ତି ଓ ମୈତ୍ରୀର ସେ ସହଜାତ ସନ୍ତାନ ! ନିଜ ପ୍ରତି କରୁଣାନିଧିଙ୍କର ଗୋଟାଏ ଭକ୍ତି ଆସେ । ନିଜ ସମ୍ୱନ୍ଧରେ ଏହିପରି ଗୁରୁଗମ୍ଭୀର ଐତିହାସିକ ପରିପ୍ରେକ୍ଷାରେ ଚିନ୍ତା କରିବା ଓ ଅନ୍ୟମାନଙ୍କୁ ତାହା ବିଶ୍ୱାସ କରିବାପାଇଁ ଚେଷ୍ଟା କରିବା, କରୁଣାନିଧିଙ୍କର ଗୋଟାଏ ସ୍ୱଭାବ ! ତାଙ୍କ ଜୀବନର ବହୁ ଅପୂର୍ଣ୍ଣ ଉଚ୍ଚାକାଂକ୍ଷା ଓ ଅଭିଳାଷ, ବହୁ ନିଗୃହୀତ ପ୍ରେମ ଓ କାମନା, ବହୁ ଅତୃପ୍ତ ଓ ତୃଷ୍ଣା, ଯେଉଁସବୁ ଗୌଣ ମନୋବୃତ୍ତି ସୃଷ୍ଟି କରିଥିଲା, ତାହା କ୍ରମେ ଏହିପରି ଏକ ବିକୃତ ଅହଙ୍କାରରେ ପରିଣତ ହୋଇଛି । ନିଜ ସମ୍ପର୍କରେ ଏହିପରି ନାନା କାଳ୍ପନିକ ଓ ସ୍ଫୀତିକୃତ ଧାରଣା ମଧ୍ୟରେ ତାହା ପରିତୃପ୍ତ ହେଉଥିଲା । ତାଙ୍କର ବନ୍ଧସମାଜ କିନ୍ତୁ ଏ ଦୁର୍ବଳତା ବା ବିକାରଟିକୁ ବେଶ୍‌ ବୁଝିଥିଲେ ଓ ପଛରେ କହୁଥିଲେ; ‘‘କରୁଣାନିଧି ବିକୃତ ।’’

 

ସନ୍ଧ୍ୟାରେ ବାହାରକୁ ବାହାରିବା ପୂର୍ବରୁ କରୁଣାନିଧି ଅଇନା ପାଖରେ ଠିଆହୋଇ, ସମୀକ୍ଷକ ଦୃଷ୍ଟିରେ ନିଜକୁ ଚାହିଁ, ଇଭିନିଙ୍ଗ୍‌-ଇନ-ପାରିସ ଛିଞ୍ଚା ଜାକେଟ୍‌ ପକେଟରେ ଲାଲ ରୁମାଲର ତ୍ରିକୋଣାଂଶଟିକୁ ସଜାଡ଼ୁଥିଲେ । ଏକଦା ଶାଣିତ ସ୍ପୋଟସମ୍ୟାନ୍‌ ଚେହେରା ଉପରେ ବୁଲି ଆସିଲାଣି ବାର୍ଦ୍ଧକ୍ୟର ପାଣ୍ଡୁରତା । କରୁଣାନିଧି ହୁଇସିଲ୍‌ ମାରିବାକୁ ଚେଷ୍ଟା କରୁ କରୁ ପୁଣି ଥରେ ମନେ ପକାଇଲେ....ବିଂଶ ଶତାବ୍ଦୀଠାରୁ ସେ ବୟସରେ ତ ମୋଟେ ଦୁଇ ବର୍ଷ ସାନ !

 

କିନ୍ତୁ ବିଂଶ ଶତାବ୍ଦୀ ଏବେ ନବତାରୁଣ୍ୟରେ ଚଞ୍ଚଳ ! ଆଗ୍ରୀଂ-ୟଙ୍ଗ, ବୀଟନିକ୍‌, ଭୀଟ୍‌ନିକ୍‌ ମଡ୍‌, ରକର୍‌ ହିପୀମାନଙ୍କର ଯୌବନ ମୁଖରିତ ମୈଫିଲ୍‌ ! ସେ କେବଳ ଏତେ ଶୀଘ୍ର ବୁଢ଼ା ହୋଇଯିବେ କିପରି ?

 

କରୁଣାନିଧି ଛାତି ପକେଟରୁ ରୁମାଲଟାକୁ ଆଉରି ଅଳ୍ପପଦାକୁ ଟାଣିଦେଲେ.....କାଳର ଧୂସରସୀମାନ୍ତରେ ଯୌବନର ଜୟ ପତାକା !

 

କାଞ୍ଚନବାଳା ସହିତ ଆଜି ଅଛି ‘‘ଡେଟିଙ୍ଗ୍‌’’.....ନିଶାବିହାର । ‘ସାଙ୍ଗରିଲା’ରେ କାଣ୍ଡଲ୍‌ଲାଇଟ୍‌ ଡିନର ତା’ପରେ ଗୋଟିଏ ହିନ୍ଦୀଛବି ! କାଞ୍ଚନବାଳା ଯଦି ଇଂରାଜୀ ଛବି ବୁଝି ପାରୁଥାନ୍ତା; ତା’ ହେଲେ ଗୋଲଡନ-ଆପଲ୍‌ ସିନେମାରେ ଗୋଟାଏ ନାମଜାଦା ଇଂରାଜୀ ଛବି ଚାଲୁଛି; ହୋମୋସେକ୍‌ସୁଆଲ୍‌ମାନଙ୍କ ବିକୃତ ପ୍ରଣୟ ଚିତ୍ର ! ମାତ୍ର କରୁଣାନିଧିଙ୍କ ପକ୍ଷରେ ସିନେମା ଦେଖାତ ମୁଖ୍ୟ ନୁହେଁ ଗୌଣ ! ଛାୟାନ୍ଧକାର ପ୍ରେକ୍ଷାଳୟରେ କାଞ୍ଚନବାଳା ହାତରେ ହାତ ଛନ୍ଦି ବସିବାପାଇଁ ଗୋଟାଏ ଅବକାଶ ! ଏଥିପାଇଁ ହିନ୍ଦୀ ସିନେମା, ସାହିତ୍ୟସଭା, ସଂକୀର୍ତ୍ତନ, ଏପରି କି ଘେରାଓ—ପଟୁଆର, ଯାହାହେଲେ ବି ଚଳିବ !

 

ଅଣ୍ଟା ଉପରେ ଏବେ ସୁଦ୍ଧା ସାମାନ୍ୟ ଚାପ ପଡ଼ିଲେ ସାଇଟିକାର ସେଇ ପୁରୁଣା ବ୍ୟଥାଟା ପୁଣି ଉଙ୍କିମାରି ଉଠୁଛି—ଦେହର ଅରଣ୍ୟରେ ବାର୍ଦ୍ଧକ୍ୟର ଗରିଲା ଆକ୍ରମଣ ! ଆଃ—ସେଦିନ ପରିସ୍ଥିତିଟା କି ଗ୍ଳାନିକର ନହେଲା ସତେ ! କାଞ୍ଚନବାଳା ସେଦିନ ସନ୍ଧ୍ୟାରେ ଅତନୁଠାରୁ ଚାହୁଁଥିଲା ଅବ୍ୟାହତି । ଲୁଟେରା ପରି ଅତନୁ ବେଳେବେଳେ ଯେପରି ସବୁ ନିଃଶେଷ କରି ଲୁଟ କରିନେବା ପାଇଁ ଆସେ; କାଞ୍ଚନବାଳାର ଭୟ ହୁଏ, ପାତ୍ରଟି କେଜାଣି ଶୂନ୍ୟ ହୋଇଯିବ କି ଆଉ ! ସେପରି ଦିନମାନଙ୍କରେ କାଞ୍ଚନର ଲୋଡ଼ା ପଡ଼ିଥାଏ କରୁଣାନିଧିଙ୍କ ଉପସ୍ଥିତି ଓ ତାଙ୍କ ପକେଟରେ ଥିବା କରେନସୀ ନୋଟ ! କରୁଣାନିଧି ମନେମନେ ଉଲ୍ଲସିତ ହୁଅନ୍ତି, ଆଶ୍ୱସ୍ତ ହୁଅନ୍ତି, ନିଜର ପୌରୁଷରେ । ସେଦିନ କିନ୍ତୁ ସ୍ୱାମୀ ପ୍ରବୋଧାନନ୍ଦ ସରସ୍ୱତୀଙ୍କ ସଭାରୁ ଉପନିଷଦ ଉପରେ ଅନର୍ଗଳ ଭାଷଣ ଶୁଣି ଫେରିବା ବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ସାରିଥିଲା ।

 

କାଞ୍ଚନବାଳା ଅପରାଜିତା ରଙ୍ଗର ଖଣ୍ଡେ ଟେରେଲୀନ ଶାଢ଼ି ପିନ୍ଧି ମୁହଁରେ ମେକ୍‌ଅପ୍‌ ବୋଳି ଗଭାରେ ଓଲଟ-ଚନ୍ଦ୍ର ଆକାରରେ ଜୁଇର ଗୋଟାଏ ମାଳା ବାନ୍ଧି, ଶସ୍ତା ବିଜ୍ଞାପନୀ ମଡ଼େଲ ପରି କରୁଣାନିଧିଙ୍କ ପ୍ରତୀକ୍ଷାରେ ବସି ରହିଥିଲା । ସନ୍ଧ୍ୟା ଯେତିକି ଉତ୍ତୀର୍ଣ୍ଣ ହେଉଥିଲା, କାଞ୍ଚନବାଳାର ଧୈର୍ଯ୍ୟର ସୀମା ମଧ୍ୟ କ୍ରମେ ସେତିକି ଉତ୍ତୀର୍ଣ୍ଣ ହୋଇ ପଡ଼ୁଥିଲା । ବହୁ ପ୍ରତୀକ୍ଷା ପରେ କରୁଣାନିଧି କାଞ୍ଚନର ଶୋଇବା ଘର ଭିତରକୁ ପଶିଆସି ଯେତେବେଳେ କାଞ୍ଚନର ଅଣ୍ଟା ଚାରିପଟେ ଶିଥିଳ ବାହୁଟି ବେଷ୍ଟନ କରି ମାନଭଞ୍ଜନର ଭୂମିକା ଆରମ୍ଭ କରିଦେଲେ; କୋପିନୀ ‘‘ଯାଃ’’ କହି କରୁଣାନିଧିଙ୍କୁ ଗୋଟାଏ ମୃଦୁ ଧକ୍‌କା ଦେବା ମାତ୍ର, ଟାଳ ସମ୍ଭାଳି ନପାରି କରୁଣାନିଧି ବିଛଣା ଉପରେ ଓଲଟି ପଡ଼ିଥିଲେ । କରୁଣାନିଧିଙ୍କ ଅଣ୍ଟା ପଞ୍ଚପଠି ଗୋଟି ବର୍ଷର ଭାର ବହି ବହି ଦୁର୍ବଳ—ସେଥିରେ କଣ ଆଉ ଶକ୍ତି ଥିଲା, କୋପିନୀର ଏ ଆଘାତ ସମ୍ଭାଳିବା ପାଇଁ ? ହୃଦୟ ଯାହାକୁ ଲୁଚାଉଥିଲା; ଅଣ୍ଟା କିନ୍ତୁ ତାହାକୁ ମାନି ନେଇଥିଲା ନିତାନ୍ତ ନିର୍ବୋଧ ପରି; ଅର୍ଥାତ୍‌ ଅଣ୍ଟାର ବାର୍ଦ୍ଧକ୍ୟ ହୃଦୟର ତାରୁଣ୍ୟରେ ପ୍ରଣୋଦିତ ହୋଇ ପାରି ନଥିଲା । ତଥାପି କରୁଣାନିଧି ବିଛଣା ଉପରୁ ଦୁଇପାଟି ଡେଞ୍ଚର ଦେଖାଇ ଗାଇ ଉଠିଥିଲେ—ଦେହ ପଦପଲ୍ଲବ ମୁଦାରମ୍‌ ।

 

ସେତେବେଳେ ଯାଇଁ କାଞ୍ଚନର ହୋସ ଆସିଲା ଜୀବିକାର୍ଜନର ସ୍ୱଳ୍ପ ଆୟରେ ଜୀବନବିଳାସର ଅପବ୍ୟୟ ମେଣ୍ଟେ ନାହିଁ ! ତା’ ଉପରେ ଅଛି ପୁଣି ସେଇ ଅତନୁର ନାନା ଫଇ ଫରମାସ୍‌ ! ସେଥିପାଇଁ କାଞ୍ଚନକୁ କରୁଣାନିଧିଙ୍କ ପ୍ରେମିକା ସାଜିବାପାଇଁ ପଡ଼ିଥାଏ !

 

କାଞ୍ଚନ ଅଭିମାନିନୀ ପରି ଦୁଇ ଲିପ୍‌ଷ୍ଟିକବୋଳା ଓଠକୁ ସ୍ଫୁରିତ କରି କହିଲା—‘‘ମୁଁ ସତରେ ତମ ଉପରେ ରାଗିଛି !’’

 

କରୁଣାନିଧି ଭାରତ-ନାଟ୍ୟମ୍‌ ମୁଦ୍ରାରେ ଅଣ୍ଟାରେ ଗୋଟିଏ ହାତ ରଖି ବିଛଣାରୁ ବହୁ କଷ୍ଟରେ ଉଠୁଉଠୁ କହିଲେ—‘‘ସେ (କୋକିଳା ଦେବୀ) ଯିବାଦିନୁ ମୋ ଉପରେ ରାଗିବା ପାଇଁ ଅନୁରାଗିକା ଆଉ କିଏ ଅଛି କହ ? ତୁମେ ତ ମୋର ରାଗବତୀ ବେହାଗ ! ନାଁ ଖେଆଲ ?’’

 

ଏ ଭଙ୍ଗୀ ଓ ସଂଳାପ ଅନୁକରଣ କରି ଅତନୁକୁ ଶୁଣାଇବା ପାଇଁ ପଡ଼ିବ । କାଞ୍ଚନ ମନେ ମନେ ସେ ସଂଳାପ ଉଠାଇ ନେଉଥିଲା; ଆଉ ଆଖି ନୁଆଇଁ ମନ୍ଦ ମନ୍ଦ ହସୁଥିଲା ।

 

ଅତନୁଟାର କିନ୍ତୁ ପରିହାସବୋଧ ଆଦୌ ନାହିଁ ! ସେ ଏସବୁ ଶୁଣିବା ମାତ୍ରେ ହଠାତ୍‌ ଯେପରି ଈର୍ଷ୍ୟାତୁର ହୋଇପଡ଼ିବ । ସେଦୃଶ୍ୟ ମନଶ୍ଚକ୍ଷୁରେ କଳନା କରି କାଞ୍ଚନ ମଧ୍ୟ ମନେ ମନେ ଯଥେଷ୍ଟ ଆମୋଦ କରୁଥିଲା ।

 

ସେଦିନ କିନ୍ତୁ ରାତ୍ରି-ବିହାରଟା ଆଦୌ ଜମି ପାରିଲା ନାହିଁ । ହୃଦୟର ବେଦନା ସହିତ ଅଣ୍ଟାର ବ୍ୟଥାକୁ ମିଶାଇ କରୁଣାନିଧି ପରାଜିତ ସେନାପତି ପରି ସେଦିନ ରାତ୍ରିରେ ନିଜ ଫ୍ଳାଟକୁ ଫେରି ଆସିଥିଲେ ।

 

ସେ ବ୍ୟଥାଟା ପୂରାପୂରି ତଥାପି ଯାଇନାହିଁ । ସେଦିନର ଲୋକସାନ ଯାଇଥିବା ହଜିଲା ସନ୍ଧ୍ୟାକୁ ଚକ୍ରବୃଦ୍ଧି ସୁଧରେ ଆଜି ଆଦାୟ କରିବା ପାଇଁ ବାହାରିବା ପୂର୍ବରୁ କରୁଣାନିଧି ନିଜ ବେଶପରିପାଟୀ ଉପରେ ଫିନିସିଙ୍ଗ୍‌—ଟଚ୍‌ ଦେଇ ସାରି ଡିସେମ୍ୱରର ପାତଳ କୁହୁଡ଼ିଢଙ୍କା ନୀରବ ସନ୍ଧ୍ୟା ଭିତରକୁ ବାହାରି ପଡ଼ିଥିଲେ ।

 

ମୁହଁରେ ଅବଶ୍ୟ ଗଭୀର ବଳୀରେଖା ଓ ଛନ୍ଦାଛନ୍ଦି ବୁଢ଼ୀଆଣୀ ଜାଲମାନଙ୍କରେ ବାର୍ଦ୍ଧକ୍ୟର ଶତ ଷଡ଼ଯନ୍ତ୍ର ଫୁଟି ଉଠିଲାଣି । କିଏ ସେ କହିଥିଲା, ଗେଟେ ନାଁ ଆନାତୋଲ ଫାଁସ ବୋଧହୁଏ, ସାଁବାଳୁଆ ମୃତ୍ୟୁପୂର୍ବରୁ ରଙ୍ଗୀନ ପ୍ରଜାପତିରେ ରୂପାନ୍ତରିତ ହୋଇ ଡେଣା ମେଲିଦେବା ପରି ମନୁଷ୍ୟ ଜୀବନର ପରିସମାପ୍ତି ହେବନାହିଁ କାହିଁକି, ଚପଳ ତାରୁଣ୍ୟର ମଧୁ ଚୁମ୍ୱନରେ ? କରୁଣାନିଧି ତ ସେହି ଚିରଯୌବନର ସାଧକ !

 

କରୁଣାନିଧି ଗୋଟିଏ ଛୋଟିଆ କ୍ୟାବିନେଟ ଖୋଲିଲେ । ତା’ ଭିତରେ ବହୁ ଅପୂର୍ଣ୍ଣ ପ୍ରତିଶ୍ରୁତି ଓ ବହୁ ମିଥ୍ୟା ବିଜ୍ଞାପନର ମୂକସାକ୍ଷୀ ପରି ଯୌବନଲାଭର ନାନା ସାଲସା, ମୋଦକ, ଆଉ ହରମୋନ୍‌ ବଟିକା ଶିଶି । ତାରି ଭିତରୁ ଗୋଟାଏ ଇଞ୍ଜେକ୍‍ସନ୍‌ ଆମ୍ପୁଲ କାଢ଼ି କରୁଣାନିଧି ପକେଟ ଭିତରେ ରଖିଲେ । ତା’ ପରେ କପାଳ ଉପରୁ କାଳ୍ପନିକ ସ୍ୱେଦ ବନ୍ଦୁ ସବୁ ରୁମାଲରେ ପୋଛି ପୋଛି, ଓଠରେ ସିଟୀ ବଜାଇ, ଗୋଟାଏ ଲଗାମଛଡ଼ା ରାଗିଣୀକୁ ବାଗ ମନାଇବା ପାଇଁ ବୃଥା ଚେଷ୍ଟା କରି କରି, କରୁଣାନିଧି ଶିଡ଼ୀରେ ଓହ୍ଲାଇ ଆସିଲେ । ଇଚ୍ଛା ତ ହେଉଥିଲା ଏକା ଏକା କ୍ଷେପରେ ଦୁଇ ଦୁଇଟା ପାହାଚ ଓହ୍ଲାଇ ଯିବାପାଇଁ, ଅତନୁ ଯେପରି ଓହ୍ଲାଏ, ଏକଦା ସେ ମଧ୍ୟ ଯେପରି ଓହ୍ଲାଉଥିଲେ; ମାତ୍ର ଅଣ୍ଟାରେ ଏବେ ସାଇଟିକାର ପ୍ରହାର ।

 

କରୁଣାନିଧି ଗୋଟାଏ ଟ୍ୟାକ୍‌ସିରେ ଯିବାବେଳେ ରାସ୍ତା ଦୁଇପାଖର ଫୁଟପାଥରେ ସନ୍ଧ୍ୟାବିଳାସୀ ନରନାରୀଙ୍କ ରଙ୍ଗୀନ ପଟୁଆର ଆଡ଼େ କୃପାପୂର୍ଣ୍ଣ ନେତ୍ରରେ ଚାହିଁ ଭାବୁଥିଲେ, ମହାକାଳର ଅନ୍ଧଗଳିରେ ଏଇ ରଙ୍ଗୀନ ପ୍ରଜାପତିର ଦଳ, ଭଗ୍ନପକ୍ଷ ହୋଇ ଚାଲିଛନ୍ତି ଯେପରି ସଁବାଳୁଆରେ ପରିଣତ ହେବା ପାଇଁ ! ସେମାନେ ଚାଲିଛନ୍ତି ବାର୍ଦ୍ଧକ୍ୟ ଓ ମୃତ୍ୟୁର ବଡ଼ ଦାଣ୍ଡରେ ।

 

ଇଞ୍ଜେକ୍‌ସନ୍‌ଟା ନେବା ପାଇଁ କରୁଣାନିଧି ତାଙ୍କ ବିଶ୍ୱସ୍ତ ଡାକ୍ତର ଦୋଳଗୋବିନ୍ଦ ବାବୁଙ୍କ ନ୍ୟୁ ଲାଇଫ୍‌ ଫର୍ମାସୀ ପାଖରେ ଟ୍ୟାକ୍‌ସି ଅଟକାଇଲେ । କ୍ଳିନକ୍‌ସରେ ରୋଗୀଭିଡ଼ ନାହିଁ, କେବେ ନଥାଏ । ଡାକ୍ତର ଦୋଳଗୋବିନ୍ଦ ମୁଣ୍ଡରେ ମଫଲର ଗୁଡ଼ାଇ ଢୁଳାଉଥିଲେ । ତାଙ୍କର ଚତୁର୍ଥପକ୍ଷ । କୋଳର ଶିଶୁଟିକୁ ଏବେ ବର୍ଷ ପୂରିଲା । ପ୍ରଥମ ଜନ୍ମଦିନରେ ସିରିଣୀ ଖାଇବାପାଇଁ କରୁଣାନିଧିଙ୍କୁ ସନିର୍ବନ୍ଧ ନିମନ୍ତ୍ରଣ ଥିଲା । କରୁଣାନିଧି ମଧ୍ୟ ଯାଇଥିଲେ ।

 

ମସୃଣ ଟେରେଲିନ୍‌ କାମିଜ ତଳେ କରୁଣାନିଧିଙ୍କ ଶୁଷ୍କ ଲୋଳ ଚର୍ମାବୃତ ବାହୁର ଶିଥିଳ ମାଂସପେଶୀ—ଡାକ୍ତର ଦୋଳଗୋବିନ୍ଦ ସ୍ପିରିଟ୍‌ଭିଜା ତୁଳା ଦୁଇ ଆଙ୍ଗୁଠିରେ ଚାପିଧରି ଚଷମାର ମୋଟା ଲେନ୍‌ସ ତଳୁ ଇଞ୍ଜେକ୍‌ସନ୍‍ ଫୋଡ଼ିବାର ସ୍ଥାନ ଅନ୍ୱେଷଣ କରୁଥିଲେ । ଦୁଇ ସି. ସି. ଇଞ୍ଜେକ୍‌ସନ୍‌-ସିରିଞ୍ଜ ଛୁଞ୍ଚିଟାକୁ ଡାମ୍ଫଣ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ନବଯୌବନର ବ୍ୟଥାଟା ଏବେ ଗୋଟାଏ ଶେଳ ପରି ହଠାତ୍‌ ବିନ୍ଧିଯିବ । ସେଥିରେ ପୁଣି ଇଞ୍ଜକ୍‌ସନ ଦେବାବେଳେ ଡାକ୍ତର ଦୋଳଗୋବିନ୍ଦଙ୍କ ହାତଟା ଥର ଥର ହୋଇ ଯେପରି କମ୍ପିବା ପାଇଁ ଆରମ୍ଭ କରେ, ସେଥିରେ ଅନ୍ତତଃ ଦୁଇ ତିନିଥର ଫୋଡ଼ା ନ ବସିଲେ ଇଞ୍ଜେକ୍‍ସନ ଦେଇ ହୁଏନାହିଁ ! ତଥାପି ବିନା ପ୍ରେସ୍‌କ୍ରିପସନ୍‌ରେ ହରମୋନ ଇଞ୍ଜେକ୍‌ସନ୍‌ ଦେବାପାଇଁ ଡାକ୍ତର ଦୋଳଗୋବିନ୍ଦଙ୍କ ଛଡ଼ା ଆଉ ତ ଅନ୍ୟ ଡାକ୍ତର ନଥିଲେ !

 

ଅନ୍ୟ ସବୁଠି ସନ୍ଦିଗଧ ଦୃଷ୍ଟିରେ କରୁଣାନିଧିଙ୍କ ଆଡ଼େ ଚାହିଁ ସେହି ବିରକ୍ତିକର ଜିଜ୍ଞାସା–ପ୍ରେସକ୍ରିପସନ୍‌ କାହିଁ, ଏ ଇଞ୍ଜେକ୍‍ସନ୍‍ ନେବାପାଇଁ ? ଆଉ କେଉଁଠି କେଉଁଠି ବା ଅଯାଚିତ ପରାମର୍ଶ....ବାର୍ଦ୍ଧକ୍ୟରେ କୃତ୍ରିମ ଯୌବନର ପ୍ରତିକ୍ରିୟା ବଡ଼ ମାରାତ୍ମକ ! ମାତ୍ର ଡାକ୍ତର ଦୋଳଗୋବିନ୍ଦଙ୍କଠାରେ ସେ ସବୁ ଅସ୍ୱସ୍ତିକର ଜିଜ୍ଞାସା ନାହିଁ, ଅଯାଚିତ ଶୁଭାକାଂକ୍ଷିତା ନାହିଁ ।

 

ବହୁ ଅନ୍ୱେଷଣ ପରେ ଡାକ୍ତର ଦୋଳଗୋବିନ୍ଦ ଇଞ୍ଜେକ୍‍ସନ୍‍ ଫୁଟାଇବା ପାଇଁ ମାଂସପେଶୀରେ ଗୋଟାଏ ସ୍ଥାନ ପାଇଥିଲେ ପରା ! ଅନ୍ୟ ଦିନମାନଙ୍କରେ ପ୍ରାୟ ଦୁଇ ତିନିଗୋଟି ପରୀକ୍ଷାମୂଳକ ଫୋଡ଼ା ପରେ ଇଞ୍ଜେକ୍‌ସନ୍‌ ଦିଆ ହୁଏ । ଆଜି କିନ୍ତୁ ଚାରି ଫୋଡ଼ା ପରେ ଇଞ୍ଜେକସନ୍‌ ଛୁଞ୍ଚି ବିଦ୍ଧ ହେବା ବେଳେ, କରୁଣାନିଧିଙ୍କ ଦୁଇ ପାକୁଆ ପାଟିର ନକଲି ଡେଞ୍ଚର ଭିତରୁ ଗୋଟାଏ ଅସ୍ଫୁଟ ଚିତ୍କାର ବାହାରି ପଡ଼ିଲା । ବୃଦ୍ଧର ଲୋଳିତ ମାଂସପେଶୀରେ ଯୌବନର ଦଂଶନ ଅତ୍ୟନ୍ତ ଉତ୍କଟ !

 

କରୁଣାନିଧି ପୂରା ଗୋଟାଏ ଗ୍ଳାସ ଥଣ୍ଡା ପାଣି ପିଇବା ପରେ ପ୍ରକୃତିସ୍ଥ ହେଲେ ।

 

ଟ୍ୟାକ୍‌ସି ପୁଣି ଚାଲିଲା । ସବାଳୁଆମାନଙ୍କର ପଟୁଆର ଭେଦି କାଞ୍ଚନବାଳାଙ୍କ ଅଭିମୁଖରେ । ଇଞ୍ଜେକସନ୍‌ ନେବାପରେ, କରୁଣାନିଧିଙ୍କ ସ୍ନାୟୁରେ ନବଯୌବନର କଳରୋଳ । ସାଇଟିକାର ବ୍ୟଥା ଓ ଇଞ୍ଜେକ୍‍ସନର ଯନ୍ତ୍ରଣା; ତା ଭିତରେ କ୍ରମେ ହଜିଗଲାଣି ।

 

କାଞ୍ଚନବାଳାଙ୍କ ଘର ଭିତରୁ ବନ୍ଦ । ବାହାରେ ଅତନୁର ସେଇ ସ୍କୁଟର । ଏ ସ୍କୁଟର ସହିତ କରୁଣାନିଧିଙ୍କର ଗୋଟାଏ ବ୍ୟାଧିତ ପରିଚୟ ଅଛି । ସ୍କୁଟରଟିକୁ ଦେଖିବା ମାତ୍ରେ କରୁଣାନିଧି ଈର୍ଷ୍ୟା ଓ ଉତ୍ତେଜନାରେ ଥରି ଥରି ଟ୍ୟାକସିରୁ ଓହ୍ଲାଇ ପଡ଼ିଲେ ।

 

କବାଟରେ ଅଭ୍ୟସ୍ତ ରୀତିରେ ଟରେଟକ୍‌କ ଟିକ୍‌—ଟକ୍‌ ଟିକ୍‌ ଶବ୍ଦ କରିବା ପାଇଁ କରୁଣାନିଧି ସାହସ ଖୋଜି ପାଉ ନଥିଲେ । ଅନଧିକାର ପ୍ରବେଶ କରୁଥିବା କୌଣସି ଅପରାଧୀ ପରି ତାଙ୍କୁ ସଂକୁଚିତ ଲାଗୁଥିଲା । ଅଥଚ ଏ ଫ୍ଳାଟର ଅଗ୍ରୀମ ଭଡ଼ା ସେ ତ ନିଜେ ଶେଷ ପଇସାଟି ପର୍ଯ୍ୟନ୍ତ ଛିଣ୍ଡାଇଛନ୍ତି !

 

କରୁଣାନିଧି ପକେଟରୁ ରୁମାଲଟା ଅକାରଣରେ କାଢ଼ି ପୁଣି ତାକୁ ଯଥା ସ୍ଥାନରେ ରଖିଦେଲେ । ଟ୍ରାଉଜର ପକେଟରେ ବାଁ ହାତଟା ଅକାରଣରେ ପୂରାଇ ବନ୍ଦ ଦରଜା ପାଖରେ କରୁଣାନିଧି ମୁଣ୍ଡ ନୁଆଇଁ ଠିଆ ହୋଇ ରହିଲେ । ଦରଜାରେ ଜୋତାମିଶା ପାଦରେ ଗୋଟାଏ ଗୋଇଠା ମାରି ନିଜର ଉପସ୍ଥିତି ଘୋଷଣା କରିବା ପାଇଁ କରୁଣାନିଧି ମନେ ମନେ ପ୍ରାୟ ପ୍ରସ୍ତୁତ ଥିଲେ । ମାତ୍ର ସେପରି କିଛି ଦୃଶ୍ୟ ସୃଷ୍ଟି ନକରି ଏକ ବ୍ୟାଧିତ କୌତୂହଳରେ, ଦୁଇ ହାତ ପୁଣି ଦୁଇ ଟ୍ରାଉଜର ପକେଟରେ ପୂରାଇ ରାସ୍ତା ପାଖକୁ ଥିବା ଗୋଟାଏ ବନ୍ଦ ଝରକା ପାଖରେ ଗୋଟାଏ ସ୍ଥାଣୁ ମୂର୍ତ୍ତି ପରି ସେ ଠିଆ ହୋଇରହିଲେ । ଝରକାର କୁହୁଡ଼ିଆ କାଚ ବାଟେ ବାହାରୁ ଚାହିଁଲେ ଭିତରଟା ଅସ୍ପଷ୍ଟ ଦିଶେ । କରୁଣାନିଧି ଘର ଭିତରେ କିଛି ସ୍ପଷ୍ଟ ଦେଖି ପାରୁ ନଥିଲେହେଁ, କ’ଣ ନିରୀକ୍ଷଣ କରି ଚାହିଁ ଦେଖିବାପରି ଚାହିଁ ଦେଖୁଥିଲେ ।

 

ହଠାତ୍‌ ଦରଜାଟା ଖୋଲିଗଲା ।

 

କରୁଣାନିଧି ଭିତରର ଆଲୋକରୁ ନିଜକୁ ଆଢ଼ୁଆଳରେ ରଖିବା ପାଇଁ କାନ୍ଥପାଖକୁ ଲାଗି ଘୁଞ୍ଚି ଆସିଲେ ।

 

ବାହାରକୁ ଆସି ଅତନୁ ଗୋଟାଏ ଅଶ୍ଳୀଳ କାଇଦାରେ ସ୍କୁଟର ଉପରେ କୁଦିପଡ଼ିଲା । କାଞ୍ଚନବାଳା ଅକାରଣରେ ହସି ହସି ପଛ ସିଟରେ ବସିପଡ଼ିଲା, ଅତନୁ ଅଣ୍ଟାରେ ଗୋଟାଏ ହାତ ଗୁଡ଼ାଇ ଗତି ବେଗରେ ହଠାତ୍‌ ଛିଟିକି ନପଡ଼ିବା ପାଇଁ ! ତା’ପରେ ଅତନୁ ମଧ୍ୟ ହସି ଉଠି ହଠାତ୍‌ କାହିଁକି କହିଲା କେଜାଣି...ୟେଃ....ୟୁ ବୀଚ !

 

ଟ୍ୟାକ୍‌ସି ଫେରିଯାଇଛି ।

 

ବଡ଼ରାସ୍ତା ମୋଡ଼ ପର୍ଯ୍ୟନ୍ତ ପାଦରେ ଚାଲି ନଗଲେ ଆଉ ଟ୍ୟାକ୍‍ସି ମିଳିବ ନାହିଁ ! ସାଇଟିକାର ବ୍ୟଥାଟା ପୁଣି ବାହାରି ପଡ଼ିଲା । ଆଉ ତା’ ସହିତ ଇଞ୍ଜେକ୍‍ସନ ଫୋଡ଼ାର ଯନ୍ତ୍ରଣା । କ୍ଳାନ୍ତ, ଅବଶ ପାଦ ଦୁଇଟା ଟାଣି ଟାଣି କରୁଣାନିଧି ଆଗକୁ ଆଗକୁ ଚାଲିଲେ । କରୁଣାନିଧିଙ୍କ ମନରେ ଗୋଟାଏ ନୂଆ ସଂକଳ୍ପ ଚେଇଁଲା । ଅତନୁ ପରି ତାଙ୍କୁ ମଧ୍ୟ ଗୋଟାଏ ସ୍କୁଟରରେ ଚଢ଼ିବା ପାଇଁ ପଡ଼ିବ । ସେ ସ୍କୁଟର ହେବ ଅତନୁର ସ୍କୁଟରଠାରୁ ଆଉରି ବେଗଶାଳୀ । ଫାଇଭ୍‌ ହର୍ସ ପାୱାର ।

 

ବାଟରେ ସୁନୟନାର ଖବରଟା ନେଲେ କ୍ଷତି କଅଣ ? ସୁନୟନା ସହିତ ତାଙ୍କ ସମ୍ପର୍କଟା ପ୍ରାୟ ଛିଡ଼ିଛି । ସୁନୟନା ତାଙ୍କୁ ଗାଳି ଦେଇଥିଲା ‘ସିଲୀ, ସେନାଇଲ ଇଉନକ ! ନପୁଂସକ !’ କରୁଣାନିଧି ସେଦିନ କେବଳ ଭୀରୁ ଆଶ୍ଳେଷଠାରୁ ଆଉ ବେଶୀ ଦୂର ଆଗେଇ ପାରି ନଥିଲେ ।

 

କରୁଣାନିଧି ପୁଣି ଗୋଟାଏ ହାତ ଟ୍ରାଉଜର ପକେଟରେ ପୂରାଇ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିଲେ ରାସ୍ତା ଆଲୋକରେ, ଗୋଟିଏ ଅଶରୀରୀ ଛାୟା ପରି ।

 

ଇଉରେକା ! ....ସଂସ୍କୃତି-ଭବନରେ ସାହିତ୍ୟସଭା ଚାଲିଛି । ଲେଖକ-ଜଗତରେ କରୁଣାନିଧି ମଧ୍ୟ ବେଶ୍‌ ସୁପରିଚିତ । ସେଠାରେ ଗୋଟାଏ ବକ୍ତୃତା ମଧ୍ୟ ଦିଆଯାଇ ପାରେ ନାରୀ-ଚରିତ୍ର ଉପରେ । ସଂସ୍କୃତିଭବନରେ ପାହାଚରେ ଉଠିବା ବେଳେ ଭିତରୁ ପଟେ ଚପଲ ହଠାତ୍‌ ଉଡ଼ିଆସି କରୁଣାନିଧିଙ୍କ କପାଳରେ ଲାଗିଲା । ଭିତରେ ତୁମୁଳ ହଟ୍ଟଗୋଳ । ଏକାଧିକ ଦଳ ଅଥବା ଗୋଷ୍ଠୀଙ୍କ ମଧ୍ୟରେ ସେଠାରେ ଆଧୁନିକ ସାହିତ୍ୟର ରସାନୁଭୂତି ବା ସେନ୍‌ସିବିଲିଟୀ ଘେନି ବାକ୍‌ଯୁଦ୍ଧରୁ ବର୍ତ୍ତମାନ ଚଟୀ-ଯୁଦ୍ଧ ଆରମ୍ଭ ହୋଇଛି ! ଏ ଚପଲଟା କାହାର, କେଉଁ ପକ୍ଷର ରସିକତା କେଜାଣି ? ଗୋଟାଏ ଫାୟାର-ବ୍ରି ଗେଡ଼ ଗାଡ଼ି, ଘଣ୍ଟିଘଣ୍ଟା ପିଟି ସଂସ୍କୃତି-ଭବନର ପାର୍କ ଆଡ଼କୁ ମାଡ଼ି ଆସିଲା ।

 

ଏଠାରେ ଆଉ ଅପେକ୍ଷା କରି ଲାଭ ନାହିଁ । ଗୌଡ଼ୀୟ ମିଶନରେ ସ୍ୱାମୀ ରସିକାନନ୍ଦ ଶାସ୍ତ୍ରୀଙ୍କ ଭାଷଣ ଅଛି ରାଧାଭାବ ଉପରେ ।

 

କରୁଣାନିଧି ସେଠାରୁ ଗୌଡ଼ୀୟ ମିଶନ ଅଭିମୁଖରେ ନିଃସଙ୍ଗ-ଓଡ଼େସୀରେ ବାହାରି ପଡ଼ିଲେ ।

 

ହଠାତ୍‌ କରୁଣାନିଧିଙ୍କର ପାଣ୍ଡୁର ମୁହଁ ସ୍ମିତ ହସରେ ଚଟୁଳ ହୋଇଉଠିଲା । ତାଙ୍କର ମନେ ପଡ଼ିଲା, ସେଠାକୁ କେବେ କେବେ ଆସିଥାନ୍ତି, ସମ୍ଭ୍ରାନ୍ତଦର୍ଶନ ବିଧବାମାନେ, ଭାଷଣ ଅଥବା ସଂକୀର୍ତ୍ତନ ଶୁଣିବା ପାଇଁ ! କୁହୁଡ଼ିଆ ରାସ୍ତା ଆଲୋକରେ ଜନବିରଳ ରାସ୍ତାଟା ମଧ୍ୟ ଦିଶୁଥିଲା ସେହି ବିଧବାମାନଙ୍କର ବିବର୍ଣ୍ଣ ଅଞ୍ଚଳ ପରି ।

Image

 

କାଠ-ଘୋଡ଼ା

 

ଶୈଶବର ଗନ୍ଧ ଅଛି ? ତା’ହେଲେ ତାହା ହେଉଛି ଗୋବରଲିପା ମାଟିପିଣ୍ଡା ଆଉ ମଧୁମାଳତୀ ଫୁଲର ମିଶାମିଶି ଗୋଟାଏ ବାସନା !

 

ବେଦନାର ଭାଷା ଅଛି ? ....ତା’ ହେଲେ ନିଛାଟିଆ ଖରାବେଳେ, ଦୂର ପ୍ରାନ୍ତର ଆଡ଼ୁ କାହାର ବଂଶୀର ନାଗେଶ୍ୱରୀ ଆଳାପ !

 

ସ୍ମୃତିର ରଙ୍ଗ ଅଛି ? ......ତା’ ହେଲେ ତାହା ଦୂର ପର୍ବତର ନୀଳିମା !

 

ଅଶ୍ରୁର ରୂପ ଅଛି ? ....ତା’ ହେଲେ ତାହା ରାତି ଶେଷର ପୋଡ଼ା ଜହ୍ନ !

 

ଏହିପରି ବିଭିନ୍ନ ରୂପାତୀତ ବସ୍ତୁର ଦ୍ରବ୍ୟଗୁଣ ନିର୍ଣ୍ଣୟ କରି, ସେସବୁ ଗୋଟିଏ ଅଭିଧାନରେ ଲିପିବଦ୍ଧ କରିବା, ଏବେ ବିଜନବିହାରୀଙ୍କ ‘‘ହବି’’ ବା ଜୀବିକା-ବର୍ହିଭୂତ ପେଶା ! ଏଥିରେ ଦୀର୍ଘ ପଞ୍ଚାବନ ବର୍ଷ ବିତାଇବାପରେ ବାର୍ଦ୍ଧକ୍ୟର ଲମ୍ୱା ହେମାଳିଆ ଛାଇ ତାଙ୍କ ଜୀବନର ଧୂସର ପ୍ରାନ୍ତର ଉପରେ କ୍ରମେ ଲମ୍ୱି ଲମ୍ୱି ଆସିଥିଲା !

 

ବିଜନବିହାରୀ ସୁଦୂର କର୍ମକ୍ଷେତ୍ରରୁ ଅବସର ନେଇ, ବହୁବର୍ଷର ଅନୁପସ୍ଥିତି ପରେ ଆଦ୍ୟଯୌବନର ସେହି ଛୋଟ ସହରଟିକୁ ପୁଣି ଫେରି ଆସିଥିଲେ ।

 

ଏହି ସହରରେ ଦିନେ ଆରମ୍ଭ ହୋଇଥିଲା....ତାଙ୍କ ଜୀବନରେ ଏ ସବୁ ଉତ୍‌ପୀଡ଼କ ଅନୁଶୀଳନ ଓ ଗବେଷଣା ମନ୍ଦିର, ଗୀର୍ଜା, ଚା’ ରେସ୍ତୁରାଁଠାରୁ ଆରମ୍ଭ କରି, ବେଶ୍ୟାବସ୍ତୀ ଓ ସେତେବେଳେ ଲୁଚିଛପି ରହିଥିବା ଗୋଟିଏ ଦୁଇଟି ବିଲାତୀ ମଦ ଦୋକାନର ‘ବାର୍‌’ ପ୍ରଭୃତି ନାନା ସ୍ଥାନ ଓ ଅସ୍ଥାନରେ !

 

ତା’ ପରେ ଚରିତ୍ରହୀନତା ଅପରାଧରେ କଲେଜରୁ ରଷ୍ଟିକେସନ, ସେହି ଘଟଣାକୁ କେନ୍ଦ୍ର କରି ସେଦିନର ଏହି ନିମ୍ନମଧ୍ୟବିତ୍ତ ସହରର ଶିଷ୍ଟ ଓ ବିଶିଷ୍ଟ ସମାଜରେ ବିଜନବିହାରୀଙ୍କ ପ୍ରତି ଯେତେକ ନିନ୍ଦା ଓ ତୁକାରର ଝଡ଼ ଠାରୁ ଆରମ୍ଭ କରି କଲେଜ ମାସୋହାରା ବନ୍ଦ ଓ ଅବଶେଷରେ ବିତାଡ଼ନ ପର୍ଯ୍ୟନ୍ତ ନାନାଘଟଣା ଦୁର୍ଘଟଣା !

 

ଏହାପରେ ଉତ୍ତରଭାରତର ନାନା ସହରରେ ନାନା ଫୁଟ୍‌ପାଥ୍‌ରେ ବୁଲି ବୁଲି, ଜୀବନସଂଗ୍ରାମର ନାନା ଶିକ୍ଷାୟତନରେ ଶିକ୍ଷା ଲାଭ କରି କରି; ବିଜନବିହାରୀ ମଣିଷ ହୋଇଛନ୍ତି ଅଥବା ହୋଇଥିଲେ !

 

କିନ୍ତୁ ସବୁଠି ସେଇ ଅନୁସନ୍ଧାନ ଓ ସେଇ ଜିଜ୍ଞାସା ।

 

ପ୍ରଥମ ଚୁମ୍ୱନର ରୂପ କିପରି ?....ବିଦ୍ୟୁତ୍‌ରେଖା ପରି ଅଙ୍କାବଙ୍କା ? ମୃତ୍ୟୁର ବର୍ଣ୍ଣ କଣ-? ନୀଳ ନାଁ ଘନକୃଷ୍ଣ ? ହେଇ, ମୋଟେ ସେଦିନ ତ ସେ, ଉତ୍ତରଭାରତର ସେହି ଦୂର ସହରରେ କର୍ମକ୍ଷେତ୍ରରୁ ବିଦାୟ ନେଇ, ଟ୍ରେନ୍‌ରେ ଚଢ଼ିବା ବେଳେ ଯାଇଁ ଜିଣିଲେ, ବିଦାୟ ଯଦି ଧ୍ୱନି ଥାଏ, ତା ହେଲେ ତାହା ଟ୍ରେନ୍‌ର ହୁଇସିଲ୍‌ !

 

ଦୀର୍ଘ ପଚିଶବର୍ଷର କର୍ମକ୍ଷେତ୍ରରୁ ବିଦାୟ ନେଇ ଆସିବା ବେଳେ, ସେଦିନ ଷ୍ଟେସନକୁ ଆସିଥିଲା କେବଳ ତାଙ୍କର ଏକାଧାରରେ ଖାନ୍‌ସମା, ବବୁର୍ଚୀ, ବେହେରା ଓ ବନ୍ଧୁଜନ....କେରଳୀ ଖ୍ରୀଷ୍ଟିୟାନ....ଖଣ୍ଡେ ମଇଳା ରୁମାଲ୍‌ ସେ ପ୍ରାଣପଣେ ହଲାଉଥିଲା ସିଗ୍‌ନାଲ ପୋଷ୍ଟ ବାହାରେ ଟ୍ରେନ୍‌ଟା ଅଦୃଶ୍ୟ ହେବା ପର୍ଯ୍ୟନ୍ତ !

 

ବିଦାୟର ରୂପ କ’ଣ ?

 

ଲୋଚାକୋଚା ଖଣ୍ଡେ ମଇଳା ରୁମାଲ !

 

ଏଇ ସହରକୁ ଫେରିଆସି କିନ୍ତୁ ବିଜନବିହାରୀଙ୍କର ମନେ ହେଲା, ଏ ଯେପରି ଅନ୍ୟ ଏକ ସହର.....ଏକଦା ସେହି ବହୁ ପରିଚିତ ସହର ନୁହେଁ, ଯାହାର ପଥେ ପଥେ ସେଦିନ ଆରମ୍ଭ ହୋଇଥିଲା, ବିଜନବିହାରୀଙ୍କର ଜୀବନ-ଅନ୍ୱେଷଣ !

 

ଏ ଅନ୍ୟ ଏକ ଅଜଣା ସହର ! ଷ୍ଟେସନ୍‌ରେ ଓହ୍ଲାଇବା ମାତ୍ରେ, ବିଜନବିହାରୀ ତାହା ସ୍ପଷ୍ଟ ଅନୁଭବ କରିପାରିଥିଲେ । କାହିଁ ସେ ସବୁ କଙ୍କାଳସାର, ଘୋଡ଼ାଟଣା ବଗିଗାଡ଼ି....ଯାହାର କଚୁଆନ୍‌ମାନଙ୍କର ମଧ୍ୟଯୁଗୀୟ କୁର୍ଣ୍ଣୀସରେ ଲାଗି ରହିଥିଲା, ମ୍ୟୁଜିଅମ୍‌-ଲାଇବ୍ରେରୀର ପୁରୁଣା ବହିମାନଙ୍କର କୀଟଦଂଷ୍ଟ ହଳଦିଆ ପୃଷ୍ଠାର ବାସନା, ଅଥବା ଦରବାରୀ କାନଡ଼ାର ସ୍ପର୍ଶ ?

 

ମିଟର୍‌ଲଗା ଟ୍ୟାକ୍‍ସି-ଡ୍ରାଇଭର୍‌ମାନଙ୍କ ଠାରେ କିନ୍ତୁ କୁର୍ଣ୍ଣୀସ କରିବାର ସୌଜନ୍ୟ ନଥିଲା । ସେମାନଙ୍କ ଆଚରଣରେ ନିତାନ୍ତ ବ୍ୟବହାରବାଦୀ ରୁକ୍ଷତା ! ଟ୍ୟାକ୍‍ସି ଚଳାଉଛନ୍ତି ସେମାନେ ଟ୍ୟାକସିରେ ବସୁଥିବା ଆରୋହୀମାନଙ୍କ ପରି ଜୀବିକାର୍ଜନର ତାଡ଼ନାରେ । କିନ୍ତୁ ସେ ଦିନର ସେଇ କଚୁଆନ୍‌ମାନଙ୍କ ପରି ଜୀବନଚର୍ଯ୍ୟାର ବିଳାସରେ ନୁହେଁ । ଜୀବନ ଓ ଜୀବିକା ମଧ୍ୟରେ ସେ ମଧ୍ୟଯୁଗୀୟ ଅଦ୍ୱୟତା ବିଦାୟ ନେବା ସଙ୍ଗେ ସଙ୍ଗେ, ବଞ୍ଚିବାରୁ ମଧ୍ୟ ବିଦାୟ ନେଇଥିଲା ଶାନ୍ତି ଓ ସୌନ୍ଦର୍ଯ୍ୟ !

 

ଏ ଅନ୍ୟ ଏକ ଅଜଣା ସହର !

 

ଏଠି ଥିଲା ନାଁ ହର୍ଷବର୍ଦ୍ଧନ ମେସ୍‌ ?

 

କିନ୍ତୁ ଡିପାର୍ଟମେଣ୍ଟାଲ୍‌-ଷ୍ଟୋରର କାଉଣ୍ଟରରେ ଠିଆ ହୋଇଥିବା, ଏ ରକ୍ତଜବାଧରୀ, ହ୍ରସ୍ୱକେଶା ସେଲ୍‌ସ-ଗାର୍ଲ ଜଣକ କେବେ କଣ ଜାଣିପାରିବେ; ଏଠି ଥିଲା ଦିନେ ହର୍ଷବର୍ଦ୍ଧନ ମେସ୍‍, ଯାହାର ମାନେଜର ଥିଲେ ବାବୁ ଗୋବର୍ଦ୍ଧନ ଦାସ, ଏକ ସରକାରୀ ଅଫିସରେ ବଡ଼ବାବୁ ! ଅଫିସ ଆଉ ମେସ ହିସାମ, ତା ପରେ ଯେତିକି ସମୟ ମିଳେ, ସେଥିରେ ମେସ୍‌ର ଅନ୍ତେବାସୀମାନଙ୍କୁ ମେସବାକିର ତାଗଦା ! ତାରି ଭିତରେ ପୁଣି ପୂଜାପାଠ ! ନିର୍ଦ୍ୱନ୍ଦ ନିର୍ଜଞ୍ଜାଳ ଜୀବନ !

 

‘‘ଓଃ ଆପଣ ଶାଢ଼ିର ଭେରାଇଟି ଚାହାଁନ୍ତି ? ସେ କାଉଣ୍ଟରକୁ ଯାନ୍ତୁ ! ବେଶ୍‌ ୱାଇଡ୍‍-ରେଞ୍ଜ୍‌ ପାଇବେ !’’

 

‘‘କସ୍‌ମେଟିକ୍‌ସ୍‌ ? ଏ କାଉଣ୍ଟରରେ ନୁହେ ।’’

 

ଏଇଠି ସେଦିନ ଥିଲା ରୁମନମ୍ୱର ତିନି, ଗୋବର୍ଦ୍ଧନବାବୁଙ୍କ ଆସ୍ତାନା ! କବାଟରେ ଚକ୍‌ଖଡ଼ିରେ ଲେଖା ‘ନୋ ଆଡମିସନ୍‌ ଫର୍‌ ପବ୍‌ଲିକ୍‌ !’ ଶାନ୍ତି ସିଦନ ! ଘର ଭିତରେ ଗୋଟିଏ ଅନ୍ଧାର କୋଣରେ ଖଣ୍ଡେ ମିରିଗଛାଲ, କମଣ୍ଡଳୁ, ଆଶାବାଡ଼ି ଆଉ ଧୁପାତୀ ପ୍ରଭୃତି ନାନା ଆଧ୍ୟାତ୍ମିକ ସରଞ୍ଜାମ ! ତା’ ପାଖରେ ଛିଟ ଢଙ୍କା ଖଣ୍ଡେ ଖଟୁଲୀ ଉପରେ ସରକାରୀ ଅଫିସର ଫାଇଲ ଆଉ ମେସ୍‌ ହିସାବ !

 

ମେସ୍‌ ଆଉ ନୀଳୁ ସାହୁଙ୍କ ଆଦର୍ଶ ମିଷ୍ଟାନ୍ନ ଭଣ୍ଡାର ପ୍ରାୟ ଲାଗି ଲାଗି ଥିଲା ତ, ଆଉ କ’ଣ ? ଦୋକାନ ଆଗରେ ଝୁଲୁଥିଲା ‘‘ଆଜି ନଗଦ କାଲି ବାକି’’ର ଉଦ୍‌ଘୋଷଣା; କିନ୍ତୁ ସବୁ ଉଦ୍‌ଘୋଷଣ ପରି ଏ ଉଦ୍‌ଘୋଷଣଟି ମଧ୍ୟ ପରିପାଳିତ ହେଉଥିଲା, ଅନୁଶୀଳନରେ ଯେତେ ନୁହେଁ, ସେତେ ତାହାର ବ୍ୟତିକ୍ରମରେ ! ମାତ୍ର ସେ ତ କେବଳ ଆମରି ପରି କେତେକ ରିକ୍ତ ପାଇଁ ସିନା !

 

କଳାଝୁଲ ଆଉ ଅଳନ୍ଧୁରେ ଆଲିବାବାର ଗହ୍ୱର ପରି ନୀଳୁ ସାହୁଙ୍କ ଆଦର୍ଶ-ମିଷ୍ଟାନ୍ନ ଭଣ୍ଡାରର ଅଭ୍ୟନ୍ତର....କାନ୍ଥ ଯାକ, ନାଗୁଆ ଗରାଖଙ୍କ ବାକି ହିସାବ, ଖଡ଼ିରେ ଲେଖି ପୁଣି ସେସବୁ ନିଭାଇବାର ମୋଜାଇକ୍‌ !

 

ଥରେ ଘଟଣାଚକ୍ରରେ ପଡ଼ି ସେକସ୍‌ପିୟରଙ୍କ କମ୍‌ପ୍ଳିଟ ଓ୍ୟାର୍କସ ବନ୍ଧା ରଖିବା ପାଇଁ ପଡ଼ିଥିଲା ସେଠି ! ଟ୍ରାଜେଡ଼ିର ଅଧ୍ୟାପକ, କଲେଜରେ ସେକ୍‌ସପିୟରଙ୍କ ମହାନାଟକ ଗୁଡ଼ିକୁ ଯେପରି ତିକ୍ତ ଓ ବିସ୍ୱାଦ କରି ଦେଇଥିଲେ; ନୀଳୁସାହୁଙ୍କ ଆଦର୍ଶ ମିଷ୍ଟାନ୍ନ ଭଣ୍ଡାରରେ, ଯିଦାଯିଦ୍‌ରେ ପୁରା ଦୁଇ ସେର ରସଗୋଲା ଉଡ଼ାଇ ଅବଶେଷରେ ମୂଲ୍ୟ ବାବଦକୁ ଗ୍ରନ୍ଥଟିକୁ ବନ୍ଧା ରଖିବାପାଇଁ ପଡ଼ିଥିଲା ସେଦିନ । ନୀଳୁ ସାହୁଙ୍କ କାନ୍ଥରେ ବିଜନବିହାରୀଙ୍କ ନାମରେ ଖଡ଼ିଲେଖା ବାକି ହିସାବ, କାନ୍ଥରୁ ଖସି ଖସି ସେତେବେଳକୁ ଚଟାଣ ପର୍ଯ୍ୟନ୍ତ ଓହ୍ଲାଇ ଆସିଥିଲା ! ତେଣୁ ନୀଳୁ ସାହୁଙ୍କ ସେ ବନ୍ଧନରୁ ସେକ୍‌ସପିୟର ଶେଷ ପର୍ଯ୍ୟନ୍ତ ବୋଧହୁଏ ଆଉ ମୁକୁଳି ନଥିଲେ ! କିନ୍ତୁ ଏବେ ସେଠାରେ ଶୀତାତପ-ନିୟନ୍ତ୍ରିତ ଗୋଟିଏ ସିନେମା ପାଲେସ୍‌ ! ମାଟିନୀରେ ଆମେରିକାନ୍‌ ଛବି । ଲଙ୍ଗୁଳୀ ଅଭିନେତ୍ରୀଟି ଅଣ୍ଟା ତଳେ ଖଣ୍ଡେ କୌପିନର ଆବ୍ରୁ ସୁଦ୍ଧା ରଖି ନାହିଁ ।

 

ଚିତ୍ରରେ ଅଭିନେତ୍ରୀର ରଙ୍ଗ ଘନକୃଷ୍ଣ ହୋଇଥିଲେ, ବିଜନବିହାରୀ ଦୁଇ ହାତ କପାଳରେ ଯୋଡ଼ି ପ୍ରାର୍ଥନା କରିଥାନ୍ତେ ‘‘ହେ ଉଲ୍ଲଙ୍ଗିନୀ, ମହାଭୟଙ୍କରୀ ଆମକୁ ଟିକିଏ ଲଜ୍ଜା ଦିଅ-। ସବୁ ଗ୍ରାସ କର ! ଆମର ଲଜ୍ଜାକୁ ଛାଡ଼ି !’’

 

ଛବିର ନାମ ‘‘ଦି ନାଇଟ୍‌ ଇଜ୍‌ ଡାର୍କ’’—ରାତ୍ରି ଅନ୍ଧକାର ! ଫର୍‌ ଆଡଲଟ୍‌ସ ଓନ୍‌ଲୀ । ଦୁଇଜଣ ପଳିତକେଶ ବୃଦ୍ଧ ପ୍ରାଚୀରପତ୍ରର ସେହି ଛବି ଆଡ଼େ ଚାହିଁ ଦେଖୁଥିଲେ । ଚିପା ପାଇଜାମା ପିନ୍ଧା କେତେଜଣ ବାଳକ ବାଳିକା ଆଇସ୍‌କ୍ରିମ ଚୁଷି ଚୁଷି ସେହି ବିଜ୍ଞାପନକୁ ଯେତେ ଚାହିଁ ଦେଖିଲେ ସୁଦ୍ଧା ତଥାପି ଯେପରି ସେମାନଙ୍କର କ୍ଳାନ୍ତି ଆସୁ ନଥିଲା ।

 

ଏ ଯୁଗ ନପୁଂସକ କ୍ଳୀବତ୍ୱର ଯୁଗ !

 

ସେଥିପାଇଁ ଯୌନଚର୍ଯ୍ୟାର ଏ ସବୁ ଉତ୍ତପ୍ତ ଉତ୍ତେଜକ ବିଜ୍ଞାପନ ନଦେଖିଲେ ସୃଷ୍ଟିକ୍ରିୟା ବୋଧହୁଏ ଅଚଳ ହୋଇପଡ଼ନ୍ତା !

 

ସ୍ୱାଧୀନତାର ପରବର୍ତ୍ତୀକାଳୀନ ପଞ୍ଚବାର୍ଷିକ ଯୋଜନାରେ ଲାଳିତ ଓ ପରିବର୍ଦ୍ଧିତ ବଣିକନନ୍ଦନ ପରି ବହୁସ୍ଫୀତ ଏ ଅନ୍ୟ ଏକ ସହର ବିଜନବିହାରୀ ଏଠାରେ ସଂପୂର୍ଣ୍ଣ ଅଜଣା ଆଗନ୍ତୁକ !

 

କାହିଁ ରାସ୍ତାକଡ଼ର ସେଇସବୁ ଭୁତିଆରୀ ଆଉ ଗଉଡ଼ଗୋବିନ୍ଦ ଫୁଲର ଜଙ୍ଗଲ ? କାହିଁ ସେ ସବୁ ବାଉଁଶ ଝାଡ଼, ଯେଉଁଠି ବିଜନବିହାରୀ ପ୍ରତି ମଧ୍ୟାହ୍ନରେ ଶୁଣୁଥିଲେ; କପୋତର ଘୁମୁରା, କୁମ୍ଭାଟୁଆର ବିଳାପ ସେଠି ସବୁ ଏବେ ଆକାଶକୁ ମୁଣ୍ଡ ତୋଳି ଠିଆହେଲାଣି, ପାଞ୍ଚ ମହଲା ସାତ ମହଲା ଇମାରତ୍‌ମାନଙ୍କର କ୍ଷୁଧିତ ଲୌହକଙ୍କାଳ; ପ୍ରାଗୈତିହାସିକ ରକ୍ତମୁଖା ଦେବତାମାନଙ୍କ ପରି-! ସେମାନଙ୍କର ପାଦତଳେ ଶହ ଶହ କୁଲୀଙ୍କ ଝୁପ୍‌ଡ଼ି, ଅଖା, ଟିଣ ଆଉ ବାଉଁଶତାଟିର ଜନ୍ତାଳ-!

 

ସେଦିନ ତେଣୁ ଏହି ଅଜଣା ଅନ୍ୟସହରରେ ବିଜନବିହାରୀ ତାଙ୍କର ଚିହ୍ନାଜଣା ଦିନ ଆଉ ମଣିଷମାନଙ୍କର ସତ୍ତା ଖୋଜି ଉଣ୍ଡାଳି ହେଉଥିବାବେଳେ; ଗୋଟାଏ ଗଳିରାସ୍ତା ମୋଡ଼ରେ ଦୂର ଅତୀତର ସେହି ବହୁପରିଚିତ ଫୁଲବାଲାଟିକୁ ହଠାତ୍‌ ଦେଖିପାରି ଯେପରି ଅକୂଳରେ କୂଳ ପାଇଥିଲେ !

 

ଗତ ତିରିଶ ବର୍ଷ ମଧ୍ୟରେ, ସବୁ ଯୁଦ୍ଧ, ମଡ଼କ, ମହାମାରି, ପରିବର୍ତ୍ତନ ଓ ବିବର୍ତ୍ତନ ମଧ୍ୟରେ ଏହି ଫୁଲବାଲାଟି ହିଁ ଯେପରି ଅପରିବର୍ତ୍ତିତ ରହିଯାଇଅଛି, ଅତଡ଼ାଖିଆ ଭରାନଦୀ କୂଳରେ କୋଉକାଳର ଗୋଟା, ବୁଢ଼ା ଶିରୀଷ ଗଛପରି !

 

ବିଜନବିହାରୀଙ୍କୁ ସେ ଚିହ୍ନିପାରିଲା ତ ? ଚଷମାର ଲେନ୍‌ସ ତଳେ ତାର ଆଖି ଦୁଇଟା ଦିଶୁଥିଲା, ମଲା ମାଛର ଆଖି ପରି ଶେତା ଓ ପ୍ରାଣହୀନ ! ପାଚିଲା କୁଣ୍ଡଳୀବୁଲା ନିଶରେ ଲାଗି ରହିଥିଲା ପୁରାତନ ପୃଥିବୀର ସ୍ପର୍ଶ ! ତିରିଶବର୍ଷ ତଳେ, ଏଇଠାରେ ଯେପରି ଖଣ୍ଡେ କାଠିରେ ମଲ୍ଲୀ ଓ ବଉଳର ମାଳା ଝୁଲାଇ ପ୍ରତି ସନ୍ଧ୍ୟାରେ ଠିଆ ହେଉଥିଲା, ଏବେ ମଧ୍ୟ ସେହିପରି ଠିଆ ହୋଇଥିଲା ସେ !

 

‘‘ଗୋଟିଏ ମଲ୍ଲୀମାଳ ଦିଅ; ନାଁ ଦୁଇଟା ! ଏଁ ବାରଅଣା ? ମାନେ ପଚସ୍ତରୀ ପଇସା-?’’

 

‘‘ମଣିଷ ଜୀବନ ଛଡ଼ା ଆଉ ସବୁ ଜିନିଷର ଦର ବଢ଼ିଛି ଆଜି ! ପଚସ୍ତରୀ ପଇସାରୁ ପଇସାଟିଏ ବି କମ୍‌ ନୁହେଁ !’’

 

‘‘ରେଜା ନାହିଁ ? ଆଚ୍ଛା ସେ ଟଙ୍କାଟା ରଖ....ଚିହ୍ନିପାରୁଚ ଟି ? ମନେପଡ଼ୁ ନାହିଁ....ଭଲ କରି ମନେ ପକାଅ....କିଶୋରୀବାଈ ଘର ଥିଲାଟି, ଏଇ ଗଳିରେ ?’’

 

ଫୁଲବାଲା ବୁଢ଼ାର ରେଖାକୁଞ୍ଚିତ ମୁହଁ କୌଣସି ଚିହ୍ନା ମଣିଷକୁ ବହୁବର୍ଷ ପରେ ହଠାତ୍‌ ଖୋଜି ପାଇବାର ଆନନ୍ଦରେ, ଢେଉଢେଉକା ପାଣି ଉପରେ ସୂର୍ଯ୍ୟକିରଣ ପରି ଝଲମଲ ହୋଇଉଠିଲା ।

 

‘‘ନିଅ ଟାଣ ଏ ସିଗାରେଟ୍‌’’ ଫୁଲବିକାଳି ବୁଢ଼ାକୁ ଅନ୍ତରଙ୍ଗ ବନ୍ଧୁରେ ପରିଣତ କରି ଦେବାପାଇଁ ବିଜନବିହାରୀଙ୍କୁ ମୁହୂର୍ତ୍ତେ ବିଜନ ଲାଗି ନଥିଲା ।

 

ଚୈତ୍ରମଲ୍ଲୀର ବାସାରେ ମଧ୍ୟ ଗୋଟାଏ ରୂପ ଅଛି....ନୂଆ ସକାଳର, ଶୁଚିତାର, ସ୍ନିଗଧତାର, ଅପାପବିଦ୍ଧ କୈଶୋରର ରୂପ !

 

ପ୍ରତ୍ୟେକ ସନ୍ଧ୍ୟାରେ ଅନ୍ୟ ସହରର ସେଇ ବୁଢ଼ାଠାରୁ ମଲ୍ଲୀମାଳ କିଣିବା କ୍ରମେ ବିଜନବିହାରୀଙ୍କର ଏକ ନିତ୍ୟକର୍ମରେ ପରିଣତ ହୋଇପଡ଼ିଲା ।

 

ସେହି ଅବକାଶରେ ଏହି ଅଜଣା ସହରରେ, ଫୁଲବାଲା ବୁଢ଼ା ବ୍ୟତୀତ ଆଉ ଯେଉଁ ଦ୍ୱିତୀୟ ବ୍ୟକ୍ତିଟି ସହିତ ବିଜନବିହାରୀଙ୍କର ଚାକ୍ଷୁ ପରିଚୟ ଘଟିଥିଲା, ସେ ଜଣେ ପଚିଶ, ଛବିଶ ବର୍ଷର ଯୁବକ ! ସେ ମଧ୍ୟ ଫୁଲ କିଣିବାପାଇଁ ପ୍ରତିଦିନ ସେଠାକୁ ଆସୁଥିଲା ଗୋଟିଏ ସ୍କୁଟରରେ !

 

ନଳି ଟ୍ରାଉଜର, ଟେରେଲିନ୍‌ ସାର୍ଟ, ମୁଣ୍ଡବାଳ ଅଧା ବାବୁ ବେକରେ ନାଲି ସିଲିକ୍‌ ରୁମାଲ୍‌ । ଅନ୍ୟ ସହରର କୌଣସି ବିଟ୍‌ନିକ୍‌ !

 

କିନ୍ତୁ ଦଣ୍ଡେ ଠିଆ ନହେଲେ କି ଆଳାପ ଜମେ ? ବିଜନବିହାରୀ ସେହି ବିଟ୍‌ନିକ୍‌ ସହିତ ଆଳାପ ପାଇଁ ପ୍ରସ୍ତୁତ ହେବା ବେଳକୁ କିନ୍ତୁ ସ୍କୁଟର କ୍ରୁଦ୍ଧ ଗର୍ଜନକରି ସେଇ ‘‘ସିଟୀ ହୋଟେଲ’’ ମୋଡ଼ରେ ଅଦୃଶ୍ୟ ହୋଇଯାଏ ।

 

‘‘ଏ ବାବୁ ଜଣକ କିଏ ? ସେ ତ ତମର ନିତିଦିନିଆ ଗରାଖ—ବିଜନବିହାରୀ ଦିନେ ପଚାରିଲେ ।

 

ଫୁଲବିକାଳି ବୁଢ଼ା ଉତ୍ତର ଦେଲା ‘‘ଏ ଦୁନିଆଁ ଟଙ୍କାର ଦୁନିଆ ବାବୁ ! ପଇସା ଛଡ଼ା ଏଠି କିଏ ଆଉ କାହାକୁ ଚିହ୍ନୁଛି ?’’

 

ବୁଢ଼ା ଜଣକ ଅନ୍ୟ ସହରର ଦାର୍ଶନିକ !

 

‘‘ନିଅ, ଟାଣ ଏ ସିଗାରେଟ୍‌ । ତମ ନାଁ କଣଟି ?’’

 

‘‘ବନ୍‌ୱାରୀ, ବନ୍‌ୱାରୀ ! ବନ୍‌ୱାରୀଲାଲ୍‌ ନାଁଟା ତା’ହେଲେ ଭୁଲିଗଲ ?’’ ....ନିଜର ନାମଟା କହି ଫୁଲବିକାଳି ବୁଢ଼ା ଅକାରଣରେ ହସିଉଠିଲା । କାହିଁକି କେଜାଣି ?

 

‘‘କିଶୋରୀ ବାଈ ଘରେ ଆଜିକାଲି କେଉଁମାନେ ରହୁଛନ୍ତି?’’ ....ବିଜନବିହାରୀ ପଚାରିଲେ ।

 

ବନ୍‌ୱାରୀ ଥିଲା ସେଦିନ ଏହି ଗଳିର ଚଳନ୍ତି ଗେଜେଟ୍‌, ଅଥବା କି-ବୋର୍ଡ ! କାହା ଘରକୁ କିଏ ଆସିଛି, ଅଥବା କିଏ ଆସିବ, କାହା ଘର ଆଜି ଖାଲି, ଗଳି ମୁଣ୍ଡରେ ବନ୍‌ୱାରୀଲାଲଠାରୁ ମିଳୁଥିଲା ସେସବୁ ବୃତ୍ତାନ୍ତ ।

 

ଏଥିପାଇଁ କିନ୍ତୁ ମଲ୍ଲୀ, ଚମ୍ପା, ଅତବା ବଉଳମାଳାର ଉଚିତ୍‌ ମୂଲ୍ୟଠାରୁ ଅଧିକା ମୂଲ୍ୟ ନେବାପାଇଁ ବନୱାରୀର କୌଣସି ଉଦ୍ୟମ ଅଥବା ଅଭିପ୍ରାୟ ନଥିଲା ।

 

ବନୱାରୀଲାଲ ସେହି ସବୁ ଦିନର ସ୍ମୃତି ବହୁକାଳରୁ ବୁଜି ହୋଇ ପଡ଼ିଥିବା ଗୋଟାଏ ଭଙ୍ଗା ଉଜୁଡ଼ା କୂଅ ଭିତରେ ବୁଡ଼ି ଉଣ୍ଡାଳି ହେଲାପରି ଉଣ୍ଡାଳି ହେଉଥିଲା । ବିଜନବିହାରୀ ପଚାରିଲେ, ପୁଣି ସେହି ଅବାନ୍ତର ପ୍ରଶ୍ନ ନିତାନ୍ତ ଅକାରଣରେ....‘‘କିଶୋରୀବାଈ ଖବର ଆଉ କଣ-?’’

 

ବନୱାରୀ କଳେ ଧୂଆଁ ଛାଡ଼ି କହିଲା....‘‘କିଶୋରୀବାଈମାନଙ୍କର ବ୍ୟବସାୟ ଏବେ ଅଚଳ ! ଘରେ ଘରେ ଠାକୁରବାଡ଼ି’’.....ବନୱାରୀଲାଲର ବେପରୁଆ ହସରେ, ବିଜନବିହାରୀ ଅପ୍ରତିଭ ହୋଇପଡ଼ିଲେ; ଯେପରି ଏ ପ୍ରଶ୍ନଟା ପଚାରିବା ଉଚିତ ହୋଇନାହିଁ ।

 

କିଶୋରୀବାଈର ଆଖଡ଼ାରେ ବହୁବାର ଶୁଣା ଛାନ୍ଦ ଚଉପଦୀ ସବୁ ହଠାତ୍‌ ଯେପରି ମୂର୍ଚ୍ଛିତ ହୋଇ ଉଠୁଥିଲା, ‘‘ବନ୍ଧୁ ମାଗୁଣି ଏତିକିରେ’’.....‘‘ଜାନ ଖାଓ ମେରେ ପରଦେଶୀୟା....’’ ଭୈରବୀ ଠୁଙ୍ଗ୍‍ରୀ !

 

ବନୱାରୀ କହିଲା, ‘‘ମ୍ୟୁନିସିପାଲଟିବାଲା ସହରକୁ ନିର୍ମଳ କରିବାପାଇଁ କେବେଠାରୁ ସେମାନଙ୍କୁ ତଡ଼ି ଦେଲେଣି । ଜଣେ କିଶୋରୀବାଈ ସ୍ଥାନରେ ଏବେ ଯେ ଶହ ଶହ କିଶୋରୀବାଈ-।’’

 

ବନୱାରୀ ପୁଣି ଯେପରି ଅଟ୍ଟହାସ କରି ଉଠିଲା, ସେଥିରେ ଏକ କୁଖ୍ୟାତ ଏଇ ଗଳି ମୋଡ଼ରେ ବିଜନବିହାରୀଙ୍କୁ କେହି ଦେଖିଲା ଆଶଙ୍କାରେ ସେ ଈଷତ୍‌ ଚଞ୍ଚଳ ହୋଇଉଠିଲେ....ଅବଚେତନରେ ଅଳନ୍ଧୁ ପରି ତଥାପି ଝୁଲି ରହିଥିଲା ସେସବୁ ଆଶଙ୍କା !

 

ଗୋଟାଏ ଦାମୀ ମୋଟରଗାଡ଼ି ମସୃଣ ସମ୍ଭ୍ରାନ୍ତ୍ୟରେ ଦେହ ନଚାଇ ନଚାଇ, ସେହି ଗଳି ଭିତରକୁ ପଶିଗଲା । ବିଜନବିହାରୀ ପଚାରିଲେ.... ଏ ଗଳିରେ ଏବେ ଆଉ କେଉଁମାନେ ରହୁଛନ୍ତି ବନୱାରି ? କମଳା, ଭୁବନମୋହିନୀର ଦଳ ସବୁ ଗଲେ କୁଆଡ଼େ ?’’

 

ବନୱାରୀ ଜିଭ କାମୁଡ଼ି ଉତ୍ତର ଦେଲା, ‘‘ଏ ଗଳି ଆଉ ସେ ଗଳି ହୋଇଅଛି ? ଏ ବର୍ତ୍ତମାନ ଏକ ରୋଡ଼....ଜନନେତାଙ୍କ ନାଁରେ ! କିଶୋରୀ ବାଈ ଢିଅରେ ଏବେ ଓକିଲ କୋଠା, ଭାରି ନାମଯାଦା । ଭୁବନମୋହିନୀର ଚଉତରା ବଉଳଗଛ ଯେଉଁଠି ଥିଲା, ସେଠି ଏବେ ନେତାଙ୍କ ଆସ୍ତାନା, ସେପାଖକୁ ରହନ୍ତି ଖବରକାଗଜବାଲା, ଜଣେ ବଡ଼ବାବୁ ! ଏସବୁ ଏବେ ବଡ଼ବଡ଼ ଭଦରଲୋକଙ୍କ ପେଣ୍ଠ !’’

 

କିଶୋରୀବାଈ ଦଳର ଦେହ ଥିଲା ପଣ୍ୟ; ମାତ୍ର ସେମାନଙ୍କ ପ୍ରତି ଥିଲା ଜୀବିକାର ଊର୍ଦ୍ଧ୍ୱରେ ! କିନ୍ତୁ ଏ ନୂଆ କିଶୋରୀବାଈମାନଙ୍କ ଦେହ ସହିତ ଆତ୍ମା ମଧ୍ୟ ଆଜି ପଣ୍ୟ । ଉତ୍ତର-ଭାରତର ସେହି ସହଜ ବିଜନବିହାରୀ ବହୁ ଅକ୍ଷତ ଦେହ ଦେଖିଥିଲେ ସିନା; ଅକ୍ଷତ ଆତ୍ମା ସନ୍ଧାନ ପାଇ ନଥିଲେ କେଉଁଠି !

 

ଯମୁନା କଥା ମନେପଡ଼ିଲା ।

 

ରିଟ୍‌ଜ୍‌—ହୋଟେଲ୍‌ର ରିସେପସନିଷ୍ଟ....ଓଠରେ ଲିପଷ୍ଟିକ୍‌ । ଗାଲରେ ରୁଜ୍‌ । ପିଠିପଟେ ବ୍ଳାଉଜର ଓଲଟ ତ୍ରିକୋଣଟି ଗଭୀର ଓ ରେଖାଙ୍କିତ, ବେକରେ ନକଲି ପାର୍ଲର ଗୋଟାଏ ମୁଣ୍ଡର ବାଳ ବବ୍‌ଡ଼୍‌ । ରିଟଜ୍‌ ହୋଟେଲ୍‌ର ରିସେପ୍‌ସନ୍‌ କାନ୍ଥ ପାଖରେ ଯମୁନା ଦିଶେ, ଫୁଲଦାନିରେ କେନାଫୁଲର ଗନ୍ଧହୀନ ମ୍ଳାନ ସ୍ତବକ ପରି.... ! ଶସ୍ତା ଷ୍ଟେସନାରିର ଏଇ ଲୋଭନୀୟ ବିଜ୍ଞାପନରେ ଆକୃଷ୍ଟ ହୋଇ ବିଜନବିହାରୀ ସେଦିନ ଏଇଠାକୁ ଆସିଥିଲେ ଦରଦୀ ଆତ୍ମାର ସନ୍ଧାନରେ । ମାତ୍ର ପାଇଥିଲେ, ଏକ ମସୃଣ, ଲୋଭନୀୟ ଦେହ ତଳେ ଗୋଟିଏ କୀଟଦଂଷ୍ଟ ଆତ୍ମା !

 

‘‘ତୁମେ ପ୍ରେମରେ ବିଶ୍ୱାସ କର ଯମୁନ ?’’

 

ପାଲାମ୍‌ ବିମାନଘାଟୀକୁ ରାସ୍ତା କଡ଼ରେ ନିର୍ଜନ, କଙ୍କରିଳ, ପ୍ରସ୍ତର-ଦନ୍ତୁରିତ ଗୋଟାଏ ଆଦିମ ପ୍ରାନ୍ତର । ଆକାଶରେ କିଶୋରୀ ଶୁକ୍ଳାତିଥିରେ ଗୋଟାଏ ଲଜ୍ଜାବତୀ ଜହ୍ନ ମେଘର ରେଶମୀ ଓଢ଼ଣା ଉଢ଼ାଳରେ ଥରେ ଥରେ ମୁହଁ ଦେଖାଇ, ପୁଣି ଲୁଚି ଯାଉଥିଲା ନିଜକୁ ଯେପରି ଆଉରି ଆକର୍ଷଣୀୟା କରିବାପାଇଁ । ଯମୁନା ସେଦିନ ସନ୍ଧ୍ୟାରେ ପିନ୍ଧିଥିଲା ମଷ୍ଟର୍ଡ ରଙ୍ଗର ଖଣ୍ଡେ ଶାଢ଼ି, କିଶୋରୀ ଜ୍ୟୋତ୍ସାର ଆଲୋକ ସହିତ ତାହାର ଥିଲା ଅଦ୍ଭୁତ ସିମ୍ଫାନୀ ! ଯମୁନା ଦିଶୁଥିଲା ଅଶରିରୀ ସ୍ୱପ୍ନନାୟିକା ପରି; କିନ୍ତୁ ତାର ଆଖି ଦୁଇଟାରେ ସରିସୃପର ଯେଉଁ କ୍ଷୁଧିତ ବହ୍ନିଶିଖା ଉଠିଥିଲା, ତାହା ଯେପରି ପରିବେଶ ସହିତ ଆଦୌ ଖାପ୍‌ ଖାଉ ନଥିଲା । ଯମୁନା, ଗୋଟିଏ ଦୀର୍ଘଶ୍ୱାସ ପକାଇ ଉତ୍ତର ଦେଇଥିଲା.......

 

‘‘ମୁଁ ବିଶ୍ୱାସ କରେ ପ୍ରୟୋଜନରେ !’’

 

ବନୱାରୀଲାଲର କଥାରେ ବିଜନବିହାରୀଙ୍କ ସ୍ମୃତିଚାରଣରେ ବାଧା ପଡ଼ିଗଲା । ବନୱାରୀଲାଲ ବିଜ୍ଞଜନୋଚିତ ଗମ୍ଭୀର୍ଯ୍ୟରେ କହୁଥିଲା—‘‘କିଶୋରୀବାଈର ଦଳ ଆଜି ଏ ସହରରେ ଥିଲେ, ସେମାନଙ୍କ ପେଟପୋଷା ଦାୟ ହୁଅନ୍ତାଣି !’’ .....ପୁଣି ସେଇ ପ୍ରାଣଖୋଲା ହସ-!

 

ବିଜନବିହାରୀ ଓ ବନୱାରୀ ମଧ୍ୟରେ ସେହିସବୁ ପୁରୁଣାଦିନର ସ୍ମୃତି ରୋମନ୍ଥନ, ହଠାତ୍‌ ସେହି ସ୍କୁଟରଚଢ଼ା ବିଟନୀକ୍‌–ଗରାଖର ସ୍କୁଟର ଶବ୍ଦରେ ବାଧା ପାଇ ଅଟକିଗଲା । ସ୍କୁଟରଆରୋହୀ ଜଣକ ବନୱାରୀ ଠାରୁ ପଚାଶ ପଇସା ମୂଲ୍ୟ ଦେଇ, ମଲ୍ଲୀ ମାଳାଟିଏ ଧରି ଚାଲିଯାଉଥିଲା; ବିଜନବିହାରୀ ତା’ ସହିତ ଆଳାପ କରିବା ଉଦ୍ଦେଶ୍ୟରେ କହିଲେ.....‘‘ଏଇ ଯେ ! ତମର ଆଜି ଡେରି ହେବା ଦେଖି, ମୁଁ ଭାବୁଥିଲି, ତୁମେ ଆଜି ଆଉ ଆସିବ ନାହିଁ ପରା !’’

 

ଆରୋହୀ ଜଣକର ଆଖିରେ ମୁହଁରେ ଯେଉଁ ଭାବ ଫୁଟି ଉଠିଲା, ସେଥିରେ ସୁସ୍ପଷ୍ଟ ଥିଲା; ଅନ୍ୟର କଥାରେ ଏ ନାସିକା ପ୍ରବେଶ କାହିଁକି ! ହୁଃ ! ....ସ୍କୁଟର ଗୋଟାଏ କ୍ରୁଦ୍ଧ ଗର୍ଜନ ଛାଡ଼ି ଗଳି ମୋଡ଼ରେ ଅଦୃଶ୍ୟ ହୋଇଗଲା । ବନୱାରୀର ଶେଷମାଳାଟି ବିକ୍ରି ସରିଥିଲା । ସେ ମଧ୍ୟ କ୍ଳାନ୍ତ ଭାବରେ ଗୋଟାଏ ହାଇମାରି ତା’ ବାଟରେ ବାହାରିଗଲା !

 

ମାତ୍ର ଆଜି ସେ ଲୋକଟାକୁ ଯେଉଁଠୁ ହେଲେ ଧରି ତା’ଠାରୁ ବୁଝିବାପାଇଁ ପଡ଼ିବ, ମଲ୍ଲୀଫୁଲର ଗନ୍ଧ ତାକୁ ଆଣିଦେଇଥାଏ କେଉଁ ବିସ୍ତୃତ ଅଥଚ ଅବିସ୍ମରଣୀୟ ଅତୀତର ସ୍ମୃତି; ଯାହାର ଆକର୍ଷଣରେ ସେ ପ୍ରତିଦିନ ଧାଇଁଆସେ ବନ୍‌ୱାରୀଠାରୁ ମଲ୍ଲୀମାଳ କିଣିବାପାଇଁ ? ବିଜନବିହାରୀ ସ୍କୁଟର ପଛେ ପଛେ ଗୋଟାଏ ସାଇକଲ ରିକ୍‌ସା ଉପରେ ଉଠି ବସିଲେ ।

 

ଛୋଟ ସହରଟି ହଠାତ୍‌ ଯେତେ ଅଚିହ୍ନା ହୋଇ ଉଠିଥିଲେ ସୁଦ୍ଧା, ବହୁ ଗଳି ଉପଗଳିରେ ଅଭ୍ୟସ୍ତ ବିଜନବିହାରୀଙ୍କୁ ବିଳମ୍ୱ ଲାଗିଲା ନାହିଁ, ସେହି ସ୍କୁଟରଚଢ଼ାଳୀ ଜଣକୁ ଖୋଜି ବାହାର କରିବା ପାଇଁ; ଟେଲିଫୋନ-ଏକ୍‍ସଚେଞ୍ଜ ଗଳିର ସେଇ ବାର୍‌ ଭିତରେ !

 

ବାର୍‌ ଭିତରୁ ଛାୟାମୂର୍ତ୍ତି ପରି ବାହାରି ଯାଉଥିବା ଜଣେ ଜଣେ ଗରାଖଙ୍କ ହାକୁଡ଼ି ଅଥବା ହ୍ରେଷାରବ ବ୍ୟତୀତ ଅନ୍ୟ କୌଣସି ଶବ୍ଦ ନଥିଲା ! ବାର୍‌ ସାମନାରେ ଗଳିରାସ୍ତା କ୍ରମେ ନିଛାଟିଆ ହୋଇ ଆସୁଥିଲା ।

 

ବାର୍‌ ସାମନାରେ ସେହି ସ୍କୁଟରଟି ଠିଆ ହୋଇଥିଲା, ଗୋଟାଏ କାଠଘୋଡ଼ା ପରି ! ବିଜନବିହାରୀ ପକେଟବୁକ୍‌ରେ ଲେଖାଥିବା ନମ୍ୱର ସହିତ ସ୍କୁଟରର ନମ୍ୱର ମିଳାଇ ଦେଖିଲେ ! ଆକାଶୀରଙ୍ଗର ସେହି ବହୁପରିଚିତ ସ୍କୁଟର । ବିଜନବିହାରୀଙ୍କୁ ଫାଙ୍କି ଦେବା କଣ ସହଜ ? ସ୍କୁଟର ଚଢ଼ାଳୀ ଜଣଙ୍କ ପଢ଼ି ପାରିଥାଏ ଜେମ୍‌ସ୍‌ ବଣ୍ଡସ୍‌—ଗୋୟେଦା ଉପନ୍ୟାସ ସିରିଜ ! ମାତ୍ର ତାଙ୍କ ଦିନେ ବିଜନବିହାରୀ ମଧ୍ୟ କମ୍‌ ପଢ଼ିନଥିଲେ; ଏଡ୍‌ଗାର୍‌ ୱାଲେସ୍‌ ଆଉ ଆଗାଥା କ୍ରୀସୀ !

 

ବାର୍‌ ଭିତରେ ଗରାଖମାନଙ୍କର ଭିଡ଼ ନଥିଲା । ଗୋଟିଏ ଗୋଲ ଟେବୁଲ୍‌ ଚାରିପଟେ ତିନି ଜଣ କିଏ ଶୋକସଭାରେ ବସିବା ପରି ନୀରବରେ ତଳକୁ ମୁଣ୍ଡ ନୁଆଇଁ ବସିଥିଲେ ! ଆସ୍‌—ଟ୍ରେ ଭିତରୁ ପୋଡ଼ା ସିଗାରେଟର ଧୂଆଁ କୁଣ୍ଡଳୀ ମୋଡ଼ି ଉପରକୁ ଉଠୁଥିଲା ।

 

ବାର୍‌—କାଉଣ୍ଟରଠାରୁ ଅଳ୍ପଛଡ଼ାରେ ସ୍କୁଟର-ଚଢ଼ାଳୀ ସେଇ ବିଟନିକ୍‌ ଏକୁଟିଆ ବସିଥିଲା ସାମ୍‌ନାରେ ଗୋଟାଏ ଖାଲି ଗ୍ଳାସ ରଖି ! ଗ୍ଳାସ ଭିତରକୁ ଚାହିଁ ସେ କଣ ଭାବୁଥିଲା କେଜାଣି ? ସନ୍ଧ୍ୟାରେ ବନୱାରୀଲାଲ୍‌ ଠାରୁ କିଣା ସେଇ ମଲ୍ଲୀମାଳଟି ଟେରେଲୀନ୍‌ ହାୱାଇ ସାର୍ଟର ଛାତି ପକେଟ ଭିତରୁ ବାହାରକୁ ଅଳ୍ପ ଝୁଲି ପଡ଼ିଥିଲା ।

 

ବିଜନବିହାରୀ ତା’ ପାଖକୁ ଆସି ସୌଜନ୍ୟରେ ପଚାରିଲେ....‘‘ମୁଁ ଏଠାରେ ବସିପାରେ କି ?’’

 

ବିଜନବିହାରୀ ଆଡ଼େ କାଚତିଆରି ଆଖି ପରି ଦୁଇଟି ଅଭିବ୍ୟକ୍ତିହୀନ ଆଖିରେ ସେ କେତୋଟି ମୁହୂର୍ତ୍ତ ଚାହିଁଲା । ତାପରେ ଯେଉଁ ଚଉକୀ ଉପରେ ଚୁଚୁନ୍ଦ୍ରାମୁହାଁ ଜୋତାପିନ୍ଧା ପାଦ ଦୁଇଟି ଲମ୍ୱାଇ, ସେ ଜଣେ ପରାଜିତ ସେନାପତି ପରି ବସିଥିଲା, ସେହି ଚଉକିଟି ପାଦରେ ଠେଲି ଦେଇ କହିଲା.....‘‘ହଁ ବସିପାରନ୍ତି ! କିନ୍ତୁ ଆପଣଙ୍କ ବିଲ ପଇସା ଆପଣଙ୍କର ।’’ କଣ୍ଠରେ ତାର ବ୍ୟବସାୟୀସୁଲଭ ରୋକ୍‌ଠୋକ୍‌ କଥା !

 

ବିଜନବିହାରୀ ପ୍ରାଣଖୋଲା ହସ ହସି କହିଲେ.....‘‘ନିଶ୍ଚୟ, ନିଶ୍ଚୟ । ଖାଲି ମୋର ନୁହେଁ, ଆପଣଙ୍କର ମଧ୍ୟ ! ବୟ....ଆପଣଙ୍କର କଣ ଦରକାର ? ....ମୋର ଗୋଟାଏ ଜିନ୍‌ ହେଲେ ଚଳିବ, ଜିମ୍‌ଲେଟ୍‌ !’’

 

ନିଷ୍ପୃହ କଣ୍ଠରେ ସେ ଉତ୍ତର ଦେଲା....‘‘ବଚା ଜାଣେ ମୋର ଯାହା ଦରକାର !’’

 

ବିଜନବିହାରୀ ପାଇଁ ଗୋଟାଏ ଜିମ୍‌ଲେଟ୍‌ ଆଉ ତା’ ପାଇଁ ଗୋଟାଏ ଗ୍ଲାସରେ ପ୍ରାୟ ଦୁଇ ପେଗ୍‌ ମାପରେ ଯେଉଁ ପାନୀୟ ଆଣି ବୟ ରଖିଦେଇ ଗଲା, ତାହା ବୋଧହୁଏ ସ୍ୱଦେଶୀ ! ତାହାର ଉତ୍କଟ ବାସନା ଏକ ଅଶ୍ଳୀଳତା ପରି ବିଜନବିହାରୀଙ୍କୁ ଚମକାଇ ଦେଲା ! ସେ କିନ୍ତୁ ଏକା ଢୋକରେ ଗ୍ଳାସଟିକୁ ନିଃଶେଷ କରି ଅମ୍ଳାନ ବଦନକୁ ବାଁ ହାତ ପାପୁଲିରେ ପୋଛିପୋଛି ଖଣ୍ଡେ ସିଗେରେଟରେ ନିଆଁ ଲଗାଇଲା ।

 

ବିଜନବିହାରୀ ଜିମ୍‌ଲେଟ୍‌ ଗ୍ଲାସଟିକୁ ଓଠ ପାଖକୁ ଆସ୍ତେ ଉଠାଇ ଧରି କହିଲେ.....

 

‘‘ଆପଣ ମଲ୍ଲୀର ବଡ଼ ପ୍ରିୟ ! ସେ କଥା ମୁଁ ବେଶ ଲକ୍ଷ୍ୟ କରି ଦେଖିଛି; କିନ୍ତୁ ମଲ୍ଲୀର ଗନ୍ଧ ଆପଣଙ୍କୁ କଣ ସ୍ମରଣ କରାଇଦିଏ, କହନ୍ତୁ ତ ଦେଖି !’’

 

ସେ କୌଣସି ଉତ୍ତର ଦେଲା ନାହିଁ । ପୁଣି ପ୍ରସ୍ତେ ଜିମ୍‌ଲେଟ୍‌ ଓ ତାର ପୁଣି ପ୍ରସ୍ତେ ସ୍ୱଦେଶୀ-ଭୋଦ୍‌କା ପରେ ବିଜନବିହାରୀ ସେଇ ପ୍ରଶ୍ନର ପୁନରାବୃତ୍ତି କଲେ । ଆଜି ଯେଉଁ ସୁବିଧା ମିଳିଛି, ସେ ସୁବିଧା ଆଉ ହୁଏତ କେବେ ମିଳି ନପାରେ ! ତେଣୁ ଏ ମୂଲ୍ୟବାନ୍‌ ତଥ୍ୟଟି ଆଜି ଏଇଠାରେ ଆବିଷ୍କାର କରିବାପାଇଁ ପଡ଼ିବ । ଅପ୍ରସନ୍ନ କଣ୍ଠରେ ସେ ଉତ୍ତର ଦେଲା, ‘‘ମୁଁ ମଲ୍ଲୀମାଳା କିଣେ କୌଣସି ସ୍ମୃତିକୁ ମନେ ପକାଇବାପାଇଁ ନୁହେଁ ! ମୁଁ କିଣେ ସେଇ ବିଚ୍‌ଟା ପାଇଁ ! ମଲ୍ଲୀ ତାର ଭାରୀ ପ୍ରିୟ !’’

 

କିନ୍ତୁ କିଏ ସେ ମଲ୍ଲୀ-ପ୍ରିୟା ବିଚ୍‌, ମାନେ କୁକୁରୀ ଆଉ କିଏ ବା ଏଇ ନବ୍ୟସହଜିଆ କୁକ୍‌କୁରୀପାଦ ? ବିଜନବିହାରୀ କିଛି ବୁଝିପାରିଲେ ନାହିଁ ! ସେ କିନ୍ତୁ ନିଜ ଆଡ଼ୁ ସେ ରହସଦ୍ୟ ଉଦ୍‌ଘାଟିତ କରି କହିଲା, ‘‘ଏକସ୍‌ଚେଞ୍ଜରେ ଅପରଟେର ମନୀଷା....ମନି....ଆଜି ଆସିବା ପାଇଁ ଏତେ ଡେରି କରୁଛି କାହିଁକି, କେଜାଣି ? ହୁଏତ ଚାଲିଯିବଣି କେଉଁ ସେକେଣ୍ଡ ସୋ ସିନେମାକୁ ।’’

 

ବିଜନବିହାରୀ ଖଣ୍ଡେ ସିଗାରେଟରେ ନିଆଁ ଲଗାଇ ଧୀରେ ଧୀରେ ଧୂଆଁର କୁଣ୍ଡଳୀ କାଢ଼ି ପେଶାଦାର ମନସ୍ତାତ୍ତ୍ୱିକ ପରି ପଚାରିଲେ ।

 

‘‘କାହାପାଇଁ ଆପଣ ମଲ୍ଲୀ ମାଳ କିଣନ୍ତି, ସେ କଥା ଜାଣି ମୋର ଲାଭ ନାହିଁ । ଯୌବନରେ ସେପରି ବିଚ୍‌ମାନଙ୍କର କାମୁଡ଼ାରେ ମୁଁ ମଧ୍ୟ କମ୍‌ ଆହତ ହୋଇନାହିଁ ! ତଥାପି ସେମାନଙ୍କ ପାଇଁ ମଲ୍ଲୀମାଳା କରିବା ପାଇଁ ପଡ଼େ, ଅପେକ୍ଷା କରିବାପାଇଁ ମଦ୍ୟ ପଡ଼େ । ଯୌବନର ସେ ଗୋଟାଏ ଅକୁପେସ୍‌ନାଲ୍‌-ଡିଜିଜ୍‌, ବୃତ୍ତିଗତ ବ୍ୟାଧି ! ମୋର ପ୍ରଶ୍ନ କିନ୍ତୁ ମଲ୍ଲୀର ସୌରଭ ଆପଣଙ୍କୁ କ’ଣ ସ୍ମରଣ କରାଇ ଦିଏ ? କେଉଁ ଅତୀତର ଘଟଣା ଓ ପରିବେଶ ?’’

 

ସେ ଆଉ ପ୍ରସ୍ତେ ଦେଶୀ ଭୋଦ୍‌କା ପାଇଁ ଘାଘରା କଣ୍ଠରେ ଅର୍ଡ଼ର ଦେଲା !

 

ବିଜନବିହାରୀ କିନ୍ତୁ ପ୍ରଗଳ୍‌ଭ୍‌ ହୋଇ ଉଠିଥିଲେ । ସେ କହି ଚାଲିଲେ....‘‘ଉଦାହରଣ ସ୍ୱରୂପ, ଏଇ ଧରନ୍ତୁ ମଲ୍ଲୀର ଭୀରୁ ଗନ୍ଧ ମୋତେ ମନେପକାଇ ଦିଏ, ବର୍ଷ ଓ କାଳର ପାରାବାର ସେପଟେ ଏକ ପଲ୍ଲୀ ଗ୍ରାମରେ ଗୋଟିଏ ସ୍କୁଲର ବୋର୍ଡ଼ିଂଘର ! ଛାଇଢଙ୍କା ବାଦାମୀରଙ୍ଗର ଖରାଦିନିଆ ସକାଳ, ତଥାପି ସ୍ପଷ୍ଟ ହୋଇ ଫୁଟିନାହିଁ ! ନିଦ ମଳମଳ ଆଖିରେ ସକାଳ ପ୍ରାର୍ଥନା ପାଇଁ ପିଲାଏ ଚାଲିଛନ୍ତି ସୁଦାମ ପଣ୍ଡିତଙ୍କ ପିଣ୍ଡାକୁ—ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀର ପ୍ରଥମ ଲହର ଉଠିଲାଣି ! ଶଙ୍କା ସଙ୍କଟହୀନ ପୃଥିବୀର ଗୋଟିଏ ଅପାପବିଦ୍ଧ ସକାଳ, ପିଣ୍ଡା ତଳେ ରାଶି ରାଶି ମଲ୍ଲୀଫୁଲର ମହକ ଭିତରେ ସେ ଦିନଟି ଯେପରି ଧୀରେ ଧୀରେ ଚେଇଁ ଉଠୁଥିଲା, ଆଜି ମଧ୍ୟ ମୁହୂର୍ତ୍ତକ ପାଇଁ ହଠାତ୍‌ ସେହିପରି ଚେଇଁଉଠେ.....ମୁଠାଏ ମଲ୍ଲୀଫୁଲ ଭିତରେ ! ଆଉ ଆପଣଙ୍କର ?’’

 

ସେ ଲୋକଟି ଅକାରଣ ରୁକ୍ଷତାରେ ବିସ୍ଫୋରଣ କରି ଉଠିଲା....‘‘ଆମେ ସବୁ ଆଜି ଚାହୁଁ, ସବୁ ଭୁଲିଯିବା ପାଇଁ ! ଅତୀତର ରୋମନ୍ଥନ ପାଇଁ, ତୁମପରି ଇଡିଅଟ୍‌ମାନେ ମଲ୍ଲୀମାଳ କିଣି ପାରୁଥାନ୍ତି; ମାତ୍ର ମୁଁ କିଣେ କେବଳ ସେହି ବିଚ୍‌ଟା ପାଇଁ !’’

 

ତାପରେ ଗୋଟାଏ ଅଶ୍ଳୀଳ ହାକୁଡ଼ି ମାରି ସେ ଟେଲିଫୋନ୍‌-ବୁଥ ଭିତରେ ଅଦୃଶ୍ୟ ହୋଇଗଲା, ବୋଧହୁଏ ମନୀଷାକୁ ଟେଲିଫୋନ୍‌ କରିବା ପାଇଁ ! ଚଉକିରୁ ଢଳି ଢଳି ଉଠିଗଲା ବେଳେ, ମଲ୍ଲୀମାଳଟା ତାର ପକେଟରୁ ଖସି ତଳେ ପଡ଼ିଗଲା । ମାତ୍ର ଏତେ ଯତ୍ନରେ କିଣା ମଲ୍ଲୀମାଳାଟିକୁ ହାତରେ ଉଠାଇ ନେବା ପାଇଁ, ତାହାର ଧୈର୍ଯ୍ୟ ଅଥବା ଅଭିଳାଷ ନଥିଲା ! ତାର ଜୋତା ତଳେ ଫୁଲ ମାଳଟା ମକଚିହୋଇ ପଡ଼ିଥିଲା ।

 

ବିଜନବିହାରୀ କାଉଣ୍ଟରରେ ବିଲ୍‌ ଛିଣ୍ଡାଇ ବାହାରକୁ ଆସିଲେ । ସ୍କୁଟର୍‌ଟା ସେମିତି ଠିଆ ହୋଇଥିଲା ଗୋଟାଏ କାଠଘୋଡ଼ା ପରି ।

 

ଅନ୍ୟସହରର ସେଇ ଗଳିରାସ୍ତା ନିଅନ୍‌ ଆଲୋକରେ ଦିଶୁଥିଲା ନିଦ ଓଷଦ ଗିଳି ଶୋଇ ପଡ଼ିଥିବା କୌଣସି ରୋଗୀର ବିମର୍ଷ ମୁହଁ ପରି । .....ଏ ନିଦ୍ରା ବିଶ୍ରାମର ପ୍ରଶାନ୍ତି ନୁହେଁ, ଦୁଇଟି ଯନ୍ତ୍ରଣା ମଧ୍ୟରେ କେବଳ ଗୋଟିଏ ବିରତି ମାତ୍ର !

Image

 

ସୁନା ମାହାରୀ

 

ମନ୍ଦିରବେଢ଼ା ଭିତରେ ଇଲେକ୍‌ଟ୍ରିକ୍‌ ଆଲୁଅ ସବୁ କ୍ରମେ ପାଉଁଶିଆ ଦିଶିଲାଣି । ତରଳ ଅନ୍ଧକାର ସ୍ରୋତରେ କଳ୍ପବଟର ଶାଖାପତ୍ର ସବୁ ମେଞ୍ଚାଏ ଶୈବାଳ ପରି ପାହାନ୍ତି ପବନରେ ଭାସୁଛି । ପୂର୍ବ ଆକାଶରେ ନବଜାତ ପ୍ରଭାତର ରକ୍ତିମ ସମାରୋହ । ରାତ୍ରିର ମୋହଭଙ୍ଗ ମଧ୍ୟରୁ ଜନ୍ମ ନେଉଛି ଯେପରି ଏକ କଠୋର ସତ୍ୟର ବେଦନାକ୍ତ ପରିପ୍ରକାଶ ।

 

ରାଇଚରଣ ଚୌଧୁରୀ ଏକ ତନ୍ଦ୍ରାଚାଳିତ ଛାୟାମୂର୍ତ୍ତି ପରି ବାଇଶି ପାହାଚରେ ଧୀରେ ଧୀରେ ଓହ୍ଲାଇ ଆସୁଥିଲେ । ବାର୍ଦ୍ଧକ୍ୟରେ ତାଙ୍କର ଆଖିର ଦୃଷ୍ଟି କ୍ଷୀଣ, ସେଥିରେ ପୁଣି ଖଣ୍ଡେ ପାତଳା କୁହୁଡ଼ି ସମ୍ମୁଖର ଦୃଷ୍ଟିକୁ ଆଉରି ଜାଲଜାଲୁଆ କରି ଦେଇଥିଲା । ସେଥିରେ କିନ୍ତୁ କିଛି ଯାଏ ଆସେ ନାହିଁ । ସମ୍ମୁଖ ଦୃଷ୍ଟି ଆଜି କ୍ଷୀଣ ? ପଶ୍ଚାଦ୍‌ଦୃଷ୍ଟି ମଳିନ....ଅର୍ନ୍ତଦୃଷ୍ଟି ମଧ୍ୟରେ କେବଳ ଜୀବନର ଅନ୍ୱେଷଣ !

 

ପାହାଚରେ କେହି ଜଣେ ତୀର୍ଥବାସିନୀ ପୁଣ୍ୟାର୍ଥିନୀ ମହିଳା ଉପରକୁ ଉଠି ଆସୁଥିଲେ-। ପିନ୍ଧାରେ କଳାଧଡ଼ିଆ ମଣିଆବନ୍ଦୀ କୁମ୍ଭପକା ଶାଢ଼ି, ଦେହରେ ପାଉଁଶିଆ ରଙ୍ଗର ଖଣ୍ଡେ ଚଉତା ଶାଲ, ହାତରେ ପିତ୍ତଳର କମକରା ଚାଙ୍ଗୁଡ଼ି । ସେଥିରେ ସକାଳର ଶିଶିରଧୁଆ ସଜଫୁଲ-

 

ଦୁଇଟା ପାହାଚ ଓ ଓହ୍ଲାଇଆସିବା ପରେ, ରାଇଚରଣ କଣ ଭାବି ତାଙ୍କ ଆଡ଼େ ଫେରି ଚାହିଁଲେ । ସେ ମଧ୍ୟ ସେତିକିବେଳକୁ ତାଙ୍କ ଆଡ଼େ ଫେରି ଚାହିଁ ମୁହଁ ବୁଲାଇ ନେଉଥିଲେ ପରା ! ଅନ୍ୟମନସ୍କ ଭାବରେ ଆଉ କେତେଟା ପାହାଚ ଓହ୍ଲାଇ ଯିବା ପରେ ବିଶ୍ୱମ୍ଭର ବାବୁଙ୍କ ପରିହାସମୁଖର ସମ୍ଭାଷଣ ଶୁଭିଲା......

 

‘‘କି ହେ ରାଇଚରଣ ! ସକାଳୁ ସକାଳୁ ଶ୍ରୀମୁଖ ଦର୍ଶନର ଲୋଭ ଛାଡ଼ିପାରିଲ ନାହିଁ ପରା !’’

 

ବିଶ୍ୱମ୍ଭର କହୁଥିଲେ ଅନ୍ୟ ଶ୍ରୀମୁଖ କଥା; କିନ୍ତୁ ରାଇଚରଣ ସେ ରସିକତା ନ ବୁଝି ଉତ୍ତର ଦେଲେ, ‘‘ସେକଥା କଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ?’’

 

ବିଶ୍ୱମ୍ଭର ଓ ରାଇଚରଣ ସହପାଠୀ ଥିଲେ । ବିଶ୍ୱମ୍ଭର ଚାକିରୀରୁ ଅବସର ନେବା ପରେ ତୀର୍ଥବାସ କରୁଛନ୍ତି । ରାଇଚରଣ କିନ୍ତୁ ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଚାକିରୀରୁ ବିତାଡ଼ିତ ହେବା ପରେ ଅନ୍ୟତ୍ର ଓକିଲାତି କରୁଥିଲେ । ଏବେ ସେଥିରୁ ଅବସର ନେଇ, ତୀର୍ଥବାସ ପାଇଁ ସେ ମଧ୍ୟ ଆସିଛନ୍ତି ଏଠାକୁ ।

 

ସବୁ ତୀର୍ଥବାସ ଜୀବନର ଶେଷ ନୌକାଘାଟ ପରି.....ସେଠାରେ ଅନେକ ଶୂନ୍ୟତା, ଅନେକ ଅବସାଦ, ଅନେକ କ୍ଳାନ୍ତ ପ୍ରତୀକ୍ଷା ! ବିଶ୍ୱମ୍ଭରଙ୍କ ରସିକତା କିନ୍ତୁ ଊଣା ପଡ଼ି ନଥିଲା । ସେ ପଚାରିଲେ, ‘‘ମୁଁ ସେ କଳାଶ୍ରୀମୁଖ କଥା କହୁନାହିଁ ହେ ! ସୁନା ଚାଲିଗଲା, ଚିହ୍ନିପାରିଲ ନାହିଁ ?’’

 

‘‘ସୁନା ? ସୁନା ମାହାରୀ ?’’ ....ରାଇଚରଣ ଚମକିଲା ପରି ପଚାରିଲେ । ବିସ୍ମୃତିର ମୌନ ତନ୍ତ୍ରୀ ଉପରେ କାହାର ଚମ୍ପାକଢ଼ିଆ ଆଙ୍ଗୁଳିଟା ଯେପରି ତରଙ୍ଗିତ ହୋଇଉଠିଲା ।

 

ବିଶ୍ୱମ୍ଭର କହିଲେ.....‘‘ତମେ ଓହ୍ଲାଇ ଆସୁଥିବାବେଳେ ତମ ପାଖଦେଇ ସୁନା ମନ୍ଦିରକୁ ଯାଉଥିଲା; ଚିହ୍ନି ପାରିଲ ନାହିଁ ତାକୁ ?’’

 

ହଠାତ୍‌ ଅକାରଣରେ ରାଇଚରଣ ସେ ମହିଳାଟି ଆଡ଼େ କାହିଁକି ଫେରି ଚାହିଁଥିଲେ, ତାହା ଏବେ ବୁଝିପାରିଲେ । ସୁନା ମାହାରୀକୁ ଚାହିଁ ଦେଖିବା ପାଇଁ ଚେତନ ମନର ଆଜି କୌଣସି ଆଗ୍ରହ ନଥିଲେ ହେଁ, ଅବଚେତନ ମନର ସେ ପିପାସା ତଥାପି କେଜାଣି ମରି ନଥିଲା ପରା !

 

ପୂର୍ବ ଆକାଶରେ ସିନ୍ଦୂରାଫାଟି, ଚାରିଆଡ଼େ କ୍ରମେ ପାଉଁଶିଆ ଆଲୁଅ ଫିଟି ଆସୁଥିଲା-। ରାଇଚରଣ ଗୋଟିଏ ଦୀର୍ଘନିଶ୍ୱାସ ପକାଇ ପାହାଚରେ ଧୀରେ ଧୀରେ ଓହ୍ଲାଇଆସିଲେ-

 

ସମୟର ରସିକତା କମ୍‌ ନୁହେଁ ତ ! ସୁନା ମାହାରୀ ଆଜି ପୂଜାରିଣୀ ! ଆଉ ରାଇଚରଣ ଜୀବନଶ୍ରାନ୍ତ ତୀର୍ଥବାସୀ !

 

ମନ୍ଦିରକୁ ଫେରିଯାଇଁ, ସୁନାକୁ ଥରେ ଦେଖି ଆସିଲେ କିପରି ହୁଅନ୍ତା ! ଜଗମୋହନର ଗୋଟିଏ କୋଣରେ ବସି ସେ ନିତି ଯେପରି ଫୁଲମାଳ ଗୁନ୍ଥେ, ଏବେ ମଧ୍ୟ ସେହିପରି ସେଠାରେ ବସି ସେ ଫୁଲମାଳ ଗୁନ୍ଥୁଥିବ । ରାଇଚରଣଙ୍କୁ ଦେଖିଲେ ସେ ଚିହ୍ନିପାରିବ କି ? ଏହା ଭିତରେ ଅବଶ୍ୟ ବହୁ ସୁଦୀର୍ଘ ବର୍ଷର ବ୍ୟବଧାନ ହୋଇଗଲାଣି ।

 

ଥାଉ, ଆଉ ଦିନେ । ନୋହିଲେ କାଲି । ଜୀବନର ନିଃଶେଷିତ ସୁରାପାତ୍ରର ଶେଷ ବିନ୍ଦୁଟିରେ ଆଜି ଆଉ ଉତ୍ତେଜନା ନାହିଁ ।

 

ରାଇଚରଣ ପ୍ରାତଃଭ୍ରମଣରେ ବାହାରିଗଲେ ।

 

ମୋତିପୁର ଏଷ୍ଟେଟ୍‌ର ୱାର୍ଡସ୍‌-ମେନେଜର ରୂପେ ଏହିଠାରେ ଆରମ୍ଭ ହୋଇଥିଲା ରାଇଚରଣଙ୍କ ପ୍ରଥମ ଚାକିରୀ ଜୀବନ ଓ ଶେଷ ହୋଇଥିଲା ମଧ୍ୟ ଏଇଠି । ଆରମ୍ଭ ହୋଇଥିଲା ଶତ ଉଜ୍ଜ୍ୱଳ ସମ୍ଭାବନା ଘେନି, କିନ୍ତୁ ଶେଷ ହୋଇଥିଲା ଲାଞ୍ଛନା ଆଉ ଅପବାଦ ମଧ୍ୟରେ । ମୋତିପୁର ଏଷ୍ଟେଟ୍‌ର ତରୁଣ ଜମିଦାର ଶୁଭେନ୍ଦୁଶେଖର ସେତେବେଳକୁ ଋଣପଙ୍କରେ ନାକ ପର୍ଯ୍ୟନ୍ତ ନିଜେ ବୁଡ଼ି ଜମିଦାରୀଟିକୁ ପୂରାପୂରି ବୁଡ଼ାଇ ସାରିଥିଲେ । ସେହି ପରିସ୍ଥିତିରେ ଜମିଦାରୀ ୱାର୍ଡସ୍‌ ଅଧୀନକୁ ଆସି, କୋର୍ଟ-ଅଫ୍‌-ଓ୍ୱାର୍ଡସ୍‍ ପକ୍ଷରୁ ତରୁଣ ଡେପୁଟୀ ମାଜିଷ୍ଟ୍ରେଟ୍‌ ରାଇଚରଣ ଚୌଧୁରୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଶୁଭେନ୍ଦୁଶେଖର ମୋତିପୁର ଏଷ୍ଟେଟ୍‌ରୁ ପ୍ରାୟ ନିର୍ବାସିତ ହୋଇ ପୁରୀ ଠାରେ ଏକାକୀ ରହୁଥିଲେ । ତାଙ୍କର ମାସିକ ଭତ୍ତା ଥିଲା ସାତଶହ ଟଙ୍କା । ଅନ୍ୟାନ୍ୟ ଖର୍ଚ୍ଚ ଏଷ୍ଟେଟ ପକ୍ଷରୁ ନିର୍ବାହିତ ହେଉଥିଲା । ସରକାରଙ୍କ ଆଦେଶରେ ପୁରୀଠାରେ ରାଇଚରଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁଭେନ୍ଦୁଶେଖରଙ୍କୁ ରଖାଯାଇଥିଲା ତାଙ୍କ ଚରିତ୍ର-ସଂସ୍କାର ପାଇଁ । ଶୁଭେନ୍ଦୁଶେଖର ସେହିପରି ଘୋର ପ୍ରମତ୍ତ ଓ ଉଚ୍ଛୃଙ୍ଖଳ ଥିଲେ । ପ୍ରଭୁତ୍ୱ, ଐଶ୍ୱର୍ଯ୍ୟ, ଯୌବନ ଓ ଅବିବେକିତାର ଚଉମୁହାଣି ଛକରେ ଶୁଭେନ୍ଦୁଶେଖର ନିଜକୁ ସମ୍ପୂର୍ଣ୍ଣଭାବରେ ହଜାଇ ଦେଇଥିଲେ ।

 

ସେତେବେଳେ ସୁନା ମାହାରୀର ଭରା ଯୌବନ । ସୌଖୀନ୍‌ ବୈଠକଖାନା ଓ ଆସରମାନଙ୍କରେ ସୁନା ମାହାରୀର ଜୟ ଜୟକାର ! ସୁନା ମାହାରୀ କଣ୍ଠରେ ଛାନ୍ଦ ଚଉପଦୀର ମୂର୍ଚ୍ଛନା, ଦେହରେ ଓଡ଼ିଶୀ ନୃତ୍ୟର ତରଙ୍ଗ, କେତେ ବୁନିଆସ୍‌ ବଂଶର ସୌଭାଗ୍ୟ ଉପରେ କଳାକନା ପରି ବୁଲି ଯାଉଥିଲା ତାହାର ଇୟତା ନଥିଲା । ସୁନାର ଲେଲିହାନ ପ୍ରଦୀପ ଶିଖାରେ କେତେ ପତଙ୍ଗ ଆସିଥିଲେ ଆତ୍ମାହୂତି ପାଇଁ; ସ୍ୱୈରିଣୀର ତାହା ସ୍ମରଣ ନଥିଲା ।

 

ସୁନାର ସ୍ୱର୍ଣ୍ଣ ପିଞ୍ଜରିରେ ଆବଦ୍ଧ ହେବାପାଇଁ, ଶୁଭେନ୍ଦୁଶେଖରଙ୍କୁ ମଧ୍ୟ ବିଳମ୍ୱ ଲାଗି ନଥିଲା । ରାଇଚରଣ ଓ ଶୁଭେନ୍ଦୁଶେଖର ପ୍ରାୟ ସମବୟସୀ ଥିଲେ । କେବେ କେବେ ଶୁଭେନ୍ଦୁଶେଖରଙ୍କ ବାଧ୍ୟ ବାଧକତାରେ ରାଇଚରଣ ମଧ୍ୟ ସୁନା ମାହାରୀ କୋଠାକୁ ଆମନ୍ତ୍ରିତ ହୋଇ ଆସୁଥିଲେ । ରାଇଚରଣଙ୍କ ନିଗଡ଼ବଦ୍ଧ ଯୌବନ ସେତେବେଳେ କେତେଥର ଯେ ବଲ୍‌ଗାମୁକ୍ତ ଅଶ୍ୱପରି ଚଞ୍ଚଳ ହୋଇଉଠି ନଥିଲା, ନୁହେଁ । ମାତ୍ର ତାହାକୁ ପ୍ରଶ୍ରୟ ଦେବାପାଇଁ ରାଇଚରଣଙ୍କ ସୁଯୋଗ କିମ୍ୱା ଅବକାଶ ନଥିଲା । ନିଜକୁ ସଂଯତ କରିବା ପାଇଁ ଶୁଭେନ୍ଦୁଶେଖରଙ୍କୁ ସେ ଆର୍ଥିକ ଶୃଙ୍ଖଳା ମଧ୍ୟରେ ସବୁବେଳେ ସଂଯତ ରଖିବାକୁ ଚେଷ୍ଟା କରୁଥିଲେ । ମାତ୍ର ରାଇଚରଣଙ୍କ ପକ୍ଷରୁ ଶାସନର ନିୟନ୍ତ୍ରଣ ଯେତିକି ବଢ଼ୁଥିଲା, ଶୁଭେନ୍ଦୁଶେଖର ସେତିକି ହିଂସ୍ର, ଭୟଙ୍କର ଓ ଦାୟିତ୍ୱହୀନ ହୋଇ ଉଠୁଥିଲେ ।

 

ଶୁଭେନ୍ଦୁଶେଖର ପ୍ରତି ମାସ ଆରମ୍ଭରେ ଓ୍ୱାର୍ଡସ୍‍ ପକ୍ଷରୁ ଯେଉଁ ମାସୋହରା ପାଉଥିଲେ, ସେତକ ଶେଷ ହୋଇଯିବା ପାଇଁ ତାଙ୍କୁ ଗୋଟାଏ ସପ୍ତାହ ସୁଦ୍ଦା ଲାଗୁ ନ ଥିଲା । ତା’ ପରେ ଆରମ୍ଭ ହେଉଥିଲା ଟଙ୍କା ପାଇଁ ରାଇଚରଣଙ୍କ ଉପରେ ଜୁଲୁମ, ଧମକ ଓ ସେ ସବୁ ବ୍ୟର୍ଥ ହେଲେ ପାଖରେ ଗଚ୍ଛିତ ଥିବା କୋମ୍ପାନୀ କାଗଜ ଆଉ ହୀରା ଜହରତ୍‌ ବିକ୍ରି !

 

ସେଦିନ ରାଇଚରଣ ତଳମହଲାରେ ଅଫିସ ଘରେ ବସି କାର୍ଯ୍ୟ କରୁଥିଲେ । ସନ୍ଧ୍ୟା ପାଇଁ ଆଉ ଅଳ୍ପ ଡେରି ଥିଲା ।

 

ଶୁଭେନ୍ଦୁଶେଖର ହାତରେ ଗୋଟାଏ ଚାବୁକ୍‌ ନଚାଇ ନଚାଇ ଅଫିସ ଭିତରକୁ ପଶିଆସିଲେ । ରାଇଚରଣଙ୍କ ସାମ୍‌ନାରେ ପଡ଼ିଥିବା ଖଣ୍ଡେ ଚଉକୀ ଉପରେ ନାଏଗ୍ରା ଜୋତାପିନ୍ଧା ଗୋଟାଏ ପାଦ ଚାପିରଖି କହିଲେ, ‘‘ମାନେଜର ସାହେବ୍‍ ! ଟଙ୍କା ପାଞ୍ଚଶହ କାଢ଼ ତ ଦେଖି ! ପରେ ତାର ହିସାବ ନିକାଶ ବୁଝିବା !’’

 

ଥରେ ଦୁଇଥର ଶୁଭେନ୍ଦୁଶେଖରଙ୍କ ଏପରି ଅନୁରୋଧ ରାଇଚରଣ ଯେ ରକ୍ଷା କରି ନାହାନ୍ତି ନୁହେଁ; ମାତ୍ର ସେଥିପାଇଁ ପ୍ରତ୍ୟେକ ଥର ତାଙ୍କୁ ଉପରିସ୍ଥ କର୍ତ୍ତାମାନଙ୍କ ଠାରେ ଯଥେଷ୍ଟ କୈଫିୟତ୍‌ ଦେବାପାଇଁ ପଡ଼ିଥିଲା !

 

ଶୁଭେନ୍ଦୁଶେଖରଙ୍କ ଆଡ଼େ ତୀକ୍ଷ୍‌ଣ, କଠୋର ଦୃଷ୍ଟିରେ ଚାହିଁ ରାଇଚରଣ କହିଲେ, ‘‘ମୁଁ ଦେଖୁଛି ଆପଣଙ୍କ ମାସିକ ଭତ୍ତା ଏଣିକି ପୂରାପୂରି ମୋତେ ନିଜ ହାତରେ ଅକ୍ତିଆର କରିବାପାଇଁ ପଡ଼ିବ । ଗୋଟାଏ ସାଧାରଣ ନାଚବାଲୀ ପାଇଁ ଆପଣ କେଉଁ ଅଧଃପତନ ଭିତରକୁ ପାଦେ ପାଦେ ଓହ୍ଲାଇ ଗଲେଣି, ତାହା କଣ ବୁଝିପାରୁ ନାହାନ୍ତି ରାଜା ସାହେବ ? ମୁଁ ଆପଣଙ୍କ ଶୁଭାକାଂକ୍ଷୀ ହିସାବରେ କହୁଛି, ଆପଣ ସୁନାମାହାରୀ ସହିତ ସବୁ ସମ୍ପର୍କ ତୁଟାଇ ଦିଅନ୍ତୁ ! ନୋହିଲେ ଫଳ ଭଲ ହେବ ନାହିଁ !’’

 

ମଲାବାଦୁଡ଼ି ଡେଣା ପରି ଉପରେ ଝୁଲୁଥିବା ଟଣାପଙ୍ଖା ଉପରେ ଅକାରଣରେ ଚାବୁକ୍‌ଟା ଦୁଇଥର ପିଟି ଶୁଭେନ୍ଦୁଶେଖର କହିଲେ, ‘‘ମ୍ୟାନେଜର ! ତୁମେ ମୋର ମାସିକ ଭତ୍ତା ଟଙ୍କା ଅକ୍ତିୟାର କରିପାର, କିନ୍ତୁ ମୋର ଇଚ୍ଛାକୁ ନୁହେଁ; ନେଭର୍‌ ! ତୁମର କର୍ତ୍ତମାନେ ସୁଦ୍ଧା ନୁହନ୍ତି-!’’

 

ତା’ପରେ ଶୁଭେନ୍ଦୁଶେଖର ହାତରେ ଚାବୁକ୍‌ ନଚାଇ ନଚାଇ ରାଇଚରଣଙ୍କ ଅଫିସ ଭିତରକୁ ଯେପରି ଆସିଥିଲେ ସେହିପରି ଅଫିସ ବାହାରକୁ ବାହାରି ଚାଲିଗଲେ । ଟମ୍‌ଟମ୍‌ ଗାଡ଼ିର ଶବ୍ଦ ବାହାରେ ସୁରକୀବିଛା ରାସ୍ତା ଉପରେ ମିଳାଇଗଲା ।

 

ରାଇଚରଣ କର୍ମକର୍ତ୍ତାମାନଙ୍କ ଆଦେଶ ଓ ଅନୁମୋଦନରେ, ଶୁଭେନ୍ଦୁଶେଖରଙ୍କ ମାସିକ ଭତ୍ତା ଓ ତାଙ୍କର ସମସ୍ତ ଅସ୍ଥାବର ସମ୍ପତ୍ତି କ୍ରମେ ନିଜ ହାତରେ ନିୟନ୍ତ୍ରଣ କଲେ । ରାଇଚରଣ ଭାବିଥିଲେ ହାତରେ ଅର୍ଥ ନ ପାଇଲେ ସୁନା ମାହାରୀ ସହିତ ସମ୍ପର୍କ ଶୁଭେନ୍ଦୁଶେଖରଙ୍କୁ ବାଧ୍ୟ ହୋଇ ଛିଣ୍ଡାଇବା ପାଇଁ ପଡ଼ିବ । ମାତ୍ର ଏହାର ପରିଣତି ସମ୍ପୂର୍ଣ୍ଣ ବିପରୀତ ହେଲା । ଶୁଭେନ୍ଦୁ ଶେଖର ଏଣିକି ସବୁବେଳେ ପ୍ରାୟ ପଡ଼ି ରହିଲେ ସୁନାମାହାରୀ କୋଠାରେ । ଯେଉଁ ସମୟଟି ସେ ବାହାରକୁ ଆସିଲେ, ସେସମୟରେ ସେ ହୋଇଉଠିଲେ ଭୟଙ୍କର ଓ ପ୍ରମତ୍ତ !

 

ସୁନା ମାହାରୀ ପାଖରେ ଥିବା ପର୍ଯ୍ୟନ୍ତ ସେ ବେଳାହତ ଲହରୀ ପରି ଶାନ୍ତ ଓ ବଶମ୍ୱଦ; ମାତ୍ର ତା ପାଖରୁ ବିଚ୍ୟୁତ ହେବା ମାତ୍ରେ ସେ ହିଂସ୍ର, ଉତ୍ତାଳ ଓ ଉଚ୍ଛୃଙ୍ଖଳ !

 

ରାଇଚରଣ ଦିନେ ଶୁଭେନ୍ଦୁଶେଖରଙ୍କୁ ଚମର ସତର୍କବାଣୀ ଶୁଣାଇ ଦେଲେ....‘‘ଗଭର୍ଣ୍ଣମେଣ୍ଟଙ୍କ ଆଦେଶ-ଆପଣ ଯେପରି କୋଠି ବାହାରକୁ ଆଉ ବାହାରି ନ ପାରନ୍ତି, ସେଥିପ୍ରତି ମୋତେ ନଜର ରଖିବା ପାଇଁ ପଡ଼ିବ । ଅବାଧ୍ୟ ହେଲେ ଆପଣଙ୍କ ଭତ୍ତା ଟଙ୍କା ବନ୍ଦ କରି ଦିଆଯିବ !’’

 

ଶୁଭେନ୍ଦୁଶେଖର ସେଦିନ ସକାଳେ ରାଇଚରଣଙ୍କ ଠାରୁ ତାଙ୍କ ମାସିକ ଭତ୍ତା ଟଙ୍କା ପାଇଥିଲେ । ବିଡ଼ା ବିଡ଼ା ନୋଟ୍‌ ସବୁ ପକେଟରୁ କାଢ଼ି ରାଇଚରଙ୍କ ମୁହଁ ଉପରକୁ ଫିଙ୍ଗି ଶୁଭେନ୍ଦୁଶେଖର କହିଲେ, ‘‘ଓଃ ! ଏଇ ଟଙ୍କା ପାଇଁ ମୋତେ ଏପରି ଧମକ ଦେଉଛ ମ୍ୟାନେଜର ? ସୁନାର କଣ ଟଙ୍କା ଅଭାବ ଅଛି ? ତାର ଅନେକ ଟଙ୍କା...ଅନେକ ଟଙ୍କା !’’

 

ତା’ ପରେ ପାଗଳ ପରି ଅଟ୍ଟହାସ କରି ସୁରକୀବିଛା ରାସ୍ତା ଉପରେ ବିଞ୍ଚି ପଡ଼ିଥିବା ବିଡ଼ାବିଡ଼ା ନୋଟ ଉପରେ ଶୁଭେନ୍ଦୁଶେଖର ଟମ୍‌ ଟମ୍‌ ଗାଡ଼ି ଛୁଟାଇଦେଲେ ।

 

ସେ ଚାଲିଥିଲେ ସୁନା ମାହାରୀ କୋଠାକୁ । ସୁରକୀବିଛା ରାସ୍ତାରେ ନାଲିଆ ଧୂଳି ଆଉ ବାଲିର ଘୂର୍ଣ୍ଣି ଭିତରେ ଗାଡ଼ିଟା ଫାଟକ ବାହାରେ ଅଦୃଶ୍ୟ ହୋଇଗଲା ।

 

ହଠାତ୍‌ ଦିନେ ଶୁଭେନ୍ଦୁଶେଖର ରାଞ୍ଚି ପ୍ରେରିତ ହୋଇଗଲେ ମାନସିକ ଚିକିତ୍ସା ପାଇଁ । ତାଙ୍କୁ ରାଞ୍ଚି ପଠାଇବେଳେ ସଶସ୍ତ୍ର ପୁଲିସର ବ୍ୟବସ୍ଥା କରିବାପାଇଁ ସୁଦ୍ଧା ପଡ଼ିଥିଲା । ଶୁଭେନ୍ଦୁଶେଖର ଘୋର ଉନ୍ମାଦଗ୍ରସ୍ତ ବୋଲି ରାଇଚରଣ ଉପରିସ୍ଥ କର୍ମକର୍ତ୍ତାମାନଙ୍କ ଠାକୁ ଗୁପ୍ତ ରିପୋର୍ଟଟିଏ ପଠାଇ ଦେଇଥିଲେ । ତାପରେ ଏଇ ହେଲା ତାର ପରିଣତି ।

 

ଶୁଭେନ୍ଦୁଶେଖର ରାଞ୍ଚି ଯିବା ପରେ ଓ୍ୱାର୍ଡସ୍‍ର ବ୍ୟାପାର ସମ୍ପର୍କରେ ରାଇଚରଣଙ୍କୁ ପ୍ରାୟ ଗୋଟିଏ ବର୍ଷ ପୁରୀରେ ରହିବାପାଇଁ ପଡ଼ିଥିଲା ।

 

ସେହି ସମୟରେ ଦିନେ ହଠାତ୍‌ ସହରରେ ଗୋଟାଏ ଚାଞ୍ଚଲ୍ୟ ଖେଳିଗଲା, ରାଇଚରଣ ସରକାରୀ ଟଙ୍କା ଆତ୍ମସାତ୍‌ କରିଥିବା ବ୍ୟାପାର ଘେନି । ଓ୍ୱାର୍ଡସ୍‍ର ଅନେକ ଟଙ୍କା ସେ ବରବାଦ୍‌ କରି ଯାଇଥିଲେ; ସୁନା ମାହାରୀ ପାଇଁ । କେବଳ ସୁନାମାହାରୀ ପାଇଁ ଯେ ରାଇଚରଣ ଶୁଭେନ୍ଦୁଶେଖରଙ୍କୁ ରାଞ୍ଚି ପଠାଇଥିଲେ; ତାଙ୍କୁ ପାଗଳ ସାବ୍ୟସ୍ତ କରି ସେ ସମ୍ୱାଦ ସୁନା ମାହାରୀ ଛଡ଼ା ଆଉ କାହାକୁ କିନ୍ତୁ ଜଣା ନ ଥିଲା !

 

ସୁନା ମହାରୀର ଅବଶ୍ୟ ଟଙ୍କାର ଅଭାବ ନ ଥିଲା; ତଥାପି ସୁନାମାହାରୀର ପ୍ରତିଟି ମୁହୂର୍ତ୍ତ ପାଇଁ ରାଇଚରଣଙ୍କୁ ଯଥେଷ୍ଟ ଦୁର୍ମୂଲ୍ୟ ଦେବାପାଇଁ ପଡ଼ିଥିଲା । ସୁନା ତିଳେ ତିଳେ ରାଇଚରଣଙ୍କୁ ନିଃଶେଷିତ କରିବାପାଇଁ କୌଣସି କୁଣ୍ଠାବୋଧ କରି ନ ଥିଲା ।

 

ସବୁ ଶେଷ ହୋଇଯିବାପରେ, ଅସହାୟ କଣ୍ଠରେ ରାଇଚରଣ ଦିନେ ପଚାରିଲେ, ‘‘ତୁମର କ’ଣ ବା ଅଭାବ ଅଛି ସୁନା ? ମୁଁ ତ ତୁମପାଇଁ ସର୍ବସ୍ୱାନ୍ତ ହେଲିଣି !’’

 

ସୁନା ସ୍ମିତ ହସି ଉତ୍ତର ଦେଇଥିଲା, ‘‘ମୋର ଟଙ୍କାର ତ ଅଭାବ ନାହିଁ ! କିନ୍ତୁ ଯାହା ଅଭାବ ଅଛି, ତାହା ତ ଦେଇପାରିବ ନାହିଁ ତୁମେ !’’

 

ସୁନା ସେଦିନ କୃଷ୍ଣଚୂଡ଼ାର ଶୃଙ୍ଗାରବିଳାସରେ ଚଟୁଳା ଶୃଙ୍ଗାରମୟୀ ହୋଇଉଠିଥିଲା । ତାର ଦୁଇ ଆଖିରେ ସର୍ପିଣୀର ହଳାହଳମୟ ଆମନ୍ତ୍ରଣ !

 

ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ, ରାଇଚରଣ ଚାକିରୀରୁ ବିତାଡ଼ିତ ହୋଇ, ପୈତୃକ ସମ୍ପତ୍ତି ବିନିମୟରେ ଦାୟମୁକ୍ତ ହୋଇପାରିଥିଲେ ।

 

ରାଇଚରଣଙ୍କ ମୁହଁ ଉପରେ ସେହିଦିନଠାରୁ ସୁନା ମାହାଲ କୋଠାର ସିଦର ଦରଜା ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

 

ରାଇଚରଣ ଆଜି ମନ୍ଦିରକୁ ବିଳମ୍ୱ କରି ଆସିଥିଲେ ।

 

ପହଡ଼ ପଡ଼ିଥିବାରୁ ନାଟମଣ୍ଡପ ପ୍ରାୟ ଯାତ୍ରୀବିରଳ ହୋଇ ପଡ଼ିଥିଲା । ସୁନା ମାହାରୀ ନାଟମନ୍ଦିରର ଗୋଟିଏ ସ୍ତମ୍ଭ ପାଖରେ ନିତ୍ୟ ଅଭ୍ୟସ୍ତ ସ୍ଥାପରେ ତଳକୁ ମୁହଁ ନୁଆଁଇ ବସି ଦୟଣାମାଳ ଗୁନ୍ଥୁଥିଲା । ସୁନାର ମୁହଁ, କପାଳ ଓ ଚିବୁକରେ ଅତୀତର ପଇଁଚାଳିଶ ବର୍ଷବ୍ୟାପୀ ଅନ୍ୱେଷଣର ବ୍ୟର୍ଥ ପାଦଚିହ୍ନ ଗୋଟି ଗୋଟି ହୋଇ ଫୁଟି ଉଠିଥିଲା । ତାର କପାଳ ଉପରେ ଚୂର୍ଣ୍ଣକୁନ୍ତଳର ଯେଉଁ କୁଣ୍ଡଳଟି ଦିଶୁଥିଲା ବହୁ ହୃଦୟକୁ ବନ୍ଦୀ କରିଥିଲା ସକାଳର ମଳିନ ଆଲୋକରେ, ହେମନ୍ତର କାଶସ୍ତବକ ପରି ତାହା ବିବର୍ଣ୍ଣ ଓ ଧୂସର ଦିଶୁଥିଲା ।

 

ଜୀବନର ଶେଷ ହିସାବନିକାଶ ମିଳାଇବା ପରି ଅଭିନିବେଶରେ ସୁନା ମାହାରୀ ଗୋଟି ଗୋଟି ଫୁଲରେ ମାଳା ଗୁନ୍ଥୁଥିଲା ।

 

ଶୁଭେନ୍ଦୁଶେଖର ବହୁଦିନୁ ଆତ୍ମହତ୍ୟା କରିଥିଲେ; କିନ୍ତୁ ସୁନା ମାହାରୀ କ’ଣ ପାଇବା ପାଇଁ, କେଉଁ ପ୍ରାପ୍ତି ଆଶାରେ, ନିଜକୁ ତିଳେ ତିଳେ ପଣ୍ୟ ପରି ବିତରଣ କରି ଦେଇଥିଲା ? ସେ ତାହା ପାଇଲା ନାହିଁ କିଏ ଜାଣେ ? ରାଇଚରଣ ବା କଣ ସନ୍ଧାନ କରୁଥିଲେ, ସୁନା ମାହାରୀ ଠାରେ ?

 

ପହଡ଼ ଫିଟିବା ପାଇଁ କେଜାଣି କାହିଁକି ବିଳମ୍ୱ ହେଉଥିଲା ।

 

ଅର୍ଗଳିବଦ୍ଧ ପହୁଡ଼ ଦ୍ୱାର ଆଡ଼େ ଚାହିଁ ରାଇଚରଣ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ମନ୍ଦିରରୁ ଧୀରେ ଧୀରେ କ୍ଳାନ୍ତ ପାଦରେ ବାହାରି ଆସୁଥଲେ ।

Image

 

Unknown

ସାପ

 

ଜୀବାନନ୍ଦ ଶେଷ ରାତିର ସେ ସ୍ୱପ୍ନଟା ତଥାପି ଭୁଲି ପାରୁନଥିଲେ.....ଅନଶନ ଓ ମୌନବ୍ରତର ତପଶ୍ଚର୍ଯ୍ୟା ମଧ୍ୟରେ ସୁଦ୍ଧା ।

 

ଗୋଟାଏ ବିଷଧର ସର୍ପର ଶୀତଳ-କୁଣ୍ଡଳୀ ପରି ତାହା ଜୀବାନନ୍ଦଙ୍କ ଚେତନାରେ ଗୁଡ଼ାଇ ହୋଇ ଯାଉଥିଲା....ଚିତ୍ରାନଦୀର ନିର୍ଜନ ବନ୍ଧ......ବନ୍ଧ କଡ଼ର ସେଇ ବରଗଛଟା ତଳେ ଦୁଇଟା ସାପ ମୈଥୁନ ବନ୍ଧରେ ନାଚି ନାଚି ଫଣା ତୋଳି ଖେଳୁଥିଲେ । ହଠାତ୍‌ ଜୀବାନନ୍ଦଙ୍କ ପାଦରେ ସେଥିରୁ ଗୋଟାଏ ସାପ ଫିଟି କୁଣ୍ଡଳୀ ମୋଡ଼ି ଗୁଡ଼ାଇ ହୋଇଗଲା; ପାଦଠାରୁ ଜଂଘ, ଜଂଘରୁ ଅଣ୍ଟା, ଅଣ୍ଟାରୁ ଛାତି ପର୍ଯ୍ୟନ୍ତ......ଜୀବାନନ୍ଦ ଚିତ୍କାର କରିଉଠିଲେ । ପରମୁହୂର୍ତ୍ତରେ ସାପଟା ଆଉ ନଥିଲା । ଯମୁନାଦେବୀ—ଯମୁନା ବହେନ୍‌—ଜୀବାନନ୍ଦଙ୍କ ସେକ୍ରେଟାରୀ, ଚିତ୍ରାନଦୀର ନିର୍ଜନ ବନ୍ଧ ଉପରେ, ସେହି ଆସନ୍ନ ସନ୍ଧ୍ୟାର ଛାୟାନ୍ଧକାର ମଧ୍ୟରେ, କେଉଁଆଡ଼ୁ ହଠାତ୍‌ ଆସି ଜୀବାନନ୍ଦଙ୍କ ପ୍ରତୀକ୍ଷାରେ ଠିଆ ହୋଇଥିଲେ । ....ଏହି ସମୟରେ ଜୀବାନନ୍ଦଙ୍କ ନିଦଟା ଭାଙ୍ଗିଗଲା-। ଜୀବାନନ୍ଦ ଅନ୍ୟଦିନ ମାନଙ୍କ ପରି ଆଶ୍ରମର ପୂର୍ବପଟ ବାରଣ୍ଡାରେ ଖଣ୍ଡେ କାଠ ତକ୍ତପୋଷ ଉପରେ ସେଦିନ ରାତିରେ ମଧ୍ୟ ଶୋଇଥିଲେ । ନାଃ....ଚିତ୍ରାନଦୀ ବନ୍ଧରେ ସେହି ଭୟଙ୍କର ଦୁର୍ଘଟଣା ଗୋଟାଏ ସ୍ୱପ୍ନ ମାତ୍ର ! ଗୋବିନ୍ଦଜୀ ମହାରାଜ, କେତେବେଳୁ ଉଠି କାଶି କାଶି କଣ୍ଠରୁ କଫ ସଫା କରୁଥିଲେ । ପୂର୍ବ ଆକାଶରେ ସିନ୍ଦୂରା ଫାଟୁଥିଲା ।

 

ଜୀବାନନ୍ଦ ସେଇଦିନ ସକାଳୁ ହଠାତ୍‌ ଆରମ୍ଭ କରିଦେଲେ ଅନଶନ ଓ ସେଥି ସଙ୍ଗେସଙ୍ଗେ ମୌନବ୍ରତ । ତାହାର କାରଣ କିନ୍ତୁ, ଆନନ୍ଦାଶ୍ରମର ଅନ୍ତେବାସୀ ତ ଦୂରର କଥା, ତାଙ୍କର ସେକ୍ରେଟାରୀ ଯମୁନାଦେବୀ ଓ ଘନିଷ୍ଠ ସହକର୍ମୀମାନେ ସୁଦ୍ଧା ଜାଣି ନଥିଲେ । ସହରରୁ ଜାତୀୟତାବାଦୀ ସମ୍ୱାଦପତ୍ରର ପ୍ରତିନିଧିମାନେ ଆସିଥିଲେ କିଛି ଗୋଟାଏ ଚାଞ୍ଚଲ୍ୟକର ସମ୍ୱାଦ ସଂଗ୍ରହ ଆଶାରେ । ମାତ୍ର ଜୀବାନନ୍ଦଙ୍କ ମଳିନ ଓଠର କ୍ଳାନ୍ତ ହସର ଗୋଟିଏ କ୍ଷୀଣ ରେଖା ବ୍ୟତୀତ, ଅନ୍ୟ କୌଣସି ଉତ୍ତର ନଥିଲା । ସାମ୍ୱାଦିକମାନଙ୍କ ସହିତ ସାକ୍ଷାତ୍‌କାର ବେଳେ, ସ୍ୱାମୀ ଜୀବାନନ୍ଦଙ୍କ ସେକ୍ରେଟାରୀ ଯମୁନାଦେବୀ ସେଠାରେ ଉପସ୍ଥିତ ଥିଲେ । ଜୀବାନନ୍ଦଙ୍କ ସେଇ ରହସ୍ୟବିଜଡ଼ିତ ହସକୁ ବର୍ଣ୍ଣନା କରି, ସେଦିନ ରାତିରେ ଯମୁନାଦେବୀ ତାଙ୍କ ଡାୟରୀରେ ଲେଖିଲେ.....

 

‘‘ମେଘାଚ୍ଛନ୍ନ ଆକାଶରେ ଜ୍ୟୋତ୍ସାର ଗୋଟିଏ କରୁଣ ରେଖା ପରି ସ୍ୱାମୀଜୀଙ୍କ ଅନଶନକ୍ଳିଷ୍ଟ ଓଠରେ କ୍ଳାନ୍ତକ୍ଷୀଣ ହାସ୍ୟରେଖାଟିଏ ଫୁଟି ଉଠିଲା ତାହା ମୋର ମର୍ମସ୍ଥଳକୁ ଏପରି ଗଭୀର ସମ୍ୱେଦନଶୀଳ ଭାବରେ ସ୍ପର୍ଶ କଲା କାହିଁକି ? କେଜାଣି ?’’

 

ସ୍ୱାମୀ ଜୀବାନନ୍ଦଙ୍କ ଅନଶନ ସେତେବେଳେ ପ୍ରାୟ ପ୍ରତ୍ୟେକ ସମ୍ୱାଦପତ୍ରରେ ପ୍ରଥମ ପୃଷ୍ଠାର ସମ୍ୱାଦ ହୋଇ ପଡ଼ିଥିଲା । ସ୍ୱୟଂ ମହାତ୍ମା ସୁଦ୍ଧା ଜୀବାନନ୍ଦଙ୍କ ଅନଶନ ସମ୍ବାଦରେ ବିଚଳିତ ହୋଇ ଜୀବାନନ୍ଦ ନିକଟକୁ ଏକ ପ୍ରେରିତ ବାର୍ତ୍ତାରେ, ଅନଶନବ୍ରତ ପାଳନ ପାଇଁ ଭଗବାନ ଜୀବାନନ୍ଦଙ୍କୁ ଶକ୍ତି ଦିଅନ୍ତୁ ବୋଲି ଆଶୀର୍ବାଦ ଜଣାଇଥିଲେ ।

 

ତାହା ୧୯୨୪ ସାଲ......

 

ସେତେବେଳେ ଦେଶର ରାଜନୈତିକ ପରିସ୍ଥିତି ଆଦୌ ଉଦ୍‌ବେଗଜନକ ନଥିଲା । ଗାନ୍ଧିଜୀ ସେତେବେଳେ ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିଥିଲେ । ପ୍ରାଦେଶିକ ସ୍ତରରେ ଅନ୍ୟ ନେତାମାନେ ମନକୁ ଆସୁ ନ ଥିବା ଚାଞ୍ଚଲ୍ୟବିହୀନ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ ରହିଥିଲେ । ତେଣୁ ଜୀବାନନ୍ଦଙ୍କ ଆକସ୍ମିକ ଅନଶନ କାରଣ କିଛି ବୁଝା ପଡ଼ୁ ନଥିଲା ।

 

ବୁଦ୍ଧ, ମୋଜେସ୍‌, ଯୀଶୁ ବା ଶ୍ରୀଚୈତନ୍ୟ କେବଳ ସନ୍ଥ ପୁରୁଷ ନଥିଲେ । ସେମାନେ ମଧ୍ୟ ପ୍ରତ୍ୟେକ ଥିଲେ ଜଣେ ଜଣେ ଜନନେତା । ଜନପ୍ରାଣକୁ ସେମାନେ ଆବେଦନ କରିଥିଲେ, କେହି ବୌଦ୍ଧିକ ଯୁକ୍ତିରେ ନୁହେଁ; ଅତି-ମାନସିକ ଓ ଆଧ୍ୟାତ୍ମିକ ଆବେଦନରେ ମଧ୍ୟ ସେମାନେ ଗୋଟିଏ ଗୋଟିଏ ଜଡ଼, ଚୈତନ୍ୟହୀନ ଜାତିକୁ ଚୈତନ୍ୟମୟ କରି ପାରିଥିଲେ । ଗାନ୍ଧୀ-ଯୁଗରେ ଦେଶରେ ଏହିପରି ବହୁ ନେତୃତ୍ୱର ସୃଷ୍ଟି ହୋଇଥିଲା । ସେମାନଙ୍କଠାରେ ଭାଷଣର ଜ୍ୱାଳାମୟୀ ଅନର୍ଗଳତା ନଥିଲା; କିମ୍ୱା ବିଦ୍ୟା, ସାମ୍ଭ୍ରାନ୍ତ୍ୟ ଅଥବା ଅର୍ଥବଳର ଅହଙ୍କାର ନଥିଲା । ବୈଷ୍ଣବ-ଜନ ସୁଲଭ ‘‘ତୃଣାଦପି ସୁନୀଚେନ’’ ଶକ୍ତିରେ ସେମାନେ ପ୍ରତ୍ୟେକେ କିନ୍ତୁ ମହାନ୍‌ ଶକ୍ତିଧର ଥିଲେ । ସେମାନଙ୍କ ଠାରେ ଦୈହିକ ଶକ୍ତି ଥିଲା ସାମାନ୍ୟ । ତଥାପି ସେମାନେ ପ୍ରତ୍ୟେକେ ଥିଲେ, ହିରଣ୍ୟଗର୍ଭ ଆତ୍ମଶକ୍ତିର ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ ! କଠୋର ଚାରିତ୍ରିକ ଶୃଙ୍ଖଳା, ସଂଯମ ଓ ତପଶ୍ଚରଣ ମଧ୍ୟରେ ସେମାନେ ପଶୁ-ଶରୀରର ସବୁ ପ୍ରବୃତ୍ତି ଦମନ କରି ନିଜ ନିଜ ଜୀବନକୁ ସତ୍ୟ, ଶିବ ଓ ସୁନ୍ଦରର ଶାଣିତ ଖଡ୍‌ଗରେ ପରିଣତ କରି ପାରିଥିଲେ । ସେଥିପାଇଁ ସେମାନଙ୍କ ନେତୃତ୍ୱ କେବଳ ପ୍ରଭାବଶାଳୀ ନଥିଲା; ତାହା ମଧ୍ୟ ଥିଲା ମହିମାମୟ ଓ ରହସ୍ୟମୟ ।

 

ଜୀବାନନ୍ଦଙ୍କ ନେତୃତ୍ୱ ସେହିପରି ଛାଞ୍ଚରେ ନିର୍ମିତ ହୋଇଥିଲା । ୧୯୨୧ ସାଲରୁ ଗୋଟିଏ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଚାକିରୀ ଛାଡ଼ି, ସେ ଭାରତର ମୁକ୍ତି-ସଂଗ୍ରାମରେ ଲମ୍ଫ ଦେଇଥିଲେ । ତାପରେ ଜେଲରୁ ମୁକ୍ତି ପାଇ ଦରିଦ୍ରନାରାୟଣଙ୍କ ସେବାବ୍ରତ ଧରି ସେ ଏକ ଅଖ୍ୟାତ ପଲ୍ଲୀକୋଣରେ ଗଢ଼ିଥିଲେ ଆନନ୍ଦାଶ୍ରମ—ଯାହା କ୍ରମେ ଭାରତରେ ଜାତୀୟତାବାଦୀ ସଂଗ୍ରାମର ଅନ୍ୟତମ ଶିବିରରେ ପରିଣତ ହୋଇଥିଲା ।

 

ତପୋକ୍ଳିଷ୍ଟ ତପସ୍ୱୀର ଚେହେରା । ମୁଣ୍ଡଟି ଲଣ୍ଡିତ । ବୌଦ୍ଧିକତାଦୀପ୍ତ ଆଖି ଦୁଇଟିର କ୍ଷୀଣାୟମାନ ଦୃଷ୍ଟି ଗିଲଟି-ଫ୍ରେମବନ୍ଧା ଚଷମାରେ ପରିବର୍ଦ୍ଧିତ ହୋଇଥିଲା ସତ୍ୟ, ମାତ୍ର ଦୁଇ ଆୟତ ଆଖିର ସୌନ୍ଦର୍ଯ୍ୟକୁ ବିନଷ୍ଟ କରିବା ସଙ୍ଗେ ସଙ୍ଗେ ତାହା ତାଙ୍କର ଏକାବନ ବର୍ଷ ବୟସକୁ ଯେପରି ଆଉରି ଦଶବର୍ଷ ଆଗେଇ ଦେଇଥିଲା । ପରିଧାନରେ ଆଣ୍ଠୁ-ନ-ଲୁଚା ଖଣ୍ଡେ ଗୈରିକ ଓ ଦେହରେ ସେହି ରଙ୍ଗର ଫତେଇ ।

 

ସ୍ୱାମୀ ଜୀବାନନ୍ଦଙ୍କ ଅନଶନର ଚତୁର୍ଥ ଦିବସ । ଖବରକାଗଜମାନଙ୍କରେ ଅଗ୍ରଲେଖା ବାହାରିଥିଲା....‘‘ସ୍ୱାମୀ ଜୀବାନନ୍ଦଙ୍କ ଜୀବନ, ଏ ପରାଧୀନ ଜାତିର ମୁକ୍ତି ସଂଗ୍ରାମରେ ଏକ ମହାନ୍‌ ଅସ୍ତ୍ର । ଦେଶର କୋଟି କୋଟି ଜନତା ସେ ମହାଜୀବନର ଦୀର୍ଘାୟୁ କାମନାରେ ନିତ୍ୟ ପ୍ରାର୍ଥନାମୟ-। ଜୀବାନନ୍ଦଙ୍କ ଅନଶନର କାରଣ ଜାଣିବା ପାଇଁ ପ୍ରତ୍ୟେକଙ୍କର ଏକ ଅଧିକାର ରହିଛି-। ସେଥିପାଇଁ ସ୍ୱାମୀଜୀ ତାଙ୍କ ଅନଶନର କାରଣ ଦେଶବାସୀଙ୍କ ଠାରୁ ଉହ୍ୟ ରଖି ସେମାନଙ୍କର ଉଦ୍‌ବେଗ ବୃଦ୍ଧି କରିବା ଅନୁଚିତ ହେବ ।’’

 

ଆଉ ଗୋଟିଏ ସମ୍ୱାଦପତ୍ର ଲେଖିଥିଲେ—‘‘ଉପସ୍ଥିତ ରାଜନୈତିକ ପରିସ୍ଥିତିରେ କଂଗ୍ରେସ ଓ ବିଟ୍ରିଶ ସରକାରଙ୍କ ମଧ୍ୟରେ କୌଣସି ସଂଘର୍ଷ ବା ବିରୋଧ ନଥିବା ଦୃଷ୍ଟିରୁ ସ୍ୱାମୀ ଜୀବାନନ୍ଦଙ୍କ ଅନଶନ ଆତ୍ମିକ ଆଧ୍ୟାତ୍ମିକତା ଅନୁଶୀଳନ ଦ୍ୱାରା ପ୍ରଣୋଦିତ ଥିବା ଅସମ୍ଭବ ନୁହେଁ । ତାହାକୁ ଏକ ରାଜନୈତିକ ଆଭିମୁଖ୍ୟ ଦେବା ଉଚିତ ନୁହେଁ ।’’

 

ଆନନ୍ଦାଶ୍ରମରେ ଅନ୍ୟଦିନମାନଙ୍କ ପରି ସେଦିନ ମଧ୍ୟ ସ୍ୱାଭାବିକ ଭାବରେ, ବିଭିନ୍ନ ଦୈନିକ କାର୍ଯ୍ୟକ୍ରମ ଶୃଙ୍ଖଳିତ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା । ନିଧିଦାସ ଓ ଶ୍ୟାମ ମଙ୍ଗରାଜଙ୍କ ପରି ଅନ୍ତେବାସୀମାନେ—ଯେଉଁମାନେ ଜୀବାନନ୍ଦଙ୍କ ପ୍ରତ୍ୟେକ କଥା ଓ କାର୍ଯ୍ୟରେ ଗୋଟିଏ ରହସ୍ୟମୟ ଆଧ୍ୟାତ୍ମିକ ମହତ୍ତ୍ୱ ଓ ସେଥି ସଙ୍ଗେ ସଙ୍ଗେ ସ୍ୱରାଜ୍ୟ ପ୍ରାପ୍ତି ଦିଗରେ ଆଉ ଗୋଟିଏ ପାଦ ଅଗ୍ରସର ହେବାର ସଙ୍କେତ ଦେଖିଥାନ୍ତି—ଜୀବାନନ୍ଦଙ୍କ ଅନଶନ ହେତୁ ସେମାନେ ମଧ୍ୟ ଅନଶନ ଆରମ୍ଭ କରି ଦେଇଥିଲେ । ରୋଷେଇଶାଳରେ ହଣ୍ଡାମଜା, କାଠହଣା ପ୍ରଭୃତି ନୈମିତ୍ତିକ କାର୍ଯ୍ୟ ପରିବର୍ତ୍ତେ ପିଣ୍ଡାରେ ବସି ସେମାନେ ଅରଟରେ ସୂତା କାଟୁଥିଲେ ।

 

ସ୍ୱାମୀଜୀଙ୍କ ଅନଶନ ହେତୁ ଆଶ୍ରମରେ ସବୁଆଡ଼େ ନିର୍ବେଦଗ୍ରସ୍ତ ଏକ ବିଷର୍ଣ ନୀରବତା ! ତଥାପି ଗୋବିନ୍ଦ୍‌ଜୀ ମହାରାଜ ତାଙ୍କର ନୂତନ ଖାଦ୍ୟରୀତି ସମ୍ପର୍କରେ କେତେଜଣ ଆଗ୍ରହୀ ଅନ୍ତେବାସୀଙ୍କୁ ରୋଷେଇଶାଳ ପିଣ୍ଡାରେ ବସି ତାହାର ବ୍ୟାଖ୍ୟାନ ଦେବାରୁ ବିରତ ନଥିଲେ । ଗୋବିନ୍ଦଜୀ ମହାରାଜଙ୍କ ନୂତନ ଖାଦ୍ୟରୀତିଟି ଅତି ସହଜ—ତାହା ହେଉଛି, କଞ୍ଚା ପରିବା ଓ ଘାସ ଖାଇବା । ତାଙ୍କର ତତ୍ତ୍ୱ ହେଲା ଅଲଗା ଅଲଗା ଚୁଲୀ କରି ସେଥିରେ ହାଣ୍ଡିହଣ୍ଡା ବସାଇ ରନ୍ଧନ ବ୍ୟବସ୍ଥା ମୂଳରେ ରହିଛି ସମାଜରେ ଶୋଷଣ, ଲୋଭ ଓ ହିଂସାର ହିଂସ୍ରତା । ରନ୍ଧନ ବ୍ୟବସ୍ଥା, ଅର୍ଥାତ୍‌ ହାଣ୍ଡିହଣ୍ଡାର ବ୍ୟବସ୍ଥା ନରହିଲେ, ମନୁଷ୍ୟ ସମାଜ ପ୍ରତିଯୋଗିତାମୂଳକ ହେବା ପରିବର୍ତ୍ତେ ସହଯୋଗିତାମୂଳକ ହୋଇ ଉଠିବ । ଏହା ତେଣୁ ଏକ ନୂତନ ଓ ମହତ୍ତର ଜୀବନର ଅନୁଶୀଳନ ! ଏ ସମ୍ପର୍କରେ ଜୀବାନନ୍ଦଙ୍କ ମତାମତ ଲୋଡ଼ା ଯାଇଥିଲା । ମାତ୍ର ସେ ନିଜର କୌଣସି ମତାମତ ନ ଦେଇ, ଗୀତାରୁ ଗୋଟିଏ ଶ୍ଳୋକ ଉଦ୍ଧାର କରି ବୁଝାଇ ଦେଇଥିଲେ; ଖାଦ୍ୟ ପ୍ରତ୍ୟେକର ରୁଚି ଉପରେ ନିର୍ଭରଶୀଳ । ତଥାପି ଗୋବିନ୍ଦଜୀ ମହାରାଜଙ୍କ ତତ୍ତ୍ୱଟି ମନ୍ଦ ନୁହେଁ ! ତାହା ନିଶ୍ଚୟ ଅନୁଶୀଳନଯୋଗ୍ୟ । ଆଶ୍ରମରେ ଯେଉଁ କେତେଜଣ ଦୁଃସାହସିକ ଅନ୍ତେବାସୀ ଏ ଅନୁଶୀଳନ ଆରମ୍ଭ କରିଥିଲେ, କଞ୍ଚା ପରିବା ଓ ଦୁବଘାସ ସେମାନଙ୍କ ମାନବୀୟ ପାକ-ଯନ୍ତ୍ରରେ ଜୀର୍ଣ୍ଣ ନହେବାରୁ ସେମାନେ କଠିନ ଆମାଶୟରେ ପୀଡ଼ିତ ହୋଇ ପଡ଼ିଥିଲେ । ଗଙ୍ଗାଦେବୀ, ଯଶୋଦାଅପା ଓ କଲ୍ୟାଣୀନାନୀ ପ୍ରଭୃତି ଅନ୍ତେବାସିନୀମାନେ, ଗୋବିନ୍ଦଜୀ ମହାରାଜଙ୍କ ବ୍ୟବସ୍ଥାପତ୍ର ଅନୁସାରେ ସେମାନଙ୍କୁ ହୋମିଓପାଥିକ୍‌ ଔଷଧ ଦେବା ଓ ସେମାନଙ୍କ ପରିଚର୍ଯ୍ୟା ପ୍ରଭୃତି କାର୍ଯ୍ୟରେ ନିୟୋଜିତ ଥିଲେ ।

 

ଅନଶନ ସତ୍ତ୍ୱେ ଜୀବାନନ୍ଦଙ୍କ ନୈମିତ୍ତିକ କାର୍ଯ୍ୟକ୍ରମରେ କୌଣସି ବିଚ୍ୟୁତି ନଥିଲା । ଗୀତାପାଠ ପରେ ସୂତାକଟା, ଗୁହାଳ ସଫେଇ ଓ ଗୋସେବା ସମାପ୍ତ କରି ସେ ତାଙ୍କ ପ୍ରକୋଷ୍ଠରେ ବସି ସମ୍ୱାଦପତ୍ର ପାଠ ଓ ପତ୍ରଲିଖନ ଆଦି ନୈମିତ୍ତକ କାର୍ଯ୍ୟ ଆରମ୍ଭ କରିଥିଲେ । ଗୋବରଲିପା ଲମ୍ୱା ମାଟି ଘର । ଚଟାଣ ଉପରେ, ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ, ଗୋଟିଏ ଖଜୁରୀଚଟ ବିଛା ହୋଇଥିଲା । ପ୍ରକୋଷ୍ଠର ଗୋଟିଏ କୋଣରେ ଖଣ୍ଡେ କାଠ ଡେସ୍‌କ୍‌ ପାଖରେ ସ୍ୱାମୀ ଜୀବାନନ୍ଦ ବସି ଚିଠିଲେଖା ଆରମ୍ଭ କରିଥିଲେ । ନିତାନ୍ତ ବ୍ୟକ୍ତିଗତ ଚିଠିସବୁ ତାଙ୍କୁ ହାତରେ ଲେଖିବାପାଇଁ ପଡ଼ିଥାଏ । ଅନ୍ୟ ଚିଠି ସବୁ ଶ୍ରୁତଲିଖନରେ ଲେଖନ୍ତି ସ୍ୱାମୀଜୀଙ୍କ ସେକ୍ରେଟାରୀ, ଯମୁନା ବହେନ ।

 

ମାତ୍ର ମୌନବ୍ରତ ହେତୁ ଜୀବାନନ୍ଦ ଶ୍ରୁତଲିଖନ ଡାକିବାର ଉପାୟ ନଥିଲା । ତା’ଛଡ଼ା ସ୍ୱାମୀ ଜୀବାନନ୍ଦ କାଠ ଡେସ୍‌କ୍‌ ଉପରେ ହାମୁଡ଼େଇ ନିଜ ହସ୍ତାକ୍ଷରରେ ଯେଉଁ ଚିଠିସବୁ ଲେଖନ୍ତି, ସେସବୁ ଅତ୍ୟନ୍ତ ବ୍ୟକ୍ତିଗତ ଥିବାରୁ ଶ୍ରୁତଲିଖନ ଡାକି ଲେଖାଇବା ଭଳି ସେସବୁ ନ ଥିଲା । ମୌନବ୍ରତ ପାଳନ ନ କରିବା ଦିନ ସୁଦ୍ଧା ସେମିତି ଅନେକ ବ୍ୟକ୍ତିଗତ ଚିଠି ସ୍ୱାମୀଜୀ ପୋଷ୍ଟକାର୍ଡ଼ରେ, ଖବରକାଗଜ ଫ୍ଳାପ୍‌ରେ, ଏପରି କି ଅଦରକାରୀ ଲଫାପା ଖୋଳର କାଗଜରେ ସୁଦ୍ଧା ନିଜ ହାତରେ ଲେଖି ପଠାଇଥାନ୍ତି । ଏବେ ସ୍ୱାମୀ ଜୀବାନନ୍ଦ କଲ୍ୟାଣମୟୀଙ୍କ ପାଖକୁ ସେହିପରି ଖଣ୍ଡେ ଚିଠି ଲେଖୁଥିଲେ—

 

.....କଲ୍ୟାଣୀୟା କଲ୍ୟାଣମୟୀ;

 

ତୁମର ‘‘ପ୍ରେମପତ୍ରିକା’’ ପାଇଛି ! ତୁମ ପ୍ରାଣରର ବ୍ୟାକୁଳତା ସେହି ପ୍ରେମ-ପତ୍ରିକାର ଛତ୍ରେଛତ୍ରେ ମୁଁ ସ୍ପଷ୍ଟ ଅନୁଭବ କରିପାରିଅଛି । ମାତ୍ର ତୁମକୁ ବହୁପୂର୍ବରୁ ମୁଁ ଲେଖିଛି ତ—ଏ ଆଶ୍ରମ-ଜୀବନପାଇଁ ତୁମକୁ କେବଳ ଦୈହିକ ଓ ମାନସିକ ସ୍ତରରେ ନୁହେଁ, ଆଧ୍ୟାତ୍ମିକ ସ୍ତରରେ ମଧ୍ୟ ପ୍ରସ୍ତୁତ ହେବାପାଇଁ ପଡ଼ିବ । ତୁମେ ଧନୀର କନ୍ୟା ପୁଣି ଉଚ୍ଚଶିକ୍ଷିତା । ଦୈହିକ ଓ ମାନସିକ ସ୍ତରରେ ତୁମେ ନିଜକୁ କେଜାଣି ପ୍ରସ୍ତୁତ କରି ସାରିବଣି; କିନ୍ତୁ ଆଧ୍ୟାତ୍ମିକ ସ୍ତରରେ ପ୍ରସ୍ତୁତ ହେବାପାଇଁ ତୁମର ଆଉରି ବିଳମ୍ୱ ଅଛି ।’’

 

କଲ୍ୟାଣମୟୀ ଜଣେ ଶିଳ୍ପପତିଙ୍କ କନ୍ୟା,ରୂପବତୀ, ବିଦ୍ୟାବତୀ । ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷା ସମାପ୍ତ କରି, ଲଣ୍ଡନ୍‌ ସ୍କୁଲ ଅଫ୍‌ ଇକନମିକ୍‌ସରେ ସେ ମଧ୍ୟ ଡ଼ି. ଏସ୍‌. ସି. ସମାପ୍ତ କରିଅଛନ୍ତି । ଲଣ୍ଡନରୁ ଫେରି ସେ କିଛିକାଳ ସେବାଗ୍ରାମ ଆଶ୍ରମରେ ଥିଲେ । ସେହିଠାରେ ସ୍ୱାମୀ ଜୀବାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ ଓ ପରିଚୟ ହୋଇଥିଲା । କେବଳ କଲ୍ୟାଣମୟୀ ନୁହନ୍ତି, ଯମୁନା ଦେବୀ, ମିସ୍‌ ମାରଗାରେଟ୍‌, ଲଳନା ଦେବୀ ଚୌଧୁରାଣୀଙ୍କ ପରି ବହୁ ଉଚ୍ଚଶିକ୍ଷିତା ସର୍ବଗୁଣାଳଙ୍କୃତା ପୁଣି ବଂଶମର୍ଯ୍ୟଦା ଓ ଧନଶାଳିନୀ ତରୁଣୀ ଆନନ୍ଦାଶ୍ରମରେ ରହି, କଠିନ ତପଶ୍ଚର୍ଯ୍ୟା ମଧ୍ୟରେ ଦେଶମାତୃକାର ସେବାରେ ନିଜର ଜୀବନ ଓ ଯୌବନ ବିସର୍ଜନ ଦେଇଥିଲେ । ବିଳାସ ପ୍ରାଚୁର୍ଯ୍ୟ ଓ ପରିପୂର୍ଣ୍ଣତା ମଧ୍ୟରେ ପରିବର୍ଦ୍ଧିତ ହୋଇ, ଏମାନେ ଓ ଏମାନଙ୍କ ପରି ଅନ୍ୟମାନେ କାହିଁକି ଯେ ଚାଞ୍ଚଲ୍ୟ ଓ ଔଜ୍ଜ୍ୱଲ୍ୟବିହୀନ ତପୋକ୍ଳିଷ୍ଟ ଧୂସର ଆଶ୍ରମଜୀବନ ବାଛି ନେଇଥିଲେ, ତାହା ଅବଶ୍ୟ ଏକ ମନସ୍ତାତ୍ତ୍ୱିକ ରହସ୍ୟ !

 

ଜୀବାନନ୍ଦଙ୍କ ଚିଠିଲେଖା ଶେଷ ହୋଇ ନଥିଲା । ସେ ତଳ ଓଠ ଦାନ୍ତରେ ଚାପି, କୌଣସି ଅପରାଧୀକୁ ଚରମ ଦଣ୍ଡାଦେଶ ଦେବା ପରି ଭଙ୍ଗୀରେ ଲେଖୁଥିଲେ.....

 

‘‘କିନ୍ତୁ ଇତିମଧ୍ୟରେ ତୁମେ ମୋର ସାନ୍ନିଧ୍ୟ ପାଇଁ ଅତ୍ୟନ୍ତ ବ୍ୟାକୁଳ । ତାହା ତୁମ ଚିଠିରୁ ମୁଁ ବେଶ୍‌ ବୁଝି ପାରୁଛି; କିନ୍ତୁ ମୁଁ ତ ମୋର କାର୍ଯ୍ୟକ୍ରମ ମଧ୍ୟରେ ବିସ୍ତୃତ ହୋଇରହିଛି । ଚେଷ୍ଟା କଲେ ସେହି କାର୍ଯ୍ୟକ୍ରମ ମଧ୍ୟରେ ତୁମେ ମୋର ଘନିଷ୍ଠତର ସାନ୍ନିଧ୍ୟ ଲାଭ କରିପାରିବ ।

 

ଆଶୀର୍ବାଦକ

ଜୀବାନନ୍ଦ

 

ଚିଠିଲେଖା ଶେଷହେବା ମାତ୍ରେ, ଭିତରକୁ ଆସିଲେ ଯମୁନାଦେବୀ । ଜୀବାନନ୍ଦଙ୍କ ଡେସ୍‌କ୍‌ ଉପରେ ଚିଠିଟିକୁ ଥରେ କଣେଇ ଚାହିଁବାର କୌତୁହଳ ଓ ଉତ୍ତେଜନା ସେ ସମ୍ୱରଣ କରି ପାରିଲେନାହିଁ । ପ୍ରତ୍ୟହ ଦିନର ପ୍ରଥମ ସାକ୍ଷାତରେ ଯମୁନାଦେବୀ ଯେପରି ସ୍ୱାମୀଜୀଙ୍କ ପାଦ ଛୁଇଁ ଭୂମିଷ୍ଠ ପ୍ରଣାମ କରିଥାନ୍ତି, ଅନଶନ ଆରମ୍ଭ କରିବା ଦିନୁ ସ୍ୱାମୀଜୀ ଅତି କଠୋର ଭାବରେ ତାହା ନିଷିଦ୍ଧ କରି ଦେଇଛନ୍ତି । କେବଳ ପ୍ରଣାମହିଁ ଯଥେଷ୍ଟ । ପାଦ ଛୁଇଁବା, ଛୁଇଁବା ଲୋକ ପକ୍ଷରେ ତୃପ୍ତିଦାୟକ ହୋଇପାରେ, ମାତ୍ର ଯାହାର ପାଦ ଛୁଆଁଯାଏ, ତାହା ମନରେ ଏହା ମଧ୍ୟ ଏକ ମିଥ୍ୟାଭିମାନ ସୃଷ୍ଟି କରିଥାଏ । ସ୍ୱାମୀ ଜୀବାନନ୍ଦଙ୍କର ଏ ଅନୁଶାସନରେ କିନ୍ତୁ ଆଶ୍ରମର ଅନ୍ୟ ଅନ୍ତେବାସୀଙ୍କ ଅପେକ୍ଷା ଯମୁନାଦେବୀ ମନେ ମନେ ଅଧିକ ମର୍ମାହତ ହୋଇଥିଲେ । ପ୍ରତ୍ୟହ ଜୀବାନନ୍ଦଙ୍କ ଦୁଇପାଦ ସ୍ପର୍ଶ କରି ପ୍ରଣାମ କଲାବେଳେ, ଯମୁନାଦେବୀ ଯେଉଁ ତୃପ୍ତି ଅନୁଭବ କରୁଥିଲେ, ସେହି ଏକା ତାହାର ଅନୁଭବି !

 

ଆଜି ଯମୁନାଦେବୀ ନିତ୍ୟଅଭ୍ୟସ୍ତ ରୀତିରେ ସ୍ୱାମୀଜୀଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ, ଜୀବାନନ୍ଦ ହଠାତ୍‌ ଦୁଇପାଦ ପଛକୁ ଘୁଞ୍ଚାଇନେଲେ.....ସ୍ୱପ୍ନରେ ଚିତ୍ରନଦୀ ବନ୍ଧ ଉପରେ ସେହି ଭୁଜଙ୍ଗିନୀର କୁଣ୍ଡଳୀଠାରୁ ସେ ଯେପରି ନିଜକୁ ଦୂରେଇ ନେଇଥିଲେ ।

 

ଯମୁନାଦେବୀ ଅତି ସନ୍ତର୍ପଣରେ ସକାଳର ଖବରକାଗଜ ଖଣ୍ଡେ, ସ୍ୱାମୀଜୀଙ୍କ ଆଡ଼େ ବଢ଼ାଇ ଦେଇ ତଳକୁ ମୁଣ୍ଡ ନୁଆଇଁ କହିଲେ......‘‘ଆପଣଙ୍କ ଅନଶନ ସମ୍ପର୍କରେ ପ୍ରାୟ ପ୍ରତ୍ୟେକ ଖବରକାଗଜରେ ସମ୍ପାଦକୀୟ ଲେଖା ବାହାରିଛି । ତେବେ ଯେଉଁ ଦୁଇଟି ସମ୍ପାଦକୀୟ ଅଗ୍ରଲେଖା ଚିହ୍ନିତ ହୋଇଛି, ସେହିପରି ବିଷୟବସ୍ତୁ ଅନ୍ୟ ସମ୍ପାଦକୀୟ ମାନଙ୍କରେ ଊଣାଅଧିକେ ପ୍ରାୟ ପୁନରାବୃତ୍ତି କରାଯାଇଅଛି ।’’

 

ଜୀବାନନ୍ଦ ଖବରକାଗଜର ଅଗ୍ରଲେଖାଗୁଡ଼ିକୁ ଗୋଟି ଗୋଟି କରି ପଢ଼ିବା ପାଇଁ ଲାଗିଲେ ।

 

ଖବରକାଗଜର ଅଗ୍ରଲେଖାମାନ ପଢ଼ା ଶେଷହେବା ମାତ୍ରେ ଜୀବାନନ୍ଦ ଯେପରି ହସିଲେ, ସେଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା, ମୌନବ୍ରତ ପାଳନ କରି ନଥିଲେ ତାଙ୍କର ପ୍ରାଣଖୋଲା ଅଟ୍ଟହାସ୍ୟରେ ଆଶ୍ରମର ପ୍ରକୋଷ୍ଠଟି ଏବେ କମ୍ପିତ ହୋଇ ଉଠିଥାନ୍ତା । ସ୍ୱାମୀଜୀ ଯେତେ ଅନୁଶାସନନିଷ୍ଠ, ଅନମନୀୟ ପ୍ରକୃତିର ଥିଲେହେଁ ଅତ୍ୟନ୍ତ ଆମୋଦ ଓ କୌତୁକପ୍ରିୟ—ସେ କଥା ସମସ୍ତେ ଜାଣନ୍ତି । ଅନ୍ୟ ଅନ୍ତେବାସୀ ବିଶେଷତଃ ଅନ୍ତେବାସିନୀମାନଙ୍କ ସହିତ ତାଙ୍କର କୌତୁକ ପରିହାସ ବେଳେ ବେଳେ କୁଣ୍ଠା ସଙ୍କୋଚହୀନ ସମବୟସୀ ଯୁବକମାନଙ୍କର ଲଘୁ ଚପଳତାକୁ ସୁଦ୍ଧା ବଳି ପଡ଼ିଥାଏ ।

 

ଆଶ୍ରମର ଅନ୍ତେବାସୀ ଓ ଅନ୍ତେବାସିନୀମାନେ ନୈମିତ୍ତିକ ପ୍ରଣାମ ପାଇଁ ଜଣ ଜଣ କରି ସ୍ୱାମୀଜୀଙ୍କ ପ୍ରକୋଷ୍ଠ ମଧ୍ୟକୁ ଆସିବା ଆରମ୍ଭ କରିଥିଲେ । ଏହି ସମୟରେ ବାହାରେ ଗୋବିନ୍ଦଜୀ ମହାରାଜଙ୍କ ଘାଘରା କଣ୍ଠରେ ଚିତ୍କାର ଶୁଭିଲା.....

 

‘‘ହେ ନିଧି ଭାଇ, ହେ ଶ୍ୟାମ ଭାଇ, ଷଣ୍ଢ ପଳାଇଲା, ଧର ଧର !’’

 

ଆଶ୍ରମରେ ଗୋମାତାମାନଙ୍କର ସେବା ଗୋବିନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ଦାୟିତ୍ୱ । ଗୋସେବା ପାଇଁ କାଲିଠାରୁ ଗୋଟିଏ ଷଣ୍ଢ କେଉଁଠୁ ଧରି ଆଣି ଆଶ୍ରମରେ ବାନ୍ଧି ରଖାଯାଇଥିଲା । ମାତ୍ର ଷଣ୍ଢଟି ଆଶ୍ରମ ଗାଭୀମାନଙ୍କ ପାଇଁ ଉପଯୁକ୍ତ କି ନୁହେଁ, ସେ ସମ୍ପର୍କରେ ପ୍ରଥମେ ସ୍ୱାମୀଜୀଙ୍କ ସନ୍ତୋଷବିଧାନ ହେବା ଆବଶ୍ୟକ । ସକାଳେ କିନ୍ତୁ ଷଣ୍ଢଟିକୁ ଫିଟାଇ, ସ୍ୱାମୀଜୀଙ୍କ ପାଖକୁ ଆଣିବା ପୂର୍ବରୁ ସେ ସବୁ ବନ୍ଧନ ଛିଣ୍ଡାଇ ଗୁହାଳ ଆଡ଼େ ଧାବିତ ହୋଇଥିଲା । ଗୋବିନ୍ଦ୍‌ଜୀ ମହାରାଜଙ୍କ ଚିତ୍କାର ଶୁଣି ସମସ୍ତେ ବାହାରକୁ ଚାଲିଆସିଲେ । ଗୋବିନ୍ଦଜୀ ମହାରାଜ ମଧ୍ୟ ଅବସ୍ଥା ବୁଝିବାପାଇଁ ସେତେବେଳକୁ ଗୁହାଳ ପର୍ଯ୍ୟନ୍ତ ଭିଡ଼ି ଆସିଥିଲେ । ଗୋଟାଏ କିଛି ଆକାଶ-ଭାଙ୍ଗି ପଡ଼ିବା ଘଟଣା ଘଟିଥିବା ପରି ଉତ୍ତେଜନାରେ ନିଧିଦାସ ଓ ଶ୍ୟାମବନ୍ଧୁ ଗୁହାଳରୁ ଷଣ୍ଢଟିକୁ ତଡ଼ିବା ପାଇଁ ଚିତ୍କାର ଆରମ୍ଭ କରି ଦେଇଥିଲେ; କିନ୍ତୁ ଅହିଂସାବ୍ରତ ହେତୁ ଷଣ୍ଢକୁ ପିଟିବା ନିଷେଧ । ସେହି ସୁଯୋଗରେ ଷଣ୍ଢଟି କିନ୍ତୁ ଗୁହାଳ ଭିତରେ ତାହାର ପ୍ରାକୃତ କାର୍ଯ୍ୟ ପ୍ରାୟ ଆରମ୍ଭ କରି ଦେଇଥିଲା । ଆଶ୍ରମର ଅନ୍ତେବାସୀମାନେ କିଂକର୍ତ୍ତବ୍ୟ-ବିମୂଢ଼ ପରି ଠିଆ ହୋଇ ତାହା କେବଳ ଲକ୍ଷ୍ୟ କରୁଥିଲେ । ଯମୁନା ଦେବୀ ଘୋର ଆତଙ୍କରେ ସମସ୍ତଙ୍କ ପଛରେ ଠିଆ ହୋଇ ଗୁହାଳ ଭିତରକୁ ଉଙ୍କି ମାରି ବ୍ୟାପାରଟା ଦେଖିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ ।

 

ଏହି ସମୟରେ ଜୀବାନନ୍ଦଙ୍କ କଠାଉ ଶବ୍ଦ ଶୁଣି ସମସ୍ତେ ଚକିତ ହୋଇଉଠିଲେ । ଗୁହାଳ ଦୁଆର ମୁହଁରେ ଭିଡ଼ ପାତଳ ହୋଇଗଲା । ଜୀବାନନ୍ଦ ଗୁହାଳ ଭିତରକୁ ଚାହିଁ ଖଣ୍ଡେ କାଗଜ ଗୋବିନ୍ଦଜୀ ମହାରାଜାଙ୍କୁ ବଢ଼ାଇ ଦେଲେ—ସେଥିରେ ଲେଖାଥିଲା, ‘ଏହି ମୁହୂର୍ତ୍ତରେ ଷଣ୍ଢଟିକୁ ଗୁହାଳ ଭିତରୁ ଆବଶ୍ୟକ ହେଲେ, ହିଂସାପୂର୍ଣ୍ଣ ଉପାୟରେ ସୁଦ୍ଧା ତଡ଼ିବା ପାଇଁ ପଡ଼ିବ !’

 

କିନ୍ତୁ ଆନନ୍ଦାଶ୍ରମରେ ବୃଷଭର ପଶ୍ଚାଦ୍ଦେଶରେ ଲଗୁଡ଼ର ତାଣ୍ଡବ ପରି ଏକ ହିଂସାପୂର୍ଣ୍ଣ କାଣ୍ଡ କିପରି ସମ୍ଭବ ହୋଇପାରିବ ? ଗୋବିନ୍ଦଜୀ ମହାରାଜ ସେହି ତାତ୍ତ୍ୱିକ ଜିଜ୍ଞାସା ଉଠାଇବାରୁ ବର୍ଷିୟସୀ ଗଙ୍ଗାଦେବୀ ଓ ଆଉ କେତେକ ଅନ୍ତେବାସିନୀ ସେଥିରେ ଆପତ୍ତି ଉଠାଇଥିଲେ । ଯମୁନା ଦେବୀ ମଧ୍ୟ ପ୍ରତିବାଦ କରିବାପାଇଁ ଭାବୁଥିଲେ । ମାତ୍ର ସେ ଜାଣନ୍ତି, ସ୍ୱାମୀ ଜୀବାନନ୍ଦ ନବନୀତ ପରି ଯେତିକି କୋମଳ, ବଜ୍ରପରି ମଧ୍ୟ ସେତିକି କଠିନ । ସେ ଥରେ ଯେଉଁ ନିଷ୍ପତ୍ତି କରିଥିବେ, ତାକୁ କାର୍ଯ୍ୟରେ ପାଳନ କରିବାକୁ ପଡ଼ିବ ହିଁ ପଡ଼ିବ । ଏଥିପାଇଁ ସେ ଆତ୍ମୀୟ ସ୍ୱଜନ, ଏପରି କି ନିଜ ସ୍ତ୍ରୀଙ୍କ ମୁହଁ ସୁଦ୍ଧା ଅତୀତରେ ଚାହିଁ ନାହାନ୍ତି !

 

ସ୍ୱାମୀ ଜୀବାନନ୍ଦଙ୍କ ସ୍ତ୍ରୀ ଜାହ୍ନବୀ ଦେବୀ ଏହି କାରଣରୁ ଆତ୍ମହତ୍ୟା କରିଥିଲେ । ସେ କଥା ଏବେ ସୁଦ୍ଧା ଅନେକେ ଭୁଲି ନଥିଲେ । ଘଟଣାଟି ଅବଶ୍ୟ ଥିଲା ଅତି ସାମାନ୍ୟ ।

 

ଗାନ୍ଧିଜୀ ସେତେବେଳେ ମନ୍ଦିରରେ ହରିଜନଙ୍କ ପ୍ରବେଶାଧିକାର ପାଇଁ ରାଜକୋଟରେ କାରାବରଣ କରି ଅନଶନ ଆରମ୍ଭ କରିଥିଲେ । ଜୀବାନନ୍ଦ ହରିଜନ ଆନ୍ଦୋଳନରେ ସସ୍ତ୍ରୀକ ସଭା କରିବାପାଇଁ ଆସିଥିଲେ କମଳେଶ୍ୱର ମହାଦେବଙ୍କ ଜାଗରମେଲଣ ତୋଟାକୁ । ସେହି ତୋଟାରେ ଗୋଟିଏ ସପ୍ତାହ ପାଇଁ ଜୀବାନନ୍ଦଙ୍କ ଶିବିର ପଡ଼ିଥିଲା । ଜାହ୍ନବୀ ଦେବୀ ଏତେ ସେତେ ବୁଝନ୍ତି ନାହିଁ । ବିବାହ ପରେ ଦୀର୍ଘ ଚଉଦ ବର୍ଷ ଅତିବାହିତ ହୋଇଗଲା । ସନ୍ତାନ ମୁଖ ସେ ଦେଖିପାରିଲେ ନାହିଁ । ସେତେବେଳେ କମଳେଶ୍ୱର ମହାଦେବଙ୍କ ମନ୍ଦିରରେ ଯଜ୍ଞ ହେଉଥିଲା । କମଳେଶ୍ୱରଙ୍କ ନାମରେ ଯଜ୍ଞରେ ଆହୁତି ଦେଲେ ସନ୍ତାନହୀନା ସନ୍ତାନ ଲାଭ କରନ୍ତି ବୋଲି ସେ ଅଞ୍ଚଳରେ ଗୋଟିଏ ଗଭୀର ବିଶ୍ୱାସ ଥିଲା । ଜାହ୍ନବୀ ଦେବୀ ଜୀବାନନ୍ଦଙ୍କୁ ନଜଣାଇ କମଳେଶ୍ୱର ମନ୍ଦିରକୁ ଚାଲିଗଲେ । ମାତ୍ର କଥାଟି ଜୀବାନନ୍ଦଙ୍କ ଠାରୁ ଲୁଚି ରହିପାରିଲା ନାହିଁ । ଜାହ୍ନବୀ ଦେବୀ ମନ୍ଦିରରୁ ଫେରିଛନ୍ତି କି ନାହିଁ, ତାଙ୍କ ଉପରେ ବହିଗଲା ପ୍ରଚଣ୍ଡ କ୍ରୋଧ ଓ ଭର୍ତ୍ସନାର ଝଡ଼ । ଜାହ୍ନବୀ ଦେବୀ ତାଙ୍କ ସହଧର୍ମିଣୀ ସ୍ତ୍ରୀ ନୁହନ୍ତି ବୋଲି ସୁଦ୍ଧା ଜୀବାନନ୍ଦ ସେଦିନ ଅତି କଠୋର ଭାବରେ ଭର୍ତ୍ସନା କରିଥିଲେ । ସ୍ତ୍ରୀ ହୋଇଥିଲେ ଯେଉଁ କମଳେଶ୍ୱର ମନ୍ଦିରକୁ ହରିଜନଙ୍କ ପ୍ରବେଶ ନିଷିଦ୍ଧ, ସେହି ମନ୍ଦିରକୁ ସେ ଯାଇଥାନ୍ତେ କିପରି ? ଜାହ୍ନବୀ ଦେବୀ ଏସବୁ ଭର୍ତ୍ସନା ଅବଶ୍ୟ ସହ୍ୟ କରିଗଲେ । ମାତ୍ର ଜୀବାନନ୍ଦ ଯେତେବେଳେ, ଅଭିଶାପ ଦେଲେ, ସେ ଯେଉଁ ମନାସ ନେଇ କମଳେଶ୍ୱରଙ୍କ ଦର୍ଶନକୁ ଯାଇଥିଲେ, ସେ ମନାସ ପୂର୍ଣ୍ଣ ନ ହେଉ, ସେତେବେଳେ ତାହାର କଠୋର ଆଘାତ ଜାହ୍ନବୀ ଦେବୀଙ୍କୁ ବଡ଼ ବାଧିଲା । ସ୍ୱାମୀଙ୍କର ସବୁ କଠୋର ଅନୁଶାସନ ପତିବ୍ରତା ନାରୀ ପରି ଅତୀତରେ ସେ ମୁହିଁ ବୁଜି ବିନା ପ୍ରତିବାଦରେ ଯଥେଷ୍ଟ ସହ୍ୟ କରିଥିଲେ; କିନ୍ତୁ ସେଦିନ ଏ ଭର୍ତ୍ସନା ଓ ଅଭିଶାପ ସେ ଆଉ ସହ୍ୟ କରି ପାରି ନଥିଲେ । ଚରମ ପ୍ରତିବାଦ ରୂପେ ସେହି ଦିନ ରାତିରେ ସେ ଚିତ୍ରାନଦୀର କାଶୀ ଗଣ୍ଡରେ ବୁଡ଼ି ଆତ୍ମହତ୍ୟା କଲେ......ଏହା ବହୁ ବର୍ଷ ପୂର୍ବର କଥା; ସେତେବେଳେ ଜୀବାନନ୍ଦଙ୍କ ବୟସ ଥିଲା ଛତିଶ !

 

ଯମୁନାବେଦୀ ତେଣୁ କୌଣସି ପ୍ରତିବାଦ ନ କରି ନୀରବ ରହିଲେ । ସ୍ୱାମୀଜୀ ଯଦି ହଠାତ୍‌ ତାଙ୍କ ପ୍ରତି ରୁଷ୍ଟ ହୋଇ ଆନନ୍ଦାଶ୍ରମରୁ ଅନ୍ୟ କେଉଁଆଡ଼େ ତାଙ୍କୁ ପଠାଇ ଦିଅନ୍ତି, ତାହା ହେଲେ ସେ ଆଘାତ ସେ କଦାପି ସହ୍ୟ କରିପାରିବେ ନାହିଁ । ତାହା ଅପେକ୍ଷା ନୀରବ ରହିବ । ଶ୍ରେୟସ୍କର ।

 

ଗୋବିନ୍ଦଜୀ ମହାରାଜ ଘାଘରା ଗଳାରୁ ଖଙ୍କାର ଛିଣ୍ଡାଇ କହିଲେ, ‘‘ସ୍ୱାମୀଜୀ ହିଂସା ପ୍ରୟୋଗକରି ଏ ଷଣ୍ଢକୁ ତଡ଼ିବାର ଆଦେଶ ପ୍ରତ୍ୟାହାର କରନ୍ତୁ ।’’ ସ୍ୱାମିଜୀ କିନ୍ତୁ ଅବିଚଳିତ ଦୃଢ଼ତାରେ ଗୁହାଳ ଚାଳିରୁ ଖଣ୍ଡେ ଠେଙ୍ଗା ଟାଣି ଗୋବିନ୍ଦଜୀ ମହାରାଜାଙ୍କ ହାତରେ ତାହା ଧରାଇ ଦେଇ ନୀରବରେ ସେଠାରୁ ଚାଲିଆସିଲେ ।

 

ଆଶ୍ରମ-ପ୍ରକୋଷ୍ଠରେ ସେହି କାଠ ଡେସ୍‌କ୍‌ ପାଖକୁ ଫେରି ଆସିବା ବେଳେ, ଏକ ଅକଥନୀୟ ଅପରିଚ୍ଛନ୍ନତାରେ ତାଙ୍କର ଦେହ ଓ ମନ କ୍ଳେଦାକ୍ତ ହୋଇ ଉଠୁଥିଲା । ଅନଶନ ଆରମ୍ଭ କରିବାର ପୂର୍ବଦିନ ରାତି ପାହାନ୍ତାରେ ସେହି ଅଶ୍ଳୀଳ ସ୍ୱପ୍ନର ଦୃଶ୍ୟଟା ପୁଣି ତାଙ୍କର ଆଖି ଆଗରେ ବାରମ୍ୱାର ଭାସି ଉଠୁଥିଲା.....

 

....ଚିତ୍ରାନଦୀ ବନ୍ଧେ ବନ୍ଧେ ଜୀବାନନ୍ଦ ବୁଲି ବାହାରିଥିଲେ । ଆକାଶରେ ଗୋଧୂଳିର ଦେଦୀପ୍ୟମାନ ଛଟା । ନିରୁଦ୍ଧ କାମନାରେ ଅଗ୍ନି ଶିଖା, ମୋହମୁକ୍ତ ପ୍ରଶାନ୍ତ ଆକାଶର ହୃଦୟରେ ରଡ଼ ନିଆଁ ପରି ଦିକ୍‌ଦିକ୍‌ ଜଳୁଥିଲା । ଜୀବାନନ୍ଦ ହଠାତ୍‌ ଚମକିପଡ଼ି ରହିଗଲେ ।

 

ଗୋଟାଏ ନାଗସାପ କୁଣ୍ଡଳୀ ମେଲି ଜୀବାନନ୍ଦଙ୍କ ପାଦରେ ଗୁଡ଼ାଇ ହୋଇଗଲା । ତା’ପରେ ପାଦଠାରୁ ଗୁଡ଼େଇ ଗୁଡ଼େଇ ଛାତି ପର୍ଯ୍ୟନ୍ତ ଉଠି ଜୀବାନନ୍ଦଙ୍କ ମୁହଁ ପାଖରେ ଜିଭ ଲହ ଲହ କରିଉଠିବା ବେଳକୁ, ସାପଟା ଆଉ ନ ଥିଲା.....ଯମୁନାଦେବୀଙ୍କର ବେଦନାର୍ତ୍ତ କଳା ଆଖି ଦୁଇଟା କେବଳ, ଘାସ ଉପରେ ଶିଶିରବିନ୍ଦୁ ପରି ଢଳ ଢଳ ହେଉଥିଲା । ବନ୍ଧ କଡ଼ର ଗୋଟାଏ ବରଗଛ ମୂଳେ ସେହି ନିଭୃତ ଗୋଧୂଳିରେ, ଯମୁନାଦେବୀ ତାଙ୍କରି ଅପେକ୍ଷାରେ ଯେପରି ଏତେକ୍ଷଣ ଠିଆ ହୋଇଥିଲେ !

 

ଯେପରି ଆକସ୍ମିକ ଭାବରେ ଜୀବାନନ୍ଦ ଅନଶନ ଆରମ୍ଭ କରିଥିଲେ; ସେହିପରି ଭାବରେ ସାତଦିନ ପରେ ଅନଶନ ଓ ମୌନବ୍ରତ ଭାଙ୍ଗିଲେ । ସହରର ଯେଉଁ ସାମ୍ୱାଦିକମାନେ ଅନଶନ ଓ ମୌନବ୍ରତର କାରଣ ବୁଝିବାପାଇଁ ଆସିଥିଲେ, ସେମାନଙ୍କ ବହୁ ଜିଜ୍ଞାସାରେ ଜୀବାନନ୍ଦ ଅବଶେଷରେ ଅତି ସଂକ୍ଷେପରେ ଉତ୍ତର ଦେଇଥିଲେ.....‘‘ଆତ୍ମଶୁଦ୍ଧି’’ !

 

ନିଜର ବ୍ୟକ୍ତିଗତ ଆଚରଣବିଧିରେ କୌଣସିଠାରେ କୌଣସି ସ୍ଖଳନ ଘଟିଲେ, ଜୀବାନନ୍ଦ ସ୍ଖଳନର ଗୁରୁତ୍ୱ ବିଚାରରେ ମୌନବ୍ରତ ଠାରୁ ଅନଶନ ପର୍ଯ୍ୟନ୍ତ ବିଭିନ୍ନ କୃଚ୍ଛ୍ରସାଧନା କରିଥାନ୍ତି । ପୁଣି ଆଶ୍ରମର ଅନ୍ତେବାସୀମାନଙ୍କ ଠାରେ ସେ ସ୍ଖଳନ ମୁକ୍ତ କଣ୍ଠରେ ସ୍ୱୀକାର କରି ତାହାର ଚୂଡ଼ାନ୍ତ ପ୍ରାୟଶ୍ଚିତ୍ତ ମଧ୍ୟ କରିଥାନ୍ତି । ଏଥର ତେଣୁ ଆଶ୍ରମରେ ସମସ୍ତେ ଆଶା କରୁଥିଲେ, ସ୍ୱାମୀଜୀ ତାଙ୍କ ସ୍ଖଳନର କଥା ଅନ୍ତେବାସୀମାନଙ୍କଠାରେ ଅକୁଣ୍ଠିତ ଭାବରେ ସ୍ୱୀକାର କରିଯିବେ । ଅନ୍ୟମାନଙ୍କ ଜୀବନାଚର୍ଯ୍ୟକୁ ତାହା ମଦ୍ୟ ପ୍ରଭାବିତ କରିବ । କିନ୍ତୁ କେଜାଣି କାହିଁକି ଜୀବାନନ୍ଦ ଆତ୍ମଶୁଦ୍ଧିର କାରଣ ଅର୍ଥାତ୍‌ ସ୍ଖଳନ ସମ୍ପର୍କରେ ଏଥର ସମ୍ପୂର୍ଣ୍ଣ ନୀରବ ରହିଗଲେ । ଅନ୍ତେବାସୀମାନେ ମଧ୍ୟ କେହି ତାଙ୍କୁ ସେ ପ୍ରଶ୍ନ ପଚାରିବାପାଇଁ ଭରସି ପାରିଲେ ନାହିଁ । ସେଥିପାଇଁ ଅବକାଶ ନଥିଲା । କାରଣ ତାପରେ ପରେ ଜୀବାନନ୍ଦ ହଠାତ୍‌ ଭୟଙ୍କର ମେଲେରିଆରେ ଆକ୍ରାନ୍ତ ହୋଇପଡ଼ିଲେ ।

 

ବ୍ୟାଧି ଯେତେ ଗୁରୁତର ହେଉ ପଛେ, ଜୀବାନନ୍ଦ କୌଣସି ଔଷଧ, ଏପରି କି ଗୋବିନ୍ଦଜୀ ମହାରାଜାଙ୍କ ହୋମିଓପାଥି ଔଷଧ ସୁଦ୍ଧା ସ୍ପର୍ଶ କରନ୍ତି ନାହିଁ । ମ୍ୟାଲେରିଆ ପାଇଁ ଜୀବାନନ୍ଦ ଜଳ-ଚିକିତ୍ସା କରିଥାନ୍ତି ଯମୁନା ଦେବୀଙ୍କୁ ଏହି ଚିକିତ୍ସା ପ୍ରଣାଳୀରେ ପ୍ରୟୋଜନୀୟ ତାଲିମ ମଧ୍ୟ ସେ ଦେଇଛନ୍ତି । ମ୍ୟାଲେରିଆର ଉତ୍ତାପ ବଢ଼ିଲେ ସର୍ବାଙ୍ଗରେ ପଙ୍କ ଲେପିବା ଏ ଚିକିତ୍ସାର ପ୍ରଣାଳୀ ।

 

ଜୀବାନନ୍ଦ ମ୍ୟାଲେରିଆର ପ୍ରକୋପରେ କମ୍ପି କମ୍ପି ବିଛଣାରେ ଶୋଇଥିଲେ । ବାହାରେ ଉତ୍ତପ୍ତ ମଧ୍ୟାହ୍ନ । ମଧ୍ୟାହ୍ନ-ବିରତି ବେଳେ ଆଶ୍ରମର ଅନ୍ତେବାସୀମାନେ ନିଜ ନିଜ କୋଠରୀରେ ବିଶ୍ରାମ ନେଇଥିଲେ । ଯମୁନା ଦେବୀ ଚିନ୍ତାନ୍ୱିତ ଭାବରେ ଜୀବାନନ୍ଦଙ୍କ ପ୍ରାୟୋଲ୍ଲଙ୍ଗ ଦେହରେ କାଦୁଅ ଲେପୁଥିଲେ ।

 

ଅଳ୍ପ ପୂର୍ବେ ଜୀବାନନ୍ଦଙ୍କ ଉତ୍ତାପ ୧୦୫ ଡିଗ୍ରୀ ଥିଲା । ଜୀବାନନ୍ଦ ଯଥେଷ୍ଟ କଷ୍ଟସହିଷ୍ଣୁ-। ତଥାପି ଜ୍ୱରର ପ୍ରକୋପରେ ସେ ବେଳେ ବେଳେ ମା, ମା, ବୋଲି ଚିତ୍କାର କରି ଉଠୁଥିଲେ-

 

ହଠାତ୍‌ କଣ କିପରି ହେଲା, ଯମୁନାଦେବୀ କିଛି ବୁଝିପାରିଲେ ନାହିଁ । ଜୀବାନନ୍ଦ ଯମୁନାଦେବୀଙ୍କର ଗୋଟିଏ ହାତ ନିଜ ବଜ୍ରମୁଷ୍ଟି ମଧ୍ୟରେ ହଠାତ୍‌ ଚାପି ଧରି ଅବୋଧ ବାଳକ ପରି କଇଁ କଇଁ କାନ୍ଦି ଉଠିଲେ । ଯମୁନାଦେବୀ ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ.....‘‘ଗୋବିନ୍ଦଜୀ ମହାରାଜଙ୍କୁ ଡାକିବି ? ମୁଁ ଭାବୁଛି ଡାକ୍ତର ପାଇଁ ସହରକୁ ଖବର ପଠାଇବା ଉଚିତ ।’’ ଜୀବାନନ୍ଦ ଉତ୍ତପ୍ତ ବାହୁରେ ଯମୁନାଦେବୀଙ୍କୁ ଛାତି ଉପରକୁ ଟାଣି ଧରି କହିଲେ.....‘‘ଏ ଦେହ ଦ୍ୱାରା କୌଣସି ଲକ୍ଷ୍ୟ ସାଧିତ ହେବା ପାଇଁ ଭଗବାନଙ୍କର ଅଭିପ୍ରେତ ଥିଲେ, ସେ ଏହାକୁ ନିଶ୍ଚୟ ରକ୍ଷା କରିବେ । ଡାକ୍ତରମାନେ ତ ନିମିତ୍ତ ମାତ୍ର !’’

 

ତାପରେ କଥା ଅସମ୍ପୂର୍ଣ୍ଣ ରଖି ଜୀବାନନ୍ଦ ରୁଗ୍‌ଣ କଣ୍ଠରେ କହିଲେ, ‘‘ଆଃ ତୃଷାଟା ଭୟଙ୍କର ଭାବରେ ବଢ଼ିଛି । ଏଇ ଅଳ୍ପ ପୂର୍ବେ ତୁମେ ମୋତେ ପାଣି ଦେଇଥିଲ ନାଁ ଯମୁନା ?’’

 

ଯମୁନାଦେବୀ ସୁରାଇରୁ ପାଣି ଢାଳି ଜୀବାନନ୍ଦଙ୍କୁ ଦେବାପାଇଁ ଉଠି ଆସୁଥିଲେ; କିନ୍ତୁ ଜୀବାନନ୍ଦ ତାଙ୍କୁ ଆଉରି ନିବିଡ଼ ଭାବରେ ଛାତି ଉପରେ ଚାପିଧରି, ସନ୍ୟାସିନୀ ପରି ତାଙ୍କର ଆଲୁଳାୟିତ କୁନ୍ତଳକୁ ହାତରେ ଆଉଁଷି ଆଉଁଷି କହିଲେ.....‘‘ଏ ଭୟଙ୍କର ତୃଷାକୁ ଦମନ କରାଯିବା ଉଚିତ । ମୋର ପାଣି ଦରକାର ନାହିଁ । ......କିନ୍ତୁ ଯମୁନା, ତୁମେ ଜାଣ, ଏ ଜିଲ୍ଲାରେ ବର୍ତ୍ତମାନ ମ୍ୟାଲେରିଆର ପ୍ରକୋପ ପ୍ରବଳ ଭାବରେ ବ୍ୟାପିଛି । ଗୋବିନ୍ଦଜୀ ମହାରାଜ କାଲି ଏଠାରୁ ଯାଉଛନ୍ତି ସିଧପୁର ଆଶ୍ରମକୁ ହୋମିଓପ୍ୟାଥି ଔଷଧ ଓ ସଙ୍ଗରେ କେତେଜଣ ସ୍ୱେଚ୍ଛାସେବକଙ୍କୁ ଧରି ! ମୁଁ ଭାବୁଛି ତୁମେ ମଧ୍ୟ ସେମାନଙ୍କ ସଙ୍ଗରେ ଯାଇଁ ସିଧପୁର କେନ୍ଦ୍ର ଦାୟିତ୍ୱରେ ରହିବ ।’’

 

ରଡ଼ ନିଆଁ ଖଣ୍ଡେ କିଏ ଯେପରି ଯମୁନାଙ୍କ ଦେହ ଉପରେ ହଠାତ୍‌ ମାଡ଼ି ଲଗାଇ ଦେଲା । ଜୀବାନନ୍ଦଙ୍କୁ ଛାଡ଼ି ଦୂରରେ ରହିବା ତାଙ୍କ ପକ୍ଷରେ ଯେ କିପରି ପୀଡ଼ାଦାୟକ, ସେ କଥା ଯମୁନା ଏକା ଜାଣନ୍ତି । ସ୍ୱାମୀ ଜୀବାନନ୍ଦଙ୍କ ସେବା ଓ ସାହଚର୍ଯ୍ୟ ବ୍ୟତୀତ ତାଙ୍କ ଜୀବନରେ ଯେ ଅନ୍ୟ କୌଣସି ପରିପୂର୍ଣ୍ଣତା ନାହିଁ, ଏକା ଯମୁନାଦେବୀଙ୍କ ବ୍ୟତୀତ ସେ କଥା ଆଉ ଜଣେ ଜାଣିଥିଲେ—ସେ ଅନ୍ତର୍ଯ୍ୟାମୀ !

 

ଏବେ ଜୀବାନନ୍ଦଙ୍କର ଏ କଠୋର ଆଦେଶରେ ଯମୁନାଦେବୀ ଯେପରି ବଜ୍ରାହତ ହୋଇପଡ଼ିଲେ । ସେ କଣ କହିବା ପାଇଁ ଯାଉଥିଲେ; କିନ୍ତୁ ଜୀବାନନ୍ଦ ତାଙ୍କୁ ଯେପରି ଆକସ୍ମିକ ଭାବରେ ଛାତି ଉପରକୁ ଟାଣି ଆଣିଥିଲେ, ସେହିପରି ଆକସ୍ମିକ ଭାବରେ ଛାତି ଉପରୁ ଠେଲିଦେଇ କହିଲେ.....‘‘ଯାଅ ଯମୁନା । ମୁଁ ଏବେ ସାମାନ୍ୟ ଶୋଇବା ପାଇଁ ଚେଷ୍ଟା କରିବି ।’’

 

ଯମୁନାଦେବୀ ଆଖିରୁ ଲୁହ ଚାପି ଜୀବାନନ୍ଦଙ୍କ ଶଯ୍ୟା ପାଖରୁ ନୀରବରେ ଚାଲିଆସିବା ପରେ ଜୀବାନନ୍ଦ ଶୋଇ ପଡ଼ିଥିଲେ । ମାତ୍ର କିଛିକ୍ଷଣ ପରେ ହଠାତ୍‌ ସ୍ୱପ୍ନରେ ‘‘ସାପ, ସାପ’’ ବୋଲି ଜୀବାନନ୍ଦ ଯେପରି ବିଳିବିଳେଇ ଉଠିଲେ, ଅନ୍ୟ ଅନ୍ତେବାସୀମାନେ ଆଶଙ୍କା ଓ ଆତଙ୍କରେ ଜୀବାନନ୍ଦଙ୍କ ପ୍ରକୋଷ୍ଠ ଭିତରକୁ ଧାଇଁ ଆସିଲେ ।

 

ସେଦିନ ରାତି ଶେଷରେ ସ୍ୱପ୍ନ-ଦେଖା ସେହି ଭୟଙ୍କର ସାପଟା ପୁଣି ଜୀବାନନ୍ଦଙ୍କ ଜଙ୍ଘଠାରୁ ଛାତି ପର୍ଯ୍ୟନ୍ତ ଗୁଡ଼େଇ ଆସିଥିଲା !

 

ଜୀବାନନ୍ଦ ବିଛଣା ଉପରେ ଉଠି ବସିଥିଲେ । ତାଙ୍କର ଆଖି ଦୁଇଟା ପିଆଜ-ପାଖୁଡ଼ା ପରି ରଙ୍ଗା ଦିଶୁଥିଲା । ଜୀବାନନ୍ଦ କ୍ଷୀଣ କଣ୍ଠରେ କହୁଥିଲେ.....‘‘ପାଣି, ପାଣି ! ଓଃ.....ଏ ଶୋଷ ଅତି ଭୟଙ୍କର !’’

Image

 

ବଇଷମ-ପାଠଶାଳା

 

ଏବେ ସେ ଢିଅ ଉପରେ ଅରମା କିଆବଣ ଆଉ ଆମ୍ୱତୋଟା । ପ୍ରଧାନ ସାଇଆ ନିଜ ଭିତରେ ବାଦବୁଦିଆରେ ସେଥିରୁ କେତେଟା ଆମ୍ୱଗଛ ହାଣି ସାରିଲେଣି । ବାକି କେତେଟା ଆମ୍ୱଗଛ ଡାଳ ହଣା ହୋଇ ବ୍ରହ୍ମରାକ୍ଷସ ପରି ଠିଆହୋଇଛି । କିଆବଣ ଭିତରେ ଚିତାଏ ଉଞ୍ଚର ଉଇ ହୁଙ୍କାଟାଏ ବଢ଼ିଛି; ବୈରାଗୀ ବଇଷମଙ୍କ ମଠ ଆଉ ଚାଟଶାଳୀର ସ୍ମୃତିସ୍ତମ୍ଭ ପରି; କିନ୍ତୁ ସେ ବୁଢ଼ା ଶିମିଳୀ ଗଛଟାରେ ତଥାପି ଶୀତ ଶେଷରେ ଟୋକେଇ ଟୋକେଇ ଶିମିଳୀଫୁଲ ଫୁଟୁଛି, ଆଉ ଝରୁଛି.....ସବୁ ପରିବର୍ତ୍ତନ, ଓଲଟ ପାଲଟ ଭିତରେ ସେଇ ଏକା ଯେପରି ଅକ୍ଷୟ ଓ ଅବ୍ୟୟ । ଗାଁ ମଝିରେ ଏଇଠି ଦିନେ ଥିଲା ବୈରାଗୀ ବଇଷମଙ୍କ ମଠ ଆଉ ଚାଟଶାଳୀ ।

 

ଅନ୍ୟୂନ ଚାଳିଶ ବର୍ଷ ତଳେ....

 

ସ୍ମୃତିରେ କେବଳ ଆଜି ବଞ୍ଚି ରହିଛି ବୈରାଗୀ ବଇଷମଙ୍କ ଚାଟଶାଳୀ....ପୀତେଇପୁର ଗାଁର ଗୋଟାଏ ପୁରୁଷର ଜ୍ଞାନ-ଆଖି ଫିଟିଥିଲା ସେଇଠି ।

 

ଦେଢ଼ମାଣ ଜମି ଉପରେ ବୈରାଗୀ ବଇଷମଙ୍କ ମଠବାଡ଼ିର ହତା । ହତା ମଝିରେ ଦକ୍ଷିଣମୁହାଁ ଚାଳ ଖଞ୍ଜାଟିଏ । ସାମନା ଧାଉଡ଼ିଟା ବୈରାଗୀ ବଇଷମଙ୍କ ଟୁଙ୍ଗୀ । ତା ଭିତରେ ଗୋଟାଏ କାଠ ଖଟୁଲୀ ଉପରେ ରାଧାଗୋବିନ୍ଦଙ୍କ ଯୁଗଳପ୍ରତିମା । ଦିନବେଳେ ଭିତରଠା କିଟିକିଟି ଅନ୍ଧାର ଦିଶେ । ବାହାର ପିଣ୍ଡାରେ ଦି ଓଳି ବସେ ଚାଟଶାଳୀ । ଖଞ୍ଜା ଭିତରେ ବୈରାଗୀ ବଇଷମଙ୍କ ସଂସାର....ସ୍ତ୍ରୀ ଆଉ ପୁଅଟିଏ । ନକୁଳା, ଆମଠାରୁ ଦୁଇ ତିନି ବର୍ଷ ବଡ଼ । ପଛକୁ ବଗିଚା ଆଉ ତୋଟା ସାମନାରେ କଦଳୀ ବାଡ଼ି ।

 

ବୈରାଗ ମହାନ୍ତି ଗୃହୀ ବୈଷ୍ଣବ । କୌଳିକ ପରମ୍ପରାରେ ନୁହେଁ । ସେ ନିଜେ କିପରି କେଜାଣି ଗୁରୁଦୀକ୍ଷା ନେଇ ବୈଷ୍ଣବ ହୋଇଥିଲେ । ତାଙ୍କ ସ୍ତ୍ରୀଙ୍କୁ ଆମେ ଡାକୁଥିଲୁ ସାଇଲେଖାରେ ଖୁଡ଼ୀ । ସାବେନୀ, ଡେଙ୍ଗୀ, ପାତଳୀ ସ୍ତ୍ରୀଲୋକଟିଏ । ଅଣ୍ଟାରେ ଗୋଠଟି ଯୋଗୁଁ ତାଙ୍କ ନକନକିଆ ଅଣ୍ଟାଟି ଆଉରି ପାତଳ ଦିଶେ । ତାଙ୍କ ବିଷୟରେ ଆଉ କିଛି ମନେନାହିଁ । ଖଞ୍ଜା ଭିତରେ ତାଙ୍କର ସଂସାର । ମାହାନ୍ତି ଘର କୁଳ ଭୁଆଷୁଣୀ ଦାଣ୍ଡକୁ ବାହାରିବାର ନୁହେଁ । ପୋଖରୀଗାଧୁଆ ତୁଠର ମାଇପି ମେଳରେ ମଧ୍ୟ ସେ ନଥାନ୍ତି । ମନେପଡ଼େ ତାଙ୍କୁ କେଉଁଠି କିପରି ଦେଖିଲେ ସାଇର ଅନ୍ୟ ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ଆଖି ଠରାଠରିରେ, ଗଳା ନୁଆଇଁ କେତେ କଣ ଗୁପ୍‌ଚୁପ୍‌ ଆରମ୍ଭ ହୋଇ ଯାଉଥିଲା । ଆମେ ପିଲାଏ ସେଥିରେ ଅଯଥା କୌତୂହଳ ପ୍ରକାଶ କଲେ, ଆମକୁ ମିଳୁଥିଲା ଗୁଡ଼ାଏ ଗାଳି ।

 

ପ୍ରତି ସପ୍ତାରେ ଦୁଇଟା ହାଟପାଳୀ । ପ୍ରତି ହାଟପାଳୀରେ ଚାଟଶାଳୀ ବନ୍ଦ । ବୈରାଗୀ ବଇଷମ ହାଟକୁ ବାହାରିଯାନ୍ତି କଦଳୀ ବିକ୍ରି କରିବାପାଇଁ । କଦଳୀ ବିକ୍ରୀ ନକଲେ, ଚାଶାଳୀରେ ଚାଟ ପିଛା ମାସକୁ ଦୁଇଅଣା ଦରମାରୁ ବୈରାଗୀ ବଇଷମଙ୍କ ସଂସାର, ପୁଣି ଗଞ୍ଜେଇ ଖର୍ଚ୍ଚ । ଚଳନ୍ତା କିପରି ? ଆମେ ସବୁ ଅବଶ୍ୟ ପ୍ରତି ନୂଆପାଠରେ ତାଙ୍କ ପାଇଁ ଯେଉଁ ସିଧା ଆଣୁଥିଲୁଁ, ସେଥିରେ ରହୁଥିଲା ଗଞ୍ଜେଇରୁ କଲୀଏ !

 

ଏ ହାଟ ଦିନଟା ଆମର ଫୂର୍ତ୍ତିର ଦିନ ! ଚାଶାଳୀକୁ ଯାଉ ନାଁକୁ ମାତ୍ର । ତାପରେ ଡାଳମାଙ୍କୁଡ଼ୀ ଖେଳ, ଚଢ଼େଇ ଧରାରେ କିଏ କୁଆଡ଼େ ପଳାନ୍ତି । ଟୁଙ୍ଗୀ ଭିତରୁ ରାଧାଗୋବିନ୍ଦଜୀଉ କେବଳ ଚାଶାଳୀ ଆଉ ମଠ ଜଗି ଗମ୍ଭୀରା ଭିତରେ ବସିଥାନ୍ତି !

 

ଏହିପରି ଦିନେ ହାଟପାଳୀରେ ମୁଁ ବାଡ଼ ଡେଇଁ ପଶିଥିଲି ବୈରାଗୀ ବଇଷମଙ୍କ ପଛ ବଗିଚାରେ ପିଜୁଳି ଗଛରୁ ପାଚିଲା ପିଜୁଳି ତୋଳିବା ପାଇଁ । ବୈରାଗୀ ବଇଷମଙ୍କ ସ୍ତ୍ରୀ, ନକୁଳାବୋଉ ଖୁଡ଼ୀ, ଆମ୍ୱଗଛ ତଳେ ଠିଆ ହୋଇଥିଲେ ଗୋଟାଏ ଡାଳ ଉପରକୁ ହାତ ଉଠାଇ । କାନ୍ଧରୁ ଲୁଗାକାନି କଥା ଲଅସରେ ତଳେ ଖସି ପଡ଼ିଥିଲା । ରାଜୁଆ ବାଉରୀ ସେଠି କଣ କରୁଥିଲା କେଜାଣି, ମୋତେ ଦେଖି ଭୂତ ଭେଟିବା ପରି ଚମକି ପଡ଼ିଥିଲା । ନକୁଳାବୋଉ ଖୁଡ଼ୀ ଦେହ ଉପରକୁ ଲୁଗାକାନିଟା ଟାଣିନେଇ ପାନରଙ୍ଗା ଓଠରେ ମହଳ ହସଟିଏ ହସି କହିଥିଲେ.....‘‘ଛି, ଏମିତି ବାଡ଼ ଡେଇଁ ଆଉ ଦିନେ ପଶିବ ନାହିଁ । ଦେ’ରେ ରାଜୁଆ ଗୋଟାଏ ପିଜୁଳି ତୋଳି ଦେ । ଅବଧାନଙ୍କ ବାଡ଼ି ଭିତରକୁ ପଶିଥିଲ ବୋଲି କୋଉଠି କହିବ ନାହିଁ ତ କଇଆ ! ଅବଧାନେ ଶୁଣିଲେ ପିଟିବେ !’’

 

ମୁଁ ଅପରାଧୀପରି ନୀରବରେ କେବଳ ମୁଣ୍ଡ ହଲାଇଥିଲି । ତାପରେ ରାଜୁଆ ବାଉରୀ ହାତରୁ ପିଜୁଳିଟା ଧରି ଦେ ଚମ୍ପଟ ।

 

ଏ ଘଟଣାର କେତେ ଦିନ ପର୍ଯ୍ୟନ୍ତ ବୈରାଗୀ ବଇଷମଙ୍କ ଚାଟଶାଳୀ ପାଖ ଶିମୁଳୀ ଗଛ ମୂଳ ମାଡ଼ିଲେ ମୋ ଦେହଟା ମାଡ଼ ଭୟରେ କାଠ ହୋଇ ଯାଉଥିଲା । ଖୁଡ଼ୀ ଯଦି ଅବଧାନଙ୍କୁ କହିଥିବେ, ତମେ ନଥିବାବେଳେ କଇଆ ବାଡ଼ ଡେଇଁ ପଶିଥିଲା ପିଜୁଳି ତୋଳିବା ପାଇଁ; ତା’ ହେଲେ ? ପାଦଟା ଆଗକୁ ନ ବଢ଼ି ଆପେ ଆପେ ଅଟକି ଯାଉଥିଲା ।

 

ଆମ ପିଲାମାନଙ୍କ ପ୍ରତି ବୈରାଗୀ ଅବଧାନେ ଯେତିକି ପ୍ରଚଣ୍ଡ ଓ କଠୋର, ଗଛବୁର୍ଚ୍ଛ ପ୍ରତି କିନ୍ତୁ ସେତିକି କୋମଳ ଓ ସ୍ନେହପ୍ରବଣ ଥିଲେ । ତାଙ୍କ ଗଛରୁ ପତ୍ରଟିଏ କିଏ ଛିଣ୍ଡାଇନେଲେ ଦେହରୁ ଗୋଟାଏ ଅଙ୍ଗ କାଟି ନେବା ପରି ତାଙ୍କୁ ଲାଗୁଥିଲା ।

 

ସେଦିନ ତାଙ୍କ ମିଜାଜଟା ଭଲ ଥିଲା ପରା !

 

ତାରା ଅପାର ଖୁଦୁରୁକୁଣୀ ଓଷାପାଳୀକୁ ମୁଁ କହିଥିଲି, ବଇଷମ ମଠ ବଗିଚାରୁ ଚମ୍ପାଫୁଲ ତୋଳି ଆଣି ଦେବା ପାଇଁ । ପହିଲି ସକାଳୁ କାଉ କା’ ନ କରୁଣୁ ମୁଁ ଗୋଟାଏ ଲଗୀ ଧରି ବଇଷମଙ୍କ ବଗିଚା ଭିତରକୁ ବାଡ଼ ଡେଇଁ ପଶି ଲଗୀରେ ଚମ୍ପା ଗଛର ତଳ ଡାଳଟାଏ ନୁଆଇଁ ଫୁଲ ତୋଳୁ ତୋଳୁ ଡାଳଟା ମଡ଼୍‌ କରି ଭାଙ୍ଗିଗଲା । ବୈରାଗୀ ଅବଧାନେ ସେଇ ସକାଳୁ ଉଠି ରାଧାଗୋବିନ୍ଦ ଠାକୁରଙ୍କ ପାଇଁ ଗୋଟାଏ ଚାଙ୍ଗୁଡ଼ିରେ ଫୁଲ ତୋଳୁଥିଲେ । ମତେ ଏବେ କୋଉ ଜଣା ? ଡାଳ ଭାଙ୍ଗିବା ଶବ୍ଦ ଶୁଣି ଗଛ ମୂଳକୁ ଆସି ସେ ଯେତେବେଳେ ମୋ ପାଖରେ ଠିଆ ହୋଇଗଲେ; ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ମୋ ଦେହ ଝିମି ଝିମି ହୋଇଗଲା । ସେ କିନ୍ତୁ ମୋ କାନ ମୋଡ଼ି ସେଦିନ ଛିଣ୍ଡାଇଲେ ନାହିଁ, କିମ୍ୱା ମୁଁ ଭାଙ୍ଗିଥିବା ଚମ୍ପାଡାଳରେ ମୋ ପିଠି ସେକି ଦେଇଗଲେ ନାହିଁ । ଆହତ ହେବା ପରି କଣ୍ଠରେ ସେ ମୋ କାନ୍ଧ ଉପରେ ଗୋଟାଏ କରଡ଼ା ହାତ ରଖି କହିଲେ, ‘‘ବୁଝିଲୁ ରେ କଇଆ; ଏ ଗଛ ବୁର୍ଚ୍ଛ ସବୁ ମୋ ପିଲା ଛୁଆଙ୍କ ପରି ! ତମେ ସବୁ ଯେମିତି ତମ ବାପ ମାଆଙ୍କ ଆଦରର ନିଧି, ଏ ସବୁ ମୋର ସେହିପରି !’’

 

ମୁଁ ସାହସ ସଞ୍ଚୟ କରି ପଚାରିଲି, ‘‘ଗଛ ବୁର୍ଚ୍ଛର କଣ ଜୀବନ ଥାଏ ?’’

 

ବଇ ଅବଧାନେ ବୈଜ୍ଞାନିକ ନ ଥିଲେ । ମାତ୍ର ସେ ଉତ୍ତର ଦେଇଥିଲେ, ‘‘ଗଛ ବୁର୍ଚ୍ଛ କାହିଁକି କାଠ ପଥରର ସୁଦ୍ଧା ପ୍ରାଣ ଅଛି । ଆଉଦିନେ ଗଛ ଡାଳ ଭାଙ୍ଗିବୁ ନାଇଁ । ଗଛକୁ ବାଧିବ ।’’

 

ଆହା.....ଆମକୁ ପିଟିବା ବେଳେ, ବଇ ଅବଧାନେ ଯଦି ଏ କଥା ମନେ ରଖୁଥାଆନ୍ତେ ଯେ, ଆମ ଗାଲ, ପିଠି, ଆଉ କାନର ମଧ୍ୟ ପ୍ରାଣ ଅଛି ବୋଲି, ତା’ହେଲେ ଏ ସକାଳ ଗୁଡ଼ା ଆଉରି କେଡ଼େ ନେଳି ହେଉ ନ ଥାନ୍ତା ! ସଞ୍ଜଗୁଡ଼ା କେଡ଼େ ସୁନେଲୀ ହେଉ ନଥାନ୍ତା !

 

ପୁଣି ଗଛପତ୍ରକୁ ବଇ ଅବଧାନେ ଏଡ଼େ ଆଦର କରନ୍ତି, ନିଜ ପିଲା ଛୁଆଙ୍କ ପରି; ଅତଚ ନିଜର ଏକମାତ୍ର ପୁଅ ଏକୋଇବଳା ବିଶିକେସନ ନକୁଳାକୁ ଗୋରୁବାଡ଼ିଆ କଲାବେଳେ କାହିଁକି ତାଙ୍କ ତୁଣ୍ଡରୁ ଆହା ବୋଲି ପଦୁଟିଏ ବାହାରେ ନାହିଁ ତ ?

 

ଅବଧାନଙ୍କ ଆଗରୁ ପଳାଇ ଆସିବା ପାଇଁ ମୋତେ ସେତେବେଳେ କିନ୍ତୁ ବାଟ ଦିଶୁ ନଥିଲା !

 

ବୈରାଗୀ ବଇଷମଙ୍କୁ ସାଇ ଲେଖାରେ ଆମେ ଡାକିବା କଥା ଦାଦୀ; ମାତ୍ର ତାଙ୍କ ହାଡ଼ୁଆ ମୁହଁ, ପୋଷେ ଚାଉଳ ରହିବା ପରି ଦୁଇ ଗାଡ଼ୁଆ ଆଖି ଉପରେ ଦୁଇଟା ସଂବାଳୁଆ ପରି ଭ୍ରୂଲତା, ଶୁଖିଲା କର୍କଶ ଚମଢ଼ଙ୍କା ଶିଥିଳ ଦେହ ଦେଖିଲେ, ଆଦୁରିଆ କଣ୍ଠରେ ତାଙ୍କୁ ଦାଦୀ ବୋଲି ଡାକିବା ପାଇଁ ଆମର ସବୁ ସାହସ ହଜି ଯାଉଥିଲା । ଆମ ଭିତରେ ସେ ପରିଚିତ ଥିଲେ ‘ବାଘ’ ନାମରେ । ଏଇ ବାଘ ଆସିଲା ଶୁଣିଲେ ଦାଣ୍ଡରେ ଖେଳ ଛାଡ଼ି ଆତ୍ମରକ୍ଷା ପାଇଁ ହାଣ୍ଡିଶାଳକୁ ଦଉଡ଼ିବାବେଳେ ଆମେ ବୁଝିଥାଉ, ବୈରାଗୀ ଅବଧାନେ ଏ ଆଡ଼େ ଆସୁଛନ୍ତି । ତାଙ୍କୁ ଆମେ ସତରେ ଡରୁଥିଲୁ ବାଘ ପରି !

 

ସେଥିପାଇଁ ଦାୟୀ ଅବଶ୍ୟ ଆମର ବୋଉ, ଖୁଡ଼ୀ, ପିଉସୀ ଆଉ ଆଈମାନେ...ଯେଉଁମାନେ କଥା କଥାକେ, ‘‘ହେଇ ବାଘ ଆସିଲା’’ର ଧମକ ଦିଅନ୍ତି, ଖରାବେଳେ ଜବରଦସ୍ତ ଶୁଆଇବାଠାରୁ, ରାତିରେ କ୍ଷୀର ପିଆଇ ଶୁଆଇବା ପର୍ଯ୍ୟନ୍ତ ।

 

ବୈରାଗୀ ବଇଷମଙ୍କ କ୍ରୋଧ କିନ୍ତୁ ଯେପରି ଭୟଙ୍କର, ଶ୍ରଦ୍ଧଟା ମଧ୍ୟ ସେଇପରି ଉତ୍କଟ-। ଦାଣ୍ଡରେ ଆମେ ଖେଳୁଥିବା ବେଳେ—ବୈରାଗୀ ବଇଷମଙ୍କ ମିଜାଜ୍‌ ଖୁସୀ ଥିଲେ, କେତେବେଳେ ସେ ପଛଆଡ଼ୁ ଛପି ଛପି ଆସି, ଦୁଇ ହାତରେ ଶୂନ୍ୟେ ଶୂନ୍ୟେ ପୁରୁଷେ ଉଞ୍ଚକୁ ଉଠାଇ ଧରି ପାଟି କରି କହନ୍ତି.....‘‘ପକେଇ ଦେବି ! କଚି ଦେବି ! ଏଇ ପକେଇଲି ! ପକେଇଲି-!’’

 

ମୁଁ ବା ଅନ୍ୟ କେହି, ଯେତେବେଳେ ଯିଏ ନିଜ ଦୁର୍ଭାଗ୍ୟକୁ ବୈରାଗୀ ବଇଷମଙ୍କ ପୁରୁଷେ ଉଞ୍ଚାରେ ଶୂନ୍ୟେ ଶୂନ୍ୟେ ଗୋଡ଼ ହାତ ଛାଟୁଥାଉ, ବଇଷମଙ୍କ ହସ ପୁଣି ‘‘ପକେଇଲି, ଏଇ ପକେଇଲି’’ ଚିତ୍କାର ଶୁଣି ଦୁଇ ଆଖି ଆଗରେ ଜୁଳୁଜୁଳିଆ ପୋକ ସବୁ ଉଡ଼ିବୁଲନ୍ତି । ବଇଷମ ତାପରେ ମୋତେ ବା ତାକୁ ତଳେ ପୁଣି ଧୀରେ ବସାଇ ଦେଇ ଦାଣ୍ଡେ ଦାଣ୍ଡେ ଚାଲିଯାଆନ୍ତି ନିଜ ବାଟରେ ।

 

‘‘ଗୋବିନ୍ଦାଜୀ ଘରେ ଅଛନା ?’’ ....ବଇଷମ ଗୋବିନ୍ଦୀ ଅଜାଙ୍କ ଉଦ୍ଦେଶ୍ୟରେ କୁହାଟ ଛାଡ଼ନ୍ତି ।

 

ଗୋବିନ୍ଦୀ ଅଜା କାଲ । ପିଣ୍ଡାରେ ସେଇଠି ବସି ହେମଦସ୍ତାରେ ପାନ ଛେଚୁଛନ୍ତି, ଅବଧାନଙ୍କ କୁହାଟ କିନ୍ତୁ ଶୁଣି ପାରୁନାହାନ୍ତି । ଆମେ ସବୁ ଖିଲ୍‌ ଖିଲ୍‌ ହସି ଉଠୁ, ଗୋବିନ୍ଦୀ ଅଜାଙ୍କ ପାକୁଆ ପାଟିରେ ପାନ ଚାକୁଳେଇବା ଅଭିନୟ କରି । ମୁହଁ-ସଞ୍ଜ ଭିତରେ ଗୋଧୂଳି-ଉଡ଼ା ଆଲୁଅ କ୍ରମେ ନିଭି ନିଭି ଆସେ !

 

ଆମେ ସବୁ ଜାଣୁ, ବଇଷମ ଅବଧାନେ ଯୁଆଡ଼େ ଚାଲିଚନ୍ତି.....ପଧାନ ସାଇରେ ଜଗୁପଧାନ ଟୁଙ୍ଗୀକୁ । ସେଠି ଗଞ୍ଜେଇ ଚିଲମ ଚାଲିବ, ତା’ପରେ ଖଞ୍ଜଣୀ ମାଡ଼ ଆଉ ଭଜନ.....‘‘ବାୟା ମନ ରେ, କାୟା ରହିବ ନାଇଁ !’’

 

ଆମ ନିଦୁଆ କାନରେ ପଧାନସାଇ ଆଡ଼ୁ ଖଞ୍ଜଣୀ ମାଡ଼ର ଟୁକୁରା ଆଉ ଭଜନର ପଦ ଅନେକ ଥର, ଅନେକ ରାତିରେ ବାଜିଛି । ଶୁଣି ଶୁଣି ଦୁଇ ଆଖି ନିଦରେ କେତେବେଳେ ମୁଦି ହୋଇଯାଏ, ଆମେ ବୁଝି ପାରୁନାହିଁ....ଯଦି ଅବଶ୍ୟ କେତେ କୋଶ ଦୂରରେ ଯାଉଥିବା ରେଳରାସ୍ତା ଉପରେ ରାତି ରେଳଗାଡ଼ିର ଶବ୍ଦ ଶୁଣିବା ପାଇଁ ଆମେ ଉତ୍‌କର୍ଣ୍ଣ ନ ଥାଉ !

 

ବୈରାଗୀ ବଇଷମ ସେଦିନ ମଧ୍ୟ ଜହ୍ନିଫୁଲ-ଫୁଟା ମୁହଁସଞ୍ଜରେ ଚାଲିଥିଲେ, ଜଗୁପଧାନ ଟୁଙ୍ଗୀକୁ । ଧୋବା ଧୂଳିଘର ତିଆରି କରୁଥିଲା ନୂଆ କାରିଗରୀରେ । ଆମେ ସବୁ ତାକୁ ସାହାଯ୍ୟ କରୁଥିଲୁ ନାନା ଭାବରେ, ତାଳପତ୍ର, ସଡ଼େଇ ଆଉ ଧୂଳି ପ୍ରଭୃତି ନାନା ଉପକରଣ ସଂଗ୍ରହ କରି । ତେଣୁ ବଇଷମ ଅବଧାନେ ଆମ ଆଡ଼େ ଆସୁଥିବା ଆମେ ସେତେବେଳେ କେହି ଲକ୍ଷ୍ୟ କରିପାରି ନଥିଲୁ ।

 

ବିଷମ ଅବଧାନେ ସେଦିନ କିନ୍ତୁ ଧୋବାକୁ ପଛଆଡ଼ୁ ଧରି ଶୂନ୍ୟେ ଶୂନ୍ୟେ ମୁଣ୍ଡ ଉପରେ ପୁରୁଷେ ଉଞ୍ଚାରେ ଉଠାଇ ଧରିଲେ ନାହିଁ, କିମ୍ୱା ଅନ୍ୟ ଦିନମାନଙ୍କ ପରି ଗୋବିନ୍ଦ ଅଜାଙ୍କ ଉଦ୍ଦେଶ୍ୟରେ କୁହାଟିଲେ ନାହିଁ......‘‘ଗୋବିନ୍ଦାଦୀ ଘରେ ଅଛ ନାଁ ?’’

 

ବିଷମ ଅବଧାନେ କୋଉ ଅଜଣା ଗାଁ ଦାଣ୍ଡରେ ଅଚିହ୍ନା ବାଟୋଇ ପରି ତଳକୁ ମୁଣ୍ଡ ନୁଆଇଁ ଦାଣ୍ଡେ ଦାଣ୍ଡେ ଚାଲିଗଲେ ।

 

ଗୋବିନ୍ଦୀ ଅଜା ଯେତେବେଳେ ହେମଦସ୍ତାରେ ପାନ ଛେଚି ଛେଚି ବେଙ୍ଗ ବୋବାଇବା କଣ୍ଠରେ ରଡ଼ିଉଠିଲେ.....‘‘ବଇଷମ, ନକୁଳାର ଉଦନ୍ତ କିଛି ପାଇଲ ?’’—ଆମେ ସେତେବେଳେ ଜାଣିଲୁ, ବଇଷମ ଅବଧାନେ ଦାଣ୍ଡରେ ଯାଉଛନ୍ତି ।

 

ବଇଷମ ଅବଧାନେ ଆଜି କିନ୍ତୁ ଯେପରି କାଲ ହୋଇ ପଡ଼ିଥିଲେ, ଗୋବିନ୍ଦୀ ଅଜାଙ୍କ କୁହାଟ ସେ ଯେପରି ଶୁଣି ପାରିଲେ ନାହିଁ । ତଳକୁ ମୁଣ୍ଡ ନୁଆଇଁ, ନିଜ ଚିନ୍ତାରେ ନିଜେ ବୁଡ଼ି ରହିବା ପରି, ଦାଣ୍ଡେ ଦାଣ୍ଡେ ସେ ପଧାନ ସାହିରେ ଜଗୁ ପଧାନ ଟୁଙ୍ଗୀ ଆଡ଼େ ଚାଲିଗଲେ ।

 

ବଇଷମ ଅବଧାନଙ୍କୁ ଦେଖି ଆମେ ସବୁ ଅନ୍ୟଦିନମାନଙ୍କ ପରି ଭୟରେ ଦାଣ୍ଡଘର କବାଟ ଉହାଡ଼କୁ ଦଉଡ଼ି ପଳାଇଲୁ ନାହିଁ; କିନ୍ତୁ ଖିଲ୍‌ ଖିଲ୍‌ ହୋଇ ହସିଉଠିଲୁ । ମାତ୍ର ସେ ହସିବାରେ କେଜାଣି କାହିଁକି ଅନ୍ୟଦିନମାନଙ୍କ ପରି କୌଣସି ଆନନ୍ଦ ଅଥବା ଉତ୍ତେଜନା ନଥିଲା !

 

ପର ମୁହୂର୍ତ୍ତରେ ଆମର ମନେ ପଡ଼ିଲା, ବଇଷମଙ୍କ ପୁଅ ନକୁଳା, ଏଥର ବହୁଦିନ ହେଲା ନିଖୋଜ ହୋଇପଡ଼ିଛି । ଗାଁ ଛାଡ଼ି ନିଖୋଜ ଭାବରେ ପଳାଇବା, ନକୁଳା ପକ୍ଷରେ ଅବଶ୍ୟ ନୂଆ ନୁହେଁ । ଗାଁକୁ ଯିବା ଆସିବା ତାର ଲାଗି ରହିଥାଏ । ମାସେ ପନ୍ଦର ଦିନ ଚାଶାଳୀରେ ବସି ବଇଷମ ଅବଧାନଙ୍କ ଠାରୁ ନିତି ଗୋରୁ-ବାଡ଼ିଆ ମୁହଁ ବୁଜି ସହି ସହି, ହଠାତ୍‌ ଦିନେ ଗାଁରୁ ସେ କୁଆଡ଼େ ଉଭାନ୍‌ ହୋଇଯାଏ । .....ତା’ ପରେ ସେହିପରି ହଠାତ୍‌ ଫେରିଆସେ ଦିନେ । ଏଥର କିନ୍ତୁ ତାର କୌଣସି ପତ୍ତା ନଥିଲା ।

 

ନକୁଳା ଆମ ସମସ୍ତଙ୍କ ଠାରୁ ବୟସରେ ଦୁଇ ତିନି ବର୍ଷ ବଡ଼ । ମାତ୍ର ଏ ପର୍ଯ୍ୟନ୍ତ ବର୍ଣ୍ଣମାଳା ସୁଦ୍ଧା ତାର ଦୋରସ୍ତ ହୋଇ ପାରିଲାନାହିଁ । ଆମେ ସବୁ କିନ୍ତୁ ସେତେବେଳକୁ ଯୁକ୍ତାକ୍ଷରରେ ପହଞ୍ଚିଲୁଣି । ପୁଣି ଦୁଇ ଚୋ କେତେ ବୋଲି ଅବଧାନେ କୋବଲେଇଲେ, ବିଧା ଚାପୁଡ଼ା ବେତରେ ପିଠି ଯେତେ ଫଟାଇଲେ ବି, ତା’ମୁହଁରୁ ପଦେ କଥା ବାହାରେ ନାହିଁ କି ଆଖିରୁ ବିନ୍ଦୁଏ ଲୁହ ଝରେ ନାହିଁ । ମାରି ମାରି ଅବଧାନଙ୍କ ହାତ ଘୋଳେଇ ହୋଇ ପଡ଼ିଲେ ସେ ବେତଟା ଫିଙ୍ଗି ଦେଇ ଗମ୍ଭୀରା ଭିତରକୁ ଉଠି ପଳାନ୍ତି !

 

ନକୁଳାକୁ କେଉଁଦିନ ଆମ ଗୁରୁଜନମାନେ ଅସ୍ପୃଶ୍ୟ, ଅପାଙ୍‌କ୍ତେୟ ଘୋଷଣା କରିଥିଲେ, ଆମେ ତାହା ଜାଣି ନଥିଲୁ; କିନ୍ତୁ ସେଦିନ ମୁହଁ ସଞ୍ଜବେଳେ ବାପା ଚାକିରୀ ଗାଁରୁ ଘରକୁ ଫେରି ଗୋଡ଼ ନ ଧୋଉଣୁ ମୋତେ ହଠାତ୍‌ ଦେଖିପାରି ଯେତେବେଳେ ପଚାରିଦେଲେ, ‘‘କଇଆ କେମିତି ପାଠ ପଢ଼ୁଛି ? କହିଲୁ ଚାରି ଅଷ୍ଟାଁ କେତେ ପଣ ?’’ ବୋଉ ଢାଳେ ପାଣି କୂଅରୁ କାଢ଼ି ଆଣୁ ଆଣୁ ସେହିଆଡ଼ୁ ଘୋଷଣା କରି କରି ଆସିଲା.....‘‘ସିଏ ତ ନକୁଳା ସାଙ୍ଗରେ ପଡ଼ି ବାଳୁଙ୍ଗା ବାସ୍ତୁରା ହୋଇଗଲାଣି । ଆଉ ପାଠ ନ ଶାଠ । ତମ ସାଙ୍ଗରେ ତାକୁ ଏଥର ଚାକିରୀ ଗାଁକୁ ନେଇଯାଅ । ମୁଁ ସେ ବାସ୍ତୁରାକୁ ଏଠି ଆଉ ସମ୍ଭାଳି ପାରିବି ନାହିଁ । ନଇଲେ ପଛାନ୍ତି ମୋତେ ଦୋଷ ଦେବ ନାଇଁ ।’’

 

ଏ ପରିସ୍ଥିତିରେ ଚାରି ଅଷ୍ଟାଁ କେତେପଣ, ମୁଁ ଯେତେ ଉଣ୍ଡାଳିହେଲେ ସୁଦ୍ଧା, ଖୋଜି ନ ପାଇ ଆତ୍ମରକ୍ଷା ପାଇଁ ଦଉଡ଼ି ପଳାଉଥିଲି; କିନ୍ତୁ ବାପା ଗର୍ଜନ କରି ଉଠିଲେ....‘‘କଇଆ !’’

 

ମୋ କାନ ପାଖରେ କୋଉଠି ବଜ୍ର ପଡ଼ିଲା ।

 

ମୁଁ ବାପାଙ୍କ ପାଖକୁ ଆସିବାମାତ୍ରେ ମୋ କାନଟିକୁ ଟାଣି ସେ ଚରମ ବାକ୍ୟ ଶୁଣାଇଦେଲେ....‘‘ଏଇଥର ଛାଡ଼ିଦେଲି କଇଆ ! ଫେର ଯଦି କେବେ ଶୁଣେ, ତୁ ନକୁଳା ସାଙ୍ଗରେ ମିଶିଛୁ, ତା’ ହେଲେ ବୁଝିବୁ । କୁଳାଙ୍ଗାର !’’

 

ମୋତେ ଏକା ବୋଲି ନୁହେଁ....ନକୁଳାଠାରୁ ଦୂରରେ ରହିବା ପାଇଁ ସମସ୍ତଙ୍କୁ ଏହିପରି ଘରେ ଘରେ କଡ଼ା ତାଗିଦ୍‌ ! କିନ୍ତୁ ଏ ସବୁ ସତ୍ତ୍ୱେ ନକୁଳା ଥିଲା, ଆମର ନେତା, ଆମର ଆଦର୍ଶ !

 

ଆମେ ସବୁ ଯେତେବେଳେ ଗାଁମୁଣ୍ଡ ମେଲଣ ପଡ଼ିଆ ଡେଇଁ ଆର ଗାଁଟା ସୁଦ୍ଧା କେଉଁଠି ଦେଖି ନଥିଲୁ, କଇଆ କେତେ ଅଶୁଣା ବଜାର, କେତେ ଅଜଣା ବାଟରେ ବୁଲି, ଗାଁକୁ ଫେରିଥିଲା । ଆମେ ତାରି ପାଖରୁ ପ୍ରଥମେ ଶୁଣିଥିଲୁ, ରେଳଗାଡ଼ିର ସମ୍ୱାଦ, ଯେଉଁ ରେଳଗାଡ଼ିର ଶବ୍ଦ ନିଶୂତି ପ୍ରହରରେ, ଆମେ କେବଳ ବିଛଣାରେ ପଡ଼ି ପଡ଼ି ଶୁଣୁଥିଲୁ ସିନା, କିନ୍ତୁ ଦେଖି ନଥିଲୁ କେବେ ।

 

‘‘ଆଖି ଛୁଉଁଚିରେ କଇଆ, ବାସୁଳେଇ ରାଣ, ରେଳଗାଡ଼ିରେ ଚଢ଼ି, ମୁଁ ସହରକୁ ପଳେଇଥିଲି ପରା ! ପୁଣି ତ ସେଇ ରେଳଗାଡ଼ିରେ ବସି ଫେରିଲି । ଉଃ.....ବୁଝିଲୁ କଇଆ, ରେଳରେ ଯିବାବେଳେ ଗଛ, ଘର, ତାରଖୁଣ୍ଟି ଗୁଡ଼ା ଓଲଟମୁହାଁ ହୋଇ ପଛକୁ ଯେମିତି ଦଉଡ଼ନ୍ତି ନାଁ ! ....ସତରେ ! ଜାଗୁଳେଇ ରାଣ !’’

 

ନକୁଳା ତାର ରେଳଯାତ୍ରା ବର୍ଣ୍ଣନା କରୁଥିଲା ଠାକୁରାଣୀ ତୋଟାରେ । ସେଦିନ ଥିଲା ହାଟପାଳୀ ଛୁଟୀ ।

 

‘‘ଯାଃ....ତୁ’ଟା ମିଛୁଆଟା । ତୁ କୁଆଡ଼େ ରେଳଗାଡ଼ିରେ ଚଢ଼ିଚୁ !’’—ନକୁଳା ରେଳଗାଡ଼ି ଚଢ଼ି ବୁଲି ଆସିଲାଣି, ସେ କଥା ବିଶ୍ୱାସ କରିବା ପାଇଁ ଆମେ କେହି ପ୍ରସ୍ତୁତ ନ ଥିଲୁ, କେବଳ ଈର୍ଷ୍ୟାରେ ।

 

ମାତ୍ର ସେ ବିସ୍ମୟ ନ କଟୁଣୁ, ନକୁଳା ଯେତେବେଳେ ତା ଲୁଗା କୁଞ୍ଚ କାନିଭିତରୁ ଖଣ୍ଡେ ବିଡ଼ି କାଢ଼ି, ଦୁଇ ଓଠ ଭିତରେ ଧରିଲା, ଘୋଡ଼ାମାର୍କା ଗୋଟାଏ ଡିଆସିଲି କାଢ଼ି, କାଠିମାରି ସେଥିରେ ନିଆଁ ଲଗାଇଲା, ପୁଣି ରାଜୁଆଦୀ ପାଟିରୁ ଗଞ୍ଜେଇ ଧୂଆଁ ବାହାର କରିବା ପରି ଧୂଆଁର କୁଣ୍ଡଳୀ ଯେତେବେଳେ ତା’ ପାଟିରୁ ଭକ୍‌ଭକ୍‌ ବାହାରି ଆସିଲା; ତାହା ଦେଖି ଆମ ଆଖି ସବୁ ତାଳୁରେ ଖୋସି ହୋଇଗଲା । ନକୁଳା ରେଳଗାଡ଼ିରେ ବସିଥିବା କଥାଟାକୁ ଆମେ ଆଉ ଅବିଶ୍ୱାସ କରିପାରିଲୁ ନାହିଁ । ଆମେ ସବୁ ସତରେ କଣ, କେବେ ନକୁଳା ପରି ହୋଇ ପାରିବୁ ? ନକୁଳା ନାକବାଟେ ଧୂଆଁ ଛାଡ଼ିବା, ଆମେ ସ୍ୱଚକ୍ଷୁରେ ଦେଖିଲୁ । ଏଥର ସେ ଆଖିବାଟେ ଧୂଆଁ ଛାଡ଼ିବ । ସେ ଆଚମ୍ୱିତ କଥା ଦେଖିବା ପାଇଁ ମଧ୍ୟ ଆମେ ଆଖି ସବୁ କୌତୂହଳରେ ବଡ଼ ବଡ଼ କରି ଚାହିଁଲା ବେଳକୁ, ଆମ ଆଖି ଭିତରକୁ ସେ ଏପରି କଳେ ଧୂଆଁ ଛାଡ଼ିଦେଲା ଯେ, ଆମ ଆଖି ସବୁଚ ଧୂଆଁରେ ବୁଜି ହୋଇଗଲା । ସେଥିରୁ ପାଣି ନିଗିଡ଼ିଲା । ତାରି ଭିତରେ ନକୁଳା ଆଖିରୁ କେତେବେଳେ ଧୂଆଁ ବାହାରିଗଲା କେଜାଣି ?

 

ନକୁଳା କହିଲା....‘‘ଜାଇଁଲ ରେ, ହରିପୁର ବଜାରରେ ପଇସାକୁ ମିଳେ, ହେ ବଡ଼ ବଡ଼ ଦି’ଟା ବରା !’’

 

ନକୁଳା କଥା ଶୁଣି ଆମେ ସବୁ ମନେ ମନେ ନିଜକୁ ବହୁ ଧିକ୍‌କାର କଲୁ, ଆମ ଜିଭ ସବୁ ଲାଳାୟିତ ହେଲା ।

 

‘‘ହେ ନକୁଳାଇ, ଆମକୁ ଟିକିଏ ରେଳ ଦେଖେଇ ଦେରେ....’’ ଆମେ ସବୁ ନକୁଳାକୁ ନେହୁରା ହେଲୁ ।

 

ନକୁଳା ବିଡ଼ି ଖଣ୍ଡ ଗମ୍ଭୀର ଭାବରେ ତଳେ ମାଡ଼ି ନିଭେଇ, ପୋଡ଼ାବିଡ଼ିର ଅବଶିଷ୍ଟ ଖଣ୍ଡ ଲୁଗାକୁଞ୍ଚ ଭିତରେ ଲୁଚାଇ ରଖି କହିଲା.....‘‘ରାଜୁଆଦୀ—ଆଈମା ବାଡ଼ୀ କାକୁଡ଼ିରଞ୍ଜାରୁ ଯିଏ ଦୁଧିଆଳୀ କାକୁଡ଼ି ପୁଞ୍ଜାଏ ଆଣି ପାରିବ, ମୁଁ ତାକୁ ରେଳ ଦେଖାଇଦେବି ।’’

 

ଆମ ପ୍ରତି ଏଇ ଆଦେଶ ଦେଇ ନକୁଳା ଠାକୁରାଣୀ ତୋଟାରେ ଗୋଟାଏ ଜାମୁଗଛ ଉପରକୁ ଉଠିଗଲା । ଆମେ ସବୁ କିନ୍ତୁ ରାଜୁଆଦୀଆଈମାର କାକୁଡ଼ିବାଡ଼ି ଭିତରେ ବାଡ଼ ଡେଇଁ ନ ପଶୁଣୁ, ଶୁଖିଲା ପତ୍ର ଉପରେ ଆମ ପାଦଶବ୍ଦ ଶୁଣି ରାଜୁଆଦୀ—ଆଈମା ସେଆଡ଼ୁ ଯେପରି ‘କିଏ ରେ, ବାଡ଼ିଖିଆ, କିଏରେ’ ଚିତ୍କାର କରି ଦଉଡ଼ି ଆସିଲା । ଆମେ ସେଠାରୁ ପଳାଇ ଆସିବାପାଇଁ ବାଟ ଖୋଜି ପାଇଲୁ ନାହିଁ ।

 

ସେଥର ନକୁଳା ଗାଁରେ କିଛି ଦିନ ରହିଲା । ବର୍ଣ୍ଣମାଳାର ଅକ୍ଷର ସବୁ ତାର ଦୋରସ୍ତ ହୋଇଆସିଲା । ବଇଷମ ଅବଧାନଙ୍କ ମାଡ଼ଗାଳି ସେ ମଧ୍ୟ ବେଶ୍‌ ଅମ୍ଳାନ ବଦନରେ ହଜମ କରିଗଲା !

 

ଆମେ ସବୁ ଭାବିଲୁ ଏଥର ଆଉ ଗାଁ ଛାଡ଼ି ପଳାଇବ ନାହିଁ !

 

ସେଦିନ କିନ୍ତୁ ଆମେ ସବୁ କାହା ମୁହଁ ଚାହିଁ ଉଠିଥିଲୁ କେଜାଣି, ଗାଳିମାଡ଼ ଛଡ଼ା କପାଳରେ ଆଉ କିଛି ନ ଥିଲା । ଗାଧୁଆବେଳେ ବୋଉ ଖୁଡ଼ୀ ପ୍ରଭୃତିଙ୍କ ସାଙ୍ଗରେ ଆମେ ଯାଇଥିଲୁ କାଳୀପୋଖରୀ ମାଇପୀ ତୁଠକୁ, ସବୁଦିନେ ଯେପରି ଯାଉ । ସେମାନେ ତୁଠ ପଥର ଉପରେ ବସି ନାନା ରାଜ୍ୟର ନାନା କଥା ଗପନ୍ତି, ଆମେ ସବୁ ଛାତିଏ ପାଣିରେ ନାଚି ନାଚି ପାଣି ଗୋଳିଆ କରୁ, ଖଣ୍ଡି ପହଁରା ଦେଉ । ସେଦିନ ନକୁଳା ବୋଉ ଖୁଡ଼ୀ ମଧ୍ୟ ସେଇ ତୁଠରେ ଗାଧୋଉଥିଲା । ପାଣି ଭିତରେ ତାକୁ ଦେଖି ବୋଉ ଖୁଡ଼ୀମାନେ ପାଣି ଭିତରକୁ କିନ୍ତୁ ଓହ୍ଲାଇଲେ ନାହିଁ ।

 

କାଚକେନ୍ଦୁ ପରି ପାଣି କୂଳରେ ଠିଆ ହୋଇ ସେମାନେ ଅପେକ୍ଷା କରିପାରନ୍ତି; ମାତ୍ର ଆମେ ଅପେକ୍ଷା କରିବୁ କେଉଁ ଦୁଃଖରେ ?

 

ପାଣି ଭିତରକୁ ମୁଁ ଲମ୍ଫ ଦେବାକୁ ଯାଉଚି, ମୋ ହାତଟା ଟାଣି ଧରି ଉମା ପିଉସୀ କହିଲା, ‘‘ପାଣି ଭିତରକୁ ଯା ନାହିଁ । ଆମେ ଏ ତୁଠରେ ଗାଧୋଇବା ନାଇଁ । ତୁଠ ପାଣି ମାରା ହେଲାଣି ।’’

 

ଓଢ଼ଣା ତଳୁ ନକୁଳାବୋଉ ଖୁଡ଼ୀ ଉମା ପିଉସୀ ଆଡ଼େ ଚାହିଁ କହିଲେ, ‘‘ଆସୁନା ବଉଳ, ପାଣି ଭଲ ଥଣ୍ଡା ଅଛି ।’’

 

ଉମା ପିଉସୀ ହସି ହସି ଉତ୍ତର ଦେଲା, ‘‘ତମର ସିନା ଡହ ଡହ ତବତ ଦେହ ଯେ, ତମକୁ ଶୀତଳ ପାଣି ଲୋଡ଼ା । ତମେ ଗାଧା-ଆ ଗୋ ବଉଳ, ଏ ତୁଠ ପାଣିରେ ଆମେ ଗାଧୋଇବୁ ନାଇଁ ।’’

 

ତା ପରେ ପରସ୍ପର ନଖରେ ଚିମୁଟାଚିମୁଟି ହୋଇ ସେମାନେ ଏପରି ହସିଲେ, ଯାହାର ଉଦ୍ଦେଶ୍ୟ ଥିଲା, ନକୁଳାବୋଉ ଖୁଡ଼ୀକୁ ପୁଳାପୁଳା ଚୁମୁଟି ଆଘାତ ଦେବା । ଆମେ ସବୁ ସେ କଥା ସ୍ପଷ୍ଟ ବୁଝି ପାରିଲୁ ! ପିଲା ହେଲେ କ’ଣ ହେଲା ?

 

ମଣିଷ ହସି ହସି କିପରି ଅନ୍ୟକୁ ନିଷ୍ଠୁର ଆଘାତ ଦେଇପାରେ, ସେଇଦିନ ଏକା ମୁଁ ସେ କଥା ବୁଝିଥିଲି । ସେ ଆଘାତରେ ନକୁଳା ବୋଉ ଖୁଡ଼ୀ ସେମାନଙ୍କ ଆଡ଼େ ଆଉ ଚାହିଁବା ପାଇଁ ସୁଦ୍ଧା ସାହସ କରିନଥିଲା । ନାଲିଧଡ଼ିଆ ଶାଢ଼ିଢ଼ଙ୍କା ସେ ମୁହଁଟି ଆଉ ତୁଠ ଆଡ଼େ ଫେରି ଚାହିଁ ନ ଥିଲା !

 

ଛାତିଏ ପାଣିରେ ଯେଉଁ ରତାକଇଁଟା ଫୁଟିଥିଲା, ସେଇଟିକୁ ତୋଳିବା ପାଇଁ ଅପେକ୍ଷା କରିବାକୁ ମୋର କିନ୍ତୁ ଆଉ ଧୈର୍ଯ୍ୟ ନଥିଲା । ତୁଠ ପାହାଚରେ ମୁଁ ଧାଇଁଯିବାରୁ ମୋ ଡେଣାଟା ଟାଣି ଧରି ଉମା ପିଉସୀ କହିଲା, ‘‘ଦେଖ ନୂଆବୋଉ, କଇଆ କେମିତି ପାଣି ଭିତରକୁ ଦଉଡ଼ୁଚି !’’

 

ତା ପରେ ପିଠିରେ ଦୁଲ୍‌ଦାଲ ଦୁଇଟା ବିଧା ଓ ମୋ ଡେଣା ଧରି ଅନ୍ୟ ତୁଠ ପର୍ଯ୍ୟନ୍ତ ଘୋଷଡ଼ା । ମାତ୍ର ସେସବୁର ଜ୍ୱାଳା, ଅନ୍ୟ ତୁଠରେ ପହଞ୍ଚି ପାଣି ଭିତରେ ପଶିବା ବେଳକୁ ମୁଁ ଅବଶ୍ୟ ଭୁଲି ସାରିଥିଲି । ମାତ୍ର ଏ ତୁଠରେ ନାଲିକଇଁର ଉତ୍ତେଜନା ନଥିଲା; କିମ୍ୱା ଶିଉଳି ତଳେ ସାନ ସାନ ମୀନ ପହଁରୁ ନଥିଲେ । ମୁଁ ତେଣୁ ବୋଉ, ଖୁଡ଼ୀ ଓ ପିଉସୀମାନଙ୍କର କଥାବାର୍ତ୍ତା ପ୍ରତି ଅଧିକ ମନୋଯୋଗୀ ଥିଲି ।

 

ଉମା ପିଉସୀ—ବାହାଘରର ଦୁଇବର୍ଷ ପରେ ସେ ବିଧବା ହେଇଥିଲା—କହୁଥିଲା, ‘‘ହେଇତି ଜାଣିଲ ସାନ ନୂଆବୋଉ, ମୁଁ ନିଜ ଆଖିରେ ଦେଖିଚି ପରା ! ବଇଷମଙ୍କ ବାଡ଼ିପଟ ତୋଟାରେ, ଉଦୁଉଦିଆ ଦି’ପହରୁଟାରେ ମା-ଛି-ଛି ! ହେ ଧରଣୀ ତୁ ଦ୍ୱିଧା ହେଇ ଯା । ମାହାନ୍ତି ଘର କୁଳମହତ ଆଉ ରହିଲା କେଉଁଠି ମ !’’

 

ଏମିତି ସବୁ କେତେ କଥା, ପୁଣି ତାହାର କେତେ ଲଥା !

 

ତା ଆରଦିନ ଉପରଓଳି ।

 

ଆମେ ସବୁ ଚାହାଳୀ ପିଣ୍ଡାରେ ବସି ବସ୍ତାନୀ ଖୋଲୁଚୁ । ଏ ଓଳି ଖଡ଼ି ପାଠ ନଥାଏ, ଥାଏ ଫଳା ବୋଲା, ବହିପାଠ, ମାନସାଙ୍କ ଇତ୍ୟାଦି । ଚେନାଏ ଖରା ତେରଛା ହୋଇ ପିଣ୍ଡା ଉପରୁ ବୁଲି ଆସିଥିଲା । ବଇଷମ ଅବଧାନେ ଗାଁ ଭିତରକୁ କୁଆଡ଼େ ଯାଇଛନ୍ତି, ଏଇ ଆସିଯିବେ ପରା ! ଆମେ କ’ରେ ବାଡ଼ି କା, କ’ରେ ଟୋପି କି, କ’ରେ ଆଙ୍କୁଶୀ କୀ, ପ୍ରଭୃତି ଘୋଷିବା ଆରମ୍ଭ କରିଦେଲୁ.....

 

ବଇଷମ ଅବଧାନଙ୍କ ତାଗିଦ୍‌ ଦାଣ୍ଡ ଗୋହିରୀକୁ ଯାହାର ଫଳା ମୁଖସ୍ଥ ପାଟି ନ ଶୁଭିବ, ତା’ ପିଚାରେ ଚାରି ପାହାର ! ମାତ୍ର ନକୁଳା ନିର୍ବିକାର ଭାବରେ ଖୁଣ୍ଟଟି ପରି ବର୍ଣ୍ଣବୋଧର ଅକ୍ଷର ଗୁଡ଼ାକୁ ନିର୍ବୋଧ ପରି ଚାହିଁ ବସିଥିଲା । ସେ ଫଳା ବୋଲୁ ନଥିଲା ।

 

ଅବଧାନଙ୍କ ଖଣ୍ଡିକାଶ ଶିମିଳୀ ମୂଳ ଆଡ଼ୁ ଶୁଭିଲା । ଆମେ ସବୁ କଣ୍ଠସ୍ୱର ବଢ଼ାଇଦେଲୁ; ମାତ୍ର ନକୁଳାର ପାଟି ଯେପରି ପଡ଼ିଯାଇଥିଲା । ସେ ସେମିତି ଖୁଣ୍ଟଟା ପରି ମୁହଁ ବୁଜି ବସିଥିଲା ।

 

ଅବଧାନେ ପିଣ୍ଡା ଉପରକୁ ଆସି ତାଙ୍କ ଆସନ ଉପରେ ବସିପଡ଼ିଲେ । ତା’ପରେ ବାଘ ଲାଙ୍ଗୁଡ଼ ପିଟିବା ପରି ବେତଟା ତଳେ ପିଟି ଯେତେବେଳେ ଆମ ସମସ୍ତଙ୍କ ଆଡ଼େ ତରାଟି ଚାହିଁଦେଲେ, ଆମର ଫଳା ବୋଲା ହଠାତ୍‌ ଗୋଳମାଳ ହୋଇଗଲା ।

 

ଅବଧାନଙ୍କ ଆଖିପଡ଼ିଲା ନକୁଳା ଉପରେ । ନକୁଳା ସେତେବେଳେ ପର୍ଯ୍ୟନ୍ତ ସୁଦ୍ଧା ଫଳା ମୁଖସ୍ଥ କରିବା ପାଇଁ ସୁର ଧରି ନଥିଲା । ହୁଏତ କେଉଁ ଅକ୍ଷରଟା କଣ, ସେ ହଠାତ୍‌ ବୁଝିପାରୁ ନଥିଲା । ବଇଷମ ଅବଧାନେ ନକୁଳା ଆଡ଼େ ଚାହିଁ ପଚାରିଲେ.....

 

‘‘କ ଓକାର କଣ ହେବ ?’’

 

ପଶୁ ପରି ନିର୍ବାକ ନିର୍ବୋଧ ଦୃଷ୍ଟିରେ ନକୁଳା ଅବଧାନଙ୍କ ଆଡ଼େ ଚାହିଁ, ଓଠ ଦୁଇଟା ଥର ଥର କଲା ସିନା, କୌଣସି ଉତ୍ତର ଦେଇ ପାରିଲା ନାହିଁ । ତା’ ପରେ ବଇଷମ ଅବଧାନେ ପାଗଳ ହୋଇଗଲେ ନାଁ କଣ, ବିଧା, ଚାପୁଡ଼ା, ଗୋଇଠା ଆଉ ବେତରେ ଯେତେ ବାଡ଼େଇଲେ ସୁଦ୍ଧା, ନକୁଳା ପାଟିରୁ ପଦୁଟିଏ ଉତ୍ତର କିନ୍ତୁ ବାହାରିଲା ନାହିଁ । ବଇଷମ ଅବଧାନେ ଯେତେବେଳେ ଗୋଟାଏ ଠେଲା ମାରି, ନକୁଳା ମୁଣ୍ଡଟାକୁ କାନ୍ଥ ଦେହରେ ପିଟିଦେଲେ, ନକୁଳା ପାଟିରୁ ବାହାରି ପଡ଼ିଲା.....‘‘ଇଲୋ ବୋଉ ଲୋ, ମରିଗଲି ।’’

 

ଏ ପଦକ ଶୁଣି ବଇଷମଙ୍କ ବିଧା, ଚାପୁଡ଼ା ଓ ତା’ସାଙ୍ଗରେ କୁଳାଙ୍ଗାର, ଘୋଡ଼ାମୁହାଁ, ଅବୀଜା ପ୍ରଭୃତି ସଭ୍ୟ ଅସଭ୍ୟ ନାନା ଗାଳିର ମାତ୍ରା ଆହୁରି ବଢ଼ିଉଠିଲା !

 

କେତେବେଳ ପରେ ବଇଷମଙ୍କ ହାତ ଘୋଳେଇ ପଡ଼ିବାରୁ ସେ ନକୁଳାକୁ ଛାଡ଼ିଦେଇ, କେବଳ ସଁ ସଁ ଦୀର୍ଘନିଃଶ୍ୱାସ ପକାଇ ପୁଣି ନିଜ ସ୍ଥାନରେ ଆସି ବସିପଡ଼ିଲେ । ତା’ପରେ ନକୁଳା ଆଡ଼େ ଚାହିଁ କଣ୍ଠ ଫଟାଇ ଚିତ୍କାର କରି ଉଠିଲେ, ‘‘ବାହାର୍‌, ବାହାର୍‌ ଏଠୁ କୁଳାଙ୍ଗାର, ଘୋଡ଼ାମୁହାଁ, ଅବୀଜା !’’

 

ନକୁଳା ପିଣ୍ଡା ତଳକୁ ଓହ୍ଲାଇ ଧୀରେ ଧୀରେ ହତା ବାହାରକୁ ଚାଲିଗଲା । ତାର ଯିବାରେ ଥିଲା ଅତ୍ୟାଚାରିତ, ଅପମାନିତ ଓ ଲାଞ୍ଛିତର ଏପରି ଏକ ଭଙ୍ଗୀ, ଯାହା ଆମ ସମସ୍ତଙ୍କୁ ଏକ ବେଦନାରେ ଅଭିଭୂତ କରିଦେଲା । ଆମର ମନେ ହେଉଥିଲା, ନକୁଳା ଉପରେ ମାଡ଼ ସବୁ ଯେପରି ଆମରି ପିଠିରେ ପଡ଼ିଛି । ଅକାରଣରେ ଆମ ଆଖିରେ ମଧ୍ୟ ଲୁହ ଜମି ଆସୁଥିଲା । ବଇଷମ ଅବଧାନେ ଗମ୍ଭିରୀ ଭିତରକୁ ଉଠି ଯାଇଥିଲେ ।

 

କେତେ ସମୟ ପରେ ମୁଁ ଗମ୍ଭିରୀ ଦୁଆର ମୁହଁରେ ଠିଆ ହୋଇ କହିଲି....‘‘ଅବଧାନେ, ଏକ !’’

 

ଗମ୍ଭିରୀ ଭିତରୁ ବଇଷମ ଅବଧାନେ ଘାଘଡ଼ା କଣ୍ଠରେ ଉତ୍ତର ଦେଲେ.....‘‘ସେଇଠି ଛେପ ପକାଇ ଯା !’’

 

ଅର୍ଥାତ୍‌ ଛେପ ଶୁଖିବା ଆଗରୁ ଫେରି ଆସିବା ପାଇଁ ପଡ଼ିବ ।

 

ହତା ବାହାରକୁ ଆସି, ମୁଁ ସେଇ ଶିମିଳୀ ଗଛଆଡ଼େ ଦଉଡ଼ି ଗଲି । ନକୁଳାକୁ ଯେଉଁଦିନ ଅବଧାନେ ଘରୁ ବା ଚାଟଶାଳୀରୁ ତଡ଼ିଦିଅନ୍ତି, ସେଦିନମାନଙ୍କରେ ସେ ଏହି ଶିମିଳୀ ତଳେ ଆସି ଏକୁଟିଆ ବସେ । ସେଠାରେ ବସି ବସି ସେ ଅପେକ୍ଷା କରେ, ତାକୁ ସେଠାରୁ କିଏ ଆସି ହୁଏତ ଫେରାଇ ନେଇଯିବ । ତା’ ପରେ ହଠାତ୍‌ ସେ କେଉଁଆଡ଼େ ନିଖୋଜ ହୋଇଥାଏ, ଫେରେ ପୁଣି ପୁଣି ସାତ ଦିନ, ପନ୍ଦର ଦିନ ପରେ । ସେ ଏକୁଟିଆ ଶିମିଳୀ ମୂଳେ ବସିଲେ ଆମେ ବୁଝୁ, କେଉଁ ଅଜଣା ମୁଲକର ଡାକ ଆସି ପହଞ୍ଚିଗଲା ନକୁଳା ପାଇଁ । ଅନୁଶାସନର ପଞ୍ଜରା ଭାଙ୍ଗି ତା ସାଙ୍ଗରେ ଉଡ଼ିଯିବା ପାଇଁ ଆମ ଡେଣା ସବୁ ମଧ୍ୟ ଚଞ୍ଚଳ ହୋଇଉଠେ, ମାତ୍ର ସାହସ କୁଳାଏ ନାହିଁ ।

 

ଆଜି କିନ୍ତୁ ସେହି ଶିମିଳୀ ଗଛମୂଳକୁ ଆସିବା ବେଳକୁ, ନକୁଳା ସେଠାରେ ନଥିଲା !

 

ନକୁଳା ସେଇଦିନୁ ଆଉ ଗାଁକୁ ଫେରିନାହିଁ !

 

ବଇଷମ ଅବଧାନଙ୍କ ଠାରେ ହଠାତ୍‌ ଗୋଟାଏ ପରିବର୍ତ୍ତନ ଆମ ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲା । ସେ ପରିବର୍ତ୍ତନର ଅର୍ଥ ଆମେ କେହି ବୁଝି ପାରୁ ନଥିଲୁ । ସେଥିପାଇଁ ତାହା ଆମକୁ ଆଉରି ଅସ୍ୱସ୍ତିକର ଲାଗୁଥିଲା ।

 

ବଇଷମ ଅବଧାନେ ଆମକୁ ବାଡ଼େଇବା ହଠାତ୍‌ ଛାଡ଼ି ଦେଇଥିଲେ । ସେ ଦିନ ଅପର୍ତ୍ତିଆ ‘ଏକ’ କହି ଛେପ ପକାଇ ଯାଇଁ, ଆମ୍ୱ ଗଛରେ ଚଢ଼ି ଗୋଟାଏ ହଳଦୀବସନ୍ତ ଚଢ଼େଇଛୁଆ ଧରିଲା । ଆମେ ସବୁ ଈର୍ଷାରେ ଭାବିଲୁ ଏଥର ଅପର୍ତ୍ତିଆର ପିଠି ଫାଟିଲା । କିନ୍ତୁ ବଇଷମ ଅବଧାନେ, ଅପର୍ତ୍ତିଆ ହାତରୁ ଚଢ଼େଇ ଛୁଆଟି ଆଣି, ତାହାକୁ ନିଜ ହାତରେ ଦଣ୍ଡେ ଆଉଁଷିଲେ, ତା’ପରେ କହିଲେ, ଛୁଆଟିକୁ ବସାରେ ଛାଡ଼ି ଦେଇ ଆସିବା ପାଇଁ । ଅପର୍ତ୍ତିଆ ଗଛରେ ଚଢ଼ି ଛୁଆଟିକୁ ପୁଣି ବସାରେ ଛାଡ଼ିଦେଇ ଆସିଲା । ସେ ପର୍ଯ୍ୟନ୍ତ ବଇଷମ ଅବଧାନେ ଗଛମୂଳେ ଠିଆ ହୋଇ, ତାହା ଲକ୍ଷ୍ୟ କରି ଦେଖୁଥିଲେ । ଆମେ ଭାବିଲୁ, ଏଇଥର ଆସିଲା ଅପର୍ତ୍ତିଆର ପିଠି ଫାଟିବାର ପାଳି । ମାତ୍ର ବଇଷମ ଅବଧାନେ ଚାଟଶାଳୀ ଛୁଟି କରି ଦେଇ କହିଲେ.....‘‘ଯାଅ ରେ ପିଲେ, ଆଜି ଚାହାଳୀ ଛୁଟି ହେଲା !’’

 

ନକୁଳାବୋଉ ଖୁଡ଼ିକୁ କୁଆଡ଼େ କଣ ଶକ୍ତ ବେମାର ହୋଇଛି । ଗୋବିନ୍ଦୀଜେଜେଙ୍କ ପରି ଲୋକ, ନିଜ କଛା କାଟିନେଲେ ଯିଏ ଜାଣି ପାରନ୍ତି ନାହିଁ, ସେ ଯେତେବେଳେ ଖବର ପାଇଛନ୍ତି, ସେଥିରୁ ବେମାରୀ ଯେ ସାଙ୍ଘାତିକ, ସେ କଥା ଆମେ ସବୁ ଅନୁମାନ କରି ପାରୁଥିଲୁ । କିନ୍ତୁ ବଇଷମ ଅବଧାନଙ୍କ ମାଡ଼ ଛଡ଼ା ଅନ୍ୟ କୌଣସି ଯନ୍ତ୍ରଣା ଜୀବନରେ ଥାଇପାରେ, ସେ ଧାରଣା ଆମର ନଥିଲା କିମ୍ୱା ମୃତ୍ୟୁ କଣ ଆମେ ସେ ପର୍ଯ୍ୟନ୍ତ ଜାଣି ନଥିଲୁ । ସେଥିପାଇଁ ନକୁଳାବୋଉଖୁଡ଼ୀର ବେମାରୀ ଆମେ ବୁଝି ମଧ୍ୟ ବୁଝିପାରୁ ନଥିଲୁ !

 

ବଇଷମ ଅବଧାନେ ସେଦିନ ମଧ୍ୟ ରତରତିଆ ମୁହଁସଞ୍ଜରେ ଚଉପାଢ଼ୀ ଆଡ଼େ ବାହାରିଥିଲେ.....ମାତ୍ର ଦାଣ୍ଡରେ ଆମକୁ ସବୁ ଦେଖି ସୁଦ୍ଧା ସେ ଯେପରି ଦେଖିପାରୁ ନଥିଲେ । ତାଙ୍କ କାନ୍ଧ ଉପରୁ ଶୂନ୍ୟରେ ଗୋଡ଼ ହାତ ଛାଟିବା ପାଇଁ ଆମର ଦେହ ସବୁ ଧନୁ ପରି ଟଙ୍କାରି ଉଠୁଥିଲା । ମାତ୍ର ସେ ତଳକୁ ମୁଣ୍ଡ ନୁଆଇଁ ଅଜଣା ବାଟୋଇ ପରି ଦାଣ୍ଡେଦାଣ୍ଡେ ଚାଲି ଯାଉଥିଲେ-

 

ଗୋବିନ୍ଦୀଅଜା ଘାଘଡ଼ା କଣ୍ଠରେ କହି ଉଠିଲେ.....‘‘ବଇଷମ, ବୋହୂ ଦେହ ଆଜି କେମିତି ?’’

 

ବଇଷମ ଅବଧାନେ ଉତ୍ତର ଦେଲେ......‘‘ସବୁ ରାଧାଗୋବିନ୍ଦଙ୍କ ଇଚ୍ଛା !’’

 

ନକୁଳାବୋଉ ଖୁଡ଼ୀ ଆଣ୍ଠୁରେ ବାତ ପଡ଼ି ତାହା ପଚି ପଚି ଉପର ଆଡ଼କୁ ମାଡ଼ିବା ପାଇଁ ଆରମ୍ଭ କରିଥିଲା । ଯନ୍ତ୍ରଣାରେ ନକୁଳାବୋଉ–ଖୁଡ଼ୀର ଚିତ୍କାର ଆମେ ନିଶୁତି ରାତିରେ ବିଛଣାରେ ପଡ଼ି ଶୁଣି ପାରୁଥିଲୁ । ଆଉରି ମଧ୍ୟ ଶୁଣିପାରୁଥିଲୁ, ଜଗୁ ପଧାନ ଟୁଙ୍ଗୀରୁ ଖଞ୍ଜଣୀ ଟୁକୁରା ସହିତ ଭଜନ ପଦ.....‘‘ବାୟା ମନରେ କାୟା ରହିବ ନାଇଁ.......’’

 

ନକୁଳାବୋଉ ଖୁଡ଼ୀର ଆର୍ତ୍ତନାଦ ରାତିର ନିଶୃତିକୁ ଗୋଟାଏ ତୀକ୍ଷ୍‌ଣ ଶର ମୁନରେ ଫୁଟାଇ ଦେଇ ପୁଣି ଦଣ୍ଡକ ପାଇଁ ଥମିଥାଏ !

 

ଭାଗତ ଘର ପିଣ୍ଡାରେ ଉମା ପିଉସୀ ତା ବିଛଣାରେ ପଡ଼ି, ଯେତେବେଳେ ବିଳିବିଳେଇବା ପରି କହିଉଠେ.....‘‘ପାପ, ପାପ, ପାପର ଫଳ ଫଳିବ ନାଇଁ ?’’ ....ଆମେ ସେ କଥା ମଧ୍ୟ ଶୁଣିପାରୁ.... ।

 

ଆମେ ବିଛଣାରେ ପଡ଼ି ଏସବୁ ଦୁଃଶବ୍ଦରୁ ତ୍ରାହି ପାଇବା ପାଇଁ ଦୂରରେ ରେଲଗାଡ଼ିର ଶବ୍ଦ ଶୁଣିବାକୁ ଉତ୍‌କର୍ଣ୍ଣ ହୋଇଉଠୁ ।

 

ନକୁଳା କଥା ମନେ ପଡ଼େ.....ନକୁଳା ଆମଠାରୁ କେତେ ଦୂରରେ, ରେଳଗାଡ଼ିରେ ଚଢ଼ି, କେଉଁ ଅଜଣା ଦେଶ ଆଡ଼େ ମୁହାଁଇଥିବ କେଜାଣି ? ହୁଏତ କେଉଁ ଅଦେଖା ବଜାରର ଦୋକାନ ପିଣ୍ଡାରେ ଏତେବେଳକୁ କେଜାଣି ସେ ଶୋଇ ପଡ଼ିବଣି ! କିନ୍ତୁ ସେ କଣ ଶୁଣି ପାରୁଥିବ ଯନ୍ତ୍ରଣାରେ ତା’ ବୋଉର ଏ ଚିତ୍କାର !

 

ଆଉ ଦିନେ ଗୋବିନ୍ଦୀଜେଜେ ବଇଷମ ଅବଧାନଙ୍କୁ ଡାକି ବ୍ୟବସ୍ଥା ଦେଲେ......‘‘ସିଦବଟ ବାବାଜୀ ହୁକୁମ ଦଉଛନ୍ତି । ତାଙ୍କଠାରୁ କାଟପାଣି ଆଣି ବୋହୂ ଘାରେ ଲଗାଇ ଦିଅ, ଦିହ ଉଶ୍ୱାସ ହୋଇଯିବ ! କେତେ ଅସାଧ୍ୟ ବେମାରୀ ସେ ଭଲ କଲେଣି !’’ ବଇଷମ ଅବଧାନଙ୍କର ସେହି ଗୋଟିଏ ଉତ୍ତର—

 

‘‘ସବୁ ରାଧାଗୋବିନ୍ଦଙ୍କ ଇଚ୍ଛା !’’

 

ଉମା ପିଉସୀ ଗୁହାଳ ଦୋକନ୍ଦିରେ ଘଷି ତାଡ଼ୁଥିଲା । ଅବଧାନେ ଦାଣ୍ଡରେ ଚାଲିଯିବା ପରେ ସ୍ୱର ଲମ୍ୱାଇ କହିଲା......‘‘ଦିହରେ ତ ପୋକ ପଡ଼ିଲାଣି, ଆଉ ହୁକୁମ କାଟ ପାଣି ଶୁଣିବ ? ପାପ ! ପାପ ! ପାପର ଫଳ ଫଳିବ ନାଇଁ ? ପାପକୁ କୋଉ କାଟପାଣି କାଟିବ ?’’

 

ଉମା ପିଉସୀ ବିଧବା । କେଜାଣି କାହିଁକି ଏବେ ନକୁଳାବୋଉ-ଖୁଡ଼ୀର ଛାଇ ପଡ଼ିଲେ ତାର ନାହି ଡିଏଁ !

 

ଆମେ ସବୁ ଧୂଳିଘର ଗଢ଼ି ପୁଣି ସେସବୁ ଭାଙ୍ଗିବା ବେଳେ, ମନକୁ ମନ ପଚାରିଲୁ.....‘‘ପାପ କଣ ?’’

 

ସେ ଉତ୍ତର ଆମେ କେହି ଦେଇ ପାରିଲୁ ନାହିଁ !

 

କମଳା ଅପର୍ତ୍ତିଆ ସାଙ୍ଗରେ ମିଶି ଯେଉଁ ଧୂଳି ଘରଟା ଗଢ଼ିଥିଲା, ତା’ଉପରେ ଗୁହାଳ-ଫେରା ଗୋରୁଟାଏ ଚଢ଼ି ଭାଙ୍ଗିଦେଲା । ମୁଁ ପାଟିକରି ଉଠିଲି ‘‘ପାପ ! ପାପ ! ପାପର ଫଳ ଫଳିବ ନାଇଁ !’’

 

କେଜାଣି କାହିଁକି କମଳା ସହିତ ମୋର କଟୀ ! ମୁଁ ମନେ ମନେ ସବୁବେଳେ ତାକୁ ଈର୍ଷା କରେ !

 

କମଳା ଭେଁ ଭେଁ ରଡ଼ି ଛାଡ଼ି ଧୂଳିରେ ଗଡ଼ିଗଲା ।

 

ମୁଁ ତଥାପି ପାଟି କରି କହି କହୁଥିଲି......‘‘ପାପ ! ପାପ !’’

 

ନକୁଳାବୋଉଖୁଡ଼ୀର ଗୋଡ଼ ଆଡ଼ୁ ପଚି ସଢ଼ିଗଲାଣି । ସେଥିରେ ପୋକ ପଡ଼ିଲାଣି । ସାଇ ମାଇପେ, ଯେଉଁମାନେ ଜଣେ ଅଧେ, ତା’ ପାଖକୁ ଯାଉଥିଲେ, ଘା’ରେ ପୋକ ପଡ଼ିବା ଦିନୁ ଛୁଆଁ ତା’ଭୟରେ ଆଉ କେହି ତା’ ପାଖ ମାଡ଼ୁ ନାହାନ୍ତି । ସେଥିରେ ପୁଣି ଯେଉଁ ଦୁର୍ଗନ୍ଧ, କୁଆଡ଼େ ଓକାଳରେ ପେଟରୁ ଭାତ ବାହାରି ଆସିବ !

 

ଉମା ପିଉସୀର କିନ୍ତୁ ବିକାର ନାହିଁ । ସେଇ ଏକା ବେଳେବେଳେ ନକୁଳାବୋଉଖୁଡ଼ୀ ପାଖକୁ ଯାଇଁ ତାକୁ ଟୋପେ ଟୋପେ ପାଣି ଦେଉଛି । ଚା’ଶାଳୀ ପିଣ୍ଡାରୁ ଆମେ ସବୁ ବେଳେବେଳେ ଏକ, ଦୁଇ, ବାହାନାରେ ଯାଇଁ ଉଙ୍କି ମାରି ସେହି ଦୃଶ୍ୟ ଦେଖି ଆସୁଛୁ । ଉମା ପିଉସୀର ବଉଳ ନକୁଳାବୋଉ ଖୁଡ଼ୀ ! ସେ ସମ୍ପର୍କ ଅନେକ ଦିନର ।

 

ସେଦିନ ଛାଇନେଉଟା ବେଳ । ଅବଧାନେ ହାଟକୁ ଯାଇଛନ୍ତି କଦଳୀ ବିକି । ଚା’ଶାଳୀ ଛୁଟୀ । ଉମା ପିଉସୀ ପଛେପଛେ ମୁଁ ଆସିଲି ନକୁଳାବୋଉ ଖୁଡ଼ୀକୁ ଦେଖିବା ପାଇଁ । ସକାଳୁ ନକୁଳାବୋଉ ଖୁଡ଼ୀର କଣ୍ଠ ପଡ଼ିଯାଇଛି । ସେ ଆଉ ମଣିଷ ଚିହ୍ନୁନାଇଁ ।

 

ଭିତରେ ପଚା ଦୁର୍ଗନ୍ଧ । ପୃଥିବୀରେ ପୁଣି ଦୁର୍ଗନ୍ଧ ଅଛି ! ସେଇଦିନ ସେଇଠାରେ ପ୍ରଥମ ଥର ପାଇଁ ଅନୁଭବ କରିଥିଲି ମୁଁ ।

 

‘‘ସତ କହିଦେ ବଉଳ, ଜୀବ ଛାଡ଼ିଯିବ ! ଆଉ କେତେ କଷ୍ଟ ପାଇବୁ ?’’

 

ନକୁଳାବୋଉଖୁଡ଼ୀର ନାଭିଶ୍ୱାସ ଉଠିଥିଲା ।

 

ନକୁଳାବୋଉଖୁଡ଼ୀ ଗୋଟାଏ ଅଧାଲଙ୍ଗଳା କଙ୍କାଳ ପରି ମହଳ ବିଛଣା ଉପରେ ପଡ଼ି ରହିଥିଲା । କାଚଗୁଲି ପରି ତାର ଡୋଳା ଦୁଇଟା କେତେବେଳେ ଉମା ପିଉସୀ ଆଡ଼େ, ଆଉ କେତେବେଳେ କାନ୍ଥବାଡ଼ ଉପରେ ବୁଲି ବୁଲି କାହାକୁ ଯେପରି ଖୋଜି ହେଉଥିଲା । ଶୋଷରେ ପାଟି ତାହାର ଅଳ୍ପ ମେଲା ହୋଇ ଆସିଥିଲା ।

 

ଉମା ପିଉସୀ ନକୁଳାବୋଉଖୁଡ଼ୀ ପାଟିରେ ପାଣି ଟୋପାଏ ଢାଳି କହିଲା.....‘‘ଆଲୋ କହି ଦେ, କହି ଦେ, କଲା ପାପ କହି ଦେ, ଜୀବ ଛାଡ଼ିଯିବ ! ଆଉ କେତେ କଷ୍ଟ ପାଇଲୁ ?’’

 

ନକୁଳାବୋଉ ଖୁଡ଼ୀର ଶେତା ଆଖି ଡୋଳା ଦୁଇଟାରେ ଜୀବନର ଶେଷ ଦୀପଶିଖା ଯେପରି ହଠାତ୍‌ ଲମ୍ଫ ଦେଇ ଜଳି ଉଠିଲା ।

 

ନକୁଳାବୋଉ ଖୁଡ଼ୀ କ୍ଷୀଣ ଭଙ୍ଗା ଭଙ୍ଗା କଣ୍ଠରେ କହିଲା......‘‘ରାଜୁଆ ବାଉରୀ ସାଙ୍ଗରେ..... ।’’

 

ଏହି କଥାପଦକ କହିବା ପାଇଁ ସେ ଯେପରି ଏତେଦିନ ଯମଯନ୍ତ୍ରଣା ମୁହଁ ବୁଜି ସହି ଆସିଥିଲା । କଥା ଶେଷ ନ ହେଉଣୁ ନକୁଳାବୋଉ ଖୁଡ଼ୀ ଗୋଟାଏ ଅସ୍ଫୁଟ ଚିତ୍କାର କରି ବେକ ମୋଡ଼ି ଦେଲା ।

 

ତା’ ଜୀବ ଉଡ଼ିଗଲା ।

 

ସେଦିନ ରାତିରେ ଅବଧାନେ ତାଙ୍କ ରାଧାଗୋବିନ୍ଦ ପ୍ରତିମା ଧରି ଜଗୁପଧାନ ଟୁଙ୍ଗୀକୁ ଯାଇଁ କହିଲେ.....‘‘ପଧାନେ, ରାଧାଗୋବିନ୍ଦଙ୍କୁ ଏଣିକି ସମ୍ଭାଳ । ମଠ ହତାବାଡ଼ୀରୁ ଠାକୁରଙ୍କ ସେବା ଚଳାଇବ । ଦୋଳକୁ ରାଧାଗୋବିନ୍ଦଙ୍କ ଚାଚେରୀ ଯେମିତି ବନ୍ଦ ନହୁଏ ! ସେ ବାବଦକୁ ମଠ ହତାବାଡ଼ି ତୁମର । ନକୁଳା ତ ଆଉ ଫେରିଲା ନାହିଁ । ରାଧାଗୋବିନ୍ଦ ତୁମର ଭଲ କରିବେ !’’ ...ତା’ ପରଦିନ ସକାଳୁ ବଇଷମ ଅବଧାନେ ଆଉ ଗାଁରେ ନ ଥିଲେ କି ଗମ୍ଭୀରାରେ ତାଙ୍କ ରାଧାଗୋବିନ୍ଦ ପ୍ରତିମା ମଧ୍ୟ ନଥିଲେ ।

 

ରାଧାଗୋବିନ୍ଦଙ୍କ ଯୁଗଳ-ପ୍ରତିମାକୁ ଜଗୁ ପଧାନଙ୍କ ଟୁଙ୍ଗୀ ପିଣ୍ଡାରେ ରଖି ବଇଷମ ଅବଧାନେ ରାତିର ଅନ୍ଧାରରେ ସେଇ ଯେଉଁ ହଜିଗଲେ, ସେହି ଦିନୁ ତାଙ୍କୁ କେହି ପୀତେଇପୁର ଗାଁରେ ଆଉ ଖୋଜି ପାଇନାହାନ୍ତି, କିମ୍ୱା ସେ ଆଉ ଫେରିନାହାନ୍ତି ।

Image

 

ଶୂନ୍ୟ-ପଞ୍ଜୁରୀ

 

ରାଜୁଆବୋଉ ଆଈମା, ବାହାର ଖଞ୍ଜା ଗମ୍ଭିରୀ ପିଣ୍ଡାରେ କାନ୍ଥକୁ ଆଉଜି ଢଳାଉଛି.....ମେଞ୍ଚାଏ ଲୋଚାକୋଚା, ବୟସସିଝା କଳାଚମ.....କେତେଖଣ୍ଡ ନଳୀ ହାଡ଼ ଉପରେ ଢାଙ୍କି ହେଲେ ଯେପରି ଦିଶିବ, ରାଜୁଆ ବୋଉ-ଆଈମା ସେହିପରି ଦିଶୁଛି । ଫସଲ ଅମଳ ସରିଥିବା କିଆରୀରେ ବର୍ଷା ଆଉ କାକରଧୂଆ ଗତବର୍ଷର ପାଳଭୂତ—ପରି ।

 

ମାହାନ୍ତିଘର କୋଠଖଞ୍ଜା । ଦୁଆର ଅଗଣାରେ ବୈଶାଖମାସିଆ ଦି ପହର, ନିଶୂତି ରାତି ପରି ବିଞ୍ଚିହୋଇ ପଡ଼ିଛି । ଥୁଣ୍ଟା ସଜନାଗଛ ଡାଳରେ କାଉଟାଏ ବସି ଧକୋଉ ଥିଲା, ଏଇ ମାତ୍ର ଉଡ଼ି ପଳାଇଲା । ଥୁଣ୍ଟା ଡାଳଟା ଆଉରି ଥୁଣ୍ଟା ଦିଶୁଛି ।

 

ଭାଗତ ଘର ଯାଉଁଳି କବାଟଟା ଭିତରୁ ଅଳ୍ପ ମେଲି କୈଳାସ ଖଞ୍ଜା ଦୁଆର ଆଡ଼େ ଅତି ସନ୍ତର୍ପଣରେ ଉଙ୍କିମାରି ଅନେଇଲା ।

 

ରାଜୁଆ ବୋଉ-ଆଈମା ଆଖିରେ ତଥାପି ନିଦ ଆସି ନାହିଁ ପରା ! ତାର ଲଣ୍ଡାମୁଣ୍ଡଟି ତଳକୁ ଝୁଙ୍କୁଛି ପୁଣି ଉପରକୁ ଉଠୁଛି । ପାଟିରୁ ଲାଳର ଗୋଟିଏ ଧାର କୋଳ ଉପରେ ମେଲା ହୋଇ ପଡ଼ିଥିବା ନୃସିଂହ-ପୁରାଣ ବହି ଉପରକୁ ଧୀରେଧୀରେ ବୋହି ଆସୁଛି ! ଟିଣଫ୍ରେମବନ୍ଧା ଚଷମାଟି ନାକ ଦଣ୍ଡାରୁ ନାକ ଅଗ ଉପରକୁ ଖସି ଆସିଲାଣି । ବୁଢ଼ୀଠାରୁ ଅଳ୍ପଛଡ଼ାରେ ଗୋଟିଏ ପିତଳ ଗରା ଉପରେ ଆଉ ଗୋଟିଏ ଗରା ଦୀର୍ଘରୈଖିକ ଭାବରେ ସଜ୍ଜିତ ହୋଇରହିଛି । ସେ ଗରା ଦୁଇଟି ସୁଦ୍ଧା ଯେପରି ନିଦରେ ଢୁଳାଇ ପଡ଼ିଛି । ଛାଇ ଲେଉଟିଲେ, ରାଜୁଆବୋଉ ଆଈମା ଗୋଟିଏ ଗରା କାଖେଇ ଆର ଗରାଟି ମୁଣ୍ଡ ଉପରେ ରଖି, ବ୍ରାହ୍ମଣ-ସାଈ କୂଅକୁ ବାହାରିବ, ପାଣି ଆଣିବା ପାଇଁ....ସକାଳେ ଦୁଇ ଗରା, ସଞ୍ଜରେ ଦୁଇଗରା ପାଣି ନଆଣିଲେ, ଖରାବେଳେ ନୃସିଂହପୁରାଣ ବହି ଉପରେ ପରସ୍ତେ ନ ଢୁଳାଇଲେ, ପୁଣି ବୋହୂ ଅଥବା ଖଞ୍ଜା ପିଲାଙ୍କ ସଙ୍ଗରେ ଅହେତୁକ କଳିରେ ପହଡ଼େ ଚିତ୍କାର ନକଲେ, ବୁଢ଼ୀର ଦିନଟା ଫାଙ୍କା ଫାଙ୍କା ମନେହୁଏ ।

 

ରାଜୁଦାଦି କଲିକତାରେ କେଉଁଠି ଚପରାଶୀ କାମ କରେ; କିନ୍ତୁ ଗାଁରେ ପ୍ରଚାର, ରାଜୁଆଦି କୋଉ ସରକାରୀ ସିରସ୍ତାରେ ଅମଲା ! ମାସକୁ ମାସ ପହିଲା କାବାର ହେଲେ, ସେ ନିୟମିତ ଭାବରେ ଦଶଟଙ୍କା ମନିଅର୍ଡ଼ରରେ ପଠାଏ ଖୁଡ଼ୀ ପାଖକୁ, ଆଉ ତିନିଟଙ୍କା ରାଜୁଆବୋଉ-ଆଈମା ପାଖକୁ, ଅଫିମ ଖର୍ଚ୍ଚ ପାଇଁ । ବୁଢ଼ୀର ସେ ପଇସାରେ, ବୋହୂ ବେଳେ ବେଳେ ହାତ ଲଗାଉଥିବା ଅନୁମାନରେ, ମାହାନ୍ତିଘର କୋଠଖଞ୍ଜାରେ ଅଧିକାଂଶ ଦିନ ଲାଗିଥାଏ ଶାଶୁବୋହୂ କଳି । ଅନ୍ୟ ଶାଶୁ ବୋହୂମାନେ ସେ କଳି ଦେଖନ୍ତି, ଉପଭୋଗ କରନ୍ତି, ସେଥିରେ ଉଷ୍‌କାଣ ଦିଅନ୍ତି । କଳି ପୁଣି ଆପେ ଆପେ ଥମିଯାଏ ।

 

ରାଜୁଆବୋଉ ଆଈମା, ଯାହାର ଆଖିରେ ଛଞ୍ଚାଣର ଦୃଷ୍ଟି, କାନ ଦୁଇଟା ଯାହାର ଅତି ପତଳା, ରାତିରେ ମୂଷାଟିଏ କେଉଁ ଓଳିଆ ସନ୍ଧିରେ ଚାଲିଲେ, ଯିଏ ଶୁଣିପାରେ, ସେ ଏପର୍ଯ୍ୟନ୍ତ ତଥାପି ଶୋଇ ନାହିଁ । କୈଳାସ କବାଟଟା ପୁଣି ଆଉଜାଇ ଦେଇ, ଭାଗତ ଘରେ ତେଲଚିକିଟା ସଉପ ଉପରେ ଗଡ଼ିପଡ଼ିଲା ।

 

ବୈଶାଖ-ମାସିଆ ବୁଢ଼ୀପୋଡ଼ା ଖରାବେଳ । ବାହାରେ ଝାଞ୍ଜିପିଟୁଛି । ବାଡ଼ିପଟ ତାଳଗଛରେ ବାଉଙ୍ଗା ସବୁ ପବନରେ ଯେପରି ଢୋଲ ପିଟୁଛି । ବାଉଁଶ ବଣରେ ବାଉଁଶଗଛ ସବୁ ଘଷାଘଷି ହୋଇ ମହୁରୀ ଫୁଙ୍କୁଛି । ଆଉ ଦୂର ଆମ୍ୱତୋଟାରେ ଝାଞ୍ଜି ପବନ ଯେପରି ମେଘ ଗର୍ଜାଉଛି । ଭାଗତ ଘରର ଛାଇ ଢଙ୍କା ଶୀତଳ ଅନ୍ଧାର ଭିତରେ, ଅନ୍ୟଦିନମାନଙ୍କରେ ଆପେ ଆପେ ଅମାନିଆଁ ଆଖି ଦୁଇଟା ନିଦରେ ମୁଦି ହୋଇଆସେ । ସେ ଦିନମାନଙ୍କରେ ଅବଶ୍ୟ ଥାଏ ବଇ ଅବଧାନଙ୍କ ଅର୍ଦ୍ଦାଳୁଆ ବିଧା ଚଟକଣାର ଆତଙ୍କ । ମାହାନ୍ତିସାଇ କୋଠଖଞ୍ଜାର ପିଲାମାନଙ୍କ ପିଠି ଉପରେ ତାଙ୍କର ଆଧିପତ୍ୟ ଯେପରି ଅନାପେକ୍ଷିକ, ସେହିପରି ମଧ୍ୟ ପ୍ରଚଣ୍ଡ ! ଏଇ ଖଞ୍ଜାର ପୁରୁଷମାନେ ସମସ୍ତେ ବିଦେଶୀ । ଜମାଦାରଠାରୁ ଚପରାସୀ, ପିଆଦା, ଗୁମାସ୍ତା, ଅମୀନ ପ୍ରଭୃତି ନାନା ସାମାନ୍ୟ ଚାକିରୀରେ । ତେଣୁ ପରିବାରମାନଙ୍କୁ ସଙ୍ଗରେ ଧରି ବିଦେଶରେ ରହିବା ସେମାନଙ୍କ ପକ୍ଷରେ ସମ୍ଭବ ହୁଏନାହିଁ । ଖଞ୍ଜା ଭିତରେ ଗୋବିନ୍ଦ ମାହାନ୍ତି ଏକମାତ୍ର ପୁରୁଷ ମୁରବୀ-। ମାତ୍ର ବୟସ ତାଙ୍କୁ ଷାଠିଏ ଡେଇଁଲାଣି, ସେଥିରେ ପୁଣି କାନକୁ ଆଉ ଶୁଭୁନାହିଁ-। ଏଇ....ଦାଣ୍ଡଘରୁ ତାଙ୍କ ପାନଛେଚାର ଖୁଟ୍‌ଖାଟ୍‍ ଶବ୍ଦ ଶୁଭୁଛି ।

 

ଖଞ୍ଜାପିଲାଏ ଜାଣନ୍ତି, ଗୋବିନ୍ଦୀଜେଜେ ଏକ ନିର୍ବିଷ ସର୍ପ । ଫୁତ୍କାର ଅଛି, ମାତ୍ର ଆଘାତ ନାହିଁ । ସଭ୍ୟ, ଅସଭ୍ୟ ଭାଷାରେ ସେ ଗୁଡ଼ାଏ ଶୋଧି ପାରନ୍ତି; ମାତ୍ର କେଉଁ ପିଲାଟାକୁ ଗୋଡ଼ାଇ ଧରି, ତା ପିଠିରେ ବିଧାଟାଏ କି ଗାଲରେ ଖୁନ୍ଦାଟାଏ ପକାଇବା ପାଇଁ ତାଙ୍କର ଶକ୍ତି ନଥିବା ସମସ୍ତେ ଜାଣନ୍ତି ।

 

ବଇ ଅବଧାନଙ୍କ ପାଖରେ ପ୍ରତ୍ୟହ ତେଣୁ ତାଙ୍କର ଅଭିଯୋଗ.....ପିଲାଗୁଡ଼ାଙ୍କୁ ତ ପିଟୁ ନାହିଁ ଅବଧାନେ, ଆଉ ପଢ଼ାଉଛ କଣ ? ସେଇ କଇଆକୁ ଭଲ କରି ଦି ଛାଟ ପକାଅ ! ସେଇଟା ଏ ଖଞ୍ଜାପିଲାଙ୍କୁ ବାଳୁଙ୍ଗା କରି ସାରିଲାଣି !’

 

ଗୋବିନ୍ଦମାହାନ୍ତି ବୁଢ଼ାଙ୍କୁ ତୁଷ୍ଟ କରିବା ପାଇଁ ସେଦିନ ବଇ ଅବଧାନେ କୈଳାସ ପିଠି ଉପରେ ବିଧା ଚାପୁଡ଼ା ଦୁଇଟା ଅଧିକା ଲଦି ଦିଅନ୍ତି ।

 

ସେଇ ବଇ ଅବଧାନେ କାଲିଠୁ ନାହାନ୍ତି, ଗାଈ ଖୋଜୁଛନ୍ତି ।

 

କୈଳାସ ଭାଗତ-ଗୋସେଇଁଙ୍କ ପାଖରେ ତିନିଥର ମୁଣ୍ଡିଆ ପକାଇ ମନାସ ଯାଚିଲା....ଠାକୁରେ ବଇ ଅବଧାନଙ୍କ ଗାଈଟା ନମିଳୁ । ଅବଧାନେ ଗାଁକୁ ଆଉ ଜମା ନଫେରନ୍ତୁ, ଘିଅ ସଞ୍ଜ ଦେବି ।

 

ମାହାନ୍ତିଘର ଖଞ୍ଜାର ଅନେକ ମନାସ ଘିଅ ସଞ୍ଜ ପାଇ ଭାଗତ ଗୋସେଇଁ ପୂର୍ଣ୍ଣ କରିଥାନ୍ତି ।

 

ଏଇ ଗାଦିରେ ଅଛନ୍ତି ଗୋବିନ୍ଦୀ ଜେଜେଙ୍କ ବାପା ଆନନ୍ଦ ମାହାନ୍ତିଙ୍କ ହାତଲେଖା ସାରଳା ଭାରତ-ପୋଥି । ଗୋବିନ୍ଦୀ ଜେଜେ ପ୍ରତି କଥାରେ ଆନନ୍ଦ ମାହାନ୍ତିଙ୍କ ପୋଥି ଲେଖାର ଉଲ୍ଲେଖ କରି ଅବଶୋଷ କରିଥାନ୍ତି.....‘ଆନନ୍ଦ ମହାନ୍ତି ଢିଅରେ ଏ ପିଲେ ଶଳେ ଗଜମୂର୍ଖ ହେଲେ ହୋ !’

 

ଭାଗତ ଗୋସେଇଁ ଖଣ୍ଡେ ନାଲି କରିଆ ଘୋଡ଼େଇ ଅତୀତର ବହୁ ଚନ୍ଦନ ଛିଟାରେ ଚର୍ଚ୍ଚିତ ହୋଇ, କନିଅର ଆଉ ମଧୁମାଳତୀ ଫୁଲ କେତେଟା ମୁଣ୍ଡ ଉପରେ ଲଦି ମାହାନ୍ତି ଘରର ଜାଗ୍ରତ କୁଳଦେବତା ପରି ବସିଛନ୍ତି । ମାତ୍ର ଉଇପଲ ଭିତରେ ଭିତରେ ଉଠି ଗୋସେଇଁଙ୍କୁ ଅଧେ ଚରି ସାରିଲେଣି । ଦଶରାକୁ ଲେଖନ ବସିଲାଦିନ ଗାଦି ଦେହରୁ ଉଇଖିଆ ତାଳପତ୍ରମାନ ଝଡ଼ାପୋଛା ହେବେ । ତା ଆଗରୁ ତାଙ୍କୁ ଛୁଇଁବ କିଏ ?

 

ଭାଗତ ଗାଦି ସାମନାରେ ତେଲଚିକିଟା ଦୀପରୁଖା ଉପରେ, ନିଭା ଦୀପଟି ମେଞ୍ଚାଏ ଅନ୍ଧାର ପରି ଦିଶୁଛି । ଦାମାନା କଅଁଳ ଗାଧୁଆବେଳେ ଭାଗତ ଗୋସେଇଁଙ୍କ ଉଦ୍ଦେଶ୍ୟରେ ପିତଳ ଥାଳିଆରେ, କେତେଟି ସେମଟାଖଇ ଉଖୁଡ଼ାରେ ମଧୁମାଳତୀ ଫୁଲ ପାଖୁଡ଼ା ମିଶାଇ, ଅନୁନାସିକ ସ୍ୱରରେ ମନ୍ତ୍ର ବୋଲି ଯେଉଁ ନୈବିଦ୍ୟ ଲଗାଇଥିଲେ, ତାହା ବୋହି ନେବାପାଇଁ କଳା ପିମ୍ପୁଡ଼ି ଧାରଟିଏ କାନ୍ଥ ଦେହରୁ ଓହ୍ଲାଇ ସେହିଆଡ଼େ ଚାଲିଛନ୍ତି !

 

କୈଳାସ ଆଉ ଥରେ ଭାଗତ ଗୋସାଇଁଙ୍କ ଉଦ୍ଦେଶ୍ୟରେ ମାଟିରେ ମୁଣ୍ଡ ଲଗାଇ ମନାସ ଯାଚିଲା ।

 

ବଇ ଅବଧାନେ କାଲିଠୁ ଗାଁରେ ନାହାନ୍ତି ! ଚାଶାଳୀ ନାଁକୁ ଚାଲୁଛି ଜାଣ ! ଗୋବିନ୍ଦୀ ଜେଜେଙ୍କ ଡରରେ ପିଲାଏ ଅବଶ୍ୟ ବଇ ଅବଧାନଙ୍କ ଚାଶାଳୀକୁ ଆସୁଛନ୍ତି । ମାତ୍ର ସୋରେ ଅ, ସୋରେ ଆ, ଅଥବା ଦୁଇ ଚୋ ଆଠ ପଣ ପ୍ରଭୃତିର ମିଳିତ ଐକ୍ୟତାନ ଆରମ୍ଭ ହେବା ପୂର୍ବରୁ, କିଏ କାହା ଜାଗାରେ ବସି ପଡ଼ିଲା, କିଏ କାହାକୁ ଖୁନ୍ଦାଏ ପକାଇଲା, ଅଥବା ପୁଳାଏ ଚିମୁଟି ଦେଲା, ପ୍ରଭୃତି କାରଣରୁ ଆହତ ପକ୍ଷମାନଙ୍କର କାନ୍ଦଣା, ଦେଖଣାହାରୀମାନଙ୍କର ଖିଲି ଖିଲି ହସ, ବିବଦମାନ ପକ୍ଷମାନଙ୍କର ଚିତ୍କାର ଓ ମାମଲତକାରମାନଙ୍କର ଉଷ୍‌କାଣ ସବୁ ମିଶି ଏକ ପ୍ରଚଣ୍ଡ କୋଳାହଳ ମଧ୍ୟରେ ଏକାକାର ହୋଇ ଯାଇଛି !

 

ବଡ଼ଚାଟ ନିଧିଆଇ....ବଇ ଅବଧାନଙ୍କ ଅନୁପସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ତାର । ବର୍ଣ୍ଣବୋଧ ଶେଷ କରି ସେ ଶିଶୁବୋଧ ପାଠ ପଢ଼ିଲାଣି । ମାତ୍ର ଡାଳମାଙ୍କୁଡ଼ି ଖେଳରେ ଡାଳେ ଡାଳେ କୁଦା ମାରୁ ମାରୁ ତାକୁ ବେଳ ଅଣ୍ଟେ ନାହିଁ । କୈଳାସ ପ୍ରତି ବଡ଼ ଚାଟଙ୍କ ଆଦେଶ....‘‘ଠାକୁରାଣୀ ଆମ୍ୱତୋଟାରେ ଯା ଜଗିଥିବୁ କଇଆ, ଅବଧାନଙ୍କ ଆସିବା ଦେଖିଲେ ଧଉଡ଼ି ଆସି ଆମକୁ ଖବର ଦେବୁ । ନଇଲେ ପିଠି ଫାଟିବ ଜାଣିଥା । ଆମେ ଡାଳମାଙ୍କୁଡ଼ି ଖେଳୁଚୁ !’’

 

ଏ କାର୍ଯ୍ୟଟି ମନ୍ଦ ନୁହେଁ । ଠାକୁରାଣୀ ଆମ୍ୱତୋଟାରେ ଏତେ ପାଚିଲା ଆମ୍ୱ ଝଡ଼ିବା ପାଇଁ ଆରମ୍ଭ କଲାଣି ! କୈଳାସର ସାରା ସକାଳର ଆଜି ସେହି ଆମ୍ୱ ତୋଟାରେ ବଣି ଚରେଇବାରେ ବିତିଛି ।

 

ବଣି ଚଢ଼େଇର ଗୋଟାଏ ନଳୀଗୋଡ଼ରେ କନା ଧଡ଼ିଟିଏ ବାନ୍ଧି, ଝିଣ୍ଟିକା ଚରିବା ପାଇଁ କୈଳାସ ତାକୁ ଛାଡ଼ି ଦେଇଛି । ଗୋଟାଏ ହାତରେ କନାଧଡ଼ିଟି ଧରି, କୈଳାସ ଆର ହାତରେ ମୁଠାଏ ଖଜୁରୀ ପିଞ୍ଛା ଧରି ଘାସ ବାଡ଼ାଉଛି ! ନେଳି ନେଳି ଝିଣ୍ଟିକା ସବୁ ଘାସ ଭିତରକୁ ନିଦୁଆ ଅନ୍ଧାର ଭିତରୁ କୁଦାମାରି ଉପରକୁ ଡେଇଁ ପଡ଼ିବାବେଳେ, ବଣି ଚଢ଼େଇଟି ଖଣ୍ଡିଉଡ଼ା ମାରି ଝିଣ୍ଟିକାଗୁଡ଼ାକୁ ଟପାଟପ୍‌ ଗିଳି ଦେଉଛି ।

 

ଜଇଆ ବହୁ ଲାଞ୍ଚ ନେବା ପରେ ଦିନେ ଧରିଆଣି ଦେଇଥିଲା ଏଇ ନଡ଼ିଆବଣି । ଏ ବଣି କୁଆଡ଼େ କଥା କହିବ ! ପୁଣି ଏହିପରି ଚରାଇଲେ କୁଆଡ଼େ ସେ ଆପେ ଆପେ ପୋଷା ମାନିଯିବ । ତା’ପରେ ତାକୁ ପିଞ୍ଜରାରେ ରଖିବା ଆଉ ଆବଶ୍ୟକ ପଡ଼ିବ ନାହିଁ । ହାତ ମୁଠା ଭିତରକୁ ନେଳି ଆକାଶରୁ ଚେନାଏ ଖସି ପଡ଼ିବା ପରି, ସେ ଆପଣା ଛାଏଁ ଉଡ଼ି ଆସିବ ପିଞ୍ଜରା ଭିତରକୁ ।

 

ସକାଳଟା କେତେବେଳେ କଟି, କଅଁଳ ଗାଧୁଆବେଳ ଗଡ଼ିଯିବାକୁ ବସିଥିଲା । କୈଳାସକୁ ତାହା ଜଣା ନ ଥିଲା । ଏହି ସମୟରେ କେତେବେଳେ ଜଇଆ ବାଉରୀ ପୁଅ କୈଳାସର ସମବୟସୀ ନାଣ୍ଡିଆ, ମୁଣ୍ଡରେ ଘାସ ବୋଝେ ରଖି, ପିଳେହୀ ପେଟଟି କାଢ଼ି, ଗୋଟାଏ ସାଉଣ୍ଟା ଆମ୍ୱ ଚୁଚୁମି ଚୁଚୁମି ଅଦୂରରେ ଠିଆ ହୋଇ, କୈଳାସର ବଣିଚରା ଦେଖୁଥିଲା ।

 

କେତେ ସମୟ ପରେ ନଣ୍ଡା ଡାକିଲା.......‘ବାବୁ !’

 

କୈଳାସ ହଠାତ୍‌ ଚମକି ପଡ଼ି ନଣ୍ଡାକୁ ଦେଖି ପଚାରିଲା.......‘ଅବଧାନେ ଆଉଚନ୍ତି କିରେ ?’

 

ନଣ୍ଡା ଟାକୁଆଟା ଦାନ୍ତରେ ରେଣ୍ଟି ରେଣ୍ଟି କହିଲା....‘ନାଇଁ ମ ତମ ଅବଧାନେ ତ ନଈ ସେପାରି ଶିଦୋଳ ଯାଇଛନ୍ତି ଗୋରୁ ଖୋଜି ।’

 

ଶିଦୋଳ, କେଉଁଠି, କେତେ ଦୂରରେ, ସେ ସବୁଥିରେ ମୁଣ୍ଡ ଖେଳେଇବାର କୌଣସି ଆବଶ୍ୟକତା ନଥିଲା । ଅବଧାନେ ଯେ ଏଇ ପାଖରେ କେଉଁଠି, ନିକଟରେ ଆସୁ ନାହାନ୍ତି, ‘ବାଘ’ ନାମରେ ପରିଚିତ ସେଇ ଡେଙ୍ଗା, ନହଙ୍କିଆ, ରୋଗିଣା, ପାତଳା ମଣିଷଟି, ଲଣ୍ଡା ମୁଣ୍ଡରୁ ଚୁଟିଟିଏ ନଚାଇ, ବେକରେ ଚାରିସାର ତୁଳସୀ ମାଳୀ ଝୁଲାଇ, ନାକଠାରୁ କପାଳ ପର୍ଯ୍ୟନ୍ତ ଚିତାଟିଏ କାଟି ହାଡ଼ୁଆ ମୁହଁର କୋରଡ଼ ଆଖି ଦୁଇଟିରେ ଗଞ୍ଜେଇ ରଙ୍ଗା ରଡ଼ନିଆଁ ଜାଳି, ଲମ୍ୱା ଲମ୍ୱା ପାହୁଲ ପକାଇ ଚାଶାଳୀ ଆଡ଼େ ଯେ ଏବେ ଫେରୁ ନାହାନ୍ତି, ସେତିକି ଆଶ୍ୱାସନା ଆମ ପାଇଁ ଯଥେଷ୍ଟ !

 

କୈଳାସ ପୁଣି ବଣି ଚରାଇବାରେ ମନଦେଲା ।

 

ନଣ୍ଡା ଅକାରଣରେ ଖିଲି ଖିଲି ହସି ପୁଣି ଡାକିଲା......‘ବାବୁ’ !

 

କୈଳାସ ପଚାରିଲା.....‘ସେମିତି ହସୁଚୁ କାଇଁକିରେ ନଣ୍ଡା ?

 

ନଣ୍ଡା ବିଶେଷଜ୍ଞସୁଲଭ କଣ୍ଠରେ କହିଲା......‘ତମେ ବଣି ଚରେଇର ପାଦରେ ସେମିତି ଦଉରୀ ବାନ୍ଧି ତାକୁ ଗାଈ ବାଛୁରୀ ପରି ଚରୋଉଚ କଣ ବା ?’

 

କୈଳାସ କହିଲା.....‘ବଣି ଚଢ଼େଇକୁ ସେମିତି ଚରାଇଲେ ସେ ପୋଷା ମାନିଯିବ । ସତେ ବିଦ୍ୟାରାଣ ! ଏଇ ଦେଖ, ମୋ ଚଢ଼େଇ କେତେ ପୋଷା ମାନିଲାଣି ଆ—ଆଃ......’

 

କୈଳାସ ବଣି ଚଢ଼େଇକୁ ଧନମାଳୀ ନାଁ ଧରି କେତେ ଆଦରରେ ଡାକିଲା । ମାତ୍ର ବଣି ଚଢ଼େଇଟି କୈଳାସ ପାଖକୁ ଆସିବା ପରିବର୍ତ୍ତେ, ଡେଣା ଫଡ଼ ଫଡ଼ କରି ପାଖର ଗୋଟାଏ କଣ୍ଟାବୁଦା ଆଡ଼କୁ ଖଣ୍ଡିଉଡ଼ା ଦେଇ ଉଡ଼ିଯିବାକୁ ଚେଷ୍ଟା କରୁଥିଲା ।

 

ନଣ୍ଡା ଟାକୁଆଟା ଫିଙ୍ଗିଦେଇ, ପୁଣି ଖିଲି ଖିଲି ହସି କହିଲା....‘ଚରେଇ କଣ ସେମିତି ପୋଷା ମାନନ୍ତି ?’

 

କୈଳାସ ଅପ୍ରତିଭ କଣ୍ଠରେ ପଚାରିଲା.....‘‘ଆଉ କିପରି ?’’

 

ନଣ୍ଡା କହିଲା....‘‘ଚଢ଼େଇକୁ ଅଫିମ ଟିକିଏ ଟିକିଏ ନିତ୍ୟାନି ଦେଲେ ନା, ସିଏ ବସ କଇଲେ ବସିବ, ଉଡ଼ କଇଲେ ଉଡ଼ିବ । ଆଖି ଛୁଉଁଚି, ଜାଗୁଳେଇ ରାଣ, ମାମୁଁ ଘରେ, ଘନିଆର ଗୋଟାଏ ବଣି ଚଢ଼େଇଙ୍କୁ ଅଫିମ ଖୁଆଇ ଏମିତି ପୋଷା ମନାଇଚି ଯେ, ଚରେଇ ତା ଇଚ୍ଛାରେ ଉଡ଼ୁଥାଏ, ଫେଣେ ପଞ୍ଜରି ଭିତରକୁ ତା’ ଇଚ୍ଛାରେ ଉଡ଼ିଆସେ ବିଦ୍ୟାରାଣ.... !’’

 

ନଣ୍ଡାଠାରୁ ସେହିକଥା ଆଉରି ଭଲଭାବରେ ବୁଝିବା ପାଇଁ କୈଳାସର ଇଚ୍ଛା ଥିଲା । ମାତ୍ର କାଣ୍ଡୀ ସାଇ ଆଡ଼ୁ ନଣ୍ଡା ଉଦ୍ଦେଶ୍ୟରେ କୁହାଟର ଲହରୀ ଭାସିଆସୁଥିଲା....‘ନଣ୍ଡାରେ, ନ—ଣ୍ଡା—ଆ—’

 

‘ହେଇତି ବୋଉ ଡାକିଲାଣି’ କହି ନଣ୍ଡା ସେଠୁ ଗୋଟାଏ ଦଉଡ଼ାରେ ସାଇ ଆଡ଼େ ଧାଇଁ ପଳାଇଲା ।

 

ରାଜୁଆବୋଉ ଆଈମାକୁ ନିଦ ଲାଗିଗଲାଣି ପରା ! ତା’ ମୁଣ୍ଡଟି ଅଧଲଙ୍ଗଳା ଛାତି ଉପରକୁ ଝୁଙ୍କିପଡ଼ି ଗୋଟିଏ ସ୍ଥାନରେ ନିଶ୍ଚଳ ହୋଇ ଅଟକି ରହି ଯାଇଛି ।

 

ଗମ୍ଭିରୀ ଭିତରେ ଓଳିଆ ଭାଡ଼ି ଉପରେ, ଯେଉଁଠି ରାଜୁଆବୋଉ ଆଈମା ଅଫିମ କରାଟଟି ଦୁଇଟି ଓଳିଆ ସନ୍ଧିରେ ଲୁଚାଇ ରଖେ, ତାହା କୈଳାସକୁ ଜଣା । ଦିନେ ଦିନେ ଅଫିମ-କରାଟଟି ସେଇଠାରୁ ଆଣି ଦେବାପାଇଁ କୈଳାସକୁ ନେହୁରା ହୋଇ ରାଜୁଆବୋଉ ଆଈମା କଣ୍ଠ କଅଁଳେଇ କହିଲେ......‘କଇରେ, ମୋ ସୁନାଟା ପରା ! ଚାନ୍ଦଟା ପରା ! ସେଇ ଓଳିଆ ସନ୍ଧିରେ ଅମଳ କରାଟଟା ଖୋଜିଆଣିଲୁ । ବୁଢ଼ୀ ମଣିଷ ମୁଁ ଉଠିପାରୁ ନାଇଁ !’

 

କରାଟ ରହିବାର ସେ ଥାନଟା କୈଳାସ ଭଲଭାବରେ ଚିହ୍ନିଛି ଅନ୍ଧାରରେ ସୁଦ୍ଧା ଅଫିମ କରାଟଟି ସେଠୁ ସେ ଖୋଜି ବାହାର କରିପାରେ ।

 

କୈଳାସ ଭାଗତ ଘର କବାଟ ଖୋଲି ପିଣ୍ଡାକୁ ଆସିଲା । ତଳ ଖଞ୍ଜାରେ ଖଞ୍ଜାଟା ଯାକର ବୋହୂ ଭୁଆଷୁଣୀଙ୍କ କରୁଳା ହସ ଆଉ କଉତୁକ ଖେଳର ଡାକ ଶୁଭୁଚି । ଆର ସାଇର କେତକୀ ଅପା ବାପଘରକୁ ପହିଲିଥର ଆସିଛି । ସାଇ ମାଇପିଙ୍କ ସବୁ ଭିଡ଼ ସେଇଠି ।

 

କୈଳାସ ଅତି ସନ୍ତର୍ପଣରେ ପାଦ ଚିପି ଚିପି ଗମ୍ଭୀରୀ ଭିତରକୁ ପଶିଗଲା । ତା’ ପରେ କରାଟ ଭିତରୁ ଅଫିମ ଟିକିଏ ଗୋଟାଏ ପାନ ଶିରାରେ କାଢ଼ି ବାଡ଼ିପଟ ଢିଙ୍କିଚାଳୀ ଆଡ଼େ ଚିଲ ପରି ଛୁଟି ପଳାଇଲା । କୈଳାସର ପାଦଶବ୍ଦରେ ରାଜୁଆ ବୋଉ ଆଈମାର ଢୁଳ ହଠାତ୍‌ ଭାଙ୍ଗିଗଲା । ବେଙ୍ଗ ବୋବାଇବା ପରି ଘାଘଡ଼ା କଣ୍ଠରେ ସେ ବିଳିବିଳେଇ ଉଠିଲା.....‘କିଏ ସେ .....କିଏ ?’

 

ମାତ୍ର ଆଖି ମେଲି କାହାକୁ କେଉଁଆଡ଼େ ନ ଦେଖି ସେ ପୁଣି ପୂର୍ବପରି ଢୁଳାଇବାକୁ ଲାଗିଲା ।

 

ପଞ୍ଜୁରୀ-ଦୁଆର ମେଲା !

 

ଢିଙ୍କି ଚାଳିରେ ଝୁଲୁଥିବା ପଞ୍ଜୁରୀରେ ବଣି ଚଢ଼େଇଟିକୁ ନ ଦେଖି କୈଳାସରୁ ପାଦତଳୁ ମାଟି ଯେପରି ହଠାତ୍‌ କେଉଁ ରସାନ୍ତଳ ଭିତରକୁ ଧସି ପଡ଼ିଲା । ଖୋଲାପଞ୍ଜୁରୀରୁ ବଣିଚଢ଼େଇଟି କେଉଁଆଡ଼େ ଉଡ଼ିଯାଇଥିଲା ।

 

କୈଳାସର ମନେ ପଡ଼ିଲା, ବଣି ଚଢ଼େଇକୁ ଦୁଧଭାତ ଦେବାବେଳେ ପଞ୍ଜୁରୀ କବାଟ ବନ୍ଦ କରିବା ପାଇଁ ସେ ଭୁଲି ଯାଇଥିଲା ।

 

କୈଳାସ ପାଗଳ ପରି ଚିତ୍କାର କରି ଉଠିଲା....ଆ.....ଆ....ଧନମଣି....ଆ.....

 

ବୈଶାଖ ମଧ୍ୟାହ୍ନର ଝଞ୍ଜାପବନ ଭିତରେ, କୈଳାସର ଡାକ କେଉଁଆଡ଼େ ମିଳାଇଗଲା-। କୈଳାସ ତାପରେ ପାଗଳ ପରି ଧାଇଁ ପଲାଇଲା, ଯେଉଁଆଡ଼କୁ ତାର ପାଦ ଦୁଇଟି ଟାଣିଲା, ବଣି ଚଢ଼େଇର ସନ୍ଧାନରେ ।

 

ଦିଗହଜା ହୁଡ଼ାମାଳ ବିଲ.....ଆଉ ତାରି ଭିତରେ ଖଣ୍ଡେ ଖଣ୍ଡେ ଛବି ପରି ଦିଶୁଥିବା କେତେ ତୋଟା, ବାଉଁଶବଣ ଓ କିଆ ଗୋହିରୀରେ ଉଡ଼ା ଚଢ଼େଇକୁ ଖୋଜୁ ଖୋଜୁ ଦିନର ଆଲୁଅ କ୍ରମେ ମହଳ ପଡ଼ି ଆସିଥିଲା । ଅଦୂରର ବାଉଁଶ ଝାଡ଼ମାନଙ୍କର ମଥାନରେ କ୍ରମେ ଆଉଟ ସୁନାର ରଙ୍ଗତୂଳୀ ବୁଲି ଆସୁଥିଲା । ଦଳ ଦଳ ଚଢ଼େଇ ଆକାଶରେ ପୂର୍ବମୁହାଁ ଉଡ଼ି ଯାଉଥିଲେ । ସେଇ ନିଛାଟିଆ ଶିମିଳୀ ଗଛ ଡାଳରେ ସେମାନଙ୍କର ଯେପରି ଗୋଟାଏ ଜନ୍ତାଳ ମଉଛବ ଜମି ଆସୁଥିଲା ।

 

କୈଳାସକୁ ହଠାତ୍‌ ନିତାନ୍ତ ନିଃସଙ୍ଗ ଓ ପରିତ୍ୟକ୍ତ ଲାଗୁଥିଲା । ଦିନର ଉତ୍ତାପ, କ୍ଷୁଧା, କ୍ଳାନ୍ତି ଓ ବ୍ୟର୍ଥତାରେ ତାର କ୍ଷୁଦ୍ର ଅଶକ୍ତ ଦେହ ଭାଙ୍ଗି ପଡ଼ୁଥିଲା । ନଣ୍ଡା କୁଆଡ଼େ ରହିଲା କେଜାଣି-? ଦିଗହଜା ହୁଡ଼ାବିଲ ମଝିରେ କୈଳାଶ ହଠାତ୍‌ ଏକ ଅହେତୁକ ଭୟରେ ଅବସନ୍ନ ହୋଇପଡ଼ିଲା-। ଏଇ ଅଳ୍ପ ଦୂରରେ ଦେଖାଯାଉଛି, ଦହିଖିଆ ବରମୂଳ ମଶାଣୀ । ସେ ବରଗଛରେ କୁଆଡ଼େ ଗୋଟାଏ ପିତାଶୁଣୀ ଡାଆଣୀ ଅଛି । ରାତି ହେଲେ, ଗଛମୂଳେ ଚୁଲୀ ଜାଳି ଚୁଲୀ ଭିତରକୁ ଗୋଟାଏ ଗୋଡ଼ ମୁହିଁ ଦେଇ ବସିଥାଏ । କେହି ଅଜଣା ବାଟୋଇ ହାବୁଡ଼ରେ ପଡ଼ିଲେ ଡାଆଣୀ ତାର ବେକ ମୋଡ଼ିଦିଏ !

 

ବାହ୍ମୁଣ ସାଇର ଚନ୍ଦରାନା ଥରେ ଏହି ଦହିଖିଆ ବରତଳେ ଭେଟଣା ହୋଇ ଗୋଟାଏ ରକ୍ତ ବାନ୍ତିରେ ମରିଥିଲା ! ....କୈଳାସ କଣ୍ଠ ଫଟାଇ ଚିତ୍କାର କରି ଉଠିଲା......‘‘ନଣ୍ଡା ରେ....ନଣ୍ଡା.....ଆ....ଆ’’

 

ନଣ୍ଡା ମଧ୍ୟ କୈଳାସ ସଙ୍ଗରେ ବାହାରିଥିଲା ବଣି ଚଢ଼େଇ ଖୋଜି ! କିନ୍ତୁ ଏ ହୁଡ଼ାମାଳ ବିଲ ଭିତରେ ସେ କୁଆଡ଼େ ହଜି ଗଲାଣି, କେଜାଣି !

 

କୈଳାସ ଅଗତ୍ୟା ପ୍ରାଣମୂର୍ଚ୍ଛା ଗାଁ ମୁହାଁ ଦଉଡ଼ିବା ପାଇଁ ଆରମ୍ଭ କଲା ।

 

ଗୋଟାଏ କିଆଗୋହିରୀ ଭିତରୁ ନଣ୍ଡାର ଡାକ ଶୁଣି କୈଳାସ ସ୍ୱସ୍ତିର ଗୋଟାଏ ଦୀର୍ଘନିଶ୍ୱାସ ପକାଇ ହଠାତ୍‌ ଥମକି ରହିଗଲା । ନଣ୍ଡା ଡାକୁଥିଲା.....‘ବାବୁ, ହେଇତି ଦେଖିବ ଆସ-।’

 

କିଆବୁଦା ଆଡ଼େଇ କୈଳାସ ଗୋହିରୀ ଭିତରକୁ କୁଦିପଡ଼ିଲା । ନଣ୍ଡା ଆଙ୍ଗୁଠିରେ ଗୋଟାଏ କିଆବୁଦା ଦେଖାଇ ଦେଇ କହିଲା....‘‘ହେଲା ତମ ବଣି ଚଢ଼େଇକୁ ଦେଖ । ସେଇଠି ସେଇ କିଆଗଛଟାରେ......’’ !

 

ବଣି ଚଢ଼େଇର ପାଦରେ ଯେଉଁ କନା ଧଡ଼ିଟା ବନ୍ଧା ଥିଲା, ଉଡ଼ିବାବେଳେ ତାହା ଛାତିଏ ଉଞ୍ଚ ଗୋଟାଏ କିଆ ଗଛର କଣ୍ଟା ଡାଳରେ ଛନ୍ଦି ହୋଇପଡ଼ିଥିଲା । ଚଢ଼େଇଟି ସେଥିରୁ ନିଜକୁ ମୁକ୍ତ କରିବା ପାଇଁ ଡେଣା ପିଟି ଯେତେ ଚେଷ୍ଟା କରୁଥିଲା, ଦଉଡ଼ିଟି ସେତିକି ସେତିକି ବେଶୀ ଛନ୍ଦି ହୋଇ ପଡ଼ିଥିଲା ।

 

କିନ୍ତୁ ଯେତେ ଉଞ୍ଚାରେ ଚଢ଼େଇଟି ଝୁଲୁଥିଲା, ସେଠାରୁ ତାହାକୁ ଉଦ୍ଧାର କରିବାପାଇଁ କାହାରି ହାତ ପାଉ ନଥିଲା । କିଆ ଗଛରେ ଚଢ଼ିବା ପାଇଁ ଚେଷ୍ଟା କଲେ, କଣ୍ଟାରେ ଦେହ ହାତ ଛିଡ଼ିବା ସୁନିଶ୍ଚିତ ଥିଲା ।

 

ନଣ୍ଡା କହିଲା....‘‘ହେଇତି ବାବୁ, ମୁଁ ଗଛକୁ ଧରି ଠିଆ ହଉଚି । ତମେ ମୋ କାନ୍ଧ ଉପରକୁ ଚଢ଼ିଗଲେ, ସେ ଡାଳକୁ ହାତ ପାଇବ ।’’

 

କୈଳାସ ସେହିପରି ଭାବରେ ନଣ୍ଡାର କାନ୍ଧ ଉପରେ ଚଢ଼ି ଚଢ଼େଇଟିକୁ ଛନ୍ଦିମନ୍ଦି ହୋଇ ଗୁଡ଼ାଇ ପଡ଼ିଥିବା ଦଉଡ଼ି ଗଣ୍ଠିରୁ ଉଦ୍ଧାର କରି ତଳକୁ ଡେଇଁପଡ଼ିଲା । ଚଢ଼େଇଟିକୁ ଫିଟାଇବା ବେଳେ ତାହାର ଆଣ୍ଠୁ, ଛାତି ଓ ହାତ ସ୍ଥାନେ ସ୍ଥାନେ କିଆ କଣ୍ଟାରେ କଟି ସେଥିରୁ ବିନ୍ଦୁ ବିନ୍ଦୁ ରକ୍ତ ଝରୁଥିଲା ।

 

ମାତ୍ର ସେଥିପ୍ରତି କୈଳାସର ଧ୍ୟାନ ନଥିଲା । ଚଢ଼େଇଟି ମଧ୍ୟ ବହୁ ସମୟ ଧରି ଛାଟିପିଟି ହୋଇ ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଥିଲା । ତାର ଆଖି ଡୋଳା ଦୁଇଟି ଅଧା ଓଲଟି ପଡ଼ି ଧଳା ଦିଶୁଥିଲା । ଚଢ଼େଇ ଛାତିର ଦୁକଦୁକି କୈଳାସ ତାର ହାତମୁଠା ଭିତରେ ସ୍ପଷ୍ଟ ଅନୁଭବ କରି ପାରୁଥିଲା ।

 

ଆଗରେ ସେଇ ଅନ୍ଧାରୁଆ ତୋଟାଟା ଡେଇଁଗଲେ, ପୀତେଇପୁର ଗାଁ ଦାଣ୍ଡ ପଡ଼ିବ । କୈଳାସ ଓ ନଣ୍ଡା କିଆଗୋହିରୀ ଭାଙ୍ଗି ସେହି ତୋଟା ଭିତରକୁ ପଶିଲେ । ଅଳ୍ପ ଦୂରରେ ଯେଉଁ ନଡ଼ିଆ ଗଛ କେତେଟା ଦେଖା ଯାଉଛି, ସେଇଠି ଗାଁ...... ! ପିଲାଏ ଦାଣ୍ଡ ପିଣ୍ଡାରେ ବସି ଫଳା ମୁଖସ୍ଥ କରୁଥିବେ, ସୁରମେଲି ପାଠ ବୋଲୁଥିବେ......

 

‘‘ଦିନମଣି ଅସ୍ତଗଲେ ଦିନ ହେଲା ଶେଷ,

ଆସଇ ରଜନୀ ରାଣୀ ପିନ୍ଧି କଳା ବେଶ ।’’

 

ଗୋବିନ୍ଦୀ ଜେଜେ ପାନଛେଚା ହେମଦସ୍ତାରେ ପାନ ଛେଚି ଛେଚି, ଦାଣ୍ଡ ଆଡ଼କୁ ଅନାଇଁ ବସିଥିବେ ! କୈଳାସକୁ ଖୋଜା ପଡ଼ିଥିବ, ପିଣ୍ଡା ଚାଟଶାଳୀରେ ନ ଦେଖି ।

 

ସେଇ ଗାଁ....ସେଠି ଅନିଶ୍ଚିତ ପଛରେ ଖୋଜି ବୁଲିବାର ପଥଶ୍ରାନ୍ତ ଅସ୍ଥିରତା ନାହିଁ । ଅଛି ହାତ ଭିତରେ ପାଇବାର ସ୍ଥିର ନିର୍ଭରତା, ସୁଷୁପ୍ତି !

 

ଚଢ଼େଇଟା କୈଳାସର ହାତମୁଠା ଭିତରେ, ବେଳେ ବେଳେ କ୍ଷୀଣ କଣ୍ଠରେ ଚେଁ ଚାଁ ଶବ୍ଦ କରୁଥିଲା । କୈଳାସ ତାହାକୁ ଆଶ୍ୱସ୍ତ କରିବା ପାଇଁ ଆଦରିଆ କଣ୍ଠରେ ଡାକି ଉଠୁଥିଲା....

 

‘‘ଧନମଣି....ଧନମଣି.....’’

 

ନଣ୍ଡା ହଠାତ୍‌ ପଛରୁ ପାଟିକରି ଉଠିଲା....‘‘ହେଇତି, ଅବଧାନେ ଆସୁଛନ୍ତି !’’

 

ତା’ ପରେ ଆଖି ପିଛୁଳାକେ ସେହି ତୋଟା ଭିତରେ ନଣ୍ଡା କୁଆଡ଼େ ଦଉଡ଼ି ଅଦୃଶ୍ୟ ହୋଇଗଲା, କୈଳାସ ତାହାର ପତ୍ତା ପାଇଲା ନାହିଁ ।

 

ତୋଟା ଭିତରେ ବଇ ଅବଧାନଙ୍କ ଘାଘଡ଼ା ଚିତ୍କାର ଶୁଭିଲା ‘‘କିଏ, କଇଆ ନାଁ’’ !

 

କୈଳାସ ଭୟରେ ପଥର ପାଲଟିଗଲା ।

 

ବଇ ଅବଧାନେ ହଜିଲା ଗାଈଟିକୁ ଖୋଜି ପଘାରେ ବାନ୍ଧି ଟାଣି ଟାଣି ଫେରୁଥିଲେ । ବାଁ ହାତରେ ଖଣ୍ଡେ ବାଉଁଶ କଣି ଛାଟ ! ବଇ ଅବଧାନେ କୈଳାଶର କାନଟାକୁ ହାତରେ ଟାଣି ପଚାରିଲେ.....‘‘ଚାଶାଳୀ ମାରା କରି ଏଣେ କୁଆଡ଼େ ବୁଲୁଥିଲୁ ବଦମାସ ?’’

 

ବଇ ଅବଧାନଙ୍କ କାନମୋଡ଼ାରେ କୈଳାସର କଅଁଳ କାନଟା ଛିଣ୍ଡି ପଡ଼ୁଥିଲା । କୈଳାସ ଥରିଲା ଥରିଲା କଣ୍ଠରେ ଉତ୍ତର ଦେଲା.....‘‘ଏଣେ ଚଢ଼େଇଟା ପଞ୍ଜୁରୀରୁ ଉଡ଼ି ଯାଇଥିଲା ଅବୁଧାନେ ।’’

 

ଗାଈ ଖୋଜି ଖୋଜି, ବଇ ଅବଧାନଙ୍କ ମିଜାଜଟା ଅତି ତିକ୍ତ ହୋଇ ପଡ଼ିଥିଲା । ଗାଈ ହଜିଲେ, ଗାଈ ପୁଣି ନ ମିଳିବା ପର୍ଯ୍ୟନ୍ତ ଉପବାସ ରହିବା ଗୃହସ୍ଥର ବିଧି । କାଲିଠାରୁ ବଇ ଅବଧାନେ ଖାଡ଼ା ଖାଡ଼ା ଓପାସ । ଗଞ୍ଜେଇ ଚିଲମେ ଚିଲମେ କେବଳ ଆହାର ! ଗାଁ ପରେ ଗାଁ, ଗୋଠ ପରେ, ଗୋଠ, କାଞ୍ଜିଆହୁଦା ପରେ କାଞ୍ଜିଆହୁଦା ବୁଲି ଗାଈ ଖୋଜିବା ପାଇଁ ତାଙ୍କୁ ଯାହା ଶାସ୍ତି ଦେଇଛି ! ସେ ଚିତ୍କାର କରି ଉଠିଲେ.....‘‘ଚଢ଼େଇ ! କି ଚଢ଼େଇ ! ଦେଖ !’’

 

କୈଳାସ ପିଠି ପଛଆଡ଼େ ଚଢ଼େଇଟିକୁ ଲୁଚାଇବାକୁ ଚେଷ୍ଟା କରୁଥିଲା । ବଇଅବଧାନେ କୈଳାସ ହାତରୁ ଚଢ଼େଇଟା ଝିଙ୍କିନେଇ, ହାତରେ ଧରୁ ଧରୁ ଚଢ଼େଇଟା ଉଡ଼ି ଅନ୍ଧାରବୋଳା ଆମ୍ୱତୋଟାର ପତ୍ରଗହଳି ଭିତରେ ଅଦୃଶ୍ୟ ହୋଇଗଲା ।

 

କୈଳାସ ସେହିଆଡ଼େ ଅସହାୟ ଦୃଷ୍ଟିରେ ଚାହିଁଥିଲା । ବଇଅବଧାନେ ବାଉଁଶକଣି ଛାଟରେ କୈଳାସକୁ ଛାଟେ ପିଟି କହିଲେ....‘‘ଆଉ ଦିନେ ଯଦି ଚାଶାଳୀ ଛାଡ଼ି, ଚଢ଼େଇ ପଛରେ ବୁଲିଚୁ ତ ତୋର ଦିନେ କି ମୋର ଦିନେ !’’

 

କୈଳାସର ଦୁଇ ଆଖିରେ ଲୁହ ନ ଥିଲା ।

 

ଜୀବନରେ ପାଇ-ହରାଇବାର ବେଦନା ଓ ବଞ୍ଚନା, ତଥାପି ସେ ଅବଶ୍ୟ ବୁଝି ନଥିଲା । କିନ୍ତୁ ଶହ ଶହ ବଣି ଚଢ଼େଇଙ୍କ ଡେଣାରୁ ଯେପରି, ରାଶି ରାଶି ବଞ୍ଚନା ଚାରିଆଡ଼େ ମହଳ ଅନ୍ଧକାର ପରି ଝରି ପଡ଼ୁଥିଲା.....ଗାଁ ଲେଉଟାଣି ବାଟ ଦେଖାଯାଉ ଥିନଲା !

 

ନୀଡ଼ଫେରା ଗୋଧୂଳିର ଶେଷପକ୍ଷୀ କେତୋଟି କଳରବ କରି ଉଡ଼ି ଉଡ଼ି ଅନ୍ଧକାରରେ ମିଶି ଯାଉଥିଲେ ।

Image

 

ମୃତ୍ତିକାର ଆତ୍ମା

 

ପିଚୁଢ଼ଳା ବଡ଼ସଡ଼କରୁ ବାଙ୍କି ଯାଇଛି....ହରିପୁର ରୋଡ଼ ।

 

ଆରମ୍ଭରେ ହରିପୁର ବଜାର, ଶେଷରେ ଫିରଫିରା ଥାନା । ତା ପାଖକୁ ଛୋଟିଆ ମଫସଲୀ ବଜାର ଖଣ୍ଡେ । ଫିରଫିରା-ବ୍ଳକ୍‌ ହେବା ଦିନୁ ସେଠୁ ଖୋଲିଛି ବ୍ଳକ ଅଫିସ, ବି.ଡ଼ି.ଓ. ଓ ଅନ୍ୟ ଗାଉଁଲୀ ହାକିମମାନଙ୍କ ପାଇଁ ଆଜ୍‌ବେଷ୍ଟସ୍‌-ଛାଉଣୀ କେତେଟା ସରକାରୀ କ୍ୱାଟର୍ସ ତିଆରି ହୋଇଛି । ତା ସେପାଖକୁ ଦଣ୍ଡା ସେପଟେ ବିରୂପା ନଈ ! ହରିପୁର-ଫିରଫିରା ରୋଡ଼ ସରିଲା ।

 

ଜାତୀୟ-ଯୋଜନାର ସଙ୍କେତ ଓ ସମୃଦ୍ଧିରୁ ମେଞ୍ଚାଏ ଛିଣ୍ଡି ପଡ଼ିଛି କିଆ ଗୋହିରୀ, ବାଉଁଶଝାଡ଼ ଆଉ ବିଲପାଟଘେରା ଏଇ ଅଞ୍ଚଳରେ ।

 

ହରିପୁର-ଫିରଫିରା ରୋଡ଼ ନୂଆ ପିଚୁ ହୋଇଚି । ପିଚୁଢଳା ସଡ଼କ ନାକସଳଖରେ ସିଧା ଲମ୍ୱି ଯାଇଛି, ଖଣ୍ଡେ କଳା ଫିତା ପରି ! ନହୁଲୀ କନ୍ୟାର ଅଣ୍ଟା ଚାରିପଟେ ଗୋଠ ପରି, ଏକଦା ଯେଉଁ ମାଟି-ସଡ଼କଟି ଅଙ୍କେଇ ବଙ୍କେଇ ଗାଁଦାଣ୍ଡମାନଙ୍କରେ ମୋଡ଼ ପରେ ମୋଡ଼ ବୁଲି, କେଉଁଠି କିଆଗୋହିରୀ ଭିତରେ, କେଉଁଠି ବାଉଁଶଝାଡ଼ ତଳେ, ଆଉ କେଉଁଠି ବା ଝଙ୍କାଳିଆ ଆମ୍ୱତୋଟା କଡ଼ ଦେଇ ବିଲପାଟ ଭିତରେ ସର୍ପିଳ ଛନ୍ଦରେ ଫିଟି ପଡ଼ିଥିଲା, ବହଳ ପିଚୁ ଆଉ କଳା ଗେଙ୍ଗୁଟୀର କବର ତଳେ ତାର ଦେହାନ୍ତର ଘଟିଛି । ପିଚୁ ସଡ଼କ ଦାଣ୍ଡୀର ଦୁଇ ପାଖରେ ଧାରେ ଧାରେ ସରୁଆ ପାଦଚଲା ରାସ୍ତା, ତା ପାଖକୁ ଛନଛନିଆ ଘାସର ସବୁଜ ରେଖା ।

 

ସଡ଼କଟା ଅଳ୍ପ ଦୂରରେ ବାଙ୍କି ଗୋପାଳପୁର ଗାଁକୁ ବାଁହାତି କାଟି ପୁଣି ଲମ୍ୱି ଯାଇଛି, ଫିରିଫିରା ଆଡ଼େ ।

 

କିଲୋମିଟର ଖୁଣ୍ଟି ପାଖରେ ସଡ଼କ ଉପରେ ଇଟା-ସିମେଣ୍ଟରେ ଗୋଟିଏ ନୂଆ ପୋଲ ସୁଦ୍ଧା ତିଆରି ହୋଇଛି । ମାନ୍ଧାତା ଅମଳର ଜିଲ୍ଲାବୋର୍ଡ଼ ଦିନରୁ ଶୁକୁନଈ-ଜୋଡ଼ ଉପରେ ଯେଉଁ ଅଣଓସାରୀ ପୋଲଟି, ଉପରକୁ ଭଙ୍ଗାଇଟାର ପୃଥୁଳ ଉଦରଟିଏ କାଢ଼ି ତିଆରି ହୋଇଥିଲା, ସାମାନ୍ୟ ଅଣହୁସିଆରିରେ ଯେଉଁ ପୋଲ ଉପରେ ଶଗଡ଼ ଓଲଟୁଥିଲା, ସାଇକଲଚଢ଼ାଳିମାନେ ମାଙ୍କଡ଼ଚିତ୍‌ ମାରୁଥିଲେ, ଏବେ ସେ ପୋଲଟି ଭଙ୍ଗା ଯାଇଁ ତା’ ସ୍ଥାନରେ ଏହି ନୂଆ ବ୍ରିଜ୍‌ଟି ତିଆରି ହୋଇଛି । ମାତ୍ର ପୋଲର ଅର୍ଦ୍ଧବୃତ୍ତାକାର ଖିଲାଣ ତଳେ ଯେଉଁ ଶୁକନଈ କଳାମୁଗୁନି ପାଟ ଆଡ଼ୁ ତଳର ଧାନକ୍ଷେତ ଆଡ଼କୁ ବହି ଯାଉଥିଲା, ଆଜି ମଧ୍ୟ ସେହି ଜୋଡ଼ର ଗୋଟଏ କ୍ଷୀଣ ଧାର ସେହିପରି ବହି ଯାଉଛି । ଦଳୁଆ ପାଣି ଧାରେ ଧାରେ ଜାତି ଜାତି ଶିଉଳି ଫୁଲ, ଧଳାକଇଁ, ରତା କଇଁ ସେମିତି ଫୁଟୁଛି; ବଗ ସବୁ ମୌନୀ ପରି ପାଣି ଧାରେ ଧାରେ ସେମିତି ବସୁଛନ୍ତି, ମାଛ ରଙ୍କାଟାଏ ସେମିତି କୁଆଡ଼ୁ ଉଡ଼ିଆସି, କେତେବେଳେ ଝାମ୍ପଟାଏ ମାରି ସେଇ ବୁଢ଼ା ଅର୍ଜ୍ଜୁନ ଗଛ ଉପରକୁ ଉଡ଼ିଯାଉଛି; କାଣ୍ଡୀସାହୀର କେତେକ ଲଙ୍ଗଳା ପିଲା ସେମିତି ପାଣିକାଦୁଅରେ ଚକଟି ହୋଇ କରାଣ୍ଡି ମୀନ ଚିପୁଛନ୍ତି । ସେଇ ନିଛାଟିଆ ତାଳଗଛ ମୂଳେ ଭଜନୀ ସ୍ୱାଇଁ ତା’ ବିଲରେ ଆଣ୍ଠେଇ ପଡ଼ି ଯେମିତି ଏକଦା ବିଲକାମ କରୁଥିଲା, ତା’ ପୁଅ ଦୋଳିଆ ଏବେ ସେମିତି ଆଣ୍ଠେଇ ପଡ଼ି ଘାସ ତାଞ୍ଛୁଛି; ଅଳ୍ପ ଦୂରରେ କେତେଟା ମାଇକିନା ଖାଲି ଟୋକେଇମାନ କାଖରେ ଧରି, ସେମାନଙ୍କ ଶାଶୁମାନଙ୍କ ପରି କଣ ଖୋଜି ବୁଲୁଛନ୍ତି କେଜାଣି ? କିନ୍ତୁ ପୌଷର ସୁନେଲି ଫସଲ ସବୁ ଅମଳ ସରି, କେଉଁଦିନୁ ବେପାରୀମାନଙ୍କ ଟ୍ରକ୍‌ରେ ସହରକୁ ବୁହା ସରିଲାଣି । ସେ ଦିନର ଫସଲଭରା କ୍ଷେତ ସବୁ ଆଜି ଉଦାସ ଶୂନ୍ୟତାରେ ଫଗୁଣର ଖଣ୍ଡିଆଭୂତ-ଉଡ଼ା ନିଛାଟିଆ ମଧ୍ୟାହ୍ନରେ ଛାତି ମେଲି ପଡ଼ି ରହିଅଛି ।

 

ସିଦ କାନଗୋଇ ଖରାଆଡ଼କୁ ପିଠି କରି ଛିଣ୍ଡା ମଫଲର ଖଣ୍ଡେ ଆକର୍ଣ୍ଣ ଗୁଡ଼ାଇ, ଅତୀତରେ ଏକଦା ହଳଦିଆ ରଙ୍ଗର ଅବଶେଷ ଠାଏ ଠାଏ ଲାଗି ରହିଥିବା ଖଦି ଦୋଷଡ଼ା ଖଣ୍ଡ ଦେହରେ ଘୋଡ଼ାଇ, ରେଖାଙ୍କିତ କୁଞ୍ଚିତ ଶୀର୍ଣ୍ଣ ମୁହଁର ନାକ ଆଗରେ ଟିଣଫ୍ରେମବନ୍ଧା ଚଷମାଟିଏ ଝୁଲାଇ, ପାଖରେ ତେଲପଚା ବାଉଁଶ ଠେଙ୍ଗା ଖଣ୍ଡ ଆଉଜାଇ, ସିମେଣ୍ଟ ପୋଲର ଗୋଟିଏ ବାଡ଼ ଉପରେ ବସିଥିଲେ । ଉଦାସ ଧାନକ୍ଷେତ, ଆଉ ଦୂରରେ ଝୁଲିପଡ଼ିଥିବା ରଣକୁହୁଡ଼ିର ଖଣ୍ଡେ ମେଘ ଭିତରକୁ ଚାହିଁ ସେ କଣ ଖୋଜି ହେଉଥିଲେ, କେଜାଣି ?

 

ହରିପୁର ସଡ଼କ, ଗୋପାଳପୁର ଗାଁ ଆଉ ଚାରିକଡ଼ର ପରିବେଶ ଯାହା ଯେପରି ଥିଲା, ଠିକ୍‌ ସେହିପରି ରହିଛି । ସିଦ କାନଗୋଇଙ୍କୁ ତିନିକୋଡ଼ି ଆଠବର୍ଷ ଚାଲିଲା । ଗୋପାଳପୁର ଗାଁ ଉ.ପ୍ରା. ସ୍କୁଲର ସେ ହେଡ୍‍ପଣ୍ଡିତ ଥିଲେ । ଉ.ପ୍ରା. ସ୍କୁଲ ଏମ.ଇ.ସ୍କୁଲ ହେଲା । ସେ କିନ୍ତୁ ଆଉ ପିଲା ଠେଙ୍ଗେଇ ନ ପାରିବାରୁ, ଦୁଇବର୍ଷ ତଳୁ ଚାକିରୀରୁ ବିଦାୟ ନେଇ ଘରେ ବସିଲେଣି ।

 

ପିଲାବେଳେ ମଧ୍ୟ ଶୁକୁନଈ ପୋଲ ଉପରେ ବସିଲେ ଏଇ ସବୁ ଦୃଶ୍ୟ ଠିକ୍‌ ଏମିତି ଆଖିରେ ପଡ଼ୁଥିଲା । କାନଗୋଇ ମନରେ ଦମ୍ଭ ଆସିଲା, ଦୁନିଆଁ ତା’ହେଲେ ଠିକ୍‌ ଅଛି ! ଏ ଦୁନିଆଁକୁ ତା’ ହେଲେ ନିର୍ଭୟରେ ବିଶ୍ୱାସ କରିବା ଚଳିବ । ପରିବର୍ତ୍ତନ ଭିତରେ ହୋଇଛି କେବଳ, ଶଗଡ଼ପଇଖୋଳା ମାଟି ସଡ଼କରୁ ପିଚୁ ସଡ଼କ, ହରିପୁର ସଡ଼କର ପଦୋନ୍ନତି ହୋଇଛି ହରିପୁର-ଫିରିଫିରା ରୋଡ଼କୁ, ଶୁକୁନଈ ଜୋଡ଼ର ଅଣଓସାରି ପୋଲ ହୋଇଛି ଏକ ଆଧୁନିକ ‘ବ୍ରିଜ୍‌’.....ଦୁଇପାଖର ବାଡ଼ ସିମେଣ୍ଟରେ ଗଢ଼ା ହୋଇ ଚଉଡ଼ା ନିଦା କାନ୍ଥ ପରି ତଳୁ ଉଠି ଯାଇଛି । ସହରର ବଡ଼ ରାସ୍ତାମାନଙ୍କ ପରି ପିଚୁଢ଼ଳା ସଡ଼କ....ଫଗୁଣର କଅଁଳ ଖରାରେ ଚିକ୍‌ ଚିକ୍‌ କରୁଛି । ସଡ଼କକୁ ଦେଖିଲେ ମନରେ ସମ୍ଭ୍ରମ ଆସେ !

 

ଏ ଅଞ୍ଚଳରେ ଏମ୍‌.ଏଲ.ଏ. ନୀଳମଣି ବାବୁ ଓ ସରପଞ୍ଚ ଯଦୁ ଷଡ଼ଙ୍ଗୀ କଥା କଥାକେ ଏଇ ସଡ଼କର ଉଦାହରଣ ଦେଇ ଯୋଜନାରେ ଦେଶର ଯେଉଁ ବିରାଟ ଅଗ୍ରଗତି ହୋଇଛି, ତାହା ଅବିଶ୍ୱାସୀମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇ ଦେଇଥାନ୍ତି ।

 

ସିଦ କାନଗୋଇ ଭାବନାରେ ଖିଅ ହଠାତ୍‌ ଛିଣ୍ଡିଗଲା । ଫିରିଫିରା ଆଡ଼ୁ ଗୋଟାଏ ଧାନବୋଝାଇ ଟ୍ରକ୍‌ ଧୂଳିର ଖଣ୍ଡିଆଭୂତ ଉଡ଼ାଇ ହରିପୁର ବଜାର ଆଡ଼େ ଛୁଟିଗଲା । ବିପରୀତ ଆଡ଼ୁ ଆସୁଥିବା ସେ ସାଇକଲଚଢ଼ାଳି ଟୋକାଟା ବାଁ କଡ଼କୁ ବୁଲିପଡ଼ି ନଥିଲେ, ଟ୍ରକ୍‌ ଚାପରେ ଯାଇଥିଲା ତ ଆଉ କ’ଣ ! ବାଁ କଡ଼କୁ ରାସ୍ତା ତଳେ ଖସିପଡ଼ି ନଳୀପ୍ୟାଣ୍ଟର ପିଚାରୁ ଏଇ ଧୂଳି ଝାଡ଼ିହୋଇ ଉଠୁଛି । ଓଃ......ଜୀବନଟା ଆଜି ଆଉଟା ଦୁଧ ପରି ଖାଲି ଉତୁରି ଉଠୁଛି !

 

ଏଇ ଉତୁରିବା କାଳେ ପ୍ରଗତି !

 

ସାଇକଲଚଢ଼ାଳୀ ସେଇ ଟୋକା ଆଡ଼େ ଚାହିଁ ସିଦ କାନଗୋଇ ମନେପଡ଼ିଲା, ଚାହୁଁ ଚାହୁଁ ତିନିକୋଡ଼ି ଆଠ ବର୍ଷ ସାଇକଲ ଚକ ପରି କୁଆଡ଼େ ଗଡ଼ିଗଲା ମ ସତେ ! ଅଥଚ ସାଇକଲ ଚଢ଼ିବାଟା ଜୀବନରେ ସେ ଉ ଆଉ କରିପାରିଲେ ନାହିଁ !

 

ଚାହୁଁ ଚାହୁଁ ଦୁଇ ଆଡ଼ୁ ଦୁଇ ପଞ୍ଝା ସାଇକଲ ଦୁଇ ଆଡ଼େ ଗଡ଼ି ଚାଲିଗଲା । ସାଇକେଲ ଚଢ଼ାଳୀଙ୍କ ଭିତରେ ଅଛନ୍ତି, ଆଠମାଇଲ ଦୂରରେ ସହରତଳି ଲୁଗାକାରଖାନାର ଶ୍ରମିକ, ହରିପୁର ଉଚ୍ଚ ବିଦ୍ୟାଳୟର ଛାତ୍ର, ସହରରୁ ଗାଁ ଫେରନ୍ତା ବାବୁ, ପୁଣି ନାନା କିସମର ବେପାରୀ । ଆଗରେ କାହାର ଲୁଗା ଗଣ୍ଡିରା ତ ପଛରେ କାହା କାରିୟର୍‌ ଉପରେ ପରିବା ବୋଝ ।

 

କାଣ୍ଡିସାହୀର ଜଗୁଆ ମଧ୍ୟ ଗୋଟାଏ ସାଇକଲ ପଛରେ ଗଦାଏ ନଡ଼ା ବନ୍ଧି, ପାଦଠାରୁ ଜଙ୍ଘ କୋଡ଼ଗାତ ପର୍ଯ୍ୟନ୍ତ ଦେହ ଫୁଙ୍ଗୁଳା କରି, ସେଇ ସାଇକଲ ପଟୁଆର ଭିତରେ ଗାଁ ଆଡ଼କୁ ମାଡ଼ିଗଲା ।

 

ସିଦ କାନଗୋଇ ଅସହାୟ ଆତ୍ମପ୍ରତ୍ୟୟହୀନ ଦୃଷ୍ଟିରେ ଚଷମାର ମୋଟା ଲେନସ୍‌ କାଚ ତଳୁ ଚାରିଆଡ଼କୁ ଚାହିଁଲେ । ଦୁନିଆଟା ପୁଣି ହଠାତ୍‌ ଓଲଟପାଲଟ ହୋଇ ତାଙ୍କୁ ଅଡ଼ୁଆ ସୂତାକାଣ୍ଡି ପରି ଲାଗିଲା । ସେଇଥିରେ ସେ ଯେମିତି କେଉଁଠି ଛନ୍ଦି ହୋଇପଡ଼ିଲେ ।

 

ସଡ଼କ ପୁଣି କାଉଁଳିଆ ଖରାରେ ଝିମେଇଁ ପଡ଼ିଲା । ସଡ଼କ କଡ଼ରେ ଯାଇଥିବା ଟେଲିଗ୍ରାଫ୍‌ ତାରରେ ପବନ ବାଜି ସାଇଁ ସାଇଁ କରି ଉଠିଲା । ଗୋଟାଏ କଜଳପାତି ଟେଲିଗ୍ରାଫ୍‌ ତାର ଉପରକୁ ଉଡ଼ି ଆସି କେଇଥର ରାବି ଦେଇ ପୁଣି ଲାଙ୍ଗୁଡ଼ ନଚାଇ ନଚାଇ କେଉଁଆଡ଼େ ଉଡ଼ି ପଳାଇଲା ।

 

ସିଦ କାନଗୋଇର ହଠାତ୍‌ ମନେ ହେଲା, ଏଇ ହରିପୁର ପିଚୁ ସଡ଼କ ଯେପରି ତାଙ୍କର ଶତ୍ରୁ; ଏଇ ସଡ଼କ ଯେପରି ତାଙ୍କର ସଂସାର ଭିତରକୁ ଦୁର୍ଯୋଗ ଓ ଦୁର୍ଭାଗ୍ୟ, ଅପମାନ ଓ ଲୋକହସା, ବିପର୍ଯ୍ୟୟ ଓ ବ୍ୟର୍ଥତା ସବୁ ବାଟ କଢ଼ାଇ ଆଣିଛି । ଏଇ ସଡ଼କରେ, ତାଙ୍କର ଏକମାତ୍ର ପୁଅ ଟୁଙ୍ଖା ବା ନରହରି, ପାଞ୍ଚଥର ମାଟ୍ରିକ୍‌ ଫେଲ ହେବାପରେ, ଗାଁ ଛାଡ଼ି, ଘର ଛାଡ଼ି, ଟ୍ରକ୍‌-ଡ୍ରାଇଭର୍‌ ହୋଇ ଦିନେ ପଳାଇଲା । ଏଇ ସଡ଼କରେ ପୁଣି ଦିନେ ପଳାଇଲା ଅଭିଆଡ଼ୀ ଝିଅ ପାର୍ବତୀ, ଲୁଗାକଳର ଫିଟର ମିସ୍ତ୍ରୀ ଗୋପାଳ ଓଝା ସାଙ୍ଗରେ । ଆଃ....ସେ କି ଲାଜ ଅପମାନର କଥା ! ସିଦ କାନଗୋଇ ଅଭିଆଡ଼ୀ ଝିଅ ପାର୍ବତୀ ଶେଷକୁ ପାପଗର୍ଭ ଭଙ୍ଗାଇ ଅବାଟରେ ଏମିତି ଗୋଡ଼ କାଢ଼ିଲା !

 

ସଡ଼କ ତଳେ କିଆରିରେ ସିଦ କାନଗୋଇ କଳା ବାଛୁରୀଟା ପଘାରେ ବନ୍ଧା ହୋଇ ଘାସ ଚରୁଥିଲା । ସିଦ କାନଗୋଇ ପୋଲ ଉପରୁ ଉଠି, ପଘାଖୁଣ୍ଟଟା ଓପାଡ଼ି ସଡ଼କ କଡ଼ରେ ଆଉ ଗୋଟାଏ କଅଁଳିଆ ଘାସ ଜାଗା ଦେଖି ପୋତିଦେଲେ । ତା ପରେ ଖୁଣ୍ଟ ପାଖରେ ପଡ଼ିଥିବା ଖୁରୁପୀ ଧରି ଦୁବଘାସ ତାଞ୍ଛିବା ପାଇଁ ବସିଗଲେ । ଗୋ-ସେବା ପାଇଁ ଘାସ ତାଞ୍ଛିବା ତାଙ୍କର ଗୋଟିଏ ନୈମିତ୍ତିକ କର୍ମ । ୬୮ ବର୍ଷ ବୟସରେ ଜୀବନ-ସନ୍ଧ୍ୟାରେ ସେ ଆଜି ମଣିଷ ଅପେକ୍ଷା ପଶୁମାନଙ୍କ ଉପରେ ଅଧିକ ନିର୍ଭରଶୀଳ । ଏହି ପଶୁକୁଳ ହିଁ ତାଙ୍କର ଗୁରୁ; ‘‘ଅରଣ୍ୟେ ଅଜଗର ପ୍ରାୟ’’ କର୍ମ ଆଦରି ପଡ଼ି ରହିଛନ୍ତି । ବିନା କାରଣରେ ଅନ୍ତତଃ ମଣିଷଙ୍କ ପରି ସେମାନେ ଅନ୍ୟ ମଣିଷକୁ ଭୁଷା ମାରନ୍ତି ନାହିଁ !

 

ଘାସ ତାଞ୍ଛୁ ତାଞ୍ଛୁ ହରିପୁର ସଡ଼କର ଇତିହାସ ସିଦ କାନଗୋଇର ପୁଣି ମନେ ପଡ଼ିଗଲା । ଏଇ ସଡ଼କ ଘେନି ତ କମ୍‌ ଘଟଣା ଘଟିଗଲା ନାହିଁ ! ପ୍ରଥମ ନିର୍ବାଚନରେ ନୀଳୁବାବୁ ଜିତିଥିଲେ ଏଇ ସଡ଼କ ପାଇଁ । ଭୋଟରେ ଜିତିଲେ ହରିପୁର କଚା ସଡ଼କକୁ ପକ୍‌କା କରିଦେବେ, ଏଇ ଥିଲା ତାଙ୍କର ପ୍ରତିଶ୍ରୁତି । ମାତ୍ର ପ୍ରଥମ ଭୋଟ ପରେ ପାଞ୍ଚବର୍ଷ କଟି ଦ୍ୱିତୀୟ ଭୋଟ ଆସିଲା, ଅଥଚ ସଡ଼କରେ ମାଟି ଟୋକେଇଏ ସୁଦ୍ଧା ପଡ଼ିପାରିଲା ନାହିଁ । ଏଇ ସଡ଼କ ପାଇଁ ପୁଣି କେତେ ସଭା ନହେଲା ! ମାଜିଷ୍ଟ୍ରେଟଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଉ: ପ୍ରା: ସ୍କୁଲର ପୁରସ୍କାର-ବିତରଣୀ ସଭାଠାରୁ ମନ୍ତ୍ରୀଙ୍କ ଗସ୍ତସଭା ପର୍ଯ୍ୟନ୍ତ ଯେତେ ଯେତେ ସଭା ହୋଇଛି, ସବୁଥିରେ ସଡ଼କ ପାଇଁ କେତେ ମାନପତ୍ର ଲେଖି ସିଦ କାନଗୋଇ ସେ ସବୁ ପଢ଼ି ନାହାନ୍ତି !

 

ସେଥର ବଢ଼ିବଦଳ ବେଳେ ଶୁକନଈ ବଢ଼ିରେ ଏ ଅଞ୍ଚଳରେ ବହୁ ଗାଁ କ୍ଷତିଗ୍ରସ୍ତ ହୋଇଥିଲା । ମନ୍ତ୍ରୀ ଆସିଥିଲେ କ୍ଷତିଗ୍ରସ୍ତ ଲୋକମାନଙ୍କର ଅବସ୍ଥା ଦେଖିବା ପାଇଁ । ଗୋପାଳପୁର ଉ: ପ୍ରା: ସ୍କୁଲ ହତାରେ ଯେଉଁ ସଭା ହୋଇଥିଲା, ସେଥିରେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନପତ୍ର ପଢ଼ିଥିଲେ ସିଦ କାନଗୋଇ.....‘‘ହେ ଦେଶବନ୍ଦ୍ୟ, ବରେଣ୍ୟ, ମାତୃଭୂମିର ମୁଖଉଜ୍ଜ୍ୱଳକାରୀ, ପ୍ରଜାବତ୍ସଳ ମହାମାନ୍ୟ ମନ୍ତ୍ରିବର ! ଆପଣଙ୍କ ପଦରଜ ପଡ଼ି ଆମ୍ଭମାନଙ୍କର ଏହି ଜନପଦ ଆଜି ପବିତ୍ରତା ହୋଇଅଛି । ଆମ୍ଭେ ଆପଣଙ୍କୁ କିପରି ଭାବରେ ଅର୍ଚ୍ଚନା କରିବୁଁ ଜାଣୁନାହିଁ ।’’ ଇତ୍ୟାଦି......

 

ମନ୍ତ୍ରୀ ମନ୍ଦ ମନ୍ଦ ମୁଣ୍ଡ ଟୁଙ୍ଗାରୁଥିଲେ । ତାଙ୍କ ପାଖରେ ନୀଳୁବାବୁ ଏମ. ଏଲ.ଏ ଚଉକି ଉପରେ ଅସ୍ୱସ୍ତିରେ ଏକଡ଼ ସେକଡ଼ ହେଉଥିଲେ । ତାଙ୍କ ସମ୍ପର୍କରେ ପଦେ ହେଲେ ସୁଦ୍ଧା ମାନପତ୍ରରେ ଲେଖା ରହିବା ତ ଉଚିତ୍‌ ଥିଲା !

 

ଏ ପର୍ଯ୍ୟନ୍ତ ସିଦ କାନଗୋଇ ସ୍ୱାଭାବିକ କଣ୍ଠରେ ମାନପତ୍ର ପଢ଼ୁଥିଲେ । ମାତ୍ର ମାନପତ୍ରରେ ଯେଉଁଠି ହରିପୁର ସଡ଼କ ପ୍ରସଙ୍ଗ ଆସିଗଲା, ସେ ଗଳାଖଙ୍କାରି କଣ୍ଠ ସ୍ୱର ଚଢ଼ା ପର୍ଦ୍ଦାକୁ ଉଠାଇ ପଢ଼ିଲେ......ଆମ୍ଭେମାନେ ଅତ୍ୟନ୍ତ ଦୁଃଖିତ ଓ ଅନୁତପ୍ତ ଯେ, ଆମ୍ଭ ଅଞ୍ଚଳକୁ ଶୁଭାଗମନ ପାଇଁ ଆପଣଙ୍କୁ ଅଶେଷ ଯନ୍ତ୍ରଣା ଭୋଗ କରିବାପାଇଁ ପଡ଼ିଲା ଓ ଆପଣଙ୍କ ବାଷ୍ପୀୟ ଶକଟଟି, ଆପାଦକଟି କର୍ଦ୍ଦମ ମଧ୍ୟରେ ଆସିବା ଫଳରେ ତାହାର ମସୃଣ ଅଙ୍ଗ କର୍ଦ୍ଦମାକ୍ତ ହୋଇଗଲା । ମାତ୍ର ମହାଭାଗ, ଆପଣଙ୍କ ଆଗମନର ପଥ ଭବିଷ୍ୟତରେ ଯେପରି ନିର୍ମଳ ଓ ନିର୍ଜଞ୍ଜାଳ ହୁଏ, ସେଥିପାଇଁ ଏହି ସଡ଼କଟିକୁ ଶୀଘ୍ର ପକ୍‌କା କରାଇବାର ହୁକୁମ ସାଦର ହୋଇ ଆମ୍ଭମାନଙ୍କୁ ଚିରକୃତାର୍ଥ କରିବେ ।’’ ଏହା ପରକୁ ଥିଲା ଉ: ପ୍ରା. ସ୍କୁଲକୁ ଏମ୍‌. ଇ. ସ୍କୁଲରେ ପରିଣତ କରିବା ପାଇଁ ମଧ୍ୟ ଦାବି ଓ ଆଉରି ନାନା ପ୍ରସଙ୍ଗ ।

 

ଏହିପରି ନାନା ମାନପତ୍ର ପଢ଼ୁ ପଢ଼ୁ ଦ୍ୱିତୀୟ ନିର୍ବାଚନ ଆସିଗଲା । ମାତ୍ର ହରିପୁର ସଡ଼କ ‘‘ଆପାଦକଟୀ କର୍ଦ୍ଦମ’’ରୁ ଗଭୀରତର ହେଲା ସିନା, ସେଥିରେ ଟୋକେଇଏ ମାଟି ସୁଦ୍ଧା ପଡ଼ିପାରିଲା ନାହିଁ । ସେଥିପାଇଁ ଦ୍ୱିତୀୟ ନିର୍ବାଚନରେ ଏଇ ସଡ଼କ ହେଲା ନୀଳୁବାବୁଙ୍କ କାଳ । ବରଗଛମାର୍କା ଦଳର ଜଗବନ୍ଧୁ ତିଆଡ଼ୀଏ ଏହି ସଡ଼କ ଆଡ଼େ ଆଙ୍ଗୁଠି ଦେଖାଇ କଂଗ୍ରେସପାର୍ଥୀ ନୀଳୁବାବୁଙ୍କ ବିରୁଦ୍ଧରେ ନିର୍ବାଚନ ଅଭିଯାନ ଆରମ୍ଭ କରିଦେଲେ । ଯୋଗକୁ ପୁଣି ଭୋଟ ମାସେ ଅଛି; ହରିପୁର ସଡ଼କରେ ନେଉଳପୁରର ମହାଜନ ଧୋବେଇ ସାହୁଙ୍କ ଶଗଡ଼ ରାତିରେ ହରିପୁର ହାଟରୁ ଫେରୁଥିବାବେଳେ, ଶୁକୁ ନଈ ପୋଲ ଉପରେ ଓଲଟି ପଡ଼ିବାରୁ ବଳଦଟା ପଘାରେ ମରି ଯାଇଥିଲା । ଶଗଡ଼ିଆ ମଧ୍ୟ ଜଖମ ହୋଇ ଚାରିମାସ କାଳ ଡାକ୍ତରଖାନାରେ ପଡ଼ି ପଡ଼ି ଆୟୁଷ ଥିଲାକୁ ବଞ୍ଚିଲା । ଏହି ଘଟଣା ବା ଦୁର୍ଘଟଣା ପରେ ତିଆଡ଼ୀକୁ ଆଉ ପ୍ରଚାର କରିବାକୁ ପଡ଼ିଲା ନାହିଁ । ‘‘ଯୋଜନା ନାଁରେ ସହରରେ ସଡ଼କମାନ ତିଆରି ହେଉଛି ଯେ, ତା’ ଉପରେ ମଣିଷ ଭାତ କୁଢ଼େଇ ଖାଇବ.....ଆଉ ଆମ ସଡ଼କକୁ ଦେଖ, ସିଦ ପଣ୍ଡିତଙ୍କୁ ଭାଷାରେ ‘ଆପାଦକଟି କର୍ଦ୍ଦମ’, ବର୍ତ୍ତମାନ ଆପାଦବକ୍ଷ ହେବାକୁ ବସିଲାଣି । ସଡ଼କ ତ ନୁହେଁ ! ଖାତ ଖଣା ! ବଳଦ ମଣିଷ ତା’ ଭିତରେ ପଡ଼ି ମରୁଛନ୍ତି ! ଆମେ ପଥକର ଦଉନୁ କିହୋ ? ଖଜଣା, ପାଣିକର ଦଉନୁ କି ? ସ୍ୱାଧୀନତା ପାଇଁ ଜୀବନ ତୁଚ୍ଛ କରି ଆମେ କଣ ଲଢ଼ିଥିଲୁ ଏଇଥିପାଇଁ ? (ଦୋ ଅକ୍ଷରି ସମ୍ୱୋଧନ କରି) କହିଥିଲେ, ଭୋଟ ଦିଅ, ସଡ଼କ କରିଦେବୁ ! ବୁଝ ବୁଝ ଏ ଦଗାଦିଆ, ଧପ୍‌ପାବାଜ ଦଳଙ୍କ କଥା ବୁଝ ଏବେ !

 

ଏ ସବୁ ପରେ ନୀଳୁବାବୁ ଆନ୍ତର୍ଜାତିକ ବୈଦେଶିକ ନୀତିଠାରୁ ଯୋଜନା ଅର୍ଥନୀତି ପର୍ଯ୍ୟନ୍ତ ଯେତେ ଯାହା ବୁଝାଇଲେ, ଆଉ ବୁଝୁଚି କିଏ ?

 

ସିଦ କାନଗୋଇ ସେତେବେଳେ ଶତସିଂହର ପରାକ୍ରମରେ ଲମ୍ଫଝମ୍ପ ଦେଇ ତିଆଡ଼ୀଙ୍କ ପ୍ରଚାରକ ହୋଇଥିଲେ । ଏଇ ସଡ଼କ ପାଇଁ ନୀଳୁବାବୁ ନିର୍ବାଚନରେ ହାରିଲେ; ମାତ୍ର ତିଆଡ଼ୀଙ୍କ ପାଞ୍ଚବର୍ଷ ଭୋଗ କଟିଲା । ହରିପୁର ସଡ଼କର ଭାଗ୍ୟ କିନ୍ତୁ ଆଉ ଫେରିଲା ନାହିଁ । ବୈଶାଖ ଜ୍ୟେଷ୍ଠ ମାସ ଦୁଇଟା ଛାଡ଼ିଦେଲେ, ବର୍ଷସାରା ହରିପୁର ସଡ଼କ କର୍ଦ୍ଦମପଙ୍କର ଶତଶତ କ୍ଷତ ମେଲି କ୍ରମେ ଧାନବିଲ ସହିତ ମିଶିଯିବାପାଇଁ ଲାଗିଲା !

 

ନୀଳୁବାବୁଙ୍କ ଲୋକେ ଦେଖେଇ ଶିଖେଇ କାନ୍ଥକୁ ବାଡ଼କୁ କହିବା ପରି କହିଦେଲେ; ତିଆଡ଼ୀଙ୍କୁ ପଚାରୁନା, କୋଉଦିନ ତାଙ୍କ ବରଗଛତଳିଆ ଦଳ ଏ ସଡ଼କକୁ ପକା କରିବେ ? ପୁଣି ତ ଭୋଟ ବେଳ ଆସିଯାଉଛି ! ବରଗଛତଳିଆ ଆକ୍ଷେପରେ ତିଆଡ଼ୀଙ୍କ ଦଳ ପାଇକ କିଛି ଭିଡ଼ି ମାଡ଼ଫୌଜଦାରୀ ପାଇଁ ତିଆର ! କଣ ? ଆମେ ବରଗଛତଳିଆ ? ଜଗୁବାବୁ କହି ପଠାଇଛନ୍ତି ସଡ଼କ ନହେଲେ ଅନଶନ କରିବେ ! ପ୍ରାଣ ହାରି ଦେବେ ! ଦେଖିବ ରୁହ, ଥୟ ଧର !

 

କିନ୍ତୁ ଜଗବନ୍ଧୁବାବୁଙ୍କ ଅନଶନ ଆଉ ହେଲାନାହିଁ । ସିଦ ପଣ୍ଡିତଙ୍କ ପାଖକୁ ଲୋକେ ଆସିଲେ ପରାମର୍ଶ ପାଇଁ, ଏଥକୁ ଉପାୟ କଣ ? ନୀଳୁବାବୁଙ୍କୁ ସଡ଼କ କଥା କହିବାକୁ ତ ଲାଜ ଲାଗୁଚି ! ସିଦ ପଣ୍ଡିତେ ଖାଲି କହିହେଲେ, ଦେଖ କୋଉପାଣି କୋଉ ଆଡ଼େ ଯାଉଛି ! ନିର୍ବାଚନ ଅଳ୍ପଦିନ ଅଛି, ହଠାତ୍‌ ହାତୀ ପରି ଗୁଡ଼ାଏ ଟ୍ରକ୍‌ ହରିପୁର-ସଡ଼କର କାଦୁଅପଙ୍କ ନ ମାନି, କଳାଗୋଡ଼ି, ନାଲିଗୋଡ଼ି, ପଥର ପ୍ରଭୃତି ଗଦା କରିବାକୁ ଲାଗିଲେ । ହୈ ହୈ କାଣ୍ଡ । ଶହ ଶହ କୁଲୀ, ଗଣ୍ଡା ଗଣ୍ଡା ଟ୍ରକ୍‌, ଓଭରସିଅର୍‌, ଇଂଜିନିଅର୍‌, ଠିକାଦାର.....ଆଉ ସମସ୍ତଙ୍କର ପୁରୋଭାଗରେ ନୀଳୁବାବୁ । ଅବଶେଷରେ ନୀଳୁବାବୁଙ୍କ ଚେଷ୍ଟାରେ ହରିପୁର ସଡ଼କ ଯେ ପକ୍‌କା ହେବାକୁ ଯାଉଛି, ସେଥିରେ କାହାରି ଆଉ ସନ୍ଦେହ ରହିଲା ନାହିଁ । ମାସ ଗୋଟାକରେ ହରିପୁର ସଡ଼କ ପିଚୁ ହୋଇଗଲା । ତା’ ପରକୁ ଗୋପାଳପୁର ଉ.ପ୍ରା. ସ୍କୁଲ ଏମ୍‌.ଇ. ହୋଇଗଲା । କିନ୍ତୁ ଏମ୍‌.ଇ. ସ୍କୁଲ ହେବା ମାତ୍ରେ ସିଦ ପଣ୍ଡିତେ ସେଠାରୁ ବିଦାୟ ନେଇ ଆସିଲେ । ଏବେ କଥା ପଡ଼ିଛି, ହାଇସ୍କୁଲ ହେବ । ନୀଳୁବାବୁ ପୁଣି ଏମ୍‌: ଏଲ୍‌:ଏ: ହେଲେଣି ।

 

ସବୁ ସେଦିନର କଥା ପରି ଲାଗୁଛି । କିନ୍ତୁ ଏଇ ପିଚୁ ସଡ଼କ ମଧ୍ୟ ସିଦ କାନଗୋଇ ସଂସାରରେ ଆଣିଲା ଦିନେ ଦୁର୍ଭାଗ୍ୟର ଦୁଷ୍କାଳ ।

 

ସିଦ କାନଗୋଇ ଗୋଟାଏ ଲମ୍ୱା ଦୀର୍ଘଶ୍ୱାସ ପକାଇ ମନକୁ ମନ କହିଉଠିଲେ....ହଃ, ସବୁ ହେଲା କର୍ମ ! ଭାଗବତରେ ପରା ପଦ କହିଛି, ‘କର୍ମର ମୂଳେ ଏ ଜଗତ ।’ ମଣିଷ ସିନା କର୍ମ କରିବ, ଫଳ ଉପରେ ତାର ଅଧିକାର କାହିଁ ? ସେଦିନ ତାଙ୍କ ପିଣ୍ଡାରେ ଏଇ ତତ୍ତ୍ୱ ପଡ଼ିଥିଲା । ଗୋପୀ ଷଡ଼ଙ୍ଗୀ, ଚେମ ମହାନ୍ତି, ହରି ସ୍ୱାଇଁ ପ୍ରଭୃତି ଗାଁର ଯେଉଁ କେତେଜଣ ଭାଗବତପ୍ରେମୀ ବୁଢ଼ା ସେଠାରେ ଦୋଷଡ଼ା ଖଣ୍ଡେ ଖଣ୍ଡେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କି ବସିଥିଲେ, ସେମାନେ ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି ସେହି ତତ୍ତ୍ୱ ସମର୍ଥନ କରୁଥିଲେ । ସିଦ କାନଗୋଇ କୁଳନନ୍ଦନ ଟୁଙ୍ଖା ପଞ୍ଚମଥର ମାଟ୍ରିକ ପରୀକ୍ଷା ଦେବା ପାଇଁ, ଦାଣ୍ଡଘରେ ବସି ପାଠ ପ୍ରସ୍ତୁତ କରୁଥିଲା । ସେ ପିଣ୍ଡାକୁ ଆସି କହି ଉଠିଲା.....‘‘ମଣିଷ ଗଛ ଲଗାଇଲା, ଫଳ ଫଳିଲା, ସେ ଫଳ ଉପରେ ଅଧିକାର ହେବ ମାଙ୍କଡ଼ର-? ନାଁ କଣ ?’’ ଟୁଙ୍ଖାର ସ୍ୱଭାବ ଏହିପରି ହୁରୁମା । ଗୁରୁଜନ, ମାନ୍ୟଜନ ବିଚାର ତା ପାଖରେ ନାହିଁ; ଯେତେବେଳେ ଯେଉଁ କଥା ମୁଁହକୁ ଆସିଲା । ସିଦ କାନଗୋଇ ପୌଢ଼ ବୟସରେ ଟୁଙ୍ଖାବୋଉର ଅସଂଖ୍ୟ ମନାସ ପରେ ଟୁଙ୍ଖା କାନଗୋଇ କୁଳ ଓ କୋଳ ଉଜ୍ଜ୍ୱଳ କରିଥିବାରୁ, ଉ. ପ୍ରା. ସ୍କୁଲର ଛାତ୍ରସମାଜରେ ‘‘ବାଘ’’ ନାମରେ ପରିଚିତ ସିଦ ପଣ୍ଡିତେ ଟୁଙ୍ଖାର ସବୁ ହୁରୁମାପଣିଆ ମୁହଁ ବୁଜି ସହନ୍ତି; ପାଟି ଫିଟାନ୍ତି ନାହିଁ । ପାଟି ଫିଟାଇଲେ, ଘରଣୀଙ୍କ ଆଡ଼ୁ ଦୈହିକ ଆକ୍ରମଣର ଆଶଙ୍କା ଅତୀତର ଅଭିଜ୍ଞତାରୁ ଦୃଢ଼ତର ହୋଇଛି ।

 

ବୁଢ଼ାମାନେ ଟୁଙ୍ଖା କଥାରେ ଗୁମ୍‌ ମାରି ଦଣ୍ଡେ ବସିଗଲେ । ପିଣ୍ଡା ତଳର ଅନ୍ଧାର ଆଉ ଝିଙ୍କାରୀମାନଙ୍କର ଏକଟଣା ଝିଁ ଝିଁ ଝିଲ୍ଲୀରବ ମଧ୍ୟରେ ଟୁଙ୍ଖାର ପରିହାସ ଅଥଳ ପାଣିରେ ଗୋଟିଏ ଛୋଟିଆ ଗୋଡ଼ି ପରି କେଉଁଆଡ଼େ ବୁଡ଼ିଗଲା । ସିଦ କାନଗୋଇ ମନେ ମନେ ଭାବିଲେ, ଟୁଙ୍ଖାର ଆକ୍ଷେପ ଆପାତ ଦୃଷ୍ଟିରେ ସତ୍ୟ ନିଶ୍ଚୟ । ଏ କାଳ ଲୁଟିଖିଆମାନଙ୍କର କାଳ । କର୍ମ କରିବେ ଦଳେ; କିନ୍ତୁ ବିନା କର୍ମରେ ତାର ଫଳ ଭୋଗ କରିବେ ଅନ୍ୟମାନେ, ପିଢ଼ା ଉପରୁ ଗେଧ ମାଙ୍କଡ଼ ଲାଉଟାଏ କଖାରୁଟାଏ ଛିଣ୍ଡାଇ ନେବାପରି । ତା’ ହେଲେ ‘କର୍ମର ମୂଳେ ଏ ଜଗତ’ କଥାଟା ଠିକ୍‌ ହେଲା ଆଉ କୁଆଡ଼ୁ ? ଫଳ ଯଦି ମାଙ୍କଡ଼ ଖାଇଲା, ସେ ଫଳ ଉପରେ ମଣିଷର ଅଧିକାର ନାହିଁ, ତା’ହେଲେ ମଣଷ ନିଜ କର୍ମଫଳ ଭୋଗିବ କିପରି ?

 

ଚେମ ମାହାନ୍ତି ଏହାର ସମାଧାନ ଦେଇ କହିଲେ....‘‘ମାଙ୍କଡ଼ର କର୍ମରେ ଥିଲା ସେ ଫଳ ଖାଇଲା; ତା’ ବୋଲ ମଣିଷ କର୍ମ କରିବ ନାଇଁ ? ଫଳ ନ ଖାଇବା ଯଦି କର୍ମରେ ଅଛି, ତମେ ଆମେ ହାଇଁପାଇଁ ହେଲେ ସେ ଫଳ ଭୁଞ୍ଜି ପାରିବା ?’’

 

ଚାଳରେ ଗୋଟାଏ ଝିଟିପିଟି ସତ୍‌ ସତ୍‌ କରିଉଠିଲା । ସିଦ କାନଗୋଇ ପ୍ରଭୃତି ଏକା ସାଙ୍ଗରେ କହିଉଠିଲେ, ‘‘ସତ୍‌ ସତ୍‌’’ ! ଗୋଟାଏ ଜଟିଳ ସମସ୍ୟାର ସମାଧାନ ଆପେ ଆପେ ମିଳିଗଲା । ଭାଗବତପଦ ଉପରେ ପୁଣି ପତିଆରା ଫେରିଆସିଲା ।

 

ଏହାପରେ ରାତି, ଅନ୍ଧାର, ତାରା, ଦାଣ୍ଡ ବଉଳଗଛ ଦେହରେ ମାଡ଼ିଥିବା ମଧୁମାଳତୀର ବାସନା, ପିଣ୍ଡା ଉପରେ ମିଞ୍ଜି ମିଞ୍ଜି ଆଲୁଅ, ଭାଗବତ ପଦ, ଆଉ ମଣିଷ ସବୁ ମିଶି ଖଣ୍ଡେ ଘନୀଭୂତ ଶାନ୍ତିରେ ପରିଣତ ହୋଇ ପଡ଼ିଲେ । ଏହା ଭିତରେ ଆଜି ଦିନର ବ୍ୟଥାଟି ଆଉ ବାଧିବ ନାହିଁ, ଆସନ୍ତା କାଲିର ବାଞ୍ଚନା ମଧ୍ୟ ଆଉ କାଟିବ ନାହିଁ । ଚେମ ମହାନ୍ତି ହାତମୁଠା ମଧ୍ୟରେ ନିଭିଆସିଥିବା ଚିଲମ ନଳୀଟି ଦୁଇଗାଲ ଠାକରା କରି ଓଠରେ ଲଗାଇଲେ ।

 

ଟୁଙ୍ଖା କିନ୍ତୁ ଏ ସରଳ ସତ୍ୟଟି ବୁଝିଥିଲେ, ଆଜି କଣ ହା-ହୁତାଶ କରି ଟ୍ରକ୍‌-ଡ୍ରାଇଭରୀ କରୁଥାନ୍ତା ? ରୋଜଗାର ସବୁ ମଦ ମାଇକିନାରେ ଉଡ଼ାଉଥାନ୍ତା ? .....ସିଦ କାନଗୋଇ ସେଇ କଥା ମନେ ମନେ ଗୁଣି ହେଉଥିଲେ !

 

ହାୟରେ.....କାନଗୋଇ ବଂଶର କୁଳପ୍ରଦୀପ ଟୁଙ୍ଖା ଶେଷକୁ ଟ୍ରକ୍‌ଡ୍ରାଇଭର ହେଲା ! ସିଦ କାନଗୋଇ ବଂଶ ପଣ୍ଡିତ ବଂଶ ! ଏ ବଂଶରେ ସିନା ଧନ ନ ଥିଲା, କିନ୍ତୁ ବିଦ୍ୟା ଆଉ ମାନ ଥିଲା ପ୍ରଚୁର । ଘରେ ପେଡ଼ି ପେଡ଼ି ପୋଥି । ସିଦ କାନଗୋଇ ବାପେ ଗୋପୀନାଥ କାନଗୋଇଙ୍କୁ ଏ ଅଞ୍ଚଳଖଣ୍ଡରେ ନ ଜାଣେ କିଏ ? ଟୋଲ ପଣ୍ଡିତ ଥିଲେ ଇଚ୍ଛାପୁର ଅଧିକାରୀଙ୍କ ମଠରେ । ଗାଦି ଗାଦି ପୋଥି ଉତାରି ଯାଇଛନ୍ତି; ସେଥିରେ ମଧ୍ୟ ଠାଏ ଠାଏ ଲେଖିଯାଇଛନ୍ତି ‘‘ହରି ହେ ଗଞ୍ଜେଇ କଷ୍ଟ’’....ପୋଥି ଲେଖୁ ଲେଖୁ ଯେଉଁଠି ଗଞ୍ଜେଇ ସରି ଯାଇଛି । ତଥାପି ଏଇ ପୋଥି ସବୁ ବରଣ ହୋଇ ନ ଗଲେ ସେ ଅଞ୍ଚଳରେ ଭାଗତ ମେଲଣ ବଢ଼େନାହିଁ । ଟୁଙ୍ଖା ସେଇ ବଂଶର ହେଲେ କ’ଣ ହେବ, ବିଦ୍ୟା ସହିତ ତାର ଅହିନକୁଳ ସମ୍ପର୍କ । ଥରଥର ହୋଇ ଚାରିଥର ମାଟ୍ରିକ ଫେଲ୍‌ ହେଲା । ଶେଷଥର ପରୀକ୍ଷାକେନ୍ଦ୍ରକୁ ଗଲାବେଳେ ଅଣ୍ଟାରେ ଖୋଷି ନେଇଥିଲା ପଦେ ଦାଢ଼ୁଆ ଛୁରୀ, ପଢ଼ାବହିର ଛଇଣ୍ଡା ପୃଷ୍ଠାସବୁ, କପି କରିବା ପାଇଁ ।

 

‘‘ପରୀକ୍ଷାରେ ଏ ଛୁରୀ କଣ ହେବ ରେ ଟୁଙ୍ଖା ?’’ ....ସିଦ କାନଗୋଇ ପଚାରିଥିଲେ ।

 

ଟୁଙ୍ଖା ଦାନ୍ତ କଡ଼ମଡ଼ କରି ଜବାବ ଦେଇଥିଲା, ‘‘କପି ଧରିଲେ ଆଜି ମାଷ୍ଟରର ଦିନେ କି ମୋର ଦିନେ !’’

 

ଦାଢ଼ୁଆ ଛୁରୀ ଆଉ କପି କାଗଜ ସତ୍ତ୍ୱେ, ପଞ୍ଚମ ଥର ମଧ୍ୟ ଟୁଙ୍ଖା ମାଟ୍ରିକ୍‌ ପରୀକ୍ଷାରେ ପାଚେରି ଡେଇଁପାରିଲା ନାହିଁ !

 

ସିଦ କାନଗୋଇ ମନକୁ ମନ ନିଜକୁ ସାନ୍ତ୍ୱନା ଦେଲେ....ଟୁଙ୍ଖା ସିନା କର୍ମ କରିବ, ଅଣ୍ଟାରେ ଛୁରୀ ଖୋଷି ପରୀକ୍ଷା ଦେବାକୁ ଯିବ, ହେଲେ ଫଳ ଉପରେ ତାର ଅଧିକାର କାହିଁ ? ......ଠିକ୍‌ ଅଛି !

 

ସିଦ କାନଗୋଇ ଟୁଙ୍ଖାକୁ ସେଇକଥା ବୁଝାଇ କହିଲେ.....‘‘କର୍ମରେ ଯେତେକାଳ ଥିଲା, ପାଠପଢ଼ି ପରୀକ୍ଷା ଦେଲ, ଏଥର ପଢ଼ିବା ଛାଡ଼ି ପଢ଼ାଅ ! ଗାଁ ନି.ପ୍ରା. ସ୍କୁଲକୁ ନୀଳୁବାବୁ ଗୋଟାଏ ନୂଆ ଷ୍ଟାଇପେଣ୍ଡ୍‌ ଦେଇଛନ୍ତି ! ସେଇଠି ମାଷ୍ଟର ହୋଇ ବସ ! ଘରପୁଅ ଘରେ ରହିବ ! ବିଦେଶକୁ ଯିବା ଆମର ଦରକାର ନାହିଁ !’’

 

ଟୁଙ୍ଖା ମୁହଁରୁ ଭଣଭଣ ମଦଗନ୍ଧ ବାହାରୁଥିଲା । ହରିପୁର-ରୋଡ଼ରେ ପୀତେଇ ହାଟ-ଛକରେ ପହଲା ଜେନା ଯେଉଁ ଚା’ ଦୋକାନ ଖୋଲିଛି, ସେଠାରେ ଏବେ ଚାଉଳୀ ମଦ ବିକ୍ରି ହେଲାଣି । ବଡ଼ସଡ଼କର ଟ୍ରକ୍‌ ଡ୍ରାଇଭରମାନେ ସେଠାକୁ ଆସି ଚାଉଳୀ ମଦ ପିଅନ୍ତି, ମାତ୍‌ଲାମୀ କରନ୍ତି । ହାଟପଦାର କୁଡ଼ିଆମାନଙ୍କରେ ଗିଲଟି ଚୁଡ଼ି ଖଡ଼ୁ ମଧ୍ୟ ଥରେ ଥରେ ରାତିରେ ଝଣଝାଣ ହେବା ଖୁବ୍‌ ଶୁଣାଗଲାଣି । ସେଦିନ ରାତିରେ ପୀତେଇ ଗାଁରେ ଭୋବନି ରାଉତ ଘରେ ତ୍ରିନାଥ ମେଳାରୁ ସିଦ କାନଗୋଇ ଆଉ ତାଙ୍କ ଭାଗବତିଆ ପଞ୍ଝା ମେଳା ଶେଷରେ ହାଟପଦା ଭିତରେ ପଶି ହରିପୁର-ରୋଡ଼ ଉପରକୁ ଉଠୁଥିଲେ । ନିଛାଟିଆ ହାଟପଦାରେ ଚୁଡ଼ି ଖଡ଼ୁ ଝଣଝାଣ ଶୁଣି, ପିତାଶୁଣୀ, ଚିରଗୁଣୀ ହୋଇଥିବେ ଭାବି, ହାଉଳି ଖାଇ ସେମାନେ ପହଲା ଜେନା ଦୋକାନ ଆଡ଼କୁ ଧାଇଁଲେ । ପହଲା ଜେନା ଦୋକାନ ପିଣ୍ଡାରେ ଯେଉଁ କେତେଜଣ ଅଚିହ୍ନା ଲୋକ ବସିଥିଲେ, ସେମାନେ ସିଦ କାନଗୋଇ ଦଳର ଛାନିଆଁ ଦେଖି, ହସି ହସି ବେସମ୍ଭାଳ । ପହଲା ଜେନା ମଧ୍ୟ ସେମାନଙ୍କ ସହିତ ହସ ମିଳେଇ କହିଲା ‘‘ମଉସା, ପିତାଶୁଣୀମାନଙ୍କ ଦୃଷ୍ଟି ତୁମମାନଙ୍କ ଉପରେ ପଡ଼ି ନାହିଁ ତ !’’

 

ପରେ କିନ୍ତୁ ପିତାଶୁଣୀମାନଙ୍କର ଉଦନ୍ତ ସିନା ଜଣା ପଡ଼ିଲା । କୌଣସି କୌଣସି ଗୃହସ୍ଥ ଘରର ଝିଅ ବୋହୂ ଏବେ ରାତିରେ ପିତାଶୁଣୀ ହୋଇ ବାହାରୁଛନ୍ତି । ଟୁଙ୍ଖା ମଧ୍ୟ ପହଲା ଜେନା ଦୋକାନରେ କେତେଥର ଦେଖାଦେଲାଣି ! ସେଥିପାଇଁ ଟୁଙ୍ଖା ମୁହଁରୁ ଏବେ ଦିନେ ଦିନେ ଚାଉଳୀ ମଦର ଖଟା ଦୁର୍ଗନ୍ଧ ବାହାରିଥାଏ ।

 

ଗାଁ ନି.ପ୍ରା, ସ୍କୁଲରେ ମାଷ୍ଟର ହେବା ପରାମର୍ଶ ଶୁଣି ଟୁଙ୍ଖା ଗୋଟାଏ ଆମ୍ୱିଳିଆ ହାକୁଟି ମାରି, ଚିତ୍କାର କରି ଉଠିଲା.....‘‘ମୁଁ ଶଳା ଏଲ.ପି. ମାଷ୍ଟର ହେବି, ଷାଠଏ ଟଙ୍କା ଦରକାରେ ? ମୁଁ ବଡ଼ଲୋକ ହେବି, ହଜାର ହଜାର ଟଙ୍କା କେମେଇବି !’’

 

ସିଦ କାନଗୋଇ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କହିଲେ.....‘‘ଆରେ ଦୁନିଆଁରେ ଟଙ୍କା କମେଇ ସିନା ଧନିଲୋକ ହୁଅନ୍ତି, ବଡ଼ଲୋକ ହେବାର ବାଟ ସିଏ ନୁହେଁ ! ବଡ଼ଲୋକ କୋଟିକରେ ଜଣେ ସିନା !’’

 

ଟୁଙ୍ଖା ଖିଙ୍କାରି ଉଠିଲା....‘‘ଯାଃ, ମୁଁ ଶଳା ସେଇ ଧନିଲୋକ ହେବି ! କୈଳାସ ମିଶ୍ର, ଅଷ୍ଟମ ଶ୍ରେଣୀ ପାଠ ପଢ଼ି ମାଟିଆ ଠିକାଦାର ପାଖରେ ‘ପେଟୀ’ ହେଉଁ ହେଉଁ, ଏବେ ‘ଏ’ କ୍ଳାସ ଠିକାଦାର । ଦୁଆରେ ଚାରିଟା ଟ୍ରକ୍‌ ହାତୀ ପରି ବନ୍ଧା ହୋଇଛି । ମୁଁ ସେଇ ପେଟୀ ହେବି !’’

 

କିନ୍ତୁ ଟୁଙ୍ଖା ପେଟୀ ହେଉଁ ହେଉଁ ହେଲା ଟ୍ରକ୍‌ ଡ୍ରାଇଭର । ଥରେ ଥରେ ରାତିରେ ମାତାଲ ହୋଇ ଘରକୁ ଫେରେ । ତା’ ବୋଉ ପାଖରେ ଖୁବ୍‌ ଗୁଡ଼ାଏ ଅକାରଣରେ କାନ୍ଦେ, ବାନ୍ତି ଉଚ୍ଛାଳ କରେ, ପିଲାବେଳେ ଯେମିତି ବେକ ଭାଙ୍ଗି ନିଘୋଡ଼ ଶୋଇ ପଡ଼ୁଥିଲା, ସେହିପରି ଶୋଇପଡ଼େ କିନ୍ତୁ ରାତି ପାହାନ୍ତାରୁ ଟୁଙ୍ଖା ପୁଣି ଉଭାନ୍‌ । ସକାଳକୁ ଟୁଙ୍ଖାବୋଉ ଗହଣାଟାଏ, ନୋହିଲେ କଂସା ଲୋଟାଟାର ପତ୍ତା ଆଉ ପାଏନାହିଁ ।

 

ଟୁଙ୍ଖାବୋଉ ସେ ଦିନମାନଙ୍କରେ ଗୁଡ଼ାଏ ବାହୁନେ, ମୁଣ୍ଡ ପିଟେ, ସିଦ କାନଗୋଇଙ୍କୁ ଗୁଡ଼ାଏ ଗାଳିଦିଏ,.....ଏପରି ଅପଦାର୍ଥର ହାତ ଧରିବା ଆଗରୁ ମରଣ ହେବା ଉଚିତ ଥିଲା ବୋଲି ଗୁଡ଼ାଏ ହା-ହୁତାଶ କରେ । ସିଦ କାନଗୋଇ ସେଥିରେ କିନ୍ତୁ ଆଦୌ ବିଚଳିତ ହୁଅନ୍ତି ନାହିଁ ।

 

ଟୁଙ୍ଖାବୋଉ ମାଇପି ଲୋକ, କିଛି ବୁଝିପାରୁ ନାହିଁ । ମନସ୍ତାପ କରୁଛି । ଥିଲେ ତ ସେଇ ଟୁଙ୍ଖା ଭୋଗ କରିଥାନ୍ତା ! ସେଇ ଟୁଙ୍ଖା ଏବେ ଭୋଗକଲା ତ ! ଆଉ କଣ ? ସେଥକୁ ଏତେ କାନ୍ଦ ବୋବାଳି କାହିଁକି ? ଆମେ କଣ ସାଙ୍ଗରେ ଏଗୁଡ଼ା ମଶାଣିକୁ ନିଅନ୍ତେ ?

 

ସିଦ କାନଗୋଇ ନିତାନ୍ତ ଅନାସକ୍ତ ଭାବରେ ଗୋଟିଏ ହାତରେ ବାଛୁରୀ ପଘା ଧରି, ଆର ହାତରେ ଟୋକେଇଟିଏ ଆଉ ଖୁରୁପୀ ଖଣ୍ଡେ କାଖେଇ ଗୋ’ ସେବା ପାଇଁ ବାହାରିଯାନ୍ତି ।

 

ତାଙ୍କ ଗୋସେବାର କ୍ଷେତ୍ର ଶୁକୁନଈ ପୋଲ ପାଖରେ ସଡ଼କ ତଳେ, ଛନଛନିଆଁ ସେଇ ଘାସ ପଡ଼ିଆ । ଦିନେ ସେଇଠାରେ ସିଦ କାନଗୋଇଙ୍କୁ ଘାସ ତାଞ୍ଛୁଥିବା ଦେଖି ଟୁଙ୍ଖା ତାଙ୍କୁ ମାରେ କି ନ ମାରେ ! ଛି-ଛି-ଶେଷକୁ ଘାସ ତାଞ୍ଛିବାକୁ ଥିଲା !—ତମର ତ ଜୀବନରେ ଉଚ୍ଚାଆଙ୍କାଂକ୍ଷା ନାହିଁ, ବଡ଼ ହେବାର ଅଭିଳାଷ ନାହିଁ । ତମରିମାନଙ୍କ ଯୋଗୁ ଏ ଦେଶର କିଛି ଉନ୍ନତି ହୋଇପାରିଲା ନାହିଁ ।

 

ସିଦ କାନଗୋଇ ଟୁଙ୍ଖା କଥା ନ ଶୁଣିବା ପରି କଣ୍ଠରେ କହିଲେ.....‘‘ଯା, ଯା, ଘରକୁ ଯା, ତୋ ପାଇଁ ବୋଉ କାନ୍ଦିକାଟି ଅସ୍ଥିର !’’

 

ଟୁଙ୍ଖା କିନ୍ତୁ ପହଲା ଜେନା ଦୋକାନ ଆଡ଼େ ସାଇକେଲ ଛୁଟାଇ ଦେଲା ।

 

ମାତ୍ର ଟୁଙ୍ଖା କଥାଟା ତାଙ୍କ ମନରୁ ଗଲା ନାହିଁ । ସତେ ତ ଜୀବନରେ ତାଙ୍କର ଉଚ୍ଚାଆକାଂକ୍ଷା କଣ ହେବା ଉଚିତ ? ସିଦକାନଗୋଇ ସ୍ଥିର କରି ପାରିଲେ ନାହିଁ । କେତେଦିନ ପରେ ଏଇ ପୋଲ ଉପରେ ରତରତିଆ ମୁହଁସଞ୍ଜବେଳେ ଦିନେ ସିଦ କାନଗୋଇ ଭାଗବତୀ ଦଳ ଏକାଠି ହୋଇଥିଲେ ।

 

ଟୁଙ୍ଖାର ରୁଢ଼ କଥାରେ କାନଗୋଇଙ୍କ ମନରେ ଆଘାତ ହୋଇଥିଲା । ଭାଗବତୀ ବନ୍ଧୁମାନଙ୍କ ଆଗରେ ସେ ଦୁଃଖ ଫେଡ଼ି ନ କହିଲେ ଦୁଃଖଭାର ମନରୁ ଯିବନାହିଁ । କିନ୍ତୁ ଜୀବନରେ ଉଚ୍ଚାଆକାଂକ୍ଷା କଣ ହେବା ଉଚିତ ? ସେମାନେ ମଧ୍ୟ ତାହାର କୌଣସି ସଦୁତ୍ତର ଦେଇପାରିଲେ ନାହିଁ ।

 

ଗାଁ ମୁଣ୍ଡର ଏଇ ସିମେଣ୍ଟ ପୋଲ ଉପରେ ବୈଠକି, ତ୍ରିନାଥ ମେଳା, କିଛି ଶାସ୍ତ୍ରଚର୍ଚ୍ଚା, ଚିଲମେ ଗଞ୍ଜେଇ ଆଉ ଦୁଇଓଳି ଦୁଇମୁଠି ଶାକାନ୍ନ, ଏତିକି ତ ଯଥେଷ୍ଟ....ନା କଣ କହୁଚ ଚେମାଇ-? ....ଗୋପୀ ଷଡ଼ଙ୍ଗୀ ଗଞ୍ଜେଇ ଚିଲମ୍‌ଟିକୁ ବନ୍ଧୁକ ନଳୀ ପରି ସଫା କରୁ କରୁ ପଚାରିଲେ-। ଚେମ ମାହାନ୍ତିଙ୍କୁ ହାଇ ପରେ ହାଇ ଆସୁଥିଲା । ସେ କିଛି ଉତ୍ତର ନ ଦେଇ ଗୁଡ଼ାଏ ଆଙ୍ଗୁଠି ଫୁଟାଇ କେବଳ ରାମ୍‌ ରାମ୍‌ କହି ହେବାରେ ଲାଗିଲେ । ମାତ୍ର ହରି ସ୍ୱାଇଁଙ୍କ ମନକୁ ଏ ଉତ୍ତର ପାଇଲା ନାହିଁ । ସେ କହିଲେ.....‘ଟୁଙ୍ଖା ପିଲା ହେଲେ କଣ ହେଲା ? ୱାଜିବ୍‌ କଥା କହିଛି । ଦେଶରେ ବଡ଼ଠାରୁ ଛୋଟ ଯାଏଁ ସମସ୍ତେ କହୁଛନ୍ତି, ଯୋଜନା କରି ଦେଶକୁ ବଢ଼ାଅ, ଆଗାଅ.....ଆଉ ତମେ ଘାସ ତାଞ୍ଛିଲେ ଦେଶ ବଢ଼ିବ କିପରି ହୋ ?’’

 

ସିଦ କାନଗୋଇ ତାଚ୍ଛଲ୍ୟପୂର୍ଣ୍ଣ କଣ୍ଠରେ ଉତ୍ତର ଦେଲେ.....‘‘ତାହେଲେ କଣ ଠିକାଦାର, ଟ୍ରକ୍‌ଡ୍ରାଇଭର ହେଲେ ଦେଶ ବଢ଼ିବ ? ପହଲା ଜେନା ପରି ଚାଉଳୀ ମଦ ଚୋରାରେ ବିକିଲେ ଦେଶ ଆଗେଇବ ? ଯୋଜନା ତ ତମର ଏଇ ସଡ଼କ, ନାଁ ଆଉ କଣ ? କିନ୍ତୁ ହେଇଟି, ମୁଁ କହିଦଉଚି ଯୋଜନା ସଡ଼କ ତିଆରି ନୁହେଁ, ଯୋଜନା ହେଲା ମଣିଷ ତିଆରି । ସଡ଼କ ହେଲା, ସେଥିରେ ତମର ଆମର କଣ ଗଲା ହୋ ? ସହରିଆ ବେପାରୀମାନଙ୍କର ବଣିଜ ବଢ଼ିଲା, ଠିକାଦାରର ଲାଭ ହେଲା, ମଟରଗାଡ଼ୀ, ସାଇକଲବାଲାଙ୍କ ସୁବିଧା ହେଲା । କିନ୍ତୁ ଏଇ ସଡ଼କ ମଧ୍ୟ ଆଣି ଦେଲା, ବିନା କର୍ମରେ ଫଳ ଭୋଗର ନିଶା, ଚାଉଳୀ ମଦ, ଆଉ ସଞ୍ଜ ନ ପଡ଼ୁଣୁ ପହଲା ଜେନା ଦୋକାନ ପଛରେ ବ୍ୟଭିଚାର ! ଏଇ ତ ହେଲା ତମର ଯୋଜନା, ନାଁ ଆଉ କଣ-?’’

 

ସିଦ କାନଗୋଇ କଥାଟା କହିପକାଇ ହଠାତ୍‌ ଥମକି ରହିଗଲେ ।

 

ପହଲା ଜେନା ଦୋକାନ ପାଖରେ ତାଙ୍କ ଅଭିଆଡ଼ୀ ଝିଅ ପାର୍ବତୀକୁ ମଧ୍ୟ ଗାଁ ଲୋକେ କୁଆଡ଼େ ଥରେ ଅଧେ ଦେଖିସାରିଲେଣି । ଏ ଖବର ଶୁଣି ଘାସ ତାଞ୍ଛୁ ତାଞ୍ଛୁ ସିଦ କାନଗୋଇ ମନେ ମନେ ଭାବୁଥିଲେ, ମା ଧରଣୀ ଦ୍ୱିଧା ହୋଇଯା ! ଏ କଥା ପୁଣି ଶୁଣିବାକୁ ଥିଲା ! ହଉ, ଇଏ ବି ପାର୍ବତୀର କର୍ମ କଥା ! ଝିଅଟାର ବୟସ ବଢ଼ି ବଢ଼ି ଚାଲିଛି । ପାତ୍ର ମିଳୁ ନାହାନ୍ତି । ପାତ୍ର ମିଳିଲେ ଜାତକ ଶୁଜୁ ନାହିଁ । ଜାତକ ଶୁଜିଲେ ଯୌତୁକ ସମ୍ୱଳ ମିଳୁ ନାଇଁ ।

 

ସେଦିନ ମୁହସଞ୍ଜ ବେଳେ ପାର୍ବତୀ ଖଣ୍ଡେ ସିଲକ୍‌ ଶାଢ଼ି ପିନ୍ଧି, ପାଦରେ ଅଳତା ନାଇ, ପାନ ଚୋବାଇ ଚୋବାଇ ବାହାରିଥିଲା, ହାଟପଦାରେ ଯେଉଁ ସର୍କସ୍‌ ପଡ଼ିଛି ଦେଖିବା ପାଇଁ !

 

ସିଦ କାନଗୋଇ ଦାଣ୍ଡରେ ଗୋରୁ ପିଆଉଥିଲେ । ପାତଳ କୁହୁଡ଼ି ଚାଳମାନଙ୍କରୁ ଉଠୁଥିବା ଘଷିଧୂଆଁ ଆଉ ଜହ୍ନିଫୁଲର ଗନ୍ଧ ସହିତ ମିଶି ଗାଁ ଉପରେ ଖେଳେଇ ଯାଉଥିଲା । ସବୁଆଡ଼େ ଶାନ୍ତି ଆଉ ସ୍ତବ୍‌ଧତାର ଚିତ୍ର । ହଠାତ୍‌ ଘରଆଡ଼ୁ ଫଟା କଂସା ପରି ଟୁଙ୍ଖାବୋଉର ଚିତ୍କାର ଶୁଭିଲା....‘‘ଏ ମୁହଁସଂଜୁଟାରେ ତୁ ଏକୁଟିଆ ଝିଅଟା ଭେଶ ହୋଇ ସର୍କସ୍‌ ଦେଖିବାକୁ ଯିବୁ-?’’

 

ପାର୍ବତୀ ସେହିପରି କଣ୍ଠରେ ଜବାବ ଦେଲା....‘‘ସାଙ୍ଗରେ ଆଉ ଗୋଟାଏ ଆଣି ଦଉନୁ-! କିଏ ମନାକରୁଛି ? ଆଉ କଣ ମୁଁ ବୁଢ଼ୀ ହେଲେ ଯାଇଁ ଦବୁ ?’’

 

କଳେ ପାନଛେପ ପକାଇ ପାର୍ବତୀ ଚଟୀ ଘୋଷାଡ଼ି ଘୋଷାଡ଼ି ଗାଁ ଦାଣ୍ଡରେ ବାହାରିଗଲା । ସମ୍ପ୍ରତି ସେ ନାରୀ-କର୍ମୀ, ସେବିକା । ସିଦ କାନଗୋଇ ମୁଣ୍ଡ ଆଉରି ତଳକୁ ନୁଆଇଁ କୁଳୁଚି ଗୋଳେଇବାରେ ଲାଗିଲେ ।

 

ଟୁଙ୍ଖାବୋଉ କାଳିଶୀ ଲାଗିଲା ପରି ସିଦ କାନଗୋଇ ପାଖକୁ ଦଉଡ଼ି ଆସି ଚିତ୍କାର କଲେ.....‘‘କାନରେ ପଥର ପକାଇ ଏଠି ଥୁଣ୍ଟା ପରି ବସିଥାରେ ଅଳପେଇଷିଆ; ଝିଅ ତେଣେ ଖାନିକୀ ହୋଇ ଗାଁ ଦାଣ୍ଡରେ ଯାଉ !’’

 

ପାଖରେ ଖଣ୍ଡେ ଦଉଡ଼ି ପଡ଼ିଥିଲା; ଟୁଙ୍ଖାବୋଉ ସେଇ ଦଉଡ଼ି ଖଣ୍ଡ ଉଠାଇ ସିଦ କାନଗୋଇ ପିଠିରେ ପାହାର ଲାଛି ଦେବା ଅସମ୍ଭବ ନୁହେଁ । ସିଦ କାନଗୋଇ ସାବଧାନରେ ସେ ଦଉଡ଼ି ଖଣ୍ଡ ଆୟତ୍ତ କରି କହିଲେ.....‘‘ଯା ଯା, ଖଞ୍ଜା ଭିତରକୁ ଯା । ଘର ଲାଜ ଘରେ ରହୁ । ଦାଣ୍ଡ ଲୋକ ଶୁଣିଲେ ଆଉରି ହସିବେ !’’

 

ପାର୍ବତୀ ଦିନେ ରାତିରେ ଏଇ ସଡ଼କରେ ଅକୁଳରେ ଚାଲିଗଲା !

 

କିନ୍ତୁ ଏସବୁ ଏପରି ନଥିଲା ତ ! କିଆ ଗୋହିରୀ, ମଶାଣି ଦଣ୍ଡା, ଭୂତିଆରୀ ବଣ ଆଉ ବାଉଁଶଜଙ୍ଗଲଘେରା ଏଇ ଗାଁମାନଙ୍କର କୋଣେ କୋଣେ, ଦାରିଦ୍ର୍ୟ, ଶୋଷଣ, ଅଜ୍ଞତା ଭରି ରହିଥିଲା ସତ; ମାତ୍ର ତାରି ଭିତରେ କର୍ମ ଅକର୍ମର ଧାରଣା, ଜୀବ ପ୍ରତି ଦୟା ଓ ସହାନୁଭୂତି, ପୁଣି ଶତ ଦାରିଦ୍ର୍ୟ ମଧ୍ୟରେ ସୁଦ୍ଧା ଶୁଭ୍ର, ଅମଳିନ ଜୀବନର ଭାବନା । ଆଜି ସେ ସବୁ କିଆଗୋହିରୀ ଛାୟାନିବିଡ଼ ଆମ୍ୱତୋଟା ଭୂତିଆରୀ ବଣ ଅବଶ୍ୟ ନାହିଁ । ତା ସ୍ଥାନରେ ଆସିଛି ପିଚୁଢ଼ଳା ସଡ଼କ, ସିମେଣ୍ଟଯୋଡ଼େଇ ପୋଲ ଆଉ ଟେଲିଗ୍ରାଫ ତାରଖୁଣ୍ଟି ! ମାତ୍ର ସେଥି ସଙ୍ଗେସଙ୍ଗେ ସେଇ ସଡ଼କରେ ମଧ୍ୟ ବିଦାୟ ନେଇ ଯାଇଛି, ଶାନ୍ତି ଓ ସେଥିପାଇଁ ଯାହା ଅପରିହାର୍ଯ୍ୟ-ନିଷ୍ପାପ ଜୀବନବୋଧ !

 

ଆଉ ଟିକକୁ ଧାନ ଗହୀର ସେପଟେ ତାଳବଣି ଉହାଡ଼ରେ ସୂର୍ଯ୍ୟ ବୁଡ଼ିଯିବେ । ପବନଟା ଦେହକୁ ଶୀତୁଳିଆ ଲାଗିଲାଣି । କୁହୁଡ଼ିର ଗୋଟାଏ ପର୍ଦ୍ଦା ଚାରିଆଡ଼େ ନଇଁ ଆସିଲାଣି । ଟ୍ରକ୍‌ ଗୋଟାଏ ଆଉ ଦୁଇଟା ଟ୍ୟାକ୍‍ସି, ସଡ଼କରେ ଗୁଡ଼ାଏ ଧୂଳି ଉଡ଼ାଇ ଆଗପଛ ହୋଇ ଚାଲିଗଲେ । ପହଲା ଜେନା ଦୋକାନ ପିଣ୍ଡାରେ ଅବିକା ଗରାଖଙ୍କ ଗହଳି ବଢ଼ିବ । ସାଇକଲ୍‌ ଗୁଡ଼ାଏ ମଧ୍ୟ ସାଇଁ ସାଇଁ ଶବ୍ଦ କରି ସେଇଆଡ଼େ ଚାଲିଗଲା ।

 

ମୋଟା ଲେନ୍‌ସର ଚଷମା କାଚ ତଳୁ ଦୁଇଟି ଶେତା ନିଷ୍ପ୍ରଭ ଆଖି ମେଲି ଶୂନ୍ୟଦୃଷ୍ଟିରେ ପ୍ରଗତି ଓ ଯୋଜନାର ସେହି ପଟୁଆର ଆଡ଼େ ସିଦ କାନଗୋଇ ଚାହିଁ ରହିଥିଲେ । ହଠାତ୍‌ ସେ ଯେପରି ଗାଁ ଲେଉଟାଣି ବାଟ ଭୁଲି, କେଉଁ ଅଚିହ୍ନା ସଡ଼କ ଧାରରେ ବାଟ ପଚାରିବା ପାଇଁ ଠିଆ ହୋଇ ଯାଇଥିଲେ । କାନଗୋଇ ସାହୀ ଦାଣ୍ଡର ନଡ଼ିଆ ବାଉଙ୍ଗାମାନଙ୍କରେ ଅସ୍ତସୂର୍ଯ୍ୟ ଯେପରି ମୁଠା ମୁଠା ଅବିର ବୋଳି ଦେଇ ଯାଉଥିଲା !

 

ପାଖରେ ଗୋଟାଏ ସାଇକଲ ବ୍ରେକ୍‌ କଷି ଠିଆ ହେବାରୁ ସିଦ କାନଗୋଇ ଚେତା ଫେରିଲା । ସାଇକଲ ଚଢ଼ାଳୀ ତାଙ୍କ ଗାଁର ବସନ୍ତ, ଟୁଙ୍ଖା ସାଙ୍ଗରେ ପାଠ ପଢ଼ୁଥିଲା । ସେ ମଧ୍ୟ ମାଟ୍ରିକ୍‌ ଫେଲ୍‌ ହୋଇ ଗୋଟାଏ ବ୍ୟବସାୟ ଫାନ୍ଦିଛି....ସିମେଣ୍ଟ ପରମିଟରେ କିଳାପୋତେଇ । ସେଥିପାଇଁ ସବୁଦିନେ ସହରକୁ ଯିବାଆସିବା ତାର ଲାଗି ରହିଥାଏ ।

 

ବସନ୍ତ ଓଠରୁ ସିଗାରେଟ ଖଣ୍ଡେ ତଳେ ଫିଙ୍ଗିଦେଇ କହିଲା.....‘‘ମଉସା, ଟୁଙ୍ଖାଇକୁ ଶଳା ପୁଲିସ ଧରି ନେଇଛନ୍ତି । ତମେ ଯାଅ ଜାମିନରେ ଆଣିବ ।’’

 

ଟୁଙ୍ଖାକୁ ପୁଲିସ ଧରିନେଲା । ଜାମିନରେ ସେ ପୁଣି ଆଣିବେ କଣ ଓ କିପରି ? ସିଦ କାନଗୋଇ କିଛି ବୁଝିପାରିଲେ ନାହିଁ । ମୋଟା ଲେନସ୍‌ର କାଚ ତଳେ ତାଙ୍କର ଆଖି ଦୁଇଟି ମାଛର ଗୋଲ ଗୋଲ ଆଖି ପରି ବିଷଣ୍ଣ ହୋଇ ଉଠିଲା ।

 

ବସନ୍ତ କହିଲା.....‘‘ଟୁଙ୍ଖାର ଟ୍ରକ୍‌ ଚଳାଉ ଚଳାଉ ଚାପାରେ ଗୋଟାଏ ବୁଢ଼ାକୁ ମାରି ଟ୍ରକ୍‌ ନେଇ ଛୁ’ ମାରୁଥିଲା । ପୁଲିସ ତାକୁ ଗିରଫ କରିଛି ।’’

 

ବସନ୍ତ ସାଇକଲ୍‌ ଛୁଟାଇଦେଲା ।

 

ପୁଣି ଗୁଡ଼ାଏ ଟ୍ରକ୍‌ ସାଇକଲ ଆଉ ଟ୍ୟାକ୍‍ସି ରାସ୍ତା ଉପରେ ଧୂଳିର ଝଡ଼ ଉଡ଼ାଇ ଚାଲିଗଲେ । ଟୁଙ୍ଖା ଶେଷକୁ ମଣିଷ ମରିଲା ?

 

ଅନେକ ଗଭୀରରୁ ବାହାରି ଆସୁଥିବା ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସୁଆସୁ ହଠାତ୍‌ କେଉଁଠି ଯେପରି ଅଟକି ରହିଗଲା ।

 

ସିଦ କାନଗୋଇ ଘାସ ଟୋକେଇଟି କାଖତଳେ ଧରି ବିଲ ଗୁଳା ଭିତରକୁ ଗଡ଼ିଲେ ।

 

ବାଛୁରୀଟା ଖୁଣ୍ଟରୁ ଫିଟାଇ ନେବାକୁ କିନ୍ତୁ ସେ ଭୁଲି ଯାଇଥିଲେ ।

 

ବାଛୁରୀଟା ଖୁଣ୍ଟରେ ବନ୍ଧା ରହି ହମ୍ୱାରଡ଼ି ପକାଇଥିଲା; କିନ୍ତୁ ବାଛୁରୀର ହମ୍ୱାରଡ଼ି ସିଦ କାନଗୋଇ ଯେପରି ଶୁଣିପାରୁ ନଥିଲେ ।

Image

 

Unknown

ଜହ୍ନିଲଟା

 

କଣ୍ଟେଇକୋଳି, ଭୂଇଁ ବରକୋଳି, ନାଗଅଇରୀ ଆଉ ଅରଖ ବୁଦାରେ ନେସାନେସି ସେଇ ଅରମା ଖଣ୍ଡ ଡେଇଁଗଲେ, ଡାକେ ଛଡ଼ାରେ ସିଦ୍ଧେଶ୍ୱର ହାଟ.....ଗୋଡ଼ିବାଣପୁର ଗାଁ ମୁଣ୍ଡରେ । ଆମ୍ୱତୋଟା ଗହଳିରେ ସିଦ୍ଧେଶ୍ୱର ହାଟ, ଆଖିରେ ଆଖିଏ ଛାଇଛାଇଆ ନିଦପରି ଜାଲଜାଲୁଆ ଦିଶୁଛି ।

 

ନଦୀ ବନ୍ଧ ଗଡ଼ାଣିରୁ ଗୋଡ଼ିବାଣପୁର ଦଣ୍ଡାରେ ଗଡ଼ିଲା ବେଳୁ ଚକ୍ରଧର ଦାସେ ଦୀର୍ଘନିଃଶ୍ୱାସ ପକାଇ ବାରମ୍ୱାର ମନକୁ ମନ କହି ହେଉଛନ୍ତି....ଗୋଡ଼ିବାଣପୁରକୁ ଏଇ ତୁମର ଶେଷ ଯାତ୍ରା । ବୁଝିଲ ? ସେଇ ଉଜୁଡ଼ା ଘର ଡିହ ଖଣ୍ଡକ ଏଇ ମାଟି ପାଣି ପବନ ସହିତ ତମକୁ ଗୋଟିଏ ଅଛିଣ୍ଡା ଗଣ୍ଠି ପକାଇ ବାନ୍ଧି ରଖିଥିଲା ସିନା ! ସେ ଖଣ୍ଡକ ବିକ୍ରି କରିଦେବା ପରେ, ତମେ କିଏ ? ଆଉ ଗୋଡ଼ିବାଣପୁର ବା କେଉଁଠି ? ସିଦ୍ଧେଶ୍ୱର ହାଟ ତେଣିକି କୋଉ ଉପକଥାର ଦେଶ ହୋଇ ରହିବ !

 

ଚକ୍ରଧରଙ୍କ ଜାମା ପକେଟରେ କବଲା କାଗଜ ଖଣ୍ଡକ ପଥର ବୋଝ ପରି ଭାରି ଲାଗୁଛି । ଜରସମନ୍‌ କଥାଟା ଛିଡ଼ିଗଲେ, ରେଜେଷ୍ଟ୍ରି ହୋଇଯିବ, କାଲି ଛାଡ଼ି ପଅରଦିନ । ତା’ପରେ ଚକ୍ରଧରଙ୍କ ଛୁଟି..... ।

 

ଦଣ୍ଡା ଦୁଇ ପାଖରେ ଶାରଦ ଫସଲର ବାସନା । ପାତଳା କୁହୁଡ଼ିର ଖଣ୍ଡେ ଖଣ୍ଡେ ଓଢ଼ଣା ଧାନ ଗହୀର ଉପରେ ଏଠି ସେଠି ଲମ୍ୱି ଆସିଥିଲା । ପଲ୍ଲୀ ମାଟିର ମମତାବୋଳା ସୌରଭରେ ସିରିସିରି ପବନ ଦେହ ଓ ମନକଚ ସ୍ନିଗ୍‌ଧ ଲାଗୁଥିଲା । ଅଶିଣର ଲମ୍ୱା ଅପରାହ୍ନଟା ଚାହୁଁ ଚାହୁଁ କେଡ଼େ ଶୀଘ୍ର କୁଆଡ଼େ ଚାଲିଗଲା ହେ ? .....ତମ ଜୀବନର ମଧ୍ୟ ଏମିତି ମୁହଁସଞ୍ଜ ମାଡ଼ିଆସୁଛି ଚକ୍ରଧର....ସୁନେଲୀ ପାତ-ମୋଡ଼ା ଛାଇଲେଉଟା ଅପରାହ୍ନ ଏମିତି ମହଳ ପଡ଼ି ଆସିଲାଣି । ଗୋଡ଼ିବାଣପୁରର ମମତା ଆଉ କାହିଁକି ?

 

ଚକ୍ରଧରଙ୍କ ମନଟା ଉଦାସରେ ଭାରି ହୋଇ ଉଠିଲା । ଆକାଶରେ ଖଣ୍ଡ ଖଣ୍ଡ ଭସାମେଘର ରଙ୍ଗ ବଦଳିବା ପରି ଚକ୍ରଧରଙ୍କ ମନର ଆକାଶରେ ଔଦାସ୍ୟର ରଙ୍ଗ ବଦଳି ଯିବାପାଇଁ ମଧ୍ୟ ବିଳମ୍ୱ ଲାଗିଲା ନାହିଁ । ନରି ଦାସ କହୁଛନ୍ତି ଅଢ଼େଇ ମାଣ ଢିଅ ଆଉ ହାତକୁ ତିନିହଜାର ଟଙ୍କା ଜରସମନରେ କବଲା କରିଦେବା ପାଇଁ । କିନ୍ତୁ ମୋହରିର ହଟ ଦାସ କହୁଛି, ଆଉ କିଛି ଦିନ ସତାର କଲେ ସେଇ ନରିଦାସେ ଆପଣା ଆଡ଼ୁ ଜରସମନ ଆଉରି ହଜାରେ ପାଞ୍ଚପା ବଢ଼ାନ୍ତେ ! ହଟ ଦାସ, ନରି ଦାସ ଦୁଇ ଭାଇ । ସେଥିପାଇଁ ନରି ଦାସଙ୍କ ପ୍ରତି ହଟ ଦାସଙ୍କ ଈର୍ଷାଟା ବେଶି । ନରି ଦାସ ଘର ଢିଅ ଖୋଜୁଛନ୍ତି, ନୂଆ କୋଠା ତୋଳିବା ପାଇଁ । ପୁରୁଣା ଇଜମାଇଲି ଢିଅ ତାଙ୍କ ସଂସାର ଓ ସମୃଦ୍ଧିକୁ ଆଉ କୁଳାଉ ନାହିଁ ।

 

ନିଜର ହାତଟା ସବୁବେଳେ ନିଜର କ୍ଷତ ଜାଗାରେ ଆପେ ଆପେ ବାଜିଯିବା ପରି ଚକ୍ରଧରଙ୍କ ହାତ ଅଜାଣତରେ ଜାମା ପକେଟରେ କବଲା କାଗଜ ଖଣ୍ଡକ ଉପରେ ବାଜିଗଲା । ଜରସମନ ଟଙ୍କା ଘରଟା ସେଥିରେ ଶୂନ୍ୟ ପଡ଼ିଛି । ହଁ ହେଁ, ସେଇ ତିନି ହଜାର ଟଙ୍କା ଢେର୍‌ ! କୋଉ ଏବେ ଢିଅ ବିକ୍ରି ଟଙ୍କା ଧରି ସେ ସ୍ୱର୍ଗକୁ ଯିବେ ? ଟଙ୍କାରେ ତାଙ୍କର ହେବ ବା କଣ ? ଚକ୍ରତୀର୍ଥ ମଠରେ ଗୁରୁଦେବଙ୍କ ଚରଣସେବା କରି ଜୀବନର ବାକି କେତେଟା ଦିନ କଟିଗଲେ ଗଲା । ସେତକ ଜରସମନ ଟଙ୍କା ସେ ଗୋଟି ଗୋଟି କରି ପୁଅ ବୋହୂଙ୍କୁ ଗଣିଦେବେ । ସେଇଥିପାଇଁ ତ ଏତେ କଥା ଲାଗିଗଲା । ସେ ଟଙ୍କାରେ ସେମାନେ ମନ ଖୁସି ଯାହା କରନ୍ତୁ ! ନିଜ ଅଭିଳାଷ ଭିତରେ କେବଳ ବାଇଶି ପାବଚ୍ଛରେ ନାଁଲେଖା ଖଣ୍ଡେ ମାର୍ବଲ ପଥର ଢେର.....ଚକ୍ରଧର ଦାସ, ଗୋଡ଼ିବାଣପୁର । ସେ ପଥର ଆଜିଠାରୁ ଖୋଳେଇ ଗୁରୁଦେବଙ୍କ ଜିମାରେ ରଖିଦେବା ପାଇଁ ପଡ଼ିବ । ପିଲାଏ ତ ଆଉ ସେ ସବୁ କଥା ବୁଝିବେ ନାହିଁ !

 

ପଛରେ ପଡ଼ି ରହିଲାଣି ସିଦ୍ଧେଶ୍ୱର ହାଟ । ଦୂରରୁ କେତେଟା ବିସ୍ମୟବାଚକ ଚିହ୍ନ ପରି ଦିଶୁଛି, ଗୋଡ଼ିବାଣପୁର ଗାଁର ଠୁଙ୍ଗା ଠୁଙ୍ଗା ତାଳଗଛ କେତେଟା । ହଁ....ସେସବୁ ବିସ୍ମୟବାଚକ ଚିହ୍ନ ନୁହେଁ ତ ଆଉ କଣ ? ସାଇଭାଇଙ୍କର ଶତ ତୁଚ୍ଛ କଳହ, ଈର୍ଷା, ବଢ଼ି, ମରୁଡ଼ି ପୁଣି ମାଲେରିଆ ଦାଉରେ ନିତ୍ୟ ପ୍ରପୀଡ଼ିତ ଗୋଡ଼ିବାଣପୁର ଗାଁଟି ଚକ୍ରଧରଙ୍କୁ କେବେ ସୁହାଇ ନାହିଁ । ଗୋଡ଼ିବାଣପୁରକୁ ଯେତେଥର ସେ ଆପଣାର କରିବା ପାଇଁ ଚେଷ୍ଟା କରିଛନ୍ତି, ମା କୋଳରେ ଆଶ୍ରୟ ଲୋଡ଼ିବା ପରି ଆଶ୍ରୟ ଖୋଜିଛନ୍ତି, ଗୋଡ଼ିବାଣପୁର ତାଙ୍କୁ ସେତେଥର ଠେଲି ଦେଇଛି ଦୂରରୁ ଦୂରକୁ । ତଥାପି ଗୋଡ଼ିବାଣପୁରର ଆକର୍ଷଣ ସେ ଛିଣ୍ଡାଇ ପାରି ନାହାନ୍ତି ।

 

ଏଥର ଯୋଗ କିନ୍ତୁ ଆପେ ଆପେ ସେ ବନ୍ଧନ ଛିଣ୍ଡାଇ ଦେଲା । ଚକ୍ରଧର ସ୍ୱସ୍ତିର ଗୋଟିଏ ଦୀର୍ଘଶ୍ୱାସ ପକାଇଲେ ।

 

ପିଲାଟିଦିନୁ ଚକ୍ରଧର ଗାଁଗହଳରେ ବୁଲି ବୁଲି ମଣିଷ ହୋଇଛନ୍ତି । ଶିକ୍ଷକ ଥିଲେ ଗୋଟିଏ ସରକାରୀ ସ୍କୁଲରେ । କେତେବର୍ଷ ହେବ ସେଥିରୁ ସେ ଅବସର ନେଇଛନ୍ତି । ଶିକ୍ଷକର ସେହି ସାମାନ୍ୟ ଉପାର୍ଜନରେ ସେ ତିନି ପୁଅଙ୍କୁ ମଣିଷ କରିଛନ୍ତି । ବଡ଼ ଦୁଇ ପୁଅ ଇଂଜିନିଅର, ଜଣେ ଆମେରିକାରେ, ଆଉ ଜଣେ ଜର୍ମାନୀରେ.....ସିଆଡ଼େ ସେମାନେ ବାହାସାହା ହୋଇ ରହିଲେଣି । ସାନପୁଅ ସହରରେ ଜଣେ ହାକିମ । ବୋହୂ ପୁଣି ଉଚ୍ଚଶିକ୍ଷିତା । ଚକ୍ରଧର ସେଇମାନଙ୍କ ସଂସାରରେ ଏବେ ଅତିଥି....ଅବାଞ୍ଛିତ କି ନୁହନ୍ତି, ବେଳେ ବେଳେ ତାଙ୍କ ମନରେ ସନ୍ଦେହ ହୋଇଥାଏ ।

 

ସାନପୁଅ ଗଦାଧର ସହରରେ ନୂଆକୋଠା ତୋଳିଛି.....ସୌଖୀନ୍‌ ବଙ୍ଗଳା । ଘରଟା ତୋଳିଦେଲେ ତ ଖାଲି ହେବ ନାହିଁ ! ସେଥିପାଇଁ ଦରକାର ସେହିପରି ସବୁ ସୌଖିନ୍‌ ଆସ୍‌ବାବ୍‌....ରିଫ୍ରିଜରେଟ୍‌ର୍‌, ରେଡିଓଗ୍ରାମ୍‌, କୁକିଙ୍ଗ୍‌ରେଞ୍ଜ, ୱାସିଙ୍ଗ ମେସିନ୍‌, ପୁଣି ନୂଆ ମଡେଲର ମୋଟରଗାଡ଼ି ! ଗୋଟିଏ ଏଆର-କଣ୍ଡିସନର୍‌ ତ ନିଶ୍ଚୟ ଦରକାର । ଆରବର୍ଷ ଯେଉଁ ଗରମ ପଡ଼ିଲା, ଗଦାଧର ହିସାବ ଯୋଡ଼ି ଗୋଟିଏ ଏଷ୍ଟିମେଟ୍‌ ବାନ୍ଧିଲେ.....ଲାଞ୍ଚ, ଘୁଷ, ଦରମାରୁ ସଞ୍ଚୟ, ସବୁ ମିଶି ତଥାପି ନିଅଣ୍ଟ । ସେଥିପାଇଁ ପୁଅବୋହୂଙ୍କ କଜିଆରେ ଘରେ ନିତ୍ୟ ଅଶାନ୍ତି !

 

ଗୋଡ଼ିବାଣପୁର ଗାଁର ଜମିତକ ଆଗରୁ ବିକ୍ରି ସରିଥିଲା, ପୁଅମାନଙ୍କ ପାଠପଢ଼ା ଆଉ ସହରରେ ଘର ତୋଳାରେ । ବାକି ପଡ଼ିଥିଲା, କେବଳ ଘର ଢିଅଖଣ୍ଡକ । ବୋହୂ ଶେଷକୁ ଧରି ବସିଲେ, ଘରଢ଼ିଅ ବିକ୍ରି କରିଦିଅ । ଗାଁରେ ପୋକସୁଙ୍ଘା ଜଙ୍ଗଲ ଭିତରେ ସେ ଢିଅଟା ପଡ଼ି ପଡ଼ି କ’ଣ ହେବ ? ସେଥିପାଇଁ ଓଲଟି ମାସକୁ ମାସ ଟଙ୍କା କୋଡ଼ିଏଟା ପଠାଇବା ପାଇଁ ପଡ଼ୁଛି, ଚକ୍ରଧରଙ୍କ ଏକ ବିଧବା ଭଉଣୀ କମଳୀଅପା ପାଖକୁ । ଶାଶୁଘର ଛାଡ଼ି ସେଇ ଢିଅ ଆଗୋଳି ସେ ପଡ଼ିରହିଛି, ଗୋଡ଼ିବାଣପୁର ଗାଁରେ । ସାନବୋହୂର ଉଦ୍ଦେଶ୍ୟ–ଢିଅବିକ୍ରି ଟଙ୍କାରେ ନୂଆ ରିଫ୍ରିଜରେଟର୍‌ ଆଉ ରେଡ଼ିଓଗ୍ରାମ୍‌ କିଣାଟା ତ ଅନ୍ତତଃ ଚଳିଯାନ୍ତା !

 

ଚକ୍ରଧର କେଜାଣି କାହିଁକି କଥାଟା ବରଦାସ୍ତ କରିପାରିଲେ ନାହିଁ । ଗୁରୁଜନସୁଲଭ ଗାମ୍ଭୀର୍ଯ୍ୟରେ ସେ କହିଲେ, ‘‘ବୋହୂ, ତମର ଏ ଜିନିଷଗୁଡ଼ା ବର୍ଷ କେଇଟାରେ ପୁରୁଣା ଅଚଳ ହୋଇଯିବ । ସେତେବେଳେ ତୁମେ ପୁଣି ଖୋଜିବ ସେସବୁ ବଦଳାଇବା ପାଇଁ ! କିନ୍ତୁ ଏ ଢିଅଟା ଯେ କେତେ ପୁରୁଷର ! ତମ ପରି କେତେ ବୋହୂ ସେଇ ଢିଅରେ କେତେ ପୁରୁଷ ଧରି ସଞ୍ଜଦୀପ ଜାଳିଛନ୍ତି । ତମେ କହୁଛ, ତାକୁ ବିକ୍ରି କରି ଦେବା ପାଇଁ ?’’

 

ଗଦାଧର ସ୍ତ୍ରୀଙ୍କୁ ଭୟ କରନ୍ତି । ସ୍ତ୍ରୀଙ୍କୁ ତୁଷ୍ଟ ରଖିବା ପାଇଁ ଚକ୍ରଧରଙ୍କ ମୁହଁ ଉପରେ ସେ ଜବାବ ଦେଲେ.....‘‘ଆପଣଙ୍କର ଆଉ ଏତେ ସଂସାର ମାୟା କାହିଁକି ? ଆପଣଙ୍କର ତ ତୀର୍ଥବାସ କରିବା ବୟସ । ସୁମିତ୍ରା ଭୁଲ୍‌ କଥାଟା ବା କହୁଛି କଣ ? ଗୋଡ଼ିବାଣପୁର ଗାଁରେ ସେ ଢିଅଟା ପଡ଼ି ପଡ଼ି କଣ ହେବ ଶୁଣେ ?’’

 

କିନ୍ତୁ ନିରୀହ, ଶାନ୍ତ, ନିରଭିମାନୀ ଚକ୍ରଧର ଏଇ କଥାରେ ଏତେ ଉତ୍‌କ୍ଷିପ୍ତ ହୋଇ ଉଠିଲେ କାହିଁକି କେଜାଣେ ? ଗଦାଧର ବା ଭୁଲ୍‌ କହିଲା କଣ ? ଢିଅଟା ତ ତାଙ୍କର ସ୍ୱୋପାର୍ଜିତ ନୁହେଁ....ପୂର୍ବପୁରୁଷୀ ଢିଅ । ସେଇ ଗଦାଧର ଆଉ ତା’ ପିଲାଏ ତାକୁ ଭୋଗ କରନ୍ତେ । ସେଇ ଗଦାଧରର ଇଚ୍ଛା ଯଦି ଢିଅ ବିକ୍ରି କରିଦେବା ପାଇଁ, ସେଥିରେ ବାଧା ଦେବାକୁ ଚକ୍ରଧର କିଏ ? କିନ୍ତୁ ସେଦିନ ରାଗ ମଥାରେ ଚକ୍ରଧର ବୁଝିଲେ ପୁଅ ବୋହୂ ତାଙ୍କୁ ଘରୁ ତଡ଼ି ଦେଉଛନ୍ତି । ନ ହେଲେ ତୀର୍ଥବାସର ଇଙ୍ଗିତଟା ଆଉ କ’ଣ ? ପୁଣି ସେ କଥା କହିଲା କିଏ ? ନାଁ ଚକ୍ରଧର !

 

ସେହିଦିନ ପୁରୀର ଚକ୍ରତୀର୍ଥ ମଠକୁ ସେ କାଟିଥିଲେ ଟିକେଟ । ମଠରେ ପହଞ୍ଚି ଗୁରୁବାବାଙ୍କ ପାଦ ଉପରେ ମୁଣ୍ଡ ମାଡ଼ି ପ୍ରଣାମ କରିବା ପରେ ଯାଇଁ ଚକ୍ରଧରଙ୍କ ମନର କୋହ ଥମିଥିଲା । ଚକ୍ରଧର କାନ୍ଦି କାନ୍ଦି ଅଭିଯୋଗ କରିବା ପରି କହିଥିଲେ.....‘‘ବାବା ! ସଂସାରରେ ଅନେକ କଷ୍ଟ, ଅନେକ ଯନ୍ତ୍ରଣା । ଗଦାଧର ଶେଷକୁ କହିଲା, ଗାଁରେ ଘର ଢିଅ ବିକ୍ରି କରିଦେଇ ତୀର୍ଥବାସରେ ଚାଲିଯିବା ପାଇଁ..... ।’’

 

ଗୁରୁବାବା ହସି ହସି କହିଲେ.....‘‘ଆରେ ପାଗଳ, ଏ ଯୁଗ ତ ସେଇଆ ! ତୁ ସିନା ପିଣ୍ଡାପାହାଚ, ସେମାନେ ଯେ ଉଡ଼ନ୍ତା ଚଢ଼େଇ ! ସେମାନେ ତୋ ପରି ସେଇ ଗାଁ ଢିଅକୁ କାମୁଡ଼ି ପଡ଼ି ରହିବେ କିପରି ?’’

 

ଚକ୍ରଧର କହିଲେ.....‘‘ଗୋଡ଼ିବାଣପୁର ଗାଁଟା ଖାଲି ମୋ ମନରେ ସିନା, ନୋହିଲେ ସେ ବି ମୋଠୁ ଆଜି ଅନେକ ଦୂରରେ !’’

 

ଗୁରୁବାବା କହିଲେ....‘‘ମନର ସେ ଗଣ୍ଠିଟା ବି ଛିଣ୍ଡାଇ ଦେ ଚକ୍ରଧର ! ସେ ଗଣ୍ଠିସବୁ ଯେତେ ଛିଣ୍ଡେ, ସେତେ ଭଲ !’’

 

ଚକ୍ରଧର ଅବଶେଷରେ ଆସିଥିଲେ ଗୋଡ଼ିବାଣପୁର ଗାଁ ଢିଅ ବିକ୍ରି କରିଦେବାପାଇଁ ।

 

ଗୋଡ଼ିବାଣଶୁର ଗାଁର ସେଇ ପୂର୍ବପୁରୁଷୀ ଅରମା ଢିଅ । ଗଲାସନ ବତାସରେ ସାମନାପଟ ଧାଉଡ଼ିଟା ଭାଙ୍ଗି ଗୋଟାଏ ମଲା ଓଟ ପରି ତଳେ ଅଜାଡ଼ି ପଡ଼ିଥିଲା । ଭିତରପଟ ଧାଉଡ଼ି ଅନ୍ଧାର । ଚକ୍ରଧର ବାହାରପଟ ଧାଉଡ଼ିର ଭଙ୍ଗା କୁଢ଼ ଭିତରୁ ମୁଣ୍ଡ ନୁଆଇଁ ଭିତର ଅଗଣାକୁ ଆସିଲେ । ଓଳିତଳେ ରଙ୍ଗଣୀ ଆଉ ହରଗଉରା ଫୁଲର ମେଳା । ଦୁଆର ମଝିରେ ଗୋଟାଏ ଅଲରା ଜହ୍ନିରଞ୍ଜା । ଜହ୍ନିଲଟାର ଫିକା ହଳଦିଆ ଫୁଲ ସବୁ ଆକାଶରେ ଗୋଟି ଗୋଟି ତାରା ପରି ଫୁଟି ଉଠିଥିଲା ।

 

ଗୋଟିଏ ଜହ୍ନିଲଟାରେ ଚକ୍ରଧର ହଠାତ୍‌ ଛନ୍ଦି ହୋଇପଡ଼ିଲେ ।

 

ଚକ୍ରଧରଙ୍କ ବିଧବା ଭଉଣୀ କମଳା ପଣତ ଉଢ଼ାଳରେ ସଞ୍ଜବତୀ ଧରି ବୃନ୍ଦାବତୀ ଚଉରା ମୂଳକ ଆସୁଥିଲା । ମହଳ ମାଛି ଅନ୍ଧାରରେ ଚକ୍ରଧରକୁ ଦେଖି ସେ କହିଲା.....‘‘ସେ ଅରମା ବାଟରେ ଆସିଲ କାହିଁକି ଭାଇ ? ଲଟାଗୁଡ଼ା ଯେମିତି ବଢ଼ିଛି ।’’

 

ଜହ୍ନିଫୁଲର ଭୀରୁ ବାସନାରେ ଅଗଣିତ ବିସ୍ମୃତ ଶୈଶବର ସଙ୍ଗୀତ.....ଜହ୍ନିଫୁଲ ଠୋ-ଠା.....

 

ଚକ୍ରଧର ଅନ୍ୟମନସ୍କ ହୋଇପଡ଼ିଲେ ।

 

ବୃନ୍ଦାବତୀ ଚଉରାତଳେ ସଞ୍ଜବତୀ ଦେଇ ଫେରିଆସି କମଳା ପଚାରିଲା.....‘‘ଢିଅ ବିକ୍ରି କବଲା କେବେ କରୁଚ ଭାଇ ? ଆଜି ସକାଳେ ନରି ଦାସ ଘରୁ ମଣିଷ ଆସିଥିଲେ, ତମେ ଆସିଲଣି କି ନାଇଁ ବୁଝିବା ପାଇଁ ।’’

 

....ଯଖ ପରି ଏ ଅରମାଢ଼ିଅ ଆଗୋଳି ବସିବାର ଦାୟିତ୍ୱରୁ କମଳା ମଧ୍ୟ ଚାହୁଁଥିଲା ଛୁଟୀ । ଶଶୁରଘର ଗାଁ’ ପୁଣି ତାର ପୁତୁରାର ତିନିବର୍ଷର ସେଇ ଟିକି ପୁଅଟିର କଅଁଳ ଛନ ଛନ ହାତ ଦୁଇଟି, ଆଉ ‘‘ମାମା-ମାମା’’ ଡାକ ତାକୁ ଅସ୍ଥିର କରି ଦେଉଥିଲା । ସେ ମଧ୍ୟ ଚାହୁଁଥିଲା ଢିଅ ବିକ୍ରି ପରେ ଛୁଟୀ !

 

ବୃନ୍ଦାବତୀ ଚଉରା ତଳେ ପୋଡ଼ା ସଞ୍ଜସଳିତାରୁ ଧୂଆଁର କୁଣ୍ଡଳୀ ଉଠୁଥିଲା । ଅତୀତର କେତେ ପୁରୁଷର ଦୀର୍ଘଶ୍ୱାସ ସେଥିରେ ଯେପରି କୁହୁଳି ଉଠୁଥିଲା ।

 

ଚକ୍ରଧର ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ । ଭିତରୁ ଢାଳେ ପାଣି ଆଣି ଚକ୍ରଧରଙ୍କ ପାଦ ପାଖରେ ରଖିଦେଇ କମଳା ପଚାରିଲା.....‘‘ଜରସମନ କେତେରେ ଛିଡ଼ିଲା ?’’

 

କବଲା ଖଣ୍ଡକ ଅନ୍ୟମନସ୍କ ଭାବରେ ଟୁକୁରା ଟୁକୁରା କରି ଛିଣ୍ଡାଇ ଚକ୍ରଧର କହିଲେ.....‘‘ଦୂର୍‌ ପାଗଳି ! ଏ ଢିଅ ବିକ୍ରି କରିଦେଲେ ମୁଁ ରହିବି କେଉଁଠି ? ମୁଁ ପରା ଫେରିଆସିଲି, ଏଣିକି ଏଠି ରହିବି ବୋଲି !’’

Image

 

ବିସର୍ଜନ

 

ସପ୍ତମୀର ମଙ୍ଗଳ ପ୍ରଭାତ । ଦେବୀଙ୍କ ସ୍ଫୁରିତ ଅଧରରେ ସ୍ମିତରେଖା ପରି, ଶିଶିରଧୁଆ ନୀଳ ଆକାଶରେ ସୁନେଲୀ ଖରା । ....ଶାଣଦିଆ ଖଣ୍ଡାଧାର ପରି ଚିକ୍‌ ଚିକ୍‌ ଖରା କେଉଁଦିନ ଅଲକ୍ଷିତରେ ସ୍ୱର୍ଣ୍ଣାଭ କୋମଳତାରେ ପ୍ରଲିପ୍ତ ହେଲାଣି । ବାଉଁଶଝାଡ଼, ତାଳମାଳ, ନଡ଼ିଆ ବାଉଙ୍ଗା ଉପରେ ଯେପରି ଦେବୀ ଆବାହନର ଲକ୍ଷ ଦୀପାଳୀ..... ।

 

ଆକାଶରେ କେତେଟା ଶଙ୍ଖଚିଲ ଉଡ଼ୁଛନ୍ତି । ଶାନ୍ତ ଗ୍ରାମ ପଥରେ ପ୍ରବାସୀମାନଙ୍କର ଘରଲେଉଟା କୋଳାହଳ..... ।

 

ନବପତ୍ରିକା ସ୍ଥାପନ ପାଇଁ ସାମନ୍ତ ଉଆସର ଉଜୁଡ଼ା ନହବତ୍‌ ମଣ୍ଡପ ତଳେ ଢୋଲ ମହୁରୀ ବାଜିଉଠିଲା । ହିନ୍ଦୀ ସିନେମା ସଙ୍ଗୀତର ଫୁଲୁରି ରାଗିଣୀ ନୁହେଁ.....ଅବଚେତନରେ ନିମଜ୍ଜିତ, କେଉଁ ଅନନ୍ତ ସ୍ମରଣାତୀତ ବିସ୍ମୃତ ଅତୀତର କରୁଣ ଅଥଚ ଆନନ୍ଦମୟ ପ୍ରାଣସଙ୍ଗୀତ । ....ସେହି ଅବାହନୀ ବାଜା ଶୁଣି ରାଧାପୁର ଗାଁରେ ସମସ୍ତେ ଜାଣନ୍ତି, ସକାଳ ବସ୍‌ରେ ସହରରୁ ବାବୁ ହରେକୃଷ୍ଣ ଚୌଧୁରୀ ଦୁର୍ଗାପୂଜା ପାଇଁ ଗ୍ରାମରେ ଆସି ପହଞ୍ଚିଛନ୍ତି ।

 

ରାଧାପୁର ଇଷ୍ଟେଟ୍‌ର ବାରପଣି ଅଂଶୀଦାର ବାବୁ କାଳୀପ୍ରସନ୍ନ ସିଂହ ସାମନ୍ତ ବଂଶର ଶେଷ ପ୍ରତିନିଧି, ଜଣେ ସମ୍ପର୍କିତ ଭଣଜା, ବାବୁ ହରେକୃଷ୍ଣ ଚୌଧୁରୀ, ସାମନ୍ତ ପରିବାରରେ ଜଣେ ଦରିଦ୍ର ଆତ୍ମୀୟ । ସହରରେ କେଉଁ ଗୋଟିଏ ସ୍କୁଲରେ ମାଷ୍ଟରୀ କରନ୍ତି । ପରମ୍ପରା ରକ୍ଷା ପାଇଁ ପ୍ରତିବର୍ଷ ଦେବୀବୋଧନ ଠାରୁ ବିସର୍ଜନ ପର୍ଯ୍ୟନ୍ତ, ସାମନ୍ତ ବଂଶର ପ୍ରତିନିଧି ରୂପେ ସେ ସବୁ କ୍ରିୟା ଗ୍ରହଣ କରି ପୂଜା ଶେଷରେ ପୁଣି ସହରକୁ ଫେରିଯାନ୍ତି । ହାଡ଼ଗିଳା ରୁଗ୍‌ଣ ଚେହେରା, ଆଙ୍ଗୁଠିମାନଙ୍କରେ ରୂପା ଉପରେ ପ୍ରବାଳବସା ଦୁଇ ତିନିଟା ମୁଦି, ବାହୁରେ ରୁଦ୍ରାକ୍ଷ ତମ୍ୱା ଓ ରୂପାର ମାଦୁଲୀ; କଣ୍ଠରେ କଫମିଶା ଧଇଁଆ କାସ, ଆଖିରେ ଚାଳିଶା ଚଷମା, ମୁଣ୍ଡଟି ନିର୍ମଳ ଭାବରେ ଚନ୍ଦା, ଦେହରେ ଓ ମୁହଁରେ ବୟସର କ୍ଳାନ୍ତି....ସେ ଦିନର କୌଣସି ପରିଚିତ ଅନ୍ତରଙ୍ଗ ମଣିଷ ଦେଖିଲେ ‘‘ମା ଆନନ୍ଦମୟୀ’’ କହି ତାକୁ ଦଣ୍ଡେ ନ କୁଣ୍ଢାଇଲେ, ହରେକୃଷ୍ଣଙ୍କର ପ୍ରାଣ ଶାନ୍ତ ହୁଏନାହିଁ । ସେଥିପାଇଁ ପ୍ରବାସୀ ଆତ୍ମୀୟର ଘରଲେଉଟା ପରି, ବାବୁ ହରେକୃଷ୍ଣଙ୍କ ଆଗମନକୁ ସେ ଅଞ୍ଚଳରେ ଅନେକେ ଶ୍ରଦ୍ଧା ଓ ଉତ୍କଣ୍ଠାରେ ପ୍ରତୀକ୍ଷା କରି ରହିଥାନ୍ତି । ଶରତ ଆକାଶରେ ବଳାକା ପରି, ପ୍ରତିବର୍ଷ ସପ୍ତମୀ ସକାଳେ ଅତ୍ୟନ୍ତ ନିୟମିତ ଭାବରେ ରାଧାପୁର ବଜାର ବସ୍‌ଷ୍ଟାଣ୍ଡରୁ ଗାଁ ଭିତରକୁ ବାଙ୍କି ଆସିଥିବା କାଦୁଅ ମାଟିରାସ୍ତା ଉପରେ ବାବୁ ହରେକୃଷ୍ଣ ଚୌଧୁରୀଙ୍କର ଆବିର୍ଭାବ ହୁଏ । .....ଗତ କୋଡ଼ିଏ ବର୍ଷ ଧରି ତାହାହିଁ ହୋଇଆସିଛି ।

 

ତାପରେ ଲାଗିଯାଏ ନବପତ୍ରିକା ସ୍ଥାପନ ପାଇଁ ଉଦ୍ୟୋଗ, କୋଳାହଳ । ନବପତ୍ରିକା ସ୍ଥାପନ ପାଇଁ ଘଟ ଧରି, ସେଦିନର କୀଟଦଂଷ୍ଟ ଲାଲ ପାଟ ଖଣ୍ଡେ ପିନ୍ଧି, କାନ୍ଧରେ ଖଣ୍ଡେ ନାଲି ଡୋରିଆ ଗାମୁଛା ପକାଇ, ପୁରୋହିତ, ଦେବୋତ୍ତର ଗୁମାସ୍ତା, ଜ୍ୟୋତିଷ ଓ ଢୋଲିଆ ମହୁରିଆମାନଙ୍କୁ ସଙ୍ଗରେ ଧରି, ଶିଶିରଭିଜା ଧାନ କିଆରି ହିଡ଼ ଉପରେ, ହରେକୃଷ୍ଣ ‘‘ମା ଆନନ୍ଦ ମୟୀ’’ ‘‘ମା କଲ୍ୟାଣମୟୀ’’ ଇତ୍ୟାଦି ସ୍ୱଗତଧ୍ୱନି କରି ବାହାରିଛନ୍ତି । ନିରୁତ୍ସବ, ବର୍ଣ୍ଣହୀନ ଯାତ୍ରା....ଅତୀତର କେତେଗୋଟି ଶୀର୍ଣ୍ଣ ଛାୟାମୂର୍ତ୍ତି ସ୍ୱପ୍ନର ପୃଷ୍ଠଭୂମିରେ ନିଃଶବ୍ଦରେ ଭାସିଯିବା ପରି-। ମାତ୍ର ସପ୍ତମୀ ସକାଳେ ଦେବୀବୋଧନ ଓ ନବପତ୍ରିକା ସ୍ଥାପନ ପାଇଁ ଏକଦା ଯେଉଁ ଶୋଭାଯାତ୍ରା ବାହାରୁ ଥିଲା; ତାହା ଏ ଅଞ୍ଚଳରେ ଥିଲା ଏକ ରମଣୀୟ, ବର୍ଣାଢ଼୍ୟ ଦୃଶ୍ୟ । ଆଗରେ ଢୋଲ, ତେଲଙ୍ଗୀବାଜା ଓ ସାନାଇଦାର, ସେମାନଙ୍କ ପଛକୁ ନୂଆ ଉର୍ଦ୍ଦୁ ପୋଷାକ ପିନ୍ଧା ପିଆଦା ଦରଉଆନ, ସେମାନଙ୍କ ପରେ ପୁରୋହିତ, ଚଣ୍ଡୀ ପାଠକ ବିଦ୍ୟାନିଧି ତର୍କାଳଙ୍କାର ଶର୍ମା, ଆଉ ସମସ୍ତଙ୍କ ପଛରେ ଗରଦ ଯୋଡ଼ ପିନ୍ଧି, ମୁଣ୍ଡରେ ସିନ୍ଦୂର ଟୀକା ଲଗାଇ, ବିଲ୍ୱଦଳମାଳଶୋଭିତ ସ୍ୱୟଂ ବାବୁ କାଳୀପ୍ରସନ୍ନ ସିଂହ ସାମନ୍ତ ! ତାଙ୍କର ଦୁଇ ପାଖରେ ଅମଲା, ଅମୀନ, ଗୁମାସ୍ତା, ନାଏବ ପ୍ରଭୃତି କର୍ମଚାରୀ, ମୋସାହେବ ଓ ସାମନ୍ତଙ୍କ ପୁତ୍ର, ପୌତ୍ର, ଭଗ୍ନୀପତି, ଜାମାତା ଓ ଅନ୍ୟାନ୍ୟ ସଂପର୍କୀୟ ଆତ୍ମୀୟ । ସେମାନଙ୍କ ପଛରେ ଲାଲ ଭେଲଭେଟ ଛତ୍ରଧାରୀମାନଙ୍କର ଦଳ....ନବପତ୍ରିକା ସ୍ଥାପନ ଯାତ୍ରା ଦେଖିବା ପାଇଁ, ପିମ୍ପୁଡ଼ିଧାର ପରି ଦେଖଣାହାରୀ ଭିଡ଼ ବାନ୍ଧୁଥିଲେ-

 

ଜମିଦାରୀ ଉଚ୍ଛେଦର ବହୁ ପୂର୍ବରୁ ରାଧାପୁର ଇଷ୍ଟେଟ ନିଲାମରେ ବିକ୍ରି ହୋଇଯାଇଥିଲା । କାଳୀପ୍ରସନ୍ନ ସେତେବେଳକୁ ମୃତ୍ୟୁଶଯ୍ୟାରେ । ଥରେ କାଳୀପ୍ରସନ୍ନଙ୍କ ଅମଳରେ ଦେବୀଙ୍କ ସମ୍ମୁଖରେ ମଇଁଷି ପ୍ରୋକ୍ଷଣ ବେଳେ ବଳି ପାଇଁ ଅଣା ଯାଇଥିବା ମଇଁଷି ହରିକାଠରୁ ଖସି ପଳାଇଥିଲା । ଅଷ୍ଟମୀ ପୂଜାବେଳେ ଏପରି ବିଘ୍ନ ହେତୁ ପୂଜାମଣ୍ଡପରେ ମହାଆତଙ୍କ ଖେଳିଗଲା । କେତେଜଣ ପିଆଦା ଉତ୍ସର୍ଗିତ ମଇଁଷିଟିକୁ କୌଣସିମତେ ଅକ୍ତିଆର କରି ପୁଣି ହରିକାଠରେ ଆଣି ପୂରାଇଲେ । ଘଣ୍ଟ, ଘଣ୍ଟା, ଢୋଲ, ଢକା, ଯୋଡ଼ିନାଗରା ଆକାଶ ଫଟାଇ ପୁଣି ବାଜିଉଠିଲା । ରାଉଳର ଏକା ଚୋଟରେ ମଇଁଷିର ମୁଣ୍ଡ ଛିଡ଼ି ରକ୍ତ ପିଚ୍‌କାରୀ ମାରିବା ବିଧି । ଏଥର କିନ୍ତୁ ତିନି ଚୋଟରେ ସୁଦ୍ଧା ମଇଁଷିର ମୁଣ୍ଡ ଛିଡ଼ିଲା ନାହିଁ । ‘‘ଏ କଣ ହେଲା ମା’’ ବୋଲି ଶତକଣ୍ଠରେ ଆର୍ତ୍ତନାଦ ମଇଁଷିର ପ୍ରାଣାନ୍ତ ଗର୍ଜନକୁ ବୁଡ଼ାଇଦେଲା । ରାଉଳର ଥର ଥର କମ୍ପିତ ହାତରୁ ଚତୁର୍ଥ ଚୋଟରେ ଯାଇଁ ମଇଁଷିର ମୁଣ୍ଡ ଛିଡ଼ିଥିଲା ।

 

ସେହିଦିନୁ ଆରମ୍ଭ ହେଲା, ସାମନ୍ତ ବଂଶର ଶେଷ ବଂଶଧର କାଳୀପ୍ରସନ୍ନ ସିଂହ ସାମନ୍ତଙ୍କର ବଂଶକ୍ଷୟର ଦୁର୍ଯୋଗ । ବର୍ଷ କେତେଟା ମଧ୍ୟରେ କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ ଦୁଇ ପୁଅ, ତିନି ଝିଅ, ସ୍ତ୍ରୀ ଓ ଶେଷରେ ସ୍ୱୟଂ କାଳୀପ୍ରସନ୍ନ ସଂସାରରୁ ନିଶ୍ଚିହ୍ନ ହୋଇଗଲେ । ଜମିଦାରୀ ଗଲା ନିଲାମରେ । ପ୍ରତିବର୍ଷ ଦୁର୍ଗାପୂଜା ପାଇଁ କେତେ ଏକର ଜମି ଦେବୋତ୍ତର ରୂପେ ଖଞ୍ଜାଯାଇଥିଲା । ତାହାରି ମାର୍ଫତଦାର ରୂପେ ବାବୁ ହରେକୃଷ୍ଣ ଚୌଧୁରୀ ଜମିର ସାମାନ୍ୟ ଆୟରୁ ପ୍ରତିବର୍ଷ ଦୁର୍ଗାପୂଜା କରାଇଥାନ୍ତି । ସେଦିନର ଜଣେ ବୃଦ୍ଧ ପୁରାତନ ଗୁମାସ୍ତା, ଭଜନୀ ମହାନ୍ତି ପୂଜାର ବ୍ୟବସ୍ଥା କରାନ୍ତି । ତାଙ୍କ ଗୁଜରାଣ ସେହି ଜମିର ଆୟ ଓ ହରେକୃଷ୍ଣଙ୍କ ସାମୟିକ ଆର୍ଥିକ ସାହାଯ୍ୟରୁ ଚଳିଥାଏ ।

 

ମରୁଡ଼ିରେ ଝାଉଁଳି ଈଷତ୍‌ ହଳଦିଆ ପଡ଼ିଥିବା ଚାରିପାଖର ଧାନକ୍ଷେତ ଆଡ଼େ ଚାହିଁ ହରେକୃଷ୍ଣ ଭାବୁଥିଲେ, ଆସନ୍ତା ବର୍ଷର କଥା । ଏ ବର୍ଷ କୌଣସିମତେ ଚଳିଲା ମା ଆନନ୍ଦମୟୀର ପୂଜା ! କିନ୍ତୁ ଗତବର୍ଷ ଠାରୁ ଗୋପାଳମାନେ ଅଡ଼ି ବସିଛନ୍ତି, ସାମାନ୍ୟ ଭାଗଧାନ ବିନିମୟରେ ସେମାନେ ଆଉ ବିନା ପାରିଶ୍ରମିକରେ ବିସର୍ଜନ ପାଇଁ ଦେବୀମେଢ଼ କାନ୍ଧେଇ ମାଇଲିଏ ବାଟ ଯାଇପାରିବେ ନାହିଁ । ବର୍ଷରେ ଏହା ସେମାନଙ୍କର ଗୋଟାଏ ରୋଜଗାରର ବେଳ । ପୂର୍ବେ ଅବଶ୍ୟ ସେମାନେ ପ୍ରସାଦ ଭୋଗ ଓ ଖଣ୍ଡେ ଖଣ୍ଡେ କୋରା ଧୋତି ପାଇ ବେଠିରେ ମେଢ଼ କାନ୍ଧେଇବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା, ଏପରି କି ଦଙ୍ଗା, ଗାଳି, ଫଜିତ ଲଗାଉ ଥିଲେ-। ମାତ୍ର ଏବେ ସେ କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ ଅମଳ ନାହିଁ କି ବେଠି ବେଗାରୀ ନାହିଁ । ଜମି ଅବା୍ୟ ସେମାନେ ମାଣେ ମାଣେ ଭାଗରେ ଧରିଛନ୍ତି; ମାତ୍ର ଭଜନି ମହାନ୍ତି କାହାକୁ ଧାନ ଗୋଟାଏ ସୁଦ୍ଧା ଛାଡ଼ିବାର ପାତ୍ର ନୁହନ୍ତି । ଏ ବର୍ଷ ସେମାନେ ସଫା ସଫା ଶୁଣାଇ ଦେଇଛନ୍ତି–ଜଣପିଛ ନିକୁଛ ଖଣ୍ଡେ ସରୁ ଧୋତି ଚାଦର, ଆଉ ପାଞ୍ଚଟଙ୍କା ନ ପାଇଲେ କାନ୍ଧେଇ ଆସିବେ ନାହିଁ-। ବାଜାଦାରମାନଙ୍କର ସେହିପରି ଆପତ୍ତି । ମୁଠାଏ ମୁଠାଏ ଖଇଉଖୁଡ଼ା ଭୋଗ ଆଉ ଖଣ୍ଡେ ଖଣ୍ଡେ ମୋଟା ବଗଡ଼ା ଧୋତି ପାଇ ଷଷ୍ଠୀ ଅଧିବାସ ଠାରୁ ବିସର୍ଜନ ପର୍ଯ୍ୟନ୍ତ ସେମାନେ ଆଉ ବାଜା ବଜେଇ ପାରିବେ ନାହିଁ । ବଜାରରେ ସାର୍ବଜନୀନ ଦେବୀ ମେଢ଼ମାନଙ୍କ ପାଖରେ ବାଜା ବଜେଇ ଅନ୍ୟମାନଙ୍କର ବେଶ ଉପାର୍ଜନ ହେଉଛି । ବାପଦାଦି କାଳରୁ ଏଠି ବାଜା ବଜେଇ ଆସିଥିବା ଖାତିରିରେ କେବଳ ସେମାନେ ଏତେକାଳ ବଜାଇ ଆସିଛନ୍ତି ସିନା; କିନ୍ତୁ ଆଉ ନୁହେଁ-। ତନ୍ତ୍ରଧାରକ, ଚଣ୍ଡୀପାଠକ ପ୍ରଭୃତିଙ୍କର ମଧ୍ୟ ସେଇ ଏକା ଅଭିଯୋଗ । ଛାଗ ପ୍ରୋକ୍ଷଣ ତ ବନ୍ଦ ହେଲାଣି । ଅନ୍ତତଃ ନବମୀ ରାତିରେ ମତ୍ସ୍ୟ ଭୋଗଟା ପର୍ଯ୍ୟାପ୍ତ ପ୍ରଶସ୍ତ ହେଲେ ବି ଚଳନ୍ତା.....କିନ୍ତୁ ପଙ୍କୁଆ ଶେଉଳ ମାଛର ତରଳ ଜଳବତ୍‌ ଝୋଳରେ ସେ ଆଶା ମଧ୍ୟ ବିଡ଼ମ୍ୱିତ । ବିଲ୍ୱଦଳବହୁଳ ଖଇଉଖୁଡ଼ା ଓ ଦଶରା ମଣ୍ଡା ନାମରେ ଅଙ୍ଗୁଳିମେୟ ପିଷ୍ଟକ ଚର୍ବଣରେ ଆଉ କେତେଦିନ ଚଳିବ-? ସେମାନେ ମୁହଁ ଫିଟାଇ ଅବଶ୍ୟ କିଛି କହୁ ନାହାନ୍ତି; ମାତ୍ର ଭିତରେ ଭିତରେ ସେମାନଙ୍କର ଶତ ଅନିଚ୍ଛା ଓ ଆପତ୍ତି । ବିଦ୍ୟାନିଧି ତର୍କାଳଙ୍କାର ଶର୍ମାଙ୍କ ପୁତ୍ର ଦାମୋଦର ଶର୍ମାଙ୍କ ପରି କେତେଜଣ ଚଣ୍ଡୀପାଠକ ବା ଅଛନ୍ତି ଏ ଅଞ୍ଚଳରେ ? କିଣେଇ ସାହୁଙ୍କ ଗୋଦାମ ଦୁର୍ଗାଙ୍କ ଠାରେ ଚଣ୍ଡୀପାଠ କଲେ ଯାହା ମିଳନ୍ତା ଓ ଅନ୍ୟମାନଙ୍କୁ ଯାହା ମିଳୁଛି, ତା ତୁଳନାରେ ଧୋଇ ମରୁଡ଼ି ମୁଲକରେ ଦୁଇମାଣ ଜମିର ଭାଗଧାନ ବା କେତେ ? ଏ ବର୍ଷ କୌଣସିମତେ ସେମାନଙ୍କୁ ପୂର୍ବ ବ୍ୟବସ୍ଥାରେ ରାଜି କରା ହୋଇଛି; କିନ୍ତୁ ଆସନ୍ତାବର୍ଷ ? ଏ ବର୍ଷ ମରୁଡ଼ି ଯେଉଁ ଆକାର ଧରିଲାଣି, ସେଥିରେ ଆସନ୍ତା ବର୍ଷ ଜମିରୁ କଣ ଯେ ଫସଲ ମିଳିବ, ତାହା ମଧ୍ୟ ଘୋର ସନ୍ଦେହଜନକ !

 

ଜଣକର କିନ୍ତୁ କୌଣସି ଆପତ୍ତି ନାହିଁ, ଅଭିଯୋଗ ନାହିଁ....ସିଏ ମୂର୍ତ୍ତିକାର ଦନେଇ ମହାରଣା ।

 

ସତୁରୀ ବର୍ଷର ବୁଢ଼ା । କାଳୀପ୍ରସନ୍ନଙ୍କ ବାପାଙ୍କ ଅମଳରୁ ସୁଦ୍ଧା ସେ ପ୍ରତିବର୍ଷ ସାମନ୍ତଘର ଦେବୀମୂର୍ତ୍ତି ଗଢ଼ି ଆସୁଛି ।

 

ମହିଷାସୁରର ରଙ୍ଗ ଗାଢ଼ ସାବ୍‌ଜା ଓ ନୀଳ ନ ହେଲେ ଚଳିବ ନାହିଁ । ଆଖି ହେବ ମନ୍ଦାର ପାଖୁଡ଼ା ପରି ଲାଲ, ଦେବୀଙ୍କ ମୁହଁ ହେବ ଗୋଲ । ସେଥିରେ ନଥ, ଗୁଣା, ନାକବସଣି, ମଲୀକଢ଼ି, ବାହୁରେ ବାଜୁବନ୍ଧ, ତାଇତ, ବଟପଳ ପ୍ରଭୃତି ଗହଣା ରହିବ, ଆଖିରେ ରହିବ ଏକ ଉଜ୍ଜ୍ୱଳ ପ୍ରଶାନ୍ତି, ଓଠରେ ରହିବ କୋମଳ ସ୍ମିତରେଖା, ସିଂହକଟୀ ରହିବ; ମାତ୍ର ହାଲ ଫେସନ୍‌ର ମୂର୍ତ୍ତିରେ ସ୍ତନଯୁଗ୍ମର ଅଧୋଦେଶ ଓ ନାଭିଗର୍ତ୍ତକୁ ପ୍ରକଟିତ କରିବା ଉଦ୍ଦେଶ୍ୟରେ ନୁହେଁ.....ଦଶପ୍ରହରଣଧାରିଣୀ ସେ ଆନନ୍ଦମୟୀ ପ୍ରତିମା ଏକ ବିଚିତ୍ର ମାତୃମୂର୍ତ୍ତି । ଦନେଇ ମହାରଣା ଏକ ରୀତି, ଏକ ରଙ୍ଗ ଓ ଏକ ଶୈଳୀରେ ଏହି ଭାବମୂର୍ତ୍ତି ବର୍ଷ ବର୍ଷ ଧରି ଗଢ଼ି ଆସିଛି ।

 

ପ୍ରତିବର୍ଷ ପରି ଏବେ ମଧ୍ୟ ମହାଳୟା ଦିନ ସକାଳୁ ଦନେଇ ମହାରଣା ଆସି ମୂର୍ତ୍ତି ଦୋମାଟିଆ କରି ଖଡ଼ି ଚଢ଼େଇ ତା ଉପରେ ରଙ୍ଗ ତୁଳି ବୁଲାଇଯାଏ । ଚତୁର୍ଥୀ ଦିନକୁ ସିଂହବାହିନୀ ଦୁର୍ଗାମୂର୍ତ୍ତି ସାମନ୍ତଘର ଭଙ୍ଗା ଦୁର୍ଗାମଣ୍ଡପକୁ ଉଦ୍ଭାସିତ କରି ଉଭା ହୋଇ ସାରିଥାନ୍ତି । ଏବେ ଦନେଇ ମହାରଣା ଇଚ୍ଛା କଲେ ସୁଦ୍ଧା ଅନ୍ୟତ୍ର ମୂର୍ତ୍ତି ଗଢ଼ିବାର ଉପାୟ ନାହିଁ । ବଜାରରେ କିଣେଇ ସାହୁଙ୍କ ତେଜରାତି ଗୋଦାମ ଓ ଲୁଗା ଦୋକାନର ଦେବୀ, ନାଥ ଷଡ଼ଙ୍ଗୀଙ୍କ ‘‘ବିଣୁଦ୍ଧ ହିନ୍ଦୁ ଭୋଜନାଳୟ’’ର ଦୁର୍ଗା ବା ବାରୁଆଳୀ ଶିବଅନ୍ନପୂର୍ଣ୍ଣାଙ୍କ ମେଢ଼ରେ ଦନେଇ ମହାରଣାଙ୍କ କାରିଗିରୀ ବହୁଦିନୁ ଅଚଳ ହୋଇସାରିଛି । ସିନେମା ଅଭିନେତ୍ରୀମାନଙ୍କ ପରି ଦେବୀମାନଙ୍କ ମୁହଁ, କାଞ୍ଚଲା ତଳେ ପୀନ ସ୍ତନାଗ୍ର, ନାଭି ଉପରେ ରୋମାବଳୀ ରେଖା, ଗୁରୁ ଜଘନକୁ ପ୍ରକଟିତ କରିବା ପରି କ୍ଷୀଣ କଟୀ ଓ ଭାନିଟୀ ବ୍ୟାଗ୍‌ ଧରିବା ପରି ବିଭିନ୍ନ ପ୍ରହରଣ ଧରିବାର ଭଙ୍ଗୀ, ଯାତ୍ରାଦଳର ରାଜା ପାର୍ଟରେ ଅଭିନେତା ପରି ମହୀଷାସୁର ଓ ଊର୍ଦ୍ଧ୍ୱଲିଙ୍ଗ ସିଂହ.....ଏ ସବୁ ଫେସନର ରୀତି । ସହରରୁ ଚିତ୍ରକାରମାନେ ଆସି ଏ ମୂର୍ତ୍ତିମାନ ଗଢ଼ନ୍ତି । ଦେଖଣାହାରୀମାନେ ମଧ୍ୟ ବହୁତ ତାରିଫ କରନ୍ତି । ଦନେଇ ମହାରଣାଙ୍କ ତୁଳିରେ କିନ୍ତୁ ସେସବୁ ଫୁଟିବ ନାହିଁ । ସେ କେଉଁ ପୁରୁଣା ଯୁଗର କାରିଗର । ମୂର୍ତ୍ତି ନିର୍ମାଣ ମହାରଣାଙ୍କ ଶିଳ୍ପ ବା ବ୍ୟବସାୟ ନୁହେଁ । ତାହା ତ ତାଙ୍କର ଆରାଧନା ! ତଥାପି ଦନେଇ ମହାରଣାଙ୍କର ଗୋଟିଏ ଆନନ୍ଦ....ଅନ୍ୟ ଦେବୀ ମେଢ଼ମାନେ ବିସର୍ଜନ ପରେ, ଭସାଣ ପୂର୍ବରୁ ଯେତେବେଳେ ସାମନ୍ତଙ୍କ ଦୁର୍ଗା ମଣ୍ଡପକୁ ଆସନ୍ତି, ସେତେବେଳେ ସେ ମୂର୍ତ୍ତିମାନଙ୍କ ତୁଳନାରେ, ଦନେଇ ମହାରଣାଙ୍କ ମୂର୍ତ୍ତି ପ୍ରତି ସମସ୍ତଙ୍କର ଦୃଷ୍ଟି ସ୍ୱତଃ ଆକୃଷ୍ଟ ହୋଇଯାଏ । କେହି କେହି ତାରିଫ୍‌ ମଧ୍ୟ କରନ୍ତି; କିନ୍ତୁ ଏବେ ଦନେଇ ମହାରଣା ବୃଦ୍ଧ ଓ ପ୍ରତିଦିନ ତାଙ୍କଠାରେ ନୂଆ ନୂଆ ବ୍ୟାଧିର ଉପସର୍ଗ । ଆର ବର୍ଷକୁ ଦନେଇ ମହାରଣା ବଞ୍ଚିଥିବେ କି ନାହିଁ କେଜାଣେ ! ଆଖିର ଦୃଷ୍ଟି ପୁଣି ନିଷ୍ପ୍ରଭ ହୋଇଗଲାଣି ।

 

ହରେକୃଷ୍ଣ ମନେ ମନେ ଏ ସବୁ ସମସ୍ୟା ଭାବୁଥିଲେ, ଆଉ ବିଳିବିଳେଇଲା ପରି ଚିତ୍କାର କରି ଉଠୁଥିଲେ.....‘‘ମା ଆନନ୍ଦମୟୀ ! ମା ଆନନ୍ଦମୟୀ ।’’ ବାହାର ଦେବୀମଣ୍ଡପର ପଛପ୍ରସ୍ତ ଖଞ୍ଜାର ଘର ସବୁ ବେମରାମତିରେ ଉଜୁଡ଼ି ଅଣ୍ଟାଭଙ୍ଗା ହାତୀ ପରି ଆଣ୍ଠେଇ ମୁହଁମାଡ଼ି ପଡ଼ିଛି....ଚଷୁପୋଡ଼ା ଲଖୋରୀ ଇଟାର ଶିଉଳୀବସା ସ୍ତୁପ, ଭୂତିଆରି, ସାହାଡ଼ା, ବିଲାତି ସିଝୁ ଆଉ ବାଇଗବାର ଜଙ୍ଗଲ ଭିତରେ କ୍ରମେ ନିଶ୍ଚିହ୍ନ ହୋଇ ଆସିଲାଣି । ଦେବୀମଣ୍ଡପକୁ ଲାଗି ବାହାର ପ୍ରସ୍ତର ଦୋତାଲାଟି ସେହି ଭଗ୍ନାବଶେଷ ମଧ୍ୟରେ କୌଣସିମତେ ଆତ୍ମରକ୍ଷା କରି ତଥାପି ଠିଆ ରହି ପାରିଛି । ତଳମହଲାର ହଲ୍‌ ଘରମାନ ଯାହା ଏକଦା ବୈଠକଖାନା ଓ କଚେରୀ ରୂପେ ବ୍ୟବହୃତ ହେଉଥିଲା; ଅମ୍ୱୁରୀ ତମାଖୁର ଗନ୍ଧରେ, କାଚଝାଡ଼ରେ ପିଲସଜମାନଙ୍କରୁ ମହମବତୀର କୋମଳ ଆଲୋକରେ, ବିଶେଷ ଉପଲକ୍ଷମାନଙ୍କରେ ବିଲାତୀ ଗ୍ଳାସର୍‌ ଠୁଣ୍‌ଠାଣ୍‌ ଶବ୍ଦରେ, ପ୍ରଜା ରୟତ ଉମେଦୁଆର୍‌ ଆଶ୍ରୟପ୍ରାର୍ଥୀ ଦୂରସମ୍ପର୍କିତ ଆତ୍ମୀୟ ପୁଣି ଅମଲା ଓ କର୍ମଚାରୀମାନଙ୍କର କୋଳାହଳରେ ଯାହା ଦିନେ ମୁଖରିତ ଥିଲା; ଏବେ ସେଠାରେ ସାମନ୍ତ ବଂଶର କେତେ ଜଣ ନିରାଶ୍ରୟା, ବୃଦ୍ଧା ଦାସୀ, ବୁଢ଼ାଗଛର ଦରମଲା ଚେର ପରି ତଥାପି ମାଟି କାମୁଡ଼ି ପଡ଼ି ରହିଛନ୍ତି । ସେହିମାନଙ୍କ ସଂସାରର ଚିରା କନ୍ଥା, ହେଁସ, କମ୍ୱଳ ଓ ଛିଣ୍ଡା ଗୋଦଡ଼ ପ୍ରଭୃତି; ଏକ ବିୟୋଗାନ୍ତ ନାଟକର ବିଷଣ୍ଣ ଯବନିକା ପରି, ବାରଣ୍ଡାର କାଠ କଡ଼ କଡ଼ି ମାନଙ୍କରୁ ଝୁଲି, ତଳ ମହଲାର ବାରନ୍ଦା, ଗୋଳଖମ୍ୱ ଓ ହଳ୍‌ ଘରମାନଙ୍କୁ ଆବୃତ ରଖିଅଛି । ଏକ ଶୀତଳ, ନିଷ୍ପନ୍ଦ ଓ ନିଷ୍ପ୍ରାଣ ନୀରବତା, ସାମନ୍ତ ଉଆସ ଚାରିପଟେ ଅରମା ହୋଇ ବଢ଼ିଥିବା ବାଉଁଶ ଜଙ୍ଗଲର ହେମାଳିଆ ଛାଇପରି ଏହି ଧ୍ୱଂସସ୍ତୂପ ଓ ତାହାର ଅନ୍ତେବାସୀମାନଙ୍କୁ ସର୍ବଦା ଯେପରି ଆଚ୍ଛନ୍ନ କରି ରଖିଛି ।

 

ମାତ୍ର ଦିନେ ଦିନେ ବୈଶାଖୀର ଝଡ଼ ପରି ସେଥିରେ ଆସେ ସୁତୀବ୍ର ଆଲୋଡ଼ନ । ଏହି ବୃଦ୍ଧା ଦାସୀପଲଙ୍କ ମଧ୍ୟରେ କଳହ, ଅଶ୍ଳୀଳ ଚିତ୍କାର ଓ ପରସ୍ପର ପ୍ରତି ଗାଳି ବର୍ଷଣରେ, ନିଶୁତି ପ୍ରେତପୁରୀ ପରି ଏହି ଭଙ୍ଗା ଭିଟାର ନିଷ୍ପନ୍ଦ ମର୍ମସ୍ଥଳ ଯେପରି କମ୍ପିଉଠେ ।

 

କିଏ କେତେଥର ଭ୍ରୂଣହତ୍ୟା କରିଥିଲା, କିଏ କାହାକୁ କେବେ ବିଷ ଦେଇ ମାରିଥିଲା, କାହା ଝିଅ କେଉଁ ପଠାଣ ପିଆଦା ସାଙ୍ଗରେ ପଳାଇଥିଲା, ଶେଷକୁ ହୁଲିଆଜାରୀରେ ମିଳିଥିଲା; ଇତ୍ୟାଦି ସାମନ୍ତ–ପରିବାରର ବହୁ ନେପଥ୍ୟ-ଇତିହାସ ନିର୍ଲ୍ଲଜ ଭାବରେ ବାହାରକଚ ଛିଟିକି ପଡ଼େ-। ଏକ ବିସ୍ଫୋରଣ ପରି ଏ କଳହ ଯେପରି ଆରମ୍ଭ ହୋଇଯାଏ; ସେହିପରି ଶେଷ ପରିଣତିରେ ପହଞ୍ଚିବା ପୂର୍ବରୁ ତାହା ପୁଣି ବନ୍ଦ ହୋଇଯାଏ । ଝିଙ୍କାରୀ କଣ୍ଠର ଝିଲ୍ଲୀମୁଖର ନୀରବତା ମଧ୍ୟରେ ଲଖୋରୀ ଇଟାର ଭଙ୍ଗା ଇଟାକୁଢ଼ ପୁଣି ଆଖି ବୁଜିଦିଏ ।

 

ଉପରମହଲାର ଗୋଟିଏ ଘରେ ସାମନ୍ତବଂଶର ଇଷ୍ଟଦେବତା ରାଧା-ଗୋବିନ୍ଦଙ୍କ ଦୋଳଯାତ୍ରା ପଟୁଆରରେ ଏକଦା ବ୍ୟବହୃତ ହେଉଥିବା ଛତ୍ର, ଆଡ଼େଣୀ, ସଖୀ ମୂର୍ତ୍ତି ଓ ଷଣ୍ଢମୁଖାମାନ ଧୂଳି ଓ ଅଳିଆ କୁଢ଼ ଭିତରେ ଗଦା ହୋଇପଡ଼ିଛି । ଅନ୍ୟ ଘରମାନଙ୍କରେ ସେ କାଳର ନାନା ଭଙ୍ଗା ଆସବାବ୍‌ ଓ କଚେରୀ ବସ୍ତାନୀମାନ ଆବର୍ଜନା ସ୍ତୂପ ପରି ପଡ଼ିଛି । ସେଥି ମଧ୍ୟରୁ ଗୋଟିଏ କୋଠରୀ ହରେକୃଷ୍ଣଙ୍କ ବ୍ୟବହାର ପାଇଁ ବନ୍ଦ ହୋଇ ରହିଥାଏ ।

 

ହରେକୃଷ୍ଣ ସେହି ଉପରମହଲା ବାରନ୍ଦାରେ ପୁରୁଣାଦିନର ଖଣ୍ଡେ ବେତମୋଡ଼ା ଆରାମଚୌକୀ ଉପରେ ଶୂନ୍ୟ ଅର୍ଥହୀନ ଦୃଷ୍ଟିରେ ଚାହିଁ ବସିଥିଲେ ।

 

ପ୍ରଜାମଣ୍ଡପ ସାମ୍‌ନାରେ ନଡ଼ିଆଗଛ ଛାଇ ତେର୍‌ଛା ହୋଇ ବାରନ୍ଦା ଉପରେ ପଡ଼ିଥିଲା-

 

ଏଠାରେ ଆଉ ତିନି ଗୋଟି ନଡ଼ିଆଗଛ ଥିଲା । ହରେକୃଷ୍ଣ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେହି ବର୍ଷ ତାଙ୍କର ମାତାମହ ଶ୍ୟାମାପଦ ସିଂହ ସାମନ୍ତ ଏଠାରେ ତିନିଗୋଟି ନଡ଼ିଆଗଛ ପକାଇଥିଲେ । ସେ ଗଛ ସବୁ ମରିଗଲାଣି.....ଅବଶିଷ୍ଟ ଏଇ ଗୋଟିକ ମାତ୍ର ଗଛ ବଞ୍ଚିଛି, ସାମନ୍ତ ବଂଶର ଶେଷ ପ୍ରତିନିଧି ହରେକୃଷ୍ଣଙ୍କ ପରି । ଏ ଗଛଟା ମଧ୍ୟ ଧୀରେ ଧୀରେ ମରି ଆସିଲାଣି । ଗୋଟାଏ ବାଉଙ୍ଗା ଉପରେ ମାଟିଆ ଚିଲଟାଏ ବସି ଡେଣା ଝାଡ଼ୁଛି । ହରେକୃଷ୍ଣ ‘‘ମା ଆନନ୍ଦମୟୀ’’ ‘‘ମା ଆନନ୍ଦମୟୀ’’ କହି ଠିଆ ହେଲେ ।

 

ଆଜି ଦଶମୀ.......

 

ବିସର୍ଜନ ପୂଜା ଶେଷ ହୋଇଛି । ଭସାଣ ଶେଷ ହେଲେ ହରେକୃଷ୍ଣ ପୁଣି ସହରକୁ ଫେରିଯିବେ ।

 

ପୂଜା ମଣ୍ଡପ ନିର୍ଜନ ଓ ପରିତ୍ୟକ୍ତ । ଦେବୀମେଢ଼ ସାମନାରେ ପୂଜା ଉପକରଣର ଆବର୍ଜନା ଶୁଖିଲା ଫୁଲ ଓ ବେଲପତ୍ର ପ୍ରଭୃତି ସ୍ତୂପୀକୃତ ହୋଇ ପଡ଼ିଛି । ଚଣ୍ଡୀପାଠକ ଦାମୋଦର ଶର୍ମା କୁଶାସନରେ ବସି, ଢୁଳେଇ ଢୁଳେଇ ଅନୁନାସିକ କଣ୍ଠରେ ଚଣ୍ଡୀପାଠ କରୁଛନ୍ତି । ଯେଉଁଠାରେ ଯୁଦ୍ଧର ବର୍ଣ୍ଣନା ପଡ଼ୁଛି, ସେଠାରେ ଦାମୋଦରଙ୍କର ଢୁଳ ଭାଙ୍ଗିଯାଉଛି; ଅନୁନାସିକ ଶିଥିଳ କଣ୍ଠ ଏକ ନୂତନ ଉତ୍ତେଜନାରେ ଉଦ୍ଦୀପ୍ତ ହୋଇଉଠୁଛି । ନିର୍ଜନ ମଧ୍ୟାହ୍ନର ନିର୍ବେଦ ପରିବେଶ ଓ ସାମନ୍ତ-ଭିଟାର ପରାଜୟଲାଞ୍ଛିତ ଧ୍ୱଂସାବଶେଷ ସବୁ ଦୁର୍ଯୋଗ ଓ ପରାଜୟ ମଧ୍ୟରେ ଅନ୍ତିମ ବିଜୟର ଶାଶ୍ୱତ ଉଦ୍‌ବୋଦନରେ ଏକ ନୂତନ, ଆଶାଦୀପ୍ତ ପ୍ରାଣଶକ୍ତିରେ ଯେପରି ହଠାତ୍‌ ପ୍ରାଣବନ୍ତ ହୋଇଉଠୁଛି । କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ କାଳରେ ବିଦ୍ୟାନିଧି ତର୍କାଳଙ୍କାର ମଧ୍ୟ ଠିକ୍‌ ଏହିପରି ଉଦ୍ଦୀପ୍ତ କଣ୍ଠରେ ଚଣ୍ଡୀପାଠ କରୁଥିଲେ । ଶୁଣାଅଛି, ବିଦ୍ୟାନିଧି ଚଣ୍ଡୀପାଠ କଲାବେଳେ ଦେବୀଙ୍କ ଦେହର ମନ୍ଦାରଫୁଲ ମାଳରୁ ଗୋଟି ଗୋଟି ମନ୍ଦାରଫୁଲ କୁଆଡ଼େ ତଳେ ଖସି ପଡ଼ୁଥିଲା-। ସେହି ପ୍ରସାଦୀ ମନ୍ଦାରଫୁଲ ପାଇଲା ପରେ କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ ଦଶମୀ ଉପବାସ ଭାଙ୍ଗୁଥିଲା । ତା’ପରେ ଆରମ୍ଭ ହେଉଥିଲା ବିଜୟ ଉତ୍ସବ ।

 

ପୂଜା-ମଣ୍ଡପ ସାମନାରେ ଏଇ ଯେଉଁ ପ୍ରକାଣ୍ଡ ଇଟା ବେଦୀ, ଶିଉଳୀର ବହଳ ଆସ୍ତରଣ ତଳେ ଢାଙ୍କି ହୋଇ ନଡ଼ିଆ ଚେରର ଆଘାତରେ ଫାଟି, ଫାଳ ଫାଳ ହୋଇ ପଡ଼ିଛି, ସେଠାରେ କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ ବିଜୟାମିଳନ, ସାମନ୍ତ-ଘର ଦୁର୍ଗାପୂଜାର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ସ୍ମରଣୀୟ ଉତ୍ସବ ଥିଲା । ସେଦିନ କଲିକତା ଜହୁରୀ, ଢାକାଇ ଶାଢ଼ି ମହାଜନ, ଲକ୍ଷ୍ନୌର ଭାଙ୍ଗ-ମାଜୁମ ବ୍ୟବସାୟୀ, ବନାରସର ଅତରବାଲା ଓ ଖେମ୍‌ଟାବାଲୀ, ଦୂର ଓ ନିକଟ ସମ୍ପର୍କୀୟ ଆତ୍ମୀୟ ସ୍ୱଜନଗୋଷ୍ଠୀ ସିଂହସାମନ୍ତଙ୍କ ବିଜୟା ବେଦୀ ଚାରିପଟେ ଭିଡ଼ ବାନ୍ଧୁଥିଲେ । ଏହି ସମାରୋହ ମଧ୍ୟରେ କାଳୀପ୍ରସନ୍ନ ସିଂହ ସାମନ୍ତ ଭେଲ୍‌ଭେଟର ଗାଲିଚା ଉପରେ ମାଣ୍ଡିକୁ ଆଉଜି ବସୁଥିଲେ; ଆଶ୍ରିତ ଓ ଅନୁଗତମାନଙ୍କଠାରୁ ବିଜୟା ଅଭିବାଦନ ଗ୍ରହଣ କରିବା ପାଇଁ । ସେ ଥିଲା ସାମନ୍ତଇଷ୍ଟେଟ୍‌ର ‘‘ହଜୁରୀ-ସରକାର’’ଙ୍କ ‘‘ହେକ୍‌ମତ୍‌’’ର ସ୍ୱର୍ଣ୍ଣଯୁଗ !

 

ଚଳଚ୍ଚିତ୍ର ଛବି ପରି ହରେକୃଷ୍ଣଙ୍କ ଆଖି ଆଗରେ ଆଜି ବି ଭାସିଉଠେ; ନାଚଦଳର ରାଜା ପାର୍ଟ ଅଭିନେତା ପରି କାଳୀପ୍ରସନ୍ନ ସିଂହ ସାମନ୍ତଙ୍କ ଚେହେରା....ପିନ୍ଧାରେ ଗରଦ ଯୋଡ଼, ଦେହରେ ନେଳି ସାଟିନ୍‌ର ମିରଜାଇ ଜାମା, ପାଦରେ ବଙ୍କାଥଣ୍ଟିଆ ପାଣ୍ଡୋଇ ଚଟୀ, ବାହୁରେ ଅଷ୍ଟଧାତୁ ତାବିଜ, ବେକରେ ସୁନାହାର, କାନ୍ଧ ଉପରେ ବାବୁରୀ ବାଳର ଝୁଲା ଓ କପାଳରେ ସିନ୍ଦୂର କଲି !

 

ହରେକୃଷ୍ଣ ‘‘ମା ଆନନ୍ଦମୟୀ, ମା ଆନନ୍ଦମୟୀ’’ କହି ଠିଆ ହୋଇପଡ଼ିଲେ ।

 

ଆଜି ଦଶମୀ; ଦୁର୍ଗାପୂଜାର ଶେଷ ଉତ୍ସବ....ମାତ୍ର ସାମନ୍ତଘର ପୂଜାବେଦୀ ନିର୍ଜନ ଓ ପରିତ୍ୟକ୍ତ । ଦଳେ ଭିକାରୀ କେବଳ ସାମ୍‌ନା ନହବତ୍‌ ମଣ୍ଡପ ପାଖରେ, ରାସ୍ତା କଡ଼ରେ, ପ୍ରସାଦ ଆଶାରେ ବସିଛନ୍ତି । ସେଠି ଛିଣ୍ଡାକନ୍ଥା, କଲେଇଛଡ଼ା ଆଲୁମିନିଅମ୍‌ ବାଟି, ଟିଣ ଓ ଅଖାର ଆବର୍ଜନା । ସେମାନଙ୍କୁ ସେଠୁ ତଡ଼ିବା ପାଇଁ ଭୋଳି ମହାନ୍ତିଙ୍କ ଦୋ-ଅକ୍ଷରୀ ଗାଳି, ସେହି ନୀରବତା ମଧ୍ୟରେ ବେଳେ ବେଳେ ପ୍ରତିଧ୍ୱନିତ ହୋଇ ଉଠୁଅଛି । ହରେକୃଷ୍ଣଙ୍କର କହିବା ପାଇଁ ଇଚ୍ଛା ହେଉଥିଲା....ଥାଉ, ଥାଉ, ସେମାନଙ୍କୁ ତଡ଼ି ନାହିଁ; ବସନ୍ତୁ ସେମାନେ ! ବର୍ଷ ବର୍ଷ ଏହିପରି ମା ଆନନ୍ଦମୟୀର ଶୁଭ ଆଗମନୀରେ ଆସିଛନ୍ତି ସେମାନେ । କେହି ରିକ୍ତ ହାତରେ ଏ ଦ୍ୱାରରୁ ଫେରି ନାହାନ୍ତି କେବେ ! ଆଜି ଅବଶ୍ୟ ଦେବା ପାଇଁ କିଛି ନ ଥାଇପାରେ; ଅଭାବର ଶତ ମଳିନତା ମଧ୍ୟରେ ପୂଜାର ଏ ଦୈନ୍ୟଗ୍ରସ୍ତ ଆୟୋଜନ ହୁଏତ ଔଜ୍ଜ୍ୱଲ୍ୟଦୀପ୍ତ ଅତୀତ ପ୍ରତି ଏକ ଉପହାସ । ଆଜିର ପରିସ୍ଥିତି ଓ ପରିବେଶରେ ଏହା ହୁଏତ ସମ୍ପୂର୍ଣ୍ଣ ଅବାନ୍ତର ବାଦ୍‌ ଦେଲେ କେହି ସମ୍ଭବତଃ ଲକ୍ଷ୍ୟ ସୁଦ୍ଧା କରନ୍ତେ ନାହିଁ......ତଥାପି ହରେକୃଷ୍ଣଙ୍କର ଏକ ବିଶ୍ୱାସ ସିଂହସାମନ୍ତ-ଉଆସରେ, ବର୍ଷରେ ଥରେ ମା ଆନନ୍ଦମୟୀଙ୍କର ଏହି ଶୁଭ ଆଗମନୀ ଓ ସମାରୋହ ପାଇଁ; ସ୍ୱୟଂ ଦେବୀ ସୁଦ୍ଧା ଯେପରି ଆକାଙ୍‌କ୍ଷିତା ! ଜାଜ୍ଜ୍ୱଲ୍ୟମାନ ବର୍ତ୍ତମାନର ଦୀପ୍ତି ମଧ୍ୟରେ, ଅତୀତ ଯେତେ ଦୀନ ଓ ମଳିନ ମନେ ହେଉନା କାହିଁକି, ତାହାହିଁ ଯେପରି ଏକମାତ୍ର ନିର୍ଭରଯୋଗ୍ୟ ଭିତ୍ତିଭୂମି ! ସିଂହସାମନ୍ତ ବଂଶର ଅଧିକାରୀମାନେ ଆଜି ବିସ୍ମୃତିର ଅତଳ ଗର୍ଭରେ, ଯୁଗ ପରିବର୍ତ୍ତନର ପ୍ରଚଣ୍ଡ ଆଘାତ ମଧ୍ୟରେ ବିଲୀନ ହୋଇ ପାରିଥାନ୍ତି; ମାତ୍ର ସେମାନେ ମଧ୍ୟ ଦିନେ ବହନ କରି ଆଣିଥିଲେ ଆନନ୍ଦମୟୀଙ୍କର ପୂଜାବେଦୀ ତଳେ, ନୂତନର ଯେଉଁ ଆନନ୍ଦମୟ ବାର୍ତ୍ତା, ଉତ୍ସବର ଯେଉଁ କୋଳାହଳ, ତାହା କଦାପି ମିଥ୍ୟା ହୋଇ ନପାରେ । ବର୍ତ୍ତମାନର ପରିପ୍ରେକ୍ଷାରେ ଅତୀତ ଯେତେ ସାମାନ୍ୟ ହେଲେ ସୁଦ୍ଧା, ଅତୀତକୁ ଏକ ତୁଚ୍ଛ ଅବାନ୍ତର ପରି ଫିଙ୍ଗିଦେଲେ, ଅତୀତର ଦୈନ୍ୟ ସେଥିରେ ବଢ଼େ ନାହିଁ, ବରଂ ବର୍ତ୍ତମାନ ହିଁ ମନେ ହୁଏ ସମ୍ପୂର୍ଣ୍ଣ ଶ୍ରୀହୀନ । ତେଣୁ ସିଂହସାମନ୍ତ ପରିବାରରେ ଦୟାର ଅନ୍ନରେ ପ୍ରତିପାଳିତ, ଦୂରସମ୍ପର୍କୀୟ ହରେକୃଷ୍ଣଙ୍କ ଉପରେ ଯେପରି ନ୍ୟସ୍ତ ହୋଇଥିଲା, ସିଂହସାମନ୍ତମାନଙ୍କର ପରମ୍ପରା ଏକ ବଳୀବର୍ଦ୍ଦ ପରି ବହନ କରି ଚାଲିବାର ଅଲଙ୍ଘନୀୟ ଦାୟିତ୍ୱ ! ସଂସାରର ଶତ ପ୍ରତିକୂଳ ପରିସ୍ଥିତି, ଭୋଳି ମହାନ୍ତିଙ୍କ ଅନିଚ୍ଛା ଓ ଆପତ୍ତି ସତ୍ତ୍ୱେ ହରେକୃଷ୍ଣ ବର୍ଷ ପରେ ବର୍ଷ ତାହାହିଁ ନୀରବରେ ବହନ କରି ଆସୁଅଛନ୍ତି ।

 

ବାଜାଦାରମାନଙ୍କର ଅଳି ଆରମ୍ଭ ହେଲାଣି । ପେଁକାଳିଆର ପେଁକାଳିରେ ବିଳିବିଳେଇଲା ପରି ବେଳେ ବେଳେ ଓଡ଼ିଶୀ ଛାନ୍ଦ, ଚୌପଦୀର ଖଣ୍ଡେ ଅଧେ ରାଗିଣୀ, ସେହି ନୀରବତା ମଧ୍ୟରେ ବିଳାପ କରି ଉଠୁଛି ।

 

ଦୁଇ

 

ମରୁଡ଼ିଜଳା ଧାନକ୍ଷେତର ହିଡ଼ ଧାରେ ଧାରେ, ନାଳ ଓ ନଦୀବନ୍ଧରେ, ପାଦଚଲା ଅଙ୍କାବଙ୍କା ବାଟରେ, ରଙ୍ଗୀନ୍‌ ପ୍ରଜାପତିର ଦଳ ପରି ଅସୁମାରି ଯାତ୍ରୀ ଛୁଟିଛନ୍ତି ରାଧାପୁର-ବଜାର ଆଡ଼େ । ବିସର୍ଜନ ପରେ ରାଧାପୁର ବଜାରରେ ଦେବୀମେଲଣ ଏବେ ଏ ଅଞ୍ଚଳରେ ଏକ ପ୍ରସିଦ୍ଧ ସମାରୋହରେ ପରିଣତ ହେଲାଣି । ବ୍ୟବସାୟରେ ମୁନାଫା ଦୃଷ୍ଟିରୁ ରାଧାପୁର ବଜାରର ବ୍ୟବସାୟୀମାନେ ଦେବୀମୂର୍ତ୍ତି ଓ ବାରୁଆଳୀ ଲବଜ୍‌ମାନ ଏକାଦଶୀ ଦିନ ସକାଳେ ବିସର୍ଜନ ନଦେଇ ଏବେ କୂଆଁରପୂର୍ଣ୍ଣମୀ ପର୍ଯ୍ୟନ୍ତ ରଖୁଛନ୍ତି । ତେଣୁ ଦଶମୀ ପର ଠାରୁ ଦେଖଣାହାରୀମାନଙ୍କର ଛୁଟଣରେ ବିରାମ ନ ଥାଏ । ଯାତ୍ରାଖର୍ଚ୍ଚ ପାଇଁ ଯେଉଁମାନଙ୍କ ଅଣ୍ଟାରେ, ଅଥବା କାନିଗଣ୍ଠିରେ ନିହାତି କିଛି ନଥାଏ, ସେମାନେ ଚାଉଳ, ବିରି, ମୁଗ ଇତ୍ୟାଦି ଶସ୍ୟ ଯାତ୍ରାରେ ବିକ୍ରୀ କରି; ସେହି ପଇସାରେ ମହନିସାହୁଙ୍କ ମନିହାରୀ ଦୋକାନରୁ ଫୁଲୁରୀ ତେଲ, ତରଳ ଅଳତା, ଦିଲ୍‌ବାହାର ଅତର, ମଦନ ବିଶୁଦ୍ଧ ହିନ୍ଦୁ ହୋଟେଲରୁ ତରଳ ଜଳବତ୍‌ ମାଉଁସ ଝୋଳ, ନରି ସାହୁଙ୍କ ଦୋକାନରୁ ପୁରୀ ତରକାରୀ, ଅଥବା ହରି ପଧାନଙ୍କ ଲୁଗା ଦୋକାନରୁ ରେଡିମେଡ୍‌ ହାୱାଇନ୍‌ ଜାମା, ଛିଟ ବ୍ଳାଉଜ୍‌ ଆଦି କିଣି, ତିନିପତିଆ ତା’ସ ଖେଳାଳୀମାନଙ୍କ ପାଖରେ ବର୍ଷକର ସଞ୍ଚୟ ଝାଡ଼ିଝୁଡ଼ି ସଫା କରିଦେଇ ପୁଣି ଗାଁକୁ ଫେରିଯାଆନ୍ତି ।

 

ସେମାନଙ୍କ ମଧ୍ୟରୁ କ୍ୱଚିତ୍‌ କେହି ଏବେ ଅଗ୍ରପୂଜ୍ୟା ସାମନ୍ତଘର ଦେବୀ କଥା ସ୍ମରଣ କରିଥାନ୍ତି ବା ଦର୍ଶନ ପାଇଁ ସେଠାକୁ ଆସିଥାଆନ୍ତି । ବଜାରରେ ହରିପଧାନଙ୍କ ଗୋଦାମରେ ରୂପାଛାଆଣି ସାର୍ବଜନୀନ ଦେବୀ ମେଢ଼ ଛାଡ଼ି କିଏ ବା କାହିଁକି ପୋକଖିଆ ସୋଲଫୁଲ ଓ କଳା ପଡ଼ି ଆସିଥିବା ପୁରୁଣା ଜରି କାମରେ ତିଆରି ସାମନ୍ତଘର-ଦେବୀ ଦେଖିବା ପାଇଁ ଆସିବ ?.....

 

ମଧ୍ୟାହ୍ନର ପ୍ରଖର ଆଲୋକରେ ଝଲସି ପଡ଼ୁଥିବା ହରେକୃଷ୍ଣଙ୍କର ଆଖି ଆଗରେ, ଆନୁମାନିକ ପାଞ୍ଚହଜାର ବର୍ଷବ୍ୟାପୀ ବିବର୍ତ୍ତନର ଏକ ପର୍ଯ୍ୟୁଷିତ ଅଙ୍କ ଉପରେ ଶେଷ ଯବନିକା ପଡ଼ି ଆସୁଥିଲା.....

 

ଶରତର ପ୍ରାଚୁର୍ଯ୍ୟମୟୀ ଶୋଭାମୟୀ କଲ୍ୟାଣମୟୀ ଶସ୍ୟଲକ୍ଷ୍ମୀଙ୍କୁ ଆନନ୍ଦାପ୍ଳୁତ ପ୍ରାଣର ଉଚ୍ଛ୍ୱସିତ ଅଭିନନ୍ଦନ ଜଣାଇବା ପାଇଁ ଏକ କୃଷିପ୍ରଧାନ ସମାଜର ମାନ୍ତ୍ରିକ ଓ ତାତ୍ତ୍ୱିକ ସେଦିନ ଯେଉଁ ଉତ୍ସବର ଆୟୋଜନ କରିଥିଲା; ନୃତ୍ୟ, ସଙ୍ଗୀତ, ମୈତ୍ରୀ ଓ ତୃପ୍ତି ମଧ୍ୟରେ ଅନାହତ ସାର୍ବଜନୀନ ଆନନ୍ଦ, ତାହାକୁ ଏକ ଅଭିନବ ଅନୁଷ୍ଠାନରେ ପରିଣତ କରିଥିଲା । ପ୍ରକୃତିର ଉତ୍ସଙ୍ଗରେ ଲାଳିତ ଓ ବର୍ଦ୍ଧିତ ସେହି ଆଦିମ ସମାଜର ଚେତନା ସେଦିନ ଥିଲା କାବ୍ୟମୟ । ମୌସୁମୀର ଝଞ୍ଜା, ବୃଷ୍ଟିପାତ ଓ ବନ୍ୟାପ୍ଳାବନର ଶତ ଦୁର୍ଯ୍ୟୋଗ ଦଳନ କରି, କ୍ଷୁଧାନାଶିନୀ, ଶସ୍ୟମୟୀ, ଶରତର ଅନ୍ନଦାତ୍ରୀ ଧରିତ୍ରୀ; ସେହି ଆଦିମ ସମାଜରେ ଦାନବଧ୍ୱଂସିନୀ, ଶକ୍ତିମତୀ ମାତୃମୂର୍ତ୍ତି ରୂପେ ପରିକଳ୍ପିତା ହୋଇଥିଲେ । ନବପତ୍ରିକା ତାହାର ସଂକେତ ! ଆଜି ସାର୍ବଜନୀନ ଦୁର୍ଗୋତ୍ସବ ମଣ୍ଡପ କୋଣରେ ଗଜବଦନ ଗଣେଶଙ୍କ ପତ୍ନୀ ରୂପେ ଯେଉଁ କଦଳୀଗଛ ଓ ନବପତ୍ରିକା ସ୍ଥାପିତ ହୋଇଛନ୍ତି, ସେ ତ ଗଣେଶଙ୍କ ପତ୍ନୀ ନୁହନ୍ତି; ଗଣେଶଜନନୀ ଦୁର୍ଗାଙ୍କର ପ୍ରମାତାମହୀ !

 

କୃଷିପ୍ରଧାନ ସମାଜ କ୍ରମେ ପର୍ଯ୍ୟୁଷିତ ହୋଇ ପଡ଼ିବ ସଙ୍ଗେ ସଙ୍ଗେ, ଭୂମି କୃଷିଜୀବୀର ହାତରୁ ଚାଲି ଆସିଲା, ସାମନ୍ତ ଭୂମ୍ୟଧିକାରୀମାନଙ୍କ ଅଧିକାରକୁ । ସମାଜର ସାର୍ବଜନୀନ ଉତ୍ସବବେଦୀ ଛାଡ଼ି ଶସ୍ୟଲକ୍ଷ୍ମୀ ଆସିଲେ ସାମନ୍ତମାନଙ୍କ ବ୍ୟକ୍ତିଗତ ପୂଜାମଣ୍ଡପକୁ । ଜନତାର ଚିତ୍ତାକର୍ଷଣ କରିବା ପାଇଁ ଆଦିମ କୃଷିଜୀବୀର ପତ୍ରବୃନ୍ତ ଓ ଶସ୍ୟସ୍ତବକ ରୂପିଣୀ ଦେବୀଙ୍କୁ ନୂତନ ମୃଣ୍ମୟୀ ଆଙ୍ଗିକରେ ଶୋଭିତ କରିବା ପାଇଁ ଆସିଲେ ଶିଳ୍ପୀ ଓ ଚିତ୍ରକର । ପୁଣି ଉପକଥା ଓ ପୁରାଣ କାହାଣୀ ମଧ୍ୟରେ ଦେବୀଙ୍କ ମହିମା କୀର୍ତ୍ତନ ପାଇଁ ଆସିଲେ ମଧ୍ୟ କବି, ତାତ୍ତ୍ୱିକ ଓ ଯାନ୍ତ୍ରିକର ଦଳ ।

 

ତା’ପରେ ପୁଣି ଦୃଶ୍ୟ ପରିବର୍ତ୍ତନ ଘଟିଲା । ରୌପ୍ୟଲକ୍ଷ୍ମୀରେ ଘଟାନ୍ତରିତା ଶସ୍ୟଲକ୍ଷ୍ମୀ, କେଶଧୃତା ହୋଇ ଆସିଲେ ବଣିକ ଓ ବ୍ୟବସାୟୀର ବିପଣୀକୁ । ସାମନ୍ତମାନଙ୍କ ଶିଉଳୀବସା, ଜୀର୍ଣ୍ଣ ପୂଜାମଣ୍ଡପ ଛାଡ଼ି, ଦେବୀ ମଧ୍ୟ ଚାଲିଆସିଲେ ବାରୁଆଳୀ ପ୍ରଦର୍ଶନୀ ମଣ୍ଡପକୁ । ପୂଜା ଅପେକ୍ଷା ପ୍ରଦର୍ଶନୀ, ଦେବୀ ଅପେକ୍ଷା ପ୍ରତିମା, ପରମ୍ପରା ଅପେକ୍ଷା ଦୋକାନଦାରୀ, ଉତ୍ସବର ମୁଖ୍ୟ ଅନୁଷ୍ଠାନରେ ରୂପାନ୍ତରିତ ହୋଇପଡ଼ିଲା ।

 

ଏହି ବିୟୋଗାନ୍ତ ନାଟକରେ ବିଦୂଷକ ପରି ହରେକୃଷ୍ଣ ଅକାରଣରେ ବିଳିବିଳେଇ ଉଠିଲେ; ମା ଆନନ୍ଦମୟୀ.....ମା ଆନନ୍ଦମୟୀ !

 

ଶିଡ଼ିରେ ଭୋଳି ମହାନ୍ତିଙ୍କ ପାକୁଆ କଠୋଉର ଖଟ୍‌ ଖଟ୍‌ ଶବ୍ଦ ଶୁଭିଲା । ବଜାର ଦେବୀମେଢ଼ର ଉଦ୍ୟୋକ୍ତାମାନେ ଭସାଣ ପୂର୍ବରୁ ପୂର୍ବବର୍ଷମାନଙ୍କ ପରି ଏ ବର୍ଷ ସାମନ୍ତଙ୍କର ଦେବୀମଣ୍ଡପକୁ ମେଢ଼ ଆଣିବା ବନ୍ଦ କରିବାପାଇଁ ନିଷ୍ପତ୍ତି କରିଛନ୍ତି; ମାତ୍ର ବହୁବର୍ଷର ଏକ ପ୍ରତିଷ୍ଠିତ ପରମ୍ପରା ନ ଭାଙ୍ଗି ବଜାର ମେଢ଼ମାନଙ୍କୁ ସାମନ୍ତଘର ଦେବୀମଣ୍ଡପକୁ ଆଣିବା ପାଇଁ ଆଲୋଚନା ନିମିତ୍ତ ଭୋଳି ମହାନ୍ତି ବଜାରମେଢ଼ର ଉଦ୍ୟୋକ୍ତାମାନଙ୍କ ପାଖକୁ ଯାଇଥିଲେ । ସେମାନଙ୍କ ନିଷ୍ପତ୍ତି ଜାଣିବା ପାଇଁ ହରେକୃଷ୍ଣ ଉତ୍‌କଣ୍ଠିତ ହୋଇ ଭୋଳି ମହାନ୍ତିଙ୍କୁ ମଧ୍ୟ ଅପେକ୍ଷା କରି ବସି ରହିଥିଲେ-। ମାତ୍ର ଭୋଳି ମହାନ୍ତିଙ୍କ ଭାବଭଙ୍ଗୀରୁ ଆଲୋଚନାର ଫଳ ଆଶାପ୍ରଦ ନୁହେଁ ବୋଲି ଜାଣିବା ପାଇଁ ହରେକୃଷ୍ଣଙ୍କର ବାକି ନଥିଲା । ଭୋଳି ମହାନ୍ତି କହିଲେ......

 

‘‘ସେମାନଙ୍କର ଏକା ଜିଦ୍‌, ଭସାଣ ପୂର୍ବରୁ ସେମାନେ ସାମନ୍ତଘର ଦେବୀମଣ୍ଡପକୁ ଏଣିକି ଆଉ ଆସିବେ ନାହିଁ ! ପ୍ରଥମେ ତ ସେମାନେ ଯୁକ୍ତି କଲେ, ପୂର୍ବେ ମେଢ଼ମାନଙ୍କୁ ଟଙ୍କା, ମିଠେଇ ହାଣ୍ଡିଏ, ଯୋଡ଼ ପ୍ରଭୃତି ଯେଉଁ ମାନ୍ୟବିଧି ମିଳୁଥିଲା, ତାହା ଆଜିକୁ ଆସି କେବଳ ଶୁଖିଲା ଫୁଲ ଚନ୍ଦନରେ ପହଞ୍ଚିଲାଣି !’’

 

ଏ ପ୍ରକାର ପରିସ୍ଥିତି ହରେକୃଷ୍ଣ ପୂର୍ବରୁ ଆଶଙ୍କା କରି ତାଙ୍କର ବହୁସଞ୍ଚିତ ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ବ୍ୟୟ କରିବା ପାଇଁ ପ୍ରସ୍ତୁତ ଥିଲେ । ଭୋଳି ମହାନ୍ତି ବଜାରମେଢ଼ର ଅଧିକାରୀମାନଙ୍କୁ ସେ ପ୍ରତିଶ୍ରୁତି ମଧ୍ୟ ଦେଲେ । ମାତ୍ର ବଜାରରେ କିଣେଇ ସାହୁଙ୍କ ଗୋଦାମ ଦେବୀଙ୍କ ମେଢ଼ ଏ ବର୍ଷ ରୂପାରେ ଛାଆଣୀ ହୋଇଛି । ତେଣୁ ବଜାର ଦେବୀ ସେ ଆଭିଜାତ୍ୟ ଛାଡ଼ି କାହିଁକି ଆସିବେ ସୋଲଫୁଲ ଆଉ କଳା ବୁଲି ଆସିଥିବା ପୁରୁଣା ଡାକଜରୀରେ ସଜା ହୋଇଥିବା ସିଂହ ସାମନ୍ତଘର ଦେବୀଙ୍କ ମଣ୍ଡପକୁ ? ବରଂ ସିଂହ ସାମନ୍ତଘର ଦେବୀ ଏ ବର୍ଷଠାରୁ ବଜାର ଦେବୀମାନଙ୍କ ମେଲଣକୁ ଆସିବା ଉଚିତ ! ବାରୁଆଳୀ ସାର୍ବଜନୀନ ପୂଜାସମିତିର ସମ୍ପାଦକ ଯୁକ୍ତି କଲେ......ଯେଉଁ ଦିନ ବଜାର ଦେବୀ ମେଢ଼ ମାନ ସିଂହସାମନ୍ତ ଘର ଦାଣ୍ଡକୁ ଯାଉଥିଲେ, ସେଦିନ ବଦଳିଗଲାଣି । ଆଉ ସେ ଯୁଗ ନାହିଁ କି ରୀତି ନାହିଁ !

 

ହରେକୃଷ୍ଣ ସବୁ ଶୁଣି ମୁହୂର୍ତ୍ତେ କାଳ ନୀରବରେ କଣ ଭାବିଲେ । ବର୍ତ୍ତମାନର ସବୁ ଗ୍ଳାନି ଓ ମଳିନତାର ଊର୍ଦ୍ଧ୍ୱରେ ଅତୀତରେ ଯେଉଁ ଜାଜ୍ୱଲ୍ୟଦୀପ୍ତ ସ୍ମୃତିର ପ୍ରଦୀପ ହରେକୃଷ୍ଣ ଏପର୍ଯ୍ୟନ୍ତ ଜଳାଇ ରଖିଥିଲେ, ତାହା ହଠାତ୍‌ ଯେପରି ଏକ ଝଡ଼ର ଆଘାତରେ ନିଭିଗଲା । ହରେକୃଷ୍ଣ କହିଲେ.....‘‘ତାହେଲେ ଆଉ ଡେରି କାହିଁକି ? ଦେବୀଙ୍କର ବିସର୍ଜନ ତ ସରିଛି । ଏଥର ମେଢ଼ ଉଠାଇବାର ବ୍ୟବସ୍ଥା କର ।’’

 

ତିନି

 

ସିଂହ ସାମନ୍ତ ଘର ଦେବୀଭସାଣର ଜଞ୍ଜାଳ ଶେଷ ହୋଇଛି ।

 

ହରେକୃଷ୍ଣଙ୍କର ବର୍ଷକର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି ।

 

ସହରକୁ ଫେରିଯିବା ପାଇଁ ହରେକୃଷ୍ଣ ରାଧାପୁର ବଜାର ବସ୍‌ଷ୍ଟାଣ୍ଡ ଅଭିମୁଖରେ ବାହାରିଛନ୍ତି । ସେ ଆସିଥିଲେ ଖଣ୍ଡେ ଛୋଟ ଟିଣ ସୁଟକେଶରେ ଦିନ କେତେଟା ପାଇଁ ବ୍ୟବହାର୍ଯ୍ୟ ସାମାନ୍ୟ ପଦାର୍ଥ ଧରି । ମାତ୍ର ଏବେ ଫେରି ଯାଉଥିଲେ ସିଂହସାମନ୍ତଘର ଦୋତାଲ କୋଠରୀରେ ବନ୍ଦ ହୋଇ ପଡ଼ିଥିବା ତାଙ୍କର ସବୁ ଜିନିଷପତ୍ର ଦୁଇଟି ଟ୍ରଙ୍କରେ ଭର୍ତ୍ତି କରି—ଜିନିଷପତ୍ର ସବୁ ଅବଶ୍ୟ ଅତି ସାମାନ୍ୟ; ହୁକା, ପିକଦାନୀ, ଆସନ, ହୁକା ନଳୀ ପ୍ରଭୃତି ଅଦରକାରୀ ପୁରୁଣା ଜିନିଷ-। ମାତ୍ର ଏ ପ୍ରତ୍ୟେକଟି ପୁରୁଣା ଜିନିଷ ପଛରେ ଗୋଟାଏ ଯୁଗରେ ଇତିହାସ ଅନିଭା ଛାପି ପରି ଲାଗି ରହିଛି । ପ୍ରତିବର୍ଷ ପୂଜା ଅବକାଶରେ ହରେକୃଷ୍ଣ ଆସିଲେ, ସେ ଜିନିଷପତ୍ର ସବୁ ଝାଡ଼ି ପୋଛି ବ୍ୟବହାର କରିଥାନ୍ତି; ମାତ୍ର ଏଣିକି ରାଧାପୁର ସହିତ ତାଙ୍କର ସବୁ ସମ୍ପର୍କ ଛିଡ଼ିଗଲା-। ଆଉ ସେ ଏଠାକୁ ଆସିବେ ନାହିଁ । ସେଥିପାଇଁ ଗୋଟିଏ ଭାରିଆ ବାଉଙ୍ଗୀରେ ଟ୍ରଙ୍କ୍‌ ଦୁଇଟିକୁ ଦୁଇ ପାଖରେ ଝୁଲାଇ ହରେକୃଷ୍ଣଙ୍କ ପଛେ ପଛେ ଚାଲିଛି ।

 

ଆଜି ପ୍ରଭାତରେ ଉଦୟସୂର୍ଯ୍ୟର ରକ୍ତିମ ମହିମା ହରେକୃଷ୍ଣ ଦେଖି ନଥିଲେ; ମାତ୍ର ଅସ୍ତସୂର୍ଯ୍ୟର ସ୍ୱର୍ଣ୍ଣଦ୍ୟୁତି ଗ୍ରାମଦେବତାଙ୍କ ବରଗଛ ଉପରେ, ଧୂଳିଆ ରାସ୍ତାକଡ଼ରେ ବାଉଁଶଝାଡ଼ ଦେହରେ, ଲକ୍ଷ ସୁନାର ଦୀପାଳୀ ଜାଳି ଦେଇଯାଇଥିଲା ! ଆସନ୍ନ ଗୋଧୂଳିର ଛାୟାନ୍ଧକାର ମଧ୍ୟରେ ସେହି ବିଗତ ମହିମା ଉଦ୍ଦେଶ୍ୟରେ ହରେକୃଷ୍ଣ ଦୁଇହାତ ଯୋଡ଼ି ନମସ୍କାର ଜଣାଇ କହି ଉଠିଲେ.....‘‘ମା ଆନନ୍ଦମୟୀ; ମା ଆନନ୍ଦମୟୀ !’’

ଭୋଳି ମାହାନ୍ତି ନିଦରୁ ଉଠିଲା ପରି କହିଲେ.....

‘‘ଆରବର୍ଷ ଆପଣ ଚତୁର୍ଥୀର ଦିନେ, ଦୁଇଦିନ ପୂର୍ବରୁ ଆସିବେ । ଏକୁଟିଆ ଲୋକ, ମୁଁ ଆଉ ସବୁ ଜଞ୍ଜାଳକୁ ଏଣିକି ପାରୁନାହିଁ ।’’

ହରେକୃଷ୍ଣ କହିଲେ....‘‘ଆରବର୍ଷଠାରୁ ଆଉ ପ୍ରତିମାପୂଜା ହେବ ନାହିଁ, ଭୋଳାନାଥ ! ଘଟ ପୂଜାରେ ଏ ବିଧି ଏଣିକି ଶେଷ କର । ପ୍ରତିମା ପୂଜା ବଡ଼ ଜଞ୍ଜାଳ ! ମା-ଆନନ୍ଦମୟୀ କେଉଁଠାରେ ନାହାନ୍ତି ?’’

ବଜାରରେ ଦେବୀ ମେଲଣ ଦେଖିବା ପାଇଁ ଯାତ୍ରୀମାନଙ୍କ ଭିଡ଼ରେ ରାସ୍ତା ଜନାକୀର୍ଣ୍ଣ । ସମସ୍ତଙ୍କ ମୁହଁରେ କିଣେଇ ସାହୁଙ୍କ ଦେବୀ ମେଢ଼ରେ ରୂପା ଛାଉଣିର ପ୍ରଶଂସା ! ବାରୁଆଳୀ ଶିବ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତିନିର୍ମାଣର କାରିଗରୀ ପାଇଁ ମଧ୍ୟ ବହୁ ତାରିଫ୍‌ ।

ସଂଧ୍ୟା ପୂର୍ବରୁ ସୁଦ୍ଧା ମେଲଣ ପଡ଼ିଆରେ ରୋଷଣୀର ସମାରୋହ ଆରମ୍ଭ ହୋଇଯାଇଥିଲା । ହାବେଳୀରୁ ଉଜ୍ଜ୍ୱଳ ନକ୍ଷତ୍ରମାଳା ଗୋଟିକ ପରେ ଗୋଟିଏ ନିଭି ଯାଉଥିଲା ।

ବସ୍‌ଷ୍ଟାଣ୍ଡରୁ ସହରକୁ ଛାଡ଼ୁଥିବା ଶେଷବସ୍‌ର ସମୟ ହୋଇ ଆସିଥିଲା । ହରେକୃଷ୍ଣ ‘‘ମା ଆନନ୍ଦମୟୀ, ମା ଆନନ୍ଦମୟୀ’’ କହି ପାଦର ଗତି ଦ୍ରୁତ କରିଦେଲେ ।

Image

 

ଗଣଦେବତା

 

ଜଳନ୍ତା ସିଗାରେଟର ଦଗ୍‌ଧାଂଶଟିକୁ ବାମହସ୍ତର ଦୁଇ ଆଙ୍ଗୁଠି ଟିପ ଭିତରେ ଚାପି ଧରି, ଗୋବର୍ଦ୍ଧନାଚାର୍ଯ୍ୟ ଚିନ୍ତାନ୍ୱିତ ଭାବରେ ସିଗ୍ରେଟର ଜଳନ୍ତା ଗୁଳ ଓ ସେଥିରୁ ଉଠୁଥିବା ଧୂଆଁର କୁଣ୍ଡଳୀଆଡ଼େ କିଛିକ୍ଷଣ ଚାହିଁଲେ, ତା’ପରେ ଛିଟାମାରି ସେ ଖଣ୍ଡ ଫିଙ୍ଗି ଦେଲେ ପୌଷର ପାତଳ କୁହୁଡ଼ି ଓ ଧନିଆଫୁଲର ଗନ୍ଧବୋଳା ଗୋଧୂଳି ଭିତରକୁ । ସାଧାରଣ ନିର୍ବାଚନରେ ଭୋଟଗ୍ରହଣ ଆଉ ପ୍ରାୟ ସାତଦିନ ରହିଲା ।

 

ନିର୍ବାଚନ ଅଫିସରେ କର୍ମୀମାନଙ୍କର ଭିଡ଼ ମଉଳିଚି । ସକାଳେ ପୁଣି ଆରମ୍ଭ ହୋଇଯିବ, ଏମ୍ପ୍‍ଲୟମେଣ୍ଟ ଏକ୍‌ସଚେଞ୍ଜର ଭିଡ଼ ।

 

‘‘ପୁଣି କୁଆଡ଼େ ଆସିଗଲ ମହାପାତ୍ରେ ?’’

 

‘‘ଆପଣ ବ୍ୟସ୍ତ ହେବେ ନାଇଁ ଆଜ୍ଞା ! ଗଣତି ପରେ ସିନା ମୋତେ କହିବେ ! ମୋ ଅଞ୍ଚଳ ଏକାଥରେ ସଲୀଡ଼୍‌; ଅପର ପକ୍ଷ ଅତି ବେଶୀ ପାଇଲେ ଶତକଡ଼ା ଦଶ, ଭୁଲ୍‌ ଭଟକାରେ !’’

 

‘‘ତା’ହେଲେ ପୁଣି ଏଠି କାଇଁକି ? ଶତକଡ଼ା ଦଶକୁ ପାଞ୍ଚ କରାଯାଉ !’’

 

ମହାପାତ୍ରେ ଏ ପ୍ରଚ୍ଛନ୍ନ ବିଦ୍ରୂପରେ ଦବି ଯିବାର ପାତ୍ର ନୁହନ୍ତି । କାନ ପାଖକୁ ମୁହଁ ଆଣି, ପାଇରିଆର କିଛି ଦୁର୍ଗନ୍ଧ ଛିଞ୍ଚାଡ଼ି ସେ ଆରମ୍ଭ କରିଦେଲେ, ସେଇ ପୁରୁଣା ଅନୁଯୋଗ,.....ଆଜ୍ଞା, ଜୀବନ ପଣ କରି ବାହାରିଚି ଯେତେବେଳେ, ଆପଣ ବେଫିକର ବସନ୍ତୁ । ଭାଣ୍ଡେଶ୍ୱର ମହାଦେବଙ୍କ ପାଖରେ ପୋଲିଙ୍ଗ୍‌ ସାତଦିନ ଥିବ, ଗୁଆ, ବସେଇବି, ସହସ୍ର କୁମ୍ଭାଭିଷେକ କରାଇବି, ଆପଣଙ୍କ ଜିତାପଟ ପାଇଁ । ଖଚ ବାବଦକୁ ଟଙ୍କା ପଚାଶଟା ହେଲେ ଢେର !

 

ଦୁଇଦିନ ତଳେ ମହାପାତ୍ରେ ଟଙ୍କା ଚାଳିଶଟା ନେଇଥିଲେ ସାଇକଲ ଟାୟାର ପାଇଁ ।

 

ମହାପାତ୍ରଙ୍କ ସହସ୍ର କୁମ୍ଭାଭିଷେକର ବ୍ୟବସ୍ଥା ନ ସରୁଣୁ ଦାମ ରାଉତେ, ଆରପଟୁ ଉହୁଙ୍କି ପଡ଼ି ଆରମ୍ଭ କରିଦେଲେ, ହେଇତି ଯାଇଁ ବୁଝି ଆସନ୍ତୁ, ଯଦି ମୋ କଥାକୁ ଅବିଶ୍ୱାସ ହେଉଚି; ନାରଣାଯୋଡ଼ି ଏଲ୍‌.ପି. ବୁଥ୍‌ରେ ଅପର ପକ୍ଷର ହଂସା ଉଡ଼ିଲାଣି ! ପତିତପାବନବାବୁ ମୋତେ କାଲି ହାଟରେ ଦେଖି, ଛଳ ଛଳ ଆଖିରେ କହିଲେ, ରାଉତେ ଶେଷକୁ ମୋରି ଚେର କାଟିଲ !

 

‘‘ତା’ ହେଲେ ଏବେ ଯଥାଶୀଘ୍ର ଯାଇଁ ସେ ଚେରଟିକୁ ଏକାଥରେ ନିର୍ମୂଳ କରିଦିଅ ନାଁ-!’’

 

‘‘ମଲା, ସେ କଥା କଣ ମୋତେ କହିବା ପାଇଁ ଅଛି ! ମୁଁ ପରା ୩୦ ବର୍ଷର କର୍ମୀ । ମୋ କଥା ନାଲୁବାବୁ ରାଜ୍ୟପାଳଙ୍କୁ ପଚାରିବେ ! ....କଥା କଣ କି, ଘରେ ଟଙ୍କା କେଇଟା ପକେଇ ଦେଲେ, ମୁଁ ଏକାଥରେ ନିଶ୍ଚିନ୍ତ ହୋଇ ବାହାରି ପଡ଼ନ୍ତି; ଖାଲି ନାରଣାଯୋଡ଼ି କାଇଁକି, ଗବପୁର, ଅଣଖିଆ, ନାନପୁର, କାନପୁର, ସନ୍ତିଆ, କଳିଢ଼ିଅ....’’

 

‘‘କାଲି ଦେଇଥିଲି ପରା ?’’ .....ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଶଙ୍କିତ ପ୍ରଶ୍ନ ।

 

ନିର୍ବାଚନ ଆଉ ମୋଟେ ଆଠଦିନ ରହିଲା । ସେଦିନ ସିନା ଗଣଦେବତାଙ୍କ ପାଳି; ଆଜି କିନ୍ତୁ ଗଣଦେବତାଙ୍କ ଏହି ପଣ୍ଡା ପଢ଼ିଆରୀମାନଙ୍କର ଜନ୍ତାଳ !

 

ଦାମ ରାଉତଙ୍କ ବ୍ୟବସ୍ଥା ନ ସରୁଣୁ, ଭାଣ୍ଡେଶ୍ୱର ମହାଦେବଙ୍କ ସହସ୍ର କୁମ୍ଭାଭିଷେକ ପାଇଁ ଖର୍ଚ୍ଚ ଚିଠା ନ ହେଉଣୁ, ସାଇକେଲ ଘଣ୍ଟି ଅଯଥା ଟିଙ୍ଗ୍‌ ଟିଙ୍ଗ୍‌ କରି, ଷେଣ୍ଢମାର୍କା ପତାକାଟିକୁ ସିଦମ୍ଭରେ ଉଡ଼ାଇ, ବିଜୟୀ ସେନାପତି ପରି ମାଡ଼ି ଆସୁଥିଲେ ମିଛୁ ମିଶ୍ରେ—ଗୋବର୍ଦ୍ଧନାଚାର୍ଯ୍ୟଙ୍କ ମୁଖ୍ୟ କାର୍‌ପଟଦାର ।

 

ଦିନର ଏସବୁ କ୍ଳେଦାକ୍ତ ଜଞ୍ଜାଳ, ପୁଣି ଶଠତା, ନୀଚତା ଓ ମିଥ୍ୟାଚାରର ବୀଭତ୍ସ ପଟୁଆର ଏବେ ଶେଷ ହୋଇଥିଲା ।

 

ଫସଲକଟା କ୍ଷେତ ଉପରେ ପୌଷର କୁହୁଡ଼ିବୋଳା ଗୋଧୂଳି, ନଈକୂଳ ତଇଳାରେ ଧନିଆଫୁଲର ବାସନା, ସ୍ନିଗ୍‌ଧ ପ୍ରଲେପ ପରି, ଆହତ ସୌକୁମାର୍ଯ୍ୟର କ୍ଷତ ଉପରେ ବୋଳି ହୋଇ ଆସୁଥିଲା ।

 

ଗୋବର୍ଦ୍ଧନାଚାର୍ଯ୍ୟ ବାରଣ୍ଡାରେ ଦଉଡ଼ିଆ ଖଟ ଉପରେ ଦେହ ଢାଳି ଅଳସ କଣ୍ଠରେ ପଚାରିଲେ.....‘‘ବୁଲେଟ୍‌ କେତେଟା ଅଛି ରେ ଗବେନ୍ଦ୍ର ?’’

 

(ବୁଲେଟ୍‌ ହେଉଛି ଭାଙ୍ଗପୁର ସିଦ୍ଧିଚକ୍ରର ପାରିଭାଷିକ ଶବ୍ଦ.....ଯାହାର ଅର୍ଥ ଭାଙ୍ଗମୋଦକ ।)

 

ମୁଁ କହିଲି....‘‘ନିର୍ବାଚନ ରଣକ୍ଷେତ୍ରରେ ସେ ସବୁ ଅବକାରୀ ପଦାର୍ଥ ପରା ନିଷିଦ୍ଧ ! ସେଥିପାଇଁ ସେ ସରଞ୍ଜାମ ସବୁ ସିଦ୍ଧି-ଚକ୍ରରେ ଛାଡ଼ିଦେଇ ଆସିଚି ।’’

 

ଗୋବର୍ଦ୍ଧନାଚାର୍ଯେ ଗୋଟିଏ ଦୀର୍ଘଶ୍ୱାସ ପକାଇ ଅସହାୟ ଭାବରେ ଆଉ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲେ । ଗୋବର୍ଦ୍ଧନାଚାର୍ଯଙ୍କ ଏପରି ଆଉ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲେ । ଗୋବର୍ଦ୍ଧନାଚାର୍ଯଙ୍କ ଏପରି ମାନସିକ ଅବସ୍ଥା ସହିତ ତାଙ୍କର ଜଣେ ଘନିଷ୍ଠ ପାର୍ଷଦ ରୂପେ ମୁଁ ଅବଶ୍ୟ ବହୁ ପରିଚିତ । ବାହାର ପୃଥିବୀର ସଂଘାତ ସଂଘର୍ଷରୁ ପଳାୟନ କରି, ସେ ଯେତେବେଳେ ଆତ୍ମରକ୍ଷା ପାଇଁ ନିଜ ମଧ୍ୟରେ ଅନ୍ତର୍ଲୀନ ହୁଅନ୍ତି, ସେତେବେଳେ ତାଙ୍କର ପ୍ରୟୋଜନ ପଡ଼ିଥାଏ ବୁଲେଟ୍‌ । ଏବେ ହୁଏତ ସେହିପରି ଅନ୍ତର୍ଲୀନ ହେବାପାଇଁ ସେ ବାଟ ଉଣ୍ଡାଳି ହେଉଥିଲେ ।

 

ତାଙ୍କ ମାନସିକ ଅବସ୍ଥା ବୁଝିପାରି ମୁଁ କହିଲି.....‘‘ଏବେ ଫଳ ପାଅ ଗୋବର୍ଦ୍ଧନାଚାର୍ଯେ–ଆପଣା ହସ୍ତେ ଜିହ୍ୱା ଛେଦି । ତା’ ପର ପାଦଟି କଣ ? ଆମେ ସବୁ ସିଦ୍ଧିଚକ୍ରର ପାର୍ଷଦମାନେ ତୁମକୁ ଏତେ ବୁଝାଇଲୁ, ଗୋବର୍ଦ୍ଧନାଚାର୍ଯେ, ତୁମେ ସେ ନିର୍ବାଚନରେ ମାତ ନାଇଁ-! ସେ ସବୁ ତୁମର କର୍ମ ନୁହେଁ ! ସିଦ୍ଧି-ଚକ୍ରରେ ତତ୍ତ୍ୱ-ଚର୍ଚ୍ଚା ଛଡ଼ା, ତୁମ ପାଇଁ ବିଧାତା ଆଉ ଅନ୍ୟକର୍ମ ଖଞ୍ଜି ନାହାନ୍ତି ! କିନ୍ତୁ ତୁମେ କଣ ପାର୍ଷଦମାନଙ୍କ କଥା ଶୁଣିଲ ! ଶେଷକୁ କଣ ନାଁ, ଏକାଥରେ ଷେଣ୍ଢମାର୍କା ଦଳର ପ୍ରାର୍ଥୀ !’’

 

ଗୋବର୍ଦ୍ଧନାଚାର୍ଯେ ଖଟିଆ ଉପରେ ଉଠି ବସି, ଗଞ୍ଜେଇ ଚିଲମ୍‌ ଟାଣିବା ପରି ଶୈଳୀରେ ଦୁଇହାତ ମୁଠା ମଧ୍ୟରେ ସିଗ୍ରେଟ୍‌ଟିକୁ ଚାପିଧରି, ସେଥିରୁ କଳେ ଧୂଆଁ ଏକା ନିଃଶ୍ୱାସରେ ଟାଣିନେଇ, ଧୀରେ ଧୀରେ ତାହାକୁ ପୁଣି କୁଣ୍ଡଳି ଆକାରରେ ଛାଡ଼ି, ଉତ୍ତର ଦେଲେ......

 

‘‘ଆରେ ମୂଢ଼, ଏ ଯେଉଁ ନିର୍ବାଚନ ହେଉଚି, ଏ ତ ନିର୍ବାଚନ ନୁହେଁ—ଏ ହେଲା ଗଣଦେବତାଙ୍କ ମହାପାର୍ବଣ । ବାରବର୍ଷରେ ଥରେ ଜଗନ୍ନାଥଙ୍କ ନବକଳେବର ଯାତ୍ରା, ନୋହିଲେ ଯୋଗ ପଡ଼ିଲେ କୁମ୍ଭମେଳା ପରି, ପ୍ରତି ପାଞ୍ଚବର୍ଷରେ ଗଣଦେବତାଙ୍କ ଏ ପୂଜା ପାର୍ବଣରେ ପୂଜାରୀ ଦେବା କଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ?’’

 

ମୁଁ ତାଚ୍ଛଲ୍ୟ ମିଶ୍ରିତ କଣ୍ଠରେ ପଚାରିଲି......

 

‘‘କିନ୍ତୁ ତୁମ ଗଣଦେବତାଙ୍କ ଧ୍ୟାନରୂପ ଦେଖିଚ ତ ଗୋବର୍ଦ୍ଧନାଚାର୍ଯେ ? ଗଣଦେବତା ହେଲେ ଗଣନାଥ ବିଘ୍ନେଶ ଗଣେଶ ! ଗଣପତିଙ୍କ ପଣ୍ଡା ପଢ଼ିଆରୀ ହେବା ପାଇଁ ହେଲେ ତାଙ୍କରି ପରି ହେବାପାଇଁ ପଡ଼ିବ ଯେ—’’

 

ଗୋବର୍ଦ୍ଧନାଚାର୍ଯେ କୌତୂହଳରେ ପଚାରିଲେ.....‘‘ସେ କିପରି ?’’

 

ମୁଁ କହିଲି.....‘‘ଗଣନାଥଙ୍କ ବାହନ ହେଉଚି ମୂଷିକ । ତେଣୁ ଗଣଦେବତାଙ୍କ ଗତି ହେବ ନିଶାର୍ଦ୍ଧର ଅନ୍ଧକାର ମଧ୍ୟରେ ମୂଷିକ ପରି ସନ୍ତର୍ପିତ, ଦୃଷ୍ଟି ହେବ ତୀକ୍ଷଣ, ପୁଣି ଆଘ୍ରାଣ-ପ୍ରବଣତା ହେବ ପ୍ରଚଣ୍ଡ, ଗୃହସ୍ଥର ଖାଦ୍ୟ ସଞ୍ଚୟର ସନ୍ଧାନ ପାଇବା ପାଇଁ । ମାତ୍ର ଦିନବେଳା ଗର୍ତ୍ତ ମଧ୍ୟରେ ଅଥବା ଗଣପତିଙ୍କ ପାଦତଳେ ଦେବତ୍ୱର ନିରୀହ ମହିମାରେ ଶାୟିତ ରହିବା ପାଇଁ ପଡ଼ିବ ।’’

 

ଗୋବର୍ଦ୍ଧନାଚାର୍ଯ୍ୟ ଖଟିଆ ଉପରେ ଅକାରଣରେ ଗୋଟିଏ ଚାପୁଡ଼ା ପିଟି କହିଲେ.....‘‘ବେଶ୍‌ ତ; ୱଣ୍ଡର୍‌ଫୁଲ !’’

 

ଗୋବର୍ଦ୍ଧନାଚାର୍ଯଙ୍କ ଉତ୍ସାହ ଦେଖି ମୁଁ ଦ୍ୱିଗୁଣିତ ଉତ୍ସାହରେ କହିଲି.......‘‘ଗଣଦେବତାଙ୍କ ପରି ତାଙ୍କ ପଣ୍ଡା ପଢ଼ିଆରୀଙ୍କୁ ମଧ୍ୟ ଖର୍ବକାୟ ହେବା ପାଇଁ ପଡ଼ିବ—କାରଣ ସବୁ ଗଣନାଥମାନେ ଖର୍ବକାୟ; ଉଚ୍ଚତା ସାଢ଼େ ତିନି ଫୁଟ ହେଲେ ଉତ୍ତମ ! ଏଇ ଗୁଳ୍ମାକୃତି ‘ଗଣ’ଙ୍କର ଯିଏ ହେବେ ପ୍ରତିନିଧି ବା ଦେବତା, ସିଏ ଯଦି ହୁଅନ୍ତି ବନସ୍ପତି ପରି ଦୀର୍ଘ ଓ ଆକାଶଚୁମ୍ୱୀ, ତା’ହେଲେ ତାଙ୍କ ଉଚ୍ଚତାରୁ କିଛି ହାଣି କମାଇ ଦେବାପାଇଁ ପଡ଼ିବ । ସେଥିପାଇଁ ତ ଗଣନାଥଙ୍କ ହାତରେ ପରଶୁଟିଏ ଖଞ୍ଜି ଦିଆଯାଇଚି ! ମାତ୍ର ଗୋବର୍ଦ୍ଧନାଚାର୍ଯେ, ତୁମ ଉଚ୍ଚତା ତ ମୋର ମନେହୁଏ ପାଞ୍ଚଫୁଟ ପାଞ୍ଚ ଇଞ୍ଚ !’’

 

ମୁଁ ଖଣ୍ଡେ ସିଗାରେଟରେ ନିଆଁ ଲଗାଉଥିଲି; ମାତ୍ର ଏ ବିରତି ଗୋବର୍ଦ୍ଧନାଚାର୍ଯଙ୍କ ପକ୍ଷରେ ଅସହ୍ୟ ହେବାରୁ, ସେ ଖିଙ୍କାରି ଉଠିଲେ.....‘‘ଗୋ ଅନ୍‌ ! ଏ ସବୁ ହିନ୍ଦୁ ଆଇକନୋଗ୍ରାଫିର ଗୋଟିଏ ଗୋଟିଏ ନୂଆ ଡାଇମେନସନ୍‌ !’’

 

ମୁଁ ସିଗାରେଟ୍‌ରୁ କଳେ ନେଳିଆ ଧୂଆଁ ଛାଡ଼ି କହିଲି.....‘‘ଗଣନାଥ ଗୋଟିଏ ହାତରେ ପରଶୁ ଉଞ୍ଚାଇଥିଲେହେଁ, ଆର ହାତରେ ଭୁଲାଇବା ପାଇଁ ଗୋଟାଏ ଲଡ଼ୁ ଦେଖାଇଥାନ୍ତି । ଗଣପତି ଯଦି ତାଙ୍କ ଭକ୍ତମାନଙ୍କୁ କେବଳ ବିଦ୍ୟା ଓ ମୋକ୍ଷ ଦାନ କରିବା ପାଇଁ ଅକ୍ଷମାଳା ଓ ଲେଖନ ପୋଥି ଧରି ବସନ୍ତେ, ତାହେଲେ ତାଙ୍କ ପୂଜା ପାଇଁ ଭକ୍ତଙ୍କଠାରୁ ଶୁଖିଲା ଖଇ ମୁଠାଏ ସୁଦ୍ଧା ମିଳନ୍ତା ନାହିଁ । ଗଣ ବା ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ସବୁବେଳେ ଗୋଟିଏ ଲଡ଼ୁ ଦେଖାଇବା ପାଇଁ ପଡ଼ିବ । ସେହି ଲଡ଼ୁଟି ଅବଶ୍ୟ ଯଥାସମୟରେ ନିଜର ଉଦର ସେବାରେ ହିଁ ଲାଗିବ । ଭକ୍ତେ କେବଳ ତାହା ଦେଖି ପାଟିରୁ ଲାଳ ଗଡ଼ାଇବା ହିଁ ସାର ହେବ ।’’

 

ଗୋବର୍ଦ୍ଧନାଚାର୍ଯେ କହିଲେ.....‘‘ଏ ଅପାଣ୍ଡବା ମୁଲକରେ ଏସବୁ ତାତ୍ତ୍ୱିକ ଚର୍ଚ୍ଚା ମାଟି ହୋଇଗଲାରେ ମୂଢ଼ ! ସିଦ୍ଧିଚକ୍ର ନହେଲେ କଣ ଏସବୁ ଚର୍ଚ୍ଚା ଜମେ ?’’

 

ମୁଁ କହିଲି.....‘‘ଗଣପତିଙ୍କ ଉଦର ପରି ତାଙ୍କ ପଢ଼ିଆରୀଙ୍କ ଉଦର ତ ହେବ ନିଶ୍ଚୟ ପୃଥୁଳ । କାରଣ ଉଦରସେବା ହେଲା ଗଣସେବାର ଏକମାତ୍ର ଆଚରିତ ବିଧି ! ତା’ପରେ ଗୋଟିଏ ଲମ୍ୱା ଶୁଣ୍ଢ ଥିବା ମଧ୍ୟ ଆବଶ୍ୟକ । ତା’ ନହେଲେ ଟାଣି, ଓଟାରି, ଭିଡ଼ି, ମୋଡ଼ି, ଭକ୍ତମାନଙ୍କଠାରୁ ନୈବେଦ୍ୟ ଆହରଣରେ ଅସୁବିଧା ହେବନାଇଁ କି ? କେହି ମୂଢ଼, ଅବିଶ୍ୱାସୀ ଏବଂ ବିଧ ଆହରଣ ପ୍ରକ୍ରିୟାର ପ୍ରତିବାଦ କଲେ, ତାକୁ ଭୂଷି ଦେବାପାଇଁ ଗୋଟିଏ ଲମ୍ୱା ତୀକ୍ଷଣ ଦାନ୍ତ ଥିବା ମଧ୍ୟ ଆବଶ୍ୟକ ।’’

 

ଗୋବର୍ଦ୍ଧନାଚାର୍ଯେ ମୋର ତତ୍ତ୍ୱ-ବ୍ୟାଖ୍ୟାରେ ସଂପୂର୍ଣ୍ଣ ନିର୍ବାକ ହୋଇ ପଡ଼ିଥିଲେ ।

 

ମୁଁ କହିଲି.....‘‘ସର୍ବୋପରି ଗଣପତି ଗଣଦେବତାଙ୍କ ମସ୍ତକ ପରି ତାଙ୍କ ପଢ଼ିଆରୀଙ୍କ ମୁଣ୍ଡଟି ମଧ୍ୟ ହେବା ଉଚିତ । ହାତୀର ମୁଣ୍ଡ ପରି ପ୍ରକାଣ୍ଡ, କିନ୍ତୁ ଆଖି ଦୁଇଟି ହେବ ଅତି କ୍ଷୁଦ୍ର ।’’

 

ଗୋବର୍ଦ୍ଧନାଚାର୍ଯେ ଏହାର ତାତ୍ପର୍ଯ୍ୟ ହୁଏତ ବୁଝି ନପାରି ପଚାରିଲେ— ‘‘କାରଣ ?’’

 

ମୁଁ କହିଲି—‘‘କାରଣଟା ବୁଝିପାରିଲି ନାହିଁ ? ଗଣଦେବତାମାନେ ଚିରକାଳହିଁ ସ୍ଫୀତକାୟ; ମାତ୍ର ସେମାନଙ୍କ ଦୃଷ୍ଟି ଯେପରି କ୍ଷୁଦ୍ର ଓ ତୁଚ୍ଛ, ପୁରୋଦୃଷ୍ଟିଟି ସେହିପରି ସଂକୀର୍ଣ୍ଣ । ତା’ନହେଲେ ସେମାନେ ଗଣଙ୍କର ପ୍ରତିନିଧି ହୋଇପାରିବେ କିପରି ?’’

 

ମୋର ବ୍ୟାଖ୍ୟା ଶୁଣି ଗୋବର୍ଦ୍ଧନାଚାର୍ଯେ ସେତେବେଳକୁ ସମ୍ପୂର୍ଣ୍ଣ ସ୍ତବ୍‌ଧ ହୋଇ ପଡ଼ିଥିଲେ । ଆଉ ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇ ସେ ଅବ୍‌ଶୋଷଭରା କଣ୍ଠରେ କହିଲେ.....‘‘ଆ—ଡିଅର୍‌, ଡିଅର୍‌, ସିଦ୍ଧି-ଚକ୍ରରେ ଯଦି ଏ ଚର୍ଚ୍ଚାଟା ହୋଇପାରିଥାନ୍ତା ! ଆଜି ମୋର କଣ ମନେହେଉଚି ଜାଣୁ ? ଧନିଆଫୁଲର ବାସନା ଆଉ କୁହେଳିବୋଳା ଏଇ ସଂଧ୍ୟାରେ, ସିଦ୍ଧି-ଚକ୍ରର ସେହି ନିର୍ବାଣଲୋକକୁ ଫେରିଯିବା ପାଇଁ । ଏ ଗଣଦେବତାଙ୍କୁ ପ୍ରସନ୍ନ କଲାଭଳି ଯୋଗ୍ୟତା, ଏ ଜନ୍ମରେ ମୋର ସମ୍ଭବ ନୁହେଁ !’’

 

ପଶ୍ଚିମ କୋଣରୁ ମାଡ଼ି ଆସୁଥିବା ମହଳ ଅନ୍ଧାରରେ, ସାମନା ନିଛାଟିଆ ନଦୀବନ୍ଧଟା, ପ୍ରାଗୈତିହାସିକ ସରୀସୃପ ପରି ଝିମେଇ ପଡ଼ିଥିଲା । ଆମେ ସେଇଆଡ଼େ ଚାହିଁ, ସିଦ୍ଧି-ଚକ୍ରର ସଂଧ୍ୟା ପାଇଁ ମନେ ମନେ ଅତ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଥିଲ ।

 

ନଦୀବନ୍ଧ ଉପରେ ଛାୟାମୂର୍ତ୍ତି ପରି କିଏ ଜଣେ ସାଇକେଲ୍‌ରେ ଆସୁଥିବାର ଦେଖାଗଲା । ଗୋବର୍ଦ୍ଧନାଚାର୍ଯେ ଆର୍ତ୍ତକଣ୍ଠରେ ବିଳାପ କରି ଉଠିଲେ....‘‘ସତ୍ୟାନାଶ କଲା । ଏ କିଏ ମିଛୁ ମିଶ୍ରେ ଆସୁଚନ୍ତି ନାଁ ? ନୋହିଲେ ଅକାରଣରେ ସାଇକେଲ ଘଣ୍ଟିଟା ଏତେ ଜୋରରେ ଆଉ କିଏ ବଜାନ୍ତା କାହିଁକି ?’’

 

ଗୋବର୍ଦ୍ଧନାଚାର୍ଯଙ୍କ ଆଶଙ୍କା ସତ୍ୟ । ମିଛୁ ମିଶ୍ରେ ବନ୍ଧ ତଳକୁ ସାଇକେଲ୍‌ ଗଡ଼ାଇ, ଆମ ନିର୍ବାଚନ-ଶିବିର ସାମନା ମହାଲିମ୍ୱ ଗଛମୂଳେ ପହଞ୍ଚି ସାରିଥିଲେ । ମିଛୁ ମିଶ୍ରଙ୍କୁ ଦେଖି ଗୋବର୍ଦ୍ଧନାଚାର୍ଯେ କେଉଁଆଡ଼େ ଆତ୍ମଗୋପନ କରିବେ ଉପାୟ ନପାଇ, ଅଗତ୍ୟା ବିଷଣ୍ଣ କଣ୍ଠରେ ପଚାରିଲେ....‘‘ଆଜି ପୁଣି କଟକରେ ସାକ୍ଷୀ ଦେବା ତାରିଖ ଥିଲା କି ମିଶ୍ରେ ?’’

 

ମାସରେ ଅଧେ ଦିନ ମିଛୁ ମିଶ୍ରଙ୍କର କଟକ ସହରର କଚେରୀ ଛକ ବରଗଛ ମୂଳେ, ଟିମାନନାଙ୍କ ହୋଟଲ ପିଣ୍ଡାରେ, ନୋହିଲେ ଓକିଲଙ୍କ ସିରସ୍ତାରେ । ମିଥ୍ୟାସାକ୍ଷୀ ତାଲିମ୍‌ରେ ସେ ଯେପରି ବଡ଼ ବଡ଼ କ୍ରିମିନାଲ ଲୟରଙ୍କୁ ବୁଦ୍ଧି ବତାନ୍ତି; ନିର୍ବାଚନ ବେଳେ ଦୁଃସାଧ୍ୟ ବୁଥ୍‌ମାନଙ୍କୁ ସେହିପରି ମଧ୍ୟ ଜୟ କରିପାରନ୍ତି ବୋଲି ତାଙ୍କର ଯଥେଷ୍ଟ ସୁନାମ ଥିଲା । ସେଥିପାଇଁ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ନିର୍ବାଚନୀ-ପ୍ରଚାରରେ ସେ ଅଯାଚିତ ଭାବରେ ହୋଇ ଥିଲେ ମୁଖ୍ୟ କାରପଟ୍‌ଦାର ।

 

ପ୍ରଥମେ ଅବଶ୍ୟ ସେ କେବଳ ଦେଶସେବା ଓ ଜନସେବାର ଆଦର୍ଶରେ ଅନୁପ୍ରାଣିତ ହୋଇ, ନିର୍ବାଚନରେ ଗୋବର୍ଦ୍ଧନାଚାର୍ଯ୍ୟଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଛନ୍ତି ବୋଲି ଘୋଷଣା କରିଥିଲେ । ନାଲୁ ବାବୁ ଏବେ ରାଜ୍ୟପାଳ ହୋଇଛନ୍ତି । ତାଙ୍କ ନିର୍ବାଚନ କିଏ ଚଳାଏ ? ଏଇ ମିଛୁ ମିଶ୍ର ତ ! .....ଦାମବାବୁ ମନ୍ତ୍ରୀ ମଧ୍ୟ କହିବେ, ମିଛୁ ମିଶ୍ରଙ୍କ କଥା !

 

ଏପରି ତ ଅନେକ ସାଟିର୍ଫିକେଟ୍‌, ଫିକା ପଡ଼ି ଆସିଥିବା ପ୍ରଶଂସାସୂଚକ ପୋଷ୍ଟକାର୍ଡ଼ ଚିଠି ମିଛୁ ମିଶ୍ରଙ୍କ ଝୁଲାମୁଣିରୁ ବାହାରିବ !

 

ମିଛୁ ମିଶ୍ରଙ୍କୁ ତେଣୁ କାରପଟଦାରୀ ନ ଦେବା ଛଡ଼ା ସାଧ୍ୟ ଅଛି ? ମିଛୁ ମିଶ୍ର ଅବଶ୍ୟ ନିର୍ବାଚନରେ ଟଙ୍କା ନେଇ, ନରି ମହାପାତ୍ର ଅଥବା ଦାମ ରାଉତଙ୍କ ପରି ଭଡ଼ାଟିଆ କର୍ମୀ ହୋଇ କାମ କରିବା ପସନ୍ଦ କରନ୍ତି ନାହିଁ ବୋଲି ପ୍ରଥମେ ପ୍ରଥମେ ଯଥେଷ୍ଟ ଘୋଷଣା କରି, ଅନ୍ୟ କର୍ମୀମାନଙ୍କୁ ଢେର ଲଜ୍ଜିତ କରାଇଥିଲେ । ମାତ୍ର ନିର୍ବାଚନ ମୌସୁମ୍‌ ଯେତିକି ଆଗେଇ ଚାଲିଲା, ସେତିକି ମଧ୍ୟ ଆଗେଇ ଚାଲିଲା ମିଛୁ ମିଶ୍ରଙ୍କ ‘‘ତ୍ୟାଗକ୍ଳିଷ୍ଟ’’ ସଂସାରରେ ଦୈନିକ କିଛି ନା କିଛି ଗୋଟାଏ ଦୁର୍ବିପାକ ! ସେଥକୁ ଏବେ ମିଛୁ ମିଶ୍ରଙ୍କ ଚାରା କଣ ? ସେଦିନ ତାଙ୍କ ବଳଦଟାକୁ ବିପକ୍ଷର କେହି ଜଣେ ଦୁଷ୍ଟ ପ୍ରକୃତିର ଲୋକ ଫିଟାଇ ନେଇ ରାତାରାତି କେଉଁ ହଡ଼ାବେପାରୀକୁ ବିକ୍ରୀ କରିଦେଲା ! ବଳଦଟାର ଆନୁମାନିକ ମୂଲ୍ୟ ଦୁଇଶହ ଟଙ୍କା ! ସେ ବାବଦରେ ଗୋବର୍ଦ୍ଧନାଚାର୍ଯ୍ୟଙ୍କୁ ଟଙ୍କା ପଚାଶଟି ଓ କେତେକ ସାନ୍ତ୍ୱନା ଦେଇ ତାଙ୍କୁ ବିଦା କରିବାପାଇଁ ପଡ଼ିଲା-! ବଳଦ ହଜିବାର ତିନିଦିନ ପରେ ପୁଣି ଆଉ ଏକ ବିପଦ.....ମିଶ୍ରେ ହାଟକୁ ସାଇକେଲରେ ଚଢ଼ି ଯାଇଥିଲେ ଗୋବର୍ଦ୍ଧନବାବୁଙ୍କ ପ୍ରଚାର ପାଇଁ । ହରିସାହୁ ଗୋଦାମ କାନ୍ଥରେ ସାଇକେଲଟା ଡେରି, ଓସ୍ତ ଗଛମୂଳେ ବସି ସେ ଗୋବର୍ଦ୍ଧନବାବୁଙ୍କ ଗୁଣକୀର୍ତ୍ତନ କରୁଛନ୍ତି; ହାଟ ଶେଷରେ ଫେରି ଦେଖନ୍ତି; ସାଇକେଲ ଟାୟାର ଦୁଇଟାକୁ ବିପକ୍ଷଦଳ ଛୁରିରେ ଦି’ଗଡ଼ କରି କାଟି ଦେଇଛନ୍ତି ! ଏ ବଜାରରେ ଟାୟାର ଦୁଇଟା କିଣିଲେ ତ ଅନ୍ୟୂନ ତିରିଶ ଟଙ୍କା ! ଅବଶ୍ୟ ସେ ପାଦରେ ଚାଲି ଚାଲି ପ୍ରଚାର ପାଇଁ ପ୍ରସ୍ତୁତ; ମାତ୍ର ସାଇକେଲଟିକୁ ପୁଣି ସଚଳ ନ କଲେ, ନିର୍ବାଚନ ଯେ ଅଚଳ ହୋଇପଡ଼ିବ ! ଗୋବର୍ଦ୍ଧନାଚାର୍ଯ୍ୟ ପୁଣି ଗଣିଲେ ତିରିଶ ଟଙ୍କା ! ମିଛୁ ମିଶ୍ରଙ୍କର ଏହିପରି ଗୋଟାଏ ନା ଗୋଟାଏ କିଛି ଦୁର୍ବିପାକ ଲାଗି ରହିଥାଏ ! ମାତ୍ର ସେଥିରେ ଆଶାର ବିଷୟ ହେଉଛି, ମିଛୁ ମିଶ୍ରଙ୍କ ତୁଣ୍ଡରୁ କେତେବେଳେ ନୈରାଶ୍ୟର କଥା ପଦଟିଏ ହେଲେ ଶୁଣାଯାଏ ନାଇଁ ! ସେ ଦାୟିତ୍ୱ ନେଇଥିବା ବୁଥ୍‌ମାନଙ୍କର ଅବସ୍ଥା, ସବୁବେଳେ ‘ସଲୀଡ଼୍‌’ ! ‘‘ଗୋବର୍ଦ୍ଧନାଚାର୍ଯ୍ୟେ ଅନ୍ୟ ଆଡ଼ର ଅବସ୍ଥା ବୁଝନ୍ତି !’’

 

ମିଛୁ ମିଶ୍ରଙ୍କ ଏସବୁ ଭୋପାମୀ ଓ ଭଣ୍ଡାମୀର ପ୍ରତିବାଦ ମୁଁ ଯେ ବେଳେବେଳେ ନ କରେ ତା’ ନୁହେଁ; ମାତ୍ର ଗୋବର୍ଦ୍ଧନାଚାର୍ଯ୍ୟ ଦାର୍ଶନିକସୁଲଭ ଅନାସକ୍ତିରେ ଉତ୍ତର ଦିଅନ୍ତି.....‘‘ବୁଝିଲ ଗବେନ୍ଦ୍ର, ଏ ନିର୍ବାଚନଟା ହେଲା ଦେଶସେବାର ଗୋଟିଏ ଠିକାଦାରୀ ! ଆମେ ପ୍ରାର୍ଥୀମାନେ ହେଲୁ ଗଣଦେବତାଙ୍କ ଠିକାଦାର, କର୍ମୀମାନେ ହେଲେ ମାଟିହଣା ମଜୁରିଆ, ମିଛୁମିଶ୍ର ମାନେ ହେଲେ ୱାର୍କ୍‌ ସରକାର୍‌.....ଆଉ ଯେତେବେଳେ ଅନ୍ୟ ଆଦର୍ଶଗତ ଉଦ୍ଦେଶ୍ୟ ନାଇଁ, ଅଥବା ବୌଦ୍ଧିକ ସମ୍ପର୍କ ନାଇଁ, ସେତେବେଳେ ପ୍ରତ୍ୟେକ ପ୍ରତ୍ୟେକଠାରୁ ଏହିପରି ପାଉଣା ଆଦାୟ ନକଲେ ଗଣଦେବତାଙ୍କ ମହାପାର୍ବଣର ଉତ୍ସବଟା ଚଳିବ କିପରି ? ଏ ପାର୍ବଣ ତ ପୁଣି ପ୍ରତି ପାଞ୍ଚ ବର୍ଷରେ ଥରେ !

 

କିନ୍ତୁ ସେ ଯାହାହେଉ, ଏବେ ଧନିଆଫୁଲର ବାସନାବୋଳା ଏ ନିର୍ଲିପ୍ତ ସଂଧ୍ୟାରେ, ମିଛୁମିଶ୍ରଙ୍କର ପୁଣି କି ଦୁର୍ବିପାକ ଘଟିଲା; ତାହାର କୌଣସି ଥଳକୂଳ ନ ପାଇ, ଗୋବର୍ଦ୍ଧନାଚାର୍ଯ୍ୟ ପଚାରିଲେ.....‘‘କଣ କଚିରୀରୁ ସାକ୍ଷୀ ଦେଇ ଫେରିଲଟି ? ଆଉ ସେଆଡ଼ର ଖବର ସବୁ କଣ ? ସାଇକେଲ୍‌ ଟ୍ୟୁବ୍‌ ଟାୟାର୍‌ ଠିକ୍‌ ଅଛି ତ ? ସେ ତ ହେଲା ତମର ବାହନ ! ତା’ ଛଡ଼ା ନିର୍ବାଚନ ଧନ୍ଦାରେ ଯେତେ ବ୍ୟସ୍ତ ରହିଲେ ବି’ ଗୋରୁଗାଈଙ୍କ ଖବର ମଧ୍ୟ ଠିକ୍‌ ବୁଝୁଥିବଟି ! ନୋହିଲେ ବିପକ୍ଷଦଳିଆ ଯଦି ପୁଣି ଗାଈ ବଳଦ ଫିଟାଇ ନିଅନ୍ତି, ତା’ ହେଲେ ମୁସ୍କିଲ୍‌ !’’

 

ମିଛୁମିଶ୍ରଙ୍କ ସବୁ ସମ୍ଭାବ୍ୟ ଦୁର୍ବିପାକର ଆଶଙ୍କା ଗୋଟି ଗୋଟି କରି ଆଗତୁରା କଟାଇ ଦେବା ପାଇଁ ଗୋବର୍ଦ୍ଧନାଚାର୍ଯ୍ୟେ ଏଇପରି ଅଫେନ୍‌ସିଭ୍‌ ପ୍ରଥମେ ନିଜ ଆଡ଼ୁ ଆରମ୍ଭ କରି ଦେଇଥିଲେ ।

 

ମାତ୍ର ଏସବୁ ପ୍ରଚ୍ଛନ୍ନ ଶ୍ଳେଷ ପ୍ରତି କର୍ଣ୍ଣପାତ ନ କରି ଗୋବର୍ଦ୍ଧନାଚାର୍ଯ୍ୟଙ୍କ ପିଣ୍ଡା କଡ଼ରେ ସାଇକେଲ୍‌ଟା ଡେରିଦେଇ, ସେ ଅତ୍ୟନ୍ତ ଅବସନ୍ନକଣ୍ଠରେ କହିଲେ.....‘‘ପରିସ୍ଥିତି ଅତି ସାଙ୍ଘାତିକ ! ଅଣ୍ଡିଆ ବୁଥ୍‌ଟ କ’ଣ ଯେ ହେବ ପ୍ରଭୁ ଭାଣ୍ଡେଶ୍ୱର ଜାଣନ୍ତି !’’

 

ଭାଣ୍ଡେଶ୍ୱର ମହାଦେବଙ୍କ ଉଦ୍ଦେଶ୍ୟରେ ମିଛୁମିଶ୍ରେ ଦୁଇହାତ କପାଳରେ ଯୋଡ଼ି ନମସ୍କାର କଲେ । ଗୋବର୍ଦ୍ଧନାଚାର୍ଯ୍ୟ କହିଲେ......‘‘ଭୟ ନାଇଁ ମିଶ୍ର, ଭାଣ୍ଡେଶ୍ୱର ମହାଦେବଙ୍କ ସହସ୍ର କୁମ୍ଭାଭିଷେକ ପାଇଁ ମଧ୍ୟ ଗୁଆ ବସି ସାରିଲାଣି !’’ —ଏ ଅଞ୍ଚଳରେ ଭାଣ୍ଡେଶ୍ୱର ମହାଦେବ ଜାଗ୍ରତ ଦେବତା ! ତାଙ୍କ ବାସୁଆ ଷେଣ୍ଢଟି ଉପରେ ଛାତ ନ ଥାଇଁ, ସେ ବିଚାରା ଖରାବର୍ଷାରେ ପଡ଼ି ରହିଥିବାରୁ, ଗୋବର୍ଦ୍ଧନାଚାର୍ଯ୍ୟେ ଗୋଟିଏ ସିମେଣ୍ଟଢ଼ଳା ଛାତ ନିର୍ବାଚନରେ ଜିତିଲେ ତିଆରି କରାଇଦେବେ ବୋଲି ପୁଣି ପ୍ରତିଶ୍ରୁତି ମଧ୍ୟ ଦେଇ ସାରିଛନ୍ତି ।

 

ମୁଁ କିନ୍ତୁ ଗୋବର୍ଦ୍ଧନାଚାର୍ଯ୍ୟଙ୍କର ଏ ପ୍ରକାର ଦାୟିତ୍ୱହୀନ ରସିକତା ପାଇଁ ପ୍ରସ୍ତୁତ ନଥିଲି-। ମୁଁ ପଚାରିଲି.....‘‘ଦୁଇଦିନ ତଳେ ପରା କହୁଥିଲ, ଅଣ୍ଡିଆ ବୁଥ୍‌ ପୂରା ସଲିଡ଼୍‌ ! ଏବେ ସଲିଡ଼୍‌ ପୁଣି ସାଙ୍ଘାତିକ ହେଲା କିପରି ?’’

 

ମିଛୁମିଶ୍ରେ କଣ ଗୋଟାଏ ଉତ୍ତର ଦେବାପାଇଁ ପାଟି ଚାକୁଳେଇବା ଆରମ୍ଭ କରିଥିଲେ । କିନ୍ତୁ ଗୋବର୍ଦ୍ଧନାଚାର୍ଯ୍ୟେ ତାଙ୍କୁ କୌଣସି ଉତ୍ତର ଦେବାର ସୁଯୋଗ ନଦେଇ ଖିଙ୍କାରି ଉଠି କହିଲେ ‘‘ଏଇ ବୁଦ୍ଧି ନେଇ ତମେ ନିର୍ବାଚନରେ ମୋର ଏଜେଣ୍ଟ୍‌ ହୋଇ ଆସିଚ ଗବେନ୍ଦ୍ର ? ଏ କଣ ସିଦ୍ଧିଚକ୍ରରେ ଭାଙ୍ଗ ଘୋଟା କାର୍ଯ୍ୟ ହୋଇଛି ? ତୁମର ଜାଣିରଖିବା ଉଚିତ, ପୋଲିଙ୍ଗର ଦିନେ ଯେତିକି ଯେତିକି ପାଖେଇ ଆସେ ‘ସଲୀଡ଼’ ସବୁ ସେତିକି ସେତିକି ସାଂଘାତିକ ହୋଇଉଠେ ! ମିଛୁମିଶ୍ରଙ୍କ ପରି ପୁରୁଣା, ଅଭିଜ୍ଞ କର୍ମୀମାନେ ସିନା ସେ କଥା ବୁଝନ୍ତି !’’

 

ମିଛୁମିଶ୍ରେ ଉତ୍ସାହିତ କଣ୍ଠରେ ଉତ୍ତର ଦେଲେ....‘‘ହଁ, କଥା ତ ସେଇଆ ! ବାବୁ ଠିକ୍‌ କହୁଛନ୍ତି !’’

 

ଗୋବର୍ଦ୍ଧନାଚାର୍ଯ୍ୟ ପଚାରିଲେ.....‘‘ତା’ହେଲେ ଏଥର ସାଂଘାତିକଟା କଣ କୁହନ୍ତୁ ମିଶ୍ରେ-!’’

 

ମିଛୁମିଶ୍ରେ ଅକାରଣରେ କଣ୍ଟସ୍ୱର ନୁଆଇଁ, ଗୋଟାଏ କିଛି ଭୟଙ୍କର ଗୋପନୀୟ ତଥ୍ୟ ଜଣାଇବା ପରି ସତର୍କତାରେ ଚାରିଆଡ଼କୁ ସନ୍ତର୍ପଣରେ ଚାହିଁ, ଗୋବର୍ଦ୍ଧନାଚାର୍ଯ୍ୟଙ୍କ କାନ ପାଖରେ କହିଲେ.....‘‘ହେଇଟି ବୁଝିଲେ ନା; ଅଣ୍ଡିଆ ବୁଥ୍‌ଟିକୁ ମୁଁ ଏମିତି ସଲୀଡ଼୍‌ କରି ଆଣିଥିଲି ଯେ, ପତିତପାବନବାବୁ ମୁଣ୍ଡରେ ହାତ ଦେଇ ବସିଥିଲେ ! ସେଦିନ ଅଣ୍ଡିଆ ଗାଁକୁ ସଭା କରିବାପାଇଁ ଆସିଲେ ଯେ, ଚଉକୀ ଟେବୁଲ ତ ଦୂରର କଥା, ଖଣ୍ଡେ ହେଁସ ସୁଦ୍ଧା ତାଙ୍କୁ ମିଳିଲା ନାଇଁ ! ତେବେ କଥା କଣ କି, କୀଣେଇ ସାହୁକୁ ପତିତପାବନବାବୁ ଆ’ଭିତରେ କେମିତି ଅକ୍ତିଆର କରି ସାରିଲେଣି ! କୀଣେଇ ସାହୁ ଗାଁ ମହାଜନ, ପୁଣି ଗାଁରେ ତେଜରାତି ଦୋକାନଟିଏ ଅଛି । ସେ ଯାହା କହିବ, ଗାଁ ବାଲାଙ୍କର ସେଇଆ । ତା’ ଦୋକାନରୁ ସମସ୍ତେ ଧାର ଉଧାର ନିଅନ୍ତି, ପୁଣି ଦେଣା ମଧ୍ୟ କିଛି କିଛି ଅଛି । କୀଣେଇ ସାହୁକୁ ଆମେ ଏବେ ହାତ ନକଲେ ତ ଅଣ୍ଡିଆ ବୁଥ୍‌ଟା ଗଲା ବୋଲି ଜାଣନ୍ତୁ ! ଏଥକୁ ଏବେ ମୋର ଚାରା କ’ଣ ?’’

 

ମିଛୁମିଶ୍ରେ ଗୋଟାଏ ଗଭୀର ଦୀର୍ଘନିଃଶ୍ୱାସ ପକାଇ ବଜ୍ରାହତ ପରି ମୁଣ୍ଡରେ ହାତ ଦେଇ ବସିଲେ ।

 

ମୁଁ ବିରକ୍ତି ଓ ବିସ୍ମୟରେ ପଚାରିଲି.....‘‘ଆର ସପ୍ତାହରେ ପରା କୀଣେଇ ସାହୁ, ଗାଁ ମୁଣ୍ଡରୁ ଢୋଲ ବାଜା କାହାଳୀ ବଜାଇ, ଗଡ଼ମା ଫୁଟାଇ ଗୋବର୍ଦ୍ଧନବାବୁଙ୍କୁ ଗାଁ ଭିତରକୁ ପାଛୋଟି ନେଇଥିଲା ! ସଭାରେ ତା’ ନାତୁଣୀ ଆସି ବାବୁଙ୍କ ବେକରେ ଗେଣ୍ଡୁଫୁଲ ମାଳା ପିନ୍ଧାଇଥିଲା ! ସଭାହେଲା, ହାତ ତାଳି ପଡ଼ିଲା; ‘ଭୋଟ ଦେବ କେଉଁଠି ? ଷେଣ୍ଢମାର୍କା ଯେଉଁଠି’ ବୋଲି ଗାଁ ଲୋକେ ଖୁବ୍‌ ସ୍ଲୋଗାନ ଦେଲେ ! ଏବେ କୀଣେଇ ସାହୁ ଫିଡ଼ିକି ଗଲେ ?’’

 

ଗୋବର୍ଦ୍ଧନାଚାର୍ଯ୍ୟ ମୋତେ ସମର୍ଥନ କରି କହିଲେ......‘‘ବାସ୍ତବିକ୍‌ କଥାଟା ବିଶ୍ୱାସ ହେଲା ଭଳି ଲାଗୁନାହିଁ ! ତୁମେ କୀଣେଇ ସାହୁ ସଙ୍ଗରେ କଥାବାର୍ତ୍ତା କରିଚ, ନାଁ ଶୁଣାଶୁଣିରେ ଅବସ୍ଥା ସାଙ୍ଘାତିକ ବୋଲି କହୁଛ ?’’

 

ଗୋବର୍ଦ୍ଧନାଚାର୍ଯ୍ୟ କ୍ରମେ ବୁଝିଗଲେଣି, ‘ସଲୀଡ଼୍‌’ ଅବସ୍ଥା ସବୁ କ୍ରମେ ସାଂଘାତିକ ନହେଲେ, ମିଛୁମିଶ୍ରଙ୍କ ପରି କାରପଟ୍‌ଦାରମାନଙ୍କ ଦାମ୍‌ଟା ଊଣା ପଡ଼ିଯିବ !

 

ମିଛୁମିଶ୍ରେ ଉତ୍ତର ଦେଲେ....‘‘ଭାଣ୍ଡେଶ୍ୱରଙ୍କ ରାଣ, ମୁଁ କ’ଣ ଆପଣଙ୍କୁ ମିଛ କହିବି ? ....କାଲି ମୁଁ କୀଣେଇ ସାହୁ ଗୋଦାମକୁ ଖଣ୍ଡେ ଲୁଗା ବାକିରେ ଆଣିବାପାଇଁ ଯାଇଥିଲି ଯେ, ସାହୁ ମୁହଁ ଛିଞ୍ଚାଡ଼ି କହିଲା, କ’ଣ ଗୋବର୍ଦ୍ଧନବାବୁଙ୍କ ପାଖରୁ ମାଲପାଣି ମିଳିନାଇଁ କି ? ମୁଁ ତହୁଁ ପଚାରିଲି....କି ହୋ ! ମାଲପାଣି ମିଳିବ କ’ଣ ? ଗୋବର୍ଦ୍ଧନବାବୁ ଆମ ଅଞ୍ଚଳର ପ୍ରତିନିଧି ହେବେ, ଏ ତ ଆମର ମହାଭାଗ୍ୟ କଥା ! ଆମେ ସେଥିପାଇଁ ଖରା ନାଇଁ, ତରା ନାଇଁ, ଘରୁ ଖାଇ ଘୋଡ଼ା ଆଗରେ ଡେଉଁଚୁ ! ଆଉ ତମେ କ’ଣ ଏମିତି କଥା କହୁଚ ? କୀଣେଇ ସାହୁ କହିଲା....ଯା ହୋ, ତୁମ ଷେଣ୍ଡମାର୍କା ଦଳିଆ ଦୁର୍ନୀତିରେ ଦେଶସାରା କଳାକନା ବୁଲାଇ ଦେଲେଣି ! ତୁମ ବାବୁଙ୍କର ଟଙ୍କା ଖାଲି ହାଉଯାଉ ହେଉଚି; ଆଉ ତୁମେ କହୁଚ କ’ଣ ନା, ଘରୁ ଖାଇ ଘୋଡ଼ା ଆଗରେ ଡେଉଁଚ !’’

 

କୀଣେଇ ସାହୁ ମହାଜନ, ଯାହାର କଳାବଜାର, କୀଳାପୋତେଇ ପୁଣି ସୁଧ ଦାଉରେ ଗାଁକୁ ଗାଁ ତଳିତଳାନ୍ତ, ପୁଲିସ୍‌ଠାରୁ ବି.ଡ଼ି.ଓ., ଅଞ୍ଚଳ ଅଧିକାରୀମାନଙ୍କୁ ଯେ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟରେ ତୁଷ୍ଟ କରି, ଗାଁକୁ ଗାଁ ଉଚ୍ଛନ୍ନ କରୁଚି, ସେ ପୁଣି କହିଲାଣି ନାଁ ଦୁର୍ନୀତିର କଥା ? ମୁଁ ଉତ୍ତେଜିତକଣ୍ଠରେ ପଚାରିଲି.....‘‘ଶେଷକୁ ଏଇ କୀଣେଇ ସାହୁ ପରି ଲୋକେ ଦେଲେଣି ନାଁ ଦୁର୍ନୀତିର ଅପବାଦ !’’

 

ଗୋବର୍ଦ୍ଧନାଚାର୍ଯ୍ୟ ଏଥିରେ କିନ୍ତୁ ବିଚଳିତ ନ ହୋଇ, ଅତ୍ୟନ୍ତ ଅନାସକ୍ତ ପରି ଗୋଟାଏ ତତ୍ତ୍ୱର ବ୍ୟାଖ୍ୟାନ କରି କହିଲେ....‘‘ବୁଝିଲ ଗବେନ୍ଦ୍ର, ଏକଦା ମୋର ଗୋଟାଏ ଅଭ୍ୟାସ ଥିଲା, ସହରକୁ ଯେତେସବୁ ମାଡ଼ଫୌଜଦାରୀ ହିନ୍ଦୀ ଫିଲମ୍‌ ଆସେ, ସେ ସବୁ ନିୟମିତ ଭାବରେ ସେକେଣ୍ଡ୍‌ ଶୋ’ରେ ଯାଇଁ ଦେଖେ, ଆଉ ବସେ ଆଠଆଣିଆ ଟିକେଟରେ, ଯେଉଁଠି ସହରର ସବୁ ପିକ୍‌ପକେଟ୍‌, ଚୋର, ଖୁଣୀ ଆଉ ଦାଗୀମାନେ ବସନ୍ତି । ସିନେମାରେ ଯେତେବେଳେ ଦୁଷ୍ଟ ଚରିତ୍ରମାନଙ୍କୁ ପୁଲିସ ଆସି ହଠାତ୍‌ ଏକ ନାଟକୀୟ ମୁହୂର୍ତ୍ତରେ ଗିରଫ କରିନିଏ, ଅଥବା ସେମାନେ ଯେତେବେଳେ ଦୃଶ୍ୟ ବିଶେଷରେ ହୀରୋ ଦ୍ୱାରା ଖଣ୍ଡାଖେଳ କି ଛୁରି ଭୁଷାଭୁଷିରେ କାବୁ ହୋଇପଡ଼ନ୍ତି, ସେତେବେଳେ ସେହି ପିକ୍‌ପକେଟ, ଚୋର, ଖୁଣୀ, ଦାଗି ପରି ଦୁଷ୍ଟ ପ୍ରକୃତିର ଦର୍ଶକମାନଙ୍କର ସେ କି ହାତତାଳି, ଆଉ ହୁଇସିଲ୍‌ ! କାନ ଅତଡ଼ା ପଡ଼ିଯାଏ ! ଅଥଚ ସାଧୁ ପ୍ରକୃତିର ଯେଉଁ ସଂଭ୍ରାନ୍ତ ଦର୍ଶକମାନେ ପଛରେ ଦାମୀ ଆସନମାନଙ୍କରେ ବସିଥାନ୍ତି, ସେମାନେ ସେତେବେଳେ କ୍ଳାନ୍ତି ଆଉ ବିରକ୍ତିରେ ହାଇ ମାରୁଥାନ୍ତି କେବଳ ! ସେହିଦିନୁ ମୁଁ ବୁଝିଚି, ଯିଏ ଯେତେ ଦୁର୍ନୀତିଗ୍ରସ୍ତ, ସେ ସେତେ ବେଶୀ ସ୍ୱର ଉଠାଏ ଦୁର୍ନୀତି ବିରୁଦ୍ଧରେ ! ବେଶ୍ୟାମାନେ ସୀତା, ଲକ୍ଷ୍ମୀ, ପାର୍ବତୀ ପରି ସତୀମାନଙ୍କ ଛବି ପାଖରେ ମୁଣ୍ଡିଆ ମାରି ବ୍ୟବସାୟ ଆରମ୍ଭ କରିବା ପରି । ମଣିଷ ଚରିତ୍ରର ଏ ଗୋଟିଏ ରହସ୍ୟ ! କୀଣେଇ ସାହୁ ସେଥିରୁ ବାଦ୍‌ ଯିବେ କିପରି ? ସେଥିରେ ମିଛୁମିଶ୍ରଙ୍କର ବା କି ଚାରା ଅଛି ?’’

 

ମହାଲିମ୍ୱ ଗଛ ମଥାନ ଉପରେ ଫାଳିଏ ବଙ୍କା ଜହ୍ନ, କେତେବେଳେ ଉଇଁ ଆସିଥିଲା । କୀଣେଇ ସାହୁ ଯାହା କରିବାର କରନ୍ତୁ, ଅଣ୍ଡିଆ ବୁଥ୍‌ର ଅବସ୍ଥା ଯାହା ହେବାର ହେଉ, ସେସବୁ ସମସ୍ୟା ପ୍ରଭୁ ଭାଣ୍ଡେଶ୍ୱରଙ୍କ ଉପରେ ଛାଡ଼ି ଦେଇ, ଗୋବର୍ଦ୍ଧନାଚାର୍ଯ୍ୟ ଧନିଆଁ ଫୁଲର ବାସନା ଆଘ୍ରାଣ କରି କରି, ଏହି ନିର୍ଲିପ୍ତ ସନ୍ଧ୍ୟାଟିକୁ କଟାଇ ଦେବାପାଇଁ ଭାବୁଥିଲେ । ଏହି ସମୟରେ ମିଛୁମିଶ୍ରେ କହିଉଠିଲେ....‘‘ଆଉ ବସିଲେ କ’ଣ ? ଉଠନ୍ତୁ ! ଆମକୁ ଏଇ ରାତାରାତି ଅଣ୍ଡିଆ ଯାଇଁ କିଛି ଗୋଟାଏ ବ୍ୟବସ୍ଥା କରିବାପାଇଁ ତ ପଡ଼ିବ !’’

 

ମୁଁ ପଚାରିଲି.....‘‘କିନ୍ତୁ କୀଣେଇ ସାହୁ, ପତିତପାବନ ଆଡ଼କୁ ହଠାତ୍‌ ଢଳିଲା କିପରି, ପୁଣି ଆମ ବିରୁଦ୍ଧରେ ଗଲା ବା କାହିଁକି ?’’

 

ଜିପ୍‌ଟି ଇତିମଧ୍ୟରେ, ହଠାତ୍‌ ଖରାବେଳୁ ଏକପ୍ରକାର ଅସହଯୋଗ ଆରମ୍ଭ କରିଦେଇଚି । ଡ୍ରାଇଭର ଅଇଣ୍ଠୁ ଦାସେ ଜଣେ ପରମ ବୈଷ୍ଣବ । ବୟସରେ ଜୀପ୍‌ ତୁଳନାରେ ଅପେକ୍ଷାକୃତ ସାମାନ୍ୟ ବୃଦ୍ଧ । ଚିତା ତିଳକ ଭୂଷିତ ହୋଇ ବେକର କଣ୍ଠମାଳଟିକୁ ଦୋରସ୍ତ କରି, ଷ୍ଟିଅରିଙ୍ଗ୍‌ ରଡ୍‌ରେ ଅନ୍ୟୂନ ସାତଥର ମୁଣ୍ଚ ଠକ୍‌ ଠକ୍‌ ନ କଲେ ସେ ଗାଡ଼ିରେ ଷ୍ଟାର୍ଟ୍‌ ଦିଅନ୍ତି ନାଇଁ । ଗାଡ଼ିଟିର ଅବସ୍ଥା ସମ୍ପର୍କରେ, ସେ ମଧ୍ୟ ସବୁବେଳେ ମିଛୁମିଶ୍ରଙ୍କ ପରି ଆଶାବାଦୀ ! ସବୁବେଳେ ‘ଟୀପ୍‌ ଟପ୍‌’ । କିନ୍ତୁ ସଂପ୍ରତି ବାଟେରୀର ଅବସ୍ଥା ବିଶେଷ ଭଲ ନୁହେଁ ! ପୁଣି ଡାଇନାମୋର କୁଆଡ଼େ କେତେକ ଗୋଳମାଳ ଦେଖାଦେଇଚି । ସେଥିପାଇଁ ରାତ୍ର କାଳରେ ଜିପ୍‌ଟି ବାହାର କରିବା ପାଇଁଅଇଣ୍ଠୁ ଦାସେ ଘୋର ଅନିଛୁକ ଥିଲେ । କିନ୍ତୁ ମିଛୁମିଶ୍ରେ ମୁରବିଆନା କଣ୍ଠରେ ଧମକାଇଲେ.....‘‘ହଁ, ଏ ହେଲା ନିର୍ବାଚନ ଲଢ଼େଇ ! ବାଟେରୀ ଡାଉନ ଥିଲେ ଶୁଣିବ କିଏ ? ତେଣେ ଶତ୍ରୁ ପକ୍ଷ ଗଡ଼ ଜୟ କରିବା ଉପରେ ! ଆଉ ଆଙ୍କର ବାଟେରୀ ଡାଉନ୍‌ ! ହୁଃ ?’’

 

ଅଗତ୍ୟା ଗବେନ୍ଦ୍ର, ମିଛୁ ମିଶ୍ରେ ଓ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଠେଲାପେଲା ପୁଣି ଷ୍ଟିଅରିଙ୍ଗ ଉପରେ ଅଇଣ୍ଠୁ ଦାସଙ୍କ ମୁଣ୍ଡିଆ ଓ ବହୁ ଆଦର, ଯତ୍ନରେ ଜୀପ୍‌ଟି ଘୋର ଘର୍ଘର ନାଦରେ ନଦୀବନ୍ଧ ଉପରକୁ ଉଠିଲା । ତା’ପରେ ଯାଇଁ ମିଛୁମିଶ୍ରେ, କୀଣେଇ ସାହୁଙ୍କ ଆକସ୍ମିକ ପରିବର୍ତ୍ତନର ରହସ୍ୟଟା ଆମକୁ ଫିଟାଇ କହିଲେ ।

 

ବୃତ୍ତାନ୍ତ ହେଉଚି, ଯେଉଁଦିନ ଗୋବାର୍ଦ୍ଧନାଚାର୍ଯ୍ୟ ଅଣ୍ଡିଆ ଗାଁରେ ଗଡ଼ମା-ସମ୍ୱର୍ଦ୍ଧନା ପାଇ ଢୋଲ କାହାଳୀ ବଜାଇ ପଟୁଆରରେ ବାହାରି, କୀଣେଇ ସାହୁଙ୍କ ନାତୁଣୀଠାରୁ ସଭାରେ ଗେଣ୍ଡୁଫୁଲ ମାଳରେ ଅଭ୍ୟର୍ଥିତ ହୋଇ, ଏକ ପ୍ରଚଣ୍ଡ ଭାଷଣ, ଦେଇ ଅଣ୍ଡିଆ ବୁଥଟା ପୂରାପୂରି ସଲୀଡ଼୍‌ ହୋଇ ଗଲା ବୋଲି ମିଛୁମିଶ୍ରଙ୍କ ନିର୍ଭର ଆଶ୍ୱାସନାରେ, ମହୋତ୍ସାହରେ ଫେରିଲେ; ଠିକ୍‌ ତା’ ପରଦିନ ବେଳକାଳ ଉଣ୍ଡି ସେଠାରେ ପହଞ୍ଚିଗଲେ ପତିତପାବନବାବୁ, ତାଙ୍କ କାର୍‌ପଟଦାର୍‌ମାନଙ୍କୁ ଧରି ।

 

କୀଣେଇ ସାହୁ ସକାଳୁ ବାହାରି ଯାଇଥିଲେ, ସୁଧ ଆଦାୟରେ । ସାହୁଆଣୀ ବୁଢ଼ୀ ଦାଣ୍ଡପିଣ୍ଡାରେ ପ୍ରାୟ ଏକ ଡର୍ଜନ ଭଳି ନାତିନାତୁଣୀଙ୍କ ଗୋଠ ଜଗି ବସିଥିଲେ । ଏହି ସମୟରେ ପତିତପାବନବାବୁ ସେଠାରେ ପହଞ୍ଚି, ସାହୁଆଣୀକୁ ଗୋଟିଏ ସାଷ୍ଟାଙ୍ଗ ଜୁହାର ପକାଇ, ଯେତେବେଳେ ‘‘ମାଉସି, ଆଉ ସବୁ କୁଶଳ ତ ? ମଉସା ଘରେ ନାହାନ୍ତି କି ?’’ ବୋଲି ପଚାରିଦେଲେ; ସାହୁଆଣୀ ବୁଢ଼ୀ ମୁଣ୍ଡରେ ହାତେ ଓଢ଼ଣା ଟାଣି, ଦାଣ୍ଡଘର କବାଟ ଉହାଡ଼କୁ ଚାଲି ଯାଇଥିଲେ । ପତିତପାବନଙ୍କ ସାଙ୍ଗରେ ଥିଲା, ସେଇ ଡହରା ଭଗବାନିଆ, ପାଞ୍ଚଥର ମାଟ୍ରିକ ଫେଲ୍‌ ହେବାପରେ, ଯିଏ ଏବେ ଗାଁରେ ବସି ନି.ପ୍ରା. ଓ ଉ.ପ୍ରା. ସ୍କୁଲ ଛାତ୍ରମାନଙ୍କର ଛାତ୍ରନେତା ହୋଇଚି ! ଭଗବାନିଆ କହିଲା.....‘‘ଆଈ, ଲାଜ କାହାକୁ କରୁଚୁ ମ ? ଇଏ ପରା ଗବଗଛ ଦଳର ଆମ ପତିତପାବନବାବୁ ! ଆଲୋ ସେଦିନ ଶୁଣିଲୁ ନାଇଁ ରାଧୁରଥେ ହାଡ଼ିଦାସଙ୍କ ମାଳିକା ବୋଲୁଥିଲେ; କଳିକାଳରେ ଇଏ ସାକ୍ଷାତ ଅର୍ଜ୍ଜୁନ ଜନ୍ମ ହୋଇଛନ୍ତି !’’

 

ହଁ, ସେଦିନ ତାଙ୍କ ପିଣ୍ଡାରେ ରାଧୁରଥ କଣ ମାଳିକା ବୋଲୁଥିଲା । ମାଳିକା ଶୁଣିବା ପାଇଁ ବସୁ ବସୁ ସାହୁଆଣୀ ବୁଢ଼ୀ କିନ୍ତୁ ଅଫିମ ନିଶାରେ ଢୁଳାଇ ପଡ଼ିଥିଲା । ସମସ୍ତେ ସେମିତି କଣ କୁହାକୋହି ହେଉଥିଲେ ତ ! ପଞ୍ଚପାଣ୍ଡବଙ୍କ ଭିତରୁ ଅର୍ଜ୍ଜୁନ କାଳେ ଏଇଠି କୋଉଠି କଳିକାଳରେ ଜନ୍ମ ହେଉଚନ୍ତି ! ଏବେ ସେଇ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ, ସାହୁଆଣୀ ବୁଢ଼ୀ ପାଦତଳେ ମୁଣ୍ଡିଆ ପକାଇ, ପିଣ୍ଡା ତଳୁଟାରେ ଠିଆ ହୋଇଚନ୍ତି ଦେଖି, ବୁଢ଼ୀ ଗୋଟାଏ କିଳିକିଳା ହୁଳୁହୁଳି ପକାଇ, ବେକରେ କାନି ଗୁଡ଼ାଇ, ପତିତପାବନବାବୁଙ୍କ ପାଦତଳେ କେତେଥର ଯେ ମୁଣ୍ଡପିଟି ହେଲା, ତାହାର ଇୟତ୍ତା ନାଇଁ ! ପତିତପାବନବାବୁ ସେତେବେଳକୁ କିନ୍ତୁ ଅମ୍ଳାନ ବଦନରେ ସାହୁଆଣୀଙ୍କ ନାତି ନାତୁଣୀ ପଲରୁ ଗୋଟିକୁ କାଖେଇ ତା’ ନାକରୁ ସିଙ୍ଘାଣୀ ରୁମାଲରେ ପୋଛି ପୋଛି ପିଣ୍ଡା ଉପରକୁ ଉଠି ଆସିଥିଲେ । ‘‘ଅର୍ଜ୍ଜୁନ’’ଙ୍କୁ ଦେଖିବା ପାଇଁ ସାହୁଆଣୀ ବୁଢ଼ୀର କିଳିକିଳା ରଡ଼ି ଶୁଣି ଖଞ୍ଜା ଓ ସାଇର ମାଇପି ପଲ ମଧ୍ୟ ସେତେବେଳକୁ ସେଠାରେ ରୁଣ୍ଡ ହୋଇ ସାରିଥିଲେ !

 

ପତିତପାବନବାବୁ ହଠାତ୍‌ କହି ପକାଇଲେ.....‘‘ମାଉସି, ଭାରୀ ଭୋକ ଲାଗିଲାଣି । ଦି’ଟା ପଖାଳ ଦିଅନ୍ତ ନାଇଁ !’’

 

ଆଲୋ, ଆଲୋ, କଣ କରିବିଟି ଲୋ ! ଯାହାଙ୍କୁ ଚର୍ମଚକ୍ଷୁରେ ଦେଖିବା ମହାଭାଗ୍ୟ, ତାଙ୍କୁ ପୁଣି ପଖାଳ ଦେଇ ବିଦା କରିବି !.....ସାହୁଆଣୀ ବୁଢ଼ୀ ଏହିପରି ଢେର ଗୁଡ଼ାଏ ସ୍ୱଗତୋକ୍ତି କରି, ବୋହୁମାନଙ୍କୁ ଡକା ପକାଇବାକୁ ଲାଗିଲା । ମାତ୍ର ସେହି କୋଳାହଳ ମଧ୍ୟରେ ପତିତପାବନବାବୁ ସେତେବେଳକୁ ଖଞ୍ଜା ଭିତରକୁ ଯାଇଁ ହାଣ୍ଡିଶାଳ ପିଣ୍ଡାରେ, ବେଲାଏ ପଖାଳ ଅପେକ୍ଷାରେ ଆସନ ଜମାଇ ବସି ସାରିଥିଲେ । କୀଣେଇ ସାହୁ ଏ ସମ୍ୱାଦ କେଉଁଆଡ଼ୁ ପାଇ, ଧଇଁ ସଇଁ ହୋଇ ସେଠାରେ ପହଞ୍ଚି, ପତିତପାବନବାବୁ ପରି ମହାପୁରୁଷ, କୀଣେଇ ସାହୁ ପରି ଅଧମର ଘରେ ପାଦଧୂଳି ଦେଲେ, ପୁଣି ଶାଗ ପଖାଳ ମଣୋହି କଲେ, କେତେ ଜନ୍ମର ତପସ୍ୟାର ଏହା ଯେ ସୁଫଳ, ତାହା ସମସ୍ତଙ୍କୁ ଏକାଧିକବାର ବୁଝାଇବା ପାଇଁ ଲାଗିଲେ ।

 

ସେହି ଦିନଠୁ ତ ଅଣ୍ଡିଆ ବୁଥ୍‌ ବିଗିଡ଼ିଲା ! କୀଣେଇ ସାହୁ ଏଣିକି ସୁଧ ତାଗିଦାରେ ଗଲାବେଳେ, ଦୋକାନରେ ବସି ବିକ୍ରୀବଟା କଲାବେଳେ, ନୋହିଲେ ପିଣ୍ଡାରେ କୋଥଳି ଧରି ମାଳି ଗଡ଼ାଇଲାବେଳେ, ଯାହାକୁ ଦେଖୁଚି କହୁଚି ସେଇ କଥା.....ଆମର ସେଇ ଗବଗଛ ଚିହ୍ନ ! ଷେଣ୍ଢବାଲାଏ ଦୁର୍ନୀତିରେ କଳିଭାରା ବଢ଼ାଇ ଦେଲେ !’’

 

ଏ ପର୍ଯ୍ୟନ୍ତ ଅବଶ୍ୟ ସବୁକଥା ବୁଝାଗଲା । କିନ୍ତୁ ହାଡ଼ୁ ଦାସଙ୍କ ମାଳିକାଟି କଣ, ତାହା ଗୋବର୍ଦ୍ଧନାଚାର୍ଯ୍ୟ ବା ଗବେନ୍ଦ୍ର କେହି ବୁଝିପାରିଲେ ନାଇଁ । ଗୋବର୍ଦ୍ଧନାଚାର୍ଯ୍ୟ ପଚାରିଲେ.....‘‘ସେ ମାଳିକାଟି ପୁଣି କଣ ?’’

 

ମିଛୁମିଶ୍ରେ ନିଷ୍ଠୁର କଣ୍ଠରେ ଉତ୍ତର ଦେଲେ.....‘‘କେଳୁ ଦାସଙ୍କ ଗାଦିରୁ ହାଡ଼ୁ ଦାସଙ୍କ ସେ ମାଳିକା ତ କଣ ଏବେ ବାହାରିଚି ! ମୁଁ ଏବେ କୋଉ ସେ ମାଳିକା ଶୁଣିଚି ?’’

 

ଡ୍ରାଇଭର ଅଇଣ୍ଠୁ ଦାସେ, ନୂଆ ମାଳିକା ବାହାରିଥିବା ଶୁଣି, ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୌତୁହଳୀ ହୋଇ ଉଠିଥିଲେ । ମାଳିକା ଉପରେ ତାଙ୍କର ଅଗାଧ ବିଶ୍ୱାସ । ଜୀପ୍‌ଟିକୁ ଅତ୍ୟନ୍ତ ସାବଧାନରେ ଘଣ୍ଟାକୁ ପ୍ରାୟ ଦଶ ମାଇଲ ବେଗରେ ଚଳାଉ ଚଳାଉ ସେ କହିଲେ.....‘‘ସେଇ ହାଡ଼ୁ ଦାସ ମାଳିକାରେ ପରା ଥିଲା, ତୁରୁକେ ସାଜିବେ, ନାଗାଏ ମାତିବେ, ଭାରତ ସମର ବାନ୍ଧିବ ! ଦେଖିଲେ ନାଇଁ ଆଜ୍ଞା, କଥାଟା କେମିତି ହାତେ ହାତେ ଫଳିଗଲା !’’

 

ଗୋବର୍ଦ୍ଧନାଚାର୍ଯ୍ୟ ଦାନ୍ତ କାମୁଡ଼ି ଅସ୍ପଷ୍ଟ କଣ୍ଠରେ ଚିତ୍କାର କରି ଉଠିଲେ.....‘‘ଇଡିୟଟ୍‌’’ !

 

ସେତେବେଳକୁ ଜୀପ୍‌ଟି ଅଣ୍ଡିଆ ଗ୍ରାମରେ ପ୍ରବେଶ କରି କୀଣେଇ ସାହୁଙ୍କ ଦୋକାନ ପାଖରେ ପହଞ୍ଚି ସାରିଥିଲା ।

 

ଦୋକାନରେ ଭିଡ଼ ନଥିଲା । ଚେନାଏ ପେଟ୍ରୋମାକ୍‌ସ ଆଲୁଅରେ ସାମନା ଅନ୍ଧାର ଦାଣ୍ଡର ଗୋଟାଏ ଅଂଶ ଆଲୋକିତ ହୋଇଥିଲା । ଦୋକାନରେ ଗରାଖମାନଙ୍କ ଭିଡ଼ କମିଥିଲା । କେବଳ କେହି ଜଣେ ଗରାଖ ପାଇଁ ସାହୁଏ ଅଧକିଲୋ ଚିନି ତରାଜୁ ଦଣ୍ଡିରେ ଓଜନ କରୁ କରୁ, ତା’ସହିତ ଦରଦାମ ସମ୍ପର୍କରେ ଗୁଡ଼ାଏ କଥା କଟାକଟି ଚଳାଇଥିଲେ ।

 

ଗରାଖ ଜଣକ କହୁଥିଲା.....‘କଣ୍ଟ୍ରୋଲରେ ପରା ଚିନି କିଲୋ ପାଂସୁକା; ଆଉ ତମେ ଅଧକିଲୋକୁ ଦେଢ଼ଟଙ୍କାରେ ବିକିଲେ ଆମେ ବଞ୍ଚିବୁଟି ?’’

 

କୀଣେଇ ସାହୁ ତରାଜୁ ଦଣ୍ଡିକୁ ଗଭୀର ମନୋନିବେଶରେ ଲକ୍ଷ୍ୟ କରି ଗରାଖକୁ ବୁଝାଉଥିଲେ, ‘‘ହେଇଟି ବାପ; ମୁଁ ଲକ୍ଷ୍ମୀ ଥାନରେ ବସି କଉଚି ! ଏଇ ବଣିଜରୁ କ’ଣ ବା ଲାଭ ? ଏଇଥିରୁ ସେଲ୍‌ ଟିକସ୍‌, ଚିନି ପରମିଟ୍‌ ପାଇଁ ଅଣ୍ଟାଖୋଷା, ହାକିମ ହୁକୁମାଙ୍କ ଦାଉ ରାଜନୀତିବାଲାଙ୍କ ଚାନ୍ଦା ! ଚିନି କିଲୋ ପାଂସୁକା ଦରରେ ବିକିଲେ ମୁଁ ଆଉ ବଞ୍ଚିବିଟି ? ଷେଣ୍ଢଦଳିଆ କଣ ଆଉ ଏ ଦେଶଟାକୁ ରଖିଛନ୍ତି ?’’

 

ଗରାଖ ଜଣକ ବି ବୁଝିଗଲା । କୀଣେଇ ସାହୁ ନିର୍ଘାତ କୀଳାପୋତେଇ କରୁଛନ୍ତି ସିନା; କିନ୍ତୁ ସେଥିପାଇଁ ଷେଣ୍ଢଦଳିଆ ହିଁ ଦାୟୀ ! ସେ ବିଚାରା ଆଉ କିଛି ଉଚ୍ଚବାଚ ନ କରି ଚିନି ପୁଡ଼ିଆଟି ଧରି ଅନ୍ଧକାରରେ ମିଳାଇ ଗଲା ।

 

ଆଉ ଗରାଖ କେହି ଆସିବେ ନାଇଁପରା ! ଗୋଦାମ ପିଣ୍ଡାର ଗୋଟାଏ ମୁଣ୍ଡକୁ ଗୋଟାଏ ଧୂଆଁଳିଆ ଲଣ୍ଠନ ପାଖରେ ବସି, ରାଧୁ ରଥେ ହାଡୁ ଦାସଙ୍କ ମାଳିକା ବୋଲୁଥିଲେ । ଏବେ ପ୍ରତ୍ୟହ ସେଇ ମାଳିକାଟି ସେ କେଉଁଠୁ ଆଣି କୀଣେଇ ସାହୁଙ୍କ ଦୋକାନ ପିଣ୍ଡାରେ ବସି ବୋଲୁଚନ୍ତି ! କୀଣେଇ ସାଉ ସେଇଆଡ଼େ କାନ ଡେରିଲେ । ରାଧୁ ରଥେ ଅନୁନାସିକ ସ୍ୱରରେ ବୋଲୁଥିଲେ.....

 

‘‘ଏଥୁ ପୁଚ୍ଛନ୍ତି ନରରାଣ

କହସି ମତେ ଭଗବାନ ।।

ଅର୍ଜ୍ଜୁନ କାହିଁ ସେ ଜନ୍ମିଲା...’’

 

ଏହି ସମୟରେ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଘୋର ଘର୍ଘର ନାଦ ଶୁଣି ମାଳିକା ବୋଲା ବନ୍ଦ ହୋଇଗଲା । ଗୋଟାଏ ଅହେତୁକ ଉତ୍ତେଜନାରେ ସମସ୍ତେ ଉଦ୍‌ଗ୍ରୀବ, ଉତ୍କଣ୍ଠିତ ହୋଇଉଠିଲେ । ଜୀପ୍‌-ବନେଟ୍‌ ଉପରେ ଷେଣ୍ଢଲାଞ୍ଛିତ ପତାକା ଦେଖି, ତାହା ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଜୀପ୍‌ ବୋଲି ଚିହ୍ନିବାରେ ମଧ୍ୟ କାହାରି ସନ୍ଦେହ ରହିଲା ନାଇଁ । ରାଧୁ ରଥେ ଅକାରଣରେ ଗଲା ଖିଙ୍କାରି କହି ଉଠିଲେ.....‘‘ସାଉଏ, ଅନ୍ଧାରୀ ବିଜେ କିଏ କିଲେ କି ? ହଃ—ଏତିକିବେଳେ ତ ବେଳକାଳ ଉଣ୍ଡି, ରୀତି ଅନ୍ଧାରରେ ବୁଲିବା କଥା ! ପୁଣି ଯାଇଁ ଆଉ ପାଞ୍ଚବର୍ଷକୁ....

 

ଗୋବର୍ଦ୍ଧନାଚାର୍ଯ୍ୟଙ୍କର ଜୀପ୍‌ରୁ ଓହ୍ଲାଇବା ପାଇଁ ଆଉ ପ୍ରବୃତ୍ତି ନଥିଲା । ସେ ଇତସ୍ତତଃ ହେଉଥିଲେ, ଜୀପ୍‌ ପଛ ସିଟରୁ ମିଛୁ ମିଶ୍ରେ ତାଙ୍କ କାନ ପାଖରୁ ମୁହଁ ନେଇ ଫିସ୍‌ ଫିସ୍‌ କରି କହୁଥିଲେ.....‘‘ବସିଲେ କଣ ? କୀଣେଇ ସାହୁକୁ ମଉସା ମଉସା କହି କୁଣ୍ଢାଇ ପକାନ୍ତୁ । ଅବିକା ତ ତାରି ହାତରେ ମାମଲତ ! ଏ ଢହରା ରାଧୁରଥ କଥାରେ କଣ ମଣିଷ ଅଛନ୍ତି ?’’

 

ଗୋବର୍ଦ୍ଧନାଚାର୍ଯ୍ୟ, ଜୀପ୍‌ରୁ ଅଗତ୍ୟା ଓହ୍ଲାଇଲେ ହେଁ, କୀଣେଇ ସାହୁଙ୍କୁ କିପରି କୁଣ୍ଢାଇବେ, ତାହା ସ୍ଥିର କରି ନ ପାରି କିଂକର୍ତ୍ତବ୍ୟବିମୂଢ଼ ପରି ଠିଆ ହୋଇଥିବା ବେଳେ, ତାଙ୍କୁ ସେଇ ଅସ୍ୱସ୍ତିକର ପରିସ୍ଥିତିରୁ ରକ୍ଷା କରି, କୀଣେଇ ସାହୁ କୁହାଟ ଛାଡ଼ିଲେ......‘‘ଏ କିଏ ଗୋବର୍ଦ୍ଧନବାବୁ କି ? ଏତେ ରାତିରେ କୁଆଡ଼େ ? ହଉ, ଆସନ୍ତୁ, ଆସନ୍ତୁ ।’’

 

ଗୋବର୍ଦ୍ଧନାଚାର୍ଯ୍ୟ ଇତିମଧ୍ୟରେ ମନୋବଳ ସଞ୍ଚୟ କରି, ଆକ୍ରମଣ ଆତ୍ମରକ୍ଷାର ପ୍ରକୃଷ୍ଟ ଉପାୟ ଆପ୍ତ ବାକ୍ୟଟିକୁ ସ୍ମରଣ କରି, ମାଳିକା ବୋଲା ହେଉଥିବା ସ୍ଥାନଟିରେ ଅନାହୂତ ଭାବରେ ଯାଇଁ ବସିପଡ଼ିଲେ । ରାଧୁ ରଥେ ମଧ୍ୟ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଏହି ଆକସ୍ମିକ ଆବିର୍ଭାବରେ କିପରି ତାଙ୍କୁ ଆକ୍ରମଣ କରିବେ, ସ୍ଥିର କରି ନପାରି, ମାଳିକା ପୋଥିଟିକୁ ବନ୍ଦ କରି ଥକା ମାରି ବସି ରହିଲେ । କୀଣେଇ ସାହୁ ଗୋଦାମ ଭିତରୁ ହେଣ୍ଟାଳ ଛାଡ଼ିଲେ.....‘‘ବୁଝିଲେ ବାବୁ, ଏ ଭୋଟ ହେଲା ଭାଗ୍ୟର ଖେଳ ! ଗବଗଛ ଆଉ ଷେଣ୍ଢ ! ଆତ୍ମାପୁରୁଷ ଯେଉଁ ଚିହ୍ନ ଆଡ଼କୁ ହାତ ଚଳେଇନେବ; ସେହି ଚିହ୍ନରେ ଭୋଟ ପଡ଼ିବ ! ସେଥକୁ ଆପଣ କଣ କରିବେ, ମୁଁ କ’ଣ କରିବି ?’’

 

ଗୋବର୍ଦ୍ଧନାଚାର୍ଯ୍ୟ କହିଲେ......‘‘ଆପଣମାନେ ବୁଝନ୍ତୁ, ଏ ଭୋଟ ହେଲା ଭାରତୀୟ ଜନତାର, ଆପଣଙ୍କର, ମୋର; ଆମ ସମସ୍ତଙ୍କର ସାର୍ବଭୌମ ରାଜଶକ୍ତି ! ତାକୁ ଆମେ କିପରି ପ୍ରୟୋଗ କରିବା, ସେଥିପାଇଁ ଶୁଦ୍ଧବୁଦ୍ଧି, ସ୍ଥିରବିଚାର ଆବଶ୍ୟକ ।’’

 

ଗୋବର୍ଦ୍ଧନାଚାର୍ଯଙ୍କ ଏ ଗୌରଚନ୍ଦ୍ରିକା ଶୁଣି, ଗବେନ୍ଦ୍ର ତାଙ୍କୁ ପଛଆଡ଼ୁ ଗୋଟାଏ ଠେଲାମାରି କହିଲା—‘‘ଏ କଣ ପ୍ରବନ୍ଧ ଲେଖାହେଉଚି କି ଗୋବାର୍ଦ୍ଧନାଚାର୍ଯ୍ୟେ ?’’

 

ଗୋବର୍ଦ୍ଧନାଚାର୍ଯ୍ୟ ଗବେନ୍ଦ୍ରର ଏ ସାମୟିକ ଚେତାବନୀରେ ସଚେତନ ହୋଇ, ମୁହଁରେ ଗୋଟିଏ ସ୍ମିତ ହାସ୍ୟରେଖା ଫୁଟାଇ କହିଲେ—‘‘ହଁ ମଉସା, ଯାହା କହିଲେ, ସେ ତ ଖାଣ୍ଟି ସତ କଥା ! ଆତ୍ମାପୁରୁଷ ବୁଥ୍‌ ଭିତରେ ଯାହାକୁ ଭୋଟ ଦେବାକୁ ବତେଇବେ, ସେଇ ଭୋଟ ପାଇବେ-। କିନ୍ତୁ ଆତ୍ମାପୁରୁଷଙ୍କ ବିଚାରଟା କଣ ?’’

 

ରାଧୁ ରଥେ ଆକ୍ରମଣ ପାଇଁ ଏପରି ଗୋଟାଏ ସହଜ ଅବକାଶ ପାଇ, ଗଳା ଖଙ୍କାରି ଗୋବର୍ଦ୍ଧନାଚାର୍ଯ୍ୟଙ୍କୁ ପଚାରିଲେ— ‘‘ଆପଣ ଗୋଟାଏ କଥାର ଜବାବ ଦିଅନ୍ତୁ ନାଁ ଆମକୁ ! ଜନ୍ମ-ନିୟନ୍ତ୍ରଣ ବାଲାଏ ଦୁଇଟି ସନ୍ତାନ ଯଥେଷ୍ଟ କହି; ଯେପରି ମରଦମାନଙ୍କୁ ଖାସୁ ଆଉ ତିରିଲାମାନଙ୍କୁ ବାଞ୍ଝ କରିଦେବା ପାଇଁ ଗାଁକୁ ଗାଁ ବୁଲୁଛନ୍ତି; ଏଇଟା କଉଁ କଥା ? ଆମେ କଣ ଏଇଥିପାଇଁ ଏତେ ତ୍ୟାଗ କଷ୍ଟ ସହି ସ୍ୱାଧୀନତା ଆଣିଥିଲୁ ?’’

 

ରାଧୁ ରଥଙ୍କ ପ୍ରଶ୍ନରେ ସମସ୍ତେ ଯେପରି ସମ୍ମତିସୂଚକ ଭଙ୍ଗୀରେ ମୁଣ୍ଡ ହଲାଇଲେ, ସେଥିରୁ କଥାଟା ସମସ୍ତଙ୍କ ମନକୁ ବେଶ୍‌ ଘେନିଥିଲା ବୋଲି ଜଣା ପଡ଼ୁଥିଲା ।

 

ଗବେନ୍ଦ୍ର କହିଲା....‘‘ଗୋବର୍ଦ୍ଧନାଚାର୍ଯ୍ୟେ, ଉଠ ଏଥର । ଅଣ୍ଡିଆ ବୁଥ୍‌ କଥା ପ୍ରଭୁ ଭାଣ୍ଡେଶ୍ୱର ବୁଝିବେ !’’

 

ମାତ୍ର ଗୋବର୍ଦ୍ଧନାଚାର୍ଯ୍ୟ ହଟିଯିବାର ପାତ୍ର ନୁହନ୍ତି । ସେ ମଧ୍ୟ ଗଳା ସଫା କରି କହିଲେ....‘‘ଏ ତ ହେଲା ଆମ ଜାତୀୟ ଯୋଜନାର ମୌଳିକ ପ୍ରଶ୍ନ । ବିଶେଷତଃ ବିକାଶଶୀଳ ଅର୍ଥାତ୍‌ ଡେଭଲପିଙ୍ଗ୍‌ ଦେଶମାନଙ୍କରେ ଏ ସମସ୍ୟାଟି ରୀତିମତ ଗୋଟିଏ ସଙ୍କଟ ରୂପରେ ଦେଖାଦେଲାଣି ! ଗତ ତିନିଗୋଟି ଯୋଜନାରେ ଆମର ଜାତୀୟ ଆୟ ବଢ଼ିଚି; ପର୍‌-କାପିଟା ଆୟ ମଧ୍ୟ ପାଞ୍ଚ ପର୍‌ସେଣ୍ଟ ବଢ଼ିଚି, କିନ୍ତୁ ଯାହା ବଢ଼ିବା କଥା, ତାହା ଅବଶ୍ୟ ବଢ଼ି ପାରି ନାଇଁ !’’

 

ରାଧୁ ରଥେ କହିଲେ....‘‘ବଢ଼ି ନାଇଁ କାହିଁକି ? ଦୁର୍ନୀତି ଯୋଗୁ ବଢ଼ିଲା ନାଇଁ ତ ଆଉ କଣ ?’’

 

ଗୋବର୍ଦ୍ଧନାଚାର୍ଯ୍ୟେ ରାଧୁରଥଙ୍କ ମୂର୍ଖତା ପ୍ରତି କୃପା ପ୍ରଦର୍ଶନ ଭଙ୍ଗୀରେ ସ୍ମିତ ହସି କହିଲେ....‘‘ଦୁର୍ନୀତି ନୁହେଁ ହେ; ଜନସଂଖ୍ୟା ବୃଦ୍ଧି । ଆମ ଦେଶରେ ଜନସଂଖ୍ୟା କେଉଁ ହାରରେ ବୃଦ୍ଧି ପାଉଚି, ହିସାବ ରଖିଚ କିଛି ? ଦୁଇ ପରସେଣ୍ଟ ! ଏଥିରେ ଜାତୀୟ ଆୁ କେତେ ବଢ଼ିଲେ ବି ମୁଣ୍ଡପିଛା ଅର୍ଥାତ୍‌ ପର୍‌-କାପିଟା ଆୟ ବଢ଼ିବ କୁଆଡ଼ୁ ? ଦିନବେଳା ଷେଣ୍ଢଦଳ ସରକାର ଯେତେ ଯାହା ଯୋଜନା କଲେ, ରାତିରେ ତ ଆପଣମାନେ ସେ ସବୁକୁ ପଣ୍ଡ କରିଦେଲେ ! ଫଳ ହେଲା ଗୋଦଡ଼ା କୋଡ଼େ ଯେତେ, ମାଡ଼େ ସେତେ ! ସେଥିପାଇଁ ପଡ଼ିଚି ଜନ୍ମନିୟନ୍ତ୍ରଣ କଥା.....ଦୁଇଟି ସନ୍ତାନ ଯଥେଷ୍ଟ !’’

 

କୀଣେଇ ସାହୁ ବହୁ ସନ୍ତାନର ଜନକ, ପୁଣି ତାଙ୍କ ଘରେ ନାତିନାତୁଣୀଙ୍କ ସଂଖ୍ୟା ଅପ୍ରମେୟ ! ଗୋବର୍ଦ୍ଧନାଚାର୍ଯ୍ୟଙ୍କ କଥାଟା ତାଙ୍କ ମନକୁ ପାଇଲା ନାଇଁ । ସେ କହିଲେ....‘‘ଜନ୍ମ ଦଉଚି ଭଗବାନ, ଆମେ ସବୁ ଖାଲି ନିମିତ୍ତ ମାତ୍ର, ନାଁ ଆଉ କଣ ? ତମ ସରକାର ତାକୁ ବନ୍ଦ କରିବାକୁ କିଏ ?’’

 

ଶ୍ରୋତୃମଣ୍ଡଳୀ କୀଣେଇ ସାହୁଙ୍କ ଏ ଯୁକ୍ତି ପ୍ରତି ସମର୍ଥନ ଜଣାଇ କହି ଉଠିଲେ.....‘‘କଥା ତ ସେଇଆ !’’

 

ଗୋବର୍ଦ୍ଧନାଚାର୍ଯ ଏ ଆକ୍ରମଣରେ ଅପ୍ରସ୍ତୁତ ହୋଇ ପଡ଼ି ପୃଥିବୀର ଅନ୍ୟ ଦେଶମାନଙ୍କରେ ଏ ଦିଗରେ କଣ ହେଉଚି, ତାହାର ଗୋଟାଏ ତର୍ଜମା ଦେବାପାଇଁ ଯାଉଥିଲେ, ଏହି ସମୟରେ ଗେରୁଆ ଲୁଙ୍ଗୀ ପିନ୍ଧି, ଓଠ ତଳେ ଛେଳିଦାଢ଼ି ପରି ଦାଢ଼ିଟିଏ ଝୁଲାଇ ଜଣେ ବାବାଜୀ ଶ୍ରେଣୀର ଯେଉଁ ଲୋକଟି ବସିଥିଲେ; ସେ ପଚାରିଦେଲେ,.....‘‘ଆଚ୍ଛା କହନ୍ତୁ ନାଁ ବାବୁ; ଶ୍ରୀକୃଷ୍ଣ କେଉଁ ଗର୍ଭରେ ଜନ୍ମିଥିଲେ ?’’

 

ଶ୍ରୀକୃଷ୍ଣଙ୍କ ଜାତକ ଓ କୃଷିନାମା ସମ୍ପର୍କରେ ଗୋବର୍ଦ୍ଧନାଚାର୍ଯ୍ୟଙ୍କର ତଦବିଦତା ନଥିଲା-! କିନ୍ତୁ ପ୍ରଶ୍ନର ଉତ୍ତରଟି ସହସା ଦେଇ ନପାରିଲେ, ଦେବଦେବୀ ଓ ଧର୍ମ-କର୍ମ ସମ୍ପର୍କରେ, ପ୍ରାର୍ଥୀମାନଙ୍କର କୌଣସି ଧାରଣା ନାଇଁ, ତେଣୁ ସେ ଅବିଶ୍ୱାସୀ ଓ ଅଭକ୍ତ—ଏହିପରି ଏକ ପ୍ରଚାର, ତାଙ୍କ ନିର୍ବାଚନିକ ସମ୍ଭାବନାକୁ ବାଧାଗ୍ରସ୍ତ କରିବା ଆଶଙ୍କାରେ, ଉତ୍ତରଟା କାନରେ କହିଦେବା ପାଇଁ ସେ ଗବେନ୍ଦ୍ରକୁ ପୁଳାଏ, ଦୁଇ ପୁଳା ଚିମୁଟି ଦେଲେ । ମାତ୍ର ଏ ବିଷୟରେ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଅପେକ୍ଷା ଗବେନ୍ଦ୍ରଙ୍କ ଜ୍ଞାନ ବିଶେଷ ନିର୍ଭରଯୋଗ୍ୟ ନଥିଲା । ଏହିପରି ସମୟରେ, ମିଛୁମିଶ୍ରେ ହଠାତ୍‌ ଉତ୍ତରଟା ଦେଇ ସମସ୍ତଙ୍କୁ ଏକ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିଦେଇ କହିଲେ......‘‘ଶ୍ରୀକୃଷ୍ଣ ପରା କଂସନିଧନ ପାଇଁ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିଲେ !’’

 

ଦାଢ଼ିଆ ବାବାଜୀ ଜଣକ ଗଡ଼ ଜିତିବା ପରି କଣ୍ଠରେ କହିଲେ.....‘‘ହେଲା ତ ! ଯଦି ଷେଣ୍ଢଦଳିଆ କହନ୍ତି, ଦୁଇଟି ସନ୍ତାନ ଯଥେଷ୍ଟ, ତା’ପରେ ମାଇପେ ବାଞ୍ଝ ହେବେ; ତା’ ହେଲେ ଆମ ଦେଶରେ କଳିଭରା ହରଣ ପାଇଁ ଆଉ ଶ୍ରୀକୃଷ୍ଣ ଜନ୍ମ ହୋଇପାରିବେ ତ ?’’

 

ରାଧୁରଥେ ଏହିପରି ଗୋଟାଏ କୌଶଳପୂର୍ଣ୍ଣ ମୁହୂର୍ତ୍ତର ଅପେକ୍ଷାରେ ଗୁମ୍‌ ମାରି ବସିଥିଲେ । ସେ ଗଳା ଖଙ୍କାରି କହିଉଠିଲେ......

 

‘‘ଶ୍ରୀକୃଷ୍ଣ ଜନ୍ମ ହେଲେ, ମଞ୍ଚାରୁ ପଡ଼ି ଷେଣ୍ଢଦଳିଆ କଂସ ମାମୁଁ ପ୍ରାଣ ଯିବ ଯେ ! ସେଇଥି ପାଇଁ ପରା ଦୁଇଟି ସନ୍ତାନ ଯଥେଷ୍ଟ !’’

 

ଗବେନ୍ଦ୍ର ଏଥର ଆଉ ସମ୍ଭାଳି ନ ପାରି କହିଲେ....‘‘ଏଥର ଉଠ ଗୋବର୍ଦ୍ଧନାଚାର୍ଯ୍ୟେ ! ପ୍ରଭୁ ଭାଣ୍ଡେଶ୍ୱର ଅଣ୍ଡିଆ ବୁଥ୍‌ କଥା ବୁଝନ୍ତୁ !’’

 

ଗୋବର୍ଦ୍ଧନାଚାର୍ଯ୍ୟ କିନ୍ତୁ ହଟିବାର ପାତ୍ର ନୁହନ୍ତି । ସେ କହିଲେ.....‘‘ଆଚ୍ଛା କୁହନ୍ତୁ ତ, ଶ୍ରୀକୃଷ୍ଣ କଣ ଖାଇ କଂସ ସାଙ୍ଗରେ ଲଢ଼ିଥିଲେ ? କ୍ଷୀର ଲବଣି ଛଡ଼ା ସେ ଆଉ କିଛି ଖାଉଥିବା ଆପଣମାନେ ଜାଣନ୍ତି କି ?’’

 

ବାବାଜୀ ଜଣକ ଉତ୍ତର ଦେଲେ.....‘‘ହଁ, ସେଇଆ ନୁହେଁ ଆଉ କ’ଣ ? ଅଭିମନ୍ୟୁ ସାମନ୍ତ ସିଂହାରେ ପରା ‘ବିଦଗ୍‌ଧ ଚିନ୍ତାମଣି’ରେ ପଦ ଲେଖିଛନ୍ତି......

 

‘‘ଗୋଟିକା ଅଧାମ ସର ନ ରୁଚଇ ତୋତେ

ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ ?’’

 

କଳାକାଇଁଚ ବାଣୀରେ ବାବାଜୀ ଅନ୍ୟ ପଦ ଗୁଡ଼ିକ ବୋଲିବା ପାଇଁ ଗଳା ସଫାକରି ଆସୁଥିଲେ; ଗୋବର୍ଦ୍ଧନାଚାର୍ଯ୍ୟ ତାଙ୍କୁ ସେଥିରେ ବାଧା ଦେଇ କହିଲେ.....‘‘ଏବେ ତ ପିଲାଙ୍କୁ କ୍ଷୀର ଟୋପାଏ ମିଳିବା ଦୁଷ୍କର; ଆଉ ଶ୍ରୀକୃଷ୍ଣ ଏବେ ଜନ୍ମ ହେଲେ ସର ଲହୁଣୀ ପାଇବେ କେଉଁଠୁ, ନାଁ କଂସକୁ ମାରିବେ କିପରି ?’’

 

ଯୁକ୍ତିଟା ଅକାଟ୍ୟ । ରାଧୁରଥେ ତାହାକୁ ରେଖାଙ୍କିତ କରିଦେବା ଉଦ୍ଦେଶ୍ୟରେ କହିଲେ.....‘‘ବାବୁ କ’ଣ କହୁଚନ୍ତି, କଥାଟାକୁ ଭଲ କରି ହେଜ ! ଖାଲି ଶ୍ରୀକୃଷ୍ଣ ଗର୍ଭରେ ଜନ୍ମ ହୋଇଥିଲେ ବୋଲି କହିଲେ କ’ଣ ହେବ ?’’

ବାବାଜୀ ବିସ୍ଫୋରଣ କରି ଉଠି କହିଲେ....‘‘ଷେଣ୍ଢଦଳିଆମାନେ ସରକାରରେ ଥାଇଁ ପରା ଗୋବଧ-ନିରୋଧ କରୁନାହାନ୍ତି ! ଗାଈ ଗୋରୁ ଥିଲେ ସିନା ସର ଲହୁଣୀ ମିଳନ୍ତା ? ଏ ବୁଢ଼ା ଷେଣ୍ଢକୁ ଦୁହିଁଲେ ସେଥିରୁ କଣ ସର ଲହୁଣୀ ମିଳିବ ?’’

 

ବାବାଜୀଙ୍କ ପ୍ରଚ୍ଛନ୍ନ ରସିକତାରେ ସମସ୍ତେ ଯେପରି ହୋ ହୋ ହସିଉଠିଲେ, ସେଥିରେ ସେଠାରେ ଆଉ ଦଣ୍ଡେ ବସିବାପାଇଁ, ଗୋବର୍ଦ୍ଧନାଚାର୍ଯ୍ୟ ବା ଗବେନ୍ଦ୍ର ଏପରିକି ମିଛୁମିଶ୍ରଙ୍କର ସୁଦ୍ଧା ଆଉ ମନୋବଳ ନ ଥିଲା । ସେହି ହାସ୍ୟରୋଳ ମଧ୍ୟରେ ଗବେନ୍ଦ୍ର, ଗୋବର୍ଦ୍ଧନାଚାର୍ଯ୍ୟଙ୍କ ପଞ୍ଜାବିଟା ଟାଣି ଟାଣି ପିଣ୍ଡା ତଳକୁ ଓହ୍ଲାଇ ଆସିଲା । ମିଛୁମିଶ୍ରେ ତା’ ପୂର୍ବରୁ ପଳାୟନ କରି ଜିପ୍‌ ପଛ ସିଟ୍‌ର ନିରୁପଦ୍ରବ ନିରାପତ୍ତା ମଧ୍ୟରେ ବସି ସାରିଥିଲେ । ଗୋବର୍ଦ୍ଧନାଚାର୍ଯ୍ୟ ଓ ଗବେନ୍ଦ୍ର ଜୀପ୍‌ ପାଖରେ ନ ପହଞ୍ଚୁଣୁ ରାଧୁରଥେ ମାଳିକା ବୋଲା ଆରମ୍ଭ କରିଦେଲେ.....

 

‘‘ଏଥୁ ପୁଚ୍ଛନ୍ତି ନରରାଣ

କୁହସି ମୋ ଭଗବାନ

ଅର୍ଜୁନ କାହିଁ ସେ ଜନ୍ମିଲା

କଳି ଯୁଗରେ କିସ କଲା ।

ଭଗବାନୋବାଚ

‘‘ପ୍ରାଚୀ ନଦୀର ଉତ୍ତରରେ

ଅର୍ଜୁନ ଜନ୍ମିବ କଳିରେ ।

ଦୁର୍ନୀତି ଭାରା ସେ ନାଶିବ

ସତ୍ୟଯୁଗକୁ ପ୍ରକାଶିବ ।

ପତିତପାବନ ତା ନାମ

ଗୋବର୍ଦ୍ଧନର ସେ ତ ଯମ !’’

 

ବାବାଚୀ ଚେଁ ଚେଁଇଆଁ କଣ୍ଠରେ ପହଳି ଦେଲେ....‘‘ହରିବୋଲ ! କଥାଟଶ ତ ଠିକ୍‌ ମିଳିଗଲା । ପତିତପାବନବାବୁଙ୍କ ଗାଁ ହେଲା ହରିପୁର, ପ୍ରାଚୀ ନଈର ଉତ୍ତର କୂଳରେ ! ମାଳିକା କଥା କଣ ମିଛ ହେବ ?’’

 

ଜୀପ୍‌ଟାର ବାଟେରୀ ଡାଉନ୍‌ । ଅଇଣ୍ଠୁ ଦାସେ ଷ୍ଟାଟର୍‌ଟାକୁ ଅକାରଣରେ ଅନ୍ଧାରରେ ଉଣ୍ଡାଳି ଉଣ୍ଡାଳି କହୁଥିଲେ.....‘‘ପଛରୁ ଟିକେ ଠେଲା ମାରନ୍ତୁ ଆଜ୍ଞା, ନୋହିଲେ ସେଲ୍‌ଫ ଧରିବ ନାଇଁ ! ଆଗଟା ପରା ଉଠାଣି !’’

Image

 

ଶେଷ ରାତିର ଏକ୍‌ସପ୍ରେସ୍‌

 

ପାଟନା ଷ୍ଟେସନର ୱାଟର୍‌-ଟାୱାର୍‌, ସିଗ୍‌ନାଲ-କାବିନ, ଗୁଡ଼୍‌ସ-ୟାର୍ଡ଼ ସେପଟେ ମାର୍ଗଶିରର ହେମାଳ ରାତି ତୃତୀୟ-ପ୍ରହର ବେଳକୁ ମୁଣ୍ଡାଏ ବରଫ ପରି ଜମାଟ ବାନ୍ଧି ଆସୁଥିଲା ।

 

ପାଟନା ଜଙ୍କସନର ବିଭିନ୍ନ ରିସେପ୍‌ସନ୍‌ ୟାର୍ଡ ଓ ପ୍ଲାଟଫର୍ମ କ୍ଳାନ୍ତ ଅଜଗର ପରି ନିଦରେ ଝିମେଇ ପଡ଼ିଥିଲା....ପ୍ଲାଟଫର୍ମ ଉପରେ ଜଣେ ଅଧେ ଯାତ୍ରୀ କମ୍ୱଳରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଢାଙ୍କି ହୋଇ, ଟିଣ ସୁଟ୍‌କେସ୍‌ ଅଥବା ଗୋଦଡ଼ ମୋଡ଼ ଉପରେ ସ୍ଥାଣୁ ମୂର୍ତ୍ତି ପରି ବସି ରହିଥିଲେ, କେହି କେହି କୁଣ୍ଡଳୀ ମୋଡ଼ି, କମ୍ୱଳକୁ ତମ୍ୱୁ ପରି ମୋଡ଼ି ତାରି ଭିତରେ ଶୋଇ ପଡ଼ିଥିଲେ—ସେମାନଙ୍କ ପ୍ରତୀକ୍ଷା ସକାଳର ପାସେଞ୍ଜର ଗାଡ଼ି ପାଇଁ ।

 

ସନ୍ଧ୍ୟା ଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ମେଲ୍‌-ଏକ୍‌ସପ୍ରେସ୍‌ ମାନଙ୍କର ଭିଡ଼—ଷ୍ଟେସନ ପ୍ଲାଟଫର୍ମରେ ଯାତ୍ରୀ, କୁଲୀ, ହକର, ଭିକାରୀମାନଙ୍କର କୋଳାହଳ । ତା’ପରେ ସବୁ ଝିମେଇ ପଡ଼େ ସକାଳେ ପୁଣି ଥ୍ରୀ ଅପ୍‌ ପଞ୍ଜାବ୍‌-ମେଲ୍‌ ଆସିବା ପର୍ଯ୍ୟନ୍ତ । ଯେଉଁ ସେଭେନ୍‌ଟିନ ଅପ୍‌ଡୁନଏକ୍‌ସପ୍ରେସ୍‌ଟା ଏଲାହାବାଦ, କାନପୁର, ଲକ୍ଷ୍ନୌ ବାଟେ ଯାଏ, ସେଇଟା କେବଳ ଶେଷ ରାତିର ଏକମାତ୍ର ଏକ୍‌ସପ୍ରେସ୍‌ । ମାତ୍ର ସେ ଗାଡ଼ି ପାଇଁ ବିଶେଷ ଯାତ୍ରୀ ନ ଥାନ୍ତି.....ହାଉଡ଼ାରୁ ପାଟ୍‌ନା ଆସୁଥିବା ଯାତ୍ରୀମାନେ ଏଥିରେ ମଧ୍ୟ ସାଧାରଣତଃ ପ୍ରାୟ ଉଠନ୍ତି ନାହିଁ, ଓଠ ଫୁଲେଇ ଭ୍ରୂକୁଞ୍ଚତ କରି ସେମାନେ ଆକ୍ଷେପ କରନ୍ତି....‘‘ଅନ୍‌ ଆର୍‌ଦଲୀ ଟାଇମ୍‌ !’’

 

ଥ୍ରୀ ଅପ୍‌ରେ ଯେଉଁମାନେ ଜାଗା ନ ପାନ୍ତି, ସେହିମାନଙ୍କ ଭରସା କେବଳ ସେଭେନ୍‌ଟିନ୍‌ ଅପ୍‌ !

 

ସେହି ରାତି ଶେଷବେଳକୁ ନିଦଟା ଯେତେବେଳେ ଆଖିରେ ଜମ୍‌କେଇ ଜମାଟ ବାନ୍ଧିଆସେ, ସେତିକିବେଳେ କାନପୁର, ଅଥବା ଲକ୍ଷ୍ନୌ ଅଥବା ଦିଲ୍ଲୀ ଆଡ଼କୁ ଯିବାକୁ ସେଭେନ୍‌ଟିନ ଅପ୍‌ର ପ୍ରତୀକ୍ଷା ପାଇଁ ପାଟଣା ଜଙ୍କସନରୁ ଉଠିବା ଯାତ୍ରୀମାନେ ମଧ୍ୟ ସାଧାରଣତଃ କୁଣ୍ଠିତ ଥାନ୍ତି ।

 

ଟାଇମ୍‌ ଟେବୁଲ୍‌ରେ ସେଭେନ୍‌ଟିନ୍‌ ଅପ୍‌ ପହଞ୍ଚିବା କଥା ରାତି ଦୁଇଟା ବାଜି ସତାବନ ମିନିଟ୍‌ରେ—ମାତ୍ର ଆଜି ଷ୍ଟେସନର ପ୍ରବେଶଦ୍ୱାରରେ ଅପର କ୍ଳାସ ବୁକିଙ୍ଗ୍‌ ଅଫିସ ପାଖରେ ଯେଉଁ ବ୍ଳାକ୍‌ବୋର୍ଡ଼ମାନ ଝୁଲୁଛି, ସେଥିରେ ସେଭେନ୍‌ଟିନ୍‌ ଅପ୍‌ ଡୁନ୍‌ ଏକ୍‌ସପ୍ରେସର ଦକ୍ଷିଣପାଖ ସ୍ତମ୍ଭରେ ଚକ୍‌ ଖଡ଼ିରେ ଇଂରାଜିରେ ସୂଚିତ ହୋଇଥିଲା, ପଚାଶ ମିନିଟ୍‌ ବିଳମ୍ୱ !

 

ମାତ୍ର ଉତ୍‌କଣ୍ଠିତ ପ୍ରତୀକ୍ଷାରେ ସେ ସମୟ ସୀମା ମଧ୍ୟ କେତେବେଳୁ ଉତ୍ତୀର୍ଣ୍ଣ ହୋଇଗଲାଣି; ପ୍ରଥମ ବେଲ୍‌ ପରେ ଆଉ ଅନ୍ୟ ବେଲ୍‌ ପଡ଼ିନାହିଁ । ଯେଉଁ ଅପର କ୍ଳାସ୍‌ ପାସେଞ୍ଜରମାନେ ଏହି ଗାଡ଼ି ପାଇଁ, ୱେଟିଙ୍ଗ ରୁମ୍‌ମାନଙ୍କରେ ଶରଶଯ୍ୟା ପରି ଛାରପୋକ-ଭର୍ତ୍ତି ଆରାମଚୌକୀ ମାନଙ୍କରେ ବସି ବସି ହାଇ ମାରୁଛନ୍ତି, ସିଗାରେଟ୍‌ ପୋଡ଼ୁଛନ୍ତି, ଆଉ ସେଭେନ୍‌ଟିନ ଅପ୍‌ ଉପରେ ଅଭିସମ୍ପାତ ବର୍ଷଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ପ୍ଳାଟ୍‌ଫର୍ମକୁ ଆସି ଅର୍ଥହୀନ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ରାତିର କୁହୁଡ଼ି ଭିତରେ ଯେପରି ସେଭେନ୍‌ଟିନ ଅପ୍‌କୁ ଖୋଜୁଛନ୍ତି; ତା’ପରେ ହାତର ଘଡ଼ିରେ ସମୟ ଦେଖୁଛନ୍ତି, ପ୍ଲାଟଫର୍ମର ଘଣ୍ଟା ସାଙ୍ଗରେ ସମୟ ମିଳାଉଛନ୍ତି, ‘ଷ୍ଟିଲ୍‌ ଲାଇଫ୍‌’ ଚିତ୍ରପରି ଦିଶୁଥିବା, ପାତଳା ନୀଳ କୁହୁଡ଼ି ଓ ନିଅନ୍‌ ଆଲୋକରେ ଝିମେଇ ପଡ଼ିଥିବା ପ୍ଲାଟଫର୍ମ ଆଡ଼େ ବିରକ୍ତିପୂର୍ଣ୍ଣ ଦୃଷ୍ଟିରେ ଚାହିଁ ଦେଖୁଛନ୍ତି; ଆଉ ଯେଉଁମାନଙ୍କର ଦୃଷ୍ଟି ତଥାପି ଦୂରକୁ ଲମ୍ୱି ଯାଉଛି, ସେମାନଙ୍କ ଆଖିରେ ପଡ଼ୁଛି ଉପକଥାର ରାକ୍ଷସ ପରି ନାଲି, ନେଳୀ ଆଖି ମେଲି ଠିଆ ହୋଇଥିବା ସିଗ୍‌ନାଲ୍‌-ପୋଷ୍ଟର ଧାଡ଼ି ।

 

ଅର୍ଥହୀନ ପ୍ରତୀକ୍ଷା ପରେ, ପୁଣି ୱେଟିଙ୍ଗ୍‌ ରୁମ୍‌ର ଶରଶଯ୍ୟାଗୁଡ଼ିକୁ ପିତାମହ ଭୀଷ୍ମଙ୍କ ଗାମ୍ଭୀର୍ଯ୍ୟରେ ସେମାନେ ଫେରି ଆସିବାବେଳେ, ସେମାନଙ୍କ ମଧ୍ୟରୁ କେହି କେହି, ବୁକ୍‌ଷ୍ଟଲ୍‌ ପାଖରେ ଗୋଟିଏ ହିନ୍ଦୀ ସିନେମାର ଯେଉଁ ରଙ୍ଗୀନ ପୋଷ୍ଟର ଲାଗିଛି, ସେଥିରେ ଅଙ୍କିତ ଥିବା ଗୋଟିଏ ପ୍ରୟୋଲ୍ଲଙ୍ଗ ନାରୀର ଅତିରଞ୍ଜିତ ସ୍ତନ ଓ ଅତିସ୍ଫୀତ ନିତମ୍ୱକୁ ଅଭିନିବେଶରେ ଚାହିଁ ଦେଖୁଛନ୍ତି....ଯେଉଁମାନେ ଧୂମପାନରେ ଅଭ୍ୟସ୍ତ, ସେମାନେ ଖଣ୍ଡେ ସିଗାରେଟ୍‌ ଅକାରଣ ହିଂସ୍ରତାରେ ଓଠରେ କାମୁଡ଼ି ନିଆଁ ଲଗାଉଛନ୍ତି; ଯେଉଁମାନଙ୍କର ସେ ଅଭ୍ୟାସ ନାହିଁ, ସେମାନେ ସିଗେରେଟ୍‌ ଧୂଆଁର ନୀଳ ଦୀର୍ଘଶ୍ୱାସ ପରିବର୍ତ୍ତେ ଗୋଟିଏ ସଶବ୍ଦ ଦୀର୍ଘଶ୍ୱାସ ପକାଇ, ଟ୍ରାଉଜରର ଦୁଇ ଜଙ୍ଘ ପକେଟ୍‌ରେ ଦୁଇହାତ ଗଭୀରକୁ ପୂରାଇ, ନିର୍ବେଦଗ୍ରସ୍ତ ପ୍ଳାଟ୍‌ଫର୍ମ ଉପରେ ଅକାରଣରେ ଯୋତା ହିଲ୍‌ ପିଟି ପିଟି, ୱେଟିଙ୍ଗ୍‌ ରୁମ୍‌ର ଉତ୍ପୀଡ଼କ ପ୍ରତୀକ୍ଷା ଭିତରକୁ ପୁଣି ଫେରିଆସୁଛନ୍ତି ।

 

ପ୍ଲାଟଫର୍ମ ଛାତର ବର୍ଗାମାନଙ୍କରେ ଲାଗିଥିବା କ୍ଳକମାନଙ୍କର ଅକ୍ଷର, ଅଙ୍କ ଓ କଣ୍ଟାଗୁଡ଼ିକରେ ଶୀତଳ ଉଦାସୀନତା । ସେଥିରେ ଯେପରି ପ୍ରଚ୍ଛନ୍ନ ହୋଇରହିଛି ଗୋଟିଏ ନିଷ୍ଠୁର ସାନ୍ତ୍ୱନା; ଏ ପ୍ରତୀକ୍ଷାର ମଧ୍ୟ ଶେଷ ଅଛି !

 

ଅଦୂରର ମାର୍ଶାଲିଙ୍ଗୟାର୍ଡ଼ ମାନଙ୍କରେ ଗୋଟାଏ ଟ୍ରେନଇଞ୍ଜନ ରହି ରହି କେଉଁଠି ଦୀର୍ଘଶ୍ୱାସ ପକାଉଛି, ଆଉ କେଉଁଠି ବା ଇଞ୍ଜିନଟାଏ ହୁଇସିଲ ମାରୁଛି.....ରାତିର ତାରା ଓ ଅନ୍ଧକାର ଯଦି ଯାତ୍ରୀ ହୋଇଥାନ୍ତି, ତା’ହେଲେ ସେମାନଙ୍କ ବ୍ୟତୀତ ତାହା ଶୁଣିବା ପାଇଁ କିନ୍ତୁ ଆଉ କେହି ନାହାନ୍ତି ।

 

ଦୂର ସ୍ଳାଇଡ଼ଙ୍ଗରେ ଗୋଟିଏ ପରିତ୍ୟକ୍ତ ଇଞ୍ଜିନର ଦୀର୍ଘଶ୍ୱାସ କେଉଁ ଏକ ଅବଲୁପ୍ତ ଆତ୍ମାର ବିଳାପପରି ଶୁଭୁଚି । ଆଉ କେଉଁ ଇଞ୍ଜିନଟି ହଠାତ୍‌ ହୁଇସିଲ ବଜାଇ ଉଠୁଛି—କାହାର ଆହ୍ୱାନରେ କେଜାଣି ?

 

ନିଶୁତି ରାତିରେ ନିର୍ଜନ ଷ୍ଟେସନ ପ୍ଳାଟ୍‌ଫର୍ମର ଆବହସଙ୍ଗୀତ ରୂପେ କେବଳ ଗୋଟାଏ ସାଇଁ ସାଇଁ ଶବ୍ଦ ଶୁଭୁଛି....ସେଥିରେ ବେଳେବେଳେ ମିଶୁଛି ଯାତ୍ରୀମାନଙ୍କର ଘାଘଡ଼ା କଣ୍ଠରେ କଫ ମିଶା କାଶ....ଆଉ ଦୂରରେ କିଏ ହଠାତ୍‌ କାହାକୁ ନିଦୁଆ କଣ୍ଠରେ କାହିଁକି କେଜାଣି ଡାକିବାର ପ୍ରତିଧ୍ୱନି । ସେ ସବୁ ନୀରବ ହୋଇଯିବା ପରେ ପୁଣି ସେଇ ଆବହ ସଙ୍ଗୀତର ସାଇଁ ସାଇଁ ଆଳାପ !

 

ସେହି ଉତ୍‌ପୀଡ଼କ ଉତ୍କଣ୍ଠା ଭାଙ୍ଗି କେତେଟା ଟେଲିଫୋନ୍‌ ହଠାତ୍‌ ଏକ ସଙ୍ଗରେ ବାଜିଉଠିଲା । ତା’ ସାଙ୍ଗରେ ଟେଲିଫୋନ୍‌ ଏକ୍‌ସଚେଞ୍ଜରେ ଲିଭର ସବୁ ତଳକୁ ଖସାଇ ପୁଣି ଉପରକୁ ଉଠାଇବାର ଖଟଖାଟ୍‌ ଶବ୍ଦ ଓ ନିଦରେ ନିଝୁମ ହୋଇ ପଡ଼ିଥିବା ଟେଲିଗ୍ରାଫ୍‌ ଯନ୍ତ୍ରମାନଙ୍କର ଟରେ ଟକ୍‌କା ଟରେ ଟକ୍‌କାର ବିଳିବିଳା !

 

ନିଶୁତି ପ୍ଲାଟଫର୍ମର ମୋହଭଙ୍ଗ ପରି ସେକେଣ୍ଡ୍‌ ବେଲ୍‌ ହଠାତ୍‌ ବାଜିଉଠିଲା ।

 

ଥାର୍ଡ଼ବେଲ ବାଜିବ....ତାପରେ ଯାଇଁ ସେଭେନ୍‌ଟିନ ଅପ୍‌ !

 

ଅକଳିତ ପ୍ରତୀକ୍ଷାର କଳାଘୁମର ନିଥର ପୁଷ୍କରିଣୀରେ ସେକେଣ୍ଡବେଲ କେଉଁ ଖିଆଲୀ ବାଳକ ହାତରୁ ଗୋଡ଼ିଖଣ୍ଡ ପରି, ଉଦ୍‌ବେଳନର ଯେଉଁ କ୍ଷୀଣ ତରଙ୍ଗ ସୃଷ୍ଟି କରିଥିଲା, ତାହା ଭଉଁରୀ ଖେଳାଇ ଖେଳାଇ ପୁଣି ଦୂରର ସିଗନାଲ ପୋଷ୍ଟ, ୱାଟର ଟାୱାର ଓ ଅବଲୁପ୍ତ ଆତ୍ମାପରି ତଥାପି ଦୀର୍ଘଶ୍ୱାସ ପକାଉଥିବା ସେହି ଇଞ୍ଜିନ ଆଡ଼େ ଝମେଇ ଝିମେଇ ମିଳାଇଗଲା !

 

ଥାର୍ଡ଼କ୍ଳାସ୍‌ ୱେଟିଙ୍ଗ-ହଲରେ ଯେଉଁ ଯାତ୍ରୀ ଓ ଯତ୍ରିଣୀମାନେ ମୋଟା ଚାଦର ଓ କମ୍ୱଳ ପ୍ରଭୃତିରେ ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ମୋଡ଼ି ହୋଇ ମୁର୍ଦ୍ଦାର ପରି ତଳେ ଲୋଟି ପଡ଼ିଥିଲେ, ସେମାନେ କେହି ସେଭେନ୍‌ଟିନ ଅପର ଯାତ୍ରୀ ନୁହଁନ୍ତି । ସେମାନେ ସବୁ କେଉଁ ଗାଡ଼ିରେ କିଏ କୁଆଡ଼େ ଯିବେ, ତାହାର କୌଣସି ନିଶ୍ଚିତତା ନାହିଁ । ଅନ୍ତତଃ ସେଭେନ୍‌ଟିନ-ଅପ୍‌ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ ।

 

ହଲ୍‌ ଶେଷରେ ଗୋଟିଏ ଅନ୍ଧାରିଆ କୋଣରେ ଖଣ୍ଡେ ଚେର୍‌ପାଇ ଉପରେ ଯେଉଁ ସ୍ତ୍ରୀଟି କମ୍ୱଳରେ ଢାଙ୍କି ହୋଇ ଶୋଇଥିଲା, ସେକେଣ୍ଡ ବେଲ୍‌ ଶୁଣି, ସେ କମ୍ୱଳ ଭିତରୁ ଧୀରେ ଧୀରେ ଉଠି ଚେରପାଇ ଉପରେ ଭିଡ଼ିମୋଡ଼ି ହୋଇ ବସିଲା । ହଲ୍‌ ଭିତରେ ଜଳୁଥିବା ନିଷ୍ପ୍ରଭ ଆଲୋକରେ, ତଳେ ମୁହଁ ଢାଙ୍କି ନିଘୋଡ଼ ନିଦରେ ଶୋଇଥିବା ଯାତ୍ରୀମାନେ କେଉଁ ପରାଜିତ ରଣ-ସୀମାନ୍ତରେ ଭୂଲୁଣ୍ଠିତ ମୃତ ସୈନିକମାନଙ୍କ ପରି ଦିଶୁଥିଲେ । ଦୁଇଟା ଚେମେଣିଆ କେବଳ ଆଲୁଅ ଚାରିପଟେ ଡେଣା ଝାଡ଼ି ଗୋଡ଼ାଗୋଡ଼ି ହେଉଥିଲେ ।

 

ସେହି ସ୍ତ୍ରୀଟି ଚେରପାଇରୁ ଓହ୍ଲାଇ, ତଳୁ ଚଟିହଳକ ଖୋଜି ବସିଲା । ଚେରପାଇ ତଳେ ତାର ସଂସାର—ଖଣ୍ଡେ ପୁରୁଣା ଟିଣ ବାକ୍‌ସ, ତା’ ପାଖକୁ ଖଣ୍ଡେ ଖଟୁଲି ଉପରେ କି ଗୋଟାଏ ଦେବଦେବୀର ଚିତ୍ରପଟ, ଚକ୍‌ ଚକ୍‌ କରୁଥିବା ଗୋଟାଏ ତମ୍ୱା ଢାଳ, ଗୋଟାଏ ପିତଳ ବାଲ୍‌ତି, ଗୋଟାଏ ଉଠା କୋଇଲା-ଚୁଲି, ଖଣ୍ଡେ ବେଲନା-ପେଡ଼ି, ଗୋଟିଏ ତାଉଆ । ତାରି ଭିତରେ ସେ ଚଟି ହଳକ ଖୋଜିବାବେଳେ, ସେଇ ଶବ୍ଦରେ ସେଠାରୁ ଅଦୂରରେ, କଳା ପଟା ପଟା ରଙ୍ଗର ଖଣ୍ଡେ କମ୍ୱଳ ଭିତରୁ ଗୋଟିଏ ଝାମ୍ପୁରା ମୁଣ୍ଡ ଚାରିଆଡ଼କୁ ସତର୍କ ଦୃଷ୍ଟିରେ ଚାହିଁ ଧୀରେ ଧୀରେ ଉଠି ବସିଲା । ସେ ଝାମ୍ପୁରା ମୁଣ୍ଡଟି ଗୋଟିଏ ସନ୍ନ୍ୟାସୀର । ବାଳ ସବୁ ଦରପାଚିଲା, କପାଳରେ ଗୋଟିଏ ପ୍ରକାଣ୍ଡ ସିନ୍ଦୂର କଲି, ଗୋଟିଏ ଆଖି କଣା, ମୁହଁ ଯାକ ଦାଢ଼ୀ.....କିନ୍ତୁ ଚେହେରାରେ ସମ୍ଭ୍ରମଶୀଳ ସୌକୁମାର୍ଯ୍ୟର ମୁଦ୍ରା । ବିଛଣା ମୁଣ୍ଡକୁ ଗୋଟିଏ କମଣ୍ଡଳୁ ଓ କାନ୍ଥରେ ଡେରାହୋଇ ରହିଥିଲା ତମ୍ୱାରେ ନିର୍ମିତ ଗୋଟିଏ ତ୍ରିଶୂଳ ! ଷ୍ଟେସନରେ ସମସ୍ତେ ଡାକନ୍ତି ତାଙ୍କୁ କାଣା ବାବା ମହାରାଜ ।

 

ଦୂରରେ ଗୋଟାଏ ଚଳନ୍ତା ଟ୍ରେନର ଶବ୍ଦ ଓ ବାହୁନା ଶୁଭୁଥିଲା । ସେ ସ୍ତ୍ରୀ ଲୋକଟି ପାଦରେ ଚଟିହଳକ ପୂରାଇ ଦେହରେ ଖଣ୍ଡେ ଫିକା ଆଲୋୟାନ ପକାଇ, ସମ୍ଭ୍ରମଶୀଳ ଭାବରେ ମୁଣ୍ଡ ଉପରକୁ ଓଢ଼ଣାଟି ଟାଣି ପ୍ଲାଟଫର୍ମ ଆଡ଼େ ବାହାରିଗଲା ! ପ୍ଲାଟଫର୍ମ ପର୍ଯ୍ୟନ୍ତ ସେତକ ଦୂରତ୍ୱ ଅତିକ୍ରମ କରିଯିବାପାଇଁ ତା’ର ପାଦରେ ଗତିରେ ଥିଲା ଏକ କ୍ଷିପ୍ରତା; ମାତ୍ର ବୟସ, କ୍ଳାନ୍ତି ଓ ଯନ୍ତ୍ରଣା ଯେପରି ପଦେ ପଦେ ତା’ର ପାଦର ଗତିକୁ ଶାଢ଼ିର ଅଞ୍ଚଳ ପରି ଛନ୍ଦି ଦେଉଥିଲା ।

 

ଇତିମଧ୍ୟରେ ସେହି ବହୁ ପ୍ରତୀକ୍ଷିତ ଘୋଷଣା, ନିର୍ବେଦଗ୍ରସ୍ତ ଜଡ଼ତାର ସବୁ ଅବସାଦ କାଟି, ମାଇକ୍ରୋଫୋନ ମାନଙ୍କରେ ବିଳବିଳେଇ ଉଠିଲା; ପ୍ରଥମେ ଇଂରାଜୀ ଓ ପରେ ହିନ୍ଦୀରେ.....ଆଟେନସନ୍‌–ପ୍ଳିଜ, ସେଭେନ୍‌ଟିନ ଅପ୍‌, ଡୁନ୍‌ ଏକ୍‌ସପ୍ରେସ୍‌, କାନପୁର-ଲକ୍ଷ୍ନୌ-ଦିଲ୍ଲୀ ହୋକର ଦେରାଦୁନ୍‌ ଯାନେବାଲୀ ଗାଡ଼ି, ଏକ ନମ୍ୱର ପ୍ଲାଟଫର୍ମ କି ବଦଲେ ତିନି ନମ୍ୱର ପ୍ଲାଟଫର୍ମ ପର୍‌, ଆ ରହୀ ହେ....ଆଟେନ୍‌ସନ୍‌ ପ୍ଳିଜ୍‌.... !’’

 

କୁଲି ଓ ତୃତୀୟ ଶ୍ରେଣୀର ଯାତ୍ରୀମାନଙ୍କ କୋଳାହଳରେ ପ୍ଲାଟଫର୍ମ ନିଦରୁ ଆଖି ମଳି ମଳି ସାଜ ସାଜ ରବରେ ଉଠିବସିଲା ।

 

କାଣା-ବାବା ବାବାଜୀ, ଆଲ୍‌ଖାଲା ପକେଟରୁ ଖଣ୍ଡେ ବିଡ଼ି କାଢ଼ି, ସେଥିରେ ନିଆଁ ଲଗାଇଲେ । ତା’ପରେ ବ୍ରହ୍ମଚିନ୍ତା କରିବା ପରି ଗାମ୍ଭୀର୍ଯ୍ୟରେ କଳେ ଧୂଆଁ ଢୋକି ଦାଢ଼ୀର ଜଙ୍ଗଲ ଭିତରୁ ଧୀରେ ଧୀରେ ଧୂଆଁର କୁଣ୍ଡଳୀ ବାହାର କରିବାବେଳେ କଫ ମିଶା କଣ୍ଠରେ ସେ କାଶି ଉଠିଲେ । ପୋଡ଼ା ଗଞ୍ଜେଇର କଡ଼ା ବାସନା ଚାରିଆଡ଼େ ବିଞ୍ଚି ହୋଇପଡ଼ିଲା । ତା’ପରେ କାଣା ବାବା ମଧ୍ୟ ସତର୍କ ଦୃଷ୍ଟିରେ ଆଗକୁ ଓ ପଛକୁ ଚାହିଁ ପ୍ଲାଟଫର୍ମ ଆଡ଼େ ବାହାରିଗଲେ ।

 

ସେଭେନ୍‌ଟିନ ଅପ୍‌ ସେତେବେଳକୁ ସାଉଥ କ୍ୟାବିନ୍‌ ଅତିକ୍ରମ କରି ମାର୍ଶାଲିଂୟାର୍ଡ଼ ଟପି ଷ୍ଟେସନର ରିସେପ୍‌ସନ ୟାର୍ଡ଼ ଭିତରକୁ ନାଚି ନାଚି, ହୁଇସିଲ୍‌ ବଜାଇ ମାଡ଼ି ଆସୁଥିଲା ।

 

ସେଭେନଟିନ ଅପ୍‌ ପାଇଁ ବିଶେଷ ଯାତ୍ରୀ-ଭିଡ଼ ନଥିଲା । ଓଭରବ୍ରିଜ ଉପରେ ଯାତ୍ରୀମାନେ ଧାଡ଼ି ବାନ୍ଧି ଚଞ୍ଚଳ ପାଦରେ ଉଠି ଯାଉଥିଲେ । ବ୍ରିଜ୍‌ ଉପରେ ସେମାନେ ଧାଡ଼ିବାନ୍ଧି ଛାଇ ଆଲୁଅରେ ଭାସି ଭାସି ଯିବାବେଳେ, ପରାଜିତ ଶରଣାର୍ଥୀମାନଙ୍କ ପରି ଦିଶୁଥିଲେ ।

 

ଚା’ ବିକାଳି ଓ ଅନ୍ୟ ହକରମାନେ ତିନି ନମ୍ୱର ପ୍ଲାଟଫର୍ମ ଉପରେ ନିଜ ନିଜ ପଣ୍ୟର ଘୋଷଣା ଆରମ୍ଭ କରି ଦେଇଥିଲେ.....ଲୈ—ଚା, କଫି ବିଡ଼ି—ସିଗାରେଟ,— କଲା, ଲେମ୍ୱୁ—ଡବଲ ରୋଟୀ,— ପୁଡ଼ୀ, କଚୋଡ଼ିର ମିଳିତ କୋରସ୍‌ !

 

ଆଃ......ଶେଷ ରାତିର ଏଇ ସତର ନମ୍ୱର-ଅପ୍‌ ଏକ୍‌ସପ୍ରେସଟା ସବୁଦିନେ ଭାରି ଭୋଗାଏ । .....ଆଜି ପୁଣି ଏକ ନମ୍ୱର ପ୍ଲାଟଫର୍ମରେ ନ ଆସି, ଆସୁଛି ତିନି ନମ୍ୱର ପ୍ଲାଟଫର୍ମରେ-। ଶିଡ଼ି ଉପରେ ପାହାଚେ ପାହାଚେ ବାଡ଼ି ଧରି, ଭିଡ କାଟି ଉଠିଲାବେଳେ, ସେ ସ୍ତ୍ରୀଟିର ନିଶ୍ୱାସ ଯେପରି ରୁନ୍ଧି ହୋଇ ଆସୁଥିଲା । ବେଳେବେଳେ ସେ ରହିଯାଇ, ବାଁହାତରେ ଛାତିଟାକୁ ଚାପି ଧରି, ସହଜରେ ନିଶ୍ୱାସ ନେବାକୁ ଚେଷ୍ଟା କରୁଥିଲା । ମାତ୍ର ସେହି ଅସହାୟ ଭଙ୍ଗୀରେ ଥିଲା, ଏପରି ଏକ ବ୍ୟଞ୍ଜନା, ଯେଉଁଥିରୁ ମନେ ହେଉଥିଲା, ଯେପରି ଟୁକରା ଟୁକରା ହୋଇ ଭାଙ୍ଗି ପଡ଼ିଥିବା ଗୋଟିଏ ଖେଳନାକୁ କେଉଁ ଶିଶୁ ଏକାଠି ଯୋଡ଼ିବା ପାଇଁ ପୁଣି ଥରେ ବୃଥା ଚେଷ୍ଟା କରୁଥିଲା ।

 

ଶିଡ଼ି-ପାହାଚ ତଳେ ଏକ ନମ୍ୱର ପ୍ଲାଟଫର୍ମ ଉପରେ ଜନସ୍ରୋତ ଧାରରେ ଅକର୍ମଶିଳା ପରି ଝିମେଇ ପଡ଼ିଥିବା ଗୋଟିଏ ଠେଲାଗାଡ଼ି ଉପରେ ବସି, କାଣାବାବା ବାବାଜୀ, ପାହାଚ ଉପରେ ଧୀରେ ଧୀରେ ଉଠୁଥିବା ସେହି ସ୍ତ୍ରୀଟିର ଛାୟାମୂର୍ତ୍ତି ଆଡ଼େ ଚାହିଁଥିଲେ । ଆଉ ଗୁଣୁ ଗୁଣୁ ଗାଉଥିଲେ......

 

‘‘ପିୟା ଯବ୍‌ ଆଓବ ଏ ମଝୁ ଗେହେ,

ମଙ୍ଗଳ ଯତହୁଁ କରବ ନିଜ ଦେହେ ।

ମଙ୍ଗଳ କଲସ କରବ କୁଚଭାର

ଆଲପିନା ଦେଓବ ମୋତିମହାର ।’’

 

ଗଞ୍ଜେଇର ସବୁ ଅତ୍ୟାଚାର ସତ୍ତ୍ୱେ କାଣାବାବା ଗୁଣୁଗୁଣୁ ସ୍ୱରରେ ମୀରା ବା ବିଦ୍ୟାପତିଙ୍କ ପାଦ ବୋଲିଲା ବେଳେ, ନିଖିଳ ବେଦନାର ଅଶ୍ରୁ ରାତିର ଶିଶିର ବିନ୍ଦୁପରି ତାଙ୍କ କଣ୍ଠରୁ ଯେପରି ଝରି ପଡ଼େ । କାଣାବାବା ସେ ପଦଟି କେବଳ ଅନ୍ୟମନସ୍କ ଭାବରେ ଦୋହରାଉଥିଲେ; ମାତ୍ର ତାଙ୍କ ଆଖି ଓ ଅଭିନିବେଶ ଥିଲା ଓଭରବ୍ରିଜ୍‌ ସେପଟ ପାହାଚରେ ଧୀରେ ଧୀରେ ଓହ୍ଲାଇ ଯାଉଥିବା, ସେହି ସ୍ତ୍ରୀ ଛାୟାମୂର୍ତ୍ତିଟି ଆଡ଼େ !

 

ଗୋଟାଏ କୁଲୀ ଏକ ନମ୍ୱର ପ୍ଲାଟଫର୍ମରୁ ତିନି ନମ୍ୱର ପ୍ଲାଟଫର୍ମକୁ ଯିବାପାଇଁ ଲାଇନ ତଳକୁ ଓହ୍ଲାଉଥିଲା; କାଣାବାବାକୁ ଠେଲାଗାଡ଼ି ଉପରେ ବସିଥିବା ଦେଖି ପଚାରିଲା.....

 

‘‘କାଣାବାବା ନିଁଦ୍‌ ନାଇଁ କା ?’’

 

କାଣାବାବା ଉଦାସ କଣ୍ଠରେ ଉତ୍ତର ଦେଲେ, ‘‘ନିଁ ଦ୍‌ କାଁହା ?’’....ସତରା ନମ୍ୱର ଅପ୍‌, ଏକ ନମ୍ୱରକୁ ନେଇଁ ଆୟା କାହେରେ ?’’

 

‘‘ଫଉଜୀ ଏସ୍‌ପେଶାଲ, ଏକନମ୍ୱର ମେଁ ଆ ରହା ହୈ’’....ଦୁଇଟା କୁଦା ପକାଇ କୁଲି, ଲାଇନ ପାର ହୋଇ, ଦୁଇ ନମ୍ୱର ପ୍ଲାଟଫର୍ମ ଉପରକୁ ଉଠି ସାରିଥିଲା ।

 

ତିନି ନମ୍ୱର ପ୍ଲାଟଫର୍ମରେ ଯେଉଁମାନେ ଗାଡ଼ି ଚଢ଼ିବା କଥା, ସେମାନେ ଚଢ଼ି ସାରିଥିଲେ; ଯେଉଁମାନେ ଓହ୍ଲାଇବା କଥା ସେମାନେ ମଧ୍ୟ ଓହ୍ଲାଇ ଓଭରବ୍ରିଜ ଡେଇଁ ଏକ ନମ୍ୱର ପ୍ଲାଟଫର୍ମ ପଟକୁ ଆସି ସାରିଥିଲେ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟମାନଙ୍କ ପାଖରେ, ହକର୍‌ ବା ଚା ବିକାଳୀମାନେ ନଥିଲେ । ତୃତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟର ଆଲୋକିତ ଝରକାମାନଙ୍କ ପାଖରେ କେବଳ ସେମାନଙ୍କର ଜିନିଷ ବିକ୍ରୀ ଓ ଦର କଷାକଷି ଚାଲିଥିଲା ।

 

ଅଭ୍ୟସ୍ତ ରୀତିରେ ଗତ କୋଡ଼ିଏ ବର୍ଷକାଳ ଖରା, ବର୍ଷା, ଶୀତ, ବସନ୍ତ, ଦିନ, ରାତି ପ୍ରତ୍ୟେକ ଟ୍ରେନ୍‌ ଆସିଲେ ଏପର୍ଯ୍ୟନ୍ତ ସେ ସ୍ତ୍ରୀ ଲୋକଟି ଯାହା କରି ଆସିଛି; ଏବେ ମଧ୍ୟ ତାହାହିଁ କରୁଥିଲା....ଅର୍ଥାତ୍‌ ଇଞ୍ଜିନ ପାଖରୁ ଗାର୍ଡ଼ଭ୍ୟାନ ପର୍ଯ୍ୟନ୍ତ; ଟ୍ରେନ୍‌ କଡ଼େ କଡ଼େ ପ୍ରତ୍ୟେକ ଯାତ୍ରୀ ଆଡ଼େ ନିରୀକ୍ଷଣ କରି ଚାହିଁ, ପୁଣି ଓଭରବ୍ରିଜ୍‌ ପାହାଚ ପାଖରେ ଆସି ଠିଆ ହେଉଥିଲା । ସେଇଠାରେ ଠିଆ ହେଲେ, ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍ପଷ୍ଟ ଦେଖିହୁଏ, ସେମାନଙ୍କ ମଧ୍ୟରେ କୌଣସି ଚିହ୍ନା ଲୋକଥିଲେ ଚିହ୍ନି ମଧ୍ୟ ହୁଏ ।

 

ମାତ୍ର ଗତ କୋଡ଼ିଏ ବର୍ଷ ଧରି ଯେଉଁ ଚିହ୍ନାମୁହଁଟି ସେ ଖୋଜି ବୁଲୁଥିଲା, ସେ ମୁହଁଟି କିନ୍ତୁ ଦେଖାପଡ଼ୁ ନ ଥିଲା ।

 

ସେ ଚେହେରା ଉପରେ ବିସ୍ମୃତିର ପରଳ ମାଡ଼ିଗଲାଣି....ହଜି ଯିବାର, ଝରି ପଡ଼ିବାର, ଫିକା ହଳଦୀରଙ୍ଗ ବୁଲିଗଲାଣି । ମାତ୍ର ତା ତଳେ ତଥାପି ଅନିର୍ବାତ ପ୍ରଦୀପ ଶିଖା ପରି ଦେଦୀପ୍ୟମାନ ରହିଥିଲା ଦୁଇଟି ସମ୍ମୋହିନୀ ଆଖି, ଆଉ ଦୁଇଟି ଓଠ.....ସେ ଆଖିର ସର୍ଜନା ହୋଇଥିଲା ଯେପରି କୁଳବଧୂକୁ ଅକୁଳକୁ ଟାଣି ନେବାପାଇଁ, ସେ ଓଠ ଦୁଇଟି କିଏ ଯେପରି ଗଢ଼ିଥିଲା ଚୁମ୍ୱନର ତୃଷାରେ !

 

ଏ କୋଡ଼ିଏ ବର୍ଷ ମଧ୍ୟରେ, ସେହି ଥାର୍ଡକ୍ଳାସ ୱେଟିଙ୍ଗ ହଲ କୋଣରେ ବହୁ ଆଖି ତା’ର ସୁଗଠିତ, ବର୍ତ୍ତୁଳ ଦେହ ଉପରେ ନିବଦ୍ଧ ହୋଇଛି; ମାତ୍ର କୌଣସି ଆଖି ତା’ର ଲଜ୍ଜା, ସଙ୍କୋଚ ଓ ଆତ୍ମସମ୍ମାନର ଆବରଣ ଭେଦି ତା’ର ଆତ୍ମାକୁ ସେ ଦୁଇଟି ହଜିଲା ଆଖି ପରି ଉଲ୍ଲଙ୍ଗ କରି ଦେଇ ନାହିଁ । ବହୁ ଓଠ, ସମବେଦନା ଓ ସହାନୁଭୂତିରେ କମ୍ପିଛି; ମାତ୍ର ଆଉ ଅନ୍ୟ କୌଣସି ଓଠ ଚୁମ୍ୱନର ତୃଷାରେ ତାର ଓଠ ଦୁଇଟିକୁ ଦରମୁକୁଳିତ କରି ଦେଇନାହିଁ !.....

 

ଆଉ କିଛି ମନେ ନାହିଁ....ମନେଅଛି କେବଳ କୋଡ଼ିଏ ବର୍ଷ ତଳର ଗୋଟିଏ ନିର୍ଲ୍ଲଜ୍ଜ କୁଳବୁଡ଼ା ଜହ୍ନରାତି...ସେ ଚାଲିଥିଲା ଆଗେ ଆଗେ, ସ୍ୱପ୍ନରେ ଦେଖା ଗୋଟିଏ ଅଶରୀରୀ ଛାଇ ପରି, କାନ୍ଧରେ ବିନ୍ଦିଆର ଗୋଟିଏ ଛୋଟ ଟିଣ ବାକ୍‌ସ ରଖି.....ଆଉ ସେଇ ଅଜଣାର ପଛରେ ଅନଭ୍ୟସ୍ତ ପାଦରେ ଛୁଟିଥିଲା ସେ, ସୁଜନପୁର ଗାଁ ଚୌଧୁରୀ ଘର କୁଳବଧୁ ବିନ୍ଦୁମତୀ, ବିନ୍ଦିଆ ! ଦୁଇପାଦରେ ଶାଢ଼ିର ଅଞ୍ଚଳ ଛନ୍ଦି ହୋଇଯାଉଥିଲା । କେତେ ଅପନ୍ତରା କ୍ଷେତ, ଛାଇଢ଼ଙ୍କା କେତେ ଆମ୍ୱତୋଟା, ଅଙ୍କା ବଙ୍କା ଗୋଟିଏ ଧୂଳିଆ ରାସ୍ତା.....ଗୋଟାଏ ଶଙ୍ଖର ସିମେଣ୍ଟବାଡ଼ା ଉପରେ ଗୋଟାଏ ଅଣ୍ଟାଭଙ୍ଗା ଖଜୁରୀଗଛର ଛାଇରେ ବିଶ୍ରାମ ନେବା ପାଇଁ ସେ ଦୁହେଁ ବସିଥିଲେ କିଛିକ୍ଷଣ....ମୁଣ୍ଡ ଉପରେ ଗୋଟାଏ ଚକୋର ଚନ୍ଦ୍ର ଆଶାରେ, ଆକାଶରେ ଉଠିପଡ଼ି ଅଶାନ୍ତ ବିଳାପ କରୁଥିଲା....ତା’ପରେ ଗୋଟିଏ ଛୋଟିଆ ଗାଉଁଲୀ ନିଦୁଆଳୀ ଷ୍ଟେସନ....କେଉଁ ମେଲ୍‌ ଅଥବା ଏକ୍‌ସପ୍ରେସକୁ ପାସିଙ୍ଗ ଦେବା ପାଇଁ, ଅଧଘଣ୍ଟାରୁ ଅଧିକକାଳ ସେହି ଅପନ୍ତରା ଷ୍ଟେସନରେ ପଡ଼ି ରହିଥିଲା ରାତିର କେଉଁ ପାସେଞ୍ଜର ଟ୍ରେନ୍‌, ଆଉ ରହି ରହି ଅକାରଣରେ ଦୀର୍ଘଶ୍ୱାସ ପକାଉଥିଲା.....ଗୋଟିଏ ଫାଷ୍ଟକ୍ଳାସ କୁପେ ଭିତରେ, ଗୋଟିଏ ରାତିର ନୀଡ଼....ତା’ପରେ ପାଟନା ଜଙ୍କସନ୍‌....ତା’ପରେ ? ଆଃ.....ସେ ଅଜଣାର ନାଁ ବା ଠିକଣା ସେଦିନ ତ ସେ ପଚାରି ବୁଝି ନଥିଲା ।

 

ସୁଜନପୁର ଗାଁ ଧାରରେ ବହି ଯାଇଥିବା ଭାଗୀରଥି ନଦୀରେ ଜହ୍ନର ଆଶ୍ଳେଷ ଯେପରି, ନାଉରୀ ଆହୁଲାରେ ଚମକି ଉଠି ହଠାତ୍‌ ଭାଙ୍ଗିଯାଏ ତା’ର ସ୍ମୃତିର ଆବେଶ ସେହିପରି ଚଞ୍ଚଳ ହୋଇଉଠିଲା । ତା’ପରେ ସବୁ ଅସ୍ପଷ୍ଟ, ସବୁ ଝାପସା ସବୁ ଅଶରୀରୀ....କିଛି ମନେପଡ଼େ ନାହିଁ....କେବଳ ଗୁଡ଼ାଏ ପ୍ରତୀକ୍ଷା, ଗୁଡ଼ାଏ ଆବେଗ, ଗୁଡ଼ାଏ ଅନ୍ଧାର, ଗୁଡ଼ାଏ ଅଶ୍ରୁ ।

 

ଓଭରବ୍ରିଜର ତଳପାହାଚ ପାଖକୁ ଲାଗି ଗୋଟିଏ ଫାଷ୍ଟକ୍ଳାସ୍‌ କୁପେ । ଅନ୍ୟ କମ୍ପାଟ୍‌ମେଣ୍ଟମାନଙ୍କରେ ଯାତ୍ରୀମାନେ ଆଲୁଅ ନିଭାଇ ଶୋଇ ପଡ଼ିଥିଲେ । ମାତ୍ର ସେ କୁପେଟି ଭିତରେ, ନିଷ୍ପ୍ରଭ ନୀଳ ଆଲୋକ ତଥାପି ଜଳୁଥିଲା । ତଳ ବର୍ଥର ବିଛଣା ଉପରେ ଶୋଇଥିବା ଜଣେ ଯାତ୍ରୀଣି ଝରକାର କାଚପର୍ଦ୍ଦା ଉଠାଇ ଷ୍ଟେସନ ପ୍ଲାଟଫର୍ମ ଆଡ଼େ କୌତୁହଳୀ ଦୃଷ୍ଟିରେ ଚାହିଁ କ’ଣ ଦେଖୁଥିଲା । ତା’ ଉପରେ ଝୁଙ୍କି ପଡ଼ି ଜଣେ ତରୁଣ ଯାତ୍ରୀ ବାହାରକୁ ଅଳ୍ପ ମୁଣ୍ଡ ଦେଖାଇ ଠିଆ ହୋଇଥିଲା । ସେମାନେ ଯାତ୍ରୀ-ବିରଳ ଷ୍ଟେସନ ଆଡ଼େ ଚାହିଁ କ’ଣ ଖୋଜୁଥିଲେ କେଜାଣି ? ପଛର ସ୍ମୃତି ନାଁ ଆଗର ସମ୍ଭାବନା ?

 

ମନ୍ତ୍ରମୁଗ୍‌ଧା ପରି ବିନ୍ଦିଆ ବ୍ରିଜତଳ ପାହାଚ ପାଖରୁ କୁପେର ଆଲୋକିତ ଝରକା ପାଖକୁ ଦଉଡ଼ି ଆସିଲା ! ଆଃ....ଏ ଯୁବକଟି ଯଦି ଏଠାରୁ ଓହ୍ଲାଇ ପଡ଼ି ଷ୍ଟେସନର ଯାତ୍ରୀ-ଗହଳି ଭିତରେ କେଉଁଆଡ଼େ ମିଶିଯାଏ ? ହଜିଯାଏ ? ତା’ ହେଲେ ?

 

ମର୍ମାନ୍ତକ ଯନ୍ତ୍ରଣାରେ ବିନ୍ଦିଆ ଆର୍ତ୍ତନାଦ କରି ଉଠିଲା ।

 

କୁପେ ଭିତରେ ଯାତ୍ରୀଣି ଜଣକ ତା’ ହାତକୁ ଗୋଟାଏ ଚାରଣୀ ବଢ଼ାଇ ଦେଲା ।

 

ସେତିକିବେଳେ ଅଳ୍ପ ଦୂରରେ ଗୋଟାଏ ଫାଷ୍ଟକ୍ଳାସ କମ୍ପାଟମେଣ୍ଟରୁ କୁହୁଡ଼ି-ମିଶା ଆଲୁଅରେ ଛାୟାମୂର୍ତ୍ତି ପରି ଦିଶୁଥିବା କିଏ ଜଣେ ଯାତ୍ରୀ କାହିଁକି ଓହ୍ଲାଇ ପଡ଼ିଥିଲା । ବିନ୍ଦିଆ ସେଇଆଡ଼େ ଧାଇଁ ଯାଉଥିଲା......ପାଦରେ ଛନ୍ଦି ହୋଇ ପଡ଼ୁଥିବା ଶାଢ଼ିର ଅଞ୍ଚଳକୁ ସଂଯତ କରି ! ଚାରଣିଟି ପ୍ଲାଟଫର୍ମ ଉପରେ ଶବ୍ଦ କରି ତଳେ ପଡ଼ିଗଲା ।

 

ଜଣେ ଟ୍ରେନ-ଚେକର ଚାରଣଟି ପ୍ଲାଟଫର୍ମ ଉପରୁ ଉଠାଇ କୁପେ ଝରକା ପାଖରେ ବସିଥିବା ସେହି ଯାତ୍ରୀଣିକୁ ଫେରାଇ ଦେଇ କହିଲା....‘‘ଓଃ, ଭିକାରିନ୍‌ ନେଇ ହେ ବିବିଜୀ !’’

 

ସେ ଯାତ୍ରୀଜଣକ କମ୍ପାଟମେଣ୍ଟ ଭିତରକୁ ଫେରିଯାଇଁ ପୁଣି ଦରଜା ବନ୍ଦ କରିଦେଲା ।

 

ସେଭେନଟିନ୍‌ ଅପ୍‌ ପୁଣି ଦୀର୍ଘଶ୍ୱାସ ଛାଡ଼ିବା ଆରମ୍ଭ କରିଥିଲା ।

 

ସେଭେନଟିନ୍‌-ଅପ୍‌ ଘୁଷୁରି ଘୁଷୁରି ଧୀରେ ଧୀରେ ପ୍ଲାଟଫର୍ମ ବାହାରକୁ ଚାଲି ଯାଉଥିଲା । ଗାଡ଼ଭାନ୍‌ ପଛରେ ବମ୍ପରର ଦୁଇଟି ଲାଲ ଆଲୋକ କ୍ରମେ ଦୂରକୁ ଦୂରେଇ ଯାଉଥିଲା କ୍ରମଅପସୃୟମାନ ଏକ ଦୁରାଶା ପରି ।

 

ସେହିଆଡ଼େ ଚାହିଁ ଗୋଟିଏ ଦୀର୍ଘଶ୍ୱାସ ପକାଇ ସିଡ଼ି ଉପରେ ପୁଣି ଉଠିବାବେଳେ ବିନ୍ଦିଆର ମନେପଡ଼ିଲା....କାଲିଠାରୁ ତାକୁ ଜର । ଗୋଡ଼ ଦୁଇଟା କ୍ଳାନ୍ତିରେ ଯେପରି ଭାଙ୍ଗି ପଡ଼ୁଥିଲା । ଉତ୍ତରଆଡ଼ୁ କୁହୁଡ଼ିମିଶା ଥଣ୍ଡା ପବନର ଦମକା, ତାର ଅଲରା ବାଳଗୁଡ଼ାକୁ କେରା କେରା କରି ଜ୍ୱରର ଉତ୍ତାପରେ ଜଳୁଥିବା ଫୁଲା ଫୁଲା ଦୁଇ ଆଖି ଉପରେ ଢାଙ୍କି ଦେଉଥିଲା ।

 

ଗୋଟାଏ ବୁଲା କୁକୁର କେଉଁଠି ଗୋଡ଼ରେ ମାଡ଼ଖାଇ ଆହତ ଗୋଡ଼ଟିକୁ ପେଟ ତଳେ ଯାକି ତଥାପି ଧାଇଁ ଥିଲା କେଜାଣି ଆଉରି ଆଘାତ ଓ ଯନ୍ତ୍ରଣାର କ୍ଷୁଧାରେ !

 

କୁକୁରଟି ବିନ୍ଦିଆକୁ ଦେଖି ଚିହ୍ନିଲା ପରା ! ଅଧିକାଂଶ ଦିନ ଥାର୍ଡ଼କ୍ଳାସ ୱେଟିଙ୍ଗ-ହଲ୍‌ ସାମନା ରାସ୍ତା ସେପଟ ନିମଗଛ ତଳେ ବିନ୍ଦିଆ ଉଠାଚୁଲୀ ଲଗାଇ ରାନ୍ଧିବା ବେଳେ ଏଇ କୁକୁରଟି ତାଠାରୁ ପାଇଥାଏ ମୁଠାଏ ଭାତ, ନୋହିଲେ ଟୁକୁରାଏ ରୁଟି, ଆଉ କିଛି ସହାନୁଭୂତି ।

 

ଆହତ ଦୃଷ୍ଟିରେ କୁକୁରଟି ଚାହିଁଲା ବିନ୍ଦିଆ ଆଡ଼େ । ବିନ୍ଦିଆ ଆଖିରେ, ନୀରବ ପ୍ରତ୍ୟୁତ୍ତରରୁ କୁକୁରଟି କଣ ବୁଝିଲା କେଜାଣି, ପୁଣି ଆହତ ଗୋଡ଼ଟିକୁ ପେଟତଳେ ଯାକି ଯେଉଁଆଡ଼ୁ ଆସିଥିଲା, ସେଆଡ଼େ ଫେରିଯାଇଁ ଗୋଟାଏ ସିମେଣ୍ଟ ବେଞ୍ଚ ତଳେ କୁଣ୍ଡଳୀ ମୋଡ଼ି ଶୋଇପଡ଼ିଲା ।

 

ବିନ୍ଦିଆ ଉଠିଲା ବ୍ରିଜର ପାହାଚେ ପାହାଚେ, ଛାତି ଉପରେ ହାତ ଚାପି, ପଞ୍ଜରାତଳେ ଖଣ୍ଡ ଖଣ୍ଡ ଭଙ୍ଗା ଖେଳନାକୁ ପୁଣି ଯୋଡ଼ିଲା ପରି ଭଙ୍ଗୀରେ । ଦୂରରେ ସେଭେନ୍‌ଟିନ୍‌ ଅପ୍‌ର ଘର୍ଘର କ୍ରମେ ମିଳାଇ ଯାଉଥିଲା । ବ୍ରିଜ ଉପରୁ ବିଭିନ୍ନ ୟାର୍ଡ଼ର ଲୁହାଧାରଣା ସବୁ ନିଷ୍ପ୍ରଭ ନିଅନ୍‌ ଆଲୋକରେ ଚକ୍‌ ଚକ୍‌ କରୁଥିଲା, ଜୀବନର ଅସମାଧିତ ଗୋଲକ ଧନ୍ଦା ପରି । ଜୀବନର ସଂଜ୍ଞା କ’ଣ ? ପ୍ରାପ୍ତି ନାଁ ପ୍ରତୀକ୍ଷା ? .......ସେଇ ଗୋଲକ ଧନ୍ଦା ଭିତରେ ଜୀବନର କୋଡ଼ିଏଟା ବର୍ଷ କେଉଁଆଡ଼େ ବାଟବଣା ହୋଇ ଯାଇଥିଲା ।

 

ବ୍ରିଜ୍‌ର ସେପଟ ପାହାଚରେ ଓହ୍ଲାଇବା ବେଳେ ବିନ୍ଦିଆ ପୁଣି ଥରେ ନିଃଶ୍ୱାସ ନେବାପାଇଁ ଅଟକିଗଲା । ଅପରଦିଗରୁ ଗୋଟାଏ ଲମ୍ୱା ଫଉଜୀ-ସ୍ପେଶାଲ ଅଜଗର ପରି, ନୋହିଲେ ଅଳସୀ-କନ୍ୟା ପରି, ଦେହ ମୋଡ଼ି ମୋଡ଼ି ଏକ ନମ୍ୱର ପ୍ଲାଟଫର୍ମ ଉପରେ ଆସି ରହିଗଲା । ପ୍ଲାଟଫର୍ମ ଉପରେ ବୁଟ୍‌ଯୋତା ମଚ୍‌ ମଚ୍‌ କରି ବନ୍ଧୁକଧାରୀ ସନ୍ତ୍ରୀମାନେ ଟ୍ରେନ କଡ଼େ କଡ଼େ ଟହଲ ମାରିବା ଆରମ୍ଭ କରିଦେଲେ । କମ୍ପାର୍ଟମେଣ୍ଟ ଭିତରୁ କେହି କେହି ଖାକି ୟୁନିଫର୍ମ ପିନ୍ଧା ଜୱାନ ହାତରେ ଗୋଟିଏ ଗୋଟିଏ ମଗଧରି ଓହ୍ଲାଇ ପଡ଼ିଲେ; ଗରମପାଣିର ସନ୍ଧାନରେ ।

 

ବିନ୍ଦିଆର ମନେପଡ଼ିଗଲା, କୋଡ଼ିଏବର୍ଷ ତଳେ, ସେ ବି ଥିଲା ଆଉ ଏକ ମହାଯୁଦ୍ଧର ଦିନ; ଫଉଜୀ-ସ୍ପେଶାଲ ସବୁ କେଉଁ ଅଜଣା ସୀମାନ୍ତ ଆଡ଼େ ସେଦିନ ବି ଏମିତି ରାତିଦିନ ଅସମୟରେ ଛୁଟିଥିଲା ।

 

ଆଜି ପୁଣି ଆଉ ଏକ ଯୁଦ୍ଧ....ଷ୍ଟେସନର କାନ୍ଥରେ, ବାଡ଼ରେ ବନ୍ଧୁକଧାରୀ ଜୱାନମାନଙ୍କର ରାଶି ରାଶି ପୋଷ୍ଟର.....ଶାନ୍ତିରୁ ଯୁଦ୍ଧ, ମୋହରୁ ମୋହଭଙ୍ଗ, ଯୌବନରୁ ବାର୍ଦ୍ଧକ୍ୟ, ମିଳନରୁ ବିରହ, ଜନ୍ମରୁ ମରଣ.....ଓଭରବ୍ରିଜ୍‌ ତଳେ ରେଳରାସ୍ତାର ଅଛିଣ୍ଡା ଲୁହାଧାରଣା ପରି ଜୀବନର ପଟୁଆର ଲମ୍ୱିଯାଇଛି.....ଶେଷ କେଉଁଠି ?

 

ବିନ୍ଦିଆର ଆଖି ଆଗରେ ଭାସିଉଠିଲା ଭାଗୀରଥୀର ନୀଳସ୍ରୋତ ବେଣୀ....ସବୁଦିନ ସକାଳ ଆଉ ସଞ୍ଜରେ ମଉଳା-ଫୁଲର ପାଖୁଡ଼ା ସବୁ ସେହି ସ୍ରୋତରେ କାହା ଗଭାରୁ ଖସି କୁଆଡ଼େ ଭାସିଯାଏ କେଜାଣି ? .....ଆଜି ବି ସେମିତି ଭାସି ଯାଉଥିବ । ଆସନ୍ତା କାଲି ବି ଭାସିବ...ଦିନେ ବିନ୍ଦିଆ ବି ତାର ଗଭାରୁ ମଉଳା ଚାମେଲୀର ଗୋଟିଏ ମାଳା ସେଇ ସ୍ରୋତରେ ଭସାଇ ଦେଇଥିଲା ।

 

ନିର୍ଜନ ନଦୀଘାଟ ! ....ଉଦାସୀ ଚଇତି ପବନରେ ଧୂଳି ଉଡ଼ାଉଛି । ....ଆମ୍ୱତୋଟାର ଛାଇ ଭିତରେ କେଉଁଠି ଗୋଟାଏ କାପ୍ତା ଘୁମୁରୁଛି....ଆଉରି ଦୂରରେ କେଉଁଠି ଗୋଟାଏ ବଂଶୀ ବାଜୁଛି...ନିର୍ଜନ ନଦୀଧାରରେ ସେଇ ଆଗ ମୋଡ଼ରେ ଯେଉଁଠି ଶରତର କାଶତଣ୍ଡି ସବୁ ମରି, ଶୁଖି ଅଲରାବାଳ ପରି ଭାଗୀରଥିର ସ୍ରୋତ ଉପରକୁ ଝୁଙ୍କି ପଡ଼ିଛି, ସେଇଠି ଗୋଟାଏ ଫୁଲଭରା ଶୀରିଷ ଗଛ, ଗୋଟାଏ ଏକୁଟିଆ ତାଳଗଛ; ତା’ ସେପାଖକୁ ପୁଣି ଲମ୍ୱିଯାଇଛି ଫସଲର କ୍ଷେତ; ସବୁଦିନେ ଖରାବେଳେ ପୁଣି ନିଶୂନ୍‍ରାତିରେ ସେହିଆଡ଼ୁ ଭାସିଆସେ ବଂଶୀର ସେହି ପରିଚିତ ମୂର୍ଚ୍ଛନା....ବିନ୍ଦିଆ ସେ ଅଜଣାକୁ ଚିହ୍ନି ନଥିଲା; ମାତ୍ର ତା ବଂଶୀର ଆଳାପ କେଉଁଦିନୁ ବିନ୍ଦିଆର ପ୍ରାଣସଙ୍ଗୀତରେ ପରିଣତ ହୋଇପଡ଼ିଥିଲା କେଜାଣି !

 

ସେଇ ଅଜଣା ଜଣକ ନଦୀ ଧାରେ ଧାରେ ଆସୁଥିଲା; ହାତରେ ତାର ବିନ୍ଦିଆର ସେଇ ଭିଜା ଚାମେଲୀ-ମାଳା ! ଆମ୍ୱତୋଟାର ଛାୟାଢଙ୍କା, ଅଙ୍କାବଙ୍କା ନିର୍ଜନ ପାଦଚଲା ବାଟରେ ସେଇ ଅଜଣା-ବଂଶୀବାଲାର ହାତରେ ବିନ୍ଦିଆ ତା ଗଭାରୁ ଭସାଇ ଦେଇଥିବା ଚାମେଲୀର ମାଳାଟି ଦେଖି ଅସ୍ଫୁଟ ଆର୍ତ୍ତନାଦ କରି ଉଠିଥିଲା !

 

ବିନ୍ଦିଆର କାଖରୁ ଜଳଭରା ପିତଳ କଳସୀଟି ତଳେ ଖସି ପଡ଼ିଥିଲା ।

 

କିନ୍ତୁ ସେଇ ଅଜଣା ଜଣକ ତଳୁ ଶୂନ୍ୟ କଳସୀଟି ଉଠାଇ ବିନ୍ଦିଆର କାଖରେ ପୁଣି ଧରାଇଦେଲା । ବିନ୍ଦିଆ ମନ୍ତ୍ରମୁଗ୍‌ଧା ପରି, ଅଜଣାର ହାତରେ ଚାମେଲୀ ମାଳାଟିକୁ ଚାହିଁ ପଚାରିଲା....‘‘ଏ ମାଳା ପାଇଲ କେଉଁଠୁ ?’’

 

ଅଜଣା ଜଣକ ଦୁଇ ଓଠରେ ରହସ୍ୟ-ବିଜଡ଼ିତ ହସର ଝଲକ ଖେଳାଇ ଚାମେଲୀ ମାଳାଟି ବିନ୍ଦିଆର ଅନାବୃତ ଗଭାରେ ଗୁଡ଼ାଇ ଦେଇ ଆମ୍ୱତୋଟାର ଛାଇ ଭିତରେ କେଉଁଆଡ଼େ ନୀରବରେ ଅଦୃଶ୍ୟ ହୋଇଗଲା !

 

ତା’ପରେ ସେଦିନର ସେଇ ନିର୍ଲଜ୍ଜ ନିଶୂତି ଜହ୍ନରାତି !

 

ଫଉଜୀ ସ୍ପେଶାଲ ଘନ ଘନ ଦୀର୍ଘଶ୍ୱାସ ଛାଡ଼ି, ନିଆଁର ଫୁଲ୍‌କୀ ଉଡ଼ାଇ, ପ୍ଲାଟଫର୍ମରୁ ପୁଣି ବାହାରିଗଲା !

 

ଏକ ନମ୍ୱର ପ୍ଲାଟଫର୍ମ ପୁଣି ଝିମେଇ ପଡ଼ିଲା । ଟେଲିଫୋନ୍‌ ପୁଣି ଅଚେତ ହୋଇଗଲା । ଟେଲିଗ୍ରାଫ୍‌—ଯନ୍ତ୍ରର ଟାରେ ଟାକ୍‌କା ସଙ୍ଗୀତ, ଜନହୀନ ପ୍ଲାଟଫର୍ମର ସାଇଁ ସାଇଁ ଶବ୍ଦ, ଆଉ ରାତି ଶେଷର କୁହୁଡ଼ି ବ୍ୟତୀତ ଅନ୍ୟ କୌଣସି ଶବ୍ଦ ଅଥବା ସତ୍ତା ଆଉ ନଥିଲା ।

 

ଏକ ନମ୍ୱର ପ୍ଲାଟଫର୍ମ ଧାରରେ, ‘‘ସୁଲେଖାରେ ଲେଖନ୍ତୁ’’ ‘‘ଇଣ୍ଡିଆନ୍‌ ନେସନ୍‌ ପଢ଼ନ୍ତୁ’’, ‘‘ବୃକ୍‌ବଣ୍ଡ ଚା’ ପିଅନ୍ତୁ’’, ‘‘ରାଜଗୀର ଆସନ୍ତୁ’’ ପ୍ରଭୃତି ସାଇନ୍‌ବୋର୍ଡ଼ ସବୁ ଲମ୍ୱି ଲମ୍ୱି ଯେଉଁଠି ଶେଷ ହୋଇଯାଇଛି, ସେଠାରେ ଆଜିକୁ କୋଡ଼ିଏ ବର୍ଷ ତଳେ, ବିନ୍ଦିଆ ନିଜ ହାତରେ ପୋତିଥିଲା ଗୋଟିଏ କାଠଚମ୍ପା ଗଛ । ଏବେ ସେ ଗଛଟି, କେତେ ବାଙ୍କରେ କେତେ ଶାଖା ମେଲି ବଢ଼ି ଉଠିଥିଲା । ମାତ୍ର ଶାଖା ସବୁ ପତ୍ର-ବିରଳ ହୋଇ ଆସିଥିଲା । ତଥାପି ସେଥିରେ କେତୋଟି ଫୁଲ ଫୁଟି, ଡାଳରେ କେତେ ଲାଗିଥିଲା; ଆଉ ତଳର ସିମେଣ୍ଟ ବେଞ୍ଚ ଉପରେ ସେଥିରୁ କେତେଟା ଝରି ପଡ଼ିଥିଲା !

 

ବିନ୍ଦିଆ କ୍ଳାନ୍ତି ଓ ଯନ୍ତ୍ରଣାରେ ସେହି ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ିଲା । ଜ୍ୱରର ପ୍ରକୋପରେ ସେ ବସୁ ବସୁ ସେହି ହେମାଳ ବେଞ୍ଚ ଉପରେ ଦେହ ଢାଳି ଲୋଟିପଡ଼ିଲା । କେତେଟା କାଠଚମ୍ପା ମଧ୍ୟ ତା’ ଉପରକୁ ଝରି ପଡ଼ିଲା ।

 

କାଣା ବାବା ବେଞ୍ଚ ପାଖକୁ ଆସି, ବିନ୍ଦିଆକୁ ଦୁଇ ହାତରେ ସନ୍ତର୍ପଣରେ ଉଠାଇ ଧରି କହିଲେ.....‘‘ଆଓ ବିନ୍ଦିଆ; ରାତ୍‌ ଠଣ୍ଡୀ ହୈ !’’

 

ବିନ୍ଦିଆ ଟଳି ଟଳି ଠିଆ ହୋଇ, କାଣାବାବା ଆଡ଼େ ଚାହିଁ ପଚାରିଲା.....‘‘ସୁଭା କବ୍‌ ହୋଗୀ ?’’

 

କାଣାବାବା ଉତ୍ତର ଦେଲେ.....‘‘କ୍ୟା ଜାନେରେ ବିନ୍ଦିଆ ? .....ଅବ୍‌ ତୋ ରାତ୍‌ ଇ ହୈ-!’’

 

ଦୁଇ

 

ଥାର୍ଡ଼କ୍ଳାସ୍‌ ୱେଟିଙ୍ଗ-ହଲ୍‌ ପାଖକୁ ଲାଗି ପାର୍ଶଲ ଗୋଦାମ ବାହାର ୟାର୍ଡରେ, ଗୋଟିଏ ବୁଢ଼ା ନିମ୍ୱଗଛ ଛାଇରେ ଖଣ୍ଡେ ଚେରପାଇ ଉପରେ ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ କମ୍ୱଳରେ ଢଙ୍କା ହୋଇ ଗୋଟିଏ ଲାସ୍‌ ଶୋଇ ଥିଲା ।

Image